ଗତ ବିଂଶ ଶତାବ୍ଦୀର ସପ୍ତମ ଦଶକରେ ଯେତେବେଳେ ଇରାନର ଶାସନ ସେଠାକାର ରାଜା, ଶାହାଙ୍କ ହାତରେ ଥିଲା, ସେତେବେଳେ କୁହାଗଲା ଯେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଫଳରେ ସେ ଦେଶର ଚରିତ୍ର ନଷ୍ଟ ହୋଇଗଲା। ଆମେରିକାର ପ୍ରଭାବ ଫଳରେ ଇରାନର ମହିଳା ବର୍ଗ ଚରିତ୍ରହୀନା ହୋଇଗଲେ। ଇରାନର ସବୁ କିଛି ସମ୍ପତ୍ତିକୁ ସେ ଦେଶର ଶାହା, ଆମେରିକା ନିକଟରେ ବିକ୍ରି କରି ଦେଇଛନ୍ତି ବୋଲି ପ୍ରଚାର ହେଲା। ପ୍ରଚାରର ନେତୃତ୍ୱ ନେଲେ ସେଠାକାର ଧର୍ମଗୁରୁମାନେ ଯେଉଁମାନଙ୍କର ନେତୃତ୍ୱ ନେଲେ ଆୟାତୋଲ୍ଲା ଖୋମେନି। ଆମେରିକା ବିରୋଧରେ ଇରାନରେ ଏତେ ଜୋର୍ଦାର୍ ଆନ୍ଦୋଳନ ହେଲା ଯେ, ରାଜଧାନୀ ତେହେରାନରେ ଥିବା ଆମେରିକା ଦୂତାବାସକୁ ସେଠାକାର ଯୁବକମାନେ ଚାରି ଦିଗରୁ ଘେରି ରହିଲେ। ତଦାନୀନ୍ତନ ଆମେରିକାର ରାଷ୍ଟ୍ରପତି ହେଲିକପ୍ଟର ପଠାଇଲେ ତେହେରାନରେ ଥିବା ଆମେରିକା ଦୂତାବାସର କର୍ମଚାରୀମାନଙ୍କୁ ମୁକ୍ତ କରିବା ପାଇଁ। କିନ୍ତୁ ତାହା ସମ୍ଭବ ହେଲାନି। ହେଲିକପ୍ଟରକୁ ସେଠାକାର ଲୋକମାନେ ମାରି ତଳକୁ ଖସାଇ ପକାଇଲେ। ଏହା ଆମେରିକା ପାଇଁ ଏକ ବହୁତ ବଡ଼ ଅପମାନର କାରଣ ହେଲା।
ଏହା ପରେ ଆୟାତୋଲ୍ଲା ଖୋମେନି, ଦେଶର ସର୍ବମୟ କର୍ତ୍ତା ହୋଇ ଶାସନ କରିବାକୁ ଲାଗିଲେ। ମୁଖ୍ୟତଃ ଇସଲାମ ଓ କୋରାନରେ ଥିବା ସାରିଆ ଆଇନକୁ ନେଇ ସେ ଦେଶର ଜନସାଧାରଣଙ୍କୁ ପରିଚାଳିତ କରାଗଲା। ସେତେବେଳେ ଆମେରିକାରେ ସ୍ଥାୟୀ ଭାବରେ ବସବାସ କରିଥିବା ଜଣେ ଇରାନୀ ମହିଳା ତାଙ୍କ ଦେଶରେ ଆୟାତୋଲ୍ଲା ଶାସନ କେମିତି ଚାଲିଛି, ତାହା ଦେଖି ଆସି ଏକ ଉପନ୍ୟାସ ରଚନା କଲେ। ଏହି ଉପନ୍ୟାସରେ ତାଙ୍କର ଭାବନା ପ୍ରକଟିତ ହୋଇଥିଲା ଯେ କେମିତି ଆୟାତୋଲ୍ଲାଙ୍କ ଶାସନରେ ସେ ଏକ ପରମ ଶାନ୍ତି ପାଇଛନ୍ତି। ଉପନ୍ୟାସଟି ବହୁ ସଂଖ୍ୟାରେ ବିକ୍ରି ହେଲା।
ଏବେ କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଇରାନରେ ମଝିରେ ମଝିରେ ବ୍ୟାପକ ହିଂସା ଚାଲିଛି। ପରମାଣୁ ଅସ୍ତ୍ର ନିର୍ମାଣ କରିବା ପାଇଁ ଇରାନ ଆଣବିକ ବିଦ୍ୟୁତ କାରଖାନା ସ୍ଥାପନ କରିଛି ଯାହା ମଧ୍ୟରେ ୟୁରାନିୟମର ସଂବୃଦ୍ଧୀକରଣ ହେଉଛି, ଯାହା ଭବିଷ୍ୟତରେ ପରମାଣୁ ବୋମା ତିଆରିରେ ଲାଗିବ। ଅତୀତର ଜଣେ ରାଷ୍ଟ୍ରପତି ମହମ୍ମଦ ଅଲମେଦିନେଜାଦ ଖୋଲାଖୋଲି ଭାବରେ କହିଥିଲେ ଯେ ପରମାଣୁ ବୋମା ତିଆରି ହେଲେ ପ୍ରଥମେ ଏହାକୁ ଇସ୍ରାଏଲ ଉପରେ ପକାଇ ସେ ଦେଶକୁ ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ ଭାବେ ଅବଲୁପ୍ତ କରିଦେବେ। ଇସ୍ରାଏଲ ମଧ୍ୟ ଏହି ଗୁପ୍ତ ପରମାଣୁ କାରଖାନାଟିକୁ ଧ୍ୱଂସ କରିଦେବା ପାଇଁ ଉପାୟ ପାଞ୍ଚୁଛି। ମଧ୍ୟ-ପ୍ରାଚ୍ୟର ଇସଲାମୀ ଦେଶମାନଙ୍କର ନେତା ସାଉଦି ଆରବ ମଧ୍ୟ ଚାହୁଁନାହିଁ ଯେ ତା’ର ଏକ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସିହାପନ୍ଥୀ ଇରାନ ଏକ ପରମାଣୁ ବୋମାର ଅଧିକାରୀ ହେଉ। ଏପରିକି ଆବଶ୍ୟକ ପଡ଼ିଲେ ଇସ୍ରାଏଲର ସହଯୋଗରେ ସାଉଦି ଆରବ, ଇରାନକୁ ଧ୍ୱଂସ କରିଦେବାକୁ ଚାହେଁ।
ତେବେ ଇରାନକୁ ପରମାଣୁ ବୋମା ନିର୍ମାଣରୁ ବିରତ କରିବା ପାଇଁ ଜାତିସଂଘର ୫ଟି ମହାଶକ୍ତି ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ, ଚୀନ ଓ ଜର୍ମାନୀ, ଇରାନ ସହ ୨୦୧୫ରୁ କଥାବାର୍ତ୍ତା ଚଳାଇଛନ୍ତି। କିନ୍ତୁ ୨୦୧୮ରେ ଏହି ଆଲୋଚନାରୁ ଆମେରିକା ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଓହରି ଆସିଛି। ଏହି ଆଲୋଚନା କେବଳ ଇରାନକୁ ସାହାଯ୍ୟ କରୁଛି ବୋଲି ଟ୍ରମ୍ପଙ୍କ ଧାରଣା ଥିଲା। ଟ୍ରମ୍ପ କେବଳ ଯେ ଇରାନ ସହ ଆଲୋଚନାରୁ ଓହରି ଆସିଲେ ସେତକ ନୁହେଁ, ସେ ଦେଶ ଉପରେ କଠୋର ଆର୍ଥିକ ବାସନ୍ଦମାନ ଲାଗୁ କଲେ। ଏହା ଫଳରେ ଇରାନ କାହାରିକୁ ତେଲ ବିକ୍ରି କରିପାରୁନି, ଯାହା ହେଉଛି ତା’ର ଆୟର ମୁଖ୍ୟ ସ୍ରୋତ। ଇରାନ ସହ ଅନ୍ୟ ଦେଶମାନେ ଆଲୋଚନା କରୁଥିଲେ ମଧ୍ୟ ସେ ଦେଶ ପରମାଣୁ ବୋମା ନିର୍ମାଣ କରିବ ନାହିଁ ବୋଲି କୌଣସି ସ୍ପଷ୍ଟ ସଙ୍କେତ ଦେଉନାହିଁ। ଏଣୁ ଇରାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଓ ସେ ଦେଶର ୫୦% ଲୋକ ଏବେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଦେଶରେ ଗୋଟିଏ ଦଶନ୍ଧି ମଧ୍ୟରେ ଆର୍ଥିକ ସଙ୍କଟ, ପୁଲିସ ଅତ୍ୟାଚାର, ବେକାରୀ ଆଦି ଘଟଣାମାନଙ୍କୁ ନେଇ ନାନା ପ୍ରକାରର ଆନ୍ଦୋଳନ ଦୀର୍ଘ କାଳ ଧରି ଚାଲି ଆସିଛି।
ଏବେ କିନ୍ତୁ ଅତି ଗୁରୁତର ସ୍ତରରେ କଥାଟି ପହଞ୍ଚିଛି, ଯେତେବେଳେ ସେଠାକାର ଧର୍ମଗୁରୁମାନେ ଲୋକମାନଙ୍କର ଓ ବିଶେଷ କରି ମହିଳାମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି। ଲୋକମାନେ ଓ ବିଶେଷ କରି ମହିଳାମାନେ ସେମାନଙ୍କ ଜୀବନକୁ କେମିତି ଜିଇବେ, ସେ କଥା ନିର୍ଦ୍ଧାରଣ କରୁଛନ୍ତି ସେଠାକାର ଧର୍ମଗୁରୁମାନେ ଓ ବିଶେଷ କରି ଆୟାତୋଲ୍ଲା ଖାମନେଇ, ଯିଏ ଆୟାତୋଲ୍ଲା ଖୋମେନିଙ୍କ ଉତ୍ତରାଧିକାରୀ। ସେ ଗୋଟିଏ ନୈତିକତା ପୁଲିସ ବାହିନୀ ଗଠନ କରିଛନ୍ତି, ଯାହାର ମୁଖ୍ୟ କାର୍ଯ୍ୟ ହେଲା ମହିଳାମାନେ କୋରାନର ନୀତିନିୟମ ଅନୁସାରେ କାମ କରୁଛନ୍ତି କି ନାହିଁ, ସେ କଥା ଅନୁଧ୍ୟାନ କରିବା। ମାତ୍ର ମାସକ ତଳେ ହିଜାବ (ମୁଣ୍ଡ ଓଢ଼ଣି) ଠିକ୍ ଭାବରେ ପିନ୍ଧି ନ ଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ନୈତିକତା ପୁଲିସ ହଠାତ ଧରି ନେଇଥିଲା। ତାଙ୍କ ନାମ ଥିଲା ମହସା ଅମିନୀ। ତାଙ୍କ ହିଜାବ ତଳୁ କେତେକ ମୁଣ୍ଡ ବାଳ ବାହାରକୁ ଦିଶୁଥିଲା ଯାହା ଦିଶିବା କଥା ନୁହେଁ ବୋଲି ତାଙ୍କୁ କୁହାଗଲା। ପୁଲିସ ତାଙ୍କୁ ଧରି ନେଇ ହାଜତରେ ରଖିଥିଲା, ଯେଉଁଠି ମାତ୍ର ୨ ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଲା। ସାରା ଦେଶରେ ଏହାକୁ ନେଇ ପ୍ରତିବାଦର ନିଆଁ ଜଳିବା ଆରମ୍ଭ ହେଲା। ଜନସାଧାରଣଙ୍କ ଧାରଣା ହେଲା, ପୁଲିସ ହାଜତରେ ଥିଲା ବେଳେ ମହସା ଅମିନୀଙ୍କୁ ଜୋର୍ଦାର୍ ପିଟାପିଟି କରାଯିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା। ଏହାକୁ ନେଇ ସାରା ଇରାନର ୮୦ଟିରୁ ଅଧିକ ସହରରେ ବ୍ୟାପକ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହେଲା, ଯାହା ଏଯାଏ ମଧ୍ୟ ଚାଲିଛି।
ଦେଖାଗଲା, ମହିଳାମାନେ ରାସ୍ତା ଉପରେ ଠିଆ ହୋଇ ସେମାନଙ୍କ ମୁଣ୍ଡରୁ ଓଢ଼ଣିମାନ କାଢ଼ି ଗଦା କରି ସେସବୁକୁ ପୋଡ଼ିଲେ। ଏଭଳି କଥା ଅତୀତରେ କେବେ ହେଲେ ଦେଖାଯାଇ ନଥିଲା। ସେମାନଙ୍କୁ ପୁଲିସ ଆକ୍ରମଣ ମଧ୍ୟ କଲା। ତେଣୁ ଇତିମଧ୍ୟରେ ୫୦ରୁ ଅଧିକ ପ୍ରତିବାଦକାରୀ ମୃତ୍ୟୁ ବରଣ କରିସାରିଲେଣି। ଯେଉଁମାନେ ମୃତ୍ୟୁ ବରଣ କରିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି। ଏବେ ଦେଖାଯାଉଛି ଏହି ଆନ୍ଦୋଳନ ଇରାନରେ କେବଳ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କରେ ସୀମିତ ହୋଇ ରହିନାହିଁ। ଏହି ଆନ୍ଦୋଳନରେ ସମାଜର ସବୁ ବର୍ଗର ବ୍ୟକ୍ତି ଅଂଶ ଗ୍ରହଣ କରୁଛନ୍ତି। ଏହି ଗୋଷ୍ଠୀମାନଙ୍କ ମଧ୍ୟରେ ଧନୀ, ମଧ୍ୟବିତ୍ତ, ସରକାରୀ କର୍ମଚାରୀ ଓ ଗରିବମାନେ ମଧ୍ୟ ଅଛନ୍ତି। ଅର୍ଥାତ, ସମାଜର ସବୁ ବର୍ଗଙ୍କ ମଧ୍ୟକୁ ଏହି ବିଦ୍ରୋହର ନିଆଁ ପ୍ରସାରିତ ହୋଇଛି। ଯୁବକ, ଯୁବତୀ, ଶ୍ରମିକ ଇତ୍ୟାଦି ସବୁ ପ୍ରକାରର ବ୍ୟକ୍ତି ପ୍ରତିବାଦ ଆନ୍ଦୋଳନରେ ସମ୍ପୃକ୍ତ ହୋଇପଡ଼ିଛନ୍ତି।
ଏବେ ଧର୍ମ ରୁଚି ଏହି ଆନ୍ଦୋଳନର ମୁଖ୍ୟ କାରଣ ହୋଇ ରହିନାହିଁ। ପ୍ରତିବାଦକାରୀ ପୁରୁଷ ଓ ମହିଳା ଉଭୟ କହୁଛନ୍ତି ଯେ ମୁଖ୍ୟ ପ୍ରସଙ୍ଗ ଏଠାରେ ହିଜାବ ପିନ୍ଧିବା ନୁହେଁ; ମୁଖ୍ୟ ପ୍ରସଙ୍ଗ ହେଲା ମାନବିକ ଅଧିକାର। ନାରୀଟିଏ କେଉଁ ପୋଷାକ ପିନ୍ଧିବ ସେ କଥା ସେ ଦେଶର ଆୟାତୋଲ୍ଲାମାନେ ନିଷ୍ପତ୍ତି କରିପାରିବେ ନାହିଁ। କାରଣ ମଣିଷର ବଡ଼ କଥା ହେଲା ତା’ର ମାନବିକ ଅଧିକାର। ଜଣେ ନାରୀ କି ପ୍ରକାର ପୋଷାକ ପିନ୍ଧିବ, ତା’ର ନିର୍ଦ୍ଧାରଣ ସେ ନିଜେ କରିବ। ଆୟାତୋଲ୍ଲାଙ୍କ ନିର୍ଦ୍ଦେଶରେ ସେ ତା’ର ଜୀବନ ଜିଇବାକୁ ରାଜି ନୁହେଁ।
ଏବେ ସେଠାକାର ପୁଲିସ କହୁଛି ମହସା ଅମିନୀଙ୍କ ମୃତ୍ୟୁ ପୁଲିସ ମାଡ଼ ଯୋଗୁଁ ଘଟିନାହିଁ, ହୃଦରୋଗରେ ଆକ୍ରାନ୍ତ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ଏହା ଛଡ଼ା ଦୁଇ ଜଣ ଯୁବତୀ ମଧ୍ୟ ପ୍ରତିବାଦ ବେଳେ ମରିଛନ୍ତି। ସେମାନଙ୍କ ନାମ ହେଲା ସାରିନା ଏସମାଇଲଜାଦେ, ଯାହାଙ୍କ ବୟସ ୧୬ ବର୍ଷ ଓ ଜଣେ ହେଲେ ୧୭ ବର୍ଷ ବୟସ୍କା ନିକା ସାକାରମୀ। ଏବେ ସରକାର, ପୁଲିସ, ଏପରିକି ସେଠାକାର ବିଚାର ବିଭାଗ ପକ୍ଷରୁ କୁହାଯାଉଛି ଯେ ପୁଲିସ ସେମାନଙ୍କ ମୁଣ୍ଡକୁ ଲାଠିରେ ପିଟିବା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିନାହିଁ। ସାରିନା ଗୋଟିଏ ପାଞ୍ଚ ମହଲା କୋଠା ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି ଏବଂ ନିକାଙ୍କୁ ହୃଦରୋଗ ଆଘାତ କରିବାରୁ ସେ ମରିଛନ୍ତି। ଅଥଚ ଏହି ଦୁଇ ବାଳିକାଙ୍କ ମା’ମାନେ କହୁଛନ୍ତି ଯେ, ସେମାନଙ୍କ ଝିଅମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା କରିବାର ପ୍ରବଣତା ଅବା ହୃଦ୍ରୋଗର କୌଣସି ଲକ୍ଷଣ ନଥିଲା।
ଅବଶ୍ୟ ଏହା ସତ୍ୟ ଯେ ସେଠାରେ ଏହି ଆନ୍ଦୋଳନ କାରଣରୁ ସେଠାରେ କୌଣସି ସରକାର ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ ଅଥବା ସେଠାରେ କୌଣସି ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା ହେବନାହିଁ। କାରଣ ସେଠାକାର ସବୁ କିଛି ନିଷ୍ପତ୍ତିର ସର୍ବୋଚ୍ଚ ଶକ୍ତି ଆୟାତୋଲ୍ଲା ଖାମନେଇଙ୍କ ହାତରେ ‘ରିଭଲ୍ୟୁସନାରି ଗାର୍ଡ୍’ ପରି ଏକ ସ୍ୱତନ୍ତ୍ର ସେନାବାହିନୀ ରହିଛି, ଯାହା ଜନସାଧାରଣଙ୍କ ଉପରେ ଅତି ନିଷ୍ଠୁର ନିର୍ମମ ଅତ୍ୟାଚାର କରି ଆସିଛି। ସେଠାକାର ଶାସନ ପଦ୍ଧତି ମଧ୍ୟ ଜଟିଳ। କେବଳ ନିର୍ବାଚନ ହୋଇ ସେଠାରେ ସରକାର ଗଠିତ ହୁଏ ନାହିଁ। ସେଠାରେ ସବୁ କଥାର ମୁଖ୍ୟ ହେଉଛନ୍ତି ଆୟାତୋଲ୍ଲା। ସଂସଦ ସହ ଧର୍ମଗୁରୁମାନଙ୍କର ମତ ପାର୍ଥକ୍ୟ ହେଲେ ନିଷ୍ପତ୍ତି କରିଥାନ୍ତି ଆୟାତୋଲ୍ଲା। ଏହି ଆୟାତୋଲ୍ଲା ଖାମନେଇ ଏବେ ଅଭିଯୋଗ କରିଛନ୍ତି ଯେ ଆମେରିକାର ହସ୍ତକ୍ଷେପ ଯୋଗୁଁ ସେ ଦେଶରେ ଆନ୍ଦୋଳନ ଚାଲିଛି। ସେଠାକାର ବିଚାରପତିମାନେ କହୁଛନ୍ତି ଯେ ଝିଅମାନେ ପୁଲିସ ଆକ୍ରମଣରେ ମୃତ୍ୟୁବରଣ କରିବା ଅଭିଯୋଗ ହେଉଛି ମିଛ।
ଏହି ପରିସ୍ଥିତି ଦୃଷ୍ଟିରୁ ପ୍ରଥମ ଥର ପାଇଁ ପ୍ରତିବାଦକାରୀମାନେ ‘ଆୟାତୋଲ୍ଲା ମୁର୍ଦ୍ଦାବାଦ’ ବୋଲି ଧ୍ୱନି ମଧ୍ୟ ଦେଉଛନ୍ତି, ଯାହା କେବେ ଅତୀତରେ ଘଟିନଥିଲା। ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେଠାକାର ଆୟାତୋଲ୍ଲାଙ୍କର ପୁଅ କୌଣସି ପଦ ପଦବିରେ ନ ଥାଇ ମଧ୍ୟ ସୁରକ୍ଷା ବାହିନୀ ଅଧିକାରୀମାନଙ୍କୁ ନିଯୁକ୍ତି ଦେଉଛନ୍ତି। ଇସଲାମ ସବୁ କିଛି ସମସ୍ୟାର ସମାଧାନର ସୂତ୍ର ବୋଲି କୁହାଯାଉଥିଲା ବେଳେ ବାସ୍ତବରେ ଘଟୁଛି ସବୁ କିଛି ଅଲଗା। ତେବେ ଆଗାମୀ ଦିନମାନଙ୍କରେ ଇରାନରେ ମଧ୍ୟ ଅବସ୍ଥାର ପରିବର୍ତ୍ତନ ହୋଇପାରେ। ସେଠାକାର ମଣିଷମାନଙ୍କୁ ମାନବିକ ଅଧିକାର ମିଳିପାରେ। ଯେମିତି ଶାହାଙ୍କ ବିରୋଧରେ ସପ୍ତମ ଦଶକରେ ଗଣବିଦ୍ରୋହ ହୋଇଥିଲା, ଏବେ ଆୟାତୋଲ୍ଲାମାନଙ୍କ ବିରୋଧରେ ସେଇମିତି ଗଣବିଦ୍ରୋହ ଘଟିପାରେ। ଏହା ଘଟିବା ଉଚିତ ମଧ୍ୟ। କାରଣ ଏହା ନ ଘଟିଲେ କୌଣସି ଦେଶ ସଂବୃଦ୍ଧ ହୋଇପାରିବ ନାହିଁ। ଗଣତନ୍ତ୍ର ହିଁ ବିକାଶର ମୂଳମନ୍ତ୍ର। ମୁକ୍ତି ଓ ସ୍ୱାଧୀନତା ମଣିଷକୁ ବିକାଶର ପଥରେ ଆଗକୁ ନେଇଯାଇଥାଏ। ଆଶା କରାଯାଏ ଇସଲାମୀ ଦେଶମାନଙ୍କରେ ମଧ୍ୟ ସେଇଆ ଘଟିବ। ଧର୍ମ ନାମରେ ନାରୀ ଜାତିକୁ କେବେହେଲେ ଅବରୁଦ୍ଧ କରି ରଖିହେବନାହିଁ।
ମୋ-୯୪୩୭୦୨୦୨୯୦