ପ୍ରତୀପ ଷ୍ଟିୟରିଂ ଧରିଲେ କାର୍ର ବେଗ ଉପରେ ନିୟନ୍ତ୍ରଣ ରଖି ପାରନ୍ତିନି। ରାସ୍ତାରେ ତାଙ୍କ ଆଗରେ ଯାଉଥିବା ପ୍ରତ୍ୟେକଟି ଗାଡ଼ି ତାଙ୍କର ଦକ୍ଷତା ପ୍ରତି ଗୋଟିଏ ଗୋଟିଏ ଆହ୍ୱାନ ଭଳି ପ୍ରତୀୟମାନ ହୁଅନ୍ତି ଓ ସେମାନଙ୍କୁ ଟପି ଗଲା ପରେ ଯାଇ ପ୍ରତୀପ ଶାନ୍ତି ପାଆନ୍ତି। ସହରରେ ରାସ୍ତାଗୁଡ଼ିକ ଚଉଡ଼ା ହେବା ସଙ୍ଗେ ସଙ୍ଗେ ନୂତନ ଫ୍ଲାଇ ଓଭର ସବୁ ଖୋଲିଯିବା ପରେ ପ୍ରତୀପ ଭାବିଥିଲେ ଯେ ତାଙ୍କ ଗାଡ଼ିଚଲା ସଉକକୁ ସେ ନୂଆ କୀର୍ତ୍ତିମାନ ଦେବେ। ଏମିତି ଅଫୁରନ୍ତ ଉତ୍ସାହରେ ଦିନେ ସେ ରାଜରାସ୍ତାରେ ଗାଡ଼ି ଛୁଟାଇଥିବା ବେଳେ ତାଙ୍କ ମନ ଉଲ୍ଲସିତ ଅବସ୍ଥାରେ ଥିଲା। ହେଲେ ଘରେ ପହଞ୍ଚିବା ମାତ୍ରେ ମୋବାଇଲରେ ଯେଉଁ ସନ୍ଦେଶଟି ପାଇଥିଲେ, ତାହା ତାଙ୍କର ସବୁ ମଜାରେ ପାଣି ପକାଇ ଦେଲା। ନିର୍ଦ୍ଧାରିତ ବେଗ ଅତିକ୍ରମ କରି ଗାଡ଼ି ଚଳାଉଥିବା ବେଳେ କ୍ୟାମେରାରେ ଧରା ପଡ଼ିଥିବାରୁ ତାଙ୍କୁ ଦୁଇ ହଜାର ଟଙ୍କା ଜରିମାନା ପୈଠ କରିବାର ନିର୍ଦ୍ଦେଶ ଆସିଥିଲା କର୍ତ୍ତୃପକ୍ଷଙ୍କ ପାଖରୁ। ସେହି ଦିନର ତିକ୍ତ ଅନୁଭୂତି ପରେ ପ୍ରତୀପଙ୍କର ଗାଡ଼ିର ବେଗ କମିଗଲା ସିନା, ଗାଡ଼ି ଚଳେଇବା ବେଳେ ରାସ୍ତା ଉପରେ ଝୁଲୁଥିବା କ୍ୟାମେରା ପ୍ରତି ଏକ ଅଜଣା ଅଧୀର ଭାବ ମନରେ ବସା ବାନ୍ଧିଲା।
ଆଜି କିନ୍ତୁ ମଣିଷର ଗତିବିଧି ଉପରେ କଡ଼ା ନଜର ରଖିଥିବା କ୍ୟାମେରାସବୁ କେବଳ ରାସ୍ତା ଉପରେ କାହିଁକି, ଆମ ଚତୁର୍ଦ୍ଦିଗରେ ସବୁ ସମ୍ଭାବ୍ୟ ସ୍ଥାନରେ ଖଞ୍ଜା ହୋଇଗଲେଣି। ବନ୍ଧୁବାନ୍ଧବଙ୍କ ଘର ଆଗରେ କବାଟରେ କରାଘାତ କରୁଥିବା ବେଳେ ହେଉ କି ଫୁଟପାଥରେ ଚାଲି ଯାଉଥିବା ବେଳେ ହେଉ; ଦୋକାନରେ ଜିନିଷପତ୍ର କିଣିବା ବେଳେ ହେଉ କି ଭୋଟ ଦେଲା ବେଳେ ହେଉ; ସବୁ ବେଳେ ସବୁଠାରେ ଆପଣଙ୍କୁ ଏହି କ୍ୟାମେରା ନିଘା ରଖିଛି। ଆଉ କାଳେ ଆପଣ ଅଜାଣତରେ କିଛି ଭୁଲ୍ କରି ବସିବେ ତେଣୁ କେତେକ କାର୍ଯ୍ୟାଳୟରେ ଭଦ୍ର ଭାଷାରେ ଆପଣଙ୍କୁ ସୂଚେଇ ଦିଆ ଯାଇଅଛି ଯେ ସେହି ପରିସରରେ ଆପଣ କ୍ୟାମେରା ଲେନ୍ସର ତଦାରଖରେ ରହିଛନ୍ତି, ତେଣୁ ହସୁ ଥାଆନ୍ତୁ। ଏ ସବୁ ତ ଗଲା ଆପଣ ଦେଖିପାରୁଥିବା କିମ୍ବା ଆପଣଙ୍କ ଆଖପାଖରେ କୋଉଠି ଖଞ୍ଜା ହୋଇଥିବା କ୍ୟାମେରାଗୁଡ଼ିକର କଥା, ଆଜିକାଲି ଅନେକ ଦୂରରେ ମହାକାଶରେ ଉଡୁଥିବା ଉପଗ୍ରହ ମଧ୍ୟ ଆପଣଙ୍କ ଘର ଦୁଆର ଓ ପାରିପାର୍ଶ୍ବିକ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଆଗରୁ କୁହାଯାଉଥିଲା ‘ହୁସିଆର, ଏଠି କାନ୍ଥ ବାଡ଼ର ମଧ୍ୟ କାନ ଅଛି’, କିନ୍ତୁ ଏବେ କାନ୍ଥ ବାଡ଼କୁ ଟପି ଆକାଶର ଆଖି ମଧ୍ୟ ଆପଣଙ୍କୁ ସଦାବେଳେ ଦେଖିଚାଲିଛି। ‘ଚକା ଆଖି ସବୁ ଦେଖୁଛି’ କିମ୍ବା ‘ବିଗ୍ ବ୍ରଦର୍ ଇଜ୍ ୱାଚିଂ ୟୁ’ ଭଳି ଅବସ୍ଥା।
ଜଣେ ସ୍ୱାଧୀନ ନାଗରିକ ହିସାବରେ ହୁଏତ ମୁଁ ଚାହିଁବିନି ଯେ ମୋର ବ୍ୟକ୍ତିଗତ ଓ ଗୋପନୀୟ ଇଲାକାରେ କେହି ଉଙ୍କି ମାରୁ, ହେଲେ ପୁଲିସ ଓ ଶୃଙ୍ଖଳା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ପାଇଁ ଏହି ଆକାଶର ଆଖି ଆଶୀର୍ବାଦ ରୂପରେ ଆସି ପହଞ୍ଚିଛି। ଛୋଟ ମୋବାଇଲ ଛଡ଼େଇ ନେବା ଘଟଣା ଠୁ ଆରମ୍ଭ କରି ଆତଙ୍କବାଦୀର ଗତିବିଧି ଉପରେ ଆଖି ରଖିବା ପାଇଁ ଓ ଅପରାଧ ପରେ କେସ୍ ସମାଧାନ କରିବା ପାଇଁ ଏହି ଯାନ୍ତ୍ରିକ ଆଖିଗୁଡ଼ିକ ବହୁତ ଉପକାରୀ ବୋଲି ସମସ୍ତେ ଭାବନ୍ତି। ଅନେକ ଚାଞ୍ଚଲ୍ୟକର ଅପରାଧ ସବୁ ସି.ସି.ଟି.ଭି. କ୍ୟାମେରାର ଚିତ୍ର ବ୍ୟବହାର କରି ଉଦ୍ଘାଟନ କରାଯାଇଛି। ୨୦୧୯ର ଶାମଶାବାଦର ଗଣଧର୍ଷଣ ଘଟଣାର ତଦନ୍ତ ବେଳେ ଏହି ଚିତ୍ର ସବୁ ପୁଲିସକୁ ସମାଧାନର ବାଟ ଦେଖାଇଥିଲା।
ଏମିତି ଆହୁରି କେତେ ସତ୍ୟ ମାନ ଉଦ୍ଘାଟିତ କରିବାରେ ଏହି ମାଧ୍ୟମଟି ନିର୍ଣ୍ଣାୟକ ହୋଇଛି। ପୁଣେରେ ନିଜର ଶିଶୁ ପୁତ୍ରକୁ ଆୟା ଦାୟିତ୍ୱରେ ଛାଡ଼ି ଅଫିସ ଯାଉଥିବା ଦମ୍ପତି ଯେତେବେଳେ ଅନୁଭବ କଲେ ଯେ ପିଲାଟିର ଦେଖାଶୁଣା ଠିକ୍ ହେଉନାହିଁ, ସେମାନେ ଘର ଭିତରେ ନିଘା ରଖିବା ପାଇଁ ଏହି ସି.ସି.ଟି.ଭି. ଲଗାଇଥିଲେ। ଏହାର ରେକର୍ଡିଙ୍ଗରୁ ସେମାନେ ଯାହା ଦେଖିଲେ, ତାହା ତାଙ୍କର ହାଲକ ଶୁଖାଇ ଦେଲା। ଆୟାଟି ତା’ର ନିଯୁକ୍ତିଦାତାମାନଙ୍କ ଉପରେ ଥିବା ଈର୍ଷା ଓ କ୍ରୋଧର ପ୍ରତିଶୋଧ ନେଉଥିଲା ସେମାନଙ୍କର ଶିଶୁ ପୁତ୍ରକୁ ଅକଥନୀୟ ଶାରୀରିକ ଯନ୍ତ୍ରଣା ଦେଇ।
ତେଣେ କାର୍ଯ୍ୟାଳୟ ଭିତରେ ଅଧସ୍ତନମାନଙ୍କର ଉପସ୍ଥିତି ଓ ଆଚରଣ ଉପରେ ନଜର ରଖିବା ପାଇଁ ଉପରିସ୍ଥ ଅଧିକାରୀମାନେ ମଧ୍ୟ ଏହି କ୍ୟାମେରା ଉପରେ ଭରସା ରଖୁଛନ୍ତି। ମୋଟାମୋଟି କହିବାକୁ ଗଲେ ଆଜିକାଲି ଆମ ମୁଣ୍ଡ ଉପରର ଏହି ଯାନ୍ତ୍ରିକ ଆଖି କବଳରୁ ଆମେ ବିଚରଣ କରୁଥିବା କ୍ବଚିତ ସ୍ଥାନ ବାଦ ପଡ଼ିଯାଇଛି। ଆଜି ବିଶ୍ୱର ସବୁ ବଡ଼ବଡ଼ ନଗରୀଗୁଡ଼ିକର ପ୍ରତ୍ୟେକଟି ଇଞ୍ଚ ସ୍ଥାନ ଆକାଶର ଏହି ଆଖି ଦ୍ୱାରା ନିରୀକ୍ଷିତ। ଏକ ନୂଆ ପରିସଂଖ୍ୟାନ ଅନୁସାରେ ସି.ସି.ଟି.ଭି. କବଳିତ ନଗରୀମାନଙ୍କର ଗଣତିରେ ଆଜି ନୂଆଦିଲ୍ଲୀ ଚୀନର ରାଜଧାନୀ ବେଜିଙ୍ଗକୁ ପଛରେ ପକାଇ ଦେଲାଣି। ଏହାର ଅର୍ଥ ହେଲା ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ମଧ୍ୟ ନାଗରିକମାନଙ୍କ ଉପରେ କଡା ନଜର ରଖିବାରେ ଆଜି ଚୀନ ଭଳି ଏକ ଏକଛତ୍ରବାଦୀ ଶାସନକୁ ଟପିଗଲାଣି। ଯଦି ମଣିଷର ଘର ବାହାରର କାର୍ଯ୍ୟକଳାପ ସହିତ ତା’ର ଘର ଭିତରେ ଇଣ୍ଟର୍ନେଟ୍ ବ୍ୟବହାରକୁ ଯୋଡ଼ି ବିଶ୍ଳେଷଣ କରାଯାଏ, ତେବେ ପ୍ରତ୍ୟେକଟି ନାଗରିକର ଜୀବନ ବୃତ୍ତାନ୍ତର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିହେବ।
ଏହି ଚବିଶ ଘଣ୍ଟିଆ ତଦାରଖକୁ ଶୃଙ୍ଖଳା ନାମରେ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସମୟ ସମୟରେ ଦେଖାଯାଏ ଯେ ଗୁରୁତ୍ୱପୂର୍ଣ୍ଣ କ୍ଷଣର ସି.ସି.ଟି.ଭି. ଚିତ୍ର ମିଳେ ନାହିଁ। ଏହାର କାରଣ କ୍ୟାମେରାରେ ଯାନ୍ତ୍ରିକ ତ୍ରୁଟି ବୋଲି ଦର୍ଶାଯାଇଥାଏ। ଏ ସବୁ ପରିସ୍ଥିତି ଅଧିକ ଦେଖାଯାଏ ଯଦି ଘଟଣାରେ ସମାଜର ବଡ଼ପଣ୍ଡାମାନେ ସମ୍ପୃକ୍ତ ଥାଆନ୍ତି। ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତି ସିନା ମିଛ କହନ୍ତି ନାହିଁ, ହେଲେ ସେଗୁଡ଼ିକୁ ଚଳାଉଥିବା ମଣିଷ ଯଦି ଉଦ୍ଦେଶ୍ୟ ରଖି ସେଗୁଡ଼ିକୁ ବିଗାଡ଼ି ଦିଏ ତେବେ ‘ବାପ-ପୁଅ ରାତି ଅନିଦ୍ରା, ହେଲେ ମୁଗୁରା ପଛ ମେଲା’ ଭଳି କଥା ହେବ। ସେପରି କ୍ଷେତ୍ରରେ ଆକାଶର ଆଖିଗୁଡ଼ିକ କେବଳ ସାଧୁ ଲୋକଙ୍କ ଉପରେ କଡ଼ା ନଜର ରଖି ହନ୍ତସନ୍ତ କରୁଥିବେ ଆଉ ପ୍ରତୀପଙ୍କ ଭଳି ବ୍ୟକ୍ତିମାନେ ଅଜଣା ଆତଙ୍କରେ ଶିହରିତ ହେଉଥିବେ।
ମୋ: ୯୪୩୭୦୮୯୬୫୫