ସେଦିନ ଅଚାନକ ପଟେଲ ବାବୁ ମୋ ଦପ୍ତର ଭିତରକୁ ପଶି ଆସିଲେ। ଆଗରୁ ଜଣାଇ ଆସିଥିଲେ ହୁଏତ ମୁଁ ମାନସିକ ଭାବରେ ନିଜକୁ ପ୍ରସ୍ତୁତ କରି ପାରିଥାନ୍ତି। ଜଣେ ପୁରୁଣା ସହକର୍ମୀଙ୍କୁ ଅପ୍ରତ୍ୟାଶିତ ଭାବରେ ଦେଖି ଖୁସି ହେବା ବଦଳରେ ମୁଁ ବିବ୍ରତ ହୋଇ ଉଠିଲି। କାରଣ ଅବସର ନେବାର ଚାରି ବର୍ଷ ପରେ ମଧ୍ୟ ପଟେଲ ବାବୁଙ୍କର ପେନସନ ଓ ଅନ୍ୟାନ୍ୟ ପ୍ରାପ୍ୟ ତାଙ୍କୁ ମିଳି ନାହିଁ। ସୁତରାଂ, ସେହି ପୁରୁଣା ପ୍ରଶ୍ନର ସାମ୍ନା କରିବାର ସାହସ ନିଜ ଭିତରେ ଯୋଗାଡ଼ କରିବା ପାଇଁ ଚେଷ୍ଟା କଲି। ଗତ ଚାରି ବର୍ଷ ଧରି ସେ ତାଙ୍କର ସମସ୍ୟା ସହିତ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ସେହି ପ୍ରଶ୍ନ ପଚାରି ଚାଲିଛନ୍ତି- ମୋ ପେନସନ ଓ ଅନ୍ୟାନ୍ୟ ପ୍ରାପ୍ୟ କେବେ ପାଇବି? ଆଉ ଆମେ ସମସ୍ତେ ତାଙ୍କୁ ଗୋଳିଆ ମିଶା କରି ପ୍ରାୟ ସେହି ଗୋଟାଏ ଉତ୍ତର ଦେଇ ଚାଲିଛୁ- ଯେମିତି କି ଯଥା ସମ୍ଭବ ଚେଷ୍ଟା କରି ଚାଲିଛୁ ବା ଆଜି ଯାଏ ଯେଉଁ ବିଳମ୍ବ ହୋଇଛି ସେଥି ଲାଗି ଆମ ଛଡ଼ା ଅନ୍ୟ ସମସ୍ତେ ଦାୟୀ ଇତ୍ୟାଦି।
ବ୍ୟକ୍ତିଗତ ଭାବେ ସାକ୍ଷାତରେ ଓ ଫୋନ ମାଧ୍ୟମରେ ଥରକୁ ଥର ଏହିଭଳି ବ୍ୟାଖ୍ୟା ଶୁଣି ଶୁଣି ହୁଏତ ତାଙ୍କ ମନରେ କିଛି ସନ୍ଦେହ ଦେଖା ଦେଇଛି; ଯେଉଁଥି ଲାଗି ସେ ଆଜି କୌଣସି ଖବର ନ ଦେଇ ସିଧାସଳଖ ମୋ ଦପ୍ତରରେ ହାଜର ହୋଇ ଯାଇଛନ୍ତି।
ଯାହା ଆଶଙ୍କା କରିଥିଲି ତାହାହିଁ ହେଲା। ପଟେଲ ବାବୁ ମନ ଦୁଃଖରେ ଏହି ଚାରି ବର୍ଷରେ କେତେ ଦହଗଞ୍ଜ ହୋଇଛନ୍ତି ତା’ର ଏକା ଦୀର୍ଘ ବୃତ୍ତାନ୍ତ ଶୁଣାଇଲେ। କେମିତି ତାଙ୍କର ଶାରୀରିକ ଅସୁସ୍ଥତା ସତ୍ତ୍ବେ ସେ କେମିତି ଏ ଅଫିସରୁ ସେ ଅଫିସ, ଏ ବାବୁଙ୍କ ପାଖରୁ ସେ ବାବୁ ଦଉଡୁଛନ୍ତି, ପୁଣି କିଏ କେମିତି ତାଙ୍କୁ ଦେଖିବା ମାତ୍ରକେ କାର୍ଯ୍ୟ ବ୍ୟସ୍ତତା ଦେଖାଉଛି, ବଡ଼ ହାକିମ ଡାକୁଛନ୍ତି କହି ଚୌକି ଛାଡ଼ି ପଳାଉଛି ଇତ୍ୟାଦି ଇତ୍ୟାଦି। ସମସ୍ତେ ତାଙ୍କ ସମସ୍ୟାରେ ସମବେଦନା ପ୍ରକାଶ କରିଛନ୍ତି ସତ, ହେଲେ ତାହା ଅଧିକ ଲୋକଦେଖାଣିଆ ବୋଲି ତାଙ୍କର ହୃଦବୋଧ ହେଲାଣି। ତା ନ ହୋଇଥିଲେ, ଏଯାଏ ତାଙ୍କର ପାଉଣା ସେ ପାଇନାହାନ୍ତି କ’ଣ ପାଇଁ? ହଁ, ଚାକିରି କାଳରେ ଥରେ ସେ ବଦଳି ହେବା ପରେ ନୂଆ ଜାଗାରେ ଯୋଗ ଦେଇ ନ ଥିବାରୁ ନିଲମ୍ବିତ ହୋଇଥିଲେ ସତ। ହେଲେ ସେ ଘଟଣାକୁ ୧୫ ବର୍ଷ ପୂରିଗଲାଣି। ସେହି ସମୟର ସମସ୍ୟାଟି ଏଯାଏ ଲଟକି ରହିଛି, ଯାହା ଫଳରେ ସମାଧାନର ବାଟ ଫିଟୁ ନାହିଁ। ହେଲେ ତାହା ଏମିତି କ’ଣ ରକେଟ୍ ବିଜ୍ଞାନ କି ୧୫ ବର୍ଷ ପରେ ମଧ୍ୟ ତାହା ଅସମାହିତ ହୋଇ ରହିଛି!
ତାଙ୍କ ପୂର୍ବରୁ ଓ ପରେ ଅବସର ନେଇଥିବା କେତେକ କର୍ମଚାରୀଙ୍କର ପେନସନ ହୋଇ ସାରିଛି। କିଏ ପରିବାର ସାଥିରେ କୁଆଡ଼େ ବୁଲି ଯାଉଛନ୍ତି। କିଏ ଝିଅ ବାହାଘର ସାରି ନାତି ନାତୁଣୀ ଖେଳାଇଲେଣି। ଆଉ କେତେକ ତ ବାଙ୍ଗାଲୋରରେ ପୁଅ ବୋହୂ ପାଖରେ ଏକ ପ୍ରକାର ରହିଗଲେଣି। କାହିଁକି ଯେ ସେତେବେଳେ ସେ କିଛି ଶୁଭେଚ୍ଛୁଙ୍କ କଥାରେ ପଡ଼ି ନୂଆ ଜାଗାରେ ଯୋଗ ଦେଇ ନ ଥିଲେ ଆଜି ସେଥି ଲାଗି ସେ ପଶ୍ଚାତ୍ତାପ କରୁଛନ୍ତି!
ପଟେଲ ବାବୁଙ୍କର ଫାଇଲ ବୁଝୁଥିବା ପଟ୍ଟଯୋଷୀ ବାବୁଙ୍କୁ ଅଗତ୍ୟା ଡକାଇ ପଠାଇଲି। ସେ ଯେ କେଉଁ କାରଣରୁ ଆସିବାରେ ବିଳମ୍ବ କରୁଛନ୍ତି, ତାହା ମଧ୍ୟ ସହଜରେ ବୁଝି ହେଉଛି। ମାତ୍ର ସେହି ବିଳମ୍ବ ମୋତେ ଅଧିକରୁ ଅଧିକ ବିବ୍ରତକର ବୋଧ ହେଉଛି। ତାଙ୍କ ଲାଗି ଯେ ମୋ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ସେ ହୃଦୟଙ୍ଗମ କରି ସେ ଥରକୁ ଥର କ୍ଷମା ମଧ୍ୟ ମାଗିନେଲେଣି। ତାଙ୍କ ଦୃଷ୍ଟିରେ ତାଙ୍କ ପେନସନ ସମସ୍ୟା ପ୍ରକୃତରେ ଯେତେ ଜଟିଳ ନୁହଁ, ସମାଧାନର ସୂତ୍ର ଯେଉଁମାନଙ୍କ ପାଖରେ ରହିଛି- ସେମାନେ ତାକୁ ଜଟିଳ କରିଦେଇଛନ୍ତି। ଏ ଦପ୍ତରର ଚିଠିକୁ ଆଉ ଏକ ଦପ୍ତର ବୁଝି ପାରୁନାହିଁ। ସେ ପୁଣି ତଳ ଦପ୍ତରକୁ ସ୍ପଷ୍ଟୀକରଣ ମାଗୁଛି। ଏହି ମଗା-ଦେବା ଭିତରେ କେତେ ଅଫିସର, କିରାଣି ବଦଳି ଗଲେଣି ତା’ର ହିସାବ ନାହିଁ। ତେଣୁ, ପ୍ରତ୍ୟେକ ବିଷୟରେ ମୂଳରୁ ସମସ୍ତଙ୍କୁ ବୁଝାଇବାକୁ ପଡୁଛି।
ଶେଷକୁ ପଟ୍ଟଯୋଷୀ ବାବୁ ଆସି ପଟେଲ ବାବୁଙ୍କୁ କିଛି କହିବାକୁ ନ ଦେଇ ଏକ ପ୍ରକାର ଅନର୍ଗଳ ଗାଇ ଗଲେ। ପୁରୁଣା ରେକର୍ଡ ବାଜିଲା ଭଳି ସେହି ଗୋଟାଏ କଥା, କେଉଁଠି କ’ଣ ପାଇଁ ତାଙ୍କ ଫାଇଲ ଅଟକିଛି, କେଉଁ ଦସ୍ତାବିଜ ଆହୁରି ଆବଶ୍ୟକ ଇତ୍ୟାଦି। ସେହି ପୁରୁଣା କଥା ଶୁଣି ମୁଁ ବିରକ୍ତ ହୋଇ ଉଠୁଥିଲେ ମଧ୍ୟ ନିଜ ଭିତରେ ନିଜ ରାଗ ସମ୍ଭାଳି ନେଲି। ବାହାରକୁ ପଟେଲ ବାବୁଙ୍କ ପାଇଁ ନିଜର ବ୍ୟଗ୍ରତା ଦେଖାଇ ଥରକୁ ଥର ଅନୁରୋଧ କରି ଚାଲିଲି ଏବଂ କହିଲି ଯେମିତି ପଟେଲ ବାବୁଙ୍କ ଏଇଟା ଏ ଦପ୍ତରକୁ ଆସିବା ଶେଷ ଥର ଲାଗି ହୁଏ।
ମୋର ଏଭଳି ବ୍ୟସ୍ତତାରେ ପଟେଲ ବାବୁ ତ ଖୁସି ହେଉଥିଲେ ନିଶ୍ଚୟ। ମାତ୍ର ତାହା ଯେ ପଟ୍ଟଯୋଷୀ ବାବୁଙ୍କୁ କେତେ ପ୍ରଭାବିତ କରିପାରିଛି, ତାହା ଜାଣିବାକୁ ପାଇଲି ଯେତେବେଳେ ସେ ମୋର ପ୍ରଶଂସାରେ ଶତମୁଖ ହୋଇ ଉଠି କହିଲେ ଯେ ମୋ ଭଳି ଭଲ ମଣିଷ ଏ ଅଫିସରେ ବିରଳ, ଯିଏ ଜଣେ ପୁରୁଣା ସହକର୍ମୀଙ୍କ ପାଇଁ ଏତେ ପରିମାଣରେ ସମ୍ବେଦନଶୀଳ! ମାତ୍ର, ମୁଁ ପଟ୍ଟଯୋଷୀ ବାବୁଙ୍କୁ ପାଟି ଖୋଲି କହିବା ପାଇଁ ଅସମର୍ଥ ଥିଲି ଯେ ପଟେଲ ବାବୁଙ୍କ ଦୁର୍ଦ୍ଦଶା ମଧ୍ୟରେ ମୁଁ ମୋ ନିଜର ଭବିଷ୍ୟତ ଦେଖୁଛି। ଆଉ ମାସ କେଇଟା ପରେ ମୁଁ ମଧ୍ୟ ଅବସର ନେବି। ମୋର ଅବସର ପରେ ମୁଁ ଯେ ସେହି ଜଂଜାଳ ମଧ୍ୟ ଦେଇ ନ ଯିବି, ତାହା କିଏ କହି ପାରିବ?
ମୋ- ୯୪୩୮୧ ୪୯୭୬୧