ଅନୈତିକତା ଏବେ କେଉଁ ସ୍ତରରେ ପହଞ୍ଚିଲାଣି, ତାହା ଆମେ ସମସ୍ତେ ଅଙ୍ଗେ ନିଭାଉଛେ। ଏହା ଏକ ପ୍ରକାର ଦୁରାରୋଗ୍ୟ ବ୍ୟାଧି ଭଳି ଲାଗିଲାଣି। ଏହା ମାନସିକତାକୁ ରୁଗ୍ଣ କରି ସାରିଲାଣି ଏବଂ ଏହା ସର୍ବବ୍ୟାପୀ ହେବାରେ ଲାଗିଛି। ଉଦାହରଣ ସ୍ବରୂପ ମଦ ପିଇ ପରିବାର ଉଜାଡ଼ିବା ଘଟଣା ଆଉ ଅଶିକ୍ଷିତ ଓ ଦରିଦ୍ର ପରିବାରରେ ସୀମିତ ନାହିଁ, ଏହା ଉଚ୍ଚ ଶିକ୍ଷିତଙ୍କ ଘରକୁ ମଧ୍ୟ ଆକ୍ରାନ୍ତ କଲାଣି। ସେହି କ୍ରମରେ ନିଜର ଦେହକୁ ପଣ୍ୟ ଦ୍ରବ୍ୟ ଭଳି ବ୍ୟବହାର କରିବାର ଆଗ୍ରହ, ଅହଙ୍କାରର ଔଦ୍ଧତ୍ୟ, ବିନା ପରିଶ୍ରମରେ ଓ ଅନ୍ୟ ସହ ପ୍ରବଂଚନା କରି ଅୟସରେ ଚଳିବାର ପ୍ରବଣତା ଏବେ ଏଭଳି ବ୍ୟାପକ ହେଲାଣି ଯେ ଲାଗୁଛି ସତେ ଯେମିତି ଏହା କ୍ରମେ ଦେହସୁହା ହୋଇ ଆଉ ଭ୍ରୂକୁଂଚନ ସୃଷ୍ଟି କରିବ ନାହିଁ। ସୁତରାଂ, ଅନୈତିକ ଆଚରଣମାନ ନବ-ନୈତିକ ଆଚରଣର ମାନ୍ୟତା ଲାଭ କରିବ!
ବଡ଼ ପ୍ରଶ୍ନ ହେଲା ଆମେମାନେ କ’ଣ ଏଭଳି ସାମାଜିକ ଅଧୋପତନର କେବଳ ମୂକସାକ୍ଷୀ ହୋଇ ରହିବା ଏବଂ କ୍ରମେ ନିଜେ ଏହାର ଏକ ଅଙ୍ଗ ପାଲଟି ଯିବା? ଉତ୍ତର ଅବଶ୍ୟ ‘ନା’। ସୁତରାଂ, ନୈତିକ ଅବକ୍ଷୟକୁ ରୋକିବା ସକାଶେ କେତେକ ଉପାୟ ଅବଲମ୍ବନ କରିବା। ଏହି କ୍ରମରେ ପ୍ରଥମଟି ହେଉଛି ବ୍ୟକ୍ତିଗତ ପ୍ରଚେଷ୍ଟା। ମୁଁ ଯଦି ଅନୈତିକ ଆଚରଣ କରିବି ନାହିଁ; ତେବେ ତାହା ସେ ଦିଗରେ ଏକ କ୍ଷୁଦ୍ର ପଦପାତ ହେବ। ଏହି ଭାବନା ଯଦି ଅଧିକ ବ୍ୟକ୍ତିଙ୍କ ହୃଦୟରେ ସ୍ଥାପିତ ହୁଏ, ତେବେ ଏକ ଜାଗରଣର ପ୍ରାରମ୍ଭ ହେବ। ତେଣୁ ଆଉ କିଏ କ’ଣ କରୁଛି ତାହା ଚିନ୍ତା ନ କରି ଆମେ ପ୍ରଥମେ ନିଜ ପାଖରୁ ଏ ଦିଗରେ ଏକ ଯାତ୍ରା ଆରମ୍ଭ କରିବା ଉଚିତ। ଶ୍ରୀଅରବିନ୍ଦ କହିଥିଲେ ଯେ କେବଳ ଜଣେ ବ୍ୟକ୍ତିର ନିଖୁଣତା ମଧ୍ୟ ସାରା ପୃଥିବୀକୁ ରକ୍ଷା କରିପାରେ। ତେଣୁ ଅବିରତ ନିଜକୁ ଠିକ୍ ମାର୍ଗରେ ରଖିବାକୁ ଚେଷ୍ଟା କରିବା ଉଚିତ। ଦ୍ବିତୀୟରେ ଜନ ସମୂହଙ୍କୁ ବା ରାଜ୍ୟକୁ ଚଳାଉଥିବା ପ୍ରଶାସନିକ ଅନୁଷ୍ଠାନମାନ ଏଥିରେ ନୀତିବାନ ବ୍ୟକ୍ତିଙ୍କର ସହାୟକ ହେବା ଉଚିତ। ଏହା ବ୍ୟକ୍ତିର ନୈତିକ ବଳକୁ ଆହୁରି ସଶକ୍ତ କରିବ। ପ୍ରଶାସନିକ ପ୍ରଚେଷ୍ଟାର ଆଉ ଏକ ଦିଗ ହେଉଛି ସମାଜର ନୀତିନିୟମର ଯଥାର୍ଥ ପାଳନକୁ ସୁନିଶ୍ଚିତ କରିବା। ବର୍ତ୍ତମାନ ଏଭଳି ଉଦ୍ୟମରେ ନିତାନ୍ତ ଅଭାବ ଦେଖିବାକୁ ମିଳିଥାଏ। ସଂପ୍ରତି ଦେଖିବାକୁ ମିଳୁଥିବା ପ୍ରଶାସନିକ ଦୁର୍ନୀତି କିଭଳି ଅନେକ ସଚ୍ଚୋଟ ଏବଂ ନୀତିବାନ ବ୍ୟକ୍ତିଙ୍କୁ ଗଭୀର ଭାବେ ବ୍ୟଥିତ କରିବାରେ ଲାଗିଛି ସେ ବିଷୟରେ ଅଧିକ କହିବାର ଆବଶ୍ୟକତା ନାହିଁ। ଏହା ଅତ୍ୟନ୍ତ ବେଦନାଦାୟକ।
ସର୍ବଶେଷରେ ଦଳଗତ ଚେଷ୍ଟାର ଭୂମିକା। ଆମେ ଏକ ବହୁମୁଖୀ ଓ ବହୁ ରଙ୍ଗୀ ସମାଜରେ ବାସ କରୁଛୁ। ସବୁ ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କର କିଛି କିଛି କର୍ତ୍ତବ୍ୟ ରହିଛି। ଯେତେ ଛୋଟ ଅନୁଷ୍ଠାନଟିଏ ହେଲେ ମଧ୍ୟ ତା’ର ଏକ ଦାୟିତ୍ବ ରହିଛି। ଅନୈତିକତାକୁ ଦୂର କରିବାରେ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଦାୟିତ୍ବ ହେଉଛି ତାହାକୁ ଅସହଯୋଗ କରିବା। କେବଳ ସେତିକି ନୁହେଁ, ଏ ଦିଗରେ ସମସ୍ତଙ୍କୁ ସଚେତନ କରିବା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଆନୁଷ୍ଠାନିକ ଦାୟିତ୍ବ ହେବା ଉଚିତ। ସେହି ଦୃଷ୍ଟିରୁ ଶୈକ୍ଷିକ, ରାଜନୈତିକ, ସାମାଜିକ, ସାଂପ୍ରଦାୟିକ, କ୍ରୀଡ଼ା ବା ସାଂସ୍କୃତିକ ଅନୁଷ୍ଠାନ ଇତ୍ୟାଦି ଭଳି ସମସ୍ତ ଅନୁଷ୍ଠାନ ଏ ଦିଗରେ ପ୍ରଚେଷ୍ଟା କରି ସେ ସବୁକୁ ଅନୁସରଣ କରୁଥିବା ଗୋଷ୍ଠୀକୁ ଏ ଦିଗରେ ପ୍ରଭାବିତ କରିବା ଉଚିତ।
ଏହା ଦ୍ବାରା ଆମେ ହିଁ ଅନୈତିକତାର ନିରାକରଣ କରିପାରିବା। ଏଥିପାଇଁ ଆମକୁ ବ୍ୟକ୍ତିଗତ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠିବାକୁ ହେବ। ନିରବ ନ ରହି ଅନୈତିକତାର ପ୍ରତିବାଦ କରିବାକୁ ହେବ। ନିଜକୁ ଏବଂ ନିଜେ ସଂପୃକ୍ତ ଥିବା ଦଳ ଏବଂ ଅନୁଷ୍ଠାନକୁ ଏ ଦିଗରେ ସଂଚାଳିତ କରିବାକୁ ହେବ।
ମୋ: ୯୧-୭୦୦୮୬୬୬୭୮୭