ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ସମ୍ଭାଳିବା ପରେ ତାଙ୍କ ଦଳ ନିଜ ବଳରେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଯାହା ପୂର୍ବରୁ କେବେ ଘଟିନଥିଲା। ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ନିଜର ପ୍ରଭାବ ଜାହିର କରିବା ପରେ ବିଜେପି ପୂର୍ବ ଓ ଦକ୍ଷିଣ ଭାଗରେ ମଧ୍ୟ ଗମ୍ଭୀର ପ୍ରଭାବ ବିସ୍ତାର କରିପାରିଛି। ନିଜର ଜାତୀୟ ଆକାଂକ୍ଷାକୁ ମୋଦୀ ଚରିତାର୍ଥ କରିସାରିବା ପରେ, ବିଜେପି ପଶ୍ଚିମବଙ୍ଗରେ ଦ୍ବିତୀୟ ବୃହତ୍ ଦଳ ଭାବେ ଉଭା ହେବା, ନିଜ ଦମ୍ଭରେ ଆସାମରେ କ୍ଷମତା ଦଖଲ କରିବା ଏବଂ ତେଲେଙ୍ଗାନାରେ ମଧ୍ୟ କିଛି ଆସନ ଜିତିବା ଭଳି ଘଟଣା ଘଟିବ ବୋଲି କ୍ବଚିତ୍ କୌଣସି ଦେଶବାସୀ ଭାବିଥିବେ।
ତେବେ ବିଜେପିର ଏପରି ପ୍ରଭାବଶାଳୀ ନିର୍ବାଚନୀ ସଫଳତା ଫଳପ୍ରଦ ଶାସନରେ ପରିଣତ ହୋଇପାରିନାହିଁ। ୨୦୧୪ ମେ’ରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଭାରତ ଅର୍ଥନୈତିକ, ସାମାଜିକ, ନୈତିକ ଏବଂ ଆନୁଷ୍ଠାନିକ ଦୃଷ୍ଟିରୁ ବାଟ ହୁଡ଼ି ବସିଛି। ମହାମାରୀର ଯଥେଷ୍ଟ ଆଗରୁ ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଜିଏସ୍ଟି ଆଦି ପଦକ୍ଷେପ ଆମ ଅର୍ଥନୀତିକୁ ନଷ୍ଟ କରିଦେଇଥିଲା ଏବଂ କୋଭିଡ୍ ବେଳେ ପ୍ରଧାନମନ୍ତ୍ରୀଙ୍କ ଯୋଜନାଗୁଡ଼ିକ ଆହୁରି କ୍ଷତି ପହଞ୍ଚାଇଥିଲା। ଗୋଟିଏ ପଟେ କିଛି ପ୍ରିୟ ଧନଶାଳୀଙ୍କ ହାତରେ ପ୍ରଚୁର ଅର୍ଥ ଓ ଅନ୍ୟ ପଟେ ଶ୍ରମିକମାନଙ୍କ ଭାଗୀଦାରିରେ ହ୍ରାସକୁ ଭିତ୍ତି କରି ମୋଦୀ ସରକାର ରାଜୁତି ଚଳାଇଲେ। ମୁସଲମାନଙ୍କ ଉପରେ ଅଯଥା ଦୋଷାରୋପଣକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପେକ୍ଷା ଏବଂ ଆମର ସବୁଠୁ ଜନବହୁଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତାରି ଆଧାରରେ ଜୋରଜବରଦସ୍ତ କାର୍ଯ୍ୟାନୁଷ୍ଠାନ ଆଗରୁ ଭଙ୍ଗୁର ଥିବା ସାମାଜିକ ସଂପର୍କକୁ ଅଧିକ ବରବାଦ କରିଦେଲା। ଯୋଗ୍ୟତା ପରିବର୍ତ୍ତେ ବିଚାରଧାରା ଭିତ୍ତିରେ ଆମର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ/ଗବେଷଣା ପ୍ରତିଷ୍ଠାନମାନଙ୍କରେ କୁଳପତି/ନିର୍ଦ୍ଦେଶକଙ୍କ ନିଯୁକ୍ତି ଫଳରେ ବିଜ୍ଞାନ ଓ ଜ୍ଞାନ ସୃଷ୍ଟି ପ୍ରତି ଶକ୍ତ ଧକ୍କା ଲାଗିଛି। ସ୍ବାଧୀନ ଭାବେ ପରିଗଣିତ ହେଉଥିବା କିଛି ସର୍ବଜନୀନ ଅନୁଷ୍ଠାନ, ହିନ୍ଦୁତ୍ବ ବିଚାରଧାରାର ଅସ୍ତ୍ର ପାଲଟିଛନ୍ତି। ଅନ୍ୟମାନେ ସତ୍ତାରୂଢ଼ ଦଳର ନିକଟତର କିଛି ବିତ୍ତଶାଳୀଙ୍କୁ ସୁହାଇଲା ଭଳି ଖୋଲାଖୋଲି ପକ୍ଷପାତିତା ଅବଲମ୍ବନ କରୁଛନ୍ତି।
ମୋଟାମୋଟି ଭାବେ ମୋଦୀ ସରକାରଙ୍କ ଦାୟିତ୍ବ ନିର୍ବାହର ରେକର୍ଡ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହଙ୍କ ସରକାରଙ୍କ ଠାରୁ ଉଲ୍ଲେଖନୀୟ ଭାବେ ନିକୃଷ୍ଟତର। କିନ୍ତୁ ଯଦିଓ ମୋଦୀ ସରକାର ଅର୍ଥନୀତି ପରିଚାଳନା ପାଇଁ ଅନୁପଯୁକ୍ତ ଏବଂ ସମାଜକୁ ଗଭୀର ଭାବରେ ଧ୍ରୁବୀକୃତ କରିଛନ୍ତି, ଯଦିଓ ସେମାନେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଅନ୍ତଃସାରଶୂନ୍ୟ କରି ଦେଇଛନ୍ତି ଏବଂ ତଦ୍ଦ୍ବାରା ଆମ ଗଣତନ୍ତ୍ରକୁ ଉଦ୍ବେଗଜନକ ଭାବେ ଦୁର୍ବଳ କରିଦେଇଛନ୍ତି, ତଥାପି ମୋଦୀଙ୍କ ଦଳ ଜାତୀୟ ସ୍ତରରେ ସଂପୂର୍ଣ୍ଣ ନିରଙ୍କୁଶ ହୋଇ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ନିର୍ବାଚନ ସାମନା କରିଥିବା ପାଞ୍ଚଟି ରାଜ୍ୟରୁ ଚାରିଟିରେ ସେମାନଙ୍କ ବିଜୟ ଦ୍ବାରା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଜିତିବାଟା ପ୍ରାଞ୍ଜଳ ଜଣାପଡୁଛି, ଯଦିଓ ଦଳ ଖୁବ୍ ପସନ୍ଦଯୋଗ୍ୟ ହୋଇ ନ ପାରେ। ସେମାନେ ଏଭଳି ସୁବିଧାଜନକ ସ୍ଥିତିରେ ରହିବା ପଛରେ କାରଣ ଭାବେ ଅଛି ସେମାନଙ୍କର ଆର୍ଥିକ ସମ୍ବଳ, ଆଦର୍ଶଗତ ନିଷ୍ଠା, ସାଂଗଠନିକ ଦକ୍ଷତା ଏବଂ ସରକାରୀ କଳର ନିୟନ୍ତ୍ରଣ। ଏଥି ସହିତ ଅନ୍ୟ ପକ୍ଷରେ ଏକ ଭରସାଯୋଗ୍ୟ ଜାତୀୟ ବିରୋଧୀ ଦଳର ଅଭାବ ହିଁ ସେମାନଙ୍କୁ ସୁହାଉଛି।
ଆଧୁନିକ ବିଶ୍ବରେ ଏକ ଉଦାସୀନ ପ୍ରାଶାସନିକ ରେକର୍ଡ ସହ ରାଜନୈତିକ ସଫଳତା ଭୋଗ କରିବାର ଦୃଶ୍ୟପଟ ଆଉ ଅସାଧାରଣ ହୋଇ ରହିନାହିଁ। ରୁଷିଆରେ ଭ୍ଲାଦିମିର ପୁଟିନ୍, ତୁର୍କୀରେ ରିସେପ ଏର୍ଡୋଗାନ୍ ଏବଂ ଜିମ୍ବାୱେରେ ରବର୍ଟ ମୁଗାବେ- ସମସ୍ତେ ନିଜ ଦେଶର ଅର୍ଥନୀତି, ପ୍ରତିଷ୍ଠାନ, ସାମାଜିକ ସଂରଚନା ଓ ଆନ୍ତର୍ଜାତିକ ଖ୍ୟାତିକୁ ନଷ୍ଟ କରି ଦୀର୍ଘ ସମୟ ଧରି ଶାସନ କ୍ଷମତା ଉପଭୋଗ କରିଛନ୍ତି।
ଭାରତର ଜଣେ ଐତିହାସିକ ହିସାବରେ ମୁଁ ଏକ ସମାନ୍ତରାଳର ଅବତାରଣା କରିବାକୁ ଚାହୁଁଛି। ମୁଁ ମନେ କରେ ଯେ ଏବେ ନରେନ୍ଦ୍ର ମୋଦୀ ଓ ବିଜେପି ଜାତୀୟ ସ୍ତରରେ ଯାହା କରୁଛନ୍ତି, ଅତୀତରେ ଜ୍ୟୋତି ବସୁ ଓ ସିପିଆଇ (ଏମ୍) ପଶ୍ଚିମବଙ୍ଗରେ ଠିକ୍ ତାହା କରୁଥିଲେ। ବାମ ସାମ୍ମୁଖ୍ୟ, ଯାହାର ସିପିଆଇ (ଏମ୍) ପ୍ରମୁଖ ଅଂଶୀଦାର ଥିଲା, କୋଲକାତାରେ ଦୀର୍ଘ ୩୪ ବର୍ଷ କାଳ କ୍ଷମତାରେ ରହିଥିଲା। ସେଥିରୁ ଜ୍ୟୋତି ବସୁ ୩୩ ବର୍ଷ କାଳ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବିଶେଷ କରି ସେ ମଧ୍ୟ ସେପରି ଫଳପ୍ରଦ ମୁଖ୍ୟମନ୍ତ୍ରୀ ନ ଥିଲେ। ତଥାପି ଦେଶରେ ମୋଦୀଙ୍କ ବିଜେପି ପରି ପଶ୍ଚିମବଙ୍ଗରେ ବସୁଙ୍କ ସିପିଆଇ (ଏମ୍) ମଧ୍ୟ ନିର୍ବାଚନ ଜିତିବାରେ ପାରଙ୍ଗମ ଥିଲା, କିନ୍ତୁ ଶାସନ କରିବାରେ ଅନୁପଯୁକ୍ତ ଥିଲେ।
୧୯୭୭ରେ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ପଶ୍ଚିମବଙ୍ଗର ଏକ ମଜଭୁତ ଔଦ୍ୟୋଗିକ ଭିତ୍ତିଭୂମି, ଉତ୍ତମ ବିଶ୍ବବିଦ୍ୟାଳୟ, ସୁଗମ୍ୟ ସମୁଦ୍ର ତଟ ଓ ସମୃଦ୍ଧ ସାଂସ୍କୃତିକ ଜୀବନ ରହିଥିଲା। ରାଜ୍ୟ ସରକାର ଯଦି ବିଜ୍ଞତାର ସହିତ ଶାସନ ପରିଚାଳନା କରିଥା’ନ୍ତେ, ପଶ୍ଚିମବଙ୍ଗ ବର୍ତ୍ତମାନ ଦେଶର ଅନ୍ୟତମ ସର୍ବାଧିକ ବିକଶିତ ରାଜ୍ୟରେ ପରିଣତ ହୋଇପାରିଥା’ନ୍ତା। ମାତ୍ର ଶ୍ରମିକ ସଂଗଠନଗୁଡ଼ିକୁ ଅପାର କ୍ଷମତା ପ୍ରଦାନ, ଅଲ୍ଲିମୁଦ୍ଦିନ ସରଣୀର ଦଳୀୟ ନେତାମାନଙ୍କ ଦ୍ବାରା ଅମଲାତନ୍ତ୍ର ଉପରେ ହୁକୁମ ଓ ବିଶ୍ବବିଦ୍ୟାଳୟ ନିଯୁକ୍ତିକୁ ପ୍ରଭାବିତ କରିବାର ପ୍ରବଣତା, ବିତ୍ତଶାଳୀଙ୍କୁ ଆତଙ୍କିତ ଏବଂ ଉଦ୍ୟୋଗୀମାନଙ୍କ କଣ୍ଠରୋଧ କରିବାର ପ୍ରଚେଷ୍ଟା ବସୁ ଓ ସିପିଆଇ (ଏମ୍)ଙ୍କୁ ଏକ ଦୀର୍ଘକାଳୀନ ଅର୍ଥନୈତିକ ଗତିହୀନତା ପ୍ରତି ଅନ୍ଧ କରି ଦେଇଥିଲା। ପଶ୍ଚିମବଙ୍ଗରେ ଆସ୍ଥାନ ଜମାଇଥିବା କମ୍ପାନିଗୁଡ଼ିକ ଦେଶର ଅନ୍ୟ ପ୍ରାନ୍ତକୁ ସ୍ଥାନାନ୍ତର ହେବାକୁ ଲାଗିଲେ। ରାଜ୍ୟରୁ ପ୍ରତିଭା ପଳାୟନକୁ ମଧ୍ୟ ଦଳୀୟ ନେତାମାନେ ଉପେକ୍ଷା କରିଥିଲେ। ଗ୍ରାମାଞ୍ଚଳର ବିକାଶ କଥା କେବଳ ନ ଉଠାଇ ବାମ ସାମ୍ମୁଖ୍ୟ ଯଦି ସେ ଦିଗରେ କିଛି କାମ କରିଥା’ନ୍ତା, ତେବେ ପୂର୍ବରୁ ପଛୁଆ ତଥା ପାହାଡ଼ୀ ରାଜ୍ୟ ହିମାଚଳ ପ୍ରଦେଶ ଆଜି ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗଠାରୁ ଅଧିକ ଉନ୍ନତ ହୋଇ ନ ଥା’ନ୍ତା।
ସିପିଆଇ (ଏମ୍) ନିଜେ ପଶ୍ଚିମବଙ୍ଗରେ ଗୋଟେ ରକମର ଥିଲା ବେଳେ କେରଳରେ ଥିଲା ସଂପୂର୍ଣ୍ଣ ଭିନ୍ନ ପ୍ରକାରର। କେରଳରେ ବାମ ଦଳ, ଲିଙ୍ଗଗତ ଓ ଜାତିଗତ ସମାନତା ପାଇଁ ସଂଘଟିତ ସାମାଜିକ ଆନ୍ଦୋଳନ ଦ୍ବାରା ଉତ୍ପ୍ରେରିତ ହୋଇଥିଲା ଏବଂ ଶାସନ ଭାର ସମ୍ଭାଳିବା ପରେ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିଥିଲା। ଏହା ମଧ୍ୟ ରାଜ୍ୟରେ ବୈକଳ୍ପିକ ରୂପରେ କଂଗ୍ରେସ ସହ ମିଶି କ୍ଷମତା ସମ୍ଭାଳିବା ଦ୍ବାରା ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ତରଦାୟିତ୍ବକୁ ମଧ୍ୟ ନିଶ୍ଚିତ କରିପାରିଥିଲା। ମାନବ ବିକାଶ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ କେରଳରେ କମ୍ୟୁନିଷ୍ଟମାନଙ୍କର ଅନେକ କିଛି ଗର୍ବ କରିବାର ଅଛି।
ପଶ୍ଚିମବଙ୍ଗରେ ସେମାନଙ୍କ କମ୍ରେଡ୍ମାନେ ତାହା କରି ପାରୁନଥିଲେ। ତଥାପି ସେମାନେ ରାଜ୍ୟରେ ନିର୍ବାଚନ ଜିତୁଥିଲେ। କାହିଁକି? ପ୍ରଥମତଃ, ଏହାର କ୍ୟାଡର୍ଙ୍କ ସଂଖ୍ୟା ବହୁତ ଅଧିକ ଥିଲା, ସେମାନେ ବ୍ୟାପକ ଭାବରେ ବିଛେଇ ହୋଇ ରହିଥିଲେ ଏବଂ ଅନ୍ୟ ଦଳ ତୁଳନାରେ ଅଧିକ ନିଷ୍ଠା ଦେଖାଉଥିଲେ। ଜ୍ୟୋତି ବସୁ ଦଳର ସାର୍ବଜନୀନ ଚେହେରା ପାଲଟିଥିବା ବେଳେ ତାଙ୍କ ବିନମ୍ରତା ଓ ଶୁଦ୍ଧତା ତାଙ୍କୁ କୋଲକାତାର ମଧ୍ୟମ-ବର୍ଗଙ୍କ ମନ ଜିଣିବାରେ ସହାୟକ ହେଉଥିଲା। ଜିଲ୍ଲାଗୁଡ଼ିକରେ ଦଳର ପ୍ରଗତିକୁ ପ୍ରମୋଦ ଦାସଗୁପ୍ତା ଓ ଅନୀଲ ବିଶ୍ବାସଙ୍କ ପରି କଠୋରପନ୍ଥୀ ହିଁ ସଂଚାଳନ କରୁଥିଲେ।
ସିପିଆଇ (ଏମ୍)ର ଏପରି ଦୀର୍ଘକାଳୀନ ନିର୍ବାଚନୀ ସଫଳତାର ଅନ୍ୟତମ କାରଣ ହେଲା, ‘ସର୍ବହରାର ଅନ୍ତଃରାଷ୍ଟ୍ରୀୟତାବାଦ’ ପ୍ରତି ଏହାର ଆତ୍ମସ୍ବୀକୃତ ଅନୁରକ୍ତି ସତ୍ତ୍ବେ ମତଦାତାଙ୍କ ପାଖରେ ସଫଳତାର ସହ ନିଜକୁ ‘ବଙ୍ଗାଳୀ ଗୌରବ’ର ଦଳ ଭାବେ ଉପସ୍ଥାପନ କରିପାରିଥିଲା। କେନ୍ଦ୍ରରେ ଦୀର୍ଘ ଦିନ ଧରି ଶାସନ କରୁଥିବା କଂଗ୍ରେସ ହିଁ ରାଜ୍ୟରେ ସେମାନଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିଲା ବେଳେ ବିଶେଷ କରି ନିର୍ବାଚନ ସମୟରେ ‘କେନ୍ଦ୍ର ସରକାର ଆମ ଅଧିକାର ତୁଳନାରେ କମ୍ ଦେଇଛନ୍ତି’ ଚିତ୍କାର ଦଳର ସ୍ଲୋଗାନ ପାଲଟିଥିଲା। (ବିଡ଼ମ୍ବନା ସ୍ବରୂପ, ରାଜ୍ୟରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ଅନୁରୂପ ବଙ୍ଗାଳୀ ଆଞ୍ଚଳିକ ଗୌରବ କଥା ଉଠାଇ କେନ୍ଦ୍ରରେ ଶାସନ କରୁଥିବା ବିଜେପିକୁ ଦୂରେଇ ରଖିଚାଲିଛି।)
ପଶ୍ଚିମବଙ୍ଗରେ ବସୁ ସରକାରଙ୍କ ଭଳି କେନ୍ଦ୍ରରେ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଆଦିକୁ ଦୃଷ୍ଟି ବାହାରେ ରଖି ମଧ୍ୟ ମୋଦୀ ସରକାର କେବଳ କିଛି କଲ୍ୟାଣକାରୀ ଯୋଜନା ବଳରେ ସଫଳତା ହାସଲ କରିପାରିଛନ୍ତି। ଏ ପରିପ୍ରେକ୍ଷୀରେ ବାମ ସାମ୍ମୁଖ୍ୟର ‘ଅପରେସନ୍ ବରଗା’ ନାମରେ ଜମି ମାଲିକାନା ପ୍ରସଙ୍ଗ ପରି ବିଜେପି ଦ୍ବାରା ରୋଷେଇ ଗ୍ୟାସ ଓ ମାଗଣା ରାସନ ଯୋଜନା ପ୍ରବର୍ତ୍ତନ କରାଯାଇଛି। ଏହାକୁ ଦର୍ଶାଇ ନିର୍ବାଚନ ବେଳେ ସତ୍ତାଧାରୀ ଦଳ, ଏକ ସମର୍ଥ ସରକାର ବୋଲି ଦାବି କରୁଛି।
ଅତୀତର ପଶ୍ଚିମବଙ୍ଗ ଓ ବର୍ତ୍ତମାନର ଭାରତ ମଧ୍ୟରେ ରହିଥିବା ଏହି ସବୁ ରାଜନୈତିକ ସମାନ୍ତରଗୁଡ଼ିକ ପ୍ରଣିଧାନଯୋଗ୍ୟ। ଅବଶ୍ୟ ନିଶ୍ଚିତ ଭାବରେ କିଛି ଗୁରୁତ୍ବପୂର୍ଣ୍ଣ ଫରକ ମଧ୍ୟ ରହିଛି। ଜ୍ୟୋତି ବସୁ ଜଣେ ପ୍ରଭାବହୀନ ପ୍ରଶାସକ ଥିଲେ, ମାତ୍ର ନରେନ୍ଦ୍ର ମୋଦୀଙ୍କ ପରି ସେ ନିଜ ପାଇଁ ଏକ ବ୍ୟକ୍ତି ପୂଜାର ପରିସର ତିଆରି କରିବାକୁ ଚାହିଁନଥିଲେ। ବସୁଙ୍କର ଏକ ମୌଳିକ ଶିଷ୍ଟତା ଥିଲା, ଔଚିତ୍ୟର ଏକ ଭାବନା ରହିଥିଲା, ଯାହା ଆମର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଠାରେ ସଂପୂର୍ଣ୍ଣ ଅଭାବ ରହିଛି। ସେହିପରି ବସୁ ସଂଖ୍ୟାଲଘୁମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ପ୍ରତିଶ୍ରୁତିବଦ୍ଧ ଥିଲେ, ଯାହା ମୋଦୀ କେବେ ବି କରିପାରିବେ ନାହିଁ।
ଆଉ ଏକ ପ୍ରମୁଖ ପାର୍ଥକ୍ୟ ହେଉଛି, କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦୀଙ୍କର ବିଜେପି ଦଳ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ହତାଶ କରିବା ଲାଗି ତଦନ୍ତ ସଂଗଠନଗୁଡ଼ିକ ଉପରେ ନିଜର ନିୟନ୍ତ୍ରଣକୁ ବ୍ୟବହାର କରୁଛି। ନିକଟରେ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୪ ପର ଠାରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ବାରା ଗିରଫ ବା ଚଢ଼ଉ ହୋଇଥିବା ରାଜନେତାମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ବିରୋଧୀ ଦଳମାନଙ୍କର। ସ୍ବାଧୀନ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ଡରାଇ ଧମକାଇବା ସହ ସତ୍ୟବାଦୀ ସାମ୍ବାଦିକମାନଙ୍କୁ ଗିରଫ କରି ନିଜ ସପକ୍ଷରେ ରାଜନୈତିକ ବ୍ୟାଖ୍ୟାନ ସୃଷ୍ଟି କରିବା ଏବେ ଅଧିକ ଦେଖିବାକୁ ମିଳୁଛି।
ପଶ୍ଚିମବଙ୍ଗର ଆଧୁନିକ ଇତିହାସ ସ୍ପଷ୍ଟ ଭାବରେ ଦେଖାଇ ଦେଇଛି କି ଏକାଦିକ୍ରମେ ବହୁବାର ବିଧାନସଭା ନିର୍ବାଚନ ଜିତିବା କେବେ ସୁଶାସନ ବା ସାମାଜିକ ସୁସ୍ଥତାର ସୁପରିଣତି ନୁହେଁ। ଯଦି ବିଜେପି ଦେଶକୁ ଆହୁରି ତଳିତଳାନ୍ତ କରି ସାଧାରଣ ନିର୍ବାଚନ ଜିତିବା ଜାରି ରଖେ, ତେବେ ତାହା ମଧ୍ୟ ଆଧୁନିକ ଭାରତର ଇତିହାସର ଅଂଶ ହେବ। ଏଥିରୁ ବୁଝାପଡୁଛି ଯେ କୌଣସି ରାଜ୍ୟରେ ହେଉ ବା ଦେଶରେ ହେଉ; ଦୀର୍ଘ ଦିନ ଧରି ଗୋଟିଏ ଦଳ ନିର୍ବିରୋଧ କ୍ଷମତାରେ ରହିଲେ ତାହା ଦର୍ପ, ଆତ୍ମ ତୁଷ୍ଟି ଓ କୁଶାସନକୁ ଆମନ୍ତ୍ରଣ କରିବ। ତେଣୁ ‘ଯାହା ବେଙ୍ଗଲ ଏବେ ଭାବୁଛି, ଭାରତ ତାହା ଆସନ୍ତା କାଲି ଭାବିବ’ ପରି ଲୋକୋକ୍ତି ପୁଣି ଥରେ ପ୍ରମାଣିତ ହୋଇଛି। ତାହା ପୁଣି ଅଧିକ ଭୟାବହ ଭାବରେ।