ଦର୍ପଣ: ଶେଷକୃତ୍ୟରେ ଭିଡ଼

ମହାରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ଶେଷକୃତ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହେବା ଦର୍ଶାଇଥାଏ ଯେ ସାତ ଦଶନ୍ଧି ଧରି ୟୁନାଇଟେଡ୍‌ କିଙ୍ଗଡମ୍‌ର ମୁଖ୍ୟ ରୂପେ ଅଧିଷ୍ଠିତା ଏଲିଜାବେଥ୍‌ ଜନସାଧାରଣଙ୍କର କେତେ ପ୍ରିୟଭାଜନ ଥିଲେ। ଗହଳି ଦୃଷ୍ଟିରୁ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଏହା ୟୁନାଇଟେଡ୍‌ କିଙ୍ଗଡମ୍‌ର ସର୍ବାଧିକ ଜନ ସମାଗମ ଦେଖିଥିବା ଶେଷକୃତ୍ୟ ବୋଲି କୁହାଯାଏ। ବିଶ୍ବରେ ଖୁବ୍ କମ୍ ଲୋକଙ୍କର ଶେଷକୃତ୍ୟରେ ଏଭଳି ଭିଡ଼ ଦେଖିବାକୁ ମିଳେ।

ବିଗତ ଦୁଇ ଶତାବ୍ଦୀ କାଳଖଣ୍ଡରେ ଦଶ ଲକ୍ଷ ଲୋକଙ୍କ ଗହଳି ହୋଇଥିବା ଶେଷକୃତ୍ୟ ସଂଖ୍ୟାକୁ ବିଚାରକୁ ନେଲେ ଶୀର୍ଷ ପାଞ୍ଚଟି ଦେଶ ତାଲିକାରେ ୟୁନାଇଟେଡ୍‌ କିଙ୍ଗଡମ୍‌ର ସ୍ଥାନ ଦ୍ବିତୀୟ। ୟୁକେର ଚାରି ଜଣଙ୍କ ଶେଷକୃତ୍ୟରେ ଦଶ ଲକ୍ଷରୁ ଅଧିକ ଲୋକଙ୍କର ସମାଗମ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ୧୯୯୭ରେ ମୃତ୍ୟୁ ବରଣ କରିଥିବା ରାଜକୁମାରୀ ଡାଏନା, ୨୦୦୨ରେ ମୃତ୍ୟୁ ବରଣ କରିଥିବା ରାଣୀ ଏଲିଜାବେଥ୍‌ ଓ ୧୮୫୨ରେ ପରଲୋକ ଗମନ କରିଥିବା ଆର୍ଥର୍ ୱେଲ୍‌ସ୍‌ଲି। ଆର୍ଥର୍‌ ୱେଲ୍‌ସ୍‌ଲିଙ୍କ ଶେଷକୃତ୍ୟରେ ୟୁକେର ସର୍ବାଧିକ ୧୫ ଲକ୍ଷ ଲୋକ ଯୋଗ ଦେଇଥିବାର ରେକର୍ଡ ରହିଛି। ଭାରତରେ ବିଗତ ୨୦୦ ବର୍ଷରେ ସର୍ବାଧିକ ୧୧ଟି ଏଭଳି ଶେଷକୃତ୍ୟ ହୋଇଛି ଯେଉଁଥିରେ ୧୦ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ୧୯୬୯ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ଏନ୍‌. ଆନ୍ନାଦୁରାଇଙ୍କ ଶେଷକୃତ୍ୟରେ ଦେଢ଼ କୋଟି ଲୋକ ସାମିଲ ହୋଇ ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ, ଯାହାକୁ ଏ ଯାଏଁ କେହି ଅତିକ୍ରମ କରି ପାରି ନାହାନ୍ତି।

ମହାତ୍ମା ଗାନ୍ଧୀ, ବାଲ ଠାକରେ, ଜବାହରଲାଲ ନେହରୁ, ଅଖତର ରାଜା ଖାଁ, ଜେ. ଜୟଲଳିତା, ଏମ୍. କରୁଣାନିଧି, ଏମ୍. ଜି. ରାମଚନ୍ଦ୍ରନ ପ୍ରମୁଖ ନେତାଙ୍କର ଶେଷକୃତ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ଇଜିପ୍‌ଟର ତିନି ଜଣଙ୍କ ଶେଷକୃତ୍ୟ ଏହିଭଳି ଭିଡ଼ର କାରଣ ସାଜିଥିଲା; ରାଜନେତା ଗାମାଲ ଆବଦେଲ ନାସେରଙ୍କ ଶେଷ ଶୋଭାଯାତ୍ରାରେ ସେ ଦେଶର ସର୍ବାଧିକ ୫୦ ଲକ୍ଷ ଲୋକ ସାମିଲ ହୋଇଥିବାର ଜଣାଯାଏ। ଆର୍ଜେଣ୍ଟିନା ଓ ଇରାନରେ ଦୁଇଟି ଲେଖାଏଁ ଶେଷକୃତ୍ୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଉପସ୍ଥିତି ଦେଖିଥିଲା। ତେବେ ଇରାନରେ ଇସଲାମୀୟ ଶାସନ ପ୍ରତିଷ୍ଠା କରିଥିବା ଧର୍ମଗୁରୁ ଅୟାତୋଲ୍ଲା ଖୋମିନିଙ୍କ ଶେଷକୃତ୍ୟରେ ଆନ୍ନାଦୁରାଇଙ୍କ ପରେ ବିଶ୍ବରେ ଦ୍ବିତୀୟ ସର୍ବବୃହତ୍‌ ଜନଗହଳି ଦେଖାଯାଇଥିଲା। ୧୯୮୯ରେ ହୋଇଥିବା ଏହି ଶେଷକୃତ୍ୟରେ ପ୍ରାୟ ଏକ କୋଟି ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର