ଚଉକିରେ ବସୁ ବସୁ ଦୃଷ୍ଟି ତାଙ୍କର ପଡ଼ିଲା ଦୁଆର ମୁହଁର ପାପୋଛ ଉପରେ। କହିଲେ, ‘ଲାଲ ପାପୋଛଟା ମଇଳା ହୋଇ ଧୂସର ଦେଖାଗଲାଣି।’ ଶ୍ରୀମତୀ ପଣ୍ଡା ଆମ ପଡ଼ୋଶୀ। ସ୍ବାମୀ ତାଙ୍କର ସରକାରୀ କର୍ମଚାରୀ। ସ୍ବାମୀଙ୍କୁ ନେଇ ସବୁବେଳେ ସେଇ ଗୋଟିଏ ଅଭିଯୋଗ ତାଙ୍କର। ଅନ୍ୟମାନଙ୍କ କାମରେ ଅଯଥାରେ ସମୟ ଦେଇ ଘର ପ୍ରତି ଅବହେଳା କରୁଛନ୍ତି। କାହାର ପିଲାକୁ ସ୍କୁଲରୁ ଆଣିବାକୁ ହେବ, କାହାର ସିମେଣ୍ଟ ଦରକାର, ଆଉ କିଏ କହିବ, ‘ପଣ୍ଡାବାବୁ! କିଛି ପରିବା କିଣି ଆମ ଘରେ ଦେଇଦେବେ, ମୋର ଫେରିବା ଡେରି ହେବ।’ କାହାର କିଛି କାମ ପଡ଼ିଲେ ଆଗ ଖୋଜା ପଡ଼ନ୍ତି ପଣ୍ଡାବାବୁ। ତାଙ୍କର ଏଇ କାହାରିକୁ ‘ନା’ ନକହି ପାରିବାର ପ୍ରକୃତି ଯୋଗୁଁ ସମସ୍ତେ ବିନା କାରଣରେ ତାଙ୍କଠାରୁ ଅହେତୁକ ସୁବିଧା ହାସଲ କରନ୍ତି। ବନ୍ଧୁତାର ସଂପର୍କ ଯେ କେବଳ ଦେଇଚାଲିବାର ନୁହେଁ, ତା ସହିତ ମଧ୍ୟ ସମ ପରିମାଣରେ ନେବାର, ସେକଥା କିଏ ଭାବନ୍ତିନି। ସେଦିନ ରାତିରେ ଝିଅର ଦେହ ଖରାପ ହେଲା। ଡାକ୍ତରଙ୍କ ପାଖକୁ ନେଇ ଯିବାକୁ ପଣ୍ଡାବାବୁ ବ୍ୟସ୍ତହୋଇ ଯେତେ ଡାକିଲେ ମଧ୍ୟ ମହାନ୍ତି ବାବୁ ବାହାନା କରି ଏଡ଼ାଇ ଗଲେ। ଅଥଚ ତାଙ୍କ ପୁଅକୁ ପଣ୍ଡାବାବୁ ହିଁ ସ୍କୁଲରୁ ନିଜ ଝିଅ ସହିତ ଆଣନ୍ତି। ଶ୍ରୀମତୀ ପଣ୍ଡା ଯଦି ଏଇ କଥାଟି ଦର୍ଶାଇ ଦେବେ, କହନ୍ତି କାହାରି ଅନୁରୋଧକୁ ନା କହିଦେଲେ କାଳେ କିଏ ଖରାପ ଭାବିବ, ସ୍ବାର୍ଥପର ଆଖ୍ୟା ଦେବ। ‘ପଣ୍ଡାବାବୁ ଜଣେ ଖୁବ୍ ଭଲ ଲୋକ’, ଏ ଛାପାଟି ମଳିନ ପଡ଼ିଯିବ। ଅନ୍ୟର ସ୍ବାର୍ଥ ଅନୁରୂପ କାମ କଲେ ଯାଇ ପ୍ରଶଂସା ମିଳେ, ସେକଥା ସିଏ ବୁଝି ପାରନ୍ତିନି। ପତ୍ନୀ ଏସବୁ କଥାକୁ ନେଇ ବିରକ୍ତ ହେଲେ କୁହନ୍ତି, ଦେବାରେ ଯେଉଁ ଆନନ୍ଦ ତାହା ନେବାରେ ନଥାଏ। ସୁବିଧା ଥାଇ ମଧ୍ୟ ତାଙ୍କ ସାହାଯ୍ୟ ନେବାଟା ଲୋକମାନେ ଅଧିକ ସୁବିଧାଜନକ ବୋଲି ମନେ କରନ୍ତି। ପଣ୍ଡାବାବୁ କିନ୍ତୁ ଅନ୍ୟକୁ ସାହାଯ୍ୟ କରିବା ଓ ଅନ୍ୟକୁ ଖୁସି ରଖିବା ମଧ୍ୟରେ ଥିବା ଫରକଟି ବୁଝିପାରନ୍ତିନି। ଖୁସି ରଖିବା ହିଁ ସାହାଯ୍ୟ ବୋଲି ସେ ଧରି ନେଇଥାନ୍ତି। ସମସ୍ୟା ହୁଏ, ଯେତେବେଳେ ନିଜ ସ୍ବାର୍ଥକୁ ଅଣଦେଖା କରି ଅନ୍ୟକୁ ଖୁସି ରଖିବାକୁ ପଡ଼େ। ନିଜର ସ୍ବାର୍ଥ ଓ ଅନ୍ୟର ଖୁସି ମଧ୍ୟରେ ସୀମାରେଖାଟି କେଉଁଠି ଟଣାଯିବ, ତାହା ସେ ଜାଣନ୍ତିନି।
ପଣ୍ଡା ବାବୁଙ୍କ ପରି ଆମ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚତୁର ଲୋକଙ୍କ ଦ୍ବାରା ବ୍ୟବହୃତ ହୋଇଥାନ୍ତି। କେବଳ ‘ହଁ ଆଜ୍ଞା’ ଛଡ଼ ‘ନାଇଁ ଆଜ୍ଞା’ ତାଙ୍କ ଉଚ୍ଚାରଣରେ ନଥାଏ। ଏପରି ଲୋକଙ୍କ ଠାରୁ କାମ ଆଦାୟ କରିବା ସହଜ ଓ ତାହା ହାସଲ ହୋଇଗଲା ପରେ ଲୋକମାନେ ମୁହଁ ବୁଲାଇ ଚାଲି ଯାଆନ୍ତି।
ଅଳ୍ପଦିନ ତଳେ ଆସିଥିଲା ଏଇ ଲାଲ ରଙ୍ଗର ପାପୋଛ। ଦୁଆର ମୁହଁରେ ସେଇଟି ନଥିଲେ ଅସୁବିଧା ଲାଗେ। ପାଦ ଅଟକି ଯାଏ। ପାଦ ତଳର ଧୂଳି ଓ ଜୋତା ତଳର ମଳିକୁ ନିଜ ପିଠିରେ ବୋଳି ବୋଳି ପାପୋଛଟି ମଇଳା ହୋଇ ସାରିଲାଣି। ପାଦକୁ ଝାଡ଼ି ଦେବାର ପ୍ରତିଦାନ ପାପୋଛ କେବେ ମାଗେନି। ପରିଶେଷରେ ଗୋଟିଏ ଦିନ ଏପରି ଆସେ, ଅନ୍ୟର ପାଦ ଧୂଳିରେ ବୁଡ଼ିଯାଇ ଅଳିଆ ଗଦାକୁ ଚାଲିଯାଏ। ପଣ୍ଡା ବାବୁଙ୍କ ପରି ଆମ ଚାରିପାଖରେ ଥିବା ଅନେକ ଲୋକଙ୍କର ଉଦାହରଣ ଏଇ ପାପୋଛ। ଅନ୍ୟକୁ ଖୁସି କରିବାର ମାର୍ଗ ହେଉଛି ନିଜକୁ ଭୂଇଁରେ ଲୋଟେଇ ଦିଅ। କାମ ସରିଗଲେ ଲୋକେ ପାଦ ପୋଛିଦେଇ ଚାଲି ଯାଆନ୍ତୁ ପଛେ। ପାପୋଛର ଯେମିତି କିଛି ସମ୍ମାନ ନଥାଏ, ଏ ଲୋକମାନେ ଠିକ୍ ସେମିତି। ନିଜର ମୂଲ୍ୟ କ’ଣ, ସେକଥା ଏମାନେ ଜାଣନ୍ତିନି। ଜୀବନର ମୂଲ୍ୟ ନିଜ ଭିତରୁ ସୃଷ୍ଟି ହୁଏ। କାହାରି ପସନ୍ଦର ଆଧାରରେ ନୁହେଁ। ସମାଜର ଏ ପଣ୍ଡାବାବୁମାନେ ନିଜର ଇଚ୍ଛାକୁ ସମ୍ମାନ ଦେବା, ଅନ୍ୟଠାରୁ ପାଉଥିବା ପ୍ରଶଂସାର ଆଧାରରେ ନିଜର ମୂଲ୍ୟ ନିରୂପଣ ନକରିବା ଏବଂ ଅନ୍ୟମାନଙ୍କର ଅହେତୁକ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ଜାଣନ୍ତିନି। କାମ ସରିଗଲେ ଗୋଡ଼ ପୋଛିଦେଇ ଚାଲି ଯାଉଥିବା ଲୋକମାନଙ୍କ ପାଇଁ ସମାଜ କଷ୍ଟ ପାଏନି, ବରଂ କଷ୍ଟ ଭୋଗେ ଯେତେବେଳେ କିଛି ଲୋକ ଅନ୍ୟର ପାପୋଛ ହେବାପାଇଁ ନିଜକୁ ତଳେ ବିଛାଇ ଦିଅନ୍ତି। ଅନ୍ୟର ଭୁଲ୍କୁ ନିଜ ମୁଣ୍ଡକୁ ନେଇନେବା, ଅଗ୍ରହଣୀୟ କଥାର ପ୍ରତିବାଦ ନକରିବା, ଅସମ୍ମାନ ପାଇଲେ ସହିଯିବା, ଆବଶ୍ୟକ ସ୍ଥଳେ ‘ନା’ ନ କହିବା ଓ ଅନ୍ୟ ପାଇଁ ନିଜର ଭାବନାକୁ ଉପେକ୍ଷା କରିବା, ଏସବୁର କଷ୍ଟ ପଣ୍ଡା ବାବୁମାନେ ଅନୁଭବ କରିପାରନ୍ତିନି ସିନା, ସେମାନଙ୍କ ପରିବାର ସେଥିପାଇଁ କଷ୍ଟ ଭୋଗେ। ଧୂଳି ଭରିଗଲେ ପାପୋଛର ଅବସ୍ଥା ପରି ଏମାନଙ୍କର ଅବସ୍ଥା ଶେଷରେ ସେହିପରି ହୋଇଯାଏ।
ଶ୍ରୀମତୀ ପଣ୍ଡା ପାପୋଛଟି ନେଇ ଝାଡ଼ିବାକୁ ଉଠି ଯାଉ ଯାଉ କହିଲେ, “କିଛି ଲୋକଙ୍କର ପାଦ ଏତେ ମଇଳା ଯେ ତାଙ୍କୁ ପ୍ରଶ୍ରୟ ଦେଲେ ମୂଲ୍ୟବାନ ପାପୋଛ ମଧ୍ୟ ଏମିତି ମଇଳାରେ ଭରିଯିବ। ଥରେ ପାପୋଛ ପରି ନିଜକୁ ତଳେ ବିଛାଇ ଦେଲେ ଲୋକମାନେ ତୁମ ଦେହରେ ‘ସ୍ବାଗତ’ ସଙ୍କେତ ଖୋଜି ଚାଲିବେ। ଏକଥା କ’ଣ ଆମ ପଣ୍ଡାବାବୁ ପରି ଲୋକମାନେ କେବେ ବୁଝିବେ?” ମୁଁ କହିଲି, ଭାଉଜ! ପାଦ ମଇଳା ଥିବା ବ୍ୟକ୍ତିମାନେ ହିଁ ପାପୋଛକୁ ଭଲ ପାଆନ୍ତି। ମୁହଁ ମୋଡ଼ିଦେଇ ଶ୍ରୀମତୀ ପଣ୍ଡା ଚାଲିଯିବା ବେଳେ ପାପୋଛ ଖୋଜୁଥିବା ପାଦମାନଙ୍କ ଉଦ୍ଦେଶ୍ୟରେ କବି ଗୁଲଜାରଙ୍କର କବିତା ଧାଡ଼ିଏ ମନେ ପଡୁଥିଲା: ‘ଫିତରତ୍ ତୋ କୁଛ୍ ୟୁଁଭି ହୈ ଇନସାନ କି, ବାରିଶ୍ ଖତମ୍ ହୋଯାୟେ ତୋ ଛତ୍ରି ବୋଝ୍ ଲଗତି ହୈ।’ କିଛି ଲୋକଙ୍କର ସ୍ବଭାବ ଏମିତି, ବର୍ଷା ଛାଡ଼ିଗଲା ପରେ ଛତା ବୋଝ ପରି ଲାଗେ। ପଣ୍ଡାବାବୁ ଏହାର ମର୍ମ ବୁଝିଲେ ହେଲା।
ମୋ: ୯୩୩୭୬୪୮୬୩୮