ସୋଭିଏତ ୟୁନିୟନର ପତନ ପରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଏକମାତ୍ର ମହାଶକ୍ତି ହିସାବରେ ଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଆଧିପତ୍ୟ ବିସ୍ତାର କରିବା ପରେ ଏବେ ଚୀନ, ଆମେରିକାର ପ୍ରତିଦ୍ବନ୍ଦ୍ବୀ ହୋଇ ମୁଣ୍ଡ ଟେକୁଛି। ଆମେରିକା ସହ ଚୀନର ଦକ୍ଷିଣ ଚୀନ ସାଗର, ତାଇୱାନ ଆଦି ପ୍ରସଙ୍ଗମାନଙ୍କୁ ନେଇ ଘୋର ମତବିରୋଧ ସୃଷ୍ଟି ହୋଇଛି। ବିଶେଷ କରି ଚୀନ ତାଇୱାନକୁ ନିଜ ଦେଶର ଏକ ଅଂଶ ବୋଲି ଏକ ପ୍ରକାର ଘୋଷଣା କରି ଦରକାର ପଡ଼ିଲେ ଏହି ଦେଶକୁ ଶକ୍ତି ଦ୍ୱାରା ଅଧିକାର କରିନେବ ବୋଲି ସଂକେତ ଦେଇଥିବାରୁ ଆମେରିକା ସହ ଏହି ଦେଶର ହୁଏତ ସାମରିକ ସଂଘର୍ଷ ଘଟିପାରେ। ତେବେ ଏହି ସାମରିକ ସଂଘର୍ଷ କେବେ ଘଟିବ ଓ କେତେ ଶୀଘ୍ର ଘଟିବ ତାହାକୁ ନେଇ ବିଭିନ୍ନ ପ୍ରକାର ଆକଳନ ଚାଲିଛି। ଏ ସମ୍ପର୍କରେ ହାଲ୍ ବ୍ରାଣ୍ଡସ ଓ ମାଇକେଲ ବେକଲେ ନାମକ ଦୁଇଜଣ ବିଶ୍ଳେଷକ ଏକ ପୁସ୍ତକ ଲେଖିଛନ୍ତି ଯାହାର ନାମ ହେଉଛି, ‘ଡେଞ୍ଜର ଜୋନ୍‌: ଦି କମିଂ କନଫ୍ଲିକ୍ଟ ଉଇଥ୍‌ ଚାଇନା।’ ଏହି ପୁସ୍ତକର ଲେଖକମାନେ ମତ ଦେଇଛନ୍ତି ଯେ ଆମେରିକା-ଚୀନ ପ୍ରତିଯୋଗିତା ଏକ ମାରାଥନ ରେସ୍ ନୁହେଁ ଯେଉଁଠି ଦୁଇଟିଯାକ ଦେଶ ଦୀର୍ଘ ପଥ ଓ ଦୀର୍ଘ କାଳ ଧରି ପ୍ରତିଯୋଗିତା କରି ଚାଲିଥିବେ। ସେମାନଙ୍କ ମତରେ ଚଳିତ ଦଶନ୍ଧି ମଧ୍ୟରେ ହିଁ ଏହି ଦୁଇଦେଶ ମଧ୍ୟରେ ସାମରିକ ସଂଘର୍ଷ ଘଟିପାରେ।

Advertisment

ଲେଖକମାନେ ଆଶଙ୍କା କରୁଛନ୍ତି ଯେ ଆଗାମୀ ୨୦୨୩ ଆରମ୍ଭ ବେଳକୁ ଚୀନ, ତାଇୱାନ ଉପରେ ଆକ୍ରମଣ କରିପାରେ ଯେମିତି ଆମେରିକା ନିରୁପାୟ ହୋଇପଡ଼ିବ ଓ ଏହାପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇପାରେ। ବିଶେଷ କରି ଏଥର ସି ଜିନ୍‌ପିଙ୍ଗଙ୍କୁ ତୃତୀୟ ଥର ପାଇଁ ଚୀନରେ ରାଷ୍ଟ୍ରପତି ପଦ ଦିଆଯାଇଛି ଯାହା ମାଓ ସେତୁଙ୍ଗଙ୍କ ପରେ କାହାରିକୁ ଦିଆଯାଇନଥିଲା। ପୂର୍ବରୁ ଚୀନରେ ଜଣେ ବ୍ୟକ୍ତିକୁ ଦୁଇଥର ପାଇଁ ରାଷ୍ଟ୍ରପତି ଓ ଚୀନ କମ୍ୟୁନିଷ୍ଟ ପାର୍ଟିର ମହାସଚିବ (ଅର୍ଥାତ ମୁଖ୍ୟ)ପଦ ଦିଆଯାଇଥିଲାବେଳେ ଏବେ ସି ଜିନ୍‌ପିଙ୍ଗଙ୍କୁ ତୃତୀୟ ଥର ପାଇଁ ଏହି ପଦ ଦିଆଯାଇଛି। ଏ ସମ୍ପର୍କରେ ଚୀନରେ ଦଳର ସମ୍ବିଧାନକୁ ସଂଶୋଧିତ କରି ଏପରି ବ୍ୟବସ୍ଥା କରାଯାଇଛି ଯେମିତି ସି ଜିନ୍‌ପିଙ୍ଗ ହୁଏତ ଆଜୀବନ ଦଳ ଓ ରାଷ୍ଟ୍ରର ମୁଖ୍ୟ ରହିପାରନ୍ତି ଯେମିତି ମାଓ ସେତୁଙ୍ଗ ଓ ଅନେକ ପରିମାଣରେ ଡେଙ୍ଗ ଜିଆଓ ପିଙ୍ଗ ରହିଥିଲେ। ସି ଜିନ୍‌ପିଙ୍ଗଙ୍କୁ ଏହି ଅସାଧାରଣ କ୍ଷମତା ଦିଆଯାଇଥିବାରୁ ସେ ଚୀନକୁ ଅସାଧାରଣ ମର୍ଯ୍ୟାଦା ଆଣି ଦେବା ପାଇଁ ହୁଏତ ଚେଷ୍ଟା କରିବେ ଯେଉଁଥିରେ ଥିବ ଆମେରିକାକୁ ଅତିକ୍ରମ କରି ବିଶ୍ୱର ସର୍ବବୃହତ୍‌ ମହାଶକ୍ତିରେ ପରିଣତ ହେବା। ଏଣୁ ଆମେରିକା ସହ ଚୀନର ସାମରିକ ସଂଘର୍ଷ ହୁଏତ ସମ୍ଭବ।

ତେବେ ଚୀନ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଅନେକ ଉପରକୁ ଉଠୁଥିବାରୁ ଯେ ଆମେରିକା ସହ ଏହାର ସାମରିକ ସଂଘର୍ଷ ହେବ ସେପରି ନୁହେଁ। ଏହାର ମୁଖ୍ୟ କାରଣ ହେଲା, ଚୀନ ଏବେ ଜାଣି ସାରିଲାଣି ଯେ ସେ ଦେଶ ଉପରକୁ ଉଠିବାରେ ତା’ର ଶୀର୍ଷ ଛୁଇଁଲାଣି, ଆଉ ଅଧିକ ଉପରକୁ ଉଠିବାର ନାହିଁ। ତେଣୁ ଚୀନ ବ୍ୟତିବ୍ୟସ୍ତ ହୋଇପଡ଼ିଲାଣି ଶୀର୍ଷ ଛୁଇଁବାକୁ। ଅବଶ୍ୟ ଏହା ସତ ଯେ ଚୀନ ବିଶ୍ୱ ବ୍ୟବସ୍ଥାକୁ ଭାଙ୍ଗି ଦେଇପାରେ। କିନ୍ତୁ ଏହି ଦେଶର ଆତ୍ମବିଶ୍ୱାସ ଧୀରେ ଧୀରେ ଖସିବାରେ ଲାଗିଛି। ସମୟ ଯେ ଏହି ଦେଶ ସହ ଏବେ ନାହିଁ ସେ କଥା ସେ ଦେଶ ବୁଝିବା ଆରମ୍ଭ କରିଛି। ତେଣୁ ଚୀନ ଏବେ ଭାରତ, ଜାପାନ ବିରୋଧରେ ଶକ୍ତି ପ୍ରୟୋଗ ଆରମ୍ଭ କରିଛି ଓ ଫିଲିପାଇନ୍‌ସ ପରି ଦକ୍ଷିଣ ଚୀନ ସାଗରରେ ଥିବା ଦେଶକୁ ଜ୍ଞାନ ଶିଖାଇବାକୁ ଚାହୁଁଛି। କାରଣ ଏ ଦେଶ ଚୀନର ଆଧିପତ୍ୟକୁ ସ୍ୱୀକାର କରିବାକୁ ରାଜି ନୁହେଁ। ଚୀନ ମଧ୍ୟ ଚାହୁଁଛି, ତାଇୱାନ ତା’ ଆଗରେ ମୁଣ୍ଡ ନୁଆଁଉ।

ଚୀନ କମ୍ୟୁନିଷ୍ଟ ପାର୍ଟି ସେ ଦେଶର ଶାସନତନ୍ତ୍ର ଉପରେ ଦୃଢ଼ ନିୟନ୍ତ୍ରଣ ରଖିବାକୁ ଚାହେଁ। ତାଇୱାନ ପରି ଅଞ୍ଚଳମାନଙ୍କୁ ଦଖଲ କରିବାକୁ ଚାହେଁ। ଭାରତ ଓ ଜାପାନ ସହ ସୀମା ବିବାଦ ବେଳେ ସୀମାନ୍ତ ଅଞ୍ଚଳମାନଙ୍କୁ ଦଖଲ କରିବାକୁ ଚାହେଁ। ଆମେରିକା କେମିତି ଏସିଆ ମହାଦେଶରେ ସୀମିତ ହୋଇ ରହିଯାଉ ସେ କଥା ଚୀନ ଚାହେଁ। ଚୀନ ଏବେ ବିଶ୍ୱରେ ତା’ର ସାମରିକ, ବାଣିଜ୍ୟିକ ଭିତ୍ତିଭୂମି ଓ ପୁଞ୍ଜି ଲଗାଣ ୟୁରୋପ ଓ ଏସିଆ ମହାଦେଶରେ ନିରନ୍ତର ଭାବରେ ବଢ଼ାଇ ଚାଲିଛି। ବିଭିନ୍ନ ଦେଶମାନଙ୍କୁ ତା’ର ଉତ୍ପାଦିତ ଦ୍ରବ୍ୟମାନଙ୍କୁ ସଡ଼କ ପଥରେ ପଠାଇବା ପାଇଁ ଉଦ୍ୟମରତ ଅଛି। ଭାରତ ମହାସାଗର ଚୀନକୁ ଲାଗିକରି ନଥିବାରୁ ସେହି ମହାସାଗରକୁ ପ୍ରବେଶ କରିବା ପାଇଁ ରାସ୍ତା ତିଆରି କରୁଛି। ଚୀନର କାସଗରରୁ ପାକିସ୍ତାନର ବେଲୁଚିସ୍ତାନରେ ଥିବା ଗୁଆଡ଼ାର ବନ୍ଦରକୁ ରାସ୍ତା ନିର୍ମାଣ କରିଛି ଯାହାକୁ ଚୀନ-ପାକିସ୍ତାନ ଅର୍ଥନୈତିକ ପଥ (ସି.ପି.ଇ.ସି.) ବୋଲି କୁହାଯାଉଛି। ଏହି ପଥ ମାଧ୍ୟମରେ ଚୀନ, ଭାରତ ମହାସାଗର ମଧ୍ୟକୁ ପ୍ରବେଶ କରିପାରିବ। ଏହି ରାସ୍ତା ଦେଇ ସଡ଼କ ପଥରେ ଚୀନ ତା’ର ଦ୍ରବ୍ୟକୁ ଗୁଆଡ଼ାର ବନ୍ଦରକୁ ପଠାଇପାରିବ ଓ ସେଠାରୁ ଜାହାଜ ଯୋଗେ ସାରା ବିଶ୍ୱକୁ ପଠାଇବ। ଏହା ଫଳରେ ଚୀନର ଭାରତ ମହାସାଗରକୁ ଆସିବା ଦୂରତ୍ୱ ଅନେକ କମିଯିବ।

ବିଶ୍ୱ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ଚୀନ ଏବେ ତା’ର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି। ଜାତିସଂଘ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନମାନଙ୍କରେ ଚୀନ ରୁଷିଆ-ୟୁକ୍ରେନ ଯୁଦ୍ଧ ନେଇ ରୁଷିଆ ବିରୋଧରେ କୌଣସି ପ୍ରସ୍ତାବ ଗୃହୀତ ହେବାକୁ ଦେଉନାହିଁ। ଭାରତ ଓ ବିଶ୍ୱର ଅନ୍ୟତ୍ର ଆତଙ୍କବାଦର ଢେଉ ଖେଳାଉଥିବା ପାକ୍ ଆତଙ୍କବାଦୀମାନଙ୍କୁ ବିଶ୍ୱ ସ୍ତରରେ କଳା ତାଲିକାଭୁକ୍ତ ହେବାକୁ ଚୀନ ଦେଉନାହିଁ। ଚୀନ ଏବେ ବିଶ୍ୱର ଉଦାରବାଦୀ ଗଣତନ୍ତ୍ରମାନଙ୍କ ବିରୋଧରେ ଆକ୍ରାମକ ମନୋବୃତ୍ତିର ପ୍ରଦର୍ଶନ କରୁଛି। ମୋଟ ଉପରେ କହିବାକୁ ଗଲେ ଚୀନ ଜାଣିଛି ଯେ ଆମେରିକା ତା’ର ଉତ୍‌ଥାନ ପଥରେ କଣ୍ଟା ସାଜି ରହିଛି। ୟୁରୋପ ଓ ଏସିଆରେ ଚୀନକୁ ଉଠିବାକୁ ଦେଉନାହିଁ। ପୁସ୍ତକଟିରେ କୁହାଯାଉଛି, ଆମେରିକା-ଚୀନ ବିବାଦ ଆକସ୍ମିକ ନୁହେଁ, ଏହା ଧୀରେ ଧୀରେ ଘଟୁଛି। ଏହା ଘଟିଛି ଡୋନାଲ୍‌ଡ ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱ ବେଳେ, କୋଭିଡ୍‌ ସଂକ୍ରମଣ ବେଳେ ଓ ସି ଜିନ୍‌ପିଙ୍ଗଙ୍କ ବିଶ୍ୱ ଦଖଲ ପାଇଁ ବ୍ୟଗ୍ରତା ବେଳେ। କୋଭିଡ୍‌ ମହାମାରୀର ସଂକ୍ରମଣ ଚୀନରୁ ହୋଇଛି, ଡୋନାଲ୍‌ଡ ଟ୍ରମ୍ପ ଏହା ପ୍ରମାଣିତ କରିବାକୁ ଚାହୁଁଥିଲେ।

ତେବେ ଅନ୍ୟ ପକ୍ଷରେ ଚୀନ ପାଇଁ ଅନେକଟା ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ସେଗୁଡ଼ିକ ହେଲା- ଚୀନରେ ସମ୍ବଳର ଅଭାବ ପରିଲକ୍ଷିତ ହେବା ଆରମ୍ଭ କରିଛି। ଏହାର ଅର୍ଥନୀତିର ଅଗ୍ରଗତି ମନ୍ଥର ହୋଇପଡ଼ିଛି। ଏହାଛଡ଼ା ‘ଗୋଟିଏ ସନ୍ତାନ’ ନୀତି ପ୍ରୟୋଗ ଫଳରେ ଏହାର ଜନସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏହା ଫଳରେ ଚୀନର ଜନସାଧାରଣ ଏବେ ବୁଢ଼ା ହେବା ଆରମ୍ଭ କରିଛନ୍ତି। ସେଠାରେ କାମ କରିବା ପାଇଁ ଯୁବକମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ସେମାନେ ସେମାନଙ୍କ ଦେଶର ଉତ୍‌ଥାନ ପାଇଁ ଏକ ନାଲି ସତର୍କବାଣୀ ବୋଲି ଅନୁଭବ କରୁଛନ୍ତି। ଏହାଦ୍ୱାରା ଚୀନ କମ୍ୟୁନିଷ୍ଟ ପାର୍ଟିର ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ସେମାନଙ୍କୁ ଶଙ୍କିତ କରିଛି।

ଚୀନ-ଆମେରିକା ମଧ୍ୟରେ ଏହି ମୁକାବଲା ଅନ୍ୟ ଦେଶମାନଙ୍କୁ ପକ୍ଷ ଗ୍ରହଣ କରିବା ପାଇଁ ବାଧ୍ୟ କରୁଛି। ଏହାଦ୍ୱାରା ଚୀନର ଚାରିପଟକୁ ତା’ର ଶତ୍ରୁମାନେ ଘେରିବା ଆରମ୍ଭ କରିଛନ୍ତି। ଭାରତ-ଚୀନ ସୀମାନ୍ତରେ ଗାଲୱାନଠାରେ ୨୦୨୦ରେ ଯେଉଁ ସଂଘର୍ଷ ଘଟିଥିଲା, ତାହା ହୁଏତ ଚୀନ ପାଇଁ ଏକ ଛୋଟିଆ ବିଜୟ ହୋଇପାରିଥାଏ। କିନ୍ତୁ ଏହା ଦ୍ୱାରା ଚୀନ ଯେତିକି ଲାଭ କଲା ତା’ଠାରୁ ଅଧିକ କିଛି ହରାଇଲା। ଏହା ଦ୍ୱାରା ଭାରତ, ଆମେରିକା ଆଡ଼କୁ ଅଧିକ ପରିମାଣରେ ଢଳିଗଲା। ଚୀନର ଏହି ଆକ୍ରାମକ ମନୋବୃତ୍ତି ତା’ର ଅଧିକ କ୍ଷତି କରିବା ଆରମ୍ଭ କରିଛି। କାରଣ ଏହା ଅନ୍ୟ ଦେଶମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ଓ ନିକଟ ତଥା ଦୂର ଦେଶମାନେ ତାକୁ ପ୍ରତିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଦେଶମାନେ ଆମେରିକା ସୃଷ୍ଟ ବିଶ୍ୱ ବ୍ୟବସ୍ଥା ଦ୍ୱାରା ଲାଭବାନ ହୋଇଛନ୍ତି।

ଏବେ ଅଷ୍ଟ୍ରେଲିଆ ମୁଖ୍ୟତଃ ଏଇଥିପାଇଁ ଆମେରିକା ଆଡ଼କୁ ଢଳିଛି। ୟୁରୋପିଆନ ୟୁନିଅନ ଏବେ ଚୀନକୁ ଏକ ‘ପଦ୍ଧତିଗତ ପ୍ରତିଦ୍ୱନ୍ଦ୍ୱୀ’ ବୋଲି ନାମିତ କରିଛି। ଯେମିତି ଚୀନ ପ୍ରଭାବ ବିସ୍ତାରର ଗୋଟିଏ ବଡ଼ ଚକ୍ର ସୃଷ୍ଟି କରିବାରେ ଲାଗିଛି ତାହା ବିରୋଧାଭାଷାର ଆହୁରି ବଡ଼ ବଡ଼ ଚକ୍ରର ସମ୍ମୁଖୀନ ହେବାକୁ ଯାଉଛି। ଏପରିକି ରୁଷିଆ ସହ ଚୀନ ଯେଉଁ ଏକଛତ୍ରବାଦୀ କେନ୍ଦ୍ର ଗଢୁଛି ତାହା ମଧ୍ୟ ଚୀନର କ୍ଷତି ପହଞ୍ଚାଉଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯେତେବେଳେ ୟୁକ୍ରେନ ଆକ୍ରମଣ କରୁଛନ୍ତି ସେତେବେଳେ ଏହା ସହ ମେଣ୍ଟ କରିବା ଚୀନ ପାଇଁ କେବଳ କ୍ଷତି ହିଁ ଆଣୁଛି, ଲାଭ ନୁହେଁ। ଏବେ ଚୀନ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଦୁଇଟି ବିଷୟ ନେଇ ଚିନ୍ତିତ। ତାହା ହେଲା ଅର୍ଥନୈତିକ କ୍ଷୟ ଓ ଭୌଗୋଳିକ-ରାଜନୈତିକ ଦୃଷ୍ଟିରୁ ଏକ ଘେରାବନ୍ଦୀରେ ପଡ଼ିବା। ଅର୍ଥାତ, ଚୀନ ତା’ର ଶୀର୍ଷତମ ରାଜନୈତିକ, ସାମରିକ ଓ ଅର୍ଥନୈତିକ ସ୍ଥିତିରେ ପହଞ୍ଚିବା ଦ୍ୱାରା ଯେଉଁ ବିପଦ ଏହି ଦେଶ ପାଇଁ ସୃଷ୍ଟି ହୋଇଛି ତାହା ହିଁ ସେ ଦେଶର ଅନେକ ଶୀର୍ଷ ସ୍ଥାନୀୟ ନେତାମାନଙ୍କୁ ଚିନ୍ତାରେ ପକାଇଛି। ଗତ ସପ୍ତାହରେ ଚୀନ କମ୍ୟୁନିଷ୍ଟ ପାର୍ଟିର ମହାଅଧିବେଶନ ବେଳେ ସି ଜିନ୍‌ପିଙ୍ଗଙ୍କ ପାଖରେ ବସିଥିବା ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓଙ୍କୁ ସେଠାକାର ସୁରକ୍ଷା ବାହିନୀ ସେଠାରୁ ଯେମିତି ବାହାରକୁ ନେଇଗଲେ ତାହା ସେଠାକାର ମତଭେଦର ଏକ ଜ୍ୱଳନ୍ତ ପ୍ରମାଣ। ଏହା ସେ ଦେଶ ଓ କମ୍ୟୁନିଷ୍ଟ ପାର୍ଟି ପାଇଁ ବିପଦ ବୋଲି ଅନେକ ମନେକରୁଛନ୍ତି। ଏବେ ଏହା ଅନୁମାନ କରିବା ଆରମ୍ଭ କରିଛି ଯେ ଏହାର ଉପରକୁ ଉଠିବାର ସମୟ ଏବେ ଖସି ଖସି ଯାଉଛି। ଏବେ ଏ ଦେଶ ଆଗାମୀ କାଲି କ’ଣ ହେବ ସେ କଥା ଚିନ୍ତା ନକରି କେବଳ ଆଜି କ’ଣ ହେବ ସେ କଥା ଭାବିବାରେ ଲାଗିଛି। ତେଣୁ ଏ ଦେଶ ଏବେ ଅନ୍ତପ୍ରେରଣାର ବଶବର୍ତ୍ତୀ ହୋଇ କେବଳ କାମ କରୁଛି, ଭବିଷ୍ୟତ କଥା ଭାବୁନାହିଁ।

ଏହି ପୁସ୍ତକ ଆମେରିକାକୁ ପରାମର୍ଶ ଦେଇଛି ଯେ ଏହି ଦେଶ ହିସାବକିତାବ କରି ବିପଦ ମୁଣ୍ଡାଉ। ଏ ଦେଶ ଅଦୂରଦର୍ଶୀ ବିପଦକୁ ନ ମୁଣ୍ଡାଉ। ଆମେରିକା, ଚୀନର ଅତ୍ୟଧିକ ଟେକ୍‌ନୋଲୋଜିଗତ ଆର୍ଥିକ ସାମ୍ରାଜ୍ୟବାଦର ମୁକାବଲା କରୁ, ଚୀନର ଡିଜିଟାଲ ଏକଛତ୍ରବାଦର ମୁକାବଲା କରୁ। ଚୀନର ତାଇୱାନକୁ ଦଖଲ କରିବାର ମନୋବୃତ୍ତିର ମୁକାବଲା କରୁ, ଚୀନକୁ କ୍ଷୁବ୍ଧ କରିବାକୁ ଆମେରିକା କୁଣ୍ଠିତ ନହେଉ। ଚୀନ ଯଦି ରାଗିଯିବ ତେବେ ଅନେକଗୁଡ଼ିଏ କୌଶଳଗତ ଭୁଲ୍‌ କରି ବସିବ। ଆମେରିକା, ଚୀନକୁ କୌଣସି ଗୋଟିଏ କୋଣକୁ ଠେଲି ନଦେଉ ଯେମିତି ଯୁଦ୍ଧ କରିବା ତା’ ପାଇଁ ଏକ ବାଧ୍ୟତା ହୋଇପଡ଼ିବ। ଅବଶ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆମେରିକା ଏପରି କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରୁନାହିଁ ଯେମିତି ରୁଷିଆ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ବାଧ୍ୟ ହେବ। ଚୀନ କ୍ଷେତ୍ରରେ ମଧ୍ୟ ଆମେରିକାର ବ୍ୟବହାର ସେଇଆ ହେବା ଉଚିତ ଯେମିତି ବିଶ୍ୱର ଅଧିକରୁ ଅଧିକ ଦେଶ ଚୀନର ପ୍ରଭାବରୁ ମୁକ୍ତ ହୋଇଯିବେ। ଆମେରିକା ସେହି କୌଶଳ ଅବଲମ୍ବନ କରୁ ଯେମିତି ଚୀନର ଆଧିପତ୍ୟ ଆପେ ଆପେ କମିଯିବ।

ମୋ- ୯୪୩୭୦୨୦୨୯୦