ମୁହଁ ପଛର ଗଣିତ

ଚିନ୍ମୟ ଚେତନା - ଚିନ୍ମୟ ହୋତା

‘ଭାରତର ଜଣେ ରାଜନୀତିଜ୍ଞଙ୍କର କେଶବିନ୍ୟାସ ବୀଜଗଣିତର ଏକ ନିର୍ଦ୍ଦିଷ୍ଟ ସମୀକରଣର ରେଖା-ଚିତ୍ର ବା ଗ୍ରାଫ ଭଳି ନିଟୋଳ’- ନିକଟରେ ଏଭଳି ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି ବାଂଲାଦେଶର ଜଣେ ଗଣିତ ଶିକ୍ଷକ। ତେବେ ଜଟିଳ ଗାଣିତିକ ପରିଭାଷା ଆଶ୍ରିତ ଏହି ଖବରଟିକୁ ସମ୍ବାଦପତ୍ରରେ ପଢ଼ିଥିବା ଅଧିକାଂଶ ପାଠକ ହୁଏତ ସମ୍ବାଦଟି ପ୍ରତି ସେତେଟା ଆକର୍ଷିତ ହୋଇ ନଥାନ୍ତେ ଯଦି ସେହି ରାଜନୀତିଜ୍ଞ ଜଣକ ଶଶୀ ଥରୁରଙ୍କ ବ୍ୟତୀତ ଆଉ କେହି ହୋଇ ଥାନ୍ତେ। ସେ ଦିନ ସମ୍ବାଦଟିରେ ‘କ୍ବାର୍ଟିକ ଫିଟ’ ଓ ‘ପୋଲିନୋମିଆଲ ଫଙ୍କସନ’ ଭଳି ଦୁର୍ବୋଧ୍ୟ ସଂଜ୍ଞାର ପ୍ରୟୋଗ ମୋ ଭଳି ଅସଂଖ୍ୟ ଗଣିତ-ଭୀରୁ ପାଠକଙ୍କୁ ଯେତିକି ଶଙ୍କିତ କରିଥିଲା, ତା’ଠୁ ଅଧିକ କୌତୂହଳ ସୃଷ୍ଟି କରିଥିଲା ଘଟଣାଟିରେ ଶଶୀଙ୍କ ସମ୍ପୃକ୍ତି।

ଆଜି ଶଶୀ ଥରୁରଙ୍କ ମୁଖ୍ୟ ପରିଚୟ ଜଣେ ରାଜନୀତିଜ୍ଞ ହିସାବରେ ହୋଇଥିଲେ ହେଁ ସେ ଅନେକ ସମୟରେ ତାଙ୍କର ଗତାନୁଗତିକତା-ରହିତ ଆଚରଣ ଓ ଉଚ୍ଚାରଣ ଦ୍ୱାରା ଜନମାନସକୁ ଆମୋଦିତ କରି ରଖିଥାନ୍ତି। ପ୍ରଜ୍ଞା ତାଙ୍କର ବଳ ଓ ହାସ୍ୟରସବୋଧ ତାଙ୍କର ଆୟୁଧ ହୋଇଥିବା ବେଳେ ବିତର୍କ ଓ ବିବାଦ ପ୍ରତି ଆକର୍ଷଣ ତାଙ୍କର ଚାରିତ୍ରିକ ଦୁର୍ବଳତା। ଦେଶବାସୀଙ୍କର ତାଙ୍କ ପ୍ରତି ଏହି ଅହେତୁକ ଆଗ୍ରହକୁ ଶଶୀ ତ୍ୱରାନ୍ୱିତ କରିଚାଲନ୍ତି ତାଙ୍କ ବ୍ୟକ୍ତିତ୍ୱର ନୂଆ ନୂଆ ଦିଗଗୁଡ଼ିକ ଉନ୍ମୋଚିତ କରି- କେତେବେଳେ ତାଙ୍କର ଧୀଶକ୍ତି ପ୍ରୟୋଗ କରି, କେତେବେଳେ କୌତୁକିଆ ମନ୍ତବ୍ୟମାନ ଦେଇ ତ ଆଉ କେତେବେଳେ ପୁଣି ବିବାଦକୁ ଆମନ୍ତ୍ରଣ କରି। ଆଜିର ଦିନରେ ଜଣେ ଶଶୀ ଥରୁରଙ୍କ କଥାରେ ସହମତ ହୋଇ ପାରେ ବା ନ ପାରେ, ହେଲେ ତାଙ୍କୁ ଅଣଦେଖା କରିବା ଅସମ୍ଭବ।

ବିବାଦ ହିଁ ଲୋକଙ୍କ ମନରେ ଚିରସ୍ଥାୟୀ ଭାବରେ ତିଷ୍ଠି ରହିବାର ସହଜ ମାର୍ଗ- ଏ କଥା ଶଶୀ ଥରୁରଙ୍କୁ ବେଶ ଭଲ ଭାବରେ ଜଣା। ତେଣୁ ସେ ମଝିରେ ମଝିରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ନିଜର ଅସ୍ତିତ୍ୱ ଜାହିର କରିଚାଲନ୍ତି। ଏ ଦିଗରେ ସେ ତାଙ୍କର ପ୍ରଥମ ସଫଳ ପ୍ରୟୋଗ କରିଥିଲେ ଭାରତରେ ବିମାନ ଯାତ୍ରାର ସର୍ବନିମ୍ନ ସ୍ତର ବା ‘ଇକୋନୋମି’ ଶ୍ରେଣୀକୁ ‘ଗୋରୁ ଗାଈଙ୍କ ଶ୍ରେଣୀ’ ବୋଲି ଅଭିହିତ କରି। ବିମାନ ଯାତ୍ରା ବେଳେ ନଗଣ୍ୟ ଭାଗ ଉଚ୍ଚ ଶ୍ରେଣୀର ଯାତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଏହି ଶ୍ରେଣୀରେ ଯାତ୍ରା କରୁଥିବାରୁ ଶଶୀଙ୍କ ମନ୍ତବ୍ୟ ଯୋଗୁଁ ସେମାନେ ଅପମାନିତ ହୋଇଥିଲେ। ପଞ୍ଚତାରକା ହୋଟେଲରେ ଘର ଭଡ଼ା ନେଇ ବାସ କରୁଥିବା ଓ ଜୀବନର ମୁଖ୍ୟ ଭାଗ ବିଦେଶରେ କାଟିଥିବା ଏହି ପ୍ରତିପତ୍ତିଶାଳୀ ବ୍ୟକ୍ତିଟି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀକୁ ସାମୂହିକ ଭାବେ ଲାଂଛିତ କରିଥିବାରୁ ସେ କ୍ଷମା ମାଗିବା ଉଚିତ ବୋଲି ବିଭିନ୍ନ ଦିଗରୁ ଦାବି ହୋଇଥିଲା। ୟା ପରେ କ’ଣ ହେଲା ତାହା ହୁଏତ ଜନତା ଅଚିରେ ପାସୋରି ପକାଇଲେ, ହେଲେ ସେତେବେଳକୁ ଶଶୀ ଏ ବିବାଦରୁ ତାଙ୍କର ଖ୍ୟାତିର ଫସଲ ଅମଳ କରିସାରିଥିଲେ।

କ୍ରମେ ଏହି ଉଦୀୟମାନ ରାଜନୀତିଜ୍ଞ ଓ ଦୀପ୍ତିମାନ ବିଦ୍ୱାନ ଜଣଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଲୋକଙ୍କର ଆଗ୍ରହ ଓ ଚର୍ଚ୍ଚାର ବିଷୟବସ୍ତୁ ହୋଇଗଲା, ତାଙ୍କର ବିବାହ ଓ ସ୍ୱଳ୍ପ କାଳ ପରେ ତାଙ୍କ ସ୍ତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ କେନ୍ଦ୍ର କରି। ଶଶୀଙ୍କ ବୈବାହିକ ଜୀବନ ବାହାରେ ତାଙ୍କର କେତେକ ବାନ୍ଧବୀଙ୍କ ସହ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ଲୋକଙ୍କ ମନରେ ତାଙ୍କ ବ୍ୟକ୍ତିତ୍ୱକୁ ଏକ ନୂଆ ରୂପ ଦେଲା- ଯେ କୌଣସି ନାରୀକୁ ଆକର୍ଷିତ କରିବାର ଏକ ବିରଳ ଶକ୍ତି ତାଙ୍କ ଠାରେ ରହିଛି। ସାମାଜିକ ଗଣମାଧ୍ୟମରେ ଟାହିଟାପରା ମାଧ୍ୟମରେ ଏହି ଅନୁମାନଟି ଦୃଢ଼ୀଭୂତ ହେବାରେ ଲାଗିଲା।

ଶଶୀ ଥରୁରଙ୍କ ଲୋକପ୍ରିୟତାକୁ କିନ୍ତୁ ଆହୁରି ଉପରକୁ ନେଇଗଲା ତାଙ୍କର ଉଚ୍ଚାଙ୍ଗ ଇଂରେଜୀ ଶବ୍ଦଗୁଡ଼ିକର ବ୍ୟବହାର। ଅନେକ ଲୋକପ୍ରିୟ ଇଂରେଜୀ ପୁସ୍ତକର ଲେଖକ, ପୃଥିବୀର ବିଭିନ୍ନ ନାମଜାଦା ବିଶ୍ବବିଦ୍ୟାଳୟର ଅତିଥି ବକ୍ତା ଓ ଅନେକ ମୌଳିକ ଚିନ୍ତାର ଉପସ୍ଥାପକ ଏହି ବିଦ୍ୱାନଙ୍କର ଇଂରେଜୀ ଭାଷା ଉପରେ ଅକ୍ତିଆର ଅନସ୍ୱୀକାର୍ଯ୍ୟ ହୋଇଥିଲେ ହେଁ ସେ କାହିଁକି ଯେ ଏମିତି ଦାନ୍ତଭଙ୍ଗା ଶବ୍ଦ ସବୁ ବ୍ୟବହାର କରନ୍ତି, ତା’ର କାରଣ ସମସ୍ତଙ୍କ ପାଇଁ ଅସ୍ପଷ୍ଟ। କିନ୍ତୁ ତାଙ୍କର କଠିନ ଶବ୍ଦ ପ୍ରୟୋଗ ଦ୍ୱାରା ଜନତା ଅମୋଦିତ ହେଉଥିବାର ଦେଖି ସେ ଏହି ଅଭ୍ୟାସଟିକୁ ଆହୁରି ମଜବୁତ କରି ଚାଲିଛନ୍ତି ଓ ସାମାଜିକ ଗଣମାଧ୍ୟମ ଏହି କୌତୁକିଆ ଆଦାନପ୍ରଦାନ ଦ୍ୱାରା ମୁଖର ହୋଇ ଚାଲିଛି।

ଏଥର ଫେରିବା ଆରମ୍ଭରେ ବର୍ଣ୍ଣିତ ବାଂଲାଦେଶୀ ଗଣିତ ଶିକ୍ଷକଙ୍କ ନିଷ୍କର୍ଷଟି ଉପରକୁ। ଶଶୀଙ୍କ କେଶ ବିନ୍ୟାସର ଶୈଳୀରେ ସେ ଶିକ୍ଷକ ଜଣକ କୁଆଡ଼େ ଖୋଜି ପାଇଛନ୍ତି ଏକ ଜଟିଳ ବୀଜଗଣିତର ରେଖାଚିତ୍ର ଓ କେବଳ ସଂଖ୍ୟା ଉପରେ ନିର୍ଭର ନ କରି ମଧ୍ୟ ଗଣିତ ପଢ଼ିବା ଓ ବୁଝିବାର ପ୍ରେରଣା। ଯୁକ୍ତିଟିର ନ୍ୟାଯ୍ୟତା ଯାହା ହେଉ ନା କାହିଁକି ଶଶୀଙ୍କ ଦ୍ୱାରା ପ୍ରଚାରିତ ହେବା ପରେ କଥାଟି ଅନେକ ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରିଚାଲିଛି। କିଛି ବଗୁଲିଆ ଲୋକ ଅବଶ୍ୟ ପ୍ରତ୍ୟୁତ୍ତରରେ କହିଲେଣି, ‘ତୁମ ଇଂରେଜୀ ମାଡ଼ରେ ଆମେ ସହଜରେ ଚାପ ଗ୍ରସ୍ତ ହୋଇରହିଛୁ, ଏବେ ଏହି ଗଣିତ ପଢ଼ାଇ ଆମ ମାନସିକ ଅବସ୍ଥାକୁ ଛାରଖାର କର ନାହିଁ।’ କିନ୍ତୁ କହିଲେ ଦେଖି, ଶିକ୍ଷା ବ୍ୟବସ୍ଥାର ଦୁଇ ଭିତ୍ତିଭୂମି ଯଥା ଭାଷା ଜ୍ଞାନ ଓ ଗଣିତ ଜ୍ଞାନ ଯଦି ଜଣକର ମୁଖମଣ୍ଡଳରୁ ମିଳିଗଲା ତେବେ ଏହା କ’ଣ କମ୍‌ ଭାଗ୍ୟର କଥା ହେବ? ଗ୍ରୀକ ପୁରାଣର ସୁନ୍ଦରୀ ହେଲେନଙ୍କ ମୁହଁ ହଜାରେ ସମର ତରୀ ଛଡ଼ାଯିବାର କାରଣ ହେବା ଭଳି ଶଶୀଙ୍କ ମୁହଁ ଆଜି ମଣିଷର ଅସରନ୍ତି ଜିଜ୍ଞାସାର ଉତ୍ସ।

ମଣିଷର ମୁହଁ ବିଜ୍ଞାନକୁ ପ୍ରୋତ୍ସାହନ ଦେବାର ଘଟଣା କିଛି ନୂଆ ନୁହେଁ। ପ୍ରସିଦ୍ଧ କଳାକାର ଲିଓନାର୍ଡୋ ଡା ଭିନ୍‌ସି ମୋନାଲିସାର ହସକୁ ଜୀବନ୍ତ ଓ କାଳଜୟୀ କରିବା ପାଇଁ ଦୀର୍ଘ ଷୋହଳ ବର୍ଷ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ସେହି ଚିତ୍ରଟି ଆଙ୍କୁଥିବା ବେଳେ ସେ କେତେ ରାତି ଯେ ଶବାଗାରରେ ବିତାଇ ଶବଗୁଡ଼ିକୁ ବ୍ୟବଚ୍ଛେଦ କରିଥିଲେ ତା’ର ହିସାବ ନାହିଁ। ମଣିଷ ମୁହଁର ହସ ପଛରେ ବ୍ୟବହୃତ ହେଉଥିବା ମାଂସପେଶୀଗୁଡ଼ିକୁ ସେ ନିଜେ ପରଖି ତାଙ୍କ କାନଭାସର ମୋନାଲିସା ମୁହଁରେ ତାହା ଉପଯୋଗ କରୁଥିଲେ, ହସଟି ଅକୃତ୍ରିମ ଓ ସ୍ୱାଭାବିକ ହେବ ବୋଲି। ମୋନାଲିସାର ବିଜ୍ଞାନ ଆଶ୍ରିତ ସେହି ରହସ୍ୟମୟ ହସ ଏତେ ବର୍ଷ ଧରି କୋଟି କୋଟି ଜନତାଙ୍କୁ ମୁଗ୍‌ଧ କରିରଖିଛି। ଏବେ ଦେଖିବାର କଥା ବାଂଲାଦେଶର ଶିକ୍ଷକ, ଶଶୀ ଥରୁରଙ୍କ ମୁହଁ ପଛରେ ଆବିଷ୍କାର କରିଥିବା ଗଣିତର ରୂପରେଖ ଗଣିତର ଛାତ୍ରମାନଙ୍କୁ କେତେ ବିମୋହିତ କରୁଛି!

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର