ଚାରି ପାଞ୍ଚ ଦଶନ୍ଧି ଆଗରୁ ଆମର ଗ୍ରାମ୍ୟ ଓ ସହରୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ଗଳିକନ୍ଦିରେ ଦିଶୁଥିଲେ ତଥାକଥିତ ପାଗଳମାନେ। ନିଜର ଛିଣ୍ଡା ମଇଳା ପରିଧାନ, ଆଲୁରୁ ବାଲୁରୁ କେଶରାଶି ଓ କାଖରେ ଜକା ସମସ୍ତ ଅସ୍ଥାବର ସମ୍ପତ୍ତିର ବୁଜୁଳାଟି ସହ ପାଗଳଟିଏ ସାହିରେ ଇତସ୍ତତଃ ବୁଲୁଥିବା ଦୃଶ୍ୟ ଭିତରେ ଲୋକେ କିଛି ଅସ୍ୱଭାବିକତା ଦେଖିପାରୁ ନଥିଲେ। ପାଗଳଟି ଥିଲା ସାହିର ମନ୍ଦିର, ଗାଁର ବରଗଛ ଇତ୍ୟାଦି ଭଳି ଦୃଶ୍ୟପଟର ଏକ ଅପରିହାର୍ଯ୍ୟ ଅଂଶ। ତାକୁ ସାହିର ଲୋକେ ବିଶେଷ ଏକ ବିଚ୍ୟୁତି ବା ଝାମେଲା ବୋଲି ନ ଭାବି ସାମୂହିକ ଜୀବନର ସ୍ରୋତରେ ସାମିଲ କରିନେଉଥିଲେ। ସମୟ ସମୟରେ ସେ ତା’ର ଅସୁସ୍ଥ ମାନସିକତା ଯୋଗୁଁ କରୁଥିବା ଦୁଷ୍ଟାମୀ ବା କୋଳାହଳକୁ ଉଦାର ମନରେ ସହିଯାଉଥିଲେ ଓ ବେଳେ ବେଳେ ପୁଣି ତା’ ସାଙ୍ଗରେ ହସ କୌତୁକରେ ମାତି ଯାଉଥିଲେ।
ସବୁ ପାଗଳଙ୍କର କିଛି ଗୋଟିଏ ‘ଇତିହାସ’ ଥାଏ ଯାହା ମୁଖ୍ୟତଃ ମନଗଢ଼ା ହିଁ ହୋଇଥାଏ। ପାଗଳଟି ପ୍ରାୟତଃ ନିଜ ଗାଁ ବା ପାଖ ସାହିର ହୋଇଥିବାରୁ ତା’ର ଅତୀତକଥା ପ୍ରାୟ ସମସ୍ତଙ୍କୁ ଜଣାଥାଏ ଓ ସେଥିରେ କିଛି ନୂଆ ତଥ୍ୟ ମିଶାଇ ତାକୁ ରୋଚକ କରିବାକୁ ଭଲ ପାଆନ୍ତି ସମସ୍ତେ। ଏମିତି ଏକ ଲୋକପ୍ରିୟ ‘ଇତିହାସ’ ଅନୁସାରେ କିଛି ପାଗଳ ପିଲାଦିନେ ଖୁବ ମେଧାବୀ ଥିଲେ ଓ ଅଧିକ ପଢ଼ାପଢ଼ି ଯୋଗୁଁ ସେମାନେ ତାଙ୍କର ମାନସିକ ସନ୍ତୁଳନ ହରାଇବସିଛନ୍ତି। ଏହି ଗୋଷ୍ଠୀର ପାଗଳମାନେ ତାଙ୍କ ବିଷୟରେ ଲୋକଙ୍କ ଧାରଣାକୁ ଦୃଢ଼ୀଭୂତ କରିଦିଅନ୍ତି ଯେତେବେଳେ ସ୍କୁଲକୁ ଯାଉଥିବା ପିଲାମାନଙ୍କୁ ଅଟକାଇ ସେମାନେ ବୀଜଗଣିତର ଗୋଟିଏ ସମୀକରଣ ବା ଇଂରେଜୀ ବ୍ୟାକରଣର ଏକ ପ୍ରୟୋଗ ବିଷୟରେ ପଚାରି ପକାନ୍ତି। ସେମାନେ ଗାଁ ବା ସାହିକୁ କେହି ବଡ଼ ବଡ଼ିଆ ଲୋକ ପହଞ୍ଚିଲେ ତାଙ୍କ ସାଙ୍ଗରେ ହିନ୍ଦୀ ବା ଇଂରାଜୀରେ କଥା କହିବା ଆରମ୍ଭ କରିଦିଅନ୍ତି ଓ ଦେଖଣାହାରୀଙ୍କ ପାଇଁ ମନୋରଞ୍ଜନ ସୃଷ୍ଟି କରନ୍ତି। ଆଉକିଛି ପ୍ରଗଳ୍ଭମାନଙ୍କ ଅତୀତ ବିଷୟରେ ଏହା ମଧ୍ୟ ଶୁଣାଯାଏ ଯେ ବଡ଼ ଘରେ ଜନ୍ମ ନେଇଥିଲେ ହେଁ ଅତି ଛୋଟବେଳୁ ସାବତ ମା’ର କଷଣ ସହି ନ ପାରି ସେମାନେ ପାଗଳ ହୋଇଯାଇଛନ୍ତି।
ନିଜର ଧୀଶକ୍ତିର ତାଡ଼ନା ହେଉ କି ବିମାତାର ଗଞ୍ଜଣା ହେଉ, ଉଭୟ ପରିସ୍ଥିତି ଜଣେ ବାଳୁତ ପ୍ରତି ବିଧାତାର ଚରମ ଅନ୍ୟାୟ- ଏମିତି ଏକ ଧାରଣା ଗାଁବାସୀ, ବିଶେଷ କରି ମାତୃସ୍ଥାନୀୟ ସ୍ତ୍ରୀଲୋକମାନଙ୍କ ମନରେ ଦୟା ଓ କରୁଣା ଉଦ୍ରେକ କରୁଥିଲା। ଏହି ସାମୂହିକ ସହାନୁଭୂତି ହିଁ ସେହି ଦୁର୍ଭାଗାମାନଙ୍କୁ ସାମାଜିକ ଜୀବନର ଏକ ଅଙ୍ଗ କରି ତୋଳୁଥିଲା ଓ ହୁଏତ ସେମାନଙ୍କର ମାନସିକ ଅସୁସ୍ଥତାକୁ ବିକୃତିର ଚରମ ପର୍ଯ୍ୟାୟକୁ ଖସିଯିବାକୁ ଦେଉ ନଥିଲା। ସେଦିନର ଗାଁ ସାହିର ପାଗଳ ଚରିତ୍ରମାନଙ୍କୁ ଦେଖିଲେ ମନେ ହେଉଥିଲା ସେମାନେ ଯେମିତି ଏହି ସୌହାର୍ଦ୍ଦ୍ୟ ଯୋଗୁଁ ବିଶେଷ ଉପକୃତ ହେଉଥିଲେ।
ଖାଲି କ’ଣ ଆମର ଗାଁ ଦାଣ୍ଡ ଓ ସାହି ରାସ୍ତା? ପାଗଳଙ୍କ ଆଦର ରଙ୍ଗମଞ୍ଚ, ଚଳଚ୍ଚିତ୍ର ଓ ସାହିତ୍ୟରେ ମଧ୍ୟ କିଛି କମ୍ ନଥିଲା। କିଛି ବର୍ଷ ଆଗରୁ ନାଟକ ଗୁଡ଼ିକରେ ପ୍ରାୟ ଏକ ପାଗଳ ଚରିତ୍ର ଦେଖିବାକୁ ମିଳୁଥିଲା। କାହାଣୀର ମୁଖ୍ୟଧାରାର ଅଂଶ ନହେଲେ କ’ଣ ହେଲା, ଏହି ପାଗଳ ଚରିତ୍ରର ବିଳାପ ବା ଘାଗଡ଼ା ସ୍ୱରରେ ଗାଉଥିବା ଗୀତ ଜରିଆରେ ନାଟ୍ୟକାର ଜୀବନର କେତୋଟି ନିରାଟ ସତ୍ୟକୁ ଦର୍ଶକ ତଥା ଅନ୍ୟ ଚରିତ୍ରମାନଙ୍କ ପାଖରେ ପହଞ୍ଚାଇ ଦେଉଥିଲେ। ପାଗଳର ଯୁକ୍ତିଯୁକ୍ତ ସଂଳାପ ହିଁ ସୂଚେଇ ଦେଉଥିଲା ସମାଜରେ ଉଚ୍ଚ ଆସନରେ ବସିଥିବା ତଥାକଥିତ ନ୍ୟାୟବନ୍ତ ବ୍ୟକ୍ତିମାନଙ୍କର ଚିନ୍ତାଧାରାର ବିକୃତି। ଜୀବନର ବିଡ଼ମ୍ବନା ଓ ନାଟକୀୟତା ପ୍ରକାଶ କରିବାରେ ପାଗଳ ଚରିତ୍ରଟି ଗୋଟିଏ ଉପଯୋଗୀ ସାଧନ ଥିଲା। ‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରରେ ମନ୍ଦିର ଆଡ଼କୁ ଗୋଡ଼ ଲମ୍ବାଇ ଶୋଇଥିବାରୁ ପାଗଳଟିଏ ଜଣେ ବଡ଼ ବଡ଼ିଆଙ୍କ ଦ୍ୱାରା ଭର୍ତ୍ସିତ ହୋଇ କେଉଁ ଦିଗରେ ଦିଅଁ ନାହାନ୍ତି ତାହା ତାକୁ ଦେଖାଇଦେବାକୁ ଦାବି କଲାବେଳେ ହୁଏତ ତଥାକଥିତ ସୁସ୍ଥ ସମାଜ ପ୍ରତି କରିଥିଲା ଏକ ଶକ୍ତ କଟାକ୍ଷ।
ବିଶ୍ୱ ସାହିତ୍ୟରେ ମଧ୍ୟ ପାଗଳ ଓ ପାଗଳାମିକୁ ନେଇ ଅନେକ କାଳଜୟୀ ସାହିତ୍ୟର ସୃଷ୍ଟି। ସେକ୍ସପିଅରଙ୍କ ଏକ ବିଖ୍ୟାତ ସୃଷ୍ଟି ‘କିଙ୍ଗ ଲିଅର’ରେ ମୁଖ୍ୟ ଚରିତ୍ର ବାର୍ଦ୍ଧକ୍ୟ, ଅହଂକାର ଓ ମଣିଷ ଚରିତ୍ରକୁ ପରଖିବାରେ ଅପରିଣାମଦର୍ଶିତା ଯୋଗୁଁ ମାନସିକ ବିକାରଗ୍ରସ୍ତ ହେଇଯାଉଛନ୍ତି ଓ ଶେଷରେ ସେହି ଅବସ୍ଥାରେ ହିଁ ଅନୁଭବ କରିଛନ୍ତି ଜୀବନର ମୌଳିକ ସତ୍ୟ। ସେମିତି ସର୍ଭାଣ୍ଟିଜଙ୍କ ଉପନ୍ୟାସ ‘ଡନ କିହୋଟେ’ର ମୁଖ୍ୟ ଚରିତ୍ର ଦେଖୁଥିବା ଓ ଶୁଣୁଥିବା କଥାକୁ ବିଶ୍ୱାସ ନକରି ନିଜର କଳ୍ପନାରେ ସବୁବେଳେ ମଜ୍ଜି ରହୁଥିଲେ ଏବଂ ପାଠକକୁ ବାସ୍ତବ ଓ କଳ୍ପନାର ମଝାମଝି ଏକ ଧୂସର ଦୁନିଆକୁ ନେଇଯାଉଥିଲେ।
ଦିନେ ଆମର ଗାଁଦାଣ୍ଡ ତଥା ଆମର ସାମାଜିକ ଓ ସାଂସ୍କୃତିକ ଦୁନିଆରେ ଚଳପ୍ରଚଳ ହେଉଥିବା ଏହି ପାଗଳ ଚରିତ୍ରମାନେ ଆଜି ଗଲେ କୁଆଡ଼େ? ଆପଣ କ’ଣ ଆଜି ବାହାରେ ପାଗଳମାନଙ୍କୁ ଆଗଭଳି ଦେଖିବାକୁ ପାଉଛନ୍ତି? ସେମାନେ ଦେଖାଯାଉନାହାନ୍ତି ବୋଲି ଆମେ କ’ଣ ଧରିନେବା ଯେ ଆମ ସମାଜରେ ମାନସିକ ବିକୃତିର ହାର କମି ଯାଇଛି? କଦାପି ନୁହେଁ, କାରଣ ତାହା ହୋଇଥିଲେ ଡାକ୍ତରୀ ଗବେଷଣା ଓ ସରକାରୀ ପରିସଂଖ୍ୟାନରେ ତାହା ଚହଳ ସୃଷ୍ଟି କରିଥାଆନ୍ତା। ହୁଏତ ତା’ର କାରଣ ହୋଇପାରେ ଆଜିର ସମାଜ ପାଗଳମାନଙ୍କୁ ପୂର୍ବଭଳି ନିଜ ଭିତରେ ସାମିଲ କରିବାକୁ ରାଜି ନ ଥିବାରୁ ସେମାନେ ଚିକିତ୍ସାଳୟ, ପାଗଳ ଗାରଦ କିମ୍ବା କେଉଁ କାଳ କୋଠରି ଭିତରେ ବିଷାଦର ଜୀବନ ବିତାଉଛନ୍ତି। ସେଇଥିପାଇଁ ତ କେହି କେହି ନିଜ ଘରେ ବର୍ଷ ବର୍ଷ ଧରି ଶୃଙ୍ଖଳ ଦ୍ୱାରା ଆବଦ୍ଧ ହୋଇ ନିର୍ଯାତିତ ହେଉଥିବାର ଖବର ପଦାକୁ ଆସେ। ସମାଜର ଏହି ହତାଦର ଯୋଗୁଁ କାଲିର ସ୍ନେହୀ ପାଗଳମାନେ ଆଜି ଯେଉଁ ନିଃସଂଗତା ଓ ନିର୍ଯାତନାର ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ତାହା ହୁଏତ ସେମାନଙ୍କୁ ‘ମେଣ୍ଟାଲ’, ‘ସାଇକୋ’ କିମ୍ବା ‘ସିରିଆଲ କିଲର’ ରୂପରେ ପରିବର୍ତ୍ତିତ କରୁଛି। ସମୟ ସମୟରେ ଆମ ଆଖପାଖରେ ଘଟୁଥିବା ଅବିଶ୍ୱସନୀୟ ଅଥଚ ଲୋମହର୍ଷଣକାରୀ ଅପରାଧ ପଛରେ ହୁଏତ ରହିଛି ଏହି ଭୟଙ୍କର ରୂପାନ୍ତର।
ମୋ: ୯୪୩୭୦୮୯୬୫୫
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/middile.jpg)