ଭାରତବର୍ଷର ଇତିହାସରେ ଏକ ସ୍ୱର୍ଣ୍ଣିମ ଦିବସ ହୋଇ ରହିବ ୨୦୨୨ ସେପ୍ଟେମ୍ବର ୮ ତାରିଖ। ଏ ଜାତିର ବରପୁତ୍ର, ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ, କୋଟି କୋଟି ଭାରତୀୟଙ୍କର ପ୍ରେରଣାର ଉତ୍ସ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚତାର ବିଶାଳ ପ୍ରତିମୂର୍ତ୍ତିକୁ ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ବିରାଟ ଜନସମାବେଶରେ ‘ଭାରତମାତା କୀ ଜୟ’, ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୀ ଜୟ’ ଧ୍ୱନିରେ ଗଗନ, ପବନ ପ୍ରକମ୍ପିତ ହୋଇଉଠିଲା। ‘ରାଜ ପଥର’ ନାମ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’ ରଖି ପ୍ରଧାନମନ୍ତ୍ରୀ ତାଙ୍କର ଉନ୍ମାଦନାକାରୀ ଭାଷଣରେ କହିଲେ ଭାରତରୁ ଆଜି ଗୋଲାମିର ଏକ ଚିହ୍ନ ହଟିଗଲା, ସଗର୍ବେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା ପତାକା। ଦେଶ ପାଇଁ ଏ ହେଉଛି ଏକ ଐତିହାସିକ ମୁହୂର୍ତ୍ତ। ଏ ମହାନ ଦିବସକୁ ସମଗ୍ର ଦେଶବାସୀ ଗର୍ବ ଓ ଗଭୀର ଆନନ୍ଦ ଉଚ୍ଛ୍ୱାସର ସହ ଉପଭୋଗ କରିଛନ୍ତି।
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ମିଳିଥିବା ନୂତନ ପ୍ରେରଣାର ଅବତାରଣା କରି ଯଥାର୍ଥରେ କହିଛନ୍ତି ଯେ ଆମେ ବିତାଇ ସାରିଥିବା ଗଲାକାଲିକୁ ଛାଡ଼ି ଆସନ୍ତାକାଲିର ଛବି ଉପରେ ନୂଆ ରଙ୍ଗ ଭରି ଚତୁର୍ଦ୍ଦିଗରେ ଯେଉଁ ନୂତନତ୍ୱର ଔଜ୍ଜଲ୍ୟ ପ୍ରଦର୍ଶନ କରିଛେ ତାହା ହେଉଛି ନୂଆ ଭାରତର ଆତ୍ମବିଶ୍ୱାସର ଔଜ୍ଜଲ୍ୟତା। ଗୋଲାମିର ପ୍ରତୀକ ‘କିଙ୍ଗ ୱେ ବା ରାଜପଥ’ ଆଜିଠାରୁ ଇତିହାସ ହୋଇଗଲା ଓ ସବୁଦିନ ପାଇଁ ଜନସ୍ମୃତିରୁ ଲିଭିଗଲା। ଆଜି ‘କର୍ତ୍ତବ୍ୟ ପଥ’ ଭାବରେ ନୂଆ ଇତିହାସର ରଚନା ହେଲା। ସ୍ବାଧୀନତାର ଏହି ଅମୃତ କାଳରେ ସମଗ୍ର ଦେଶବାସୀଙ୍କୁ ଗୋଲାମିର ଆଉ ଏକ ପରିଚୟ ଠାରୁ ମୁକ୍ତି ପାଇବାର ଅବସରରେ ଅଶେଷ ଧନ୍ୟବାଦ ଜଣାଇ ଦେଶବାସୀଙ୍କ ମନ ଜିଣିନେଇଛନ୍ତି ପ୍ରଧାନମନ୍ତ୍ରୀ।
ଇଣ୍ଡିଆ ଗେଟ୍ରେ ଏ ଜାତିର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନା କରି ପ୍ରଧାନମନ୍ତ୍ରୀ ଗୋଲମିର ଭାବନାକୁ ଚିରଦିନ ପାଇଁ ଦୂର କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଆଜିପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍ରେ ରହିଥିବା ବ୍ରିଟିସ୍ ରାଜତନ୍ତ୍ରର ପ୍ରତିନିଧିଙ୍କ ପ୍ରତିମୂର୍ତ୍ତି ସ୍ଥାନରେ ନେତାଜୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ଆଧୁନିକ ଏବଂ ସଶକ୍ତ ଭାରତର ପ୍ରାଣପ୍ରତିଷ୍ଠା କରଯାଇଛି। ପ୍ରକୃତପକ୍ଷେ ଏହି ଦିନଟି ଥିଲା ଐତିହାସିକ ଓ ଅଦ୍ଭୂତପୂର୍ବ। ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆମେ ସମସ୍ତେ ଏହି ଦିନଟିକୁ ଦେଖିଲେ ଏବଂ ଏହାର ସାକ୍ଷୀ ମଧ୍ୟ ହେଲେ।
ନେତାଜୀଙ୍କ ମହାନତା ଓ ତାଙ୍କର ଦେଶପ୍ରେମକୁ ମନେପକାଇ ପ୍ରଧାନମନ୍ତ୍ରୀ ଭାବବିହ୍ୱଳ କଣ୍ଠରେ କହିଥିଲେ, ସୁଭାଷ ଚନ୍ଦ୍ର ବୋଷ ଏପରି ଜଣେ ମହାନ ଜନନାୟକ ଥିଲେ ଯିଏକି ପଦପଦବି ଓ ସମ୍ବଳର ଆହ୍ୱାନ ଠାରୁ ଦୂରରେ ଥିଲେ। ତାଙ୍କର ଗ୍ରହଣୀୟତା ଏପରି ଥିଲା ଯେ ସମଗ୍ର ବିଶ୍ୱ ତାଙ୍କୁ ନେତା ଭାବରେ ମାନିନେଇଥିଲା। ତାଙ୍କ ପାଖରେ ସାହାସ ଥିଲା, ସ୍ୱାଭିମାନ ଥିଲା। ତାଙ୍କ ପାଖରେ ବିଚାର ଥିଲା, ଦୂରଦୃଷ୍ଟି ଥିଲା। ଥିଲା ନୀତି ଏବଂ ନେତୃତ୍ୱର କ୍ଷମତା। ଏହି ଅବସରରେ ସେ ନେତାଜୀଙ୍କର ଏକ ଉକ୍ତିକୁ ଉଦ୍ଧାର କରି କହିଲେ, “ଭାରତ ଏଭଳି ଦେଶ ନୁହେଁ ଯାହାର ଗୌରବ ଓ ଗରିମାମୟ ଇତିହାସକୁ ଭୁଲିଯାଇହେବ।” ନେତାଜୀ ଭାରତର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ପାଇଁ ଗର୍ବ ଅନୁଭବ କରୁଥିଲେ ଏବଂ ଭାରତକୁ ଖୁବ୍ ଶୀଘ୍ର ଆଧୁନିକ ଭାରତରେ ପରିଣତ କରିବାକୁ ଚାହୁଁଥିଲେ। ସ୍ୱାଧୀନତା ପ୍ରାପ୍ତି ପରେ ଯଦି ଭାରତ ନେତାଜୀଙ୍କ ଚିନ୍ତାଧାରାରେ ପରିଚାଳିତ ହୋଇଥାନ୍ତା ତେବେ ଦେଶ ଆଜି ଆହୁରି କେତେ ଉଚ୍ଚରେ ଥାଆନ୍ତା। କିନ୍ତୁ ଆମର ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପରେ ଆମର ଏହି ମହାନାୟକଙ୍କୁ ଭୁଲାଇ ଦେବାକୁ ଚେଷ୍ଟା କରାଗଲା। ତାଙ୍କର ବିଚାରକୁ ଏବଂ ତାଙ୍କ ସହିତ ଜଡ଼ିତ ପ୍ରତ୍ୟେକ ପ୍ରତୀକଗୁଡ଼ିକୁ ମଧ୍ୟ ଅଣାଦେଖା କରାଗଲା। କିନ୍ତୁ ଆଜି ପ୍ରୟାସ କରାଯାଉଛି ଯେ ନେତାଜୀଙ୍କ ଆଦର୍ଶ କିପରି ଦେଶର ପଥପ୍ରଦର୍ଶକ ହେବ। କର୍ତ୍ତବ୍ୟପଥ ଠାରେ ନେତାଜୀଙ୍କର ପ୍ରତିମା ଏହାର ମାଧ୍ୟମ ହେବ। ଦେଶର ନୀତି ଏବଂ ନିଷ୍ପତ୍ତିରେ ତାଙ୍କର ଛାପ ରହିବା ପାଇଁ ଏହି ପ୍ରତିମା ପ୍ରେରଣାର ଉତ୍ସ ପାଲଟିବ। ତାଙ୍କ ପ୍ରତି ହୋଇଥିବା ଅବଜ୍ଞା ଓ ଅବହେଳାକୁ ଅବଗତ କରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ ଜାତିର ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ପ୍ରତ୍ୟେକ ବୀର ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ଦେବାର ସମୟ ଏବେ ଉପନୀତ।
ଗତ ଆଠ ବର୍ଷରେ ଦେଶରେ ଗୋଟିକ ପରେ ଗୋଟିଏ ଯେତେ ସବୁ ନିଷ୍ପତ୍ତି ନିଆଯାଇଛି ସବୁଥିରେ ଯେ ନେତାଜୀଙ୍କର ଆଦର୍ଶ ଓ ସ୍ୱପ୍ନର ଚିହ୍ନ ରହିଛି ତାହା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ନେତାଜୀ ସୁଭାଷ ଅଖଣ୍ଡ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯିଏକି ୧୯୪୭ ମସିହା ପୂର୍ବରୁ ଆଣ୍ଡାମାନକୁ ସ୍ୱାଧୀନ କରି ସେଠାରେ ତ୍ରିରଙ୍ଗା ଉଡ଼ାଇଥିଲେ। ସେହି ସମୟରେ ସେ ଅନୁଭବ କରିଥିବେ ଯେ ଲାଲକିଲା ଠାରେ ତ୍ରିରଙ୍ଗା ଉଡ଼ାଇବାର ଅନୁଭବ କେଉଁଭଳି ହେବ। ସେହି ଅନୁଭୂତିକୁ ପ୍ରଧାନମନ୍ତ୍ରୀ ନିଜେ ଅନୁଭବ କରିଛନ୍ତି ଯେତେବେଳେ ଆଜାଦ ହିନ୍ଦ୍ ସରକାରର ୭୫ ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଲାଲ୍କିଲା ଠାରେ ତ୍ରିରଙ୍ଗା ଉଡ଼ାଇବାର ସୌଭାଗ୍ୟ ମିଳିଥିଲା। ସରକାରଙ୍କ ପ୍ରଚେଷ୍ଟାରେ ଲାଲକିଲା ଠାରେ ନେତାଜୀ ଓ ଆଜାଦ ହିନ୍ଦ୍ ଫୌଜ ସହିତ ଜଡ଼ିତ ସାମଗ୍ରୀର ସଂଗ୍ରହାଳୟ ପ୍ରତିଷ୍ଠା କରି ନେତାଜୀଙ୍କ ଅମର ସ୍ମୃତିକୁ ଉଜ୍ଜୀବିତ କରାଯାଇଛି।
ଆଣ୍ଡାମାନ ଦ୍ବୀପପୁଞ୍ଜ, ଯାହାକୁ ନେତାଜୀ ପ୍ରଥମେ ସ୍ୱାଧୀନତା ଦେଇଥିଲେ, ତାହା ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଗୋଲାମିର ଚିହ୍ନଗୁଡ଼ିକୁ ଧାରଣ କରିବା ପାଇଁ ବାଧ୍ୟ ହୋଇଥିଲା। ସ୍ୱାଧୀନତ୍ତୋର ଭାରତରେ ମଧ୍ୟ ସେହି ଦ୍ୱୀପର ନାମ ଇଂରେଜ ଶାସକଙ୍କ ନାମ ଅନୁସାରେ ଥିଲା। ଗୋଲାମିର ଏହି ଚିହ୍ନକୁ ହଟେଇ, ସେଇ ଦ୍ୱୀପରେ ସୁଭାଷଙ୍କ ନାମକୁ ଯୋଡ଼ି ଭାରତୀୟ ନାମ ଦେବା ଓ ତାକୁ ଭାରତର ପରିଚୟ ଦେବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।
ବର୍ତ୍ତମାନ ଭାରତ ପାଖରେ ନିଜସ୍ବ ଆଦର୍ଶ ଅଛିି। ଅଛି ନିଜର ସଂକଳ୍ପ ଓ ଲକ୍ଷ୍ୟ। ଆମ ପାଖରେ ଆମର ରାସ୍ତା ଅଛି, ଆମର ପ୍ରତୀକ ବି ଅଛି। ଆଜି ଯଦି ରାଜ ପଥର ଅସ୍ତିତ୍ୱ ଶେଷହୋଇ କର୍ତ୍ତବ୍ୟ ପଥ ହୋଇଅଛି, ଆଜି ଯଦି ଇଣ୍ଡିଆ ଗେଟ୍ରେ ଜର୍ଜ ପଞ୍ଚମଙ୍କର ପ୍ରତିମାକୁ ହଟେଇ ନେତାଜୀ ସୁଭାଷ ବୋଷଙ୍କର ପ୍ରତିମା ପ୍ରତିଷ୍ଠିତ ହୋଇଛି, ଏହା କ’ଣ ଗୋଲାମିର ମାନସିକତାକୁ ପରିତ୍ୟାଗ କରିବାର ପ୍ରକୃଷ୍ଟ ଉଦାହରଣ ନୁହେଁ ବୋଲି ଉଦାତ୍ତ କଣ୍ଠରେ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରକୃତରେ ଏହା ଆରମ୍ଭ ନୁହେଁ କି ଶେଷ ନୁହେଁ। ଏହା ମନ ଓ ମାନସିକତାରେ ସ୍ୱାଧୀନତା ପାଇବାର ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ନିତ୍ୟନୈମିତ୍ତିକ ସଂକଳ୍ପର ଯାତ୍ରା। ଦେଶର ପ୍ରଧାନମନ୍ତ୍ରୀ ଯେଉଁଠାରେ ରହିଆସୁଛନ୍ତି ସେହି ସ୍ଥାନର ନାମ ରେସ୍ କୋର୍ସ ରୋଡ୍ ପରିବର୍ତ୍ତେ ଲୋକକଲ୍ୟାଣ ମାର୍ଗ ହୋଇସାରିଛି। ଆମର ଗଣତନ୍ତ୍ର ଦିବସ ସମାରୋହମାନଙ୍କରେ ଭାରତୀୟ ବାଦ୍ୟଯନ୍ତ୍ରର ଧ୍ୱନି ଶୁଣିବାକୁ ମିଳୁଛି। ଏବେ ବିଟିଙ୍ଗ ରିଟ୍ରିଟ ସେରିମୋନିରେ ପ୍ରତ୍ୟେକ ଭାରତୀୟ ଦେଶଭକ୍ତିର ସୁନ୍ଦର ସଂଗୀତ ଶୁଣି ଆନନ୍ଦରେ ଉଲ୍ଲସିତ ହେଉଛନ୍ତି। ଏହି ଅବସରରେ ଭାରତୀୟ ନୌସେନା ଗୋଲାମି ଚିହ୍ନସବୁ କାଢ଼ିପକାଇ ଛତ୍ରପତି ଶିବାଜୀ ମହାରାଜଙ୍କର ପ୍ରତୀକକୁ ଧାରଣ କରିଛି। ନ୍ୟାସ୍ନାଲ ୱାର ମେମୋରିଆଲ୍ ଗଠନ କରି ସମସ୍ତ ଦେଶବାସୀଙ୍କର ବର୍ଷ ବର୍ଷର ଇଚ୍ଛା ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏହିସବୁ କାର୍ଯ୍ୟରୁ ମନେହୁଏ ସତେ ଯେମିତି ଭାରତମାତା ପରିଧାନ କରିଥିବା ଗୋଲାମିର ବସ୍ତ୍ରକୁ ଫିଙ୍ଗିଦେଇ ପୂର୍ଣ୍ଣ ସ୍ୱାଧୀନତାର ବସ୍ତ୍ର ଧାରଣ କରି ବିକାଶର ପଥରେ ଆଗେଇ ଚାଲିଛନ୍ତି।
ଯେଉଁ ଶ୍ରମିକଭାଇମାନେ ତାଙ୍କର ଶ୍ରମଦାନ କରି କର୍ତ୍ତବ୍ୟ ପଥକୁ ନିର୍ମାଣ କରି ଏ ଦେଶର ଅଦ୍ଭୁତପୂର୍ବ ପ୍ରଗତି ଓ ବିକାଶ କରିଛନ୍ତି ସେହି ଶ୍ରମିକ ଭାଇଭଉଣୀଙ୍କୁ ପ୍ରଧାନମନ୍ତ୍ରୀ ସପରିବାର ଆସନ୍ତା ୨୬ ଜାନୁଆରିରେ ବିଶେଷ ଅତିଥି ଭାବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରି ଏ ଦେଶର ଶ୍ରମିକମାନଙ୍କ ଛାତିକୁ ସ୍ଫୀତ କରିଦେଇଛନ୍ତି। ଆଜିର ନୂଆ ଭାରତରେ ଶ୍ରମ ଓ ଶ୍ରମିକମାନଙ୍କ ପାଇଁ ଯେପରି ଏକ ସମ୍ମାନର ସଂସ୍କୃତି ତିଆରି ହେଉଅଛି, ଏକ ପରମ୍ପରା ପୁନର୍ଜୀବିତ ହେଉଛି ଏଥିପାଇଁ ପ୍ରଧାନମନ୍ତ୍ରୀ ଆତ୍ମସନ୍ତୋଷ ଲାଭ କରୁଥିବା ସେ ପ୍ରକାଶ କରିଛନ୍ତି। ଦେଶ ଆଜି ତାହାର ଶ୍ରମଶକ୍ତି ପାଇଁ ଗର୍ବିତ ଅନୁଭବ କରୁଥିବା କଥାକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରି ଶ୍ରମ ଓ ଶ୍ରମିକର ଜୟଗାନ କରିବାକୁ କୁଣ୍ଠାବୋଧ କରିନାହାନ୍ତି। ‘ଶ୍ରମର ଜୟ ହେଉ’ ଆଜି ଦେଶର ମନ୍ତ୍ର ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ପରିପ୍ରକାଶ କରି ଶ୍ରମିକଙ୍କ ମଥାକୁ ଉଚ୍ଚା କରିଛନ୍ତି।
ପ୍ରଧାନମନ୍ତ୍ରୀ ଭାରତବର୍ଷର ରାଜ ପଥର ପରିସମାପ୍ତି କରି କର୍ତ୍ତବ୍ୟ ପଥରେ ଚାଲିବାର ସ୍ୱାଭିମାନ ସୃଷ୍ଟି କରି କହିଛନ୍ତି ଯେ କର୍ତ୍ତବ୍ୟ ପଥ କେବଳ ଇଟା ପଥରରେ ପ୍ରସ୍ତୁତି ମାର୍ଗ ନୁହେଁ; ଏହା ଭାରତର ଗଣତାନ୍ତ୍ରିକ ଅତୀତ ଏବଂ ସର୍ବକାଳୀନ ଆଦର୍ଶର ଜୀବନ୍ତ ମାର୍ଗ। ଆଜି ଏହାର ସ୍ଥାପତ୍ୟ ବଦଳିଛି ଏବଂ ଏହାର ଆତ୍ମା ମଧ୍ୟ ବଦଳିଛି। ଯେତେବେଳେ ଏହି କର୍ତ୍ତବ୍ୟ ପଥରେ ଦେଶର ସାଂସଦ, ମନ୍ତ୍ରୀ, ଅଧିକାରୀମାନେ ଯିବେ ସେମାନେ ଏହି କର୍ତ୍ତବ୍ୟ ପଥରେ ଦେଶ ପ୍ରତି ତାଙ୍କର କର୍ତ୍ତବ୍ୟବୋଧକୁ ଅନୁଭବ କରିବେ। ଏଥିପାଇଁ ତାଙ୍କୁ ନୂତନ ଶକ୍ତି ମିଳିବ, ପ୍ରେରଣା ମିଳିବ। ନେସ୍ନାଲ୍ ୱାର ମେମୋରିଆଲ ଠାରୁ ଆରମ୍ଭ କରି କର୍ତ୍ତବ୍ୟ ପଥ ଦେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପୂରା କ୍ଷେତ୍ର ମଧ୍ୟରେ ଚାଲିଗଲା ବେଳେ ‘ଜାତି ପ୍ରଥମ (ନେସନ୍ ଫାଷ୍ଟ), ରାଷ୍ଟ୍ର ହିଁ ପ୍ରଥମର ଭାବନା ପ୍ରତି କ୍ଷଣରେ ପ୍ରତ୍ୟେକ ଭାରତୀୟଙ୍କର ମନଭିତରେ ଗୁଞ୍ଜରିତ ହେବ। ମନେହୁଏ ଦେଶ ଆଜି ପ୍ରକୃତପକ୍ଷେ ଗର୍ବିତ ଅନୁଭବ କରୁଛି। ତେଣୁ ଭାରତବାସୀ ତାଙ୍କର କର୍ତ୍ତବ୍ୟ ପଥରେ ଦଣ୍ଡାୟମାନ ହୋଇ ନେତାଜୀଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି, ଯାହାକି ଆଜି ସମ୍ଭବ ହୋଇପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ।
ନେତାଜୀ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଅସ୍ଥାୟୀ ଭାବରେ ଆଜାଦ ହିନ୍ଦ୍ ସରକାର ଗଠନ କରିଥିବା ଘୋଷଣା କଲେ ଏବଂ ସିଙ୍ଗାପୁର ଏହାର ଅସ୍ଥାୟୀ ମୁଖ୍ୟାଳୟ ହେଲା। ସେଠାରେ ନେତାଜୀ ତାଙ୍କର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଭାରତର ସ୍ୱାଧୀନତା ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଥିଲେ। ନେତାଜୀଙ୍କର ସର୍ବୋଚ୍ଚ ଆଦେଶ ଅନୁସାରେ ଆଜାଦ ହିନ୍ଦ୍ ଫୌଜ କାର୍ଯ୍ୟ ଆରମ୍ଭ କରିଥିଲା। ତାଙ୍କର ଆଜାଦ ହିନ୍ଦ୍ ସରକାରକୁ ଜାପାନ, ଜର୍ମାନୀ ଓ ଇଟାଲୀ ସମେତ ବିଶ୍ୱର ୬ଟି ଦେଶ ସ୍ୱୀକୃତି ପ୍ରଦାନ କରିଥିଲେ। ଯୁଦ୍ଧ ସମାପ୍ତି ପରେ ଭାରତୀୟମାନେ ସେମାନଙ୍କର ନିଜସ୍ୱ ସରକାର ଗଠନ କରିବେ ବୋଲି ନେତାଜୀ ଘୋଷଣା କଲେ। ସୁଭାଷ ବୋଷଙ୍କର ଏହି ଚିନ୍ତାଧାରା ତାଙ୍କୁ ମହାନ ଦେଶଭକ୍ତ ଓ ଗଣତାନ୍ତ୍ରିକ ବ୍ୟକ୍ତିତ୍ୱ ବୋଲି ସୂଚିତ କରିଦେଇଥିଲା। ନେତାଜୀ ଚୀନ, ଇଣ୍ଡୋନେସିଆ ଓ ଫିଲିପିନ୍ସ ଆଦି ଦେଶ ଭ୍ରମଣରେ ଯାଇଥିଲେ ଏବଂ ଦେଶର ମୁଖ୍ୟ ଭାବରେ ସେହି ଦେଶମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମ୍ମାନିତ କରି ସମଗ୍ର ଦେଶକୁ ସମ୍ମାନିତ କରିଛନ୍ତି ଏବଂ ସମଗ୍ର ଦେଶର କୋଟି କୋଟି ଭାରତୀୟଙ୍କ ମନରେ ପ୍ରଜ୍ବଳିତ କରି ଦେଇଛନ୍ତି ଜାତୀୟତାର ବହ୍ନି। ଦେଶବାସୀଙ୍କ ମନ ଭିତରେ ଝଙ୍କୃତ ହୋଇ ଉଠିଛି ନେତାଜୀଙ୍କ ସେଦିନର ଆଗ୍ନେୟ ଶପଥ ଓ ଆବେଗଭରା ଆହ୍ୱାନ ‘ଦିଲ୍ଲୀ ଚଲୋ’।
ରାଜ୍ୟପାଳ, ଆନ୍ଧ୍ର ପ୍ରଦେଶ