ତୁମେ ଆସିଗଲ ଯେ!

ସତ୍ୟନାରାୟଣ ଗନ୍ତାୟତ

‘ତମକୁ ଆମ ଘରକୁ ଡାକିଥାନ୍ତି ଯେ ତମେ କ’ଣ ଆମ ଦୁଆର ମାଡ଼ିବ?’ ବୋଲି ଫୋନ୍‌ରେ କହୁଥିଲି। ଆଉ ତମେ ବି କହୁଥିଲ, ‘ଡାକ କି ନ ଡାକ ଜରୁର୍ ଆସିବି।’

ତେବେ ମୁଁ ଡାକିବି ଡାକିବି ହୋଇ ଡାକି ନ ଥିଲି ଏବଂ ଏବେ ତମେ ଅଚାନକ ଆସିଗଲ ତ ତମକୁ ବସିବାକୁ ଆମ ଘର ଦାଣ୍ଡ ପିଣ୍ଡାକୁ ଡାକିି ନେଲି।

କିନ୍ତୁ ହେଇ, ଦେଖ ଆମ ଗାଁର ଚକରାନା, ଦଣ୍ଡପାଣି, ସର ଦେଈ, ଯମୁନା’ଈମାନେ ଦାଣ୍ଡରେ ଯାଉ ଯାଉ ତମକୁ ଆମ ପିଣ୍ଡାରେ ଦେଖି କେମିତି ଅଟକି ଗଲେଣି!

ତୁମେ ଜାଣିନା ସେମାନଙ୍କୁ! ଜରୁର୍ ପଚାରିବେ: ‘ହଇରେ ସତିଆ, ଇଏ କିଏ କି ରେ? କାଇଁ ଆଗରୁ ତ କେବେ ଦେଖା ହେଇନି? ତୋ ବୋଉ ଆଡ଼ିକା ବନ୍ଧୁ ପରି କାଇଁ ଲାଗୁନି ତ!’ ପୁଣି କହିବେ- ‘ତୋ ବୋଉକୁ ତ ଏ ଘରେ ଠିକଣା ନାଇଁ ଯେ ଏ ବୟସରେ ବି ବିଚାରୀ କେବେ ତା’ ଦେଈ ଘର ତ କେବେ ତୋ ଦେଈ ଘର ହୋଇ ଘୂରି ଘୂରି ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଚି! ଆଉ ତା ଆଡ଼ିକା ଲୋକ ଆସୁଛନ୍ତି? ବାକି ତୋ ବାପ ତ ଏକୁଟିଆ ହୋଇ କାଳକ ବିତାଇ ଦେଲା। ତା ଲୋକ କିଆଁ ତମ ଦୁଆର ମାଡ଼ିବେ? ଜରୁର୍ ତୋ ଶ୍ୱଶୁର ଘର ଲୋକ ହୋଇଥିବେ!’

ଲାଗୁଛି ଏ ସବୁ କଥା ଶୁଣି ତୁମେ ଜରୁର୍ ଠଉରାଉ ସାରିବଣି ଯେ ଏ ସତିଆ ଗୋଟା ପଣେ ମାଇପ ବୋଲକରା ଆଉ ସୁଦ୍ଦୁ ଶ୍ବଶୁର ଘର ପଟିଆ ହୋଇଯାଇଛି! ୟା ପରିଚୟ ‘ଅମୁକେଇଙ୍କ ପୁଅ’ ହୋଇନାହିଁ, ବରଂ ‘ସମୁକେଇଙ୍କ ଜୋଇଁ ପୁଅ’ ହୋଇଯାଇଛି। ଇଏ ବାହା ହେବା ପର ଠୁ ନିଜ ଘରଣୀ ଆଉ ନିଜ ପିଲାଙ୍କୁ ନେଇ ‘ନିଜର ଫ୍ୟାମିଲି’ ଗଢ଼ି ଚଳିବା ଭିତରେ ନିଜ ବାପା ମାଆ ଭାଇ ଭଉଣୀ ଆଦି ପ୍ରିୟଜନମାନଙ୍କୁ ତା ‘ବାପାଙ୍କ ଫ୍ୟାମିଲି’ ଲୋକ ମଣି ସେମାନଙ୍କଠୁ ଯଥା ସମ୍ଭବ ଦୂରେଇ ରହିଛି!

ମୁଁ କିନ୍ତୁ କ’ଣ ଭାବୁଥିବି! ଏତେ ସବୁ ‘ଉପରେ ପଡ଼ି କଖାରୁ ବଡ଼ି’ ଜାତୀୟ ବକବାସ ଶୁଣି ଅଗତ୍ୟା ମୁହଁ ଖୋଲି କହିବି ‘ନା, ଇଏ ପରା ମୋର ଅତି ଆପଣାର ଲୋକ, ଘନିଷ୍ଠ ବନ୍ଧୁ! ଆମ ପରିବାରର ଜଣେ ଭଳି!’

ହେଲେ, ସେମାନେ କୋଉ ସମ୍ଭଳା ପଡ଼ିବା ପ୍ରାଣୀ ଯେ ତୁନି ପଡ଼ନ୍ତେ? ସେମାନେ ଜାଣନ୍ତି ଯେ ସତିଆ ମାଷ୍ଟର ମାମୁଁ ଘର ଗାଁରେ ରହି ପଢ଼ି ମାଷ୍ଟର ଟ୍ରେନିଂ ନେଇ ସାରିବାର ମାସ କେଇଟା ଯାଇଛି କି ନାଇଁ କପାଳ ଜୋରରେ ଗାଁ ସରକାରୀ ଇସ୍କୁଲରେ ଚାକିରି ପାଇଗଲା! ସତିଆର ନାଡ଼ି ନକ୍ଷତ୍ର ସବୁ ସେମାନଙ୍କୁ ଜଣା।

ତେଣୁ ପୁଣି ଜଣେ କହିବ, ‘ଏ ବନ୍ଧୁଟି ଫେର୍ କୋଉ ଆଡ଼ିକା ଲୋକ ବୁଝି ହେଉନି! ଇସ୍କୁଲରେ ତ ୟା ସାଙ୍ଗରେ ଆମ ସଙ୍ଗାତ ଘର ବୋହୂ ଡଲି ମାଷ୍ଟ୍ରାଣୀ ହୋଇଛି। ତାକୁ ଜଣା ଥିବ। ଏହା ଶୁଣି ପୁଣି ଜଣେ କହି ଉଠିବ, ‘କାଇଁ? ଏଇ ଆମ ପୁରୁଣା ସରପଞ୍ଚଙ୍କ ନାତି ଅଜୟ। ସେ ବି ମାଷ୍ଟ୍ର ଅଛି। ସେ ଜାଣିଥିବ ଅବା!’

ଓ‌ହୋଃ, କେତେ କେତେ କଥା? ଭିତର ଉଖାଡ଼ି କେତେ ଜାଣିବାର ଇଚ୍ଛା?

ଭିତରେ ରାଗି ପାଚି ମୁଁ ନାଲ ପଡ଼ି ଯାଉଥିବି କିନ୍ତୁ ବୁଝାଇ ପାରୁ ନ ଥିବି ଯେ ତୁମେ ମୋ ସାରସ୍ବତ ବନ୍ଧୁ! ପିଲା ଦିନୁ ଲେଖାଲେଖି କଲା ଭିତରେ ଓ ପତ୍ର ପତ୍ରିକା ପୃଷ୍ଠାରେ ଛପା ହେବା ଭିତରେ ଆମେ ଦୁହିଁଙ୍କୁ କେବେ ଠୁୁ ଜାଣିଛୁ। ତମେ ରାଜଧାନୀରେ ଅଧ୍ୟାପକ ଓ ମୁଁ ଏଠି ଗାଁ ସ୍କୁଲରେ ଥିବା ସତ୍ତ୍ବେ ସାତଶ ପଞ୍ଚାଶ କୋଶ ଦୂରତା ଆମ ଦୁହିଁଙ୍କୁ ଦୂରେଇ ପାରିନାହିଁ। ଏ କଥା କିଏ ଶୁଣିବ ଆଉ କିଏ ବୁଝିବ? ଖାଲି ପର ଘରେ ମନ ଥିବା ଖୁରିଆ ଲୋକ!

ଏଥର ଅଚାନକ ଆମ ଗାଁକୁ ଆସିଗଲ ଯେ କେତେ ପ୍ରଶ୍ନ ଶୁଣିଲ!

ମୁଁ ତୁମକୁ କହିଲି, ‘ବରଂ ଚାଲ ଯିବା ଆମ ଗାଁର ନୂଆ ସରପଞ୍ଚ ଶେଲୀ ମାଉସୀଙ୍କ ଘରକୁ। ତାଙ୍କ ଘରେ ତୁମ ରହିବା ବ୍ୟବସ୍ଥା କରିଦେବି। ତମ ପରି ଜଣାଶୁଣା ରାଜଧାନିଆ ଲେଖକଙ୍କୁ ଅତିଥି ଭାବେ ପାଇ ସେ ବି କୃତକୃତ୍ୟ ହୋଇଯିବେ। ମୋ ଘରେ ରହିଲେ, ତୁମେ ଥିବା ଯାଏ ତୁମ ସାମନାରେ ଏମିତି ଚାଲିଥିବ। ତୁମେ ଦଣ୍ଡେ ଶାନ୍ତିରେ ରହି ପାରିବ ନାହିଁ। ସରପଞ୍ଚ ଘରେ କେହି ଭରସି‌େବ ନାହିଁ। ଆମ ଗାଁର ୟେ ଗୋଟିଏ ବଡ଼ କେଁ!

କିନ୍ତୁ ତୁମେ ହସିଲ ଏବଂ କହିଲ- କି କଥା କହୁଛ? ତୁମ ଘର ଛାଡ଼ି ପୁଣି ଆଉ କୋଉଠି ରହିବି? ତା ପରେ ମୋ ହାତକୁ ଧରି ପକାଇ କହିଲ- ‘ୟେ ଯୋଉ କଥା ତୁମକୁ ଅବାଗିଆ ଲାଗୁଛି, ମୋ ମନ ମୋହି ନେଉଚି! କେତେ କଥା! କେତେ ପ୍ରଶ୍ନ! କେତେ ଜାଣିବାର ଇଚ୍ଛା! କେତେ ଆଳାପର ସମ୍ଭାବନା! ଆମ ଭଳି ରାଜଧାନିଆମାନେ କେବଳ ନିଃସଙ୍ଗ ନିରବତାରେ କାଳ କାଟି ଥକି ଗଲୁଣି। ତେଣୁ ୟେ ଭାରି ମଜାଦାର ଲାଗୁଛି! ମୁଁ ତୁମ ଠି ରହିବି! ଏମାନଙ୍କ ସାଙ୍ଗେ।

ମୁଁ କିନ୍ତୁ କହି ପାରୁ ନ ଥିଲି- ‘ଭାଇ ମୋତେ କିନ୍ତୁ ଏ ସବୁ ବିଷ ପିତା ଭଳି ଲାଗିଲାଣି! ତୁମେ ଗଲା ପରେ ବି ଏଇ କେଁ ଅନେକ ଦିନ ଧରି କେଁ କେଁ ହୋଇ ବାଜି ଚାଲିଥିବ! ସବୁ ଜାଣିବା ପରେ ବି ସେମାନେ ପଚାରି ଚାଲିଥିବେ, ‘ସେ ଭୁବନେଶ୍ବରରେ ରହନ୍ତି ପରା? ତାଙ୍କ ଘରେ କିଏ କିଏ? ପୁଣି ସେ କେବେ ଆସିବେ?

ମୋ: ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର