ଗତ ସପ୍ତାହରେ ଦୁଇ ଜଣ ଯୁବ ପରିବେଶ କର୍ମୀ ଲଣ୍ଡନର ନେସନାଲ ଗ୍ୟାଲେରିରେ ପ୍ରଦର୍ଶିତ ହେଉଥିବା ଭିନସେଣ୍ଟ ଭାନ୍ ଗଫ୍ଙ୍କର ପ୍ରସିଦ୍ଧ ସୂର୍ଯ୍ୟମୁଖୀ ଚିତ୍ର ଉପରେ ଟୋମାଟୋ ସୁପ୍ ଢାଳି ସାରା ବିଶ୍ବର ଧ୍ୟାନ ଆକର୍ଷଣ କରିଥିଲେ। ଏହା ଦ୍ବାରା ମର୍ମାହତ କଳାପ୍ରେମୀମାନେ ଏହି ଦୁଇ ପରିବେଶ କର୍ମୀଙ୍କୁ ଭର୍ତ୍ସନା କରିବା ସ୍ବାଭାବିକ ଥିଲା। କିନ୍ତୁ ସେମାନଙ୍କର ଏପରି ଉଦ୍ଭଟ ତଥା ଭର୍ତ୍ସନାଯୋଗ୍ୟ କାର୍ଯ୍ୟ ପଛରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ସେମାନେ ଯାହା କହିବାକୁ ଚାହିଁଥିଲେ, ତାହା ହେଲା ଏକ କଳାକୃତି ପ୍ରତି ବିପଦ ନେଇ ଲୋକେ ଯେତିକି ସତର୍କ ଏବଂ ଦରକାର ପଡ଼ିଲେ ଉତ୍କ୍ଷିପ୍ତ ହୋଇ ଉଠନ୍ତି, ପୃଥିବୀ ବା ପରିବେଶ ପ୍ରତି ବିପଦ ନେଇ ସେମାନେ ସେତିକି ଜାଗ୍ରତ ନୁହନ୍ତି। ସେମାନେ ପ୍ରଶ୍ନ କରନ୍ତି ଯେ ପୃଥିବୀ-ପ୍ରକୃତି-ପରିବେଶ ଈଶ୍ବରଙ୍କ ସର୍ଜିତ ମହାନତମ କଳାକୃତିର ଦୃଷ୍ଟାନ୍ତ ନୁହେଁ କି?
ସଂପ୍ରତି ଉପରେ ବର୍ଣ୍ଣିତ ଯୁବ ପରିବେଶ କର୍ମୀମାନଙ୍କ ଭଳି ଅଧିକରୁ ଅଧିକ ସଂଖ୍ୟକ ଯୁବକଯୁବତୀ ପରିବେଶ ସୁରକ୍ଷା ଆନ୍ଦୋଳନରେ ସଂପୃକ୍ତ ହେଉଛନ୍ତି। କାରଣ ପରିବେଶର ଦୁରବସ୍ଥା ସେମାନଙ୍କୁ ଖୁବ୍ ବ୍ୟଥିତ କରୁଛି। ପରିବେଶଗତ ଦୁରବସ୍ଥା ନେଇ ପୃଥିବୀ ସାରା ଯୁବକଯୁବତୀମାନେ ଉଦ୍ବିଗ୍ନ ବୋଲି ଗତ ବର୍ଷର ଏକ ଲାନ୍ସେଟ୍ ସର୍ବେକ୍ଷଣରୁ ଜଣାପଡ଼େ। ଦଶଟି ଦେଶର ୧୬-୨୫ ବର୍ଷ ବୟସ ବର୍ଗର ଦଶ ହଜାର ତରୁଣତରୁଣୀଙ୍କ ଠାରୁ ନିଆଯାଇଥିବା ମତାମତରୁ ଏହା ସ୍ପଷ୍ଟ; କାରଣ ସେମାନଙ୍କ ମଧ୍ୟରୁ ୭୦% ପରିବେଶ ପରିବର୍ତ୍ତନକୁ ନେଇ ଅତିଶୟ ଚିନ୍ତିତ ବୋଲି କହିଥିଲେ।
ତେବେ, ବିକାଶଶୀଳ ରାଷ୍ଟ୍ରମାନଙ୍କର ଅଂଶ ଗ୍ରହଣକାରୀମାନେ ଏ ନେଇ ଅପେକ୍ଷାକୃତ ଅଧିକ ଉଦ୍ବେଗ ପ୍ରକାଶ କରିଥିବା କଥା ସେହି ସର୍ବେକ୍ଷଣରୁ ଜଣାପଡୁଛି। ଫିଲିପାଇନ୍ସରେ ସର୍ବାଧିକ ୮୪% ଯୁବ ନାଗରିକ ଏ ନେଇ ଅତ୍ୟନ୍ତ ଚିନ୍ତିତ ଥିବା ବେଳେ ଭାରତ ଏଥିରେ ଦ୍ବିତୀୟ ସ୍ଥାନରେ ଅଛି, ଯେଉଁଠି ୭୮% ଅଂଶଗ୍ରହଣକାରୀ ପରିବେଶର ଦୁଃସ୍ଥିତି ନେଇ ଖୁବ୍ ଉଦ୍ବିଗ୍ନ। ଭାରତ ପଛକୁ ରହିଛି ବ୍ରାଜିଲ୍, ଯାହାର ୭୭% ଯୁବକଯୁବତୀ ଅନୁରୂପ ମତ ଦେଇଥିଲେ। ନାଇଜେରିଆ, ୟୁନାଇଟେଡ୍ କିଙ୍ଗଡମ୍ ଓ ଅଷ୍ଟ୍ରେଲିଆର ଅର୍ଦ୍ଧେକ ଯୁବ ଅଂଶ ଗ୍ରହଣକାରୀ ଏଭଳି ଚିନ୍ତା ଦ୍ବାରା ଆକ୍ରାନ୍ତ ବୋଲି କହିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ତରୁଣ ବର୍ଗ ୧୦ଟି ଦେଶର ତାଲିକାରେ ସର୍ବନିମ୍ନ ସ୍ଥାନରେ ଅଛନ୍ତି। ଆମେରିକୀୟ ଯୁବ ଅଂଶ ଗ୍ରହଣକାରୀଙ୍କ ମଧ୍ୟରୁ ୪୬% ପରିବେଶଗତ ସମସ୍ୟା ଦ୍ବାରା ଅତ୍ୟନ୍ତ ବିଚଳିତ ବୋଲି କହିଥିଲେ।