ଭାରତରେ ମୋବାଇଲ ଫୋନର ବ୍ୟବହାର ବଢ଼ି ଚାଲିଛି। ମୋବାଇଲ ଡାଟା ଓ ଆନାଲିଟିକ୍‌ ସଂସ୍ଥା ‘ଆପ ଆନି’ ତରଫରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ୨୦୨୧ରେ ଭାରତୀୟମାନେ ଦୈନିକ ହାରାହାରି ୪.୭ ଘଣ୍ଟା ମୋବାଇଲରେ ବିତାଇଛନ୍ତି। କୋଭିଡ୍‌ ପୂର୍ବରୁ ୨୦୧୯ରେ ଏହା ଦୈନିକ ୩.୭ ଘଣ୍ଟା ଥିଲା। ସୁତରାଂ, ଦୁଇ ବର୍ଷ ଭିତରେ ମୋବାଇଲ ବ୍ୟବହାର ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ପାଇଛି। ଭାରତୀୟମାନେ ମୋବାଇଲରେ ସମୁଦାୟ ୬୬,୫୦୦ କୋଟି ଘଣ୍ଟା ଅତିବାହିତ କରିଥିବାରୁ ବ୍ରାଜିଲ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ ଓ ମେକ୍‌ସିକୋ ପଛକୁ ଭାରତ ପଞ୍ଚମ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଦେଶ ରୂପେ ଉଭା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱବାସୀ ଦୈନିକ ହାରାହାରି ୩.୨୫ ଘଣ୍ଟା ମୋବାଇଲ ବ୍ୟବହାର କରୁଥିବା ବେଳେ ଭାରତୀୟମାନେ ତା’ଠାରୁ ପ୍ରାୟ ଦେଢ଼ ଗୁଣ ଅଧିକ ବ୍ୟବହାର କରୁଛନ୍ତି। ଭାରତୀୟମାନେ ଦିନର ଯେତିକି ସମୟ ଜାଗ୍ରତ ରହୁଛନ୍ତି, ତା’ର ପ୍ରାୟ ଏକ-ତୃତୀୟାଂଶ ସମୟ ମୋବାଇଲରେ ବିତୁଛି। ସେହିପରି ଭାରତୀୟମାନେ ଦୈନିକ ହାରାହାରି 3.5 ଘଣ୍ଟା ଟିଭି ଦେଖାରେ ବିତାଉଛନ୍ତି ଏବଂ କମ୍ପ୍ୟୁଟର ଜାଣିଥିବା ଲୋକଙ୍କର କମ୍ପ୍ୟୁଟର ଆଗରେ ଯଥେଷ୍ଟ ସମୟ ଅତିବାହିତ ହେଉଛି। ଫଳରେ ପରିବାର ଓ ପରିଜନଙ୍କ ସହ ଦୁଇ ପଦ କଥା ହେବା ପାଇଁ ବା ହସଖୁସିରେ ସମୟ ବିତାଇବା ପାଇଁ ଆଉ ବଳକା ସମୟ ରହୁନାହିଁ। ଇଲେକ୍ଟ୍ରୋନିକ ଉପକରଣର ବ୍ୟବହାର ଯେତିକି ବଢୁଛି, ଡିଜିଟାଲ ବିଷ ସେତିକି ସଞ୍ଚରିତ ହୋଇ ବ୍ୟବହାରକାରୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବିପନ୍ନ ହେଉଛି। ତାହା ପାରସ୍ପରିକ ସମ୍ପର୍କକୁ ଦୁର୍ବଳ କରୁଛି, ସାମାଜିକ ଜୀବନକୁ ଆକ୍ରାନ୍ତ କରୁଛି। କିନ୍ତୁ, ଏହାର ଆସକ୍ତି ଏଭଳି ତୀବ୍ର ହୋଇଛି ଯେ ଡିଜିଟାଲ ବିଷ ବଳୟରୁ ମୁକ୍ତି ପାଇବା ଏକ ବଡ଼ ଆହ୍ୱାନ ସୃଷ୍ଟି କଲାଣି।

Advertisment

ଡିଜିଟାଲ ବିଷ-ମୁକ୍ତି (ଡିଜିଟାଲ ଡିଟକ୍ସ)ର ଅର୍ଥ ହେଉଛି କିଛି ସମୟ ଲାଗି ଇଲେକ୍ଟ୍ରୋନିକ୍‌ ଉପକରଣ ବା ନିର୍ଦ୍ଦିଷ୍ଟ ମିଡିଆ ଠାରୁ ନିଜକୁ ଦୂରେଇ ରଖିବା। ଏହାର ଅର୍ଥ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ଯେମିତି କିଛି ଲୋକ ସେହି ସମୟରେ ଇ-ମେଲ୍‌ କି ହ୍ୱାଟ୍‌ସଆପ୍ ଦେଖି ନ ଥାଆନ୍ତି ତ ଆଉ କିଛି ଲୋକ ଭିଡିଓ ଗେମ୍‌ ଖେଳି ନ ଥାଆନ୍ତି। ସେମିତି କେହି କେହି ସାମାଜିକ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖନ୍ତି, ସ୍ମାର୍ଟଫୋନ ବ୍ୟବହାର କରନ୍ତି ନାହିଁ, ନ୍ୟୁଜ ବା ଅନ୍ୟ ଟିଭି କାର୍ଯ୍ୟକ୍ରମ ଦେଖନ୍ତି ନାହିଁ। ସାମାଜିକ ଗଣମାଧ୍ୟମରୁ ଅବ୍ୟାହତି ନେବା ଡିଜିଟାଲ ବିଷ-ମୁକ୍ତି ପ୍ରକ୍ରିୟାର ଏକ ସର୍ବାଦୃତ ଉପାୟ। ସାମାଜିକ ଗଣମାଧ୍ୟମ ଦ୍ୱାରା ଲୋକମାନେ ପରସ୍ପର ସହିତ ସମ୍ପର୍କିତ ହୋଇ ସେଥିରୁ ଅନେକ ଲାଭ ପାଇଥାଆନ୍ତି ସତ, କିନ୍ତୁ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା କୌଣସି ବିଷୟ ଦେଖି ଜଣେ ଉତ୍ତେଜିତ ବା ମର୍ମାହତ ବା ଉଦ୍‌ବିଗ୍ନ ହୋଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା, ସୂଚନା, ଅନୁଭୂତିରୁ ବଞ୍ଚିତ ହେଉଛି ବୋଲି ମନେ କରିପାରନ୍ତି (ଫିଅର ଅଫ ମିସିଙ୍ଗ ଆଉଟ), ସାମାଜିକ ତୁଳନାର ଶିକାର ହୋଇପାରନ୍ତି। ଏହା ନିଃସଙ୍ଗତାବୋଧ ସୃଷ୍ଟି କରିପାରେ, ଅବସାଦ ଉଦ୍ରେକ କରିପାରେ। କାର୍ଯ୍ୟ କ୍ଷେତ୍ରରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରୁଥିବା ଲୋକ ଉତ୍ପାଦନ ହ୍ରାସର କାରଣ ହୁଅନ୍ତି। ଏଣୁ ଡିଜିଟାଲ ବିଷ-ମୁକ୍ତି ଲାଗି ପ୍ରୟାସ ଦ୍ବାରା ଜଣେ ଅବସାଦମୁକ୍ତ ହେବା ସହ ନିଜ କାମରେ ମନ ଲଗାଇ ପାରିବେ ଏବଂ ପରିବାର ଓ ବନ୍ଧୁ ପରିଜନଙ୍କ ସହ ସମ୍ପର୍କକୁ ନିବିଡ଼ କରିପାରିବେ ଓ କର୍ମ କ୍ଷେତ୍ରରେ ସଫଳ ହୋଇପାରିବେ।

ଇଲେକ୍ଟ୍ରୋନିକ୍‌ ଉପକରଣ ଠାରୁ କେତେବେଳେ ଦୂରେଇ ରହିବା ଉଚିତ, ତା’ର ଇଙ୍ଗିତ ମଧ୍ୟ କେତେକ ମାନସିକ ଓ ଶାରୀରିକ ଅବସ୍ଥାରୁ ମିଳିଥାଏ। ଯେମିତି ଅଯଥାରେ ଚିଡ଼ଚିଡ଼ ହେବା ବା ରାଗିବା ଅଥବା ହତାଶା ଭାବ ଦେଖାଦେବା, ନିଜକୁ ଅସୁରକ୍ଷିତ ବୋଲି ମନେ କରିବା, ନିଦ୍ରାହୀନତାର ଶିକାର ହେବା, ଅନେକ ସମୟ ଅନ୍‌ଲାଇନ୍‌ରେ ବିତାଇ ଘରୋଇ ଦାୟିତ୍ୱ ଓ କାର୍ଯ୍ୟରେ ଅବହେଳା କରିବା, ଅନ୍ୟମାନଙ୍କ ସହ ମିଳାମିଶା କରିବାର ଆଗ୍ରହ ହରାଇବା ଆଦି। ସେ କ୍ଷେତ୍ରରେ ଡିଜିଟାଲ ବିଷ-ମୁକ୍ତି ଜରୁରୀ ହୋଇପଡ଼େ। ଏଭଳି ସ୍ଥଳେ ଏହି ନିଷ୍ପତ୍ତି ସମ୍ପର୍କରେ ପରିବାର ଓ ବନ୍ଧୁବର୍ଗଙ୍କୁ ସୂଚନା ପ୍ରଦାନ କରିବା ଓ ସେମାନଙ୍କ ସହଯୋଗ ଲୋଡ଼ିବା ଆବଶ୍ୟକ। ଏହି ସମୟରେ ଫୋନ ଓ କମ୍ପ୍ୟୁଟରକୁ ବନ୍ଦ ବା ମୂକାବସ୍ଥାରେ ରଖା ଯାଉଥିବାରୁ ବାହାର ଦୁନିଆରୁ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି। କିନ୍ତୁ ଏହି ଉତ୍କଣ୍ଠାକୁ ଧୈର୍ଯ୍ୟ ସହକାରେ ମୁକାବିଲା କରିବାକୁ ହେବ। ଧୀରେ ଧୀରେ ଆତ୍ମବିଶ୍ୱାସ ବଢ଼ିବା ସହ ଟେକ୍‌ନୋଲୋଜି ଦ୍ୱାରା ଜୀବନ କେତେ ଦୂର ନିୟନ୍ତ୍ରିତ ହେବା ଉଚିତ, ତାହା ବୁଝି ହେବ। ଡିଜିଟାଲ ବିଷ-ମୁକ୍ତିର ଅର୍ଥ ଜୀବନ ସହିତ ଟେକ୍‌ନୋଲୋଜିର ଏକ ସୁସମନ୍ୱୟ।

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ମୋହିତ୍ୟାଞ୍ଚେ ବଡ଼ଗାଓଁ ନାମକ ଗାଁରେ ଡିଜିଟାଲ ବିଷ-ମୁକ୍ତି ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। କରୋନା ସମୟରେ ପିଲାମାନେ ଅନ୍‌ଲାଇନ୍‌ ଶିକ୍ଷା ଲାଭ କରୁଥିବାରୁ ମୋବାଇଲ ଫୋନ ସେମାନଙ୍କ ଦିନଚର୍ଯ୍ୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା। ତେବେ, କରୋନା କଟକଣା କୋହଳ ହୋଇ ସ୍କୁଲ ଖୋଲିବା ପରେ ଦେଖାଗଲା ଯେ ପିଲାମାନେ ଅଳସୁଆ ହୋଇଯାଇଛନ୍ତି। ପଢ଼ିବା ବା ଲେଖିବା ପ୍ରତି ସେମାନଙ୍କ ଆଗ୍ରହ ସତେ ଯେମିତି ମରିଯାଇଛି। ସ୍କୁଲ ପରେ ଖେଳାଖେଳି ମଧ୍ୟ କରୁନାହାନ୍ତି। କାରଣ ସେମାନଙ୍କ ଅଧିକାଂଶ ସମୟ ମୋବାଇଲରେ ବିତୁଛି। ସଞ୍ଜ ହେଲେ ଗାଁର ବୟସ୍କମାନେ ଟିଭି ସାମନାରେ ସମୟ କାଟୁଛନ୍ତି। ଫଳରେ ଗାଁ ଲୋକଙ୍କ ମଧ୍ୟରେ ମିଳାମିଶା ଯଥେଷ୍ଟ ହ୍ରାସ ପାଇଛି। ଏଣୁ ଗାଁର ସରପଞ୍ଚ ବିଜୟ ମୋହିତେ ଏହାର ପ୍ରତିକାର ପାଇଁ ଗାଁର ଅନ୍ୟ ମୁରବିଙ୍କ ସହ ଆଲୋଚନା କରି ଏକ ନିଷ୍ପତ୍ତି ନେଲେ, ଯାହା ଫଳରେ ଗାଁରେ ଲୋକମାନେ ସନ୍ଧ୍ୟା ବେଳେ ସେମାନଙ୍କ ମୋବାଇଲ, ଟିଭି, କମ୍ପ୍ୟୁଟର ଆଦି ଇଲେକ୍ଟ୍ରୋନିକ୍‌ ଉପକରଣକୁ ଦେଢ଼ ଘଣ୍ଟା ଲାଗି ବନ୍ଦ ରଖିଲେ। ଆଶା ଦିଦୀ, ଅଙ୍ଗନବାଡ଼ି ଦିଦୀ, ଅବସରପ୍ରାପ୍ତ ଶିକ୍ଷକ, ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ସହାୟତା ନେଇ ଲୋକମାନଙ୍କୁ ଏହାର ଲାଭ ସମ୍ପର୍କରେ ବୁଝାଗଲା। ନିଷ୍ପତ୍ତିର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ୱାର୍ଡ କମିଟିମାନ ଗଠନ କରାଗଲା। ସଂଧ୍ୟା ସାତ ଓ ସା‌େଢ଼ ଆଠରେ ସାଇରନ୍‌ ବାଜି ସମୟର ସୂଚନା ଦେଉଛନ୍ତି ଏବଂ ସେହି ସମୟ ତକ ଉପକରଣଗୁଡ଼ିକ ବନ୍ଦ ରହୁଛି। ଏହା ଫଳରେ ‌ସେହି ସମୟ ତକ ପିଲାମାନେ ପାଠ ପଢୁଛନ୍ତି ଏବଂ ଗାଁରେ ସାମାଜିକ ଗତିବିଧି ଚଳଚଞ୍ଚଳ ହେଉଛି। ଲୋକେ ଏହାର ଉପକାର ବୁଝି ପାରୁଛନ୍ତି।

ସେମିତି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାର ବେଗମଗଞ୍ଜ ସହରରେ ସେପ୍‌ଟେମ୍ୱର ୨୦୨୨ରେ ଜୈନ ସମ୍ପ୍ରଦାୟର ପ୍ରାୟ ୧୦୦୦ ଲୋକ ‘ପର୍ଯ୍ୟୁଷଣ ପର୍ବ’ ପାଳନ ଅବସରରେ ୨୪ ଘଣ୍ଟା ଲାଗି ‘ଡିଜିଟାଲ ଉପବାସ’ ପାଳନ କରିଛନ୍ତି। ‘ପର୍ଯ୍ୟୁଷଣ ପର୍ବ’ ପ୍ରତି ବର୍ଷ ଅଗଷ୍ଟ-ସେପ୍‌ଟେମ୍ୱରରେ ଆଠ ଦିନ ଲାଗି ପାଳନ କରାଯାଇଥାଏ। ଆତ୍ମ ଶୁଦ୍ଧି ତଥା ଆଧ୍ୟାତ୍ମିକ ବିକାଶ ଏହି ପର୍ବ ପାଳନର ମୂଳ ଲକ୍ଷ୍ୟ। ଏହି ସମୟ‌େର ଉପବାସ, ପୂଜା ଇତ୍ୟାଦି କରାଯାଏ। ଏହି ପର୍ବ ପାଳନ ସମୟରେ ଭକ୍ତଙ୍କୁ ତାଙ୍କର କୌଣସି ପ୍ରିୟ ବସ୍ତୁ ତ୍ୟାଗ କରିବାକୁ ହୋଇଥାଏ। ସେହି କ୍ରମରେ କମିଟି ତରଫରୁ ୨୪ ଘଣ୍ଟା ପାଇଁ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଏବଂ ଇଣ୍ଟର୍‌ନେଟ୍‌ ଠାରୁ ଦୂରେଇ ରହିବାକୁ ଆହ୍ୱାନ ଦିଆଯାଇଥିଲା। ଫଳରେ ଲୋକେ ଜୈନ ମନ୍ଦିରରେ ସେମାନଙ୍କ ମୋବାଇଲଗୁଡ଼ିକୁ ଜମା କରି ଡିଜିଟାଲ ଉପବାସ କରିଥିଲେ।

ରୋମାଞ୍ଚ ସୃଷ୍ଟିକାରୀ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରଥମେ ଆମକୁ ଚମତ୍କୃତ କରି ତା’ ପ୍ରତି ଆକୃଷ୍ଟ କରିଥାଏ। ଧୀରେ ଧୀରେ ସେ ଆମ ବଳକା ସମୟ ଉପରେ କବ୍‌ଜା କରି ଶେଷରେ ମୋହଗ୍ରସ୍ତ କରି ପକାଏ। ଫଳରେ ଆମେ ତା’ ନିକଟରେ ଏକ ପ୍ରକାର ବନ୍ଧା ପଡ଼ିଯାଉ। ତେଣୁ କିଛି ସମୟ ଲାଗି ଏହାର ଦାସତ୍ବରୁ ମୁକ୍ତ ରହିବାର ଇଚ୍ଛା ଆମ ମନ ଭିତରୁ ସ୍ବତଃପ୍ରବୃତ୍ତ ଭାବେ ଆସିବା ଉଚିତ, ଯାହା ସର୍ବୋତ୍କୃଷ୍ଟ। ନ ହେଲେ କେତେକ କଟକଣାର ଆବଶ୍ୟକତା ରହିଛି; ଯେମିତି କାର୍ଯ୍ୟ କ୍ଷେତ୍ରରେ ମୋବାଇଲ ଫୋନର ମନ ଇଚ୍ଛା ବ୍ୟବହାର ଉପରେ କଟକଣା ବା ଶ୍ରେଣୀ ଗୃହରେ ମୋବାଇଲକୁ ସୁଇଚ୍‌ ଅଫ୍‌ କରି ରଖିବାର ନିୟମ। ସତ କହିଲେ ଡିଜିଟାଲ ବିଷ-ମୁକ୍ତି ଅଭିଯାନ ନୂଆ ନୂଆ ଅଞ୍ଚଳରେ କରାଯିବାର ଆବଶ୍ୟକତା ରହିଛି। ପ୍ରତି ପରିବାର ମଧ୍ୟ ଏ ଦିଗରେ ଆଗ୍ରହ ଦେଖାଇ ଏକ ନିର୍ଦ୍ଦିଷ୍ଟ ସମୟରେ ‘ଡିଜିଟାଲ ବିରତି’ କଲେ ଭଲ। ଏହା ହେଲେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସଂପର୍କ ଦୃଢ଼ତର ଏବଂ ମଧୁରତର ହେବ। ଏହା ମଧ୍ୟ ସତ ଯେ ବର୍ତ୍ତମାନର ଯୁଗରେ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଉପରେ ମାନବ ଜାତି ଅତ୍ୟନ୍ତ ନିର୍ଭରଶୀଳ ହୋଇ ପଡ଼ିଛି। କିନ୍ତୁ ସେହି ନିର୍ଭରଶୀଳତା ଏକ ଦାସତ୍ବ ସୃଷ୍ଟି ନ କରୁ ଏବଂ ଜୀବନର ଗୁଣମାନରେ ଅବକ୍ଷୟ ନ ଘଟା‌ଉ।

ମୋ: ୯୪୩୭୦୩୮୦୧୫