୧୯୨୨ ମସିହାରେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ରାଧାକମଳ ମୁଖାର୍ଜୀ ‘ପ୍ରିନ୍ସିପଲ୍ସ ଅଫ୍ କମ୍ପାରେଟିଭ୍ ଇକୋନୋମିକ୍ସ’ ନାମରେ ଏକ ପୁସ୍ତକ ରଚନା କରିଥିଲେ। ତାହାର ଶହେ ବର୍ଷ ପରେ ସେହି ବହିଟିକୁ ପଢ଼ି, ସେଥିରେ ଭାରତୀୟ ଗ୍ରାମ୍ୟ ଜୀବନ ଓ ଅର୍ଥନୀତିକୁ ପ୍ରାକୃତିକ ପରିବେଶ କିପରି ପ୍ରଭାବିତ କରୁଛି, ସେ ସମ୍ପର୍କରେ ଜାଣିଲା ପରେ ମୁଁ ଅଭିଭୂତ ହୋଇପଡ଼ିଲି। ଚାଷୀ ତାହାର କୃଷିକୁ ବଜାୟ ରଖିବାରେ ସାମାନ୍ୟ ସମ୍ପତ୍ତି ସଂସାଧନ କିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହାକୁ ଚିହ୍ନିବାରେ ରାଧାକମଳ ବୋଧେ ହେଉଛନ୍ତି ପ୍ରଥମ ଭାରତୀୟ। ସେତେବେଳେ ଚାଷଜମିଗୁଡ଼ିକ ବିଶେଷ କରି ବ୍ୟକ୍ତିଗତ ବା ପାରିବାରିକ ମାଲିକାନାରେ ଥିବା ବେଳେ ଜଙ୍ଗଲ ଓ ଚାରଣ ଭୂମି ସମେତ କେନାଲଗୁଡ଼ିକ ମଧ୍ୟ ପାରମ୍ପରିକ ଭାବେ ଗ୍ରାମ ଅଧୀନରେ ରହିବା ସହ ପରିଚାଳିତ ମଧ୍ୟ ହେଉଥିଲା। ସେହିପରି ରାଧାକମଳଙ୍କ ଆଲେଖ୍ୟ ଅନୁଯାୟୀ, ବ୍ୟକ୍ତିଗତ ମାଲିକାନା ଅନ୍ୟ ସମୁଦାୟଙ୍କ ତୁଳନାରେ ବିଶେଷାଧିକାର ପ୍ରଦାନ କରୁଥିବା ବେଳେ ତାହାର ଉପଯୋଗ କେବେ ଅନନ୍ୟ ହେଉନଥିଲା।
ପ୍ରାକ୍ ଔପନିବେଶିକ ଭାରତୀୟ ଗ୍ରାମରେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲଗୁଡ଼ିକ ସାମୂହିକ ମାଲିକାନାରେ ରହିବା ସହ ସେଗୁଡ଼ିକର ଉପଯୋଗ ମଧ୍ୟ ସାମୂହିକ ରହିଥିଲା, ଯାହା ଥିଲା ସବୁଠୁ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ। ରାଧାକମଳଙ୍କ ମତରେ, ‘ଜଳସେଚନର ପରିଚାଳନା ପୁରୁଷମାନଙ୍କୁ ଅସାମାଜିକ ବ୍ୟକ୍ତିବାଦରୁ ମୁକ୍ତ ରହିବା ପାଇଁ ବାଧ୍ୟ କରୁଥିଲା, ଅଥବା ସେମାନଙ୍କୁ ତାହାର ପରିଣତି ଭୋଗିବାକୁ ପଡୁଥିଲା। ଏହା ସେମାନଙ୍କୁ ଅନ୍ୟ ପୁରୁଷମାନଙ୍କ ସହ ଆର୍ଥିକ ସମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଥିଲା। ତେଣୁ ଭାରତୀୟ ଗ୍ରାମ୍ୟ ସମୁଦାୟରେ ଚାଷୀମାନଙ୍କର ପାରସ୍ପରିକ ଅଧିକାର ରୋକିବା ପାଇଁ ଜଳଯୋଗାଣର ଏକ ମାମୁଲି ସାମ୍ପ୍ରଦାୟିକ ସମ୍ବନ୍ଧ ରହିଛି। ସମ୍ପତ୍ତିର ଅତ୍ୟାଚାରମୂଳକ ଉପଯୋଗ ରୋକିବା ଲାଗି ଭାରତରେ ବିଭିନ୍ନ ପୋଖରୀ ଓ ଜଳସେଚନ କରାଉଥିବା କେନାଲଗୁଡ଼ିକର ଏକପ୍ରକାର ସାମ୍ପ୍ରଦାୟିକ ମାଲିକାନା ସ୍ଥାପନ କରାଯାଇଛି, ଯାହା ହେଉଛି କୃଷି ଉତ୍ପାଦନର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଉପକରଣ।’
ରାଧାକମଳଙ୍କ ଯୁକ୍ତି ହେଲା, ସର୍ବସାଧାରଣ ସମ୍ପତ୍ତି ପରିଚାଳନାର ଏପରି ସ୍ବଦେଶୀ ପ୍ରଣାଳୀକୁ ବ୍ରିଟିସ ଔପନିବେଶିକ ଶାସନ ଉପେକ୍ଷା କରିଥିଲା। ସରକାରଙ୍କର ଜଙ୍ଗଲ ବିଭାଗ ଜଙ୍ଗଲକୁ ନିଜ ଅଧୀନରେ ରଖି ବ୍ୟାବସାୟିକ ଉଦ୍ଦେଶ୍ୟ ସାଧନ କରୁଥିଲା ଏବଂ ଜଙ୍ଗଲ ମାଧ୍ୟମରେ ଜୀବିକା ନିର୍ବାହ କରିବାକୁ ଚାହୁଁଥିବା ଗ୍ରାମବାସୀଙ୍କୁ ଅପରାଧୀ ସଜାଉଥିଲା। ପୋଖରୀ ଓ କେନାଲଗୁଡ଼ିକ ମଧ୍ୟ ଏକ ସରକାରୀ ବିଭାଗ ଅଧୀନକୁ ଚାଲିଯାଇଥିଲା ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ରାଧାକମଳଙ୍କ ଭାଷାରେ ଏ ପ୍ରକାର ପରିବର୍ତ୍ତନ, ସାର୍ବଜନୀନ କାର୍ଯ୍ୟ ବାବଦରେ ଲୋକଙ୍କ ଉଦ୍ୟମିତାକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲା। ପୂର୍ବରୁ ଯେଉଁ ସବୁ କାମ ସ୍ବଦେଶୀ ତନ୍ତ୍ର ଦ୍ବାରା ପରିଚାଳିତ ହୋଇ ଆସୁଥିଲା, ସେଗୁଡ଼ିକ ଦାୟିତ୍ବବୋଧ ଓ ପ୍ରଭୁତ୍ବ ଅଭାବରୁ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲା।
ରାଧାକମଳ ମୁଖାର୍ଜୀ ଏବେ ଜଣେ ବିସ୍ମୃତ ଚରିତ୍ର ହୋଇଥାଇପାରନ୍ତି। ତଥାପି ତାଙ୍କ ଲେଖା ଅଧୁନା ଭାରତ ତଥା ସାରା ବିଶ୍ବ ସାମନା କରୁଥିବା ପରିବେଶ ସଂକଟକୁ ସିଧାସଳଖ ଉତ୍ଥାପନ କରିଥାଏ। ୧୯୩୦ରେ ‘ସୋସିଓଲୋଜିକାଲ୍ ରିଭ୍ୟୁ’ରେ ପ୍ରକାଶିତ ‘ଆନ୍ ଇକୋଲୋଜିକାଲ୍ ଆପ୍ରୋଚ୍ ଟୁ ସୋସିଓଲୋଜି’ ଶୀର୍ଷକ ପ୍ରବନ୍ଧ ତାହାର ଏକ ଉଦାହରଣ। ଏଥିରେ ଯୁକ୍ତି କରାଯାଇଛି କି ପାରମ୍ପରିକ ସାମାଜିକ ବିଜ୍ଞାନରେ ବୃକ୍ଷରାଜି, ପଶୁପକ୍ଷୀ, ଭୂମି ଓ ଜଳର ଭୂମିକାକୁ ଛାଡ଼ିଦେଇ ସଂପୂର୍ଣ୍ଣ ଭାବରେ ମନୁଷ୍ୟ ଉପରେ ମନୁଷ୍ୟର ପ୍ରଭାବକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏ ପ୍ରକାର ନିରୋଳା ମାନବୀୟ ପ୍ରଭାବକୁ ଇତିହାସ ଓ ଅର୍ଥନୀତିରେ ଅନୁଚିତ ମହତ୍ତ୍ବ ଦିଆଯାଇଛି ବୋଲି ରାଧାକମଳ ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, ଭୂଗୋଳବିତ୍ ଓ ଇକୋଲୋଜିଷ୍ଟ ବା ପରିସଂସ୍ଥାବିଦ୍ମାନେ ମଧ୍ୟ ସ୍ପଷ୍ଟ ଭାବରେ ସମାଜ ଓ ଭୌତିକ ପର୍ଯ୍ୟାବରଣ ମଧ୍ୟରେ ଥିବା ସମ୍ପର୍କର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିଛନ୍ତି, ବିଶେଷ କରି ପାରିବାରିକ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବକୁ ପ୍ରାଧାନ୍ୟ ଦେଇଛନ୍ତି। ପ୍ରାଧ୍ୟାପକ ରାଧାକମଳ ଉକ୍ତ ପୁସ୍ତକରେ ତାଙ୍କର ସାଥୀ ସମାଜବିଜ୍ଞାନୀମାନଙ୍କୁ କହିଛନ୍ତି ଯେ ବୃକ୍ଷ ଓ ପଶୁ ପରିବେଶତତ୍ତ୍ବର ଏକ ମହତ୍ତ୍ବପୂର୍ଣ୍ଣ ବିଭାଗ ଉପଦ୍ରବ ସହ ଜଡ଼ିତ, ଯାହା ଦ୍ବାରା ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଏକ ନିର୍ଦ୍ଦିଷ୍ଟ ଇଲାକାର ବିଭିନ୍ନ ବୃକ୍ଷ ଓ ପ୍ରାଣୀ ମଧ୍ୟରେ ବିଦ୍ୟମାନ ପ୍ରାକୃତିକ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି ହୋଇଥାଏ। ନିଜ ଜନ୍ମଦେଶ ସମ୍ପର୍କରେ କହିବାକୁ ଯାଇ ରାଧାକମଳ ଆହୁରି ଲେଖିଛନ୍ତି ଯେ ଗୃହପାଳିତ ପଶୁମାନଙ୍କ ଦ୍ବାରା ମାତ୍ରାଧିକ ଚାରଣ ଓ ଦଳାଚକଟା ଯୋଗୁଁ କିପରି ସବୁଜିମା ନଷ୍ଟ ହୋଇଯାଉଛି ଏବଂ ଭାରତର ନଦୀ ଅବବାହିକାମାନଙ୍କରେ ବାରମାସୀ ବା ଋତୁକାଳୀନ ବଣୁଆ ଲତାମାନଙ୍କର ଆବିର୍ଭାବ ଘଟୁଛି।
ପ୍ରକୃତିର କ୍ରମକୁ ସଂଶୋଧନ କରିବା ଏବଂ ନୂତନ ଆକୃତି ପ୍ରଦାନ କରିବାର ଅଦ୍ଭୁତ ଦକ୍ଷତା ମନୁଷ୍ୟ ପାଖରେ ଥିଲା। ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ଜଙ୍ଗଲ ସଫେଇ, କୃଷି, ପଶୁପାଳନ ଓ ବିଦେଶୀ ଜୀବ ଆମଦାନି ପ୍ରକ୍ରିୟା ଦ୍ବାରା ଏକ ପ୍ରାଥମିକ ବା ମାଧ୍ୟମିକ ଅନୁକ୍ରମ ପ୍ରଥା ଧାର୍ଯ୍ୟ ହୋଇଥିଲା, ଯାହା ଦ୍ବାରା ବୃକ୍ଷ ପ୍ରଜାତି ସମୁଦାୟର ସମଗ୍ର ଶୃଙ୍ଖଳା ପ୍ରଭାବିତ ହୋଇଛି। ଏ ପ୍ରକାର ଅବ୍ୟବସ୍ଥାକୁ ରୋକା ନ ଗଲେ କିଛି ମହତ୍ତ୍ବପୂର୍ଣ୍ଣ ବୃକ୍ଷ ଓ ପ୍ରାଣୀ ପ୍ରଜାତିର ବିଲୋପ ଘଟିବାର ଆଶଙ୍କା ରହିଛି। ଏଥି ସହିତ ଭୂମିର ଉର୍ବରତା ହ୍ରାସ, ଜଙ୍ଗଲହାନି, ମରୁଭୂମୀକରଣ ଓ ମରୁଡ଼ି ଆଦିକୁ ଆମନ୍ତ୍ରଣ କରି ସଂପୃକ୍ତ ଅଞ୍ଚଳରେ ମାନବ ସମାଜ ବିକଶିତ ହେବାର ସମ୍ଭାବନାକୁ ବିପଦରେ ପକାଇଦେଉଛି।
ରାଧାକମଳଙ୍କ ପ୍ରବନ୍ଧରେ ଉପସ୍ଥାପିତ ବିଚାରମାନ, ମନୁଷ୍ୟ ଏବଂ ପ୍ରାକୃତିକ ଜଗତ୍ର ଅନ୍ତର୍ନିର୍ଭରଶୀଳତା, ଜୀବନର ଜାଲ ଏବଂ ତାହାକୁ ଛିଣ୍ଡାଇବାର ପରିଣତି କେତେ ବିପଜ୍ଜନକ ତାହା ଉତ୍ଥାପନ କରିଥାନ୍ତି। ଏସବୁ ଏବେ ପରିବେଶ ବିଦ୍ବାନ ଓ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ସାଧାରଣ ଆଲୋଚ୍ୟ ବିଷୟ ହୋଇଯାଇଛି। ମାତ୍ର ୧୯୩୦ ପୂର୍ବରୁ ତାହା ଦୂରଦ୍ରଷ୍ଟିସଂପନ୍ନ ଏବଂ ପଥପ୍ରଦର୍ଶକ ଥିଲା। ସଂଯମ ଓ ଦାୟିତ୍ବବୋଧର ନୈତିକତା ସପକ୍ଷରେ ରାଧାକମଳ ଯୁକ୍ତି ବାଢୁଥିଲେ, ଯାହା ପ୍ରାକୃତିକ ପ୍ରତିରୋଧକୁ ଭ୍ରୂକ୍ଷେପ ନ କରି ହେଉଥିବା ଦ୍ରୁତ ସହରୀକରଣ ଓ ଔଦ୍ୟୋଗୀକରଣକୁ ବିରୋଧ କରିଥାଏ।
୧୯୩୪ରେ ‘ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ ଇକୋନୋମିକ୍ସ’ରେ ରାଧାକମଳଙ୍କର ଏକ ଲେଖା ପ୍ରକାଶିତ ହୋଇଥିଲା ଯେଉଁଥିରେ ସେ ବିଭିନ୍ନ ଜୀବିକା ପ୍ରତି ‘ଇକୋଲୋଜି’ ବା ପରିସଂସ୍ଥା ସୃଷ୍ଟି କରୁଥିବା ପ୍ରତିବନ୍ଧକ ସମ୍ପର୍କରେ ସାଥୀ ବିଦ୍ବାନ୍ମାନଙ୍କୁ ସତର୍କ କରାଇଥିଲେ। ‘ଦି ବ୍ରୋକନ୍ ବାଲାନ୍ସ ଅଫ୍ ପପୁଲେସନ୍, ଲ୍ୟାଣ୍ଡ୍ ଆଣ୍ଡ୍ ଵାଟର’ ଶୀର୍ଷକ ଏହି ପ୍ରବନ୍ଧରେ ସେ ଯୁକ୍ତି କରିଥିଲେ କି ପ୍ରକୃତିର ନିୟମ ସହ ଖେଳ ଖେଳିବା ଆର୍ଥିକ ଗତିବିଧି ପାଇଁ ବିପଜ୍ଜନକ ହୋଇପାରେ। ଏହି ପ୍ରବନ୍ଧରେ ସେ ଭାରତୀୟ ଗାଙ୍ଗେୟ ସମତଳଭୂମିରେ ଜଙ୍ଗଲ ଓ ତୃଣଭୂମିର ଅନାଚ୍ଛାଦନ ଉପରେ ଧ୍ୟାନାକର୍ଷଣ କରିଥିଲା, ଯାହା ବ୍ୟାପକ ଚାଷାନୁପଯୋଗୀ ଗଭୀର ଓ ସଂକୀର୍ଣ୍ଣ କ୍ଷେତ୍ର ସୃଷ୍ଟି କରିଥିଲା ଏବଂ ବୃଷ୍ଟିପାତକୁ ହ୍ରାସ ତଥା ଅଧିକ ଅନିୟମିତ କରିଥିଲା। ପରିଣତି ସ୍ବରୂପ ଜଳ ଓ ଚାରଣ ଭୂମିର ଅଭାବ ବିଶେଷ କରି ଗୋସମ୍ପଦକୁ ଭୀଷଣ ଭାବରେ ପ୍ରଭାବିତ କରିଥିଲା। ଫଳସ୍ବରୂପ ଗାଈଗୋରୁମାନେ ଦୁର୍ବଳ ଓ କ୍ଷୁଦ୍ର ହୋଇପଡ଼ିବା ସହ ଦୁଗ୍ଧ ଉତ୍ପାଦନ ହ୍ରାସ ଘଟିଥିଲା ଏବଂ ସେମାନଙ୍କ କ୍ଷେତରେ କାମ କରିବାର ସ୍ପୃହା କମିଯାଇଥିଲା। ଦୂର ଭବିଷ୍ୟତରେ କେବେ ଗଙ୍ଗା ଉପତ୍ୟକା ଯେ ଏକଦା ହସିଲା ପୂରିଲା ଥିବା ସିନ୍ଧୁ ଉପତ୍ୟକାର ଭାଗ୍ୟ ନଦେଖିବ, ତାହା ଅସମ୍ଭବ ନୁହେଁ ବୋଲି ରାଧାକମଳ ଲେଖିଥିଲେ। ସିନ୍ଧୁ ନଦୀର ପୂର୍ବଭାଗ ସ୍ଥିତ ମରୁଭୂମି ଅଞ୍ଚଳର ଏକ ବିଶାଳ ଇଲାକାରେ, ପ୍ରାଚୀନ ନଦୀଶଯ୍ୟା ଓ ବାଲୁକାରେ ପୋତି ହୋଇଥିବା ସହରର ସଂକେତ ମିଳେ, ଯାହା ଏକଦା ଉର୍ବର ଥିବା ଅଞ୍ଚଳ କ୍ରମେ ବିଲୁପ୍ତ ହୋଇଯାଇଥିବାର ପ୍ରମାଣ ବହନ କରେ।
ଆଜିର ଶିକ୍ଷାବିତ୍ମାନେ ଯେପରି ସଂକୀର୍ଣ୍ଣ ବିଶେଷଜ୍ଞ, ରାଧାକମଳ ମୁଖାର୍ଜୀ ସେପରି ନଥିଲେ। ସେ ଅନୁଶାସନାତ୍ମକ ପ୍ରତିରୋଧରୁ ମୁକ୍ତ ଥିଲେ, ତାଙ୍କ ଲେଖାଗୁଡ଼ିକ ଇତିହାସ ଓ ଦର୍ଶନଶାସ୍ତ୍ର ସହିତ ଅର୍ଥଶାସ୍ତ୍ର ଓ ସମାଜଶାସ୍ତ୍ର ଯାଏ ପରିବ୍ୟାପ୍ତ ଥିଲା। ପ୍ରାକୃତିକ ବିଜ୍ଞାନ, ବିଶେଷ କରି ତତ୍କାଳୀନ ‘ଇକୋଲୋଜି’ କ୍ଷେତ୍ର ପ୍ରତି ତାଙ୍କର ପ୍ରଗାଢ଼ ଆଗ୍ରହ ରହିଥିଲା ଯାହା ଅନ୍ୟ ଭାରତୀୟ ଅର୍ଥଶାସ୍ତ୍ରୀଙ୍କ ଠାରେ ଦେଖାଯାଏନାହିଁ। ତାଙ୍କ ଦେହାବସାନ ପରେ ସଂକଳିତ ପ୍ରକାଶନ ତାଲିକାରେ ତାଙ୍କ ଦ୍ବାରା ଲିଖିତ ୪୭ଟି ପୁସ୍ତକ ରହିଥିଲା। ସେଗୁଡ଼ିକ ମଧ୍ୟରେ ତାଙ୍କର ପ୍ରଥମ ପୁସ୍ତକ ‘ଦି ଫାଉଣ୍ଡେସନ୍ସ ଅଫ୍ ଇଣ୍ଡିଆନ୍ ଇକୋନୋମିକ୍ସ’ (୧୯୧୬) ଠାରୁ ଆରମ୍ଭ କରି ‘ରିଜିଓନାଲ୍ ସୋସିଓଲୋଜି’ (୧୯୨୬), ‘ଦି ଚେଜିଂ ଫେସ୍ ଅଫ୍ ବେଙ୍ଗଲ’(୧୯୩୮) ଓ ‘ସୋସିଆଲ୍ ଇକୋଲୋଜି’(୧୯୪୦) ଆଦି ରହିଛି। ସେହିପରି ‘ଦି ଇଣ୍ଡିଆନ୍ ଵାର୍କିଂ କ୍ଳାସ୍’(୧୯୪୫), ‘ଦି ସୋସିଆଲ୍ ଫଂକସନ୍ ଅଫ୍ ଆର୍ଟ’ (୧୯୪୮), ‘ଦି ସୋସିଆଲ୍ ଷ୍ଟ୍ରକ୍ଚର ଅଫ୍ ଭାଲ୍ୟୁଜ୍’ (୧୯୪୯), ‘ଦି ଡାଇନାମିକ୍ସ ଅଫ୍ ମୋରାଲ୍ସ’ (୧୯୫୧), ‘ଦି ହିଷ୍ଟ୍ରି ଅଫ୍ ଇଣ୍ଡିଆନ୍ ସିଭିଲାଇଜେସନ୍’ (୧୯୫୬, ଦୁଇ ଖଣ୍ଡ), ‘ଦି ଫିଲୋସୋଫି ଅଫ୍ ସୋସିଆଲ୍ ସାଇନ୍ସ’ (୧୯୬୦) ଓ ‘ଦି ଫ୍ଲାଵାରିଂ ଅଫ୍ ଇଣ୍ଡିଆନ୍ ଆର୍ଟ’ (୧୯୬୪) ଆଦି ଅନ୍ୟତମ।
ସେ ଯାହା ବି କିଛି ଲେଖିଛନ୍ତି, ସେଥିରୁ ଅନେକ ଲେଖା ଅଗଭୀର ଏବଂ ଅସ୍ଥାୟୀ ଥିଲା। ଉଦାହରଣ ସ୍ବରୂପ, ଭାରତୀୟ କଳା ଇତିହାସ ପ୍ରତି ତାଙ୍କର ଅବଦାନକୁ ଏବେ କେହି ମନେ ରଖିନାହାନ୍ତି। ଆଜ ଦିନରେ ପେସାଦାର ଅର୍ଥଶାସ୍ତ୍ରୀ କି ପେସାଦାର ସମାଜଶାସ୍ତ୍ରୀ ତାଙ୍କୁ କ୍ବଚିତ୍ ପଢ଼ନ୍ତି। ତେବେ ମାନବୀୟ ପରିସଂସ୍ଥା କ୍ଷେତ୍ରର ସେ ଜଣେ ସଚ୍ଚା ପଥପ୍ରଦର୍ଶକ ଥିଲେ ଏବଂ ଏ ବିଷୟରେ ବା ତା ସମ୍ପର୍କିତ ସେ ଯାହା ଲେଖି ଯାଇଛନ୍ତି, ସେସବୁର ସ୍ଥାୟୀ ମୂଲ୍ୟ ରହିଛି।
ରାଧାକମଳଙ୍କ ଅଧ୍ୟୟନରେ ଗଭୀର ଜ୍ଞାନ ନିହିତ ଥିଲା ଏବଂ ଜୀବନଜାଲର ଛନ୍ଦ ଜଟିଳତା ପ୍ରତି ମଧ୍ୟ ପ୍ରଭୂତ ସମ୍ମାନବୋଧ ରହିଥିଲା। ପରିବେଶବାଦର ଜନ୍ମ ପୂର୍ବରୁ ହିଁ ସେ ଜଣେ ପରିବେଶବିତ୍ ହୋଇଥିଲେ; ସେଭଳି ଶାଖାର ବିଦ୍ବାନଭିତ୍ତିକ ଅନ୍ବେଷଣର ପରିକଳ୍ପନା ବା ଉଦ୍ଭାବନର ଯଥେଷ୍ଟ ଆଗରୁ ସେ ଜଣେ ‘ପାରିବେଶିକ ସମାଜଶାସ୍ତ୍ରୀ’ ତଥା ‘ପାରିବେଶିକ ଅର୍ଥଶାସ୍ତ୍ରୀ’ ହୋଇପାରିଥିଲେ। ରାଧାକମଳ ଏକଦା ଟିପ୍ପଣୀ କରିଥିଲେ ଯେ ଅର୍ଥଶାସ୍ତ୍ର ବା ସମାଜଶାସ୍ତ୍ରର ନିୟମଗୁଡ଼ିକ ଜୀବନ ସନ୍ତୁଳନର ନିୟମଗୁଡ଼ିକୁ ବ୍ୟାପକ ଭାବରେ ପାଳନ କରୁଛି। ବୌଦ୍ଧିକ କାରଣରୁ ବିଦ୍ବାନ୍ମାନେ ପ୍ରକୃତି ପ୍ରତି ଅଧିକ ଦୃଷ୍ଟି ଦେବା ଦରକାର ଥିବା ବେଳେ କେବଳ ତିଷ୍ଠି ରହିବା ଲାଗି ଜନସାଧାରଣଙ୍କୁ ପ୍ରାକୃତିକ ସୀମା ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ସେ ଯେଉଁ ସମୟତକ ରହିଥିଲେ, ସେତେବେଳେ ପାରିବେଶିକ ପ୍ରତିବନ୍ଧକ ପ୍ରତି ପରବାୟ ନ କରି ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରାଯାଉଥିଲା; ତଥାପି ପ୍ରଚଳିତ ବ୍ୟବସ୍ଥା ବିରୋଧରେ ଯାଇ ସେ ଯୁକ୍ତି କରିଥିଲେ, କିଛି ମାତ୍ରାରେ ପ୍ରକୃତିର ଅତ୍ୟନ୍ତ ଧିମା ପ୍ରକ୍ରିୟାକୁ ଅନୁକରଣ କରିବାର ଉପଦେଶକୁ ମାନବଜାତି ମାନିବା ଉଚିତ। ତେଣୁ ସେ ଲେଖିଥିଲେ, ‘ଯଦିଓ ମନୁଷ୍ୟ ସ୍ବାର୍ଥ ଦୃଷ୍ଟିରୁ ବା ଅଜ୍ଞାନବଶତଃ ପ୍ରାକୃତିକ ସଂରଚନାକୁ ଛିଣ୍ଡାଇ ଦିଏ, ତଥାପି ଏ କଥା ନିଃସନ୍ଦେହ ଯେ ସାମାଜିକ ପ୍ରଗତିରେ ପ୍ରକୃତି ଏବଂ ସମାଜର ସହବନ୍ଧନ ଓ ଏକଜୁଟତା ସୂକ୍ଷ୍ମରୁ ସୂକ୍ଷ୍ମତର ଶୈଳୀରେ ବୁଣି ହୋଇ ଚାଲିଥିବ। ଜୀବନ ଜାଲର ଜଟିଳତାର ଜ୍ଞାନ ତଥା ତାହା ପ୍ରତି ସମ୍ମାନ ପ୍ରଦର୍ଶନ ମଣିଷକୁ ତା’ର ଶୀର୍ଷତମ ଭାଗ୍ୟ ଆଡ଼କୁ ଅଗ୍ରସର କରାଇପାରିବ।’
୧୯୩୮ର ଏକ ପୁସ୍ତକରେ ରାଧାକମଳ ମନ୍ତବ୍ୟ ଦେଇଥିଲେ ଯେ ସ୍ଥାୟୀ ସଭ୍ୟତା ପାଇଁ ମାନବୀୟ ପରିସଂସ୍ଥା ହେଉଛି ଏକମାତ୍ର ନିଶ୍ଚିତ ଉପାୟ। ସେହି ବିଦ୍ବାନ ସ୍ବୟଂ ସେହି ଦିନକୁ ପ୍ରତୀକ୍ଷା କରି ରହିଥିଲେ ଯେତେବେଳେ ପରିବେଶ ସନ୍ତୁଳନ ରକ୍ଷା କାର୍ଯ୍ୟକୁ ପ୍ରବୃତ୍ତିଗତ ସ୍ତରରୁ ନୈତିକ ସ୍ତରକୁ ଉଠାଯାଇ ପାରିବ। ସବୁପ୍ରକାର ପାରିବେଶିକ ଶକ୍ତି ସହ ସମନ୍ବୟ ସୃଷ୍ଟି ପାଇଁ ସେ ତାଙ୍କ ସାଥୀ ମନୁଷ୍ୟମାନଙ୍କୁ ଆହ୍ବାନ କରୁଥିଲେ। ଅଶୀ ବର୍ଷରୁ ଅଧିକ ସମୟ ପୂର୍ବେ ସେ ଜାରି କରିଥିବା ଚେତାବନୀକୁ ଏବେ ମନେ ପକାଯାଉଛି ଏବଂ ତା’ ପ୍ରତି ଧ୍ୟାନ ଦିଆଯାଉଛି।