ଗତ ୧୧ ଅକ୍‌ଟୋବର ସନ୍ଧ୍ୟାରେ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୂନ୍‌ ବାଜପେୟୀ। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ, କୌଣସି ପ୍ରକାରର ରାଜନୈତିକ ପୂର୍ବାଗ୍ରହ ଦ୍ବାରା ଆକ୍ରାନ୍ତ ନ ହୋଇ ‘ସମ୍ବାଦ’ର ସଂପାଦକ ନିମନ୍ତ୍ରଣ କରି ଆଣିଥିଲେ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ। ୟାଙ୍କଠୁ ଆମ ସମସ୍ତଙ୍କର ଅନେକ କିଛି ଶୁଣିବାର ଆଗ୍ରହ ଥିଲା। ଏ ମହାଶୟ ଉଭୟ ପ୍ରିଣ୍ଟ ଓ ଡିଜିଟାଲ୍‌ ମିଡିଆରେ ପରିପକ୍ବ ଓ ଉଭୟ ଫର୍ମାଟ୍‌ର ବ୍ୟବସାୟିକ ମଡେଲ ତଥା ନୈତିକ ସଂକଟ ସହିତ ପରିଚିତ। ଏତଦ୍‌ବ୍ୟତୀତ ଏ ମଧ୍ୟ ଭାରତୀୟ ରାଜନୀତିରେ ଗଭୀର ଅବଗାହୀ ଜଣେ ସତ୍ୟନିଷ୍ଠ ବ୍ୟାଖ୍ୟାକାର ଓ ନିର୍ମମ ଆଲୋଚକ। ହିନ୍ଦୀ ମିଡିଆର ଜଣେ ‘ତେଜ-ତରାର୍‌’ ବକ୍ତାଙ୍କ ସୁଚିନ୍ତିତ ହିନ୍ଦୀ ବ୍ୟାଖ୍ୟାନ ଶୁଣିବାର ଅଭିପ୍ରାୟରେ ଆମେ ସମସ୍ତେ ପ୍ରେକ୍ଷାଳୟରେ ଉପସ୍ଥିତ ହୋଇଥିଲୁ। ମୁଁ ଜାଣି ନ ଥିଲି ଯେ ଏ ଭିତରେ ପୁଣ୍ୟ ପ୍ରସୂନ୍‌ଜୀ ସ୍ବତନ୍ତ୍ର ହୋଇଗଲେଣି, ସେ ଏବେ ସ୍ବନିର୍ଭର ଓ ସ୍ବାଭାବିକ ଭାବରେ ଆଶା ଜାଗ୍ରତ ହେଲା ଯେ ଭାରତୀୟ ରାଜନୀତିକୁ ଦେଖିବାର ଓ ପରଖିବାର ଗୋଟିଏ ନିଷ୍ପକ୍ଷ ଦୃଷ୍ଟିକୋଣ ସେ ପ୍ରସ୍ତୁତ କରିବେ। କିନ୍ତୁ ମୁଁ ଓ ମୋର ଅନେକ ବନ୍ଧୁ ହତାଶ ହେଲୁ। ପ୍ରାରମ୍ଭିକ ଅଭିଭାଷଣରେ ‘ସମ୍ବାଦ’ର ସଂପାଦକ ପାଠକ-ପରିଚାଳିତ ଖବରକାଗଜ ବା ମିଡିଆର ‘ସ୍ବତନ୍ତ୍ର ଭାରବାହୀ ସ୍ତମ୍ଭ’ର ବିଚକ୍ଷଣ ଅବତାରଣା କରି ନ ଥିଲେ, ଆମ ନିକଟରେ ‘ଟେକ୍‌-ଆେୱ’ ନାମରେ ହୁଏତ କିଛି ବି ନ ଥାନ୍ତା।

Advertisment

ଗୋଟେ ଅସ୍ପଷ୍ଟ, ଛନ୍ଦାଛନ୍ଦି, ତର୍କଶୂନ୍ୟ ସାଧାରଣୀକରଣ ଯେ ପୁଣ୍ୟ ପ୍ରସୂନଙ୍କ ଯୋଗ୍ୟତା-ଅନୁରୂପ ଉପସ୍ଥାପନା ନ ଥିଲା, ଏକଥା ଦୁଃଖର ସହିତ କହିବାକୁ ପଡୁଛି। କେହି କେହି ଏ ପ୍ରଶ୍ନ ପଚାରି ପାରନ୍ତି ଯେ ସଭା‌ ତ ସରିଗଲା, ତା’କୁ ନେଇ ଏତେ ବିଚାର ବିମର୍ଶ କ୍ୟାଁ? ତାଙ୍କୁ ଉତ୍ତର ଦେବା ଜରୁରୀ, କାରଣ ଭାରତୀୟ ବୁଦ୍ଧିଜୀବୀ ଓ ବୃହତ୍ତର ଅର୍ଥରେ ସାଧାରଣ ଜନଙ୍କର କିଛି ଆଶା ନ କରିବା ହିଁ ଭାରତର ବୌଦ୍ଧିକ ପରିମଣ୍ଡଳକୁ ରଙ୍ଗହୀନ, ଚାଞ୍ଚଲ୍ୟହୀନ, ଚିନ୍ତାଶୂନ୍ୟ ଖୋଲା ପଡ଼ିଆରେ ପରିଣତ କରିଚି। ପୁଣ୍ୟ ପ୍ରସୂନ୍‌ ଯେ କୌଣସି ବ୍ୟକ୍ତି ନୁହନ୍ତି ବା ‘ସମ୍ବାଦ’ର ବାର୍ଷିକୋତ୍ସବ ଯେ କୌଣସି ସଭା ନୁହେଁ। ଓଡ଼ିଶାର ସର୍ବାଧୁନିକ ଓ ସର୍ବାଧିକ-ପ୍ରସାରିତ ସମ୍ବାଦପତ୍ର ‘ସମ୍ବାଦ’ ଓ ଭାରତର ଜଣେ ଚର୍ଚ୍ଚିତ,‌ ଲୋକପ୍ରିୟ ତଥା ଉଚ୍ଛକୋଟୀର ରାଜନୈତିକ ପର୍ଯ୍ୟବେକ୍ଷକ ପୁଣ୍ୟ ପ୍ରସୂନ୍‌!

ଏବେ ଜାଣିବା ଜରୁରୀ କାହିଁକି ତାଙ୍କ ଭାଷଣକୁ ବାବଦୂକତା ମାତ୍ର କହିବା ସହିତ ମୁଁ ନିିନ୍ଦା କରୁଚି। ସେ ତାଙ୍କର ଅଗମ୍ଭୀର ହାଲୁକା ଅନ୍ଦାଜରେ ପାଞ୍ଚଟି ଅତି ବଡ଼ କଥା ଶ୍ରୋତାଙ୍କ ଉପରକୁ ନିକ୍ଷିପ୍ତ କରି ଦେଲେ। ଯେଉଁ ପାଞ୍ଚଟି ବଡ଼ କଥା ବାରଚାଉଳିଆ କଥା ପ୍ରବାହ ଭିତରେ ମିଶାଇ ବାଜପେୟୀ ମହାଶୟ ଚଳେଇ ନେଲେ, ସେ ପାଞ୍ଚଟି ହେଲା: (୧) ସମ୍ବିଧାନ ଅଛି‌, କିନ୍ତୁ କାମ କରୁନି; (୨) ଆମ ସରକାରମାନଙ୍କର କ‌େର୍ପାରେଟ୍‌ ପ୍ରୀତି ଥିଲା, କିନ୍ତୁ ଏବର ସରକାର, ନିଜକୁ କର୍ପେ‌ାରେଟୀକୃତ କରି ଦେଇଚନ୍ତି; (୩) ସରକାରଙ୍କ ସବୁ ଅନୁଷ୍ଠାନ ହାସ୍ୟାସ୍ପଦ ସ୍ଥିତିରେ, ଏମିତିକି ସୁପ୍ରିମ୍‌ କୋର୍ଟ, ଇ.ଡି, ଏନ୍‌.ଏସ୍‌.ଏ, ଆଇ.ବି, ସି.ବି.ଆଇ, ସି.ଭି.ସି, ନିର୍ବାଚନ ଆୟୋଗ ସମସ୍ତେ ଦୁର୍ବଳ, ଅଚଳ, ସରକାର-କବଳିତ; (୪) ଅଧିକରୁ ଅଧିକ ଗ୍ରାଣ୍ଟ୍‌ ଦେଇ ସରକାର ମିଡିଆକୁ କବଳିତ କରିଚନ୍ତି ଓ ସ୍ବୟଂ ସତେ ଅବା ସଂପାଦକର ଦାୟିତ୍ବ ହାତେଇ ନେଇଚନ୍ତି!; (୫) ସରକାରଙ୍କ ପ୍ରିୟ ହୋଇ ପାରି ନ ଥିବା ବ୍ୟକ୍ତିର ନାଗରିକ ଅଧିକାର ଚାଲିଯିବାର ଭୟ ଅଛି, କେଜାଣି ‌େକାଉ ମୁହୂର୍ତ୍ତରେ କ’ଣ ହୋଇପାରେ!

ପୁଣ୍ୟ ପ୍ରସୂନ୍‌ଜୀଙ୍କୁ ଉତ୍ତର ଦେବା ଜରୁରୀ। ପ୍ରଥମ କଥା ସମ୍ବିଧାନ ଅଛି ଏବଂ କାମ କରୁଚି। ଭାରତରେ ଆଇନର ଶାସନ ପ୍ରତିଷ୍ଠିତ। ଏଠି କୋଉ ଅସାମ୍ବିଧାନିକ କାର୍ଯ୍ୟ କରି ସରକାର ସମ୍ବିଧାନକୁ ଅକାମି କରି ଥୋଇଚନ୍ତି? ପାର୍ଲିଆମେଣ୍ଟର ଦଶ ବର୍ଷର ପ୍ରୋସିଡିଂ ଭିତରେ ଯେବେ ଯେବେ ସମ୍ବିଧାନ ଉଲ୍ଲଂଘନର ସାମାନ୍ୟତମ ସଂକେତ ମିଳିଚି ତା’ର ଆଲୋଚନା ହୋଇଚି ଓ ବାଜପେୟୀଙ୍କ ଠାରୁ ଅଧିକ ସତର୍କ ବିରୋଧୀ ଦଳମାନେ ମଧ୍ୟ ପରୋକ୍ଷ ଆପାତ୍‌-କାଳ ଭଳି ଏକ ଭୟଙ୍କର ସ୍ଥିତିର କଳ୍ପନା କରି ନାହାନ୍ତି। ସୁପ୍ରିମ‌୍‌ କୋର୍ଟ ସରକାରଙ୍କ ଦ୍ବାରା କବଳିତ ହେବା ତର୍କ ନୁହେଁ ବିତଣ୍ଡା। ଭାରତରେ ସୁପ୍ରିମ୍‌ କୋର୍ଟ ନ୍ୟାୟିକ ବ୍ୟବସ୍ଥା ଓ ସାଧାରଣତଃ ଉଚ୍ଚ ବିଚାରାଳାୟମାନଙ୍କରେ ବ‌ିବେକ-ରକ୍ଷଣର ମହା ପରଂପରା ବିଶ୍ବର କୌଣସି ନ୍ୟାୟିକ ବ୍ୟବସ୍ଥା ଠାରୁ କମ୍‌ ନୁହେଁ। କୌଣସି ଜଣେ ବିଚାରପତିଙ୍କ ବ୍ୟକ୍ତିଗତ ରାଜନୈତିକ ପୃଷ୍ଠପୋଷକତାର ଉଦାହରଣ ଦେଇ ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଲାଂଛିତ କରିବା ଜଣେ ବିବେକୀ ସାମ୍ବାଦିକର କାମ ନୁହେଁ।

ଗତ ଦଶ ବର୍ଷ ବା ପନ୍ଦର ବର୍ଷ ଭିତରେ ବା ଧରି ନିଅନ୍ତୁ ଭାରତୀୟ ଜନତା ପାର୍ଟିର ଶାସନ କାଳରେ ଭାରତର ସୁପ୍ରିମ୍‌ କୋର୍ଟ ଅନ୍ତତଃ ଶତାଧିକ ଗୁରୁତ୍ବପୂର୍ଣ୍ଣ ମାମଲାରେ ମୌଳିକ ଓ ଅନୁସରଣଯୋଗ୍ୟ ରାୟ ଦେଇଚନ୍ତି। ବାଜପେୟୀଜୀ ଜଣେ କଂଗ୍ରେସ-ପ୍ରେମୀ ସାମ୍ବାଦିକ। ସେ ତା’ର ଉଦାହରଣ ବି ଆମକୁ ଦେଇଚନ୍ତି ତାଙ୍କ ଭାଷଣରେ। ଏ କ’ଣ ତାଙ୍କର ଅଭିପ୍ରାୟ ଯେ କଂଗ୍ରେସ ସମୟରେ ନ୍ୟାୟ ବ୍ୟବସ୍ଥା ନିଷ୍କଳଙ୍କ ଥିଲା, ବିଜେପି ଶାସନରେ ତାହା କଳଙ୍କିତ ହୋଇଗଲା? ବସ୍ତୁତଃ କଥା ଏଇଆ ଯେ ଭାରତର ନ୍ୟାୟ-ବ୍ୟବସ୍ଥା ବିଶ୍ବର ଏକ ଶ୍ରେଷ୍ଠ ବ୍ୟବସ୍ଥା ଓ ଏ ବ୍ୟବସ୍ଥା ସମସ୍ତ ରାଜନୈତିକ ଘନଘଟା ସତ୍ତ୍ବେ କୌଣସି ପ୍ରଭାବ ଦ୍ବାରା ଆକ୍ରାନ୍ତ ନ ହୋଇ ତା’ର କାମ କରି ଚାଲିଚି। ସୁପ୍ରିମ୍‌ କୋର୍ଟର ‌ଜଣେ ମୁଖ୍ୟ ବିଚାରପତି, ଲମ୍ବିତ ମାମଲାର ଆକାର ଓ ନ୍ୟାୟାଧୀଶଙ୍କ ସ୍ବଳ୍ପତାକୁ ନେଇ ବିଜ୍ଞାନ ଭବନରେ କାନ୍ଦି ପକାଇଥିବା ଘଟନାଟିକୁ ଅତି ନିର୍ମମ ଭାବରେ ରେଖାଙ୍କିତ କରି ପୁଣ୍ୟ ପ୍ରସୂନ୍‌ ନିଜର ମାନବୀୟ ସମ୍ବେଦନାକୁ କ୍ଷୁଣ୍ଣ କଲେ କେବଳ; ସରକାର ବା ନ୍ୟାୟପାଳିକାକୁ ଆହତ କରିବାର ଅଭିପ୍ରାୟ ଫଳବତୀ ହେଲାନାହିଁ। ସମ୍ବିଧାନ ଅଚଳ ସହିତ ସୁପ୍ରିମ୍‌ କୋର୍ଟ ବି ଅଚଳ, ଏଭଳି ଏକ ଭୟାନକ ସ୍ଥିତି ତାଙ୍କୁ କେମିତି ଦିଶିଲା? ବୋଧହୁଏ ଏଇଥି ପାଇଁ ଯେ ସେ ପରୋକ୍ଷରେ କଂଗ୍ରେସ ଶାସନ ବେଳେ ତାଙ୍କର ସୌଭାଗ୍ୟ କଥା ମନେ ପକାଇ ଏବର ସରକାରଙ୍କ ପ୍ରତି ଅନୁଦାର ଓ ପ୍ରତିହିଂସା-ପ୍ରବଣ ହୋଇ ଉଠିଚନ୍ତି। ସେ ନିଜେ ତାଙ୍କର ସୌଭାଗ୍ୟ ସ୍ମରଣ କରାଇ ଆମକୁ କହିଲେ ଯେ ଉଭୟ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ମନମୋହନ ସିଂହ ତାଙ୍କର ମନ୍ତବ୍ୟକୁ ବଡ଼ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ମନମୋହନ ସିଂହ କୁଆ‌େ‌ଡ଼ ପୁଣ୍ୟ ପ୍ରସୂନ୍‌ଜୀଙ୍କର ଗୋଟିଏ ନୋଟ୍‌କୁ ତାଙ୍କର ବଜେଟ୍‌ ଅଭିଭାଷଣରେ ମିଶେଇ ଦେଇଥିଲେ। ୟା ଠାରୁ ବଡ଼ ହାସ୍ୟାସ୍ପଦ ଦମ୍ଭୋକ୍ତି ଆଉ କିଛି ନାହିଁ। ସେ କଂଗ୍ରେସର ହେଉ ବା ବିଜେପିର ହେଉ; ଦେଶର ପ୍ରଧାନମନ୍ତ୍ରୀ ଆମର ବ୍ୟକ୍ତିଗତ ଆକଳନର ବାହାରେ।

ସେହିପରି ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ନିୟନ୍ତ୍ରକ ଅନୁଷ୍ଠାନଗୁଡ଼ିକ ହାସ୍ୟାସ୍ପଦ ସ୍ଥିତିକୁ ଆସିବା ପୁଣ୍ୟ ପ୍ରସୂନ୍‌ଜୀଙ୍କ କଳ୍ପନା ମାତ୍ର। ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ଚାଲିଚନ୍ତି, କୋଉଠି ଅକାମୀ ହୋଇ ପଡ଼ି ଯାଇନାହାନ୍ତି। ଇନ୍ଦିରା ଗାନ୍ଧୀଙ୍କ ଠାରୁ ଅଟଳ ବିହାରୀ ବାଜପେୟୀଙ୍କ ପର୍ଯ୍ୟନ୍ତ ବ୍ୟାପ୍ତ କାଳ ଖଣ୍ଡରେ ମୁଁ ନିଜେ ଭାରତର ‘କଂପ୍‌‌େଟ୍ରାଲର୍ ଆଣ୍ଡ ଅଡିଟର ଜେନେରାଲ୍‌’ଙ୍କ ଡେପୁଟି ଭାବରେ ଭାରତରେ ଗଣତାନ୍ତ୍ରିକ ଉତ୍ତର ଦାୟିତ୍ବ (ପବ୍ଲିକ୍‌ ଆକାଉଣ୍ଟାବିଲିଟି)ର ପରିଚାଳନା କରିଚି; ‌ଭାରତ ସରକାରଙ୍କ ମନ୍ତ୍ରାଳୟରେ କାମ କରିଚି ଓ ଲୋକସଭା ତଥା‌ ‘ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି’ର କାର୍ଯ୍ୟ ସହିତ ପ୍ରତ୍ୟକ୍ଷ ସଂପର୍କ ରଖିଚି। କେବେ ଥରେ ମଧ୍ୟ କୌଣସି ସରକାରଙ୍କ ପକ୍ଷରୁ ସାମାନ୍ୟତମ ଚାପ ବା ପ୍ରଭାବ ବିସ୍ତାର କରିବାର ଦୃଷ୍ଟାନ୍ତ ଦେଖିନାହିଁ। ଭାରତର ଗଣତାନ୍ତ୍ରିକ ରେକର୍ଡର ଅବମୂଲ୍ୟାୟନ କରି ଭାରତକୁ ଦୁର୍ବଳ ଓ ମେରୁଦଣ୍ଡହୀନ କରି ଠିଆ ‌କରାଇବା ଏକ ଚକ୍ରାନ୍ତ ହୋଇପାରେ, ଆଦୌ ସତ୍ୟ ନୁହେଁ। ଭାରତରେ କୌଣସି ରାଜନୈତିକ ଦଳ ଏକଛତ୍ରବାଦର ସ୍ଥାପନା ବା ପ୍ରୟୋଗ କରିପାରିବ ନାହିଁ। ଭାରତୀୟଙ୍କ ଜୀବନ ଅସୁରକ୍ଷିତ ନୁହେଁ। ବର୍ତ୍ତମାନ ଶାସନରେ ଏଭଳି ଭୟର ଦୃଷ୍ଟାନ୍ତ କାହିଁ? ଏହା ସମ୍ଭବ ଯେ ସେ ବର୍ତ୍ତମାନ ଶାସକଙ୍କ ଶୁଭ ଦୃଷ୍ଟିରେ ନାହାନ୍ତି, ତେଣୁ ସେ ନିଜକୁ ଗୁରୁତ୍ବପୂର୍ଣ୍ଣ ମନେ କରୁନାହାନ୍ତି। କିନ୍ତୁ ଇଏ କ’ଣ ଭାରତକୁ ସମ୍ବିଧାନହୀନ ଭ୍ରଷ୍ଟ ଗଣତନ୍ତ୍ରରେ ପରିଣତ କରିବାର ଯଥେଷ୍ଟ କାରଣ? ଗଣତନ୍ତ୍ରରେ ରାଷ୍ଟ୍ର ପ୍ରତି ବୁଦ୍ଧିଜୀବୀର ଦୃଷ୍ଟିକୋଣ କ’ଣ ଏଇଭଳି ନିର୍ମିତ ହୁଏ?

ଗଣତନ୍ତ୍ରରେ ବୁଦ୍ଧିଜୀବୀଙ୍କ ଭୂମିକା ଆମ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଏମାନଙ୍କୁ ‘ନିଗୋସିଏଟର୍‌’ ବା ‘ମଧ୍ୟସ୍ଥତା’ର ଭୂମିକା ପ୍ରଦାନ କରି ଗଣତନ୍ତ୍ର ନିଶ୍ଚିନ୍ତ ରହିବା କଥା। ବସ୍ତୁତଃ ଇଂଲଣ୍ଡ ଓ ଆମେରିକାରେ କୌଣସି ସରକାରଙ୍କୁ କେହି କେବେ କ୍ଷମା କରନ୍ତି ନାହିଁ କି ଅଯଥାରେ ଦୋଷୀ ବି ସାବ୍ୟସ୍ତ କରନ୍ତି ନାହିଁ। ରାଜନୀତି ବିଜ୍ଞାନୀମାନଙ୍କ ଚଳନ୍ତି ଅନୁସନ୍ଧାନ ଏବେ ଉପସ୍ଥାପିତ କରିଚି ଯେ ଯେକୌଣସି ଗଣତନ୍ତ୍ରରେ ରାଷ୍ଟ୍ର ଚିନ୍ତା କଲା ଭଳି ବୁଦ୍ଧିଜୀବୀ ତିନି ପ୍ରକାରର। ଗୋଟିଏ ପ୍ରକାରର ବୁଦ୍ଧିଜୀବୀ ଅଧିଷ୍ଠିତ ସରକାରଙ୍କ ‘ବ୍ୟାକ୍‌ ରୁମ୍‌’ର ସଦସ୍ୟ, ସେଇମାନେ ହିଁ ନୀତି ସୂତ୍ରର ଦଲିଲ ପ୍ରସ୍ତୁତ କରନ୍ତି, ସେମାନେ ସବୁ ସମୟରେ ସରକାରଙ୍କ ସମର୍ଥକ ବୁଦ୍ଧିଜୀବୀ। ଆଉ ଗୋଟିଏ ‌େଗାଷ୍ଠୀ ବିପକ୍ଷର। ଇଏ ନୀତିର ତତ୍ତ୍ବ ଓ ପ୍ରୟୋଗ ଦୁଇଟା ଯାକର କଡ଼ା ନିରୀକ୍ଷଣ କରି ଆଲୋଚନା କରନ୍ତି। ଆଉ ଗୋଟିଏ ଗୋଷ୍ଠୀକୁ କୁହାଯାଏ ‘ବିଚାର ଧାରାର ବୁଦ୍ଧିଜୀବୀ’ ବା ‘ଆଡିଓଲୋଜିକାଲ୍‌ ଇଣ୍ଟେଲିଜେନ୍‌ସିଆ’ ବା ‘ଇଣ୍ଟେଲେକ୍‌ଚୁଆଲ୍‌’। ଏମାନେ, ସବୁ ସମୟରେ ତାଙ୍କ ବିଚାରଧାରା ଛଡ଼ା ଆଉ ସବୁ ଦୋଷଦୁଷ୍ଟ ବୋଲି ଆଲୋଚନା କରନ୍ତି। ଭାରତରେ ଏ ତିନି ଗୋଷ୍ଠୀକୁ ଚିହ୍ନିବାର ବେଳ ଆସିଯାଇଚି।

ବର୍ତ୍ତମାନ ସରକାରଙ୍କ ନୀତି ସହିତ ସଂପର୍କିତ ସବୁ ବୁଦ୍ଧିଜୀବୀ ରାଷ୍ଟ୍ରବାଦୀ ଓ ଭାରତୀୟତାର ଅନୁଗାମୀ। ରାଷ୍ଟ୍ରବାଦ ଓ ଭାରତୀୟତା ଭାରତୀୟ ଗଣତନ୍ତ୍ରରେ ସ୍ବାଧୀନତା ପରବର୍ତ୍ତୀ କାଳରେ ନ ଥିଲା। ଏ ବିଚାରଧାରା ଆସିବା ସହିତ ଭାରତୀୟ ରାଜନୀତିରେ ଯେଉଁ ବିପୁଳକାୟ ପରିବର୍ତ୍ତନ ଆସିଯାଇଚି, ତାକୁ ପ୍ରତିକ୍ରିୟାଶୀଳ ଦୃଷ୍ଟିରେ ନ ଦେଖି, ଭାରତୀୟ ସଭ୍ୟତାର କ୍ରମ ପ୍ରବାହର ଆଲୋକରେ ଦେଖାଯାଉ। ଏ କଥା ଅନସ୍ବୀକାର୍ଯ୍ୟ ଯେ ଭାରତର ରାଜନୀତି ଓ ବୌଦ୍ଧିକ ବିଚାର ପରସ୍ପର ସହିତ ବିଭିନ୍ନ ସ୍ତରରେ ସଂପର୍କିତ ହୋଇଚନ୍ତି, କିନ୍ତୁ କୌଣସି ସ୍ତରରେ ସଭ୍ୟତା ସହିତ ଗଣତନ୍ତ୍ରକୁ ଯୋଡ଼ିବାର ପ୍ରୟାସ ଭାରତୀୟ ଜନତା ପାର୍ଟି ଆସିବା ପର୍ଯ୍ୟନ୍ତ ହୋଇ ନ ଥିଲା। ରାଷ୍ଟ୍ରବାଦ ଓ ଭାରତୀୟତାରେ ବିଶ୍ବାସ କରୁଥିବା ବୁଦ୍ଧିଜୀବୀମାନେ ସମସ୍ତେ ‘ସିଭିଲାଇଜେସନାଲ୍‌ ଡିମୋକ୍ରାସି’ର ବିରାଟ ପୃଷ୍ଠପଟରେ ଭାରତୀୟତାକୁ ଏକ ନୈତିକ ମୂଲ୍ୟବୋଧ ବୋଲି ମନେ କରନ୍ତି। ଏମାନେ ଇତିହାସର ପୁନର୍ଲିଖନ ଚାହାଁନ୍ତି। ଏଇମାନଙ୍କ ପରିକଳ୍ପନା ଭିତରେ ଆସେ ଔପନିବେଶିକ ପ୍ରତୀକମାନଙ୍କର ଉନ୍ମୂଳନ ଓ ନୂଆ ଭାରତର ପରିଚୟ ନିର୍ମାଣ। ବିରୋଧୀଙ୍କ ପାଖରେ ଯେଉଁମାନେ ଏ ଯାବତ୍‌ ଅଛନ୍ତି, କିନ୍ତୁ ଯେଉଁମାନେ ପ୍ରତି ହସ୍ତକ୍ଷେପ ସହିତ ନିଜର ବୌଦ୍ଧିକ ଉର୍ଜାକୁ କ୍ଷୟ କରି ଚାଲିଚନ୍ତି, ସେମାନେ ହେଲେ ନିଓ-ଲିବେରାଲ୍‌ ବା ନବ୍ୟ ଉଦାରବାଦୀ ଚିନ୍ତକ। ସେମାନେ ‌ସମାଜବାଦକୁ ପୁଞ୍ଜିବାଦର ଏକ ପାର୍ଶ୍ବ-ଉତ୍ପାଦ ମନେ କରି ଖୁବ୍‌ ବେଶିରେ ମାର୍କ‌୍ସବାଦର ବାହାରକୁ ଦିଶୁଥିବା ଲାଞ୍ଜଟିକୁ ସ୍ପର୍ଶ କରନ୍ତି, କିନ୍ତୁ ମାର୍କ‌୍ସବାଦ ବା ସମାଜବାଦର ଅନ୍ତର୍ଘାତ ଓ ଅନ୍ତର୍ବିରୋଧକୁ ସ୍ପର୍ଶ କରନ୍ତି ନାହିଁ। ଫଳ ଏଇଆ ହୁଏ ଯେ ସେମାନେ ଭାରତୀୟ ଜନତା ପାର୍ଟିର ଭାରତୀୟତାର ଆଜେଣ୍ଡାକୁ ସ୍ବେଚ୍ଛାଚାର ବା ସ୍ବୈରାଚାର ବୋଲି ଭର୍ତ୍ସିତ କରନ୍ତି, କିନ୍ତୁ ଉଦାରବାଦୀ ପରଂପରାର ରାଜନୈତିକ ‘କଂଗ୍ରେସ’ ପାଇଁ ଉପଯୋଗୀ ସିଦ୍ଧ ହୁଅନ୍ତି ନାହିଁ।

ତେଣୁ ତାଙ୍କର କ୍ରୋଧ ବ୍ୟକ୍ତିଗତ ନେତୃତ୍ବ ବା ଖୋଲି କି କହିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ବିରୋଧରେ ଘନୀଭୂତ ହୁଏ, କିନ୍ତୁ ଲଘୁଚାପରେ ପରିଣତ ହୁଏ ନାହିଁ। ସେମାନେ ରାଜନୀତିରେ ନିଜର ସ୍ବାର୍ଥ ରକ୍ଷା ପାଇଁ ଗୋଟି ଚାଳନା କରି ବ୍ୟର୍ଥ ହୁଅନ୍ତି। ଭାରତୀୟ ଜନତା ପାର୍ଟିର ବିଚାରଧାରା ବହୁ ବର୍ଷ ଧରି ଏଭଳି ଭାବରେ ସଂଗଠିତ ହୋଇଚି ଯେ ଏ ଉଦାରବାଦୀ ଶୂନ୍ୟ-ନିର୍ଘୋଷକୁ ସେମାନେ ଭ୍ରୂକ୍ଷେପ ମଧ୍ୟ କରନ୍ତି ନାହିଁ। ପୁଣ୍ୟ ପ୍ରସୂନ୍‌ ବାଜପେୟୀ ଏମାନଙ୍କ ମଧ୍ୟରୁ ଜଣେ, ଯିଏ ବିବିଧ ଉଦାହରଣ ଦେଇ ତାଙ୍କର ଦୃଷ୍ଟିକୋଣ ସ୍ପଷ୍ଟ କରିଚନ୍ତି। ତୃତୀୟ ଗୋଷ୍ଠୀର ବୁଦ୍ଧିଜୀବୀମାନେ ବାମପନ୍ଥୀ ବିଚାରଧାରାର। ସେମାନେ ଅପେକ୍ଷାରେ ଅଛନ୍ତି। ଚୀନ୍‌ ଆଉ ତାଙ୍କର ମଡେଲ୍‌ ନୁହେଁ। ଏବେ, ଏଇ କିଛି ମାସ ତଳେ ‌ଲାଟିନ୍‌ ଆମେରିକାରେ କମ୍ୟୁନିଷ୍ଟ ପାର୍ଟିର ବିପୁଳ ବିଜୟ ସହିତ ସେମାନେ ସେମାନଙ୍କର ବୌଦ୍ଧିକ ଅସ୍ତ୍ରାଗାରରେ ପୁନର୍ବିବେଚନ କରୁଚନ୍ତି। ମାର୍କ‌୍ସବାଦର ମୁଖ୍ୟ ଧାରା ସହିତ ଲୋକତନ୍ତ୍ରର ନିର୍ବାଚନୀ ପ୍ରୟୋଗକୁ ମିଶାଇ ଏକ ନୂଆ ଦ୍ରବ ସେମାନେ ପାଇପାରନ୍ତି। ଆପାତତଃ ଭାରତରେ ସେମାନେ ତାଙ୍କର ବିଚାରଧାରାର ତୀବ୍ରତା ଓ ଗାମ୍ଭୀର୍ଯ୍ୟ ଦୁଇଟି ଯାକ ବଜାୟ ରଖି ଉପଯୁକ୍ତ ସମୟର ଅପେକ୍ଷାରେ ଅଛନ୍ତି। ଲାଲ୍‌ ଏବେ ଗୋଲାପୀରେ ପରିଣତ ହେବାର ଲାଟିନ୍‌ ଆମେରିକାନ୍‌ ଦୃଶ୍ୟ ସେମାନଙ୍କୁ ଅାମୋଦିତ କରୁଥାଇପାରେ।

ରାଷ୍ଟ୍ର ସହିତ ବୁଦ୍ଧିଜୀବୀର ସଂପର୍କ ଭାରତରେ କିଭଳି ହେବା ଉଚିତ ତା’ର ବିଚାର କରିବା ପାଇଁ ଆମର ସମ୍ବିଧାନରେ ‘ଭାରତୀୟ ସଂକଳ୍ପର ପରିଣତି ଭାରତୀୟ ରାଷ୍ଟ୍ର’ ଯଥେଷ୍ଟ। ୟାକୁ ଉଦାରବାଦୀ, ନବ୍ୟ-ଉଦାରବାଦୀ ବା ସାମ୍ୟବାଦୀ ଚିନ୍ତନରେ ପଥଚ୍ୟୁତ ନ କରିବା ସମୟର ସ‌ଂକେତ। ଏହା ସର୍ବମାନ୍ୟ ଯେ ବିଶ୍ବରେ ଭାରତର ସମୃଦ୍ଧର ସୂଚକାଙ୍କ କ୍ରମ ବର୍ଦ୍ଧମାନ ଓ ୟାର ନେତୃତ୍ବ ଅବିସମ୍ବାଦିତ ଭାବରେ ବିଶ୍ବସ୍ବରୀୟ। ଏହିଭଳି ଗୋଟେ ସମୟରେ ଯେତେବେଳେ ଭାରତୀୟ ରାଜନୀତି ପ୍ରଥମ ଥର ପାଇଁ ସଭ୍ୟତାରେ ଗଣତନ୍ତ୍ର‌ର ଏକ ଭାରତୀୟ ପ୍ରତିମାର ଆବାହନ କରୁଚି, ଲୋକମଞ୍ଚରେ ଭାରତକୁ ତଳିତଳାନ୍ତ କରି, ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ଭ୍ରଷ୍ଟ ଓ ଦୁର୍ବଳ ବୋଲି ତାଚ୍ଛଲ୍ୟ କରି ପୁଣ୍ୟ ପ୍ରସୂନ୍‌ ବାଜପେୟୀଙ୍କ ଭଳି ସାମ୍ବାଦିକମାନେ କି ଲାଭ ପାଇବେ? ଏ ରଚନାରେ ପୁଣ୍ୟ ପ୍ରସୂନ୍‌ଙ୍କ ବକ୍ତବ୍ୟକୁ କଠୋରତମ ଭାଷାରେ ସମାଲୋଚନା କରିବାର ଆବଶ୍ୟକତା ଏଇଥିପାଇଁ ଅନୁଭୂତ ହେଲା ଯେ, ଏ ବକ୍ତବ୍ୟ ପ୍ରଦାନ କରି ବକ୍ତା ସ୍ବୟଂ ନେତାଙ୍କ ସହିତ ଭାରତକୁ ତାଙ୍କର ସଂକୀର୍ଣ୍ଣ ପୂର୍ବାଗ୍ରହର ଶରବ୍ୟ କରିଚନ୍ତି। ତଥ୍ୟ ନ ଥାଇ କେବଳ ବାବଦୂକତାର ଆଧାରରେ ଦେଶ, ରାଷ୍ଟ ଓ ଗଣତନ୍ତ୍ରକୁ ଆଉ କେହି ଏଭଳି ଲାଂଛିତ ନ କରୁ। ଅସତ୍ୟ ଓ କୁତ୍ସା ବାକ୍‌-ସ୍ବାଧୀନତା ନୁହେଁ କି ବୌଦ୍ଧିକତା ନୁହେଁ।

ମୋ: ୯୪୩୭୦୩୯୮୫୮