ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ରେ ସୁଦୂର ଦକ୍ଷିଣ ଆଫ୍ରିକାର ନାମିବିୟା ଦେଶରୁ ଅଣାଯାଇଥିବା ଚିତାବାଘ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବା ଘଟଣା ଅନେକଙ୍କ ପାଇଁ ବିଚିତ୍ରବୋଧ ହେଉଛି। ଅବଲୁପ୍ତ ଚିତାବାଘ ବଂଶ ବୃଦ୍ଧି ଦେଶର ଅର୍ଥନୀତିକୁ ବଢ଼ାଇବ ବୋଲି ମୋଦୀ ଓ ତାଙ୍କ ସରକାରର ଧାରଣା। ଯେଉଁ ଚିତାବାଘ ୧୯୫୨ରେ ଅର୍ଥାତ ସ୍ୱାଧୀନତାର ମାତ୍ର ୭ ବର୍ଷ ପରେ ସଂପୂର୍ଣ୍ଣ ବିଲୁପ୍ତ ହୋଇଯାଇଛନ୍ତି ବୋଲି ଘୋଷଣା କରାଯାଇଥିଲା, ତାହାକୁ ଏକ ଅତି ଦୂର ଦେଶରୁ ଅଣାଯାଇଛି। ଏହାର କାରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଯେ ଦୀର୍ଘସ୍ଥାୟୀ ବିକାଶ ପାଇଁ ପରିବେଶ ସହ ଅର୍ଥନୀତିର ଗଭୀର ସମ୍ପର୍କ ଅଛି। ଯେତେବେଳେ ଜଙ୍ଗଲର ବ୍ୟାପକ ବୃଦ୍ଧି ହୁଏ, ତା ସହ ତାଳ ଦେଇ ଅର୍ଥନୀତିର ଅଭିବୃଦ୍ଧି ଘଟିଥାଏ। ଆଉ ଜଙ୍ଗଲ ବଢ଼େ, ଯେତେବେଳେ ସେଠାରେ ପଶୁପକ୍ଷୀ ରହନ୍ତି ଓ ବିଶେଷ କରି ବାଘ, ସିଂହ, ଚିତା, କଲରାପତରିଆ ବାଘ, ଭାଲୁ ଇତ୍ୟାଦି ହିଂସ୍ର ଜୀବ ରହନ୍ତି। ବାଘ, ସିଂହ, ଚିତା ଆଦି ଶେଷ ହୋଇଗଲେ ଧୀରେ ଧୀରେ ଜଙ୍ଗଲ ମଧ୍ୟ ସଫା ହୋଇଯାଏ। କାରଣ ମଣିଷମାନେ ସେଠାକୁ ନିର୍ଭୟରେ ପ୍ରବେଶ କରି ଗଛ କାଟି ନିଅନ୍ତି ଓ ଜନ୍ତୁମାନଙ୍କୁ ମାରିଦିଅନ୍ତି। ଏଣୁ ଦେଶର ବିକାଶ ପାଇଁ ଜୈବ ବିବିଧତାର ଆବଶ୍ୟକତା ଅଛି। ଜଙ୍ଗଲ ନଷ୍ଟ ହେଲେ ପ୍ରଦୂଷଣ ବଢ଼େ, ଯାହା ମଣିଷର ମୃତ୍ୟୁର କାରଣ ହୋଇଥାଏ। ଜଣେ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ଦିନରେ ବହୁ ଲୋକଙ୍କ ଦ୍ୱାରା ପରିବୃତ୍ତ ନହୋଇ ତଥା ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ନ କରି ଅବଲୁପ୍ତ ଚିତାବାଘ ବଂଶକୁ ପୁନର୍ଜୀବିତ କରିବାର ଉଦ୍ୟମ ଏକ ଆଶ୍ଚର୍ଯ୍ୟକର ଘଟଣା ନିଶ୍ଚୟ।

Advertisment

୧୯୫୨ରେ ଯେତେବେଳେ ଭାରତରେ ଚିତାବାଘ ଅବଲୁପ୍ତ ହେଲେ, ସେତେବେଳେ ଗୋଟିଏ ଫଟୋ ପ୍ରକାଶିତ ହୋଇଥିଲା ଯେଉଁ ଫଟୋରେ କୋରିୟା ରାଜ୍ୟର ରାଜା (ବର୍ତ୍ତମାନର ଛତିଶଗଡ଼) ମହାରାଜା ରାମାନୁଜ ପ୍ରତାପ ସିଂହଦେଓ କାନ୍ଧରେ ବନ୍ଧୁକ ପକାଇ ତାଙ୍କ ଗୋଡ଼ ତଳେ ପଡ଼ିଥିବା ତିନିଟି ମୃତ ଚିତାବାଘ ସହିତ ଫଟୋ ଉଠାଇଥିଲେ। ବୋଧହୁଏ ସେଗୁଡ଼ିକ ହିଁ ଥିଲେ ଭାରତରେ ଶେଷ ଚିତାବାଘ। ସେ ସମୟରେ ରାଜନ୍ୟ ବର୍ଗ ଓ ଅନ୍ୟମାନଙ୍କ ଆମୋଦପ୍ରମୋଦ ତଥା ବୀରତ୍ୱର ପ୍ରମାଣ ପାଇଁ ଏହି ପଶୁମାନଙ୍କ ହତ୍ୟା କରାଯାଉଥିଲା। ଏହା ପୂର୍ବରୁ ଭାରତର ଜଙ୍ଗଲମାନଙ୍କରେ ୧ ଲକ୍ଷରୁ ଅଧିକ ଚିତା ବାଘ ଥିଲେ ବୋଲି କୁହାଯାଏ।

୨୦୧୬ ମସିହାରେ ସାରା ବିଶ୍ୱରେ ମୋଟ ୭,୧୦୦ ଚିତା ବାଘ ଥିଲେ ବୋଲି ପରିଗଣନା କରି କୁହାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଦକ୍ଷିଣ ଆଫ୍ରିକାରେ। କିନ୍ତୁ ତା’ ପୂର୍ବରୁ ତାମିଲନାଡୁର ଥିରୁନେଲଭେଲିଠାରୁ ଆରମ୍ଭ କରି ଉତ୍ତର ଭାରତର ସବୁ ଜଙ୍ଗଲରେ ଚିତାବାଘମାନେ ଥିଲେ। ତେବେ ଭାରତର ରାଜା ଓ ଇଂରେଜ ସାହେବମାନଙ୍କର ଚିତାବାଘ ଶିକାର ସେମାନଙ୍କ ଅବଲୁପ୍ତିର କାରଣ ହୋଇଗଲା। ତେବେ ଅନେକ ରାଜା ଓ ସମ୍ଭ୍ରାନ୍ତ ଲୋକେ ଚିତାବାଘ ପୋଷି ସେମାନଙ୍କ ସାହାଯ୍ୟରେ ଶିକାର କରୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପୋଷା ଚିତାମାନଙ୍କ ଦ୍ୱାରା ପରିବୃତ୍ତ ହୋଇ ବୁଲିବାକୁ ପସନ୍ଦ କରୁଥିଲେ। ଖ୍ରୀଷ୍ଟପୂର୍ବ କାଳରେ ଇଜିପ୍‌ଟର ଫାରୋ (ସେଠାକାର ସମ୍ରାଟ)ଙ୍କ ଠାରୁ ଆରମ୍ଭ କରି ଚେଂଗିଜ ଖାଁ ହୁଅନ୍ତୁ ବା ୟୁରୋପର ରାଜନ୍ୟ ବର୍ଗ, ସମସ୍ତେ ନିଜ ପାଖରେ ପୋଷା ଚିତା ରଖିଥିଲେ। ଏପରିକି ଧର୍ମଗୁରୁ ପୋପ୍‌ ମଧ୍ୟ ଚିତା ବାଘ ପୋଷୁଥିଲେ। ଭାରତର ମୋଗଲ ସମ୍ରାଟ ଆକବର ମଧ୍ୟ ଚିତା ପୋଷିଥିଲେ। ତାଙ୍କର ଜୀବନ କାଳ ମଧ୍ୟରେ ସେ ତାଙ୍କର ପଶୁଶାଳା ମଧ୍ୟରେ ୯୦୦ ଚିତା ରଖିଥିବା ବିଷୟ ପୁରୁଣା ଦସ୍ତାବିଜରୁ ଜଣାପଡ଼େ। ତାଙ୍କର ପ୍ରିୟ ଚିତାର ନାମ ଥିଲା ସମନ୍ଦ ମାଲିକ। ତା’ ପାଇଁ ଗୋଟିଏ ହୀରା ଖଚିତ କୋଟ ତିଆରି ହୋଇଥିଲା।

ବ୍ରିଟିସ୍‌ମାନେ ଚିତାବାଘମାନଙ୍କୁ କ୍ଷତିକାରକ ଜୀବ ବୋଲି ଭାବୁଥିଲେ ଓ ସେମାନଙ୍କୁ ନିଃଶେଷ କରି ଦିଆଯିବା ଆବଶ୍ୟକ ବୋଲି ବିଚାର କରୁଥିଲେ। ବ୍ରିଟିସ୍‌ମାନଙ୍କ ସମୟରେ ଗୋଟିଏ ଚିତାବାଘକୁ ମାରିଦେଲେ ଲୋକମାନଙ୍କୁ ୬ ଟଙ୍କାରୁ ୧୮ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳୁଥିଲା। ବର୍ତ୍ତମାନ ଏହି ପୁରସ୍କାର ରାଶି ଅତ୍ୟନ୍ତ ସ୍ବଳ୍ପ ବୋଲି ମନେ ହେଉଥିଲେ ମଧ୍ୟ ସେତେବେଳେ ଏହା ଏକ ବଡ଼ ପୁରସ୍କାର ରୂପେ ଗଣାଯାଉଥିଲା।

ଚିତା ବାଘର ଅନ୍ତଃମହାଦେଶୀୟ ସ୍ଥାନ ପରିବର୍ତ୍ତନ ହିସାବରେ ଏହି ଘଟଣା ପୃଥିବୀରେ ପ୍ରଥମ। ଯେତେବେଳେ ଭାରତକୁ ଚିତାବାଘଗୁଡ଼ିକୁ ଅଣାଯିବ ସେତେବେଳେ ସେମାନଙ୍କୁ କେଉଁଠି ରଖାଯିବ, ତାହା ଥିଲା ପ୍ରଥମ କଥା। କାରଣ ଚିତାବାଘ ଘନ ଜଙ୍ଗଲ ମଧ୍ୟରେ ରହିବାକୁ ଭଲ ପାଏନାହିଁ। ସେ ହେଉଛି ଅତି ଉଚ୍ଚ ବେଗରେ ଦୌଡୁଥିବା ଏକ ପ୍ରାଣୀ ଓ ସେଥିପାଇଁ ଖୋଲା ଜାଗା ଓ ବିଶେଷ କରି ଘାସ ଥିବା ଅଞ୍ଚଳକୁ ପସନ୍ଦ କରିଥାଏ। ଏହା ଛଡ଼ା ଅତୀତରେ ଭାରତ କେଉଁ ସ୍ଥାନମାନଙ୍କରେ ଚିତାବାଘମାନେ ରହୁଥିଲେ ସେ ସ୍ଥାନଗୁଡ଼ିକୁ ଦେଖାଯିବା ପରେ ଶେଷକୁ ମଧ୍ୟ ପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା କୁନୋ ଜାତୀୟ ଉଦ୍ୟାନକୁ ଏମାନଙ୍କ ଅବସ୍ଥାନ ପାଇଁ ବଛାଗଲା। ଏହା ଗ୍ୱାଲିଅରର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅତୀତରେ ତାହା ସେଠାକାର ରାଜବଂଶୀମାନଙ୍କର ଶିକାର କ୍ଷେତ୍ର ଥିଲା। ଏବେ ଏହା ଏକ ଅର୍ଦ୍ଧ-ବନ୍ୟ ଅଞ୍ଚଳ ଏବଂ ଏହି ଚିତାମାନେ ଯେଉଁଠି ରହିବେ ସେ ସ୍ଥାନକୁ ମୁଖ୍ୟତଃ ତୃଣାଞ୍ଚଳରେ ପରିଣତ କରାଗଲା। ଗୋଟିଏ ମାସ ପାଇଁ ନାମିବିୟ ଚିତାମାନେ ଏହି ଛୋଟ ତୃଣାଞ୍ଚଳରେ ରହିବେ ଓ ମାସକ ପରେ ସେମାନେ ଭାରତର ଜଳବାୟୁ ଓ ଅଞ୍ଚଳ ସହ ଅଭ୍ୟସ୍ତ ହୋଇଗଲେ ୭୫୦ ବର୍ଗ କିଲୋମିଟରର ତୃଣାଞ୍ଚଳ ଏବଂ ଜଙ୍ଗଲି ଇଲାକାରେ ସେମାନଙ୍କୁ ଛାଡ଼ି ଦିଆଯିବ।

ଏହି ୮ ଟିକିଆ ଚିତାବାଘଙ୍କୁ ନେଇ ଆରମ୍ଭ ପାଇଲଟ ପ୍ରୋଜେକ୍ଟରେ ଆଉ କିଛି ଚିତା ବାଘ ମିଶିବେ। ସେମାନଙ୍କ ସଂଖ୍ୟାକୁ ୨୫କୁ ବଢ଼ାଇ ଦିଆଯିବ ବୋଲି ଜଣାପଡ଼ିଛି। ପ୍ରଥମ ଦଫାର ଚିତାମାନଙ୍କ ମଧ୍ୟରେ ୫ଟି ଅଣ୍ଡିରା ଓ ୩ଟି ମାଈ ଚିତାବାଘ ଅଛନ୍ତି। ସେମାନଙ୍କର ସଂଖ୍ୟା ବଢ଼ିଲେ ସେମାନଙ୍କୁ ଅନ୍ୟ ଜଙ୍ଗଲମାନଙ୍କୁ ପଠାଇ ଦିଆଯିବ।

ଚିତାର ଗତି ଅତି ଦ୍ରୁତ। ଏହା ପ୍ରତି ଘଣ୍ଟାରେ ପ୍ରାୟ ୧୨୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଦୌଡ଼ିପାରେ। ଏହାର ଶରୀର ଗଢ଼ଣ ମଧ୍ୟ ଉଚ୍ଚକୋଟୀର ଧାବକ ପରି। କାର୍ ରେସ୍‌ରେ କାର୍‌ମାନେ ପାଖାପାଖି ସେହି ଘଣ୍ଟା ପିଛା ୧୨୦ କିଲୋମିଟର ବେଗରେ ଦୌଡ଼ନ୍ତି। ଦକ୍ଷିଣ ଆଫ୍ରିକାରେ ସାଭାନା ନାମକ ଏକ ଅତ୍ୟନ୍ତ ବିସ୍ତୀର୍ଣ୍ଣ ତୃଣାଞ୍ଚଳ ରହିଛି, ଯାହା ବିଭିନ୍ନ ଜାତିର ପଶୁମାନଙ୍କ ଦ୍ବାରା ଭରପୂର, ଯହିଁରୁ ଚିତା ଗୋଟିଏ। କିନ୍ତୁ ଭାରତର ଜଙ୍ଗଲଗୁଡ଼ିକ ଗଛଲତା ଦ୍ୱାରା ଭରା। ତେବେ, କୁନୋ ଜାତୀୟ ଉଦ୍ୟାନରେ ବିଶେଷ ଗଛଲତା ନାହିଁ। ଏହାକୁ ଚିତା ବାସଯୋଗ୍ୟ କରିବା ପାଇଁ ସେଠାରୁ ୨୪ଟି ଗାଁକୁ ଅନ୍ୟତ୍ର ଉଠାଇ ନିଆଯାଇଛି। ସେମାନଙ୍କର ଚାଷଜମିକୁ ତୃଣାଞ୍ଚଳରେ ପରିଣତ କରି ଦିଆଯାଇଛି।

ଯେତେବେଳେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସପ୍ତମ ଦଶକରେ ସେ ଇରାନର ଶାହା (ତଦାନୀନ୍ତନ ରାଜା)ଙ୍କୁ ଭାରତକୁ କିଛି ଚିତା ପଠାଇବା ପାଇଁ ଅନୁରୋଧ କରିଥିଲେ। ଇରାନରେ ଏବେ ବି କିଛି ଏସୀୟ ଚିତାବାଘ ଅଛନ୍ତି। କିନ୍ତୁ ସେଠାରେ ବିପ୍ଳବ ହେତୁ ଇରାନର ଶାହାଙ୍କ ଶାସନର ପତନ ହେଲା ଓ ସେହି ପ୍ରସ୍ତାବ ସେତିକିରେ ଅଟକିଗଲା।

ଏବେ ନାମିବିୟାରୁ ଆସିଥିବା ଚିତାମାନେ ବଞ୍ଚିବେ କି ନାହିଁ; ତାହାକୁ ନେଇ ପ୍ରଶ୍ନ ଠିଆ ହୋଇଛି। ହୁଏତ କଡ଼ା ସରକାରୀ ଆଇନ ଯୋଗୁଁ ଚିତା ବା ଅନ୍ୟ ପଶୁ ଶିକାର କରିବା ଏବେ କଷ୍ଟକର ହୋଇପଡ଼ିଛି। କିନ୍ତୁ ପଶୁମାନଙ୍କ ମଧ୍ୟରେ ଚିତାମାନଙ୍କର ଶତ୍ରୁ ମଧ୍ୟ ଅଛନ୍ତି। ସିଂହ, ବାଘ ଓ କଲରା ପତ୍ରିଆ ବାଘ ଚିତାବାଘର ଶତ୍ରୁ। ଏହି ଜାତିର ପଶୁମାନଙ୍କ ମଧ୍ୟରେ ଚିତାମାନେ ହେଉଛନ୍ତି ସବୁଠୁଁ ସାନ ଏବଂ କୃଶକାୟ। ଏଇଥି ପାଇଁ ସେମାନେ ବହୁ ଜୋର୍‌ରେ ଦୌଡ଼ିପାରନ୍ତି। ଏହା ଛଡ଼ା ଆଉ ଗୋଟିଏ ପ୍ରଶ୍ନ ହେଲା ଏହା ରହୁଥିବା ଜଙ୍ଗଲରେ ଏହାର ଶିକାର କିଏ, ଯାହାକୁ ଖାଇ ଏହି ପ୍ରାଣୀ ବଞ୍ଚିବ? ଯେଉଁ ତୃଣଭୋଜୀ ପ୍ରାଣୀଗୁଡ଼ିକୁ ଚିତା ବାଘ ଖାଇବା କଥା, ସେଗୁଡ଼ିକ ଉପରେ ମହାବଳ ବାଘ ଓ କଲରାପତରିଆ ବାଘ ଭାଗ ବସାଇଲେ ଚିତା ବାଘ ଲାଗି ଆଉ ବଞ୍ଚିବ କ’ଣ?

ତେବେ ଅନେକ କହନ୍ତି ଯେ ସ୍ୱାଧୀନତା ପରେ ସିଂହ ଓ ବାଘମାନଙ୍କୁ ସଂରକ୍ଷିତ କରି ରଖିବାର ଯୋଜନାମାନ ଯଦି ସଫଳ ହୋଇଛି, ତେବେ ଚିତାବାଘ ସଂରକ୍ଷଣ ଯୋଜନା ବିଫଳ କାହିଁକି ହେବ? ଅତୀତରେ ଭାରତରେ ଅସଂଖ୍ୟ ଚିତା ଥିଲେ। ଏଣୁ ଏମାନେ ବି ବଞ୍ଚି ପାରିବେ। ଏହି ବନ୍ୟଜନ୍ତୁ ସଂରକ୍ଷଣ ପ୍ରକଳ୍ପ ଉପରେ ସାରା ବିଶ୍ୱର ଆଖି ରହିଛି। ଭାରତରୁ ଅବଲୁପ୍ତ ଏହି ପ୍ରାଣୀକୁ ପୁନରାୟ ଭାରତ ପୃଷ୍ଠରେ ବିଚରଣ କରାଇବାର ପ୍ରଚେଷ୍ଟା କେତେ ଦୂର ସଫଳ ହେବ, ଏହା ଦ୍ୱାରା ଜଙ୍ଗଲ କେତେ ବଢ଼ିବ ଓ ଜଙ୍ଗଲ ଯୋଗୁଁ ଦେଶର ଆର୍ଥିକ ବିକାଶ କେତେ ଘଟିବ, ତାହା ଭବିଷ୍ୟତ୍‌ କହିବ।

ମୋ- ୯୪୩୭୦୨୦୨୯୦