ସବୁ ପ୍ରକାର ସୀମା ଡେଇଁବା ପାଇଁ ମଣିଷର ଅହେତୁକ ଆକର୍ଷଣ। ଲକ୍ଷ୍ମଣ ରେଖା ହେଉ କି ରାସ୍ତାର ଧଳା ଚକଚକ ଟ୍ରାଫିକର ଗାର ହେଉ, ଆଗରେ କିଛି ବି ଆମର ବାଟ ଓଗାଳିଲେ ତାହା ଅତିକ୍ରମ କରି ଚାଲିଯିବାକୁ ଆମର ମନ ହାଇଁପାଇଁ ହୁଏ। ସୀମା ଲଙ୍ଘିବାର ନିଶା ଆମକୁ ଏତେ ଘାରିଥାଏ ଯେ ଛଦ୍ମବେଶୀ ରାବଣର ଛଳ କି ଟ୍ରାଫିକ ପୁଲିସର ଜରିମାନା ଆମକୁ ସେ ନିଶାରୁ ନିବୃତ୍ତ କରିପାରେନା। ସେଇଥିପାଇଁ କେବେ ଚୀନ ସେନା ଭାରତର ସୀମା ଭିତରକୁ ମାଡ଼ି ଆସିଲେଣି ତ ଆଉ କେବେ ଭାରତୀୟ ଯୁଦ୍ଧ ବିମାନ ପାକିସ୍ଥାନ ସୀମା ଭିତରେ ଉଡ଼ିଲାଣି। ଅତି ଶୃଙ୍ଖଳିତ କ୍ରୀଡ଼ା ନୈପୁଣ୍ୟ ସତ୍ତ୍ୱେ ଦ୍ରୁତ ଗତିର ବୋଲର୍ ନିର୍ଦ୍ଧାରିତ ଗାର ଟପି ବେଳେବେଳେ ‘ନୋ’ ବଲ ପକାଇ ଦିଅନ୍ତି। ନିଜର ଅନ୍ତର ଭିତରୁ ସଦା ଝଙ୍କୃତ ହେଉଥିବା ‘ମାଡ଼ି ଚାଲ’ର ଆହ୍ୱାନକୁ ଉପେକ୍ଷା କରିବା କ’ଣ ଏତେ ସହଜ?
ଏଇ ସୀମା ଲଙ୍ଘିବାର ଦୌଡ଼ରେ କିନ୍ତୁ ଅନ୍ୟ ସମସ୍ତକୁ ଟପି ଯାଇଥାନ୍ତି ମାଇକ୍ ପଛର ଅତିଭାଷୀ ବକ୍ତାମାନେ। କୂଳ ଖାଉଥିବା ନଈ ଭଳି ଏମାନେ ତାଙ୍କ ପରବର୍ତ୍ତୀ ବକ୍ତାମାନଙ୍କର ସମୟ ସୀମା ଭିତରକୁ ନିର୍ଦ୍ଦୟ ଭାବରେ ମାଡ଼ିଯାନ୍ତି ଓ ଦର୍ଶକ ବା ଶ୍ରୋତାମାନଙ୍କୁ ଅତିଷ୍ଠ କରିପକାନ୍ତି। ସଭା ମଞ୍ଚ ଓ ଧ୍ୱନି ବିସ୍ତାରକ ଯନ୍ତ୍ରଟିରେ କି ଯାଦୁକରୀ ଗୁଣ ଅଛି କେଜାଣି, ସେଠି ଥରେ ପହଞ୍ଚିଗଲେ ଯେ କୌଣସି ବକ୍ତା ପାଇଁ ସମୟର ସବୁ ପ୍ରତିବନ୍ଧ ଅର୍ଥହୀନ ହୋଇପଡେ। ଏକଛତ୍ରବାଦୀ ଶାସକ ସିଂହାସନର ମୋହ ଛାଡ଼ି ନ ପାରିଲା ଭଳି ଏହି ବକ୍ତାମାନେ ବକ୍ତୃତା ମଞ୍ଚର ଅନୁରକ୍ତିରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ। ପୁଣି ଏକଛତ୍ରବାଦୀ ଯେମିତି ମିଥ୍ୟା ପ୍ରତ୍ୟୟ ଲାଭ କରିଚାଲିଥାଏ ଯେ ସେ ଅଧମ ଜନଙ୍କର ଏକମାତ୍ର ତ୍ରାଣକର୍ତ୍ତା, ସେମିତି ପ୍ରଗଳ୍ଭ ବକ୍ତାମାନେ ମଧ୍ୟ ଧରିନିଅନ୍ତି ଯେ ଦୁଃସ୍ଥ ଶ୍ରୋତାମାନଙ୍କୁ ଅଜ୍ଞାନର ତିମିର ଭିତରୁ ଉଦ୍ଧାର କରିବାର ଗୁରୁ ଦାୟିତ୍ୱ ସେମାନଙ୍କର।
କିନ୍ତୁ ବିଚରା ଶ୍ରୋତାମାନେ ବା କରିବେ କ’ଣ? ସେମାନେ ତ ରକ୍ତମାଂସଧାରୀ ମଣିଷ ଓ ତେଣୁ କ୍ଷୁଧା, ଧୈର୍ଯ୍ୟହୀନତା ଓ ସମୟର ବିଭିନ୍ନ ଚାପର ବଶବର୍ତ୍ତୀ। ସେମାନଙ୍କର ଜ୍ଞାନର ପିପାସା ମଧ୍ୟ ସସୀମ। ଜଣେ ବକ୍ତାଙ୍କ ଭାଷଣ ଶୁଣି ନିଜର ଜ୍ଞାନଭଣ୍ଡାରକୁ ପୂର୍ଣ୍ଣାଙ୍ଗ କରିବାକୁ ପଣ କରି ସେମାନେ ଘରୁ ବାହାରି ନଥାନ୍ତି। ତେଣୁ କୌଣସି ବ୍ରେକ୍ ଫେଲ ମାରିଥିବା ପ୍ରବଚକର ହାବୁଡ଼ରେ ପଡ଼ିଗଲେ ଶ୍ରୋତାମାନେ ଶାଳୀନତା ରକ୍ଷା ପୂର୍ବକ ବକ୍ତାଙ୍କ ପ୍ରତି କିଛି ସ୍ପଷ୍ଟ ଇଙ୍ଗିତମାନ ପ୍ରଦାନ କରିଥାନ୍ତି, ଯେମିତିକି ଭୂଇଁରେ ଗୋଡ଼ ଖସ ଖସ କରିବା କିମ୍ବା ଖୁଁ ଖୁଁ କାଶିବା। କିନ୍ତୁ ସବୁବେଳେ ଯେ ବକ୍ତା ଏହି ସଂକେତଗୁଡ଼ିକୁ ସମ୍ମାନ ଦେବେ, ତାହା ଜୋର ଦେଇ କହିହେବନାହିଁ। ଏଇ ଯେମିତି ସେ ଦିନର ଏକ ସଭାରେ ପୁସ୍ତକ ସମୀକ୍ଷକ ଜଣକ ଶ୍ରୋତାମାନଙ୍କର ଧୈର୍ଯ୍ୟଚ୍ୟୁତିର ସମସ୍ତ ସୂଚନାଗୁଡ଼ିକୁ ଅବଜ୍ଞା କରି ଚାଲିଥିଲେ। ଯେହେତୁ ପୂର୍ବ ବକ୍ତାମାନେ ସେମାନଙ୍କର ନିର୍ଦ୍ଧାରିତ ସମୟସୀମାକୁ ଟପି ଯାଇଥିଲେ, ଆମର ପ୍ରିୟ ସମୀକ୍ଷକ ସତେ ଯେମିତି ତାହାର ମଧୁର ପ୍ରତିଶୋଧ ନେବାକୁ ନିଜର ବକ୍ତବ୍ୟକୁ ଅଯଥା ଲମ୍ବାଇ ଚାଲିଲେ। କିନ୍ତୁ ଏ ଭିତରେ ମଧ୍ୟାହ୍ନ ଭୋଜନର ସମୟ ଉପନୀତ ହୋଇ ସମାପିତ ହେବାକୁ ଯାଉଥିବାରୁ ଅନେକ ଶ୍ରୋତା ନିଜ ଆସନରୁ ଉଠିବା ଆରମ୍ଭ କରିଦେଲେ। ସମୀକ୍ଷକ ସିନା ଇଙ୍ଗିତ ବୁଝିଲେ ନାହିଁ, ହେଲେ ଆୟୋଜକ ଶ୍ରୋତାଙ୍କ ଦୁରବସ୍ଥା ଦେଖି ବକ୍ତାଙ୍କୁ ତାଗିଦା କଲେ ଶୀଘ୍ର ସାରିବାକୁ, ଥରେ ନୁହେଁ ଦୁଇ ଥର। ବକ୍ତା ‘ସମୟର ସ୍ୱଳ୍ପତା’ ଦୃଷ୍ଟିରୁ ପାଞ୍ଚ ମିନିଟରେ ତାଙ୍କର ବକ୍ତବ୍ୟ ଶେଷ କରିବାର ପ୍ରତିଶ୍ରୁତି ଦେଇଥିଲେ ହେଁ ଆୟୋଜକ ତାଙ୍କ ମାଇକ୍କୁ ଏକ ପ୍ରକାର ଛଡ଼ାଇ ନେଇ ତାଙ୍କୁ ତରବରିଆ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଅଳ୍ପ ସମୟ ମଧ୍ୟରେ ସଭା ସାଙ୍ଗ କରି ଶ୍ରୋତାମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରିତ କଲେ। ଏହିପରି ଭାବରେ ସମୀକ୍ଷା ଓ ବୁଭୁକ୍ଷାର ସଂଘର୍ଷ ସମାପିତ ହେଲା। କ୍ଷୁଧା ଓ ମେଧାର କନ୍ଦଳରେ କ୍ଷୁଧା ବିଜୟୀ ହେଲା।
ଅବଶ୍ୟ ଯେଉଁ ସଭାର ଶ୍ରୋତାମାନେ ନବ୍ୟ ଯୁବକ ବା ଛାତ୍ର ଗୋଷ୍ଠୀର, ସେଠାରେ ଅତିଭାଷୀ ବକ୍ତାଙ୍କୁ ଏମିତି ଭଦ୍ରୋଚିତ ଇଙ୍ଗିତର ସ୍ବାଚ୍ଛନ୍ଦ୍ୟ ମିଳେନାହିଁ। ସ୍ବଭାବତଃ ଅଧୈର୍ଯ୍ୟ ଏହି ସମ୍ପ୍ରଦାୟ କର୍ତ୍ତୃପକ୍ଷଙ୍କ ଉପଦେଶ ମାନି ଓ ଲୌକିକତା ଦୃଷ୍ଟିରୁ ସିନା ବାଗ୍ମୀ ବକ୍ତାମାନଙ୍କୁ ଡାକିଥାନ୍ତି, ହେଲେ ସେମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥାଏ ଭାଷଣ ପରର ସାଂସ୍କୃତିକ କାର୍ଯ୍ୟକ୍ରମ। ଭାଷଣ ଆରମ୍ଭ ହେବାର ଅଳ୍ପ ସମୟ ଭିତରେ ସେମାନେ ଅପ୍ରତ୍ୟାଶିତ ତାଳି ମାଡ଼ କରି ଅତିଥି ବକ୍ତାଙ୍କୁ ସଜାଗ କରିଦିଅନ୍ତି। କିନ୍ତୁ ଅନେକ ସରଳ ବକ୍ତା ଏହି ତାଳିର ଅସଲ ସ୍ୱରୂପ ଚିହ୍ନି ନ ପାରି ଉତ୍ସାହିତ ହୁଅନ୍ତି ଓ ଅଧିକ ସାରଗର୍ଭକ ଭାଷଣ ଦିଅନ୍ତି। ଏମିତି ସମୟରେ ପଛରୁ ଶୁଭେ ବିକଟାଳ ଚିତ୍କାର ଓ ପରେ ପରେ ମଞ୍ଚକୁ ଅଯାଚିତ ଦ୍ରବ୍ୟ କ୍ଷେପଣ, ମଞ୍ଚକୁ ବିଦ୍ୟୁତ କାଟି ଅନ୍ଧାର କରିଦେବା, ଏମିତିକି ଭାଷ୍ୟକାରଙ୍କ ସମ୍ମୁଖରେ ମଞ୍ଚର ପରଦା ଟାଣିଦେବା ଭଳି ଉତ୍ପୀଡ଼ନ।
ଏହା ପରେ ମଧ୍ୟ ଯଦି ବାଗ୍ମୀ ବକ୍ତା ସ୍ବଳ୍ପଭାଷିତାର ମହତ୍ତ୍ବ ନ ବୁଝିଲେ, ତେବେ ତାହା ତାଙ୍କର ଦୁର୍ଭାଗ୍ୟ। ଏହି ପ୍ରସଙ୍ଗରେ ସୁଲେଖକ ବସନ୍ତ ଶତପଥୀଙ୍କ ଉପଦେଶ ଭବିଷ୍ୟତ୍ର ବକ୍ତାମାନଙ୍କୁ ଅନେକ ହଟହଟାରୁ ରକ୍ଷା କରିବ। ଥରେ ସେ ଏକ ସାହିତ୍ୟ ମେଳାରେ ମୁଖ୍ୟ ଅତିଥି ହିସାବରେ କହିବାକୁ ଆରମ୍ଭ କଲା ବେଳେ ଶ୍ରୋତାମାନଙ୍କର ଦ୍ରବୀଭୂତ ରୋଷର ଶିକାର ହୋଇଥିଲେ। ଅଳ୍ପ ସମୟ ପୂର୍ବରୁ ମେଳାର ସଭାପତି ତାଙ୍କର ପୁରୁଣାକାଳିଆ ମତ ପାଇଁ ଭର୍ତ୍ସିତ ହୋଇ ହୃଦ୍ରୋଗର ଶିକାର ହୋଇସାରିଥିଲେ। ଅଗତ୍ୟା ଲେଖକ ବିଷୟ ବଦଳାଇ ତାଙ୍କର ତେର ବର୍ଷର ନାତି ଲେଖିଥିବା ଆଠ ଶବ୍ଦର ଏକ କବିତା ପଢ଼ି ତାହାର ‘ବ୍ୟାଖ୍ୟା’ କରିପକାଇଲେ, ଯାହା କବିତାରେ ଆବୋଧ୍ୟତା ଖୋଜୁଥିବା ଶ୍ରୋତାଙ୍କ ମନକୁ ଛୁଇଁଗଲା (‘କବିତା କର୍ମଶାଳା’)। ଏହା କାହାଣୀ ହୋଇଥିଲେ ହେଁ ଭାବୀ ବକ୍ତାମାନଙ୍କ ପାଇଁ ଏକ ଶିକ୍ଷଣୀୟ ବିଷୟ। ଜଣେ ସଫଳ ଭାଷ୍ୟକାର ନିଜର ବକ୍ତବ୍ୟକୁ ରୁଚିମନ୍ତ କରିବା ଯେତିକି ଆବଶ୍ୟକ, ଭାଷଣ ଦେଲା ବେଳେ ମଞ୍ଚ ମୋହରୁ ନିଜକୁ ମୁକ୍ତ ରଖି ସମୟ ଓ ଶ୍ରୋତାଙ୍କ ଆଚରଣ ପ୍ରତି ସଜାଗ ରହିବା ତଥା ଅବସ୍ଥା ଦେଖି ବ୍ୟବସ୍ଥା କରିବା ସେତିକି ଜରୁରୀ।
ମୋ: ୯୪୩୭୦୮୯୬୫୫