ଦର୍ପଣ: ବାଲ୍ୟ ବିବାହର ସ୍ଥିତି

ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଥାଏ ଯେ ଭାରତ ଓ ବାଂଲାଦେଶ ଭଳି ଦେଶରେ ବାଧ୍ୟତାମୂଳକ ବାଲ୍ୟ ବିବାହର ସଂଖ୍ୟା ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଦ୍ବାରା ପ୍ରକାଶିତ ୨୦୨୧ର ଅପରାଧ ରିପୋର୍ଟ ମଧ୍ୟ ଏହା ସ୍ପଷ୍ଟ କରିଛି ଯେ କୋଭିଡ୍-୧୯ ମହାମାରୀ ସମୟରେ ସାରା ଦେଶରେ ବାଲ୍ୟ ବିବାହ ବଢ଼ିଛି। ୨୦୨୧ ମସିହାରେ ପ୍ରଥମ ଥର ପାଇଁ ବାଲ୍ୟବିବାହ ନିରୋଧ ଆଇନ ଅନୁଯାୟୀ ୧୦୦୦ରୁ ଅଧିକ ମାମଲା ରୁଜୁ ହୋଇଛି। ୨୦୧୧ ମସିହାର ବାଲ୍ୟ ବିବାହ ମାମଲା ସଂଖ୍ୟା ତୁଳନାରେ ଏହା ନଅ ଗୁଣ ଅଧିକ। ସେହିପରି ତା’ ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ବାଲ୍ୟ ବିବାହ ଘଟଣା ୩୪% ବଢ଼ିଛି। ଅନ୍ୟ ଭାଷାରେ କହିଲେ ୨୦୨୦ରେ ଦିନକୁ ୨ଟି ବାଲ୍ୟ ବିବାହ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ଦିନକୁ ପ୍ରାୟ ୩ଟି ବାଲ୍ୟ ବିବାହ ମାମଲା ରୁଜୁ ହୋଇଥିଲା। ଉଦ୍‌ବେଗଜନକ କଥା ହେଉଛି, ଦେଶରେ ଶିକ୍ଷା ହାର କ୍ରମେ ବୃଦ୍ଧି ପାଉଥିବା ସତ୍ତ୍ବେ ୨୦୧୧ରୁ ବାଲ୍ୟ ବିବାହ ମାମଲା କ୍ରମାନ୍ବୟ ଭାବେ ବୃଦ୍ଧି ପାଇ ଆସୁଛି। ୨୦୧୧ରୁ ୨୦୨୧ ମଧ୍ୟରେ ରୁଜୁ ହୋଇଥିବା ସମୁଦାୟ ୪,୬୫୪ ମାମଲା ମଧ୍ୟରୁ ୩୯% କେବଳ ୨୦୨୦ ଓ ୨୦୨୧ରେ ରୁଜୁ ହୋଇଛି। ଏ ମଧ୍ୟରୁ ସର୍ବାଧିକ ୮୪୯ (୧୯%) ମାମଲା କର୍ଣ୍ଣାଟକର। ସେହିପରି ତାମିଲନାଡୁ (୬୪୯) ଓ ପଶ୍ଚିମବଙ୍ଗ (୬୧୯)ରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସର୍ବାଧିକ ବାଲ୍ୟ ବିବାହ ହୋଇଛି।

ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୧ ମସିହାରୁ ଏ ଯାଏଁ ସମୁଦାୟ ୧୬୪ ବାଲ୍ୟ ବିବାହ ହୋଇଛି। ୨୦୨୦ ଓ ୨୦୨୧ ମସିହା ମଧ୍ୟରେ ଆମ ରାଜ୍ୟରେ ୬୪ଟି ବାଲ୍ୟ ବିବାହ ହୋଇଛି, ଯାହା ବିଗତ ଏକ ଦଶନ୍ଧିରେ ସର୍ବାଧିକ। ସେହିପରି ୨୦୨୦ ତୁଳନାରେ ୨୦୨୧ରେ ମାମଲା ସଂଖ୍ୟା ୨.୭ ଗୁଣ ବୃଦ୍ଧି ପାଇଛି। ଶିଶୁ ଅଧିକାର କର୍ମୀମାନଙ୍କ କହିବା ଅନୁଯାୟୀ ରୁଜୁ ହୋଇଥିବା ମାମଲା ତୁଳନାରେ ବାସ୍ତବିକ ବାଲ୍ୟ ବିବାହ ସଂଖ୍ୟା ବହୁତ ଅଧିକ। ଏହାର କାରଣ ହେଲା ଗ୍ରାମାଞ୍ଚଳମାନଙ୍କରେ ହେଉଥିବା ବାଲ୍ୟ ବିବାହ ନେଇ ପୁଲିସ୍‌ରେ ଅଭିଯୋଗ କରାଯାଇ ନ ଥାଏ। ତେବେ ଏ ନେଇ ସଚେତନତା ସୃଷ୍ଟି, ମାମଲା ସଂଖ୍ୟା ବୃଦ୍ଧିର ଆଉ ଏକ କାରଣ ହୋଇପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଥାଏ।

ସମ୍ବନ୍ଧିତ ଖବର