ନିକଟରେ ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀଙ୍କ ଏକ ଉକ୍ତି - ‘କ’ଣ ଭାରତର ରାଷ୍ଟ୍ରପତିଙ୍କ ନାତୁଣୀର ସ୍କୁଲ ଦରମାର ଢାଞ୍ଚା ଆଉ ଆପଣଙ୍କ ଘରେ କାମ କରୁଥିବା କାମବାଲୀର ଝିଅର ସ୍କୁଲ ଦରମାର ଢାଞ୍ଚା ଏକା ହେବା ଉଚିତ? ଯିଏ ଅଧିକା ଦେଇ ପାରୁଛନ୍ତି ସେ ତାଙ୍କ ପକେଟରୁ ଦିଅନ୍ତୁ। ଯିଏ ଦେଇ ପାରୁନାହାନ୍ତି ସରକାର ତାଙ୍କ କଥା ଚିନ୍ତା କରନ୍ତୁ’ - ଏବେ ସାମାଜିକ ଗଣମାଧ୍ୟମରେ ବେଶ ଆାଲୋଚିତ ହେଉଛି। ଦିଲ୍ଲୀ ସରକାରଙ୍କ ଶିକ୍ଷାନୀତିକୁ ଆକ୍ଷେପ କରି ସେ ଏହା କହିଥିଲେ। ଦିଲ୍ଲୀ ସରକାର ଦାରିଦ୍ର୍ୟକୁ ମହିମାମଣ୍ଡିତ କରିବା ସହିତ ସଂପନ୍ନତାକୁ ଏକ ନାପସନ୍ଦଯୋଗ୍ୟ ଦୃଷ୍ଟିରେ ଦେଖୁଥିବା ବିଷୟ ଇଙ୍ଗିତ କରି ସେ କହିଥିଲେ ଯେ ଦିଲ୍ଲୀ ସରକାରଙ୍କ ମନୋଭାବ - ‘ଦେଖ ଆମେ ତ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରୁଛୁ’- ଶିକ୍ଷା କ୍ଷେତ୍ରରେ ଉଦ୍ୟମୀର ଦକ୍ଷତାକୁ ବାଧା ଦେବ ବା ଘରୋଇ ନିବେଶକୁ ନିରୁତ୍ସାହିତ କରିବ। ଏହା କେତେ ଦୂର ସମୀଚୀନ ବୋଲି ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀଙ୍କର ଏହି ଉକ୍ତିରୁ ସରକାରୀ ସ୍କୁଲ ଶିକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର ସଙ୍କେତ ମିଳେ। ଭବିଷ୍ୟତ୍‌ରେ ସ୍କୁଲ ଶିକ୍ଷାର ରୂପରେଖ ଓ ତହିଁରେ ସରକାରଙ୍କ ଭାଗୀଦାରି ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାକୁ ଯାଉଥିବାରୁ ଉପରୋକ୍ତ ଉକ୍ତିର ଏକ ତର୍ଜମା ଆବଶ୍ୟକ।

Advertisment

ପାଠକ-ପାଠିକାଙ୍କ ମନେ ଥିବ ଯେ ଆମେରିକାରୁ ପ୍ରକାଶିତ ‘ନ୍ୟୁୟର୍କ ଟାଇମ୍‌ସ’ ଭଳି ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ଦିଲ୍ଲୀର ସରକାରୀ ସ୍କୁଲ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରାଯାଇ ଆଲେଖ୍ୟ ପ୍ରକାଶିତ ହେବାରୁ ବିଜେପି ପକ୍ଷରୁ ବିଦ୍ରୂପାତ୍ମକ ଅଭିଯୋଗ କରାଗଲା ଯେ ‘ଏହା ଏକ ପ୍ରାୟୋଜିତ ଆଲେଖ୍ୟ, ଯାହାକୁ ‘ନ୍ୟୁୟର୍କ ଟାଇମ୍‌ସ’ ତରଫରୁ ଦୃଢ଼ ଭାବେ ଖଣ୍ଡନ କରାଗଲା। ଯଦିଓ ଏହାକୁ ନେଇ ଭିନ୍ନ କ୍ଷେତ୍ରରେ ଅନେକ ବିବାଦ ଉତ୍ପନ୍ନ ହେଲା, ଆମେ ସେଠାକୁ ନ ଯାଇ ବିମର୍ଶକୁ ଦିଲ୍ଲୀର ସ୍କୁଲ ଶିକ୍ଷା ବ୍ୟବସ୍ଥା ଉପରେ କେନ୍ଦ୍ରୀଭୂତ କରିବା।

ମନ୍ତ୍ରୀଙ୍କ ଉକ୍ତିର ପ୍ରଥମ ଭାଗରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁମାନେ ସ୍କୁଲ ଶିକ୍ଷାର ବ୍ୟୟ ଭାର ବହନ କରିବାକୁ ସମର୍ଥ, ସେମାନେ ନିଜ ପକେଟରୁ ତାହା ଦିଅନ୍ତୁ। ତା’ର ଅର୍ଥ ସେମାନେ ବ୍ୟୟବହୁଳ ଘରୋଇ ସ୍କୁଲମାନଙ୍କରେ ସେମାନଙ୍କ ପିଲାଙ୍କୁ ପଢ଼ାନ୍ତୁ ଓ ରାଷ୍ଟ୍ର ସେମାନଙ୍କ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସୁତରାଂ, ଏହାର ଅର୍ଥ ଯଦି କ୍ରମେ ଅଧିକରୁ ଅଧିକ ଲୋକେ ବ୍ୟୟ ଭାର ବହନ କରିବାକୁ ସମର୍ଥ ହୋଇ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ପଠାଇବେ, ତେବେ ଅବଲୀଳା କ୍ରମେ ସରକାରୀ ସ୍କୁଲଗୁଡ଼ିକର ଆବଶ୍ୟକତା ହ୍ରାସ ପାଇବ, ଯାହା ସେଗୁଡ଼ିକୁ ବନ୍ଦ କରିଦିଆଯିବାର ସମ୍ଭାବନା ସୃଷ୍ଟି କରିବ। ଏହା ସତ ଯେ ସରକାରୀ ସ୍କୁଲଗୁଡ଼ିକର ‌ଶୋଚନୀୟ ଭିତ୍ତିଭୂମି ଓ ଅନ୍ୟାନ୍ୟ ଦୁଃସ୍ଥିତି (ଯେଉଁଥିରେ ଉନ୍ନତି ଆଣିବାକୁ ଦିଲ୍ଲୀ ସରକାର ଉଦ୍ୟମରତ) ପାଇଁ ଏବେ ଅଧିକାଂଶ ବାପା-ମାଆ ଗୁଣାତ୍ମକ ଶିକ୍ଷା ଲାଗି ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଉଛନ୍ତି। ମାତ୍ରାଧିକ ବ୍ୟୟ ଭାର ସତ୍ତ୍ୱେ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗର ଲୋକେ ବାଧ୍ୟ ହୋଇ ପିଲାଙ୍କୁ ଘରୋଇ ସ୍କୁଲଗୁଡ଼ିକର ପଢ଼ାଉଛନ୍ତି। ଘରୋଇ ସ୍କୁଲରେ ଟୁଇସନ ଓ ଅନ୍ୟାନ୍ୟ ଫି ପ୍ରାୟ ପ୍ରତି ୨ ବର୍ଷରେ ଥରେ ବଢ଼ିଥାଏ ଯହିଁରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି।

ଏକ ଅଧ୍ୟୟନ ଅନୁସାରେ ଆଗାମୀ ଦିନରେ ଭାରତରେ ଗୋଟିଏ ଷ୍ଟାଣ୍ଡାର୍ଡ ଘରୋଇ ସ୍କୁଲରେ ଜଣେ ପିଲାର ୩ ବର୍ଷରୁ ୧୭ ବର୍ଷ ଯାଏଁ ପାଠପଢ଼ା ଖର୍ଚ୍ଚ ପ୍ରାଥମିକ ସ୍କୁଲ ସ୍ତରରେ ୫.୫୦ ଲକ୍ଷ ଟଙ୍କା, ମାଧ୍ୟମିକ ସ୍କୁଲ ସ୍ତରରେ ୯.୫ ଲକ୍ଷ ଟଙ୍କା ଓ ହାଇସ୍କୁଲ ସ୍ତରରେ ୯ ଲକ୍ଷ ଟଙ୍କା ହିସାବରେ ସ୍କୁଲ ଶିକ୍ଷା ବ୍ୟୟ ମୋଟ ପ୍ରାୟ ୨୪ ଲକ୍ଷ ଟଙ୍କା ହେବ। କେତେ ପରିବାର ଅବା ଏହି ଖର୍ଚ୍ଚ ବହନ କରିବାକୁ ସମର୍ଥ? ସ୍ଥିତି ଏଭଳି ହେଲାଣି ଯେ ବର୍ଦ୍ଧିତ ଶିକ୍ଷା ବ୍ୟୟ ଯୋଗୁଁ ପରିବାରର ଆକାରକୁ ଗୋଟିଏ ସନ୍ତାନରେ ସୀମିତ ରଖିବା ଏକପ୍ରକାର ବାଧ୍ୟବାଧକତାରେ ପରିଣତ ହେଲାଣି। ତେଣୁ, ଭବିଷ୍ୟତ୍‌ରେ ଅନେକଙ୍କ ପାଇଁ ପିଲାଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ବ୍ୟତୀତ ବିକଳ୍ପ ରହିବ ନାହିଁ। ତେଣୁ ସରକାରୀ ସ୍କୁଲଗୁଡ଼ିକର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେଲେ ଅନେକ ପରିବାର ଦ୍ୱିଧାମୁକ୍ତ ହୋଇ ପିଲାଙ୍କୁ ସେଠାକୁ ପଠାଇ ପାରନ୍ତେ। ଭାରତ ଭଳି ଏକ ଜନମଙ୍ଗଳକାରୀ ରାଷ୍ଟ୍ର ପକ୍ଷରେ ଜନସାଧାରଣଙ୍କ ପାଇଁ ଗୁଣାତ୍ମକ ସ୍କୁଲ ଶିକ୍ଷା ଭଳି ମୌଳିକ ଆବଶ୍ୟକତାକୁ ନିଃଶୁଳ୍‌କ ଯୋଗାଇ ଦେବା ଅପରିହାର୍ଯ୍ୟ ହେବା ଆବଶ୍ୟକ। ଏପରିକି ଆମେରିକା ଭଳି ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାରେ ଏବେ ମଧ୍ୟ ସ୍କୁଲ ଶିକ୍ଷା ଯୋଗାଇ ଦେବା ମୂଳତଃ ରାଷ୍ଟ୍ରର ଦାୟିତ୍ବ ‌ହୋଇ ରହିଛି। ସେଠାରେ ବଳିଷ୍ଠ ପବ୍ଲିକ୍ ସ୍କୁଲ ବ୍ୟବସ୍ଥାର ପ୍ରଚଳନ ଅଛି। ସେଠାରେ ସବୁ ପିଲାଙ୍କ ପାଇଁ ଶିକ୍ଷା କେବଳ ବାଧ୍ୟତାମୂଳକ ନୁହେଁ, ନିଃଶୁଳ୍‌କ ମଧ୍ୟ। ଫଳରେ ପ୍ରାୟ ୯୦ ଭାଗ ପିଲା ସରକାରୀ ଅର୍ଥରେ ପରିଚାଳିତ ପବ୍ଲିକ ସ୍କୁଲମାନଙ୍କରେ ହିଁ ପଢ଼ନ୍ତି। ସେଠାରେ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାର ସାମର୍ଥ୍ୟ ଅନେକ ବାପା-ମା’ଙ୍କ ଅଛି, କିନ୍ତୁ ପବ୍ଲିକ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ଉପଲବ୍‌ଧତା କାରଣରୁ ପିଲାମାନଙ୍କୁ ସେଠାକୁ ହିଁ ପଠାନ୍ତି।

ତେଣୁ ଭାରତରେ ମଧ୍ୟ ଦୀର୍ଘ ଦିନରୁ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାର ମାନରେ ଉନ୍ନତୀକରଣର ଆବଶ୍ୟକତା ଅନୁଭୂତ ହୋଇଆସୁଛି। ଖୁସିର କଥା ଏ ବର୍ଷ ଶିକ୍ଷକ ଦିବସରେ ପ୍ରଧାନମନ୍ତ୍ରୀ ୨୭,୩୬୦ କୋଟି ଟଙ୍କା ବ୍ୟୟ ବରାଦରେ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ୧୪,୫୦୦ଟି ସରକାରୀ ସ୍କୁଲର ଆଧୁନିକୀକରଣ ପାଇଁ ‘ପିଏମ-ଶ୍ରୀ’ (ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ ଫର୍‌ ରାଇଜିଂ ଇଣ୍ଡିଆ) କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଅବଶ୍ୟ ଏ ସଂକ୍ରାନ୍ତ ପ୍ରଥମ ଘୋଷଣା ଫେବ୍ରୁଆରି ୧, ୨୦୨୧ରେ ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ଭାଷଣରେ ହୋଇ ସାରିଥିଲା, ଯେଉଁଥିରେ ୧୫,୦୦୦ ସ୍କୁଲର ଆଧୁନିକୀକରଣ କଥା ଉଲ୍ଲେଖ ଥିଲା। ତେବେ, ତାହା ୧୪,୫୦୦କୁ ହ୍ରାସ ପାଇବାର କାରଣ ବୁଝି ହେଉନାହିଁ। ଏବେ ଦେଶରେ ପ୍ରାୟ ୧୧ ଲକ୍ଷରୁ ଅଧିକ ସରକାରୀ ସ୍କୁଲ ଥିବାରୁ ସେଗୁଡ଼ିକର ଆଧୁନିକୀକରଣ ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ମନ୍ତ୍ରୀଙ୍କ ଉକ୍ତିର ଦ୍ୱିତୀୟ ଭାଗରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଉଦ୍ୟମିତା ବିକାଶ ଓ ଘରୋଇ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି। ଅବଶ୍ୟ, ଏ କଥା ସ୍ୱୀକାର୍ଯ୍ୟ ଯେ ସ୍କୁଲ ଶିକ୍ଷା ଏକ ବ୍ୟବସାୟ ବା ଉଦ୍ୟୋଗ ବୋଲି ବିବେଚିତ ହେବା ଉଚିତ ନୁହେଁ। ତେଣୁ ଏ କ୍ଷେତ୍ରରେ ଉଦ୍ୟୋଗୀଙ୍କ ପ୍ରବେଶ ବାଞ୍ଛନୀୟ ନୁହେଁ। ଅଧିକନ୍ତୁ, ୨୦୦୯ରେ ପ୍ରଣୀତ ଶିକ୍ଷା ଅଧିକାର (ଆରଟିଇ) ଆଇନର ଧାରା ୧୨(୧)(ଗ) ଅନୁଯାୟୀ ଅଣ-ସାହାଯ୍ୟପ୍ରାପ୍ତ ଘରୋଇ ସ୍କୁଲଗୁଡ଼ିକରେ (ସଂଖ୍ୟାଲଘୁଙ୍କ ଦ୍ୱାରା ପରିଚାଳିତ ସ୍କୁଲକୁ ବାଦ ଦେଇ) ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗର ପିଲାଙ୍କ ପାଇଁ ୨୫% ଆରକ୍ଷଣର ପ୍ରାବଧାନ ଥିଲେ ମଧ୍ୟ ତାର କାର୍ଯ୍ୟକାରିତାକୁ ନେଇ ନା ଅଛି ସରକାରୀ ସ୍ତରରେ ସ୍ୱଚ୍ଛତା ନା ଘରୋଇ ସ୍କୁଲଙ୍କ ସାମାଜିକ ନିଷ୍ଠା ବା ଦାୟିତ୍ବବୋଧ। ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ ରୂପେ ସରକାରୀ ନିୟନ୍ତ୍ରଣରେ ରହି ସମସ୍ତଙ୍କୁ ସମାନ ସ୍ତରର ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବା ହେଉଛି ସବୁଠାରୁ ଭଲ। ତେଣୁ ଉଦ୍ୟମିତା ବିକାଶର ଦ୍ୱାହି ଦେଇ ଅନ୍ତତଃ ସ୍କୁଲ ଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କ ପାଇଁ ପ୍ରବେଶ ଦ୍ୱାରକୁ ସାହାଣ ମେଲା କରା ନ ଯାଉ, ଯାହା ସ୍କୁଲ ଶିକ୍ଷାର ବ୍ୟାପକ ବ୍ୟାବସାୟୀକରଣର ପଥ ଉନ୍ମୁକ୍ତ କରିବ, ଯାହା ଦେଶ ହିତରେ ହୋଇ ନ ପାରେ। ଅନ୍ୟ ପକ୍ଷରେ ଉଚ୍ଚ ଶିକ୍ଷାର ବିକାଶ ଲାଗି ପୁଞ୍ଜିର ଅଭାବ ଦେଖା ଦେଉଥିବାରୁ ସେଭଳି ଉଦ୍ୟମୀମାନଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନିଜ ଦକ୍ଷତା ଓ ପୁଞ୍ଜି ନିବେଶ କରିବା ଲାଗି ପ୍ରୋତ୍ସାହିତ କରାଯାଇପାରେ।

ସର୍ବଜନୀନ ଶିକ୍ଷାର ପିତା ରୂପେ ବିବେଚିତ ଆମେରିକାର ପ୍ରସିଦ୍ଧ ଶିକ୍ଷାବିଦ୍ ହୋରେସ ମାନ୍ ୧୮୪୮ରେ ଶିକ୍ଷାକୁ ଏକ ସାମାଜିକ ସନ୍ତୁଳନ ଚକ୍ର (ବାଲାନ୍‌ସ ହ୍ୱିଲ) ରୂପେ ବର୍ଣ୍ଣନା କରିବା ସହ ଏହା ଏକ ମହାନ ସମତୁଲକାରୀ (ଇକ୍ୱାଲାଇଜର) ବୋଲି ଅଭିହିତ କରିଥିଲେ। ତାଙ୍କ ଅନୁସାରେ, ‘ଏହା ଅନ୍ୟ ଲୋକଙ୍କ ସ୍ୱାର୍ଥପରତାକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାଧୀନତା ଓ ସାଧନ ଯୋଗାଇ ଦେଇଥାଏ। ଏହା ଗରିବଙ୍କୁ ଧନୀଙ୍କ ପ୍ରତି ଅସୂୟାପୂର୍ଣ୍ଣ ମନୋଭାବ ପୋଷଣରୁ ନିବୃତ୍ତ କରିବା ଲାଗି ଅନ୍ୟାନ୍ୟ ପ୍ରୟାସ ତୁଳନାରେ ଅଧିକ ଫଳପ୍ରଦ ହୋଇଥାଏ; ଏହା ଗରିବ ହେବାର ବାଟ ଓଗାଳି ଥାଏ।’ ଅର୍ଥାତ୍ ଯେତେ ଅଧିକ ଲୋକ ଶିକ୍ଷିତ ହେବେ ଧନୀ-ଦରିଦ୍ରଙ୍କ ମଧ୍ୟରେ ଥିବା ତାରତମ୍ୟ ସେତେ ହ୍ରାସ ପାଇବ। ତେଣୁ ସମସ୍ତଙ୍କୁ ଏକା ପ୍ରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ରାଷ୍ଟ୍ର ସେହି ଦାୟିତ୍ୱ ନିର୍ବାହ କରିବା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ଭାରତ ଭଳି ରାଷ୍ଟ୍ର ପାଇଁ ହୋରେସ ମାନଙ୍କ ଉକ୍ତିର ପ୍ରାସଙ୍ଗିକତା ଯଥେଷ୍ଟ ଅଧିକ। କାରଣ ୫ ଟ୍ରିଲିଅନ ଡଲାର ଅର୍ଥନୀତିର ସ୍ୱପ୍ନ ଦେଖୁଥିବା ଭାରତର ମୁଣ୍ଡ ପିଛା ଆୟ ଏତେ କମ୍‌ ଯେ ଏବେ ମଧ୍ୟ ଏହା ଏକ ନିମ୍ନ ମଧ୍ୟମ ଆୟକାରୀ ବର୍ଗର ଦେଶ ରୂପେ ପରିଗଣିତ। ଭାରତକୁ ଏକ ମଧ୍ୟମ ଆୟକାରୀ ବର୍ଗର ଦେଶରେ ପରିଣତ ହେବାକୁ ହେଲେ ଅଧିକ ସଂଖ୍ୟକ ଲୋକଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ହେବା ଆବଶ୍ୟକ। ଏହା କେବଳ ସେମାନଙ୍କ ଶିକ୍ଷା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମ୍ଭବ। ତେଣୁ ସରକାରୀ ସ୍କୁଲଗୁଡ଼ିକ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ।

ସ୍କୁଲ ଶିକ୍ଷା କ୍ଷେତ୍ରରେ ଉଦ୍ୟମିତା ବିକାଶ ଓ ଘରୋଇ ପୁଞ୍ଜି ନିବେଶକୁ ଆକର୍ଷିତ କରିବାର ଦ୍ୱାହି ଦେଇ ଘରୋଇ ସ୍କୁଲଗୁଡ଼ିକର ବିସ୍ତାର ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରି ସ୍କୁଲ ଶିକ୍ଷାକୁ ଅତ୍ୟଧିକ ବ୍ୟୟବହୁଳ କରିବା; ତାପରେ ଜଣେ ‘କାମବାଲୀ ତା’ ଝିଅ ପାଇଁ ସେହି ବ୍ୟୟ ବହନ କରିପାରିବ ନାହିଁ’ ବୋଲି ବଖାଣ ପ୍ରସ୍ତୁତ କରି ସରକାରୀ ସ୍କୁଲକୁ ଯେନତେନ ପ୍ରକାରେଣ ଚଳାଇ ରଖିବାର ମାନସିକତାରୁ ଆମ ଶିକ୍ଷାନୀତି ପ୍ରବର୍ତ୍ତକମାନେ ଊର୍ଦ୍ଧ୍ୱକୁ ଉଠିବା ଦରକାର। ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଗୁଣାତ୍ମକ ଶିକ୍ଷା ଲାଭ ଲାଗି କୋଟିପତିଙ୍କ ପିଲାଙ୍କ ଯେତିକି ଅଧିକାର ଅଛି, ଜଣେ ‘କାମବାଲୀ’ର ଝିଅର ମଧ୍ୟ ସେତିକି ଅଧିକାର ଅଛି ବୋଲି ସ୍ୱୀକାର କରିବାକୁ ହେବ। ଏଠି କାମବାଲୀ ହେଉଛନ୍ତି ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ଓ ବଞ୍ଚିତ ବର୍ଗର ପ୍ରତିନିଧି। ଘରୋଇ ସ୍କୁଲରେ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗର ପିଲାଙ୍କ ପାଇଁ ଆରକ୍ଷଣ ଏହାର ସମାଧାନ ହୋଇ ନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନର ସ୍ତରରେ ଉନ୍ନତି ଅଣାଯିବା ଆବଶ୍ୟକ। ବ୍ୟୟ ଭାର ବହନ କରିବାକୁ ସମର୍ଥ ଓ ଅସମର୍ଥଙ୍କ ମଧ୍ୟରେ ବାଛବିଚାରକୁ ଅନ୍ତତଃ ପକ୍ଷେ ରାଷ୍ଟ୍ର ପ୍ରଶ୍ରୟ ଦେବା ଅନୁଚିତ। ତାହା ନ ହେଲେ ଆମେ ଡୁନ ସ୍କୁଲ, ରାଜକୁମାର କଲେଜ, ମେୟୋ କଲେଜ ବ୍ୟବସ୍ଥାର ମାନସିକତା ଆଧାରରେ ଶିକ୍ଷା କ୍ଷେତ୍ରରେ ଛୁଆଁ-ଅଛୁଆଁ ଭାବକୁ ଚିରସ୍ଥାୟୀ କରିବା। ଏହା ‘ଇଣ୍ଡିଆ’ ଆଉ ‘ଭାରତ’ ମଧ୍ୟରେ ଥିବା ଖାଇଟିକୁ ଆହୁରି ବଢ଼ାଇ ଦେଶର ସନ୍ତୁଳିତ ଓ ତ୍ୱରାନ୍ୱିତ ବିକାଶରେ ପ୍ରତିବନ୍ଧ ସାଜିବ ଯାହା।

ମୋ: ୯୪୩୭୦୩୮୦୧୫