୨୦୨୪ର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଯୁବରାଜ ରାହୁଳ ଗାନ୍ଧୀ ଦଳର ହୃତ ଚମକ ଫେରାଇ ଆଣିବା ଲାଗି ‘ଭାରତ ଯୋଡ଼’ ପଦଯାତ୍ରା ଆରମ୍ଭ କରି ଦେଇଛନ୍ତି। ଦକ୍ଷିଣ ଭାରତର ରାଜରାସ୍ତାରେ ରାହୁଳଙ୍କ ନେତୃତ୍ବର ପ୍ରଭାବ ଦୃଷ୍ଟିଗୋଚର ହେଉଛି। କିନ୍ତୁ ଅପରପକ୍ଷେ ଦିଲ୍ଲୀରେ, କଂଗ୍ରେସ କ୍ଷମତାର ହୃଦ୍-ସ୍ଥଳରେ ଗାନ୍ଧୀ ପରିବାର ବା ହାଇକମାଣ୍ଡଙ୍କ କର୍ତ୍ତୃତ୍ବକୁ ଧକ୍କା ଲାଗିଲା ଭଳି ଘଟଣାମାନ ଘଟିଛି। ତେଣୁ କଂଗ୍ରେସ ଉପରେ ଗାନ୍ଧୀ ପରିବାରର ନିୟନ୍ତ୍ରଣ ଦୋଦୁଲ୍ୟମାନ ବୋଲି ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବେଶ୍ କିଛି ଦିନ ଧରି ଗାନ୍ଧୀ ପରିବାରର କର୍ତ୍ତୃତ୍ବ ଦଳ ମଧ୍ୟରେ ଆହ୍ବାନର ସମ୍ମୁଖୀନ ହେଲାଣି। ୨୦୨୦ ମସିହା ଅଗଷ୍ଟ ମାସେର ଜି-୨୩ ବା ‘ଗ୍ରୁପ୍ ଅଫ୍ ଟ୍ବେଣ୍ଟି ଥ୍ରି’ ଭାବେ ପରିଚିତ ୨୩ ଜଣିଆ ଅସନ୍ତୁଷ୍ଟ ଗୋଷ୍ଠୀ ଏକ ଚିଠି ଲେଖି ଗାନ୍ଧୀ ପରିବାରର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଦଳର ନେତା ଥିଲେ ଏକଦା ଗାନ୍ଧୀ ପରିବାରର ଅତ୍ୟନ୍ତ ଅନ୍ତରଙ୍ଗ ଥିବା ଗୁଲାମନବୀ ଆଜାଦ। ଇତିମଧ୍ୟରେ ‘ଜି-୨୩’ରୁ ଆଜାଦ ଏବଂ କପିଳ ଶିବଲ କଂଗ୍ରେସ ପରିତ୍ୟାଗ କରି ସାରିଛନ୍ତି। ଅବଶ୍ୟ, ଏହି ଦଳର ଅବଶିଷ୍ଟ ସଦସ୍ୟ ଦଳ ଭିତରେ ଅପାଂକ୍ତେୟ ହୋଇ ପଡ଼ି ରହିଥିବାରୁ କେହି କେହି ପଚାରି ପାରନ୍ତି ଯେ ଗାନ୍ଧୀ ପରିବାର ବିରୋଧରେ ସ୍ବର ଉତ୍ତୋଳନ ଯଦି ଏହି ଭଳି ଦଶା ସୃଷ୍ଟି କରେ, ତେବେ ଗାନ୍ଧୀ ପରିବାରର କର୍ତ୍ତୃତ୍ବ ଫିକା ପଡ଼ିଲାଣି ବୋଲି କହିବା କେମିତି? କିନ୍ତୁ କଥା ହେଲା, ସେ ପର୍ଯ୍ୟନ୍ତ ଦଳ ମଧ୍ୟରେ ଗାନ୍ଧୀ ପରିବାର ବିରୋଧରେ ବରିଷ୍ଠ ନେତାମାନଙ୍କ ଏଭଳି ଉଚ୍ଚ ସ୍ବର ପୂର୍ବରୁ ଶୁଭୁ ନ ଥିଲା! ତେଣୁ ଏଭଳି ସାହସ ଜୁଟାଇବା ମଧ୍ୟ କର୍ତ୍ତୃତ୍ବ ପ୍ରତି ଆହ୍ବାନ ବୋଲି କହିଲେ ଭୁଲ୍ ହେବ ନାହିଁ।
ଏହା ଘଟିବାର ଦୁଇ ବର୍ଷ ପରେ ଏବେ ପୁଣି ଗାନ୍ଧୀ ପରିବାରର କର୍ତ୍ତୃତ୍ବକୁ କ୍ଷୀଣପ୍ରଭ କରିଛନ୍ତିି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍। ନିକଟରେ ଘଟିଥିବା ରାଜସ୍ଥାନ କଂଗ୍ରେସର ‘ତାମସା’ ଉପରେ ଆଉ ଅଧିକ କହିବାର ଆବଶ୍ୟକତା ନାହିଁ। ତେବେ, ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ପ୍ରତିଦ୍ବନ୍ଦ୍ବିତା କରିବା ଏକ ରକମ ଅବଶ୍ୟମ୍ଭାବୀ ହୋଇ ପଡ଼ିଥିବାରୁ ଗେହଲୋଟଙ୍କ ଇଙ୍ଗିତରେ ରାଜସ୍ଥାନ କଂଗ୍ରେସ ବିଧାୟକମାନେ ଏକ ବିଦ୍ରୋହ କଲେ। ସୁତରାଂ, ତାହା ଯେ କଂଗ୍ରେସ ହାଇକମାଣ୍ଡଙ୍କ ଅବମାନନା ଏବଂ ପରୋକ୍ଷରେ ତାଙ୍କୁ ଅମାନ୍ୟ, ଏହା ସ୍ବୀକାର କରିବାରେ ଦ୍ବିଧା ଅଛି କି? ରାଜସ୍ଥାନ ଭଳି ଏକ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଗେହଲୋଟ ବା କାହିଁକି କଂେଗ୍ରସର ଅଧ୍ୟକ୍ଷ ହେବାକୁ ମନ ବଳାନ୍ତେ? କାରଣ ଏକ ମୃତବତ୍ କଂଗ୍ରେସର ଅଧ୍ୟକ୍ଷ ହେବା ଏବଂ ତହିଁରେ ପୁଣି କ୍ଷମତା ବିବର୍ଜିତ ହୋଇ କେବଳ ହାଇକମାଣ୍ଡଙ୍କ ଏକ ‘ରବର ଷ୍ଟାମ୍ପ’ ଭଳି କାମ କରିବା ଗେହଲୋଟଙ୍କ ପସନ୍ଦ ନ ଥିଲା। ଏବେ ସ୍ଥିତି ଏୟା ଯେ ଗେହଲୋଟ କଂଗ୍ରେସ ଅଧ୍ୟକ୍ଷ ଲାଗି ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି, ଏଣେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅମାନ୍ୟ କରିଥିବା ସତ୍ତ୍ବେ ଦଣ୍ଡିତ ବି ହୋଇ ନାହାନ୍ତି। ଏବେ ବି ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦେର ଅଧିଷ୍ଠିତ।
ବୋଧହୁଏ ଏୟା ହୋଇଥିବ ଯେ ଗେହଲୋଟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କ ମନରେ ପଞ୍ଜାବ ବିପର୍ଯ୍ୟୟ କଥା ଉଠିଥିବ। ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁଙ୍କ କାନ କୁହା ଶୁଣି ଗାନ୍ଧୀ ପରିବାର କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ କରିଦେଲେ। କ୍ୟାପଟେନ ଅମରିନ୍ଦର ଥିଲେ ଜଣେ ପୁରୁଖା କଂଗ୍ରେସ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବ। ଅମରିନ୍ଦର ତା’ ପରେ କଂଗ୍ରେସ ପରିତ୍ୟାଗ କଲେ ଏବଂ ଏହା ପରେ ପରେ ହୋଇଥିବା ନିର୍ବାଚନରେ ଶାସନ କରୁଥିବା ଦଳ କଂଗ୍ରେସ ପଞ୍ଜାବରେ ତାର ସତ୍ତା ହରାଇଲା। ଏବେ ଅମରିନ୍ଦର ବିଜେପିରେ ଏବଂ କଂଗ୍ରେସ ଉପରେ ଗାନ୍ଧୀ ପରିବାରର ନିୟନ୍ତ୍ରଣକୁ ଅଧିକ ଶିଥିଳ କରିଥିବାର ଏକ ଦୃଢ଼ ପ୍ରମାଣ ଭାବେ ଅବତୀର୍ଣ୍ଣ।
ଇତିମଧ୍ୟରେ ଗାନ୍ଧୀ ପରିବାର ବା ହାଇକମାଣ୍ଡ ଆହୁରି କେତେକ ବିଦ୍ରୋହ ଦେଖି ସାରିଲାଣି। ରାହୁଳ ଗାନ୍ଧୀଙ୍କର ସର୍ବାଧିକ ଘନିଷ୍ଠ ରୂପେ ପରିଚିତ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁଁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଲା। ସିନ୍ଧିଆ ବିଜେପିରେ ଯୋଗ ଦେଲେ ଏବଂ କେନ୍ଦ୍ର ମନ୍ତ୍ରୀ ହେଲେ। ସେମିତି ରାଜସ୍ଥାନରେ ମଧ୍ୟ ଗାନ୍ଧୀ ପରିବାରର ଅନ୍ୟତମ ଘନିଷ୍ଠ ସଚିନ ପାଇଲଟ ବିଦ୍ରୋହ କରିଥିଲେ, ଯାହାକୁ କୌଣସିମତେ ପ୍ରଶମିତ କରି ଦିଆଯାଇ ପାରିଲା। କିନ୍ତୁ ଏ ସବୁ ସହିତ ପ୍ରମାଣିତ ହୋଇଗଲାଣି ଯେ ଗାନ୍ଧୀ ପରିବାରର ପୂର୍ବ କର୍ତ୍ତୃତ୍ବର ପରାକାଷ୍ଠା ଆଉ ନାହିଁ।
୨୦୨୦ ମସିହାରେ ବିଦ୍ରୋହ କରିଥିବା ‘ଜି-୨୩’ର ନେତାମାନେ ଗାନ୍ଧୀ ପରିବାର ଏବଂ ମୁଖ୍ୟତଃ ରାହୁଳ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ଉପରେ ଆପତ୍ତି ଉଠାଇଥିଲେ। ମୂଳ କଥା ହେଲା ଏବେ କଂଗ୍ରେସ ଦ୍ରୁତ ପତନମୁଖୀ। ଏଭଳି ସ୍ଥଳେ ଦଳର ସର୍ବମାନ୍ୟ କର୍ତ୍ତା ଭାବେ କ୍ଷମତା ଉପଭୋଗ କରୁଥିବା ରାହୁଳ ଦଳର ବିପର୍ଯ୍ୟୟ ନେଇ କୌଣସି ଦାୟିତ୍ବ ମୁଣ୍ଡାଉ ନ ଥିବା ଅନେକ ନେତାଙ୍କ ଲାଗି ଅସନ୍ତୋଷର କାରଣ ହୋଇଛି। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବ ସେ ସମୟରେ କଂଗ୍ରେସରେ ପ୍ରଶ୍ନାତୀତ ଥିଲା; କାରଣ ତାଙ୍କ ନେତୃତ୍ବରେ ଦଳ ବିଜୟ ଲାଭ କରି ଚାଲିଥିଲା ଏବଂ କ୍ଷମତାସୀନ ହେଉଥିଲା। କିନ୍ତୁ ଏବେ ଏକ ପରାଜିତ ଏବଂ ଇଚ୍ଛାଶକ୍ତିଶୂନ୍ୟ ଦଳରେ ପରିଣତ ହୋଇଥିବା କଂେଗ୍ରସ ଠାରୁ ଦଳର ହାଇକମାଣ୍ଡ ସେଭଳି ବଶ୍ୟତା ଆଶା କରିବା ଅପରିଣାମଦର୍ଶିତା ମଧ୍ୟ!