ସାରଳାଦାସଙ୍କ ମହାଭାରତ (ସାରୋଳଦାସ ମହାଭାରଥ)ର ଛାପା ବହି ବାବଦରେ ଆଲୋଚନା କରିଥିବା ଅନ୍ୟ ପଣ୍ଡିତ ଓ ଗବେଷକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୋପୀନାଥ ନନ୍ଦଶର୍ମା। ଓଡ଼ିଶାର ଏହି ଆଦିକବିଙ୍କ ଦାଣ୍ଡିବୃତ୍ତକୁ, ଅକ୍ଷର ଯୋଡ଼ି ଓ କାଟି, ଚଉଦଅକ୍ଷରି କରାଯିବା ଘଟଣାକୁ ଗୋପୀନାଥ ମହାନ୍ତି କହିଥିଲେ, “ଅଜ୍ଞତା” ଓ “ଦୁଷ୍କର୍ମ”। କିନ୍ତୁ ପଣ୍ଡିତ ଗୋପୀନାଥ ତାହାକୁ କହିଛନ୍ତି “ମର୍କଟ ହସ୍ତରେ ଶାଳଗ୍ରାମ”।
ଗୋପୀନାଥ ନନ୍ଦଶର୍ମା ପଣ୍ଡିତ। ସେ ‘ଶ୍ରୀଭାରତଦର୍ପଣ’, ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’ ଓ ‘ଓଡ଼ିଆ ଭାଷାତତ୍ତ୍ୱ’ ଆଦିର ପ୍ରଣେତା। ଓଡ଼ିଶାର ଜଣେ ପଣ୍ଡିତ ଭାବରେ, ମାନ୍ଦ୍ରାଜଠାରେ ଆୟୋଜିତ ସର୍ବଭାରତୀୟ ପଣ୍ଡିତ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ପ୍ରିନ୍ସ ଅଫ୍ ୱେଲ୍ସଙ୍କ ଭାରତ ଭ୍ରମଣ ଅବସରରେ ମାନପତ୍ର, ସ୍ୱର୍ଣ୍ଣକଙ୍କଣ, ସ୍ୱର୍ଣ୍ଣପଦକ ଓ ଉତ୍ତରୀୟ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ‘ଶ୍ରୀଭାରତଦର୍ପଣ’ ୧୯୦୯, ଏବଂ ୧୯୧୧ରୁ ୧୯୧୫ ମଧ୍ୟରେ ସାରଳା ମହାଭାରତର ସମାଲୋଚନା ଶିରୋନାମରେ ପ୍ରକାଶିତ ଏବଂ ୧୯୨୮ରେ ସଂକଳିତ। ପରବର୍ତ୍ତୀ କାଳରେ (୧୯୬୪ରେ) ଓଡ଼ିଶା ସାହିତ୍ୟ ଏକାଡେମୀ ମଧ୍ୟ ତାହାର ପୁନର୍ମୁଦ୍ରଣ କରିଛନ୍ତି।
‘ଶ୍ରୀଭାରତଦର୍ପଣ’ରେ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଲେଖିଛନ୍ତି, “ମହାନୁଭବ, ମହାପ୍ରାଜ୍ଞ, ସ୍ମୃତିମାନ୍, ସାରଳା ଦେବୀଙ୍କର ବରପୁତ୍ର ଶ୍ରୀ ସାରଳାଦାସ କବି ଏହି ତ୍ରିଗୁଣାତ୍ମକ (ପ୍ରସାଦ-ଓଜ-ମାଧୁର୍ଯ୍ୟଗୁଣ-ବିଶିଷ୍ଟ) ଉତ୍କଳର ଆଦିମ କବିତାରେ ଯେଉଁ ନିସର୍ଗ ରମଣୀୟତା, ପଦଲାଳିତ୍ୟ, ପଦସଂବିଧାନନୈପୁଣ୍ୟ ପ୍ରଭୃତିର ସନ୍ନିବେଶ କରିଥିଲେ, ସଂପ୍ରତି ସ୍ଥାନେ ସ୍ଥାନେ ତାହାର ଆଭାସ ମାତ୍ର ରହିଅଛି। କବିତାର ଜନ୍ମକାଳୀନ ସେହି ମନୋହର ଛବି ବହୁ ସ୍ଥଳରେ ପ୍ରାୟ ଲୁପ୍ତ ହୋଇଯାଇଅଛି। ଅନେକ ସ୍ଥଳରେ ତଦୀୟ ଆଜନ୍ମସିଦ୍ଧ ରମଣୀୟ ଛବି କଦର୍ଯ୍ୟ ହୋଇପଡ଼ିଅଛି। ସାରଳାଦାସଙ୍କ କବିତାରେ ଆମ୍ଭେମାନେ ବର୍ତ୍ତମାନ ଯେତେ ଯେତେ ଦୋଷ ଦେଖିପାରୁଅଛୁଁ, ସେ ସବୁଯାକ କବିଙ୍କର ନୁହେଁ। କବିଙ୍କ ଲେଖା ଆଧୁନିକ ଦୃଷ୍ଟିରେ ନିର୍ଦ୍ଦୋଷ ନୁହେଁ ସତ୍ୟ, ମାତ୍ର ତତ୍ପରବର୍ତ୍ତୀ ଅଜ୍ଞ ଲେଖକମାନଙ୍କର ଦୋଷଜାଳରେ ବହୁ ପରିମାଣରେ ଦୂଷିତ ହୋଇଯାଇଅଛି। ଅତଏବ ଲୋକର ଦୁଃସ୍ଥାନସ୍ଥିତି ହେତୁରୁ ବହୁ ଦୋଷସଂକୁଳ ହେବାକୁ ହୁଏ। ଏହି ପୁରାଣ ଗ୍ରନ୍ଥଟି ପ୍ରାୟ ପାଞ୍ଚଶତ ବର୍ଷ ପୂର୍ବେ ଲିଖିତ ହୋଇ ତଦବଧି ମର୍କଟ ହସ୍ତରେ ଶାଳଗ୍ରାମ ତୁଲ୍ୟ ବିଶେଷତଃ ଅନଭିଜ୍ଞ ଓ ଅବିଦ୍ୟମାନଙ୍କର ହସ୍ତାମଳକ ପ୍ରାୟ ହୋଇ ଆସିଅଛି।”
“ମର୍କଟ ହସ୍ତରେ ଶାଳଗ୍ରାମ” ପରି, ଆଉ ଗୋଟିଏ ଓଡ଼ିଆ ଲୋକୋକ୍ତି ହେଉଛି, “ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼”। ସାରଳା ମହାଭାରତର ଏହି ଛାପା ସଂସ୍କରଣକୁ ପଣ୍ଡିତ ନନ୍ଦଶର୍ମା ‘ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼’ ବୋଲି ମଧ୍ୟ କହିଛନ୍ତି। ତାଙ୍କ ଭାଷାରେ, “ବହୁକାଳ ପରେ... ପୁରାଣ-ପ୍ରକାଶକ କମ୍ପାନୀ ଗଠିତ ହୋଇ ଏହି ଭାରତଗ୍ରନ୍ଥକୁ ମୁଦ୍ରିତ କରିବା ଚେଷ୍ଟାରେ ଅନେକ ସ୍ଥଳରେ ଭିନ୍ନାକୃତିରେ ପରିଣତ କରି ଦେଇଛନ୍ତି। ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ହେଲା ପରି କେତେକ ସ୍ଥଳ ହୋଇଯାଇଅଛି। ପରିଶୋଧନ ଦ୍ୱାରା ବହୁସ୍ଥଳ କବିଦତ୍ତ ସ୍ୱାଭାବିକ ସୌନ୍ଦର୍ଯ୍ୟରୁ ବଞ୍ଚିତ ହୋଇ ବହୁ ଦୂରରେ ନିକ୍ଷିପ୍ତ ଦୂଷିତ ହୋଇଅଛି।”
ତେବେ, ଏହା କେବଳ ସେ କଥାରେ କହି ନାହାନ୍ତି; “ଏ ସମ୍ବନ୍ଧରେ କେତେକ ପ୍ରତ୍ୟକ୍ଷ ପ୍ରମାଣ ନ ଦେଖାଇଲେ ଅନେକଙ୍କର ବିଶ୍ୱାସ ହେବା ତେଣେ ଥାଉ, ବିରକ୍ତି ଓ ରୋଷ ଜନ୍ମିପାରେ” ବୋଲି କହି, “ପ୍ରମାଣସ୍ୱରୂପ ଅନତିବିସ୍ତୃତ କେତେକ ସ୍ଥଳ ମାତ୍ର” ଉଦ୍ଧୃତ କରିଛନ୍ତି।
ପଣ୍ଡିତ ନନ୍ଦଶର୍ମା ଉଦ୍ଧୃତ କରିଥିବା ସେହି ପ୍ରମାଣଗୁଡ଼ିକ ଯେପରି ଅକାଟ୍ୟ, ବିକୃତି ଦୃଷ୍ଟିରୁ ସେପରି ଅକ୍ଷମଣୀୟ। ‘ଆଦିପର୍ବ’ର କେତୋଟି ଉଦାହରଣ ହେଉଛି- ‘ଗ୍ରାମକେ ସୀମାଏ’ ଛାପାରେ ହୋଇଛି ‘ଗ୍ରାମ କେଶୀମାୟେ’; ସେହିପରି, ‘ରାଜ୍ୟଭ୍ରଷ୍ଟ ହେଲା’ ହୋଇଛି ‘ସତ୍ୟଭ୍ରଷ୍ଟ ହେବା’। ‘ଗଙ୍ଗାନଦୀ କୂଳେ’ ହୋଇଛି ‘ଗୋଦାବରୀ କୂଳେ’। ଏ ଗଙ୍ଗା-ଗୋଦାବରୀ ପ୍ରସଙ୍ଗରେ ପଣ୍ଡିତେ ମନ୍ତବ୍ୟ ଦେଇ କହିଛନ୍ତି, “ଉତ୍ତରକୋଶଳରେ ଗୋଦାବରୀ କାହୁଁ ଆସିବ?”
ସେହି ‘ଆଦିପର୍ବ’ର ଆହୁରି ଗୋଟିଏ ପ୍ରମାଣ ଆହୁରି ବିଭ୍ରାନ୍ତିକର। ତାହାର ଗୋଟିଏ ପୃଷ୍ଠାରେ ଧୃତରାଷ୍ଟ୍ରଙ୍କର ଜନ୍ମରାଶି କୃତ୍ତିକାମେଷ ଲେଖାଥିବା ସ୍ଥଳେ, ଅନ୍ୟ ପୃଷ୍ଠାରେ ଜନ୍ମରାଶି କୃତ୍ତିକାବୃଷ ଲେଖାଅଛି। ଉଦ୍ଧୃତି ଦୁଇଟି ହେଉଛି- “ଅଗସ୍ତି ବୋଇଲେ ତାର କୃତ୍ତିକାମେଷ ରାଶି!” (ପୃ.୪୦); “ଧୃତରାଷ୍ଟ୍ରର ଅଟେ କୃତ୍ତିକାବୃଷ ରାଶି।” (ପୃ.୪୬)
ପଣ୍ଡିତେ ଦେଇଥିବା ଏହିପରି ବହୁ ଉଦାହରଣ ଭିତରୁ ଗୋଟିଏ- ‘ଭୀଷ୍ମପର୍ବ’ର। ସେଥିରେ ପଦଟିଏ ଥିଲା- “କନ୍ୟମାସ ଶୁକ୍ଳପକ୍ଷ ପୌର୍ଣ୍ଣମୀର ଦିନ। / ଲିଆ ନଟିକାଳ ଏକବେଳେ କରଇ ଭୋଜନ।” ଏହାର ପ୍ରଥମ ପାଦ ୧୪ ଅକ୍ଷର ହୋଇଥିବା ବେଳେ, ଦାଣ୍ଡିବୃତ୍ତ ଅନୁସାରେ ଦ୍ୱିତୀୟ ପାଦ ହୋଇଛି ୧୬ ଅକ୍ଷର। କିନ୍ତୁ ପଦଟିକୁ ସମାନ ଅକ୍ଷରର (୧୪ଅକ୍ଷରି) କରିବା ପାଇଁ, ଛାପାରେ କରି ଦିଆଯାଇଛି- “କନ୍ୟମାସ ଶୁକ୍ଳପକ୍ଷ ପୌର୍ଣ୍ଣମୀର ଦିନ। ଲିଆଟିଏ ରାଜା ବସି କରଇ ଭୋଜନ।” ତେଣୁ ସେହି ଉଦାହରଣ ଦେଇ ଗୋପୀନାଥ ନନ୍ଦଶର୍ମା କହିଛନ୍ତି- “ଏପରି ବହୁ ସ୍ଥଳରେ କବିପ୍ରଯୁକ୍ତ ବାକ୍ୟାର୍ଥ-ପ୍ରତିପତ୍ତି ଭିନ୍ନ ଓ ବିକୃତ ହୋଇଥିଲେ ହେଁ ସମାକ୍ଷରତା ନିମନ୍ତେ ପରିବର୍ତ୍ତନକୁ ଆବଶ୍ୟକ ମଣି ଅଛନ୍ତି। ଏହିପରି ବହୁସ୍ଥଳରେ ଯାହା ତାଳପତ୍ର ପୁସ୍ତକରେ ନାହିଁ; ଏପରି କେତେକ ଦୋଷରେ ଛାପାର କେତେକ ଅଂଶ ଦୂଷିତ ହୋଇଯାଇଅଛି। ପ୍ରଥମତଃ ଅନେକ ଅନଭିଜ୍ଞଙ୍କ ଲେଖାରେ କ୍ରମଶଃ ବହୁସ୍ଥଳରେ ଦୋଷଯୁକ୍ତ ହୋଇ ଆସିଲା; ତାହା ପରେ ପୁଣି ଛାପା ହୁଡ଼। ଏହି କାରଣମାନଙ୍କରୁ କବିଙ୍କ ବାକ୍ୟର ମୌଳିକତା ଓ ସ୍ୱାଭାବିକ ବା ଅକୃତ୍ରିମ ରମଣୀୟତା ଅନେକତ୍ର ଆଉ ଦେଖାଯାଉନାହିଁ। ପୁଣି ଅନେକ ସ୍ଥଳରେ ଛାପା ଓ ତାଳପତ୍ର ପୁସ୍ତକର ଲେଖାରେ ବହୁ ପ୍ରଭେଦ ପରିଦୃଶ୍ୟମାନ ହେଉଅଛି।”
ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ ପରି, ସାରଳାଦାସକୃତ ଓଡ଼ିଆ ‘ମହାଭାରତ’ ମଧ୍ୟ ଏକ ମହାକାବ୍ୟ। ‘ମହାଭାରତ’ ଯେ ମହାକାବ୍ୟ, ତାହାର ପ୍ରମାଣ ଅଛି ‘ଖିଳ ହରିବଂଶ’ର ‘ଭବିଷ୍ୟପର୍ବ’ (ଅଧ୍ୟାୟ ୫, ଶ୍ଳୋକ ୫)ରେ। ତେଣୁ ତାହାର ଉଦ୍ଧୃତି ଦେଇ ପଣ୍ଡିତ ନନ୍ଦଶର୍ମା କହିଛନ୍ତି, “ଏତତ୍କ୍ରମେ ଏହି ମହାମହିମ ଗ୍ରନ୍ଥକୁ ଧର୍ମତତ୍ତ୍ୱଜ୍ଞମାନେ ଧର୍ମଶାସ୍ତ୍ର ବୋଲି, ଅଧ୍ୟାତ୍ମଜ୍ଞାନକୋବିଦମାନେ ବେଦାନ୍ତ ବୋଲି, ନୀତିବିଚକ୍ଷଣମାନେ ନୀତିଶାସ୍ତ୍ର ବୋଲି, କବିବୃଷଭମାନେ ମହାକାବ୍ୟ ବୋଲି, ଲାକ୍ଷଣିକମାନେ ସର୍ବଲକ୍ଷଣ ବା ଲକ୍ଷଣଶାସ୍ତ୍ର ବୋଲି, ଐତିହାସିକମାନେ ଇତିହାସ ବୋଲି, ପରମ ପୌରାଣିକମାନେ ପୁରାଣସମୁଚ୍ଚୟ ବୋଲି ମଧ୍ୟ କହନ୍ତି। ଅତଏବ ଏହି ବେଦାର୍ଥୋପବୃଂହକ (ବେଦାର୍ଥର ବିସ୍ତାରକ) ମହାଗ୍ରନ୍ଥରେ ସମଗ୍ର ଧର୍ମ ଓ ନୀତି ପ୍ରଭୃତି ଉକ୍ତ ହୋଇଅଛି।”
ତା’ହେଲେ କ’ଣ ପଣ୍ଡିତେଙ୍କ କହିବା ଅନୁସାରେ, ତାଳପତ୍ର ପୋଥି ସର୍ବଥା ଗ୍ରାହ୍ୟ ଏବଂ ଛାପାପୁସ୍ତକ ସଂପୂର୍ଣ୍ଣ ପରିତ୍ୟାଜ୍ୟ? ଯେଉଁ ପାଠକଙ୍କ ମନରେ ଏ ପ୍ରଶ୍ନ ଉଠୁଥିବ, ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ପଣ୍ଡିତେ ଦେଇଛନ୍ତି। କହିଛନ୍ତି, “ପାଠକେ! ଛାପା ପୁସ୍ତକମାନଙ୍କରେ ପୁସ୍ତକ ମୁଦ୍ରଣକାଳୀନ ପରିଶୋଧନ ପ୍ରଣାଳୀ ଦ୍ୱାରା କବିଙ୍କର ପଦସଂଘଟନାକ୍ରମ ପ୍ରଭୃତି ବହୁସ୍ଥଳରେ ଲୁପ୍ତ ଓ ଅଯଥାଯଥ ହୋଇଅଛି ସତ୍ୟ, ତଥାପି ଅନେକ ସ୍ଥଳରେ ତାଳପତ୍ର ପୁସ୍ତକ ପାଠ ସମୟରେ, ଛାପାପୁସ୍ତକ ଉପକାରଜନକ ମଧ୍ୟ ହେଉଅଛି। କାରଣ, ତାଳପତ୍ର ପୁସ୍ତକର କେତେକ ସ୍ଥଳ ଅଜ୍ଞଲୋକଙ୍କ ଲେଖାରେ ଏପରି ବିକୃତ ଓ ଅର୍ଥଶୂନ୍ୟ ହୋଇପଡ଼ିଅଛି ଯେ ସେ ସ୍ଥଳମାନଙ୍କରେ ଛାପାପୁସ୍ତକ ବିନା ଅର୍ଥାବଗତି ସମ୍ଭବି ପାରେ ନାହିଁ। ... ଅତଏବ ତାଳପତ୍ର ଏବଂ ଛାପା ପୁସ୍ତକମାନ ଦେଖି, ପ୍ରମାଣବାକ୍ୟମାନ ତାଳପତ୍ର ପୁସ୍ତକରୁ ଉଦ୍ଧୃତ କରିବାକୁ ହେବ। ଯେଉଁ ସ୍ଥଳମାନଙ୍କରେ ପ୍ରମାଣବାକ୍ୟ ଛାପା ଓ ତାଳପତ୍ରରେ ସମାନ ଦେଖାଯାଏ, ସେପରି କେତେକ ସ୍ଥଳରେ ଛାପା ପୁସ୍ତକରୁ ମଧ୍ୟ ପୃଷ୍ଠାଙ୍କ ସହ ବାକ୍ୟ ଉଲ୍ଲେଖ କରାଯାଇପାରେ।”
ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ପରି, ଆଉ ଜଣେ ପଣ୍ଡିତ ମଧ୍ୟ ସାରଳା ଦାସଙ୍କ ମହାଭାରତର ଆଲୋଚନା କରିଛନ୍ତି। ସେ ହେଉଛନ୍ତି ପଣ୍ଡିତ ମୃତ୍ୟୁଞ୍ଜୟ ରଥ। ସେ ସଂସ୍କୃତ କାବ୍ୟତୀର୍ଥ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଜଣେ ସୁଖ୍ୟାତ ସାହିତ୍ୟ ଶିକ୍ଷକ ଥିଲେ। ଉଚ୍ଚ ବିଦ୍ୟାଳୟରେ ପ୍ରବନ୍ଧ ପାଠ୍ୟପୁସ୍ତକର ଅଭାବ ଲକ୍ଷ୍ୟ କରି, ସେ ବିଭିନ୍ନ ବିଷୟରେ ପ୍ରବନ୍ଧ ରଚନା କରିଥିଲେ। ତାଙ୍କର ଏକ ଲେଖକୀୟ ବିଶେଷତ୍ୱ ହେଉଛି, ଓଡ଼ିଶାର କୃତୀପୁରୁଷ, ସାହିତ୍ୟସ୍ରଷ୍ଟା ଓ ସମାଜସେବୀମାନଙ୍କ ଜୀବନୀ ପ୍ରଣୟନ ଓ କୃତିତ୍ୱର ଆଲୋଚନା। ଏହିକ୍ରମରେ ସେ ରଚନା କରିଥିଲେ ‘ଶାରଳା ଚରିତ’ (୧୯୧୨)। ତାହା ଥିଲା, କବି ସାରଳାଦାସଙ୍କର ବିଧିବଦ୍ଧ ଓ କ୍ଷେତ୍ର-ଅଧ୍ୟୟନ ଆଧାରିତ ଜୀବନୀ। ସାରଳା ମହାଭାରତ ପ୍ରସଙ୍ଗରେ ସମକାଳରେ ସେ ‘ମହାଭାରତ’ ଶୀର୍ଷକ ଏକ ପ୍ରବନ୍ଧରେ ଲେଖିଛନ୍ତି, “ଭକ୍ତକବି ଜଗନ୍ନାଥଙ୍କ ଶ୍ରୀମଦ୍ଭାଗବତ ଯେପରି ଉତ୍କଳର ଘରେ ଘରେ ପରିଚିତ ଏବଂ ସର୍ବଜନାଦୃତ, ଆଦିକବି ସାରଳାଦାସଙ୍କ ବିରାଟ ମହାଭାରତ ମଧ୍ୟ ସେହିପରି ଗ୍ରାମେଗ୍ରାମେ ପରିଚିତ ଏବଂ ସୁଗୃହୀତ। ବିଗତ ପଞ୍ଚଶତାବ୍ଦୀ ମଧ୍ୟରେ କେବଳ ତାଳପତ୍ର ଛଡ଼ା ସର୍ବତ୍ର ଗ୍ରନ୍ଥ ପ୍ରଚାରର ତାଦୃଶ ସୁବିଧା ନ ଥିଲେ ହେଁ ଏହା ଉତ୍କଳର ସର୍ବ ଅଞ୍ଚଳରେ ପରିବ୍ୟାପ୍ତ ହୋଇଅଛି। ... ବର୍ତ୍ତମାନ ପୁରାଣ-ପ୍ରକାଶିକା କୋମ୍ପାନୀଙ୍କ ପ୍ରସାଦରୁ ଏହି ମହାଭାରତର ଅଷ୍ଟାଦଶ ପର୍ବ ମୁଦ୍ରିତ ହୋଇ ପାଠକସାଧାରଣଙ୍କର ଅନାୟାସଲଭ୍ୟ ହୋଇଅଛି। ଆଜିକୁ ପ୍ରାୟ ଦଶବର୍ଷ ହେଲା ଉକ୍ତ ପ୍ରକାଶକମଣ୍ଡଳୀ ମହାଭାରତର ମୁଦ୍ରଣ ଆରମ୍ଭ କରି ପର୍ବଶଃ ସମଗ୍ର ପ୍ରକାଶ କଲେ। ଏଥିପାଇଁ ସେମାନେ ଉତ୍କଳର ପାଠକସାଧାରଣଙ୍କର ଅବଶ୍ୟ ପ୍ରଶଂସାଭାଜନ; ତଥାପି ଆମ୍ଭେମାନେ ଏ ପ୍ରଶଂସାରେ ସଂପୂର୍ଣ୍ଣ ମୁକ୍ତକଣ୍ଠ ନହୋଇ କିଞ୍ଚିତ୍ କୁଣ୍ଠ-କଣ୍ଠ ହେଉଅଛୁଁ। ପ୍ରକାଶକଗଣ ସର୍ବପ୍ରଥମେ ଖଣ୍ଡିଏ ପ୍ରାଚୀନ ବିରାଟଗ୍ରନ୍ଥ ପ୍ରକାଶ କଲେ, ଏହା ଅବଶ୍ୟ ଅତି ଆନନ୍ଦର କଥା; କିନ୍ତୁ ସେଥିରେ ଥିବା ଦୋଷ ବା ଅଶୁଦ୍ଧିର ନିରାକରଣ ପ୍ରତି ତୀକ୍ଷ୍ଣ ଦୃଷ୍ଟି ନରଖି ତାହାକୁ ଭ୍ରମପ୍ରମାଦସଙ୍କୁଳ ଏବଂ ସ୍ଥାନେ ସ୍ଥାନେ ପରିବର୍ତ୍ତନାଦି ଦ୍ୱାରା ବିକୃତ କରିଅଛନ୍ତି, ଏହା ଅତୀବ ଆକ୍ଷେପର ବିଷୟ। କୋମ୍ପାନୀଙ୍କର ଏ ତ୍ରୁଟି ଉପେକ୍ଷଣୀୟ ନୁହେଁ। ସେ ଯାହାହେଉ, ବର୍ତ୍ତମାନ ଆମ୍ଭେମାନେ, ଏହି ନବପ୍ରକାଶିତ ମହାଭାରତର ଆଲୋଚନା କରିବା ପୂର୍ବରୁ, ବିଜ୍ଞ ପାଠକସାଧାରଣଙ୍କ ନିକଟରେ ଏହି ନିବେଦନ କରୁଅଛୁଁ ଯେ ସେମାନେ କବିଙ୍କ ପ୍ରତି ଲକ୍ଷ୍ୟ ନରଖି ବିଷୟ ପ୍ରତି କେବଳ ତୀକ୍ଷ୍ଣ ଦୃଷ୍ଟି ରଖିବେ। ବକ୍ଷ୍ୟମାଣ କଥାମାନ କବିଙ୍କର ନିନ୍ଦା ବା ସ୍ତୁତିବାଦ ନୁହେ କିମ୍ବା ପୂଜନୀୟ ପ୍ରାଚୀନ କବିଙ୍କ ପ୍ରତି ଆକ୍ରମଣ ନୁହେ। ଯାହା ସତ୍ୟ ବା ଯଥାର୍ଥ, କେବଳ ତାହା ଏଥିରେ ଯଥାଶକ୍ତି ପ୍ରକାଶ କରାଯାଉଅଛି। ତଦ୍ଦ୍ୱାରା ଯଦି କେଉଁଠି କବିଙ୍କର ଯଶୋହାନି ହୁଏ, ତେବେ ତାହା ସତ୍ୟ ଅନୁରୋଧରେ ସହିବାକୁ ହେବ।”
ଏହି ପ୍ରସଙ୍ଗରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ, ବ୍ୟାସଦେବକୃତ ସଂସ୍କୃତ ମହାଭାରତ ପରିପ୍ରେକ୍ଷୀରେ, କବି କୃଷ୍ଣ ସିଂହଙ୍କ ‘ମହାଭାରତ’ ସମେତ ସାରଳା ଦାସଙ୍କ ‘ମହାଭାରତ’ର ଦୀର୍ଘ ଆଲୋଚନା କରିଛନ୍ତି। ପରିଶେଷରେ ଉପସଂହାରରେ କହିଛନ୍ତି, “ଶାରଳାଦାସୀୟ ମହାଭାରତ ପ୍ରାଚୀନ ଉତ୍କଳ ସାହିତ୍ୟର ବିପୁଳ ସଂପଦ। ଏଥିରେ ମହାଭାରତୀୟ ମହାବିଷୟ ବ୍ୟତୀତ, ଉତ୍କଳର କେତେକ ମୌଳିକ ଚିତ୍ର ସଂଯୋଜିତ ଅଛି। ସେଗୁଡ଼ିକୁ ଅବଲମ୍ବନ କରି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପୁସ୍ତକ ପ୍ରଣୟନ କରାଯାଇପାରେ। ଆଧୁନିକ ସାହିତ୍ୟସେବୀମାନଙ୍କର ଉପଜୀବ୍ୟ ବିଷୟ ମଧ୍ୟ ଏଥିରେ ଅପ୍ରଚୁର ନୁହେଁ। ଅତଏବ ଆଧୁନିକ ଶିକ୍ଷିତ ସମାଜକୁ ଏହା ଅନୁରୋଧ କରିବା ଅସଙ୍ଗତ ହେବନାହିଁ, ଯେଉଁମାନେ ଆଦିକବି ଶାରଳାଦାସଙ୍କର ସମାଦର କରନ୍ତି, ସେମାନେ କବିଙ୍କର ଏହି ମହାଗ୍ରନ୍ଥ ଆମୂଳ ପାଠ କରି ତନ୍ମଧ୍ୟରୁ ଉତ୍କୃଷ୍ଟ ଅଂଶମାନ ଗ୍ରହଣପୂର୍ବକ ଆଧୁନିକ ରୁଚିସମ୍ମତ ଗ୍ରନ୍ଥମାନ ପ୍ରଣୟନ କରନ୍ତୁ। ପକ୍ଷାନ୍ତରେ, ଯେଉଁମାନେ ଅନାଦର କରନ୍ତି, ସେମାନେ ମଧ୍ୟ ମାର୍ଜିତ ରୁଚିର ପୁସ୍ତକ ପ୍ରଣୟନ ଦ୍ୱାରା ଏଥିର ଅପକର୍ଷ ପ୍ରଦର୍ଶନ କରି ଆତ୍ମତର୍ପଣ ସଂପାଦନା କରନ୍ତୁ। ଭଗବାନଙ୍କ କୃପାରୁ ଆମ୍ଭମାନଙ୍କର ଏହି କାମନା ପୂର୍ଣ୍ଣତା ଲାଭ କରୁ।”
କିନ୍ତୁ ପଂଡିତ ନୀଳକଂଠଙ୍କଠାରୁ ଆରମ୍ଭ କରି, ଗୋପୀନାଥ ମହାନ୍ତି, ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ପର୍ଯ୍ୟନ୍ତ, ସମସ୍ତେ ସାରଳାଦାସଙ୍କ ମହାଭାରତର ଛାପାବହିର ଅନେକ ବିକୃତି ଓ ଅପକର୍ଷ ଦର୍ଶାଇଥିବା ବେଳେ, ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କର ଏ ଆଶା କିପରି ବା ପୂରଣ ହେବା ସମ୍ଭବ? ସେଥିପାଇଁ ହିଁ ସେଦିନ ପ୍ରୟୋଜନ ପଡ଼ିଥିଲା ସାରଳା ମହାଭାରତର ଏକ ‘ଶୁଦ୍ଧ ସଂସ୍କରଣ’ର। କିନ୍ତୁ ତାହାର ‘ଶୁଦ୍ଧତା’ ନେଇ ବି ଉଠିଲା ପ୍ରଶ୍ନ ଓ ସଂଶୟ। ତେବେ, ସାହିତ୍ୟର ଆବଶ୍ୟକତା ଓ ହିତ ଦୃଷ୍ଟିରୁ ଏପରି ପ୍ରଶ୍ନ ଓ ସଂଶୟ ସବୁବେଳେ ଶ୍ଳାଘ୍ୟ। ସେଇଥିପାଇଁ ହିଁ ଆଜି ଆଉ ଏକ ‘ପାଠ-ଆଲୋଚନା-ଆଧାରିତ’ ସଂସ୍କରଣ ବା ‘କ୍ରିଟିକାଲ ଏଡିସନ’ର ପ୍ରସ୍ତୁତି ଆବଶ୍ୟକ ହୋଇଛି।
ମୋ: ୯୪୩୭୦ ୩୪୮୦୪