ପୁଷି ବିଲେଇ ଉପାଖ୍ୟାନ

ସୃଜନ ସମ୍ଭାର - ସୃଜନ ପ୍ରକାଶ ଦାସ

କାଲି ଯାଏ ଆମ ପୁଷି ବିଲେଇ ଆମ ପାଇଁ କୁନି ବିଲେଇଟିଏ ହୋଇ ରହିଥିଲା। ତାକୁ କେତେ ବା ବୟସ! ହେଇ ହେଇ ମାତ୍ର ଆଠ କି ନ’ ମାସ। ଆଜିକୁ ଛଅ-ସାତ ମାସ ତଳେ ଆମେ ଯେତେବେଳେ ତାକୁ ଅଚାନକ ଆବିଷ୍କାର କରିଥିଲୁ, ସେ ଛୋଟଟିଏ ହୋଇ ତା ମା ସହିତ ବୁଲୁଥିଲା। ସେତିକି ବେଳେ ଦୂରରୁ ସେ ଗୋଟିଏ ଧଳା ପେଣ୍ଡୁ ଭଳି ଦିଶୁଥିଲା। ତା’ ଦେହର ରଙ୍ଗ ଥିଲା ତୋଫା ଧଳା। ସେଥିରେ ତାର ଦୁଇଟି ଗୋଲ ଗୋଲ କଳା ଆଖି- ଅତ୍ୟନ୍ତ କୌତୁକିଆ ଲାଗୁଥିଲା। ଦୂରରୁ ତାକୁ ଡାକିଲେ ସେ ଆମକୁ ତାର ସେଇ ଗୋଲ ଗୋଲ ଆଖିରେ ଚାହିଁ ଲୁଚି ଯାଉଥିଲା। ମାତ୍ର, କେତେବେଳେ ଯେ ସେ ତା ମା’ ସହିତ ମିଶି ମୋର ପ୍ରଥମ ତାଲାରେ ଥିବା ଘରେ ପ୍ରବେଶ କରି ତାର ଉପସ୍ଥିତି ଜାହିର କରିଦେଲା, ଆମେ ତାହା ଜାଣି ପାରି ନ ଥିଲୁ। ବୋଧହୁଏ ସେ ଆମ ଘରେ ଏକୁଟିଆ ରାଜୁତି କରିବ ବୋଲି ଠିକ୍‌ କରି ନେଇଥିଲା। କାରଣ ଅଳ୍ପ ଦିନ ଭିତରେ ତା’ର ମା’ ଆଉ ଦିଶୁ ନ ଥିଲା, କେବଳ କୁନି ପୁଷି ରହି ଯାଇଥିଲା। ମୁଁ ଭାବୁଥିଲି କେତେ ସଅଳ ସେମାନେ ନିଜ ବାପା-ମାଙ୍କୁ ପାସୋରି ଯାଇ ସ୍ୱାଧୀନ ଜୀବନଯାପନ କରିବା ପାଇଁ ପ୍ରସ୍ତୁତ ହୋଇ ପାରନ୍ତି ସତେ! କାରଣ ସେ ସେତେବେଳକୁ ମାତ୍ର ମାସେ କିମ୍ବା ଦୁଇ ମାସର ଛୁଆ। ଦେଖୁ ଦେଖୁ ଆମେମାନେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଏଇ କୁନି ବିଲେଇର ପ୍ରେମରେ ପଡ଼ିଯାଇଥିଲୁ। ଆମ ସମସ୍ତଙ୍କ ନଜର ତାରି ଉପରେ; ସତେ ଯେମିତି ଆମ ପରିବାରର ଗୋଟିଏ ଛୁଆ।

ତେଣୁ, ଦିନେ ଯେତେବେଳେ ଆମେ ତାର ପେଟ ଫୁଲିବା ବିଷୟ ଆବିଷ୍କାର କଲୁ ଏବଂ ତାର ଚାଲି ଚଳଣିରେ କିଛିଟା ପରିବର୍ତ୍ତନ ଦେଖିଲୁ, ଆମେ ଭାବିଲୁ ଏହା କ’ଣ ସମ୍ଭବ! କିନ୍ତୁ ସବୁ ଲକ୍ଷଣ ତ ତାହା ହିଁ କହୁଥିଲା- ଯେମିତି କି ପୁଷି ଆଉ ଆଗ ଭଳି ଏତେ କ୍ଷିପ୍ର ବେଗରେ ଦୌଡ଼ାଦୌଡ଼ି କରୁ ନ ଥିଲା, ବେଶୀ ସମୟ ଠିଆ ହୋଇ ରହୁ ନ ଥିଲା, ପ୍ରାୟ ବସି ବା ଶୋଇ ରହୁଥିଲା, ବାହାରକୁ ଗଲେ ବି ଶୀଘ୍ର ଫେରି ଆସୁଥିଲା‌। ସୁତରାଂ, ଏହି ସଂଶୟ ଦୂର କରିବା ପାଇଁ ଗୁରୁ ‘ଗୁଗଲ୍‌’ର ସାହାଯ୍ୟ ନେବା କ୍ଷଣି ଯାହା ଅନୁମାନ କରୁଥିଲୁ, ସେଭଳି ଉତ୍ତର ହିଁ ପାଇଲୁ। ସତକୁ ସତ ମାତ୍ର ସାତ କି ଆଠ ମାସ ବୟସର ବିଲେଇ ଛୁଆଟି ମା’ ହେବାକୁ ଯାଉଛି। ଏବେ ଏ ଖବର ତଡ଼ିତ୍‌ ବେଗରେ ଆମ ପରିବାର ଓ ସାଙ୍ଗ ମହଲରେ ବ୍ୟାପି ଯାଇଛି। ଏବେ ଆମ ପରିବାର ତାର ସୁରକ୍ଷିତ ମାତୃତ୍ବ ଲାଭ କାମନା କରି ସେଥିରେ ପୂରା ବ୍ୟସ୍ତ।

ଏ ଘଟଣା ମୋତେ ପ୍ରକୃତିର କୁହୁକ ବିଷୟରେ ଆହୁରି ସଚେତନ କରାଇ‌ ଦେଇଛି। ସତରେ, ଆମେମାନେ ପୃଥିବୀକୁ କେବଳ ମନୁଷ୍ୟର ଦୃଷ୍ଟିରେ ଦେଖୁ ବୋଲି ଭାବୁ ଯେ ସତେ ଯେମିତି ଈଶ୍ବରଙ୍କ ସବୁ ଭିଆଣ ମଣିଷକୁ କେନ୍ଦ୍ରରେ ରଖି କରାଯାଇଛି। ତେଣୁ ସାତ ଆଠ ମାସର କୁନି ବିଲେଇ ଛୁଆ ଯେ ମା’ ହେବ ଏବଂ ତିନି ବା ଚାରିଟି କୁନି ଛୁଆଙ୍କୁ ଜନ୍ମ ଦେବ, ସେମାନଙ୍କ ଯତ୍ନ ନେବ ଏ କଥା ବିଶ୍ବାସ କରି ହେଉନାହିଁ ଏବଂ ଆମକୁ ଉଦ୍‌ବିଗ୍ନ କରି ପକାଉଛି। କିନ୍ତୁ ଯେଉଁ କୁନି ବିଲେଇଗୁଡ଼ିକ ବାରବୁଲା ଭଳି ବଜାର ଘାଟରେ ବା କେଉଁ ପୋଲ ତଳେ ରହନ୍ତି ଏବଂ ପ୍ରତି ପଦକ୍ଷେପରେ ବିପଦର ସାମନା କରୁଥାଆନ୍ତି, ସେମାନେ ମଧ୍ୟ ଏମିତି ସାତ ଆଠ ମାସ ବୟସରେ ମା’ ହୁଅନ୍ତି! ସେମାନେ କେମିତି ସେମାନଙ୍କ ଛୁଆମାନଙ୍କୁ ଲାଳନପାଳନ କରନ୍ତି, ବିପଦରୁ ସୁରକ୍ଷା ଦିଅନ୍ତି! ଏହି ସାତ ଆଠ ମାସ ଭିତରେ ସେମାନେ ଏହି କ୍ରୂର ପୃଥିବୀରେ ନିରନ୍ତର ଘଟି ଚାଲିଥିବା ଘଟଣାର ଘନଘଟା ଭିତରେ ଏମିତି କେତେ କ’ଣ ଦେଖି ଶିଖି ସାରିଥାଆନ୍ତି ଯେ ମା’ର ଦାୟିତ୍ବ ନେଇ ପାରନ୍ତି!

କିନ୍ତୁ ମନୁଷ୍ୟ ବିଚାର ବୋଧହୁଏ ମୋତେ ଆମ ପୁଷି ଲାଗି ନିଜ ଘର ଭିତରେ ଗୋଟିଏ କ୍ଷୁଦ୍ର ‘ଲେବର୍‌ ରୁମ୍’ର ବ୍ୟବସ୍ଥା କରିବାକୁ ପ୍ରେରିତ କରିଛି। ତା’ ପ୍ରତି ଆମ ପରିବାରର ଅସୀମ ଦୁର୍ବଳତା ଦେଖି କିଛି ବନ୍ଧୁ ‘ସାଦ’ ଖିଆ ଲାଗି ମାଛ ବା ସେମିତି କିଛି ବିଲେଇ-ରଙ୍କୁଣା ଖାଦ୍ୟମାନ ନେଇ ଆସୁଛନ୍ତି। କିନ୍ତୁ ବିରାଡ଼ି-ଅଭିଜ୍ଞ ବନ୍ଧୁମାନେ ଏହା ବି କହୁଛନ୍ତି ଯେ ସେ ତୁମ ଘରେ ଛୁଆ ଜନ୍ମ କରିବା ନେଇ ନିଶ୍ଚିତ ହୁଅ ନାହିଁ। ସେ ତା’ ଲାଗି ଏକ ସୁବିଧାଜନକ ଜାଗାରେ ଛୁଆ ଜନ୍ମ କରିପାରେ। ସତ କଥା, ପୁଷି ନିଶ୍ଚୟ ଏକ ବିଲେଇର ଦୃଷ୍ଟିରେ ପୃଥିବୀକୁ ଦେଖୁଥିବ ଏବଂ ତାର ସନ୍ତାନମାନଙ୍କ ନିରାପଦ ଜନ୍ମ ଲାଗି ହୁଏ’ତ ଆଉ କେଉଁ ଜାଗା ଠିକ୍‌ କରିଥିବ। ଯେଉଁ ଷଷ୍ଠେନ୍ଦ୍ରିୟଟି ପଶୁପକ୍ଷୀମାନଙ୍କୁ ଏବେ ବି ପ୍ରକୃତିର ସୂକ୍ଷ୍ମ ସ‌େନ୍ଦଶ ପଢ଼ିବାକୁ ସମର୍ଥ କରୁଛି, ତାହା ହୁଏ’ତ ପୁଷିକୁ ତାର ମାତୃତ୍ବ ଲାଗି ଆମ ଦ୍ବାରା ସଜଡ଼ା ଯା‌ଇଥିବା ତଥାକଥିତ ‘ଳେବର୍ ରୁମ୍‌’ ଠାରୁ ଏକ ଅଧିକ ସୁହାଇଲା ଭଳି ସ୍ଥାନକୁ ଘେନି ଯାଇପାରେ!

ଆମେମାନେ ତା’ ଲାଗି ଯେତେ ଯାହା କରୁ, ମୁଁ ଏବେ ଭାବୁଛି ପ୍ରକୃତି ତାକୁ ବାଟ ଦେଖାଇବ ଏବଂ ତା’ ପ୍ରବୃତ୍ତି ତାକୁ ଏକ ଭଲ ମା’ରେ ପରିଣତ କରିବ।

ମୋ- ୯୪୩୮୧ ୪୯୭୬୧

ସମ୍ବନ୍ଧିତ ଖବର