‘ଅନ୍ଧ’ ଆକ୍ଷେପର ‘ଅନ୍ଧ’ ଦିଗନ୍ତ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

“ଅନ୍ଧର ପୁଅ ଅନ୍ଧ!”

ଦ୍ରୌପଦୀଙ୍କ ପରି ତେଜସ୍ୱିନୀ କ’ଣ ସତରେ ଏପରି ଇତର କଥା କହିଥିଲେ?

ଏବେ ଯିବା ସେ ପ୍ରଶ୍ନର ଉତ୍ତରକୁ।

ଏ ପ୍ରସଙ୍ଗରେ ପୁନଶ୍ଚ ସ୍ମରଣୀୟ ଯେ ଦ୍ରୌପଦୀ ଥିଲେ ଯଜ୍ଞସଂଭୂତା। ଗୋଟିଏ ଧାରଣା ରହିଆସିଛି (ଏହି ଲେଖକର ମଧ୍ୟ ସେ ଧାରଣା ଥିଲା) ଯେ ସେ ଯଜ୍ଞସଂଭୂତା ହୋଇଥିବାରୁ ତାଙ୍କର ନାମ ‘ଯାଜ୍ଞସେନୀ’। କିନ୍ତୁ ତାହା ଠିକ୍ ନୁହେଁ। ତାଙ୍କର ପିତା ଦ୍ରୁପଦଙ୍କର ଅନ୍ୟନାମ ‘ଯଜ୍ଞସେନ’। ତେଣୁ ତାଙ୍କର କନ୍ୟା ହେତୁ ଦ୍ରୌପଦୀ ‘ଯାଜ୍ଞସେନୀ’। କିନ୍ତୁ ଯଜ୍ଞାଗ୍ନି ମଧ୍ୟରୁ ଜନ୍ମ ନେଇଥିବାରୁ ସେ ଯେ ବହ୍ନିକନ୍ୟା- ଏଥିରେ ତିଳାର୍ଦ୍ଧେ ସଂଶୟ ନାହିଁ।

କିନ୍ତୁ ଗୋଟିଏ ବଡ଼ ସଂଶୟ ସୃଷ୍ଟି କରିଦେଇଛି ବି. ଆର୍‌. ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକ। ସାଧାରଣରେ ଗୋଟିଏ ଧାରଣା ହୋଇଛି ଯେ ଦ୍ରୌପଦୀ ଯଜ୍ଞସଂଭୂତା, ଏବଂ ଅଗ୍ନିସଂଭୂତା ଦୁର୍ଗାଙ୍କ ପରି ସେ ଦେବୀ ହେଲେ ମଧ୍ୟ, ମର୍ତ୍ତ୍ୟଲୋକରେ ଜାତ ହୋଇଥିବାରୁ ତାଙ୍କଠାରେ ମାନବୀୟ ଦୋଷ, ଦୁର୍ବଳତା ରହିବା ସ୍ୱାଭାବିକ। ତେଣୁ ଦିଅର ଦୁର୍ଯ୍ୟୋଧନ ଓ ଜ୍ୟେଷ୍ଠଶ୍ୱଶୁର ଧୃତରାଷ୍ଟ୍ରଙ୍କୁ ତୁଚ୍ଛ ତାଚ୍ଛଲ୍ୟ କରି ‘ଅନ୍ଧର ପୁଅ ଅନ୍ଧ’ ଆକ୍ଷେପ କରିବା ତାଙ୍କ ପକ୍ଷରେ ସଂପୂର୍ଣ୍ଣ ସ୍ୱାଭାବିକ।

କିନ୍ତୁ ଏ ସଂଶୟର ସ୍ପଷ୍ଟ ସମାଧାନ ହେଉଛି- ଦ୍ରୌପଦୀ ଏପରି କହି ନାହାନ୍ତି। ସେଦିନର ଘଟଣାସ୍ଥଳରେ ସେ ଉପସ୍ଥିତ ହିଁ ନଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ‘ଚୋପ୍ରା’ଙ୍କ ‘ମହାଭାରତ’ ଧାରାବାହିକର ମୂଳ ଆଧାର ଭଣ୍ଡାରକର ଓରିଏଣ୍ଟାଲ୍ ଇନ୍‌ଷ୍ଟିଚ୍ୟୁଟ୍‌, ପୁନେ ଦ୍ୱାରା ସଂପାଦିତ ‘ମହାଭାରତ’। ଏହାର ସଂକଳକ ତଥା ସଂପାଦକ ଡକ୍ଟର ଭି.ଏସ୍‌. ସୁଖଠଣକର ଓ ଏସ୍‌. କେ. ବେଲୱଲକର। ଏହା ଏକ ମାନକ ଗ୍ରନ୍ଥ ଭାବରେ ସ୍ୱୀକୃତ। ଏହାର ଅଧ୍ୟାୟ- ୩୦ ହେଉଛି ‘ରାଜସୂୟ ପର୍ବ’ ଏବଂ ଅଧ୍ୟାୟ-୩୨ ଓ ୪୩ ଯଥାକ୍ରମେ ‘ଶିଶୁପାଳ ବଧ’ ଓ ‘ଦ୍ୟୁତପର୍ବ’। ଦୁର୍ଯ୍ୟୋଧନ ଉପହସିତ ହେବା ‘ଦ୍ୟୁତପର୍ବ’ ପୂର୍ବର ଘଟଣା।

ଭଣ୍ଡାରକର ଇନଷ୍ଟିଚ୍ୟୁଟ୍‌ର ଏହି ‘ମହାଭାରତ’ ବିଦ୍ୱାନ ଓ ଗବେଷକମାନଙ୍କ ଦ୍ବାରା ଅଧିକ ଆଦୃତ ହେଲେ ମଧ୍ୟ, ଆମ ଦେଶର ଜନସାଧାରଣଙ୍କ ଦ୍ୱାରା ସର୍ବାଧିକ ଆଦୃତ ସଂସ୍କରଣ ହେଉଛି ଗୀତା ପ୍ରେସ୍‌, ଗୋରଖପୁରର ‘ମହାଭାରତ’। ଏ ‘ମହାଭାରତ’ରେ ମୂଳ ସଂସ୍କୃତ ସହିତ ହିନ୍ଦୀ ଅନୁବାଦ ମଧ୍ୟ ଅଛି ଏବଂ ଏହା ଭଣ୍ଡାରକର ଇନଷ୍ଟିଚ୍ୟୁଟ୍‌ର ମହାଭାରତକୁ ଅନ୍ୟତମ ଆଧାର ଭାବରେ ବି ଗ୍ରହଣ କରିଛି।

ଏହି ସଂସ୍କରଣରେ ‘ସଭାପର୍ବ’ର ‘ରାଜସୂୟ ପର୍ବ’ ଆରମ୍ଭ ହୋଇଛି ୩୩ ଅଧ୍ୟାୟରୁ। ଶିଶୁପାଳ ବଧ ଓ ରାଜସୂୟ ଯଜ୍ଞ ପରେ, ୪୫ ଅଧ୍ୟାୟରେ ସବୁ ବ୍ରାହ୍ମଣ ଓ ରାଜା ଏବଂ ଶ୍ରୀକୃଷ୍ଣ ସ୍ୱଦେଶ ଗମନ କରିଛନ୍ତି। ଏବଂ ୪୭ ଅଧ୍ୟାୟରେ, ମୟଦାନବ ଦ୍ୱାରା ନିର୍ମିତ ସେହି ସଭାଭବନ ବୁଲି ଦେଖିଛନ୍ତି ଦୁର୍ଯ୍ୟୋଧନ।

ରାଜା ଜନ୍ମେଜୟଙ୍କ ପ୍ରଶ୍ନରେ ବୈଶମ୍ପାୟନ ଋଷି ସେହି କାହାଣୀ ବର୍ଣ୍ଣନା କରି କହିଛନ୍ତି, “ହେ ନରଶ୍ରେଷ୍ଠ ଜନ୍ମେଜୟ! ରାଜା ଦୁର୍ଯ୍ୟୋଧନ ସେହି ସଭାଭବନରେ ନିବାସ କରିବା ବେଳେ, ଶକୁନିଙ୍କ ସହିତ ଧୀରେ ଧୀରେ ସମଗ୍ର ସଭାକୁ ନିରୀକ୍ଷଣ କରିବାରେ ଲାଗିଲେ। ସେଠାରେ ସେ ଯାହା ଦେଖିଲେ, ପୂର୍ବରୁ ହସ୍ତିନାପୁରରେ ତାହା ଦେଖି ନଥିଲେ।

ଦିନକର କଥା। ରାଜା ଦୁର୍ଯ୍ୟୋଧନ ସେହି ସଭାଭବନରେ ବୁଲୁଥିବା ବେଳେ, ଏକ ସ୍ଫଟିକ ମଣିମୟ ସ୍ଥଳରେ ଯାଇ ପହଞ୍ଚିଲେ ଏବଂ ତାହାକୁ ଜଳ ବୋଲି ଆଶଙ୍କା କରି, ପିନ୍ଧାଲୁଗାକୁ ଟେକି ଦେଲେ। ପରେ ପ୍ରକୃତ କଥା ଜାଣି, ନିଜର ବୁଦ୍ଧିମୋହ ଯୋଗୁଁ ସେ ଉଦାସ ହୋଇ ସେଠାରୁ ଲେଉଟି ଭବନର ଅନ୍ୟ ପାର୍ଶ୍ବକୁ ଆସିଲେ।”

ଏହା ପରେ ବିବୃତ ହୋଇଛି ସେହି ଘଟଣା, ଯେଉଁଠୁ ଦ୍ରୌପଦୀ ‘ଅନ୍ଧର ପୁଅ ଅନ୍ଧ’ ଆକ୍ଷେପ କରିଥିବା କଥାଟି ଉଠିଛି।

ରାଜା ଜନ୍ମେଜୟଙ୍କ ଆଗରେ ଋଷି ବୈଶମ୍ପାୟନ ସେହି ଘଟଣାର ବର୍ଣ୍ଣନା କରି କହିଛନ୍ତି- “ହେ ରାଜା! ତାହା ପରେ ସ୍ଫଟିକ ମଣି ପରି ସ୍ୱଚ୍ଛ ଜଳରେ ପରିପୂର୍ଣ୍ଣ ଏବଂ ସ୍ଫଟିକ ମଣିପରି ପଦ୍ମରେ ଶୋଭିତ ଏକ କୁଣ୍ଡକୁ ସ୍ଥଳ ବୋଲି ମନେକରି ଦୁର୍ଯ୍ୟୋଧନ ସେହି କୁଣ୍ଡ ଭିତରେ ଗଳି ପଡ଼ିଲେ। ତାଙ୍କୁ ପାଣିରେ ପଡ଼ିଯିବା ଦେଖି ମହାବଳୀ ଭୀମ‌େସନ ହସି ଉଠିଲେ। ତାଙ୍କର ସେବକମାନେ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ପରିହାସ କଲେ ଏବଂ ରାଜାଜ୍ଞାରେ ଦୁର୍ଯ୍ୟୋଧନଙ୍କୁ ସୁନ୍ଦର ବସ୍ତ୍ର ଦେଲେ। ଦୁର୍ଯ୍ୟୋଧନଙ୍କର ସେହି ଦୁରବସ୍ଥା ଦେଖି ମହାବଳୀ ଭୀମସେନ, ଅର୍ଜୁନ, ନକୁଳ ଓ ସହଦେବ ସମସ୍ତେ ଜୋର୍‌ରେ ହସିବାରେ ଲାଗିଲେ। ଦୁର୍ଯ୍ୟୋଧନ ସ୍ୱଭାବତଃ ଅମର୍ଷଶୀଳ (ଅସହିଷ୍ଣୁ ଓ କ୍ରୋଧୀ) ଥିଲେ। ତେଣୁ ସେହି ପରିହାସ ତାଙ୍କର ଅସହ୍ୟ ହେଲା।”

ଏହି ବର୍ଣ୍ଣନାରୁ ସ୍ପଷ୍ଟ ଯେ ସେଦିନର ଘଟଣାରେ ପ୍ରଥମେ ଭୀମ ଏବଂ ପରେ ଭୀମଙ୍କ ସହିତ ଅନ୍ୟମାନେ ହସିଥିଲେ। କିନ୍ତୁ ଦ୍ରୌପଦୀ ସେଠାରେ ଉପସ୍ଥିତ ନଥିଲେ। ତେଣୁ ସେ ଅଟ୍ଟହାସ୍ୟ କରିବା କିମ୍ବା ‘ଅନ୍ଧର ପୁଅ ଅନ୍ଧ’ ପରି ତୁଚ୍ଛ ତାଚ୍ଛଲ୍ୟପୂର୍ଣ୍ଣ ଆକ୍ଷେପ କରିବାର ପ୍ରଶ୍ନ ଉଠୁ ନାହିଁ। ଭଣ୍ଡାରକର ‘ମହାଭାରତ’ରେ ମଧ୍ୟ ତାହାହିଁ ଅଛି।

ପ୍ରସଙ୍ଗତଃ ଉଲ୍ଲେଖନୀୟ ଯେ ମୂଳ ସଂସ୍କୃତ ମହାଭାରତର ଅନେକଗୁଡ଼ିଏ ଅନୁବାଦ ବିଭିନ୍ନ ସମୟରେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ କରାଯାଇଛି। ଏପରି ଗୋଟିଏ ଅନୁବାଦ ହେଉଛି- କାଳୀପ୍ରସନ୍ନ ସିଂହଙ୍କ ଦ୍ୱାରା ଗଦ୍ୟରେ ଅନୂଦିତ ‘ମହାଭାରତ’। ଏହା ବଙ୍ଗଳାରେ ‘କାଳି ସିଂହ ମହାଭାରତ’ ଭାବରେ ଖ୍ୟାତ। ୧୮୪୧ରେ ଜନ୍ମିତ କାଳିପ୍ରସନ୍ନଙ୍କର ୧୮୭୦ରେ ବିୟୋଗ ଘଟିଥିଲା ଏବଂ ମାତ୍ର ୨୯ ବର୍ଷ ବୟସର ସ୍ୱଳ୍ପ ଜୀବନକାଳରେ, ସେ ସେହି ବଙ୍ଗାନୁବାଦର ସଂପାଦନା କରିଥିଲେ। ତାହାର ଷଟ୍‌ଚତ୍ୱାରିଂଶ ଅଧ୍ୟାୟ ହେଉଛି ‘ଦୁର୍ଯୋଧନେର ସଭାବିପ୍ରଲମ୍ଭ- ଉପହାସପାତ୍ରତା’। ସେଥିରେ ମଧ୍ୟ ଏହି ଏକା କଥା ଅଛି।

କାଳି ସିଂହଙ୍କ ପରି ଆମ ଓଡ଼ିଆରେ ମଧ୍ୟ ମୂଳ ସଂସ୍କୃତ ମହାଭାରତର ଗଦ୍ୟାନୁବାଦ କରିଛନ୍ତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର। କାଳି ସିଂହଙ୍କ ସମକାଳରେ, ୧୮୪୫ରେ ଭଦ୍ରକରେ ସେ ଜନ୍ମଗ୍ରହଣ କରିଥିଲେ। ଗୋବିନ୍ଦ ଚନ୍ଦ୍ର ଥିଲେ ଊନବିଂଶ ଶତାବ୍ଦୀର ବରିଷ୍ଠ ସାହିତ୍ୟିକ। ସେ ଥିଲେ ଚରମ୍ପା ମଧ୍ୟ ଇଂ‌େରଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ମୟୂରଭଞ୍ଜର ସହକାରୀ ଦେବାନ୍। ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ (୧୮୮୫) ପୂର୍ବରୁ ସେ ‘ବର୍ଣ୍ଣବୋଧକ’ (୧୮୭୪) ପ୍ରଣୟନ କରିଥିଲେ। ‘ମହାଭାରତ’ ବ୍ୟତୀତ ‘ରଘୁବଂଶ’ ମଧ୍ୟ ତାଙ୍କର ଅନ୍ୟ ଏକ ପ୍ରସିଦ୍ଧ ଅନୂଦିତ କୃତି।

ଗୋବିନ୍ଦ ଚନ୍ଦ୍ରଙ୍କର ଏହି ଗଦ୍ୟାନୂଦିତ ‘ମହାଭାରତ’ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୬୫ରେ ପ୍ରକାଶପାଇଛି। ତାହାର ଅଧ୍ୟାୟ-୪୭ରେ ଏ ପ୍ରସଙ୍ଗର ଏହିପରି ବର୍ଣ୍ଣନା ଅଛି-
“ବୈଶମ୍ପାୟନ କହିଲେ- ହେ ପୁରୁଷ-ପ୍ରବର! ଦୁର୍ଯ୍ୟୋଧନ ସେହି ସଭାରେ ବସି ଶକୁନିଙ୍କ ସହିତ କ୍ରମଶଃ ତାହାର ସର୍ବାଂଶ ଦର୍ଶନ କଲେ। ୧ା ହସ୍ତିନାନଗରରେ ପୂର୍ବେ ଯାହାକି କଦାପି ଦୃଷ୍ଟ ହୋଇନଥିଲା, ସେହିସବୁ ଦିବ୍ୟ ଅଭିପ୍ରାୟ (ନବ ନବ ଉଦ୍ଭାବିତ ନିର୍ମାଣ ପ୍ରଣାଳୀ) ମାନଙ୍କୁ ଦର୍ଶନ କଲେ। ୨। ଧୃତରାଷ୍ଟ୍ରପୁତ୍ର ମହୀପତି ଦୁର୍ଯ୍ୟୋଧନ କଦାଚିତ୍ ସ୍ଫଟିକ ନିର୍ମିତ ସ୍ଥଳକୁ ଗମନ କରି ଜଳଶଙ୍କାରେ ଭ୍ରମବଶତଃ ସ୍ୱକୀୟ ବସ୍ତ୍ରାନ୍ତକୁ ଉତ୍ତୋଳନ କଲେ ଓ ତହିଁରେ ଦୁର୍ମନା ଓ ବିମୁଖ ହୋଇ ସେ ସଭାକୁ ପରିକ୍ରମଣ କଲେ। ୩। ତତ୍ପରେ ପୁନର୍ବାର ସ୍ଥଳରେ ତଦ୍ରୂପ ବୁଦ୍ଧିମୋହ ହେତୁରୁ ନିପତିତ ହେଲେ; ତହିଁରେ ଅଧିକତର ବିମନା ଓ ବ୍ରୀଡ଼ିତ ହୋଇ ଦୀର୍ଘ ନିଶ୍ୱାସ ପରିତ୍ୟାଗ କଲେ। ୪। ପୁନଶ୍ଚ ଅପରସ୍ଥାନରେ ସ୍ଫଟିକ ସଦୃଶ ନିର୍ମଳ ସଲିଳପୂର୍ଣ୍ଣ ଓ ସ୍ଫଟିକ ସଦୃଶ କମଳ ଶୋଭିତ ବାପୀକୁ ସ୍ଥଳ ଜ୍ଞାନ କରି ବସ୍ତ୍ରସହିତ ହୋଇ ଜଳରେ ପତିତ ହେଲେ। ୫। ଜଳରେ ନିପତିତ ହେବାର ଦେଖି ମହାବଳ ଭୀମସେନ ହସିଲେ ଓ ତାହାଙ୍କ ପରେ କିଙ୍କରମାନେ ମଧ୍ୟ ସୁଯୋଧନ (ଅନେକତ୍ର ‘ଦୁର୍ଯ୍ୟୋଧନ’ଙ୍କ ନାଆଁ ‘ସୁଯୋଧନ’ ବୋଲି ଲେଖାଅଛି)ଙ୍କୁ ଚାହିଁ ହାସ୍ୟ କଲେ। ୬। ଯୁଧିଷ୍ଠିରଙ୍କ ଆଜ୍ଞାରୁ ତତ୍‌କ୍ଷଣାତ୍ କିଙ୍କରମାନେ ଅତ୍ୟୁତ୍ତମ ବସନ ଆଣି ପ୍ରଦାନ କଲେ; କିନ୍ତୁ ମହାବଳ ଭୀମସେନ, ଅର୍ଜୁନ, ନକୁଳ ଓ ସହଦେବ ସମସ୍ତେ ଦୁର୍ଯ୍ୟୋଧନଙ୍କୁ ତଦବସ୍ଥ ଦେଖି ହାସ୍ୟ କରିବାରୁ ସେ ତାହା ସହ୍ୟ କରିପାରିଲେ ନାହିଁ।”

ଏଣୁ ଏହା ମଧ୍ୟ ସ୍ପଷ୍ଟ ସୂଚାଏ ଯେ ସେହି ଘଟଣାସ୍ଥଳରେ ଦ୍ରୌପଦୀ ନଥିଲେ।

ଆମ ଆଦିକବି ସାରଳା ଦାସ ଓଡ଼ିଆ ‘ମହାଭାରତ’ର ସ୍ରଷ୍ଟା। ତାଙ୍କର ସମୟ ପଞ୍ଚଦଶ ଶତାବ୍ଦୀ। ଯୌବନକାଳରେ ‘ମହାଭାରତ’ ରଚନା ଆରମ୍ଭ କରି, ପରିଣତ ବୟସରେ ସେ ଏହାକୁ ସମାପ୍ତ କରିଥିଲେ। ସୂଚନା ଅନୁସାରେ, ୧୪୭୫ ମସିହା ବେଳକୁ ସେ ‘ମହାଭାରତ’ ରଚନା ସଂପୂର୍ଣ୍ଣ କରି ‘ଚଣ୍ଡୀପୁରାଣ’ ରଚନା କଲେ। ତାଙ୍କ ‘ମହାଭାରତ’ ମୂଳ ସଂସ୍କୃତକୁ ଅବଲମ୍ବନ କରିଥିଲେ ମଧ୍ୟ ତାଙ୍କର ରଚନାଶୈଳୀ ବିସ୍ତୃତ, ସ୍ୱତନ୍ତ୍ର ଓ ସର୍ଜନଶୀଳ। ତାଙ୍କ ‘ସଭାପର୍ବ’ର ‘ଦୁର୍ଯ୍ୟୋଧନର ଅପମାନ’ ଅଧ୍ୟାୟରେ ଶ୍ରୀକୃଷ୍ଣ (ଜଗନ୍ନାଥ) ବି ଅଛନ୍ତି। ପୁଣି ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କୁ ନିଜ ପାଖରେ ଆସି ବସିବାକୁ ନିମନ୍ତ୍ରଣ କରିଛନ୍ତି ଏବଂ ସେଠାରେ ବି ଦୁର୍ଯ୍ୟୋଧନ ଉପହସିତ ହୋଇଛନ୍ତି। ସାରଳା ଦାସଙ୍କର ସେ ସଂପର୍କିତ ବର୍ଣ୍ଣନା ଏହିପରି-
‘‘ସଷ୍ଟିକ ପାବଚ୍ଛ ବୋଲି ବଢ଼ାଇ ଦିଲା ପାଦ
ତିନିତାଳ ଗଭୀର ଜଳେ ପଡ଼ିଲା ଅଗାଦ।
କରତାଳ ମାରିଣ ହସିଲା ଭୀମସେନ
ବେକେଣ ହାଥ ଦେଇ ଆଣିଲା ସନ୍ନିଧାନ।
ପୁଣି ସଭାର ଉପରକୁ ନେଉଛି ମାରୁତି
ଆସ୍ଥାନ ଦେଖାଇ ବୋଇଲା ବସ ଯା କୁରୁପତି।
ଆସ୍ଥାନେ ଦ୍ରିଯୋଧନ ଯାଇଣ ବସିଲା
ପିଠି କତିକି ତାର କନେକ ଖମ୍ବେକ ଦିଶିଲା।
ଖମ୍ବ ବୋଲି କରି ଯେ ଆଉଜିଲା ପରିମଳେ
ଉତ୍ତାନଶାୟୀ ହୋଇ ପଡ଼ିଲା ଗଭୀର ରାସାନ୍ତଳେ।
ପୁଣି କରତାଳ ମାରି ହସିଲା ଭୀମସେନ
କୁରୁଳି ବୋବି ପାଡ଼ିଲେ ଯେ ଯୁବା ରାଜାମାନ।
ନାସିକାୟେ ହାଥ ଦେଇ ହସିଲେ ଜଗନ୍ନାଥେ।”

ସାରଳା ଦାସଙ୍କ ଏହି ବର୍ଣ୍ଣନାରୁ ସୂଚିତ ଯେ ଏହା ରାଜସୂୟ ଯଜ୍ଞ ଶେଷ ହେବା ପରର କଥା ନୁହେଁ। ରାଜସୂୟ ଯଜ୍ଞ ହେବା ବେଳର କଥା। ଏଥିରେ ଦୁର୍ଯ୍ୟୋଧନଙ୍କ ଦୃଷ୍ଟିବିଭ୍ରମଯୋଗୁଁ ଭୀମସେନ ବାରମ୍ବାର ହସିଛନ୍ତି। ଅନ୍ୟ ଯୁବ ରାଜାମାନେ ବି ହସିଛନ୍ତି। ଏପରିକି ଶ୍ରୀକୃଷ୍ଣ ବି ନାକରେ ହାତଦେଇ ହସିଛନ୍ତି। କିନ୍ତୁ ଦ୍ରୌପଦୀ ସେଠାରେ ନାହାନ୍ତି କି ହସି ନାହାନ୍ତି; ‘ଅନ୍ଧର ପୁଅ ଅନ୍ଧ’ କହି ତୁଚ୍ଛ ତାଚ୍ଛଲ୍ୟ କରିବା ତ ଦୂରର କଥା।

କିନ୍ତୁ ସାରଳା ଦାସଙ୍କ ବର୍ଣ୍ଣନା ଅନୁସାରେ, ଆହୁରି ଅନେକବାର ଉପହାସର ପାତ୍ର ହୋଇଛନ୍ତି ଦୁର୍ଯ୍ୟୋଧନ। ଏପରିକି ଯୁଧିଷ୍ଠିର ଚଟାଣରେ ରଖାଯାଇ ଥିବା କିଛି ରତ୍ନକୁ ଦେଖାଇ, ତାହାକୁ ନେବାକୁ ଦୁର୍ଯ୍ୟୋଧନଙ୍କୁ କହିଛନ୍ତି। ଦୁର୍ଯ୍ୟୋଧନ କିନ୍ତୁ ନଇଁ ଦରାଣ୍ଡି କିଛି ରତ୍ନ ପାଇ ନାହାନ୍ତି। ବରଂ ସେହି ଦରାଣ୍ଡିବା ବେଳେ, ସେ ତିନି ପାହାଚ ତଳେ ଯାଇ ମୁହଁମାଡ଼ି ପଡ଼ିଛନ୍ତି। ସେଠି ଭୀମସେନ ପୁଣି ହସିଉଠି କହିଛନ୍ତି ‘ଅନ୍ଧର ପୁଅ ଅନ୍ଧ’ କଥାଟି। ସାରଳା ଦାସଙ୍କର ସେହି ବର୍ଣ୍ଣନା ଏହିପରି-
‘‘କରତାଳ ମାରିଣ ଯେ ଭୀମସେନ ହସିଲା
ବାପର ବାଆ କି ପୁଅକୁ ଲାଗିଲା
କିମ୍ପାଇଂ ୟେମନ୍ତ ହୋଇଲୁ ମାନଗୋବିନ୍ଦ
ଚକ୍ଷୁ ଥାଉ ଥାଉ କିମ୍ପା ହୋଇଲୁ ତୁ ଅନ୍ଧ।
ଜଳ ସଷ୍ଟିକ ବୋଲି ଯେ ତୁହି ନୁଆରିଲୁ ବାରି
ଅପମାନେ ଦ୍ରିଯୋଧନ ତଳକୁ ଡେଇଂପଡ଼ି।
ଅଭିମାନ ଘେନି ନ ରହିଲା ଦଣ୍ଡେକଇଂ
ହସ୍ତିନାକୁ ବୋଲି ରାଜା ଗଲା ଦୁଖ ସହି।’’

କିନ୍ତୁ ‘ଚୋପ୍ରା’ଙ୍କ ‘ମହାଭାରତ’ ଧାରାବାହିକ ଭଣ୍ଡାରକର ଓରିଏଣ୍ଟାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ‘ମହାଭାରତ’ ଆଧାରିତ। ସାରଳା ଦାସ କି ଅନ୍ୟ କୌଣସି ପ୍ରାନ୍ତୀୟ ‘ମହାଭାରତ’ ତାହାର ଆଧାର ବୋଲି ସେହି ଧାରାବାହିକରେ ସୂଚିତ ହୋଇନାହିଁ। ତେବେ ଦ୍ରୌପଦୀ ‘ଅନ୍ଧର ପୁଅ ଅନ୍ଧ’ କହି ଦିଅର ଦୁର୍ଯ୍ୟୋଧନ ଓ ଜ୍ୟେଷ୍ଠ ଶ୍ୱଶୁର ଧୃତରାଷ୍ଟ୍ରଙ୍କୁ ତୁଚ୍ଛ ତାଚ୍ଛଲ୍ୟଭରା ଆକ୍ଷେପ କରିବା କଥାଟି କେଉଁଠୁ ଆସିଲା? ‘ଅନ୍ଧ’ ଆକ୍ଷେପର ଏ ‘ଅନ୍ଧ’ ଦିଗନ୍ତଟି ପ୍ରକୃତରେ କେଉଁଠି?

ସେ କଥା ଆରଥରକୁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର