କ୍ଷୁଧା ସୂଚକାଙ୍କରେ ଭାରତ ତଳେ କାହିଁକି

ସରଳ ବିଚାର - ସରଳ କୁମାର ଦାସ

‘ଭାରତରେ କୋଭିଡ୍‌ ଆରମ୍ଭ ପର ଠାରୁ ଆଜି ଯାଏଁ କେନ୍ଦ୍ର ସରକାର ପରା ୮୦ କୋଟି ଲୋକଙ୍କୁ ପ୍ରତି ମାସ ଡାଲି ଚାଉଳ ମାଗଣାରେ ବାଣ୍ଟି ଚାଲିଛନ୍ତି! ଏ‌େଣ ଟଙ୍କିକିଆ ଚାଉଳ ଯାହାକୁ ଯେତେ। ଲୋକେ ନିଜ ଖାଦ୍ୟାଭାବ ମେଣ୍ଟାଇ ପୁଣି ବାହାରେ ବିକୁଛନ୍ତି! ତଥାପି ଦେଶରେ କ’ଣ ଆହୁରି ଭୋକିଲା ଲୋକ ଅଛନ୍ତି? ଭାରତକୁ ବଦନାମ କରିବା ପାଇଁ ଓ ତା’ର ଛବି ମଳିନ କରିବା ପାଇଁ କିଛି ବିଦେଶୀ ସଂସ୍ଥାଙ୍କ ଦ୍ୱାରା ୟେ ରୀତିମତ ଗୋଟେ ଷଡ୍‌ଯନ୍ତ୍ର।’

ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନକୁ ଖସି ଆସିବା ପରେ ଏହାକୁ ଗ୍ରହଣ କରି ପାରୁ ନଥିବା କିଛି ବ୍ୟକ୍ତି ଏପରି ମନ୍ତବ୍ୟ ଦେଉଥିବା ଦେଖାଯାଉଛି। ଭୋକ ଓ କ୍ଷୁଧା ଶବ୍ଦ ଦ୍ୱୟ ସମାନାର୍ଥକ ହୋଇଥିଲେ ବି ଭୋକରେ ନ ଥିବା ଲୋକ ଯେ କ୍ଷୁଧାଗ୍ରସ୍ତ ନୁହେଁ, ତାହା କହି ହେବନାହିଁ। ଭୋକରେ ରହିବା କ୍ଷୁଧାର ଏକ ସୂଚକ ହୋଇପାରେ, କିନ୍ତୁ ଏକମାତ୍ର ସୂଚକ ନୁହେଁ। କ୍ଷୁଧା ନିବାରଣର ଅର୍ଥ ଯାହିତାହି ଦୁଇ ମୁଠା ଖାଇ ଭୋକ ମେଣ୍ଟାଇବା ନୁହେଁ, ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଉଲ୍ଲେଖଯୋଗ୍ୟ ଯେ ଡାଲି ଚାଉଳ ଭଳି ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ଲାଗି ଲୋକଙ୍କ ନିକଟରେ କ୍ରୟ ଶକ୍ତିର ଅଭାବକୁ ହୃଦୟଙ୍ଗମ କରି ସରକାର ମାସ ମାସ ଧରି ୮୦ କୋଟି ଲୋକଙ୍କୁ ସେ ସବୁ ମାଗଣାରେ ଦେଇ ଚାଲିଛନ୍ତି, ତେଣୁ ଏଭଳି ଲୋକେ ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଯେ ପାଉ ନ ଥିବେ, ତାହା ସ୍ୱୀକାର କରିବାକୁ ହେବ। ତେଣୁ ଭାରତରେ ଯେ ଅନେକ ଲୋକ କ୍ଷୁଧାର ଶିକାର, ତାକୁ ଅବିଶ୍ୱାସ କରିବାର ଅବକାଶ ନାହିଁ।

ଜର୍ମାନିର ବନ୍‌ସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ‘ୱେଲ୍‌ଟ ହଙ୍ଗର ହିଲ୍‌ଫ’ ଓ ଆୟର୍ଲାଣ୍ଡର ଡବଲିନ୍‌ସ୍ଥିତ ଅନ୍ତର୍ଜାତୀୟ ମାନବବାଦୀ ସଂଗଠନ ‘କନସର୍ନ ୱାର୍ଲଡ୍‌ୱାଇଡ୍‌’ଙ୍କ ମିଳିତ ଉଦ୍ୟମରେ ୨୦୦୦ ମସିହାରୁ ନିୟମିତ ଭାବେ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ ପ୍ରକାଶ ପାଇ ଆସୁଛି। ଅକ୍ଟୋବର ୨୦୨୨ରେ ପ୍ରକାଶିତ ଏହି ସୂଚକାଙ୍କରେ ଭାରତ ୨୦୨୧ ତୁଳନାରେ ୬ଟି ସ୍ଥାନ ତଳକୁ ଖସି ୧୨୧ଟି ଦେଶ ମଧ୍ୟରେ ୧୦୭ମ ସ୍ଥାନରେ ରହିଛି; ଯାହା ଅନେକଙ୍କୁ ବିଚଳିତ କରିଛି। ଏପରିକି ଏ କ୍ଷେତ୍ରରେ ପାକିସ୍ତାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ତୁଳନାରେ ଭାରତର ପ୍ରଦର୍ଶନ ନିରାଶାଜନକ ହୋଇଛି। ଏହି ସୂଚକାଙ୍କରେ ଭାରତର ସ୍ଥିତିକୁ ଗ୍ରହଣ କରିପାରୁ ନ ଥିବା କେହି କେହି ତାଚ୍ଛଲ୍ୟପୂର୍ଣ୍ଣ ଭାବେ ମତ ଦିଅନ୍ତି ଯେ ବୋଧହୁଏ ନବରାତ୍ରି ସମୟରେ ଉପବାସ ବେଳେ ଭାରତରୁ ତଥ୍ୟ ସଂଗୃହୀତ ହୋଇଛି! କିନ୍ତୁ ଏହି ସୂଚକାଙ୍କ ନିର୍ଣ୍ଣୟ ପ୍ରକରଣଟି ଏତେ ହାଲୁକା ନୁହେଁ। କ୍ଷୁଧା ସମସ୍ୟାଟି ମଧ୍ୟ ଅତି ଜଟିଳ ଓ ଏହାକୁ ବର୍ଣ୍ଣନା କରିବା ପାଇଁ ଭିନ୍ନ ଭିନ୍ନ ମାପକର ସହାୟତା ନିଆଯାଇଥାଏ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଅନୁଯାୟୀ ଯଥେଷ୍ଟ ପରିମାଣର କ୍ୟାଲୋରି ଗ୍ରହଣର ଅଭାବ କ୍ଷୁଧାକୁ ବୁଝାଇଥାଏ।

‘ଏଫଏଓ’ ନିର୍ଦ୍ଧାରିତ ‘କ୍ଷୁଧା’ର ସଂଜ୍ଞା ହେଉଛି ‘ଖାଦ୍ୟରୁ ବଞ୍ଚିତ ହେବା, ବା ଅପପୁଷ୍ଟିର ଶିକାର ହେବା; ଯଦ୍ଦ୍ୱାରା ଜଣେ ବ୍ୟକ୍ତି ସୁସ୍ଥ-ସବଳ ଭାବେ ଜୀବନ ଧାରଣ କରିବା ଲାଗି ଲିଙ୍ଗ, ବୟସ, ଆକୃତି ଓ ଶାରୀରିକ ଶ୍ରମ ଆଧାରରେ ଆବଶ୍ୟକ ସର୍ବନିମ୍ନ କ୍ୟାଲୋରି ଅଭ୍ୟାସଗତ ଭାବେ ସେ ଗ୍ରହଣ କରୁଥିବା ଖାଦ୍ୟରୁ ପାଇ ପାରୁ ନ ଥିବ।’ କିନ୍ତୁ ‘ଅପୁଷ୍ଟି’ କହିଲେ ତାହା କେବଳ କ୍ୟାଲୋରି ଆବଶ୍ୟକତା ପୂରଣରେ ସୀମିତ ହୋଇ ରହି ନଥାଏ; ଏହା ପ୍ରୋଟିନ, ଭିଟାମିନ ଓ ଖଣିଜ ଭଳି ଖାଦ୍ୟସାରର ଅଭାବକୁ ବୁଝାଇ ଥାଏ। ପୁଣି କେତେକ ସ୍ଥଳରେ ଅସୁସ୍ଥତା କାରଣରୁ ପୁଷ୍ଟିକର ଉପାଦାନଗୁଡ଼ିକୁ ଶରୀର ଠିକ୍‌ ଭାବେ ଉପଯୋଗ କରି ନ ପାରିବା ମଧ୍ୟ ଏହାର କାରଣ ହୋଇପାରେ। ସେହିଭଳି ପରିବାରରେ ଖାଦ୍ୟ ଅସୁରକ୍ଷା, ମା’ର ସ୍ୱାସ୍ଥ୍ୟ, ଶିଶୁର ଉଚିତ ଯତ୍ନ, ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବାର ଅନୁପଲବ୍‌ଧତା, ନିରାପଦ ଜଳ ଓ ପରିମଳ ବ୍ୟବସ୍ଥା ଆଦି ଉପରେ ମଧ୍ୟ ଏହା ନିର୍ଭର କରିଥାଏ। ଅନ୍ୟ ପକ୍ଷରେ ଅପପୁଷ୍ଟି କହିଲେ ତାହା ଉଭୟ ‘ଅପୁଷ୍ଟି’ (ଖାଦ୍ୟାଭାବ ଜନିତ) ଓ ‘ଅତିପୁଷ୍ଟି’ (ଓଭର ନ୍ୟୁଟ୍ରିସନ- ଅସନ୍ତୁଳିତ ଖାଦ୍ୟ ଗ୍ରହଣ ଯୋଗୁଁ) ସମସ୍ୟାକୁ ମଧ୍ୟ ଦର୍ଶାଇଥାଏ। ତେବେ କ୍ଷୁଧା ନିରୂପଣ ପାଇଁ ଅତିପୁଷ୍ଟି ସମସ୍ୟାକୁ ବାଦ ଦେଇ କେବଳ ଅପୁଷ୍ଟିଜନିତ ପୁଷ୍ଟିହୀନତାକୁ ବିଚାରକୁ ନିଆଯାଇଥାଏ। ଖାଦ୍ୟାଭାବ, ଅପୁଷ୍ଟି ଓ ଅପପୁଷ୍ଟି ସାମଗ୍ରିକ ଭାବେ କ୍ଷୁଧାର କାରଣ ହୋଇଥିବାରୁ ଏଗୁଡ଼ିକୁ ବିଜ୍ଞାନସମ୍ମତ ଭାବେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ବିଶ୍ୱ କ୍ଷୁଧା ସୂଚକାଙ୍କରେ ସୂଚକଗୁଡ଼ିକ ପ୍ରସ୍ତୁତ ହୋଇଥାଏ। ଏଥି ଲାଗି ଚାରିଟି ସୂଚକକୁ ବିବେଚନାକୁ ନିଆଯାଇଥାଏ। ପ୍ରଥମ, ଆବଶ୍ୟକ କ୍ୟାଲୋରିର ଖାଦ୍ୟ ପାଉ ନ ଥିବା ବ୍ୟକ୍ତିଙ୍କ ହାର (ଏଥିରେ ଉଭୟ ବୟସ୍କ ଓ ଶିଶୁଙ୍କୁ ବିଚାରକୁ ନିଆଯାଇଥାଏ; ଦ୍ୱିତୀୟ, ପାଞ୍ଚ ବର୍ଷ ବୟସ ମଧ୍ୟରେ ବୟସ ତୁଳନାରେ କମ୍‌ ଉଚ୍ଚତା (ଷ୍ଟଣ୍ଟିଂ) ବିଶିଷ୍ଟ ଶିଶୁଙ୍କ ହାର; ତୃତୀୟ, ସେହି ବୟସ ବର୍ଗରେ ଉଚ୍ଚତା ତୁଳନାରେ କମ୍‌ ଓଜନ (ୱେଷ୍ଟିଂ) ବିଶିଷ୍ଟ ଶିଶୁଙ୍କ ହାର; ଚତୁର୍ଥ, ପାଞ୍ଚ ବର୍ଷ ବୟସ ପୂରିବା ଆଗରୁ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ହାର। କ୍ଷୁଧାର ସବୁଠାରୁ ଦୁଃଖଦ ପରିଣତି ହେଉଛି ମୃତ୍ୟୁ। କ୍ଷୁଧା ଯୋଗୁଁ ଶିଶୁମାନେ ହିଁ ସର୍ବପ୍ରଥମେ ମୃତ୍ୟୁର ଶିକାର ହୋଇଥାଆନ୍ତି। କ୍ଷୁଧା ସୂଚକାଙ୍କରେ ସବୁ ବର୍ଗର ଅପୁଷ୍ଟି, ଶିଶୁ ମୃତ୍ୟୁ ହାର ଏବଂ ଶିଶୁ ‘ଷ୍ଟଣ୍ଟିଂ ଓ ୱେଷ୍ଟିଂ’କୁ ଏକ-ତୃତୀୟାଂଶ ଲେଖାଏଁ ଗୁରୁତ୍ୱ ଦିଆଯାଏ।

୨୦୦୦ ମସିହାରେ ବିଶ୍ୱ କ୍ଷୁଧା ସୂଚକାଙ୍କର ପ୍ରଥମ ରିପୋର୍ଟରେ ଭାରତ ୩୮.୮ ଅଙ୍କ ସହ ‘ଉଦ୍‌ବେଗଜନକ’ ବର୍ଗରେ ଥିଲା। ୨୦୨୨ର ରିପୋର୍ଟରେ ୨୯.୧ ଅଙ୍କ ପାଇ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ଏବେ ବି ଏହା ‘ଗୁରୁତର’ ବର୍ଗରେ ସ୍ଥାନିତ। ତେବେ ୨୦୧୪ରେ ୨୮.୧ ଅଙ୍କ ସହିତ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଥିଲା। ଇତିମଧ୍ୟରେ ଭାରତ କ୍ଷୁଧା ନିବାରଣର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଥିଲେ ବି ଶିଶୁ ପୁଷ୍ଟି ଆହାରରେ ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ ଶିଶୁ ୱେଷ୍ଟିଂ ୧୯.୩ ପ୍ରତିଶତ ରହିଛି, ଯାହା ସବୁ ଦେଶଙ୍କ ମଧ୍ୟରେ ସର୍ବାଧିକ।

ଏହି ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ଭାରତ ସରକାରଙ୍କ ତରଫରୁ ସୂଚକାଙ୍କ ପରିମାପରେ ଥିବା ଗୁରୁତର ପଦ୍ଧତିଗତ ତ୍ରୁଟିକୁ ଦର୍ଶାଇ ଏହା ଭୁଲ୍‌ ବୋଲି ପ୍ରମାଣ କରିବାକୁ ତୁରନ୍ତ ଚେଷ୍ଟା କରାଯାଇଥିଲା। ସୂଚକାଙ୍କରେ ବ୍ୟବହୃତ ୪ଟି ସୂଚକ ମଧ୍ୟରୁ ତିନିଟି ଶିଶୁଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତ ହୋଇଥିବାରୁ ତାହା ସମ୍ପୂର୍ଣ୍ଣ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁନାହିଁ ବୋଲି କୁହାଗଲା। ଚତୁର୍ଥ ସୂଚକ ପାଇଁ ତଥ୍ୟ ମାତ୍ର ୩୦୦୦ ଲୋକଙ୍କ ଠାରୁ ଜନମତ ସଂଗ୍ରହ ଆଧାରରେ କରାଯାଇଛି ବୋଲି ମଧ୍ୟ ଅଭିଯୋଗ କରାଗଲା। ତେବେ ଶିଶୁମାନେ ସହଜରେ ପୁଷ୍ଟି ଅଭାବର ଶିକାର ହେଉଥିବାରୁ ଏବଂ ଏହା ସେମାନଙ୍କ ସର୍ବାଙ୍ଗୀନ ବିକାଶରେ ଅନ୍ତରାୟ ସୃଷ୍ଟି କରି ପରବର୍ତ୍ତୀ ସମୟରେ ମାନବ ସମ୍ୱଳର କ୍ଷତି ସାଧନ କରୁଥିବାରୁ ଶିଶୁ ସ୍ୱାସ୍ଥ୍ୟକୁ ସୂଚକାଙ୍କରେ ଗୁରୁତ୍ୱ ଦିଆଯାଇଥାଏ।

ସୂଚକାଙ୍କଟି ଜନମତ ଆଧାରରେ ନୁହେଁ ବରଂ ଭାରତ ସରକାରଙ୍କ ଏନ୍‌ଏଫ୍‌ଏଚ୍‌ଏସ୍‌-୫ (୨୦୧୯-୨୧) ରିପୋର୍ଟ, ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ୨୦୨୨ରେ ପ୍ରକାଶିତ ଖାଦ୍ୟ ନିରାପତ୍ତା ସୂଚକ ଓ ୨୦୨୧ରେ ଜାତିସଂଘର ‘ଆଇ.ଜି.ଏମ୍‌.ଇ.’ ଦ୍ୱାରା ପ୍ରକାଶିତ ଶିଶୁ ମୃତ୍ୟୁ ହାର ଆକଳନ ଭଳି ନିର୍ଭରଯୋଗ୍ୟ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ବ୍ୟବହୃତ ଅପୁଷ୍ଟି, ଶିଶୁମାନଙ୍କ ଗେଡ଼ାପଣ (ଷ୍ଟଣ୍ଟିଂ), ଓଜନହୀନତା (ୱେଷ୍ଟିଂ) ଓ ମୃତ୍ୟୁ ହାର ଭଳି ଚାରିଟି ସୂଚକକୁ ଜାତିସଂଘର ‘ସତତ ବିକାଶ ଲକ୍ଷ୍ୟ’ (ଏସଡିଜି)ରେ ସମ୍ପୃକ୍ତ ଲକ୍ଷ୍ୟର ଅଗ୍ରଗତିକୁ ମାପିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ତା’ ଛଡ଼ା ସୂଚକାଙ୍କରେ ବ୍ୟବହୃତ ମାପକାଠିଟି ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଆସୁଛି। ସବୁ ଦେଶରେ କ୍ଷୁଧାର ସ୍ଥିତି ସେହି ଏକା ମାପକାଠିରେ ମପା ଯାଇଥାଏ। ତେଣୁ, ଏପରି କ୍ଷେତ୍ରରେ ମାପକାଠିରେ ତ୍ରୁଟି ବାହାର କରିବା ଭାରତରେ କ୍ଷୁଧାର ବାସ୍ତବ ସ୍ଥିତିରେ କୌଣସି ପରିବର୍ତ୍ତନ ଆଣିବ ନାହିଁ। ତେବେ କ୍ଷୁଧା ସୂଚକାଙ୍କ ସଂଦର୍ଭରେ ସରକାର ଆକ୍ରାମକ ହେବାର ଏକ ବଡ଼ କାରଣ ହେଉଛି ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହେବା ପରେ ପରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୦୭ତମ ସ୍ଥାନକୁ ଖସି ଆସିବା ଭାବମୂର୍ତ୍ତିଗତ ମଳିନତା ବୋଲି ବିଚାର କରାଯାଉଛି।

ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ଭାବେ ମାଗଣା ଖାଦ୍ୟାନ୍ନ ବଣ୍ଟନ ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନିଆ ଯାଉଥିଲେ ବି ତାହା କ୍ଷୁଧା ନିବାରଣ ପାଇଁ ଯଥେଷ୍ଟ ଫଳପ୍ରଦ ନ ହେବାର ବଡ଼ କାରଣ ହେଲା ଲୋକଙ୍କ ଉତ୍କଟ ଦାରିଦ୍ର୍ୟ। ସରକାରୀ ଯୋଜନା ମାଧ୍ୟମରେ କେବଳ ଭୋକକୁ ଲାଘବ କରିବା ପାଇଁ ପ୍ରୟାସ କରାଯାଉଛି; କିନ୍ତୁ ଅପୁଷ୍ଟି ଓ ଅପପୁଷ୍ଟି ହ୍ରାସ ଲାଗି ଆର୍ଥିକ ସ୍ୱଚ୍ଛଳତା ନିହାତି ଆବଶ୍ୟକ। ଯେ ପର୍ଯ୍ୟନ୍ତ ଲୋକଙ୍କ ଆୟରେ ବୃଦ୍ଧି ହେଉ ନ ଥିବ, ସେ ପର୍ଯ୍ୟନ୍ତ ସ୍ଥିତିରେ ଉନ୍ନତି ଆସିବ ନାହିଁ। ସୁତରାଂ, ଦରିଦ୍ର ବର୍ଗଙ୍କୁ ଅଧିକ ରୋଜଗାରକ୍ଷମ କରାଯାଇ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି କରାଯିବା ଦରକାର। ତାହା ହେଲେ ସେମାନେ ନିଜ ପରିବାରର ଖାଦ୍ୟ ଚିନ୍ତା ନିଜେ ବହନ କରିବାକୁ ସମର୍ଥ ହେବେ। ଅଧିକନ୍ତୁ, ଦରଦାମ ବୃଦ୍ଧି ଲାଗି ରହିଲେ ସୀମିତ ରୋଜଗାରରେ ଲୋକଙ୍କ ପାଇଁ ପୌଷ୍ଟିକ ଖାଦ୍ୟାନ୍ନ ଲାଭ କରିବା ଏକ ପ୍ରକାର ଅସମ୍ଭବ ହୋଇ ଅଧିକରୁ ଅଧିକ ଲୋକ କ୍ଷୁଧାର ବିଷ ଚକ୍ରକୁ ଠେଲି ହୋଇଯିବାକୁ ବାଧ୍ୟ ହେବେ। କହିବା ବାହୁଲ୍ୟ ଯେ ଗରିବ ଲୋକଙ୍କ ଆୟର ସିଂହଭାଗ ଖାଦ୍ୟ ବାବଦରେ ବ୍ୟୟ ହୋଇଥାଏ। ତେଣୁ କେବଳ ଖାଦ୍ୟାନ୍ନ ବଣ୍ଟନ ମାଧ୍ୟମରେ ନୁହେଁ ବରଂ ପ୍ରଭାବୀ ସମନ୍ୱିତ ପଦକ୍ଷେପ ନେଇ ପୁଷ୍ଟିହୀନତା ଦୂର କରିବାକୁ ହେବ। ଏହାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରାଗଲେ ସାରା ବିଶ୍ୱରେ ଦେଶର ଛବି ପ୍ରକୃତ ଅର୍ଥରେ ଉଜ୍ଜ୍ୱଳ ହୋଇପାରିବ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର