ମୁଖା ବହୁତ ବିପଜ୍ଜନକ ହେଲେ ବି ଅନେକ କାମରେ ଆସିଥାଏ। ଯାହା ମୁହଁରେ କହି ହୁଏନାହିଁ, ତାହା ସହଜରେ ମୁଖା କହିଦେଇଥାଏ। ଅର୍ଥାତ୍ ହେଙ୍ଗୁ, ଫିଟିକିରି ପରି ଶୁଭ୍ର ସ୍ଫଟିକ ହୋଇ ନ ଥିଲେ ବି, ଭାରି ସୁନ୍ଦର ହୋଇଥାଏ।
ଯିଏ ଜାଣିବାର କଥା, ସିଏ ଜାଣିଥାଏ କି କେତେବେଳେ ମୁହଁ କହୁଛି ଓ କେତେବେଳେ ମୁଖା କହୁଛି। ଯିଏ ଜାଣିପାରେନାହିଁ, ସିଏ ମୁହଁକୁ କମ୍ ଶୁଣି ମୁଖାକୁ ବେଶୀ ଶୁଣିଥାଏ। ଯେ ପର୍ଯ୍ୟନ୍ତ ଆପଣ ମୁଖାକୁ ମୁଖା ବୋଲି ଦର୍ଶାଇ ସେହି ମୁଖାକୁ ଖୋଲିବାକୁ ଚେଷ୍ଟା ନ କରନ୍ତି, ସେ ପର୍ଯ୍ୟନ୍ତ ଏହା ଖେଳ କୌତୁକର ସହ ଚାଲିଥାଏ। ଅଷ୍ଟମ ଦଶକରେ ଏପରି ବିପଜ୍ଜନକ ଖେଳ ହୋଇଥିଲା। ଭାରତୀୟ ରାଜନୀତିର ଚାଣକ୍ୟ ବୋଲାଉଥିବା ଜଣେ ଆଚାର୍ଯ୍ୟଜୀ, ଭାରତୀୟ ସଂସ୍କୃତିର ଧ୍ବଜାଧାରୀ ଦଳର ଶୀର୍ଷ ନେତାଙ୍କୁ ମୁଖା ବୋଲି କହିଦେଲେ। ତାଙ୍କର ଭରସା ଥିଲା କି ସେଇ ମୁଖା ଯେଉଁ ମୁହଁର ଆବରଣ ଥିଲା, ସେଇ ଅସଲି ମୁହଁ ତାଙ୍କୁ ରକ୍ଷା କରିବ। ମାତ୍ର ମୁଖା-ଶାସ୍ତ୍ରର ପ୍ରାଥମିକ ପାଠକୁ ସିଏ ଭୁଲି ଯାଇଥିଲେ କି, ଯିଏ ଅସଲି ମୁହଁ ହୋଇଥାଏ, ସିଏ ମୁଖାର ମୂଲ୍ୟ ଜାଣିଥାଏ। ସେ କେବେହେଲେ ମୁଖାକୁ ଅସୁରକ୍ଷିତ ଛାଡ଼ିନଥାଏ।
ଏକଥା ସତ ଯେ ମୁଖା ଖସିଗଲେ ଅସଲି ମୁହଁ ଦେଖାଯିବ। ସେଇ ମୁହଁ ନିଜକୁ ଦେଖାଇବା ପାଇଁ ସାହସ କରୁ ନ ଥିବାରୁ ଏପରି ମୁଖା ପିନ୍ଧିବାର ଆବଶ୍ୟକ କରିଥାଏ। ସେଇ ମୁହଁ ତ ମୁଖାକୁ ବଞ୍ଚାଇଥାଏ, ମୁଖା-ଚୋରକୁ ନୁହେଁ। ତେଣୁ ଏପରି ଭାବେ ମୁହଁ ବଞ୍ଚିଯାଏ, ମୁଖା ବି।
ଆଜି ଆମ ଆଗରେ ୨୦୧୪ ପରବର୍ତ୍ତୀ କାଳର ମୁଖା ରହିଛି। ତେବେ ପରବର୍ତ୍ତୀ କଥା କହିବା ପୂର୍ବରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆଧୁନିକ ବିଜ୍ଞାନରେ ମୁଖା ଓ ମୁହଁ ଭିତରୁ କେଉଁଟା ସତ, ଜାଣିବା ମୁସ୍କିଲ। ମୁଖା କେବେ ମୁହଁ ହୋଇଯାଉଛି ତ ମୁହଁ କେବେ ମୁଖା ହୋଇଯାଉଛି। ବହୁ ଜ୍ଞାନୀ ଲୋକ ହିଁ ଜାଣିପାରିଥା’ନ୍ତି ଯେ କିଏ କେବେ କାହାର ମୁଖା ପାଲଟିଛି ଏବଂ କିଏ କେବେ କାହାର ମୁହଁ ହେବାର ଅନୁମତି ପାଇଛି। ତେଣୁ ବୁଝିଯାଆନ୍ତୁ ଯେ ଉଭୟ ମୁଖା ହିଁ ହୋଇଥାନ୍ତି, ତେବେ ମୁହଁ ହେବା ଲାଗି ଖେଳ ଖେଳିବାକୁ ପଡ଼ିଥାଏ।
ଏବେ ପ୍ରକୃତ କଥା କହୁଛି। ଗୋଟିଏ ହେଉଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଅନ୍ୟ ଜଣକ ମହାସଚିବ ଦତ୍ତାତ୍ରେୟ ହୋସଵାଳେ। ସମାଜକୁ ବେହୋସ ରଖିବା କାମ ସଂଘ ପରିବାର ଜଣକୁ ଦେଇଛି, ଆଉ ହୋସଵାଳେ ସାହେବଙ୍କ ଦାୟିତ୍ବ ହେଲା ସରକାରଙ୍କୁ ହୋସରେ ଆଣିବା ଓ ହୋସ ବଜାୟ ରଖିବା। ତେବେ ଏଥିରୁ ବୁଝିହେଉଛି ଯେ ହୋସଵାଳେଙ୍କୁ ଯେଉଁ କାମରେ ଲଗାଯାଇଛି, ସେ ତାହା ସେତେବେଳେ କରିପାରିବେ ଯେତେବେଳେ ସରକାର ସେ କାମ ପାଇଁ ରାଜି ହେଉଥିବେ। ଏହାକୁ ମୁଖା ନିର୍ମାଣ ପ୍ରକ୍ରିୟା କୁହାଯାଏ। ତେଣୁ ଏପରି କିଛି ହେବାରେ ଲାଗିଛି କି, ହୋସଵାଳେ ହୋସରେ ରହିବା ଯାଏଁ ମୁହଁ ହୋଇ ରହିଛନ୍ତି, ହୋସ ଛାଡ଼ିଲା ମାତ୍ରକେ ସେ ମୁଖା ପାଲଟିଯିବେ। ତେବେ ଅଶୀ ଦଶକ ଦୁର୍ଘଟଣାର ପୁନରାବୃତ୍ତି ନଘଟିବା ଲାଗି ସାବଧାନତା ଜରୁରୀ। ଏବେ ଅସଲ କଥା ଜାଣିବା। ହୋସଵାଳେ ସାହେବ କହିଲେ କି ଦେଶରେ ଭୟଙ୍କର ଦାରିଦ୍ର୍ୟ, ବେକାରି ଦେଖାଦେବା ସହ ବୈଷମ୍ୟର ଗ୍ରାଫ୍ ବଢ଼ିବଢ଼ି ଯାଉଛି। ସେ ଭାରତୀୟ ସଂସ୍କୃତିର ଆଶ୍ରୟ ନେଇ କହିଲେ କି ଦେଶ ଏବେ ଦାନବମାନଙ୍କୁ ସାମନା କରୁଛି। କଥାକୁ ବିଜ୍ଞାନସମ୍ମତ କରିବା ଲାଗି ସେ କହିଲେ: ଦେଶରେ ଏବେ ୨୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଯେଉଁମାନଙ୍କୁ ଦେଖି ବିଚାରା ହୋସଵାଲେ ଦୁଃଖ ପ୍ରକଟ କରିଛନ୍ତି। ସେ ପୁଣି କହିଲେ, ଏଥି ସହିତ ପୁଣି ୨୩ କୋଟି ଲୋକ ଅଛନ୍ତି, ଯେଉଁମାନେ ଦୈନିକ ୩୭୫ ଟଙ୍କାରୁ କମ୍ ରୋଜଗାର କରୁଛନ୍ତି। ତାଙ୍କ ଅନୁସାରେ ଦେଶରେ ଏବେ ୪ କୋଟି ଲୋକ ବେକାର। ପୁଣି ସେ ଆଉ ପାଦେ ଆଗକୁ ଯାଇ କହିଲେ: ଆମ ଦେଶ ବିଶ୍ବର ସବୁଠୁ ଶ୍ରେଷ୍ଠ ୬ ଅର୍ଥ-ବ୍ୟବସ୍ଥା ମଧ୍ୟରୁ ଗୋଟିଏ। ମାତ୍ର ଏହା କ’ଣ ସୁଖର କଥା କି ଦେଶର ଉଚ୍ଚବର୍ଗର ମାତ୍ର ୧ ପ୍ରତିଶତ ଲୋକ ୨୦ ପ୍ରତିଶତ ରାଷ୍ଟ୍ରୀୟ ଆୟର ମାଲିକ ହୋଇଥିବା ବେଳେ ୫୦ ପ୍ରତିଶତ ଲୋକଙ୍କ ହାତରେ ମାତ୍ର ୧୩ ପ୍ରତିଶତ ଆୟ ରହିଛି। ସେ ଆଉ ଟିକେ ଆଗକୁ ଯାଇ କହିଲେ, ଦେଶର ସିଂହଭାଗ ଲୋକ ପାନୀୟ ଜଳ କି ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି।
ପ୍ରକୃତ କଥା ହେଲା ଦେଶର ଏଭଳି ଅବସ୍ଥା ଦେଖି ହୋସଵାଳେ ସାହେବଙ୍କ ହୋସ ଉଡ଼ିଗଲା। ମୁଁ ଭାବୁଛି କି, ଦେଶର ଏଭଳି ବାସ୍ତବ ସ୍ଥିତି ବତାଉଥିବା ଏଇ ପରିସଂଖ୍ୟାନ କ’ଣ ନୂଆ ଯାହାକୁ ସଂଘ ପରିବାରର ବିଶେଷଜ୍ଞ କମିଟି ଖୋଜି ବାହାର କରିଛନ୍ତି? ନା, ଏହି ପରିସଂଖ୍ୟାନ ତ କେବେ ଠାରୁ ଆମ ସାମନାରେ ଅଛି। ଆଜି ପୁଣି ଏ ବିଷୟରେ ଚର୍ଚ୍ଚା କାହିଁକି? ପ୍ରକୃତରେ ଏଠି ମୁଖା ତା’ ଖେଳ ଖେଳୁଛି। କେନ୍ଦ୍ର ଓ କିଛି ରାଜ୍ୟର ନିର୍ବାଚନ ଆଗକୁ ଆସୁଛି ଏବଂ ସଂଘ ଓ ଦଳରେ ଅନେକ ନେତାଙ୍କର ଗୋଟିଗୁଡ଼ିକ ପଶାପାଲିର ଠିକ୍ ସ୍ଥାନରେ ନାହାନ୍ତି। କିଛି ଅଘଟଣ ଆଶଙ୍କାରେ ସମସ୍ତେ ସନ୍ତର୍ପଣରେ ଅଛନ୍ତି। ଏଭଳି ସ୍ଥଳେ ସଂଘ ପରିବାରକୁ ଗୋଟିଏ ତୀରରେ ଅନେକ ଶିକାର କରିବାର ଅଛି।
ସଂଘ ପରିବାର ଚାହୁଁଛନ୍ତି ଯେ କେନ୍ଦ୍ର କ୍ଷମତାକୁ ଏଇ ସରକାର ପ୍ରତ୍ୟାବର୍ତ୍ତନ କରନ୍ତୁ, କାରଣ ସେମାନେ ଜାଣିଛନ୍ତି ଯେ ସେମାନଙ୍କ ପାଇଁ ବିଜେପିଠାରୁ ଅଧିକ ଅନୁକୂଳ ସରକାର ଆଉ କେହି ହୋଇପାରିବେନି। ମାତ୍ର ସେମାନେ ଏହା ମଧ୍ୟ ଅନୁଭବ କରୁଛନ୍ତି ଯେ ସଂଘ ଯେପରି ଚାହୁଁଛି, ମୋଦୀ ସରକାର ସେମାନଙ୍କ ଇସାରାରେ ସେପରି ଚାଲୁନାହାନ୍ତି। ଖେଳର ନିୟମ ଧାର୍ଯ୍ୟ କରିବା ଲାଗି ସଂଘ ଚାହୁଁଛି। ସରକାରଙ୍କ କାମ ହେଲା ଖାଲି ଖେଳିଚାଲିବା। ସେଥିପାଇଁ ଏପରି ମୁଖାକୁ ସାମନାକୁ ଅଣାଗଲା। ତାହାଠାରୁ ଦୁଇଟି କାମ ଆଶା କରାଯାଉଥିଲା। ମତଦାତାଙ୍କ ଆଗରେ ପ୍ରକୃତ ପରିସଂଖ୍ୟାନକୁ ପ୍ରକାଶ କରାଗଲା ସତ, କିନ୍ତୁ ପ୍ରକୃତରେ ସରକାରଙ୍କୁ ସତର୍କ କରିବା ଲାଗି ଏପରି କରାଯାଇଥିଲା। ଏହା ଦ୍ବାରା ସାଙ୍କେତିକ ଭାବେ ସରକାରଙ୍କୁ କୁହାଗଲା ଯେ ଠିକ୍ ଲାଇନ୍କୁ ଆସ, ନଚେତ୍ ଡିଣ୍ଡିମ ପିଟୁଥିବା ପ୍ରଚାରର ପର୍ଦ୍ଦାଫାସ ହୋଇଯିବ। ହୋସଵାଳେ ସାହେବଙ୍କୁ ଅତି ନିକଟରୁ ପର୍ଯ୍ୟାଲୋଚନା କଲେ ସରକାରଙ୍କ କୋଉ ଯୋଜନା କ’ଣ ସବୁ ସମାଧାନ କରିପାରିବ, ତାହା ଜଣାପଡ଼ିଯିବ। ହୋସଵାଳେ ଦାରିଦ୍ର୍ୟ ଓ ଖରାପ ଶିକ୍ଷା ବ୍ୟବସ୍ଥା କଥା କହିଲା ବେଳେ ଏକଥା ବି କହୁଛନ୍ତି କି ସେଥିପାଇଁ ନୂତନ ଶିକ୍ଷାନୀତିର ଆରମ୍ଭ କରାଯାଇଛି। ସ୍ବାବଲମ୍ବୀ ଭାରତ ଅଭିଯାନ ଓ କୌଶଳ ବିକାଶ ଆଦିର ଉଲ୍ଲେଖ ମଧ୍ୟ କରୁଛନ୍ତି। କୋଭିଡ୍ ସମୟରେ ମିଳିଥିବା ଶିକ୍ଷା କଥା ବି କହୁଛନ୍ତି ଯେ ଗ୍ରାମୀଣ ରୋଜଗାର ଗ୍ରାମାଞ୍ଚଳରେ ବିକଶିତ ହେବା ଦରକାର ଏବଂ ଆୟୁର୍ବେଦୀୟ ଔଷଧର ବିକାଶ ଦିଗରେ ଉଚିତ ପଦକ୍ଷେପ ନିଆଯାଇଛି। ଅର୍ଥାତ୍ ମୁଖା ଖୋଲିଦେବା ମାତ୍ରେ ସରକାରଙ୍କ ପ୍ରତି ତିଳେ ମାତ୍ର କ୍ଷୋଭ ଥିବାର ଦେଖିବାକୁ ମିଳିବ ନାହିଁ। ଏହା ଏକ ସତର୍କବାଣୀ ଯାହା ସରକାରଙ୍କୁ ସାବଧାନ କରାଇଦେଉଛି ଯେ ସଂଘ ସହିତ ତାଳମେଳ ରଖି ଚାଲନ୍ତୁ।
ଏବେ ଦେଖିବାକୁ ମିଳୁଛି ଯେ ସଂଘ ମୁଖ୍ୟ ମୋହନ ଭାଗବତ ମଧ୍ୟ ଏଭଳି କିଛି କହୁଛନ୍ତି ଯାହା ସରକାରଙ୍କ ଦୃଷ୍ଟିଭଙ୍ଗୀ ସହିତ ଆଦୌ ମେଳ ଖାଉନାହିଁ। ଯାହା ଜଣାପଡୁଛି, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରକାରଙ୍କ ସହ କେବଳ ଅସୁବିଧା ନାହିଁ, ସଂଘ ପାଖରେ ଅଧିକ ଫଳପ୍ରଦ ବିକଳ୍ପ ବାଟ ମଧ୍ୟ ରହିଛି। ମାତ୍ର ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ସେମାନେ ସମସ୍ତେ ମିଶି ଡୋରକୁ ସେତିକି ଜୋର୍ରେ ହିଁ ଟାଣୁଛନ୍ତି ଯେତିକିରେ ତାହା ଆଦୌ ଛିଣ୍ଡିବ ନାହିଁ। ସବୁ କିଛି ଯେମିତି ଚାଲିବା କଥା ସେମିତି ଚାଲିଛି, ମାତ୍ର ଏମିତି ଏକ ଧାରଣା ସୃଷ୍ଟି ହେଉଛି କି କେହି ଜଣେ ରହିଛି, ଯିଏ ଅଙ୍କୁଶ ଲଗାଇବା କାମ କରୁଛି। ମାତ୍ର ନା ସେ ଅଙ୍କୁଶ ଲଗାଉଛି ନା ଲଗେଇଦେଉଛି, ନା ସରକାରଙ୍କ ସ୍ଥିତି କି ଗତିପଥରେ କିଛି ଫରକ ପଡୁଛି। ଆମ ସଡ଼କ କଲ୍ୟାଣ ମନ୍ତ୍ରୀଙ୍କ ଅବସ୍ଥା ଏପରି ହୋଇଛି। ସେ ମଧ୍ୟ କିଛି ଭିନ୍ନ କଥା ଶାଣିତ ଶୈଳୀରେ କହୁଛନ୍ତି, ମାତ୍ର ନିଜର ମର୍ଯ୍ୟାଦାକୁ ଧ୍ୟାନରେ ରଖି କହୁଛନ୍ତି। ନିଜ ସୀମା ଭିତରେ ରହିବା ତ ଦରକାର। ମାତ୍ର ମୁଖା ଯଦି ସୀମା ଉଲ୍ଲଂଘନ କରେ, ତାହା ଭାଙ୍ଗିଯିବ। ସେତେବେଳେ ଆଉ କୌଣସି ରାଜନୈତିକ ସ୍ଥିତି ବଞ୍ଚିନଥିବ।
ତେଣୁ ଆମକୁ ମୁଖାର କଥା ଶୁଣିବା ତ ଆବଶ୍ୟକ, ମାତ୍ର ଏକଥା ମଧ୍ୟ ଧ୍ୟାନ ଦେବା ଉଚିତ ଯେ ମୁହଁ ଆଉ ମୁଖା ଭିତରେ ଫରକ ରହିଛି ଏବଂ ମୁହଁ କହୁଛି କି ମୁଖା କହୁଛି, ତାହା ଭିତରେ ଥିବା ଫରକ କେବଳ ଅଭିଜ୍ଞତା ଆସିଲେ ହିଁ ଜାଣିହେବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ