ମୋ ଲେଖାମାନ ପଢୁଥିବା ସହଧର୍ମିଣୀଙ୍କ ଏକ ଅଭିଯୋଗ ଯେ ମୁଁ ବୁଲା କୁକୁର, ବିଲେଇ, ଗୁଣ୍ଡୁଚି ମୂଷା, ଫୁଲ, ଅଜଣା ବ୍ୟକ୍ତି ବିଶେଷଙ୍କୁ ନେଇ ଲେଖି ପାରୁଛି; ଅଥଚ କାଦମ୍ବରୀକୁ ନେଇ କିଛି ଲେଖୁ ନାହିଁ! ମୁଁ ବାରମ୍ବାର ଚେଷ୍ଟା ସତ୍ତ୍ବେ ତାଙ୍କୁ ବୁଝାଇବାରେ ବିଫଳ ହୋଇଛି ଯେ କାଦମ୍ବରୀକୁ ନେଇ ଗପ ଲେଖିବା ଲାଗି କିଛି ଉପାଦାନ ହିଁ ନାହିଁ। ଗୋଟିଏ ଗପ ଲେଖିବା ପାଇଁ ତ ଗୋଟିଏ ପ୍ଲଟ୍‌ ବା ପଟଭୂମି ଦରକାର!

Advertisment

ଏବେ କହେ ସେହି କାଦମ୍ବରୀଟି କିଏ? ସେ ହେଉଛି ବର୍ଷ ବର୍ଷ ଧରି ଆମ ଘରେ କାମ କରୁଥିବା ଝିଅଟିଏ, ଯିଏ ମାସକୁ ପନ୍ଦର ଶହ ଟଙ୍କାରେ କାମ ଆରମ୍ଭ କରି ଆଜି ତିନି ହଜାର ଟଙ୍କାରେ ପହଞ୍ଚିଲାଣି। ସେ ଯେତେବେଳେ ସାନ ଥିଲା, ତା ମା’ ସହିତ ଆମ ଘରକୁ ଆସୁଥିଲା। ତା ମା’ କାମ କଲା ବେଳେ ସେ କେବଳ ବସି ରହୁଥିଲା। ଏବେ ତା ମା’ ଆଉ ଆସୁନାହିଁ, ତା ଜାଗାରେ କାଦମ୍ବରୀ ଆସୁଛି। ବର୍ଷା, ଖରା, ଝଡ଼ ବତାସ; ଯାହା ବି ହୋଇଯାଉ ପ୍ରତ୍ୟହ ଦୁଇ ବେଳା ସେ ଆମ ଘରକୁ କାମ ଲାଗି ଆସିବ ହିଁ ଆସିବ। ସେ କାମ ଯେତିକି କରୁଥିଲା, ସେତେ ଗପୁଥିଲା। ରଥ ବାବୁଙ୍କ ପୁଅ-ବୋହୂ କଳି, ପଟ୍ଟନାୟକ ବାବୁଙ୍କ ଦେହପା, ଡାକ୍ତର ଦିଦୀଙ୍କ ରୋଗୀ ଦେଖା କଥା ଇତ୍ୟାଦି ଇତ୍ୟାଦି। ତା’ ଛଡ଼ା ପାଣିପାଗ, ସହରରେ ଘଟିଥିବା ଅପରାଧ ଠାରୁ ଆରମ୍ଭ କରି କାଳେଅକାଳେ ରଟୁଥିବା ଗୁଜବ ପର୍ଯ୍ୟନ୍ତ ସବୁ କିଛି ବିଷୟରେ ସେ ଗପି ପାରେ। ତା’ର ଗପରେ ବି ଗଳ୍ପର ଛିଟା ଥାଏ। ମୁଁ ଭାବେ ପଢ଼ାଲେଖା ଜାଣିଥିଲେ ସେ ହୁଏ’ତ ଭଲ ଗପ ଲେଖି ପାରନ୍ତା। ମଦୁଆ ବାପାର ସେ ଥିଲା ତୃତୀୟ ଝିଅ। ଅନ୍ୟ ଦୁଇ ଭଉଣୀ ମଧ୍ୟ ଅନ୍ୟମାନଙ୍କ ଘରେ କାମ କରନ୍ତି। ବାସ୍‌, ଏହି ଗତାନୁଗତିକତାକୁ ନେଇ କ’ଣ କୌଣସି କାହାଣୀ ଳେଖାଯାଇ ପାରେ?

ତେବେ, ହଠାତ୍‌ ଥରେ କାଦମ୍ବରୀ କାମ କରିବାକୁ ଆସିଲା ନାହିଁ। ଏହା ଏକ ଅସମ୍ଭବ କଥା! ଦିନେ ବା ଦୁଇ ଦିନ ନୁହେଁ; ଏକା ବେଳକେ ଆଠ ଦିନ। ତା’ ମା’କୁ ପଚାରିବାରୁ ଜଣାଗଲା ଯେ ସେ ଘରେ କାହାକୁ କିଛି ନ କହି କୁଆଡ଼େ ଚାଲିଯାଇଛି। ଆମେ ବୁଝି ପାରୁଥିଲୁ ବ୍ୟାପାରଟି କ’ଣ!

ତେବେ, ଆଠ ଦିନ ପରେ ଦିନେ ସଂଧ୍ୟାରେ ଦୁଇଟି ଛାୟା ମୂର୍ତ୍ତି ଆମ ଘର ବାରଣ୍ଡା ପାଖରେ ଛିଡ଼ା ହେଲେ। ସେମାନେ ଥିଲେ କାଦମ୍ବରୀ ଏବଂ ତାର ସେହି ମନର ମଣିଷ ଯାହା ଲାଗି ସେ ଘର ଓ ପରିବାର ଛାଡ଼ି ପଳାଇ ଯାଇଥିଲା। ଶ୍ୟାମଳବର୍ଣ୍ଣୀ କାଦମ୍ବରୀ ସେହି ସଂଧ୍ୟାରେ ବହୁତ ସୁନ୍ଦର ଦିଶୁଥିଲା। ସେ ଆମ ଠାରୁ ଆଶୀର୍ବାଦ ନେଇ ତାର ସ୍ବପ୍ନର ସଂସାର ଗଢ଼ିବା ଲାଗି ଚାଲିଗଲା। ଗଲା ବେଳେ ସେ ମୋ ସହଧର୍ମିଣୀଙ୍କୁ କହି ଦେଇଗଲା- ପୁଣି ଆସିବି!

ଆମେ ଜାଣି ସାରିଥିଲୁ ଯେ ସେ ଆଉ ପାଇଟି କାମ କରିବ ନାହିଁ। ସେ ଏବେ ଜଣେ ଗୃହ ଲକ୍ଷ୍ମୀ। ତା ନିଜର ପରିବାରଟିଏ ଆରମ୍ଭ ହେବାକୁ ଯାଉଛି। ଏବେ ସେ ସେହି ପରିବାରର ଯତ୍ନ ନେବ। ଅଗତ୍ୟା ତାହା ହିଁ ହୋଇଥିଲା। ତେଣୁ, ମାସ କେଇଟା ପରେ ତାକୁ ଏକ ଅବିନ୍ୟସ୍ତ ଅବସ୍ଥାରେ ପୁଣି ବାରଣ୍ଡା ନିକଟରେ ଆବିଷ୍କାର କରି ଆମେ ଟିକିଏ ଚକିତ ଓ ବିଚଳିତ ହୋଇ ପଡ଼ିଲୁ। କାଦମ୍ବରୀ ସଂକୋଚର ସହିତ କହିଲା ଯେ ସେ ପୁଣି ଥରେ କାମ କରିବାକୁ ଚାହୁଁଛି। ତେଣୁ ଆମ ଅନୁମତି ଚାହେଁ। ଆମ ଠାରୁ ଅନୁମତି ମିଳିବାରେ କୌଣସି ସମସ୍ୟା ନ ଥିଲା। ସୁତରାଂ, ପୁଣି କାଦମ୍ବରୀ ପ୍ରତ୍ୟହ ଦୁଇ ବେଳା କାମ କରିବାକୁ ଆସିଲା। ହେଲେ, ତା ଭିତରେ ଆଉ ସେ ଛଳଛଳ ଉତ୍ସାହ କି ଚମକ ନ ଥିଲା। ସେ ଆଉ ଆଗ ଭଳି ଗପୁ ନ ଥିଲା। ଅନେକ ସମୟରେ ଅନ୍ୟମନସ୍କ ରହୁଥିଲା। କ୍ରମେ ଆମେ ଜାଣିଲୁ ଯେ ସେ ଯେଉଁ ଯୁବକକୁ ବାଛି ବାହା ‌ହୋଇଥିଲା, ସେ ଥିଲା ନିକମା, ନିଶାସକ୍ତ ଏବଂ ନିର୍ମମ। କିନ୍ତୁ ସଂସାର ତ ଚଳାଇବାକୁ ପଡ଼ିବ। ତେଣୁ ପୁଣି କାମ କରିବାକୁ ବାହାରି ପଡ଼ିଥିଲା କାଦମ୍ବରୀ। ମୁଁ ମୋ ପତ୍ନୀଙ୍କୁ କହିଲି- ଦେଖ, କେତେ ଶୀଘ୍ର ସ୍ବପ୍ନ ଭଙ୍ଗ ହୁଏ!

ଇତିମଧ୍ୟରେ କେଇ ବର୍ଷ ବିତି ଯାଇଛି। କାଦମ୍ବରୀର ଜୀବନରେ ବେଶୀ କିଛି ବଦଳି ନାହିଁ, କେବଳ ଯାହା ପୁଅଟିଏ ଜନ୍ମ ହୋଇ ପାଞ୍ଚ ବର୍ଷର ହୋଇଗଲାଣି। ପୁଅକୁ ସେ ସରକାରୀ ସ୍କୁଲରେ ନାମ ଲେଖାଇଛି। ଏବେ ଦେଖାଯାଉଛି ଯେ ତା’ ପୁଅ ବିଷୟରେ ତାକୁ ପଚାରି ଦେଲେ ସବୁ ହତାଶାର କାଳିମା ଭିତରେ ତା’ ଆଖି ଦୁଇଟି ଚମକି ଉଠୁଛି। ତାର ସ୍ବପ୍ନ ପୁଅକୁ ସେ ବହୁତ ପାଠ ପଢ଼ାଇବ, ମଣିଷ କରିବ। ତା’ ବାପା କି ତା’ ସ୍ବାମୀ ଭଳି ହେବାକୁ ଦେବ ନାହିଁ।

ଦିନେ କାଦମ୍ବରୀ ଦ୍ବିପହ‌େର ଘରେ ପହଞ୍ଚିଗଲା। ତାର ହାତରେ ଥିଲା ଗୋଟିଏ କାଗଜ। ତା’ ପୁଅର ପ୍ରଥମ ଶ୍ରେଣୀର ପରୀକ୍ଷା ଫଳ। ମୁଁ ଘରେ ଥିଲି। ମୋତେ ସେ ତାହା ଦେଖାଇଲା। ମୁଁ ଥରେ ତା’ ଉପରେ ଆଖି ପକାଇ କହିଲି- ବାଃ, ତୋ ପୁଅ ତ ଭଲ କରିଛି। ତୁ ତା’ର ଯତ୍ନ ନେ। ସେ ଭଲ ପଢ଼ିବ!

ଏତିକି ଶୁଣି ସେ ଯେମିତି ଆନନ୍ଦରେ ଅଧୀର ହୋଇଗଲା। ମୋତେ ପ୍ରଣାମ କରି ସେ ଫେରିଗଲା। ମୁଁ ଏବେ ଦେଖୁଥିଲି କାଦମ୍ବରୀର ଆଖ‌ିରେ ସ୍ବପ୍ନର ତରଙ୍ଗ। ସୁଖ ସଂସାରର ସ୍ବପ୍ନ ଉଜୁଡ଼ି ଗଲା ପରେ ପୁଣି ଆଉ ଏକ ସ୍ବପ୍ନ! ପୁଅ ତାର ପାଠ ପଢ଼ି ମଣିଷ ହେବ! ମୁଁ ଭଗବାନଙ୍କ ଉଦ୍ଦେଶ୍ୟରେ ଜଣାଇଲି- ପ୍ରଭୁ, ତାର ଏଇ ସ୍ବପ୍ନକୁ ନଷ୍ଟ ହେବାକୁ ଦିଅନାହିଁ। ତା’ ପୁଅକୁ ମଣିଷ କରିଦିଅ ପ୍ରଭୁ!

ସେ ଦିନ ସଂଧ୍ୟାରେ ପତ୍ନୀଙ୍କୁ କହିଲି- ଶୁଣ କାଦମ୍ବରୀ ଉପରେ ଗପଟିଏ ଲେଖିବି।

ପତ୍ନୀ ପଚାରିଲେ- କ’ଣ ଲେଖିବ?

ମୁଁ କହିଲି- ଏଇ ଯେମିତି କାଦମ୍ବରୀମାନଙ୍କ ସ୍ବପ୍ନ କେବେ ସରେ ନାହିଁ। ଦେଖ କେମିତି ତା ଜୀବନର ନିଦାଘରେ ଗୋଟିଏ ସ୍ବପ୍ନର ବାଦଲ ଭାସି ବୁଲିବା ଆରମ୍ଭ କରିଛି!

ପତ୍ନୀ କହିଲେ- ହେଲେ, ତାର ଏଇ ସ୍ବପ୍ନ ପୂରଣ ହେବ ତ?

ମୁଁ କହିଲି- ଭଗବାନ କରନ୍ତୁ ହେଉ। ନ ହେଲେ ବି ତାହା ବିଶେଷ ଗୁରୁତ୍ବ ରଖେ ନାହିଁ। କାରଣ କାଦମ୍ବରୀମାନଙ୍କ ସ୍ବପ୍ନ ମଧ୍ୟ କେବେ ମରେ ନାହିଁ!

ମୋ- ୯୪୩୮୧ ୪୯୭୬୧