ଅବିବାହିତାଙ୍କର ଗର୍ଭପାତ ଅଧିକାର

ସରଳ ବିଚାର - ସରଳ କୁମାର ଦାସ

ସାରା ବିଶ୍ୱରେ ସେପ୍‌ଟେମ୍ବର ୨୮ ଦିନଟିକୁ ‘ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ’ ରୂପେ ପାଳନ କରାଯାଇଥାଏ। ସେହି ଦୃଷ୍ଟିରୁ ସେପ୍‌ଟେମ୍ବର ୨୯, ୨୦୨୨ରେ ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମ୍‌ କୋର୍ଟଙ୍କ ଏକ ତିନିଜଣିଆ ଖଣ୍ଡପୀଠ ଅବିବାହିତା ମହିଳାଙ୍କ ସୁରକ୍ଷିତ ଗର୍ଭପାତ ଅଧିକାର ସମ୍ପର୍କରେ ଦେଇଥିବା ରାୟଟି ହୁଏତ କାକତାଳୀୟ ମନେ ହୋଇପାରେ, ତେବେ ଏହା ଏକ ଯୁଗାନ୍ତକାରୀ ତଥା ଦୂରଦର୍ଶୀ ରାୟ ରୂପେ ବିଭିନ୍ନ ମହଲରେ ପ୍ରଶଂସିତ ହେଉଛି।

ସବୁ ସମୟରେ ଗର୍ଭପାତ ଏକ ବିବାଦୀୟ ବିଷୟ ହୋଇ ରହିଆସିଛି। ଏକ ବ୍ୟକ୍ତିଗତ ପ୍ରସଙ୍ଗ ହୋଇଥିଲେ ବି ଗର୍ଭପାତକୁ ନେଇ ସାଧାରଣ ଲୋକଙ୍କ ମନୋଭାବ ନୈତିକ, ଆବେଗିକ, ଧାର୍ମିକ, ରାଜନୈତିକ ବିଶ୍ୱାସ ଉପରେ ପର୍ଯ୍ୟବସିତ ହୋଇଥାଏ। ଗର୍ଭପାତରେ ମାଆର ସ୍ୱାସ୍ଥ୍ୟ ସୁରକ୍ଷାର ଅଧିକାର ଓ ଅଜାତ ଶିଶୁର ଜୀବନ ଜୀଇଁବାର ଅଧିକାର ଭଳି ଦୁଇଟି ଅବିଚ୍ଛେଦ୍ୟ ଅଧିକାର ପରସ୍ପରର ମୁହାଁମୁହିଁ ହୋଇଥାଆନ୍ତି, ଯେଉଁଥିପାଇଁ ଗର୍ଭପାତକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆଇନ ରହିଛି। ଏବେ ମଧ୍ୟ ବିଶ୍ୱର ୨୪ଟି ଦେଶରେ ଗର୍ଭପାତ ସମ୍ପୂର୍ଣ୍ଣ ରୂପେ ବେଆଇନ ହୋଇଥିବା ବେଳେ ଯେଉଁ ସବୁ ଦେଶରେ ଏହା ବୈଧ ସେଠାରେ ମଧ୍ୟ ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ଲାଗି ଅନୁମତି ମିଳି ନ ଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଗର୍ଭପାତ ଅବୈଧ ଥିବା ଦେଶମାନଙ୍କରେ ମଧ୍ୟ ମହିଳାମାନେ ନିଜ ଆବଶ୍ୟକତାନୁସାରେ ବେଆଇନ ଭାବେ ଗର୍ଭପାତ କରାଇଥାଆନ୍ତି, ଯାହା ଅଧିକ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ହୋଇଥାଏ। ଭାରତରେ କିନ୍ତୁ ଗର୍ଭପାତ ବୈଧ ଏବଂ ଏହା ମେଡିକାଲ ଟର୍ମିନେନ୍‌ସି ଅଫ୍‌ ପ୍ରେଗନାନ୍‌ସି ଆକ୍ଟ (ଏମଟିପି), ୧୯୭୧ ଓ ଏହାର ନିୟମାବଳୀ ଦ୍ୱାରା ନିୟନ୍ତ୍ରିତ। ଏଥିରେ ୨୦ ସପ୍ତାହ ପରେ ଅବିବାହିତାଙ୍କ ଗର୍ଭପାତକୁ ଅନୁମତି ଦିଆଯାଉ ନ ଥିବାରୁ ତାକୁ ବିରୋଧ କରି ରୁଜୁ ହୋଇଥିବା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ରାୟ ବେଶ ଗୁରୁତ୍ୱପୂର୍ଣ୍ଣ।

ନିଜ ପୁରୁଷ ସାଥୀ ବିବାହ କରିବାକୁ ମନା କରିଦେବା ପରେ ଜଣେ ୨୫ ବର୍ଷୀୟା ଅବିବାହିତା ମହିଳା ସମ୍ମତିମୂଳକ ଯୌନସମ୍ପର୍କରୁ ସଞ୍ଚାର ହୋଇଥିବା ଗର୍ଭକୁ ନଷ୍ଟ କରିବାର ଅନୁମତି ପାଇବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳକୁ ମହିଳାଙ୍କର ଗର୍ଭ ୨୨ ସପ୍ତାହର ହୋଇସାରିଥିଲା। ୨୦୨୧ରେ ସଂଶୋଧିତ ହୋଇଥିବା ଏମଟିପି ଆଇନ ଓ ଏହାର ନିୟମାବଳୀ ଅନୁଯାୟୀ ଗର୍ଭପାତର ଅନୁମୋଦନଯୋଗ୍ୟ ସର୍ବୋଚ୍ଚ ସମୟସୀମାକୁ ୨୦ ସପ୍ତାହରୁ ବଢ଼ାଇ ୨୪ ସପ୍ତାହ କରାଯାଇଛି। ଜଣେ ଡାକ୍ତରଙ୍କ ମତରେ ଗର୍ଭଧାରଣ ଯଦି ଜଣେ ମହିଳାଙ୍କ ଜୀବନ ପ୍ରତି ଅଥବା ତାଙ୍କ ମାନସିକ ବା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥାଏ ବା ଶିଶୁଟିର ଅସ୍ୱାଭାବିକତା ସହ ଜନ୍ମ ହେବାର ଆଶଙ୍କା ଥାଏ, ତେବେ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇପାରିବ। ଗର୍ଭଧାରଣର ସମୟ ୨୦ରୁ ୨୪ ସପ୍ତାହ ମଧ୍ୟରେ ହୋଇଥିଲେ ଏଥିପାଇଁ ୨ ଜଣ ଡାକ୍ତରଙ୍କ ମତ ଆବଶ୍ୟକ ହୋଇଥାଏ। ହେଲେ ଏମଟିପି ନିୟମ, ୨୦୦୩ ଅନୁଯାୟୀ କେବଳ ଦୁଷ୍କର୍ମ ପୀଡ଼ିତା, ନାବାଳିକା, ଶାରୀରିକ ଅକ୍ଷମତା ଓ ମାନସିକ ଅନଗ୍ରସରତା ଥିବା ମହିଳା, ଗର୍ଭଧାରଣ କାଳରେ ବିଧବା ହୋଇଥିବା ବା ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ବିପର୍ଯ୍ୟୟ ବା ଆକସ୍ମିକତାର ଶିକାର ମହିଳାମାନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇଥାଏ। ଅବିବାହିତା ମହିଳାମାନଙ୍କୁ ଏହି ନିୟମର ପରିସରଭୁକ୍ତ କରାଯାଇ ନ ଥିବାରୁ ଦିଲ୍ଲୀ ହାଇକୋର୍ଟ ଆବେଦନକାରୀଙ୍କୁ ଜୁଲାଇ ୧୫, ୨୦୨୨ରେ ଗର୍ଭପାତ ପାଇଁ ଅନୁମତି ଦେଇ ନଥିଲେ। ଫଳରେ ତାଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା।

ଏହି ମାମଲାରେ ଆଇନର ବିସ୍ତୃତ ତର୍ଜମାର ଆବଶ୍ୟକତା ଥିବାରୁ ଘଟଣାର ତାତ୍କାଳିକତା ଓ ଗାମ୍ଭୀର୍ଯ୍ୟକୁ ଧ୍ୟାନରେ ରଖି ସୁପ୍ରିମ୍‌ କୋର୍ଟ ପ୍ରଥମେ ସମ୍ପୃକ୍ତ ମହିଳାଙ୍କୁ ଆଇନ ଅନୁଯାୟୀ ଆବଶ୍ୟକ ଡାକ୍ତରୀ ଅନୁମତି ପ୍ରାପ୍ତ କରି ଗର୍ଭପାତ କରାଇବା ପାଇଁ ଜୁଲାଇ ୨୧, ୨୦୨୨ରେ ଅନ୍ତରୀଣ ଆଦେଶ ପ୍ରଦାନ କଲେ। ସୁପ୍ରିମ୍‌ କୋର୍ଟଙ୍କ ସମ୍ମୁଖରେ ମୁଖ୍ୟ ପ୍ରଶ୍ନ ଥିଲା ସମ୍ମତିମୂଳକ ସମ୍ପର୍କରୁ ଜଣେ ଅବିବାହିତା ମହିଳାର ସଞ୍ଚାର ହୋଇଥିବା ଗର୍ଭକୁ ଏମଟିପି ନିୟମର ‘ନିୟମ ୩ବି’ରୁ ବାଦ ଦେବା ବୈଧ କି? ‘ନିୟମ ୩ବି’ରେ ୨୦-୨୪ ସପ୍ତାହର ଗର୍ଭବତୀ ମହିଳାଙ୍କ ଗର୍ଭପାତ ବିଷୟରେ ଉଲ୍ଲେଖ ରହିଛି। ଗର୍ଭପାତ ଆଇନରେ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ହେଉଥିବା ପକ୍ଷପାତିତା ଯୁକ୍ତିଯୁକ୍ତ କି? ଭ୍ରୂଣ ସମ୍ପୂର୍ଣ୍ଣ ରୂପେ ମହିଳାର ଶରୀର ଉପରେ ତିଷ୍ଠି ରହିଥାଏ। ତେଣୁ ଗର୍ଭପାତର ନିଷ୍ପତ୍ତି ମହିଳାଙ୍କ ଶରୀରର ସ୍ୱାୟତ୍ତତାର ଅଧିକାର ଉପରେ ପର୍ଯ୍ୟବସିତ। ଯଦି ରାଷ୍ଟ୍ର ଜଣେ ମହିଳାକୁ ତା’ର ଅବାଞ୍ଛିତ ଗର୍ଭକୁ ଶେଷ ପର୍ଯ୍ୟନ୍ତ ଧାରଣ କରିବାକୁ ବାଧ୍ୟ କରେ ତେବେ ତାହା ତା’ର ମର୍ଯ୍ୟାଦା ଉପରେ ଆକ୍ରମଣ ହୋଇଥାଏ। ଜଣେ ମହିଳାର ପାରିପାର୍ଶ୍ୱିକ ଅବସ୍ଥାରେ ସଂଘଟିତ ପରିବର୍ତ୍ତନ ଓ ତଦ୍‌ଜନିତ ପ୍ରଭାବ ହୁଏତ ତା’ର ବିଳମ୍ୱରେ ଗର୍ଭପାତ ପାଇଁ ନିଷ୍ପତ୍ତି ନେବାର ଅନ୍ୟତମ କାରଣ ହୋଇପାରେ। ତା’ଛଡ଼ା ଚାକିରି ହରାଇବା, ଘରୋଇ ହିଂସାର ଶିକାର ହେବା ଆଦିର ଭୟ ଭଳି କାରଣଗୁଡ଼ିକ ମଧ୍ୟ ଜଣେ ମହିଳାକୁ ଗର୍ଭପାତ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ। ତେଣୁ ଜଣେ ଏକୁଟିଆ ରହୁଥିବା ମହିଳା ବା ଅବିବାହିତା ମହିଳା, କେବଳ ସେ ବିବାହ କରିନାହାନ୍ତି ବୋଲି, ତାଙ୍କୁ ସେହି ସୁବିଧାରୁ ବଞ୍ଚିତ କରିବା ଅର୍ଥ ସମ୍ୱିଧାନର ଅନୁଚ୍ଛେଦ ୧୪ରେ ପ୍ରଦାନ କରାଯାଇଥିବା ସମାନତାର ଅଧିକାରରୁ ବଞ୍ଚିତ କରି ତାଙ୍କ ପ୍ରତି ପକ୍ଷପାତିତା କରିବା।

୨୦୨୧ରେ ଗର୍ଭପାତ ଆଇନରେ ହୋଇଥିବା ସଂଶୋଧନର ନଥିପତ୍ରରୁ ପ୍ରତୀତ ହୁଏ ଯେ ସଂସଦ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ବାଛବିଚାର କରିବା ସପକ୍ଷରେ ଆଦୌ ନ ଥିଲା ବୋଲି କୋର୍ଟଙ୍କ ଧାରଣା। କୋର୍ଟଙ୍କ ମତରେ ‘ଅନୁଚ୍ଛେଦ ୨୧ (ଜୀବନ ଧାରଣର ଅଧିକାର)ରେ ଥିବା ପ୍ରଜନନ ସ୍ୱାୟତ୍ତତା, ମର୍ଯ୍ୟାଦା ଓ ଗୋପନୀୟତାର ଅଧିକାର ଜଣେ ବିବାହିତା ମହିଳାକୁ ସନ୍ତାନ ଧାରଣ କରିବା ବା ନ କରିବାର ନିଷ୍ପତ୍ତି ନେବା ଲାଗି ଯେତିକି ଅଧିକାର ଦେଉଛି ଜଣେ ଅବିବାହିତା ମହିଳାକୁ ମଧ୍ୟ ଠିକ୍ ସେତିକି ଅଧିକାର ଦେଉଛି।’ ତେଣୁ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ‘କୃତ୍ରିମ ପାର୍ଥକ୍ୟ’ ଆଦୌ ଗ୍ରହଣୀୟ ହୋଇ ନ ପାରେ। ଅଧିକନ୍ତୁ ମହିଳାର ସଂଜ୍ଞାକୁ ବିସ୍ତାର କରି ସେଥିରେ ଜନ୍ମରୁ ଝିଅ ହୋଇ ନ ଥିବା ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ କରି ଅଦାଲତ ସେମାନଙ୍କ ଗର୍ଭପାତର ଅଧିକାରକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି।

ସୁପ୍ରିମ୍‌ କୋର୍ଟ ତାଙ୍କ ସୁଦୀର୍ଘ ରାୟରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି। ୧୯୭୧ରେ ଏମଟିପି ଆଇନ ପ୍ରଣୟନ ବେଳେ ଏହା କେବଳ ବିବାହିତା ମହିଳାଙ୍କୁ ଆଖି ଆଗରେ ରଖି କରାଯାଇଥିଲା। ସେତେବେଳେ ସାମାଜିକ ମାନଦଣ୍ଡ ଓ ଆଚାରବିଚାର ଯାହା ଥିଲା ଏଇ ପଚାଶ ବର୍ଷ ଭିତରେ ସେଥିରେ ଯଥେଷ୍ଟ ପରିବର୍ତ୍ତନ ହୋଇସାରିଲାଣି। ସେତେବେଳେ ବୈବାହିକ ସମ୍ପର୍କ ବାହାରେ ଯୌନସମ୍ପର୍କକୁ ସାମାଜିକ ମାନ୍ୟତା ମିଳୁ ନ ଥିଲା। ଏବେ ପୁରଷ ଓ ମହିଳାମାନେ ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ଲିଭ୍‌-ଇନ୍‌ ରିଲେସନରେ ରହିବା କ୍ରମଶଃ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ତେଣୁ ସଙ୍କୁଚିତ ପୁରୁଷତାନ୍ତ୍ରିକ ନିୟମାନୁସାରେ ‘ଅନୁମୋଦିତ ଯୌନସମ୍ପର୍କ’ର ସଂଜ୍ଞା ନିରୂପିତ ହୋଇ ଆଇନରେ ପରିଣତ ହୋଇପାରିବ ନାହିଁ। ଆଇନର ତର୍ଜମା କଲାବେଳେ ସାମାଜିକ ମାନଦଣ୍ଡରେ ପରିବର୍ତ୍ତନକୁ ଧ୍ୟାନରେ ରଖାଯିବା ଦରକାର ବୋଲି କୋର୍ଟଙ୍କ ମତ। ବୈବାହିକ ଦୁଷ୍କର୍ମ (ମେରିଟାଲ ରେପ୍)ର ବାସ୍ତବତାକୁ ଗ୍ରହଣ କରି କୋର୍ଟ ରାୟ ଦେଇଛନ୍ତି ଯେ ସ୍ୱାମୀ ବଳପ୍ରୟୋଗ କରି ଯୌନସମ୍ପର୍କ ସ୍ଥାପନ କଲେ ବିବାହିତା ମହିଳାଙ୍କର ଗର୍ଭପାତର ଅଧିକାର ରହିବ। ଏହି ରାୟରେ ମହିଳାଙ୍କ ନିଜସ୍ୱ ନିଷ୍ପତ୍ତିକୁ ସର୍ବାଧିକ ଗୁରତ୍ୱ ଦିଆଯାଉଥିବାରୁ ପ୍ରଜନନ ଅଧିକାରରେ ଗର୍ଭନିରୋଧ ଓ ଯୌନ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଶିକ୍ଷା ଓ ତଥ୍ୟ ହାସଲର ଅଧିକାରକୁ ବି ରେଖାଙ୍କିତ କରାଯାଇଛି। ଦୁଷ୍କର୍ମ ଜନିତ ଗର୍ଭପାତ ପାଇଁ ମହିଳାଙ୍କୁ ତାଙ୍କ ପ୍ରତି ଯୌନ ଆକ୍ରମଣ, ଦୁଷ୍କର୍ମ ବା ବ୍ୟଭିଚାର ହୋଇଛି ବୋଲି ପ୍ରମାଣିତ କରିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କୁ ସୁରକ୍ଷିତ ଯୌନାଚାର ସମ୍ପର୍କରେ ଶିକ୍ଷିତ କରିବାର ଦାୟିତ୍ୱ ମଧ୍ୟ ସରକାରଙ୍କର ବୋଲି କୋର୍ଟ ମତ ଦେଇଛନ୍ତି।

ଆମେରିକା ଭଳି ଏକ ବିକଶିତ ଦେଶରେ ସେଠାକାର ସୁପ୍ରିମ୍‌ କୋର୍ଟ ମାତ୍ର ୩ ମାସ ତଳେ ମହିଳାଙ୍କ ଗର୍ଭପାତ ଅଧିକାରକୁ ଅଗ୍ରାହ୍ୟ କରି ଏକ ପଶ୍ଚାତ୍‌ମୁଖୀ ରାୟ ପ୍ରଦାନ କରିଛନ୍ତି। ଅନ୍ୟ ପକ୍ଷରେ ଭାରତ ଭଳି ଏକ ରୂଢ଼ିବାଦୀ ସମାଜରେ ସୁପ୍ରିମ୍‌ କୋର୍ଟଙ୍କ ଏହି ଉଦାରବାଦୀ ରାୟଟି ବିଭିନ୍ନ ଦୃଷ୍ଟିରୁ ବିଶ୍ୱର ଅନେକ ଦେଶଙ୍କ ପାଇଁ ପଥ ପ୍ରଦର୍ଶକ ସାବ୍ୟସ୍ତ ହୋଇପାରେ। ଏ ସଂକ୍ରାନ୍ତୀୟ ଆମେରିକାର ସୁପ୍ରିମ୍‌ କୋର୍ଟଙ୍କ ରାୟ ସମ୍ପର୍କରେ ଜାଣିବା ପୂର୍ବରୁ ସେଠାରେ ମହିଳାଙ୍କ ଗର୍ଭପାତ ଅଧିକାରର ଐତିହାସିକ ପୃଷ୍ଠଭୂମି ଥିବା ‘ରୋ ବନାମ ୱେଡ’ ମାମଲାର ଅବତାରଣା ଆବଶ୍ୟକ। ୧୯୬୯ରେ ଆମେରିକାର ଟେକ୍ସାସ୍‌ ରାଜ୍ୟର ୨୧ ବର୍ଷୀୟା ଯୁବତୀ ଜେନ ରୋ ତାଙ୍କର ଅବାଞ୍ଛିତ ଗର୍ଭ ନଷ୍ଟ କରିବାକୁ ଚାହିଁଲେ। ସେତେବେଳେ ଟେକ୍ସାସ ସମେତ ଆମେରିକାର ଅଧିକାଂଶ ରାଜ୍ୟରେ ଗର୍ଭପାତ ଅବୈଧ ଥିଲା। ଟେକ୍ସାସ ଆଇନ ଅନୁସାରେ କେବଳ ମହିଳାଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ଗର୍ଭପାତ ବୈଧ ଥିଲା। ରୋଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ହେଉ ନଥିବାରୁ ସେ ବେଆଇନ ଭାବେ ଗର୍ଭପାତ କରିବାର ଅସଫଳ ପ୍ରୟାସ କଲେ। ଫଳରେ ତାଙ୍କୁ ଯେଉଁ ଦୁଇଜଣ ଆଟୋର୍ନିଙ୍କ ସାମନା କରିବାକୁ ପଡ଼ିଲା ସେମାନଙ୍କ ମଧ୍ୟରେ ଜଣେ ଥିଲେ ଡିଷ୍ଟ୍ରିକ ଆଟୋର୍ନି ହେନରି ୱେଡ, ଯେ ଟେକ୍ସାସର ଗର୍ଭପାତ ଆଇନକୁ କାର୍ଯ୍ୟକାରୀ କରି ରୋଙ୍କୁ ଦଣ୍ଡିତ କଲେ। ମାମଲାଟି ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା। ଶେଷରେ ଆମେରିକା ସୁପ୍ରିମ୍‌ କୋର୍ଟ ଜାନୁଆରି ୨୨, ୧୯୭୩ରେ ଟେକ୍ସାସ ଆଇନକୁ ବାତିଲ କରି ଗର୍ଭପାତକୁ ବୈଧ ବୋଲି ଘୋଷଣା କଲେ। କୋର୍ଟଙ୍କ ଅନୁସାରେ ସମ୍ୱିଧାନର ଚତୁର୍ଦ୍ଦଶ ସଂଶୋଧନ ଅନୁଯାୟୀ ଜଣେ ମହିଳାଙ୍କ ଗୋପନୀୟତାର ଅଧିକାର ରାଜ୍ୟର ଗର୍ଭପାତକୁ ନିଷେଧ କରିବାର ଅଧିକାରକୁ ଅତିକ୍ରମଣ କରିଥାଏ।

୧୯୯୨ରେ ‘ପ୍ଲାନଡ୍ ପ୍ୟାରେଣ୍ଟହୁଡ୍‌ ବନାମ କ୍ୟାସି’ ମାମଲାରେ ମଧ୍ୟ କୋର୍ଟ ଗର୍ଭପାତ ଅଧିକାର ସପକ୍ଷରେ ରାୟ ଦେଇଥିଲେ। ହେଲେ ଜୁନ୍‌ ୨୦୨୨ରେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ ମାମଲା ଦୁଇଟିର ରାୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇ ମହିଳା ଅଧିକାରକୁ ଯଥେଷ୍ଟ କାଣ୍ଟଛାଣ୍ଟ କରିଛନ୍ତି। ଏଣିକି ଗର୍ଭପାତ ମହିଳାଙ୍କ ପାଇଁ ଆଉ ଏକ ମୌଳିକ ଅଧିକାର ହୋଇ ରହି ନଥିବାରୁ ଆମେରିକାର ରାଜ୍ୟଗୁଡ଼ିକ ଗର୍ଭପାତ ସଂକ୍ରାନ୍ତୀୟ ନିଜ ନିଜ ଆଇନ ପ୍ରଣୟନ କରିବାକୁ ସ୍ବାଧୀନ। ଗତ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଆମେରିକାରେ ମହିଳାମାନେ ଉପଭୋଗ କରିଆସୁଥିବା ଗର୍ଭପାତ ଅଧିକାର ହଠାତ୍ ସେମାନଙ୍କ ନିକଟରୁ ଛଡ଼ାଇ ନିଆଯାଇଥିବାରୁ ସେଠାରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏପରିକି ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କଠାରୁ ଆରମ୍ଭ କରି ଅନେକ ବୁଦ୍ଧିଜୀବୀ ମଧ୍ୟ ସେଠାକାର ସୁପ୍ରିମ୍‌ କୋର୍ଟଙ୍କ ରାୟର କଡ଼ା ନିନ୍ଦା କରୁଛନ୍ତି। ପ୍ରାୟ ଏକା ସମୟରେ ଆମେରିକୀୟ ମହିଳାମାନେ ଗର୍ଭପାତର ଅଧିକାର ଭଳି ଏକ ମୌଳିକ ଅଧିକାରକୁ ହରାଇ ବସିଥିବା ବେଳେ ଭାରତୀୟ ମହିଳାମାନଙ୍କ ଏ ସଂକ୍ରାନ୍ତୀୟ ଅଧିକାର ଏଠାକାର ସୁପ୍ରିମ୍‌ କୋର୍ଟଙ୍କ ରାୟ ଯୋଗୁଁ ଆହୁରି ସଶକ୍ତ ହୋଇଛି। ଏଥିରୁ ସ୍ପଷ୍ଟ ଯେ ଭାରତୀୟ ସୁପ୍ରିମ୍‌ କୋର୍ଟ ଗର୍ଭପାତ ଭଳି ଏକ ସମ୍ୱେଦନଶୀଳ ମାମଲାରେ ଏକ ପରିପକ୍ୱ ଦୃଷ୍ଟିକୋଣ ପ୍ରଦର୍ଶନ କରିଛନ୍ତି।

ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ଯୋଗୁଁ ମହିଳାମାନଙ୍କ ବୈବାହିକ ସ୍ଥିତି ଯାହା ହୋଇଥାଉ ନା କାହିଁକି ଉଭୟ ବିବାହିତା ଓ ଅବିବାହିତା ମହିଳାମାନେ ସୁରକ୍ଷିତ ଓ ବୈଧ ଗର୍ଭପାତର ଅଧିକାର ପାଇପାରିଲେ। ଦେଶରେ ଅନେକ ଅସୁରକ୍ଷିତ ଗର୍ଭପାତ କରାଯାଇ ବହୁ ସଂଖ୍ୟାରେ ମହିଳା ଅସୁସ୍ଥତା ଓ ମୃତ୍ୟୁର ଶିକାର ହେଉଥିବାରୁ ତା’ ଉପରେ ନିୟନ୍ତ୍ରଣ ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦୀମାନେ ମହିଳାମାନଙ୍କ ନିକଟରେ ଗର୍ଭପାତର ବୈଧତା ସମ୍ପର୍କିତ ସୂଚନାକୁ ପହଞ୍ଚାଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ତଦ୍ଦ୍ୱାରା ସେମାନେ ସରକାରୀ ଅନୁମୋଦିତ କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ଭାବେ ଗର୍ଭପାତ କରାଇପାରିବେ ଓ ଅବୈଧ ଭାବେ ଚାଲିଥିବା ଅସୁରକ୍ଷିତ ଗର୍ଭପାତ ଉପରେ ରୋକ ଲାଗିପାରିବ। ସୁପ୍ରିମ୍‌ କୋର୍ଟଙ୍କ ରାୟରୁ ଗୋଟିଏ କଥା ସ୍ପଷ୍ଟ ଯେ ଜଣେ ମହିଳାର ଶରୀର ଉପରେ ଏକମାତ୍ର ତା’ର ଅଧିକାର ରହିଛି। ଗର୍ଭପାତ ତା’ ପାଇଁ ଏକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ହୋଇଥିବାରୁ ସେହି ନିଷ୍ପତ୍ତି ନେବା ବା ନ ନେବାର ସ୍ୱାଧୀନତା ବି କେବଳ ତା’ର ହେବା ବାଞ୍ଛନୀୟ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର