ସ୍ବନକ୍ଷତ୍ରର ଅନୁଚିନ୍ତା

୧୯୮୪ ଅ‌କ୍‌ଟୋବର ୪ ତାରିଖ ବିଜୟା ଦଶମୀ ତିଥିରେ ଜନ୍ମଲାଭ କରିଥିବା ‘ସମ୍ବାଦ’କୁ ଆଜିଠାରୁ ଅଠତିରିଶ ପୂରି ଅଣଚାଳିଶ ଚାଲିବ। ଗତ ଅଠତିରିଶ ବର୍ଷ ମଧ୍ୟରେ ‘ସମ୍ବାଦ’ ଓଡ଼ିଶାର ପୁରପଲ୍ଲୀ, ସ୍ବଦେଶ ଓ ପ୍ରବାସର ଲକ୍ଷ ଲକ୍ଷ ପାଠକପାଠିକାଙ୍କ ସମର୍ଥନ ଲାଭ କରି ନିଜକୁ ଯେ ରାଜ୍ୟର ସର୍ବବୃହତ୍‌ ଏବଂ ସର୍ବାଧିକ ପଠିତ ସମ୍ବାଦପତ୍ର ଭାବେ ପ୍ରତିଷ୍ଠିତ କରିଛି, ଏହା ନିଶ୍ଚୟ ଉଲ୍ଲେଖନୀୟ। ଏହି ଉଲ୍ଲେଖନୀୟ ଉପଲବ୍ଧି ଯେଉଁ ପାଠକପାଠିକାମାନଙ୍କ ଲାଗି ସମ୍ଭବ ହୋଇପାରିଛି ମୁଁ ସର୍ବପ୍ରଥମେ ମୋ ନିଜ ପକ୍ଷରୁ ତଥା ବୃହତ୍ତର ‘ସମ୍ବାଦ’ ପରିବାର ପକ୍ଷରୁ ସେମାନଙ୍କୁ ବିନମ୍ର କୃତଜ୍ଞତା ଜଣାଉଛି। ଆଶା କରୁଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କର ସମର୍ଥନ ଅବ୍ୟାହତ ରହିବ।

ସମୟର ଯାତ୍ରା ପଥରେ ଅଠତିରିଶ ବର୍ଷ ଏକ କ୍ଷୁଦ୍ର କାଳଖଣ୍ଡ ହେଲେ ମଧ୍ୟ ଏଇ ଅବଧିରେ ଅଭିଜ୍ଞତା ବେଶ୍‌ ଉଲ୍ଲେଖନୀୟ। ଏହି ସମୟ ଭିତରେ ପୃଥିବୀର ବହୁ କଥା ବଦଳିଯାଇଛି। ୧୯୮୪ରେ ଯେଉଁ ଯେଉଁ କଥାଗୁଡ଼ିକ ନୂଆ ବା ଅଭିନବ ମନେ ହେଉଥିଲା ସେସବୁ କିଛି ଆଜି ପୁରୁଣା ଓ ପାରମ୍ପରିକ ପାଲଟିଗଲାଣି। ଯେଉଁସବୁ ସ୍ଲୋଗାନ ଦେଇ ‘ସମ୍ବାଦ’ ସେଦିନ ପାଠକମାନଙ୍କ ନିକଟରେ ଆଧୁନିକ ଭାବେ ନିଜକୁ ଉପସ୍ଥାପିତ କରିଥିଲା ସେସବୁ ଆଜି ଆଉ ଆମର ଏକଚାଟିଆ ବିଶେଷତ୍ବ ହୋଇରହିନାହିଁ। ଇତିମଧ୍ୟରେ ମୁଦ୍ରଣ ଶିଳ୍ପରେ ନାନାଦି ଭୌତିକ ଏବଂ ବୈଷୟିକ ପରିବର୍ତ୍ତନ ଘଟିଯାଇଛି। ମାତ୍ର ଏହି ସମସ୍ତ ପରିବର୍ତ୍ତନ ଭିତରେ ଦୁଇଟି କଥା ତାହାର ଗୁରୁତ୍ବ କିମ୍ବା ପ୍ରାସଙ୍ଗିକତା ହରାଇନାହାନ୍ତି। ତାହାହେଲା ବିଶ୍ବସନୀୟତା ଏବଂ ନିରପେକ୍ଷତା। ‘ସମ୍ବାଦ’ ଏହି ଦୁଇଟି କଥାକୁ ଗୁରୁତ୍ବ ଦେଇ ଓଡ଼ିଶାର ସ୍ବାଭିମାନର ସୁରକ୍ଷା ନିମନ୍ତେ ଅନବରତ ସ୍ବର ଉଠେଇ ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଉଠେଇ ଚାଲିବ।

ବର୍ତ୍ତମାନ ଭାରତୀୟ ଗଣମାଧ୍ୟମ ବିଶେଷତଃ ମୁଦ୍ରଣ ଶିଳ୍ପ ଏକ ସଂକଟପୂର୍ଣ୍ଣ ସମୟ ଦେଇ ଗତିକରୁଛି। ଏ ସଂକଟ ପୁଣି ଦୁଇ ପ୍ରକାରର। ଗୋଟିଏ ପଟେ କାଗଜ, କାଳିଠାରୁ ଆରମ୍ଭ କରି ସବୁ ପ୍ରକାର ମୁଦ୍ରଣ ସାମଗ୍ରୀର ଆକାଶଛୁଅଁା ଦରବୃଦ୍ଧି ସାଙ୍ଗକୁ ବିଜ୍ଞାପନ ବଜାରର ସଙ୍କୋଚନ ପରି ସମସ୍ୟା ଥିବାବେଳେ ଅନ୍ୟପଟେ ସ୍ପଷ୍ଟ ଓ ସ୍ବଚ୍ଛନ୍ଦ ଭାବେ ମତ ପ୍ରକାଶର ଅଧିକାର କ୍ଷେତ୍ରରେ ମଧ୍ୟ ବହୁପ୍ରକାର ସମସ୍ୟା ଅନୁଭୂତ ହେଉଛି। ଏହା ଆମ ପାଇଁ ନିଶ୍ଚୟ ଉଦ୍‌ବେଗର ବିଷୟ। ମାତ୍ର ଉଦ୍‌ବେଗ ଏବଂ ସମସ୍ୟା ଦେଖି ରଣକ୍ଷେତ୍ର ଛାଡ଼ି ପଳାୟନ ଯୋଦ୍ଧାର ସ୍ବଭାବ ନୁହେଁ। ଜୟ ପରାଜୟ, ସଫଳତା-ବିଫଳତା ନିର୍ବିଶେଷରେ ସଂଗ୍ରାମ ଆମର ଧର୍ମ ଏବଂ କର୍ମ। ଏହି କ୍ଷେତ୍ରରେ କେବଳ ପାଠକମାନଙ୍କର ଅକୁଣ୍ଠିତ ସମର୍ଥନ ହିଁ ଆମକୁ ସମସ୍ତ ପ୍ରକାର ସମସ୍ୟା ଅତିକ୍ରମ କରିବାରେ ସାହାଯ୍ୟ କରିବ। ସ୍ବନକ୍ଷତ୍ରର ଶୁଭ ଅବସରରେ ମୁଁ ମୋର ପାଠକପାଠିକାମାନଙ୍କୁ ଆଉଥରେ କୃତଜ୍ଞତା ଜଣାଇବା ସହ ମୁକ୍ତମତ ପ୍ରକାଶର ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଆଗାମୀ ଦିନରେ ସେମାନଙ୍କର ସମର୍ଥନ ଓ ଆଶୀର୍ବାଦ ଲୋଡ଼ୁଅଛି।

ଦଶହରାର ଶୁଭ ଅଭିନନ୍ଦନ ସହ
ସୌମ୍ୟରଞ୍ଜନ ପଟ୍ଟନାୟକ

ସମ୍ବନ୍ଧିତ ଖବର