ବିଶ୍ବ-ରାଜନୀତିରେ ‘ରାଷ୍ଟ୍ର’ର ଉପସ୍ଥିତି କ୍ରମେ ଏକ ଜଟିଳ ଅର୍ଥ-ବୈଚିତ୍ର୍ୟ ଲାଭ କରିଆସୁଚି। ଉତ୍ତର ଔପନିବେଶିକ କାଳରେ ରାଜ୍ୟ ଓ ରାଷ୍ଟ୍ର ଭିତରେ ସୁଚିନ୍ତିତ ଅର୍ଥ-ପାର୍ଥକ୍ୟ ସ୍ଥାପନ କରିବା ଯଦି ଜରୁରୀ ଥିଲା, ତେବେ ଏକାବିଂଶ ଶତାବ୍ଦୀର ଦୁଇ ଦଶକ ପରେ ରାଷ୍ଟ୍ରୀୟ ଏକୀକରଣର ଲକ୍ଷ୍ୟ ଠାରୁ ରାଷ୍ଟ୍ର ଭିତରେ ଥିବା ସଂଖ୍ୟାଲଘୁ ଅସଂଶ୍ଳିଷ୍ଟ ଗୋଷ୍ଠୀ, ଜାତି, ଧର୍ମ ବା ଛିନ୍ନମୂଳ ଲୋକ ସଂପ୍ରଦାୟଙ୍କ ସମସ୍ୟାକୁ ଅଲଗା କରି ଚିହ୍ନିବା ଜରୁରୀ ହୋଇପଡ଼ିଚି। ବସ୍ତୁତଃ ଉତ୍ତର ଔପନିବେଶକ କାଳ ଅର୍ଥାତ୍ ସ୍ଥୂଳ ଭାବରେ ୧୯୬୦ ପରଠାରୁ ବିଶ୍ବରେ ରାଷ୍ଟ୍ରର ସାର୍ବଭୌମ ଭୌଗୋଳିକ ସୀମା ଭିତରେ ଥିବା ସମସ୍ତ ଲୋକଙ୍କୁ ନାଗରିକ ଭାବରେ ଧରି ନିଆଗଲା। ୟାର ଗୋଟିଏ ବଡ଼ କାରଣ ଥିଲା ଆବେଗିକ ସମତା। ଦେଶର ସବୁ ଲୋକ ପରାଧୀନତାରୁ ମୁକ୍ତ ହେବା ପାଇଁ ଯେତେବେଳେ ସ୍ବାଧୀନତା ସଂଗ୍ରାମ ଲଢ଼ିଥଲେ, ସେତେବେଳେ ସ୍ବାଧୀନତା ପରବର୍ତ୍ତୀ କାଳରେ ସେମାନଙ୍କୁ ଗୋଟିଏ ରାଷ୍ଟ୍ରର ନାଗରିକ ଭାବି ନେବାରେ ଭୁଲ୍ ନ ଥିଲା। ସମସ୍ୟା ଆରମ୍ଭ ହେଲା ସେତିକିବେଳେ ଯେତେବେଳେ ସାମାଜିକ, ଆର୍ଥିକ, ଧର୍ମୀୟ, ରାଜନୈତିକ ଓ ସାଂସ୍କୃତିକ ଏକତ୍ବର ପ୍ରସଙ୍ଗ ଉଠିଲା। ନବ-ସ୍ବାଧୀନ ଦେଶମାନଙ୍କର ସମ୍ବିଧାନରେ ଏ ସମସ୍ୟାର ଜଟିଳତାକୁ ଆଇନର ଶାସନରେ ସରଳ କରିବା ପାଇଁ ବ୍ୟବସ୍ଥା ରହିଲା ଯେ ସଂଖ୍ୟାଲଘୁ ଲୋକ ସଂପ୍ରଦାୟଙ୍କୁ ମଧ୍ୟ ରାଷ୍ଟ୍ରର ସୁରକ୍ଷା ମିଳିବ। କିନ୍ତୁ ସେତେବେଳେ ଜଣା ନ ଥିଲା ଅସନ୍ତୁଷ୍ଟ ବା ଅସଂଶ୍ଳିଷ୍ଟ ସଂଖ୍ୟାଲଘୁ କିଭଳି ଭାବରେ ତାଙ୍କର ଅସ୍ତିତ୍ବର ପ୍ରତିଷ୍ଠା ଦାବି କରିବେ, ଏପରିକି ଏ ଏକ ଆନ୍ତର୍ଜାତିକ ସମସ୍ୟାରେ ପରିଣତ ହେବ। ଏ ସମସ୍ୟା ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଅତି ତୀବ୍ର ହେଲା ଦ୍ବି-ଧ୍ରୁବୀୟ (ବାଇପୋଲାର୍) ବିଶ୍ବବୋଧ ଅସ୍ତମିତ ହୋଇଯିବା ସହିତ।
ୟୁରୋପୀୟ ରାଷ୍ଟ୍ରମାନେ ଦେଖିଲେ ଯେ ବହୁ ବର୍ଷର ଔପନିବେଶିକ ସାଂସ୍କୃତିକ ସମନ୍ବୟ ସତ୍ତ୍ବେ ତାଙ୍କ ଦେଶମାନଙ୍କରେ ଏଭଳି ଲୋକ ସଂପ୍ରଦାୟମାନ ରହିଯାଇଚନ୍ତି, ଯେଉଁମାନଙ୍କୁ ରାଷ୍ଟ୍ରରେ ଅଂଶୀଭୂତ କରାଇବା ମାର୍ଗରେ ଅନ୍ତଃରାଷ୍ଟ୍ରୀୟ ସଂପର୍କ ବାଧକ ହୋଇ ଠିଆ ହୋଇଚି। ରାଷ୍ଟ୍ର ଭିତରେ ରହିଯାଇଥିବା ଅସଂଶ୍ଳିଷ୍ଟ ସଂଖ୍ୟାଲଘୁଙ୍କର ମୁରବି ଦେଶ ବା ରାଷ୍ଟ୍ର ବାହାରେ, ଆଉ କୌଣସି ଦେଶରେ। ଫଳତଃ ରାଷ୍ଟ୍ର ଭିତରର ସାମ୍ବିଧାନିକ ନାଗରିକତା-ପ୍ରସଙ୍ଗର ସମାଧାନ ବିଦେଶରେ କୋଉ ଗୋଟେ ଦେଶରେ। ସୁତରାଂ, ନିଜ ରାଜନୀତି ଦ୍ବାରା ସାଧ୍ୟ କରାଯାଇପାରୁଥିବା ବିଷୟ ରାଷ୍ଟ୍ର ବାହାରକୁ ଆନ୍ତର୍ଜାତିକ ସଂପର୍କର କ୍ଷେତ୍ର ଭିତରକୁ ଚାଳିଗଲା। ଏହି କାରଣରୁ ଆମେରିକା ଓ ୟୁରୋପର ରାଜନୀତି-ଗବେଷକମାନେ ମୁଖ୍ୟତଃ ରାଷ୍ଟ୍ରନିର୍ମାଣକୁ ଏକ ଆନ୍ତର୍ଜାତିକ ପ୍ରସଙ୍ଗ ମନେ କରନ୍ତି। ପ୍ରାୟ ଦଶ ବର୍ଷ ତଳେ େଗ୍ଲାବାଲ୍ ୟୁରୋପ ପ୍ରୋଗ୍ରାମ ଅନ୍ତର୍ଗତ ଏକ ଆଲୋଚନା ସଭା ଉଡ୍ରୋ ୱିଲ୍ସନ୍ ସେଣ୍ଟର, ୱାଶିଂଟନରେ ଅନୁଷ୍ଠିତ ହୋଇଥିଲା (ମେ ୭, ୨୦୧୩) ଯହିଁରେ ଆଲୋଚନାର ବିଷୟ ଥିଲା ରାଷ୍ଟ୍ର ନିର୍ମାଣ ଉପରେ ହାରିସ୍ ମାଇଲୋନାସ୍ଙ୍କର (ହାର୍ଭାଡ ଏକାଡେମୀ ଫର୍ ଇଣ୍ଟରନ୍ୟାସନାଲ୍ ଆଣ୍ଡ ଏରିଆ ଷ୍ଟଡିଜ୍) ଗୋଟିଏ ପଥିକୃତ୍ ଗବେଷଣା ପୁସ୍ତକ। ଏ ପୁସ୍ତକରେ ମାଇଲୋନାସ୍ ନାଗରିକ, ସହ-ନାଗରିକ, ରିଫ୍ୟୁଜି ଓ ସଂଖ୍ୟାଲଘୁଙ୍କ ସମସ୍ୟା ରେଖାଙ୍କିତ କରି କହିଲେ ଯେ ବିଶ୍ବର ସମକାଳୀନ ରାଜନୀତି ରାଷ୍ଟ୍ରନିର୍ମାଣକୁ ଏକ ଆନ୍ତର୍ଜାତିକ ପ୍ରସଙ୍ଗ ଭାବରେ ଗ୍ରହଣ କରିବା ଉଚିତ ହେବ, କାରଣ ଦେଶ ବା ରାଷ୍ଟ୍ରରେ ଥିବା ସବୁ ଅସଂଶ୍ଳିଷ୍ଟ ନାଗରିକ ରାଷ୍ଟ୍ରାଧୀନ ନୁହନ୍ତି, ବରଂ ୟାଙ୍କର ପରିଚିତିର ଭାଷ୍ୟ, ଦେଶ ବା ରାଷ୍ଟ୍ର ବାହାରେ ଆଉ ଜଣେ କେହି ଲେଖୁଚି, ସେ ଶକ୍ତିକେନ୍ଦ୍ରର ସମର୍ଥନ ହାସଲ କରିବାକୁ ହେବ।
୨୦୧୩ ପର ଠାରୁ ବିଶ୍ବର ରାଜନୈତିକ ତର୍ଜମାକାରମାନେ ଭାରତର ରାଷ୍ଟ୍ର ନିର୍ମାଣ ଆଜେଣ୍ଡାକୁ କାହିଁକି ସହଜ ଭାବରେ ଗ୍ରହଣ କରିପାରିନାହାନ୍ତି, ତା’ର ମୂଳ ମାଇଲୋନାସଙ୍କ ଉପପାଦ୍ୟରେ। ଆମେରିକାନ୍ ଓ ୟୁରୋପୀୟ ମହାଶକ୍ତିମାନେ ଭାବନ୍ତି ଯେ ଯାହା ତାଙ୍କ ପାଇଁ ପ୍ରଯୁଜ୍ୟ ତାହା ବିଶ୍ବର ବାକି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ସେମାନେ ଭୁଲିଯାନ୍ତି ଯେ ଭାରତ-ଭୂଖଣ୍ଡ ତାଙ୍କ ଆକାର ତୁଳନାରେ କେବଳ ଏକ ମହାଦେଶପ୍ରାୟ ବହୁଗୁଣରେ ବିଶାଳ ନୁହେଁ, ୟାର ନାଗରିକ ଓ ଲୋକ ସଂପ୍ରଦାୟଙ୍କ ମଧ୍ୟରେ ଅସଂଶ୍ଳିଷ୍ଟ ହୋଇ ବାହାରୁ ନିର୍ଦ୍ଦେଶ ନେଇ ନିଜର ଭବିଷ୍ୟତ ଗଢ଼ିବାର ସୁଯୋଗ ନାହିଁ। ରାଷ୍ଟ୍ରୀୟ ଏକୀକରଣର ମାର୍ଗରେ ଭାଷା, ଜାତି, ଧର୍ମ ଓ ସ୍ଥାନୀୟତାର ଆଧାରରେ ଯାହା କିଛି ପାର୍ଥକ୍ୟ ଏଠାରେ ବିଦ୍ୟମାନ, ତା’ର ସମାଧାନ ଭାରତୀୟ ରାଷ୍ଟ୍ର ଓ ଭାରତୀୟ ରାଜନୀତି ହାତରେ।
ଏଭଳି ଭାଷା ଭାରତରେ ନାହିଁ, ଯାହାର ଭାଷାତାତ୍ତ୍ବିକ ମୂଳ ଭାରତୀୟ ଭାଷା ସଂପ୍ରଦାୟରେ ନାହିଁ। ଉତ୍ତର-ପୂର୍ବ ଭାରତର ଯେଉଁ ଭାଷାଗୁଡ଼ିକର ମୂଳ ଭାରତୀୟ ମୁଖ୍ୟ ଭାଷା ପରଂପରା ସହିତ ସଂଶ୍ଳିଷ୍ଟ ନୁହେଁ, ତହିଁରେ ରୋମାନ୍ ଅକ୍ଷର ପଦ୍ଧତିର ପ୍ରବେଶ କରାଇ ଆମେ ତାକୁ ଇଂରେଜୀ ପରିଚାଳିତ ଏକ ଭାରତୀୟ ଭାଷା ଭାବରେ ଠିଆ କରାଇଚେ। ସ୍ମରଣରେ ଥାଉ କି ଇଂରେଜୀ ମଧ୍ୟ ଏକ ସମ୍ବିଧାନ-ସମର୍ଥିତ ଭାରତୀୟ ଭାଷା। ସେହିପରି ଜାତିର ଆଧାରରେ ବିଭାଜିତ ବର୍ଣ୍ଣାଶ୍ରମୀ ସନାତନୀ ସମାଜ ପ୍ରକୃତରେ ଗୋଟିଏ କାନୁନୀ ବିଭ୍ରାନ୍ତି। ଖ୍ରୀଷ୍ଟୀୟ ଦ୍ବିତୀୟ ଶତାବ୍ଦୀ ଓ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ମଧ୍ୟରେ ରଚିତ ‘ମନୁସ୍ମୃତି’ ପ୍ରକୃତରେ ଗୋଟିଏ ‘କୋଡ୍’ ବା ‘କାନୁନ୍’ ନ ଥିଲା। ଇଏ ଥିଲା ସନାତନୀ ସମାଜ ବ୍ୟବସ୍ଥା ଉପରେ ଏକ କମେଣ୍ଟାରି ବା ଟିପ୍ପଣୀ। ଇଏ ସନାତନୀ ହିନ୍ଦୁଙ୍କର ସମାଜ ବ୍ୟବସ୍ଥାର ମୁଖ୍ୟ ବା ନିର୍ଣ୍ଣାୟକ ଶାସ୍ତ୍ର ନ ଥିଲା। ୟାକୁ ପ୍ରଥମେ ଅନୁବାଦ କରି ୱିଲିଅମ୍ ଜୋନ୍ସ୍ ମୋଗଲ-ଏଜେଣ୍ଟ କମ୍ପାନି ଶାସକଙ୍କୁ ଇସ୍ଲାମିକ୍ ଶାରିଆ କାନୁନ୍ର ପାଖାପାଖି ଗୋଟିଏ ହିନ୍ଦୁ ପାଠ ଦେଇଦେଲେ। ଇଂରେଜମାନେ ‘ମନୁସ୍ମୃତି’କୁ ଗୋଟିଏ କୋଡ୍ ଭଳି ଗ୍ରହଣ କରି ସମଗ୍ର ଦକ୍ଷିଣ ଏସିଆରେ ଚଳେଇ ଦେଲେ। ଏବେ ଗବେଷକମାନେ ନିଶ୍ଚିତ ଯେ ‘ମନୁସ୍ମୃତି’ ଗୋଟିଏ ନୁହେଁ ଗୁଡ଼ିଏ; ଏଗୁଡ଼ିକ ପ୍ରକ୍ଷେପ କଣ୍ଟକିତ ଓ ତେଣୁ ନିର୍ଭରଯୋଗ୍ୟ ନୁହନ୍ତି।
ଭାରତୀୟ ସନାତନୀକୁ ଇଂରେଜ କେବଳ ପ୍ରଥମ ଥର ପାଇଁ ହିନ୍ଦୁ ନାଁ ଦେଲେ ନାହିଁ, ହିନ୍ଦୁଙ୍କ ବେକରେ ମନୁସ୍ମୃତିର ଆଧାରରେ ବିକଶିତ ଉତ୍ତରାଧିକାର ଓ ସଂପତ୍ତି ଆଇନ ବି ବାନ୍ଧି ଦେଲେ। ସ୍ମରଣରେ ରହୁ ଯେ ଭାରତୀୟ ଲୋକସମାଜ ମୁସଲମାନଙ୍କ ଆଗମନ ଆଗରୁ ଗୋଟିଏ ପରିବର୍ତ୍ତନଶୀଳ, ଆହରଣକ୍ଷମ, ସଂଚାରକ୍ଷମ, ସଂଶ୍ଳେଷଣକ୍ଷମ, ସହନଶୀଳ ଲୋକସମାଜ ଭାବରେ ତିଷ୍ଠିଥିଲା। ଊନବିଂଶ ଶତାବ୍ଦୀରେ ମନୁସ୍ମୃତି ଆଣି ଇଂରେଜମାନେ ଭାରତୀୟଙ୍କ ପ୍ରାୟ ସାତ ହଜାର ବର୍ଷର ସଭ୍ୟତାଗତ ସଂସ୍କାରକୁ ଲୋପ କରିଦେଲେ। ଭାରତୀୟଙ୍କ ବୈଦିକ ଧର୍ମଧାରାର ପ୍ରବାହ ଓ ଆର୍ଯ୍ୟସଂସ୍କୃତିର ବ୍ୟାପକତା ଉଭୟରୁ ଯଦି ମନୁସ୍ମୃତି ବାହାର କରିନିଆଯାଏ ଓ ବାକି ଧର୍ମଶାସ୍ତ୍ରଙ୍କ ଆଧାରରେ ସମାଜ-ବ୍ୟବସ୍ଥାକୁ ଦେଖାଯାଏ, ତେବେ ଭାରତୀୟ ସଂଖ୍ୟାଗରିଷ୍ଠ ହିନ୍ଦୁଙ୍କ ସାମାଜିକ ବ୍ୟବସ୍ଥାର ‘ଡାଇନାମିକ୍’ ଗତି ଲକ୍ଷ୍ୟ କରିହେବ। ଇଏ ଏକ ସ୍ବ-ସଂହତ ବୌଦ୍ଧିକ ବିଚାର କ୍ଷେତ୍ର ଥିଲା, ଯାହାକୁ ବ୍ୟବସାୟିକ ନିକଟଦୃଷ୍ଟିର ଆଧାରରେ ଇଂରେଜ କାନୁନ୍-ଦାତା ପଢ଼ି ପାରିନଥିଲେ। ଏବେ ସବୁ ଭାରତୀୟଙ୍କ ପାଇଁ ଗୋଟିଏ ସମ୍ବିଧାନ ଭଳି ଗୋଟିଏ କାନୁନର ସମୟ ଆସିଯାଇଚି। ‘ଜାତି’ ଓ ‘ଧର୍ମ’ର ସଂକୀର୍ଣ୍ଣ ପାଠ ମଧ୍ୟ ସେହି ବ୍ରିଟିସ ଅଦୂରଦର୍ଶିତା ଓ ସଭ୍ୟତାଗତ ଅପରିପକ୍ବତାର ପରିଣାମ। ପାଶ୍ଚାତ୍ୟ ଦେଶରେ ଧର୍ମ ଓ ରାଷ୍ଟ୍ର ସମ୍ପୂର୍ଣ୍ଣ ଅଲଗା ହୋଇଯିବାର ତତ୍ତ୍ବ ଖ୍ରୀଷ୍ଟୀୟ ଧର୍ମତତ୍ତ୍ବ ଓ ଥିଓଲୋଜିର ଆଧାରରେ ଏକ ରକ୍ତାକ୍ତ ସଂଘର୍ଷ ଭଳି ଖେଳାଯାଇଥିଲା।
ଭାରତୀୟଙ୍କ ସଭ୍ୟତାଭିତ୍ତିକ ରାଷ୍ଟ୍ରତତ୍ତ୍ବ ଧର୍ମ ବିରୋଧୀ ନୁହେଁ, ବରଂ ଧର୍ମ ରାଷ୍ଟ୍ରର ଏକ ଆଧାର ଶିଳା ଭାବରେ ପରିକଳ୍ପିତ ହୋଇଥିଲା। ଏଭଳି ଏକ ଧର୍ମ, ଠିକ୍ ଅର୍ଥରେ ପାଶ୍ଚାତ୍ୟ ‘ରିଲିଜିଅନ୍’ ନୁହେଁ, ବରଂ ଏକ ଜୀବନଧାରା, ଏକ ଜୀବନ ମୂଲ୍ୟ ଓ ସର୍ବତୋମୁଖୀ, ସର୍ବୋଦୟୀ ସଭ୍ୟତା। ଦୁଃଖର ସହିତ ସ୍ବୀକାର କରିବାକୁ ହେବ ଯେ ଆମେ ଭାରତୀୟମାନେ, ସଂଖ୍ୟାଗରିଷ୍ଠ ସନାତନୀ (ହିନ୍ଦୁ)ମାନେ ହିଁ ଆମର ଧର୍ମର ବ୍ୟାପକ ବୌଦ୍ଧିକ ପୃଷ୍ଠଭୂମି ଓ ଶାସ୍ତ୍ରମୟ ଜ୍ଞାନଗର୍ଭକୁ ଅସ୍ବୀକାର କରିବା ପାଇଁ ଅଗ୍ରସର ହୋଇଚାଲିଚେ। ‘ଧର୍ମ’ ଶବ୍ଦ ଉଚ୍ଚାରଣ କଲାମାତ୍ରେ ‘ଧର୍ମ ନିରପେକ୍ଷତା’ ଉଲ୍ଲଂଘନର ପାଶ୍ଚାତ୍ୟ ବିଭ୍ରାନ୍ତି ଆମକୁ ଡରାଉଚି। ‘ସେକ୍ୟୁଲର୍’ ଶବ୍ଦର ଉତ୍ପତ୍ତି ରାଷ୍ଟ୍ର ଧର୍ମ ଦ୍ବାରା ପରିଚାଳିତ ନ ହେବାର ଖ୍ରୀଷ୍ଟିଆନ ଧର୍ମଶକ୍ତି ବନାମ ରାଜଶକ୍ତିର ସଂଘର୍ଷରୁ। ଭାରତରେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଭାରତୀୟ ସନାତନୀ ହିନ୍ଦୁମାନେ ବ୍ରାହ୍ମଣ୍ୟ ଯଥେଚ୍ଛାଚାରିତାର ସମର୍ଥନ କରନ୍ତି ନାହିଁ କିନ୍ତୁ ପୌତ୍ତଳିକ ଆତ୍ମାର ବିକାଶରେ ସର୍ବବ୍ୟାପୀ ବ୍ରହ୍ମର ଅସ୍ତିତ୍ବକୁ ସ୍ବୀକାର କରନ୍ତି। ସୁତରାଂ, ଭାରତୀୟମାନେ ଭାରତୀୟଙ୍କ ଭଳି ହୁଅନ୍ତୁ, ଅନ୍ୟ କାହା ଭଳି ହେବେ କାହିଁକି? ବସ୍ତୁତଃ ବୌଦ୍ଧ, ଶିଖ୍ ଓ ଇସଲାମ ଧର୍ମମାନଙ୍କରେ ସନାତନୀ ଧର୍ମ ଗୁଣର ବିପୁଳ ଅନ୍ତର୍ପାଠ ଉପଲବ୍ଧ ଓ ତାହାରି ମାଧ୍ୟମରେ ସମସ୍ତ ବୌଦ୍ଧିକ ବୈଚାରିକ ସଂଘର୍ଷ ଓ ମୌଳବାଦୀ ସଂକୀର୍ଣ୍ଣତା ଅବଲୁପ୍ତ।
ବହୁଧର୍ମୀ, ବହୁବର୍ଣ୍ଣୀ, ବହୁଳତାବାଦୀ ଭାରତର ରାଷ୍ଟ୍ର ନିର୍ମାଣ ଆଜେଣ୍ଡା ଠିକ୍ ଅର୍ଥରେ ସଭ୍ୟତାର ଧରାତଳରେ ଏବେ ଆରମ୍ଭ ହେବା ପାଇଁ ଭୂମି ପ୍ରସ୍ତୁତ। ଭାରତ ଏକ ସମାଜବାଦୀ ରାଷ୍ଟ୍ର, ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏକ ଗଣତାନ୍ତ୍ରିକ ରାଷ୍ଟ୍ର! ୟାର ରାଷ୍ଟ୍ରୀୟ ରାଜନୀତି ଶକ୍ତିତନ୍ତ୍ରର ପରିଚାଳନା ପାଇଁ ନୁହେଁ ବରଂ ରାଷ୍ଟ୍ର ନିର୍ମାଣ ପାଇଁ। କହିବାରେ ଦ୍ବିଧାନାହିଁ ଯେ ୧୯୪୭ର ସ୍ବାଧୀନତା ପ୍ରାପ୍ତି ବେଳେ ୧୯୫୦ରେ ସମ୍ବିଧାନ ନିର୍ମାଣ ବେଳେ ‘ରାଷ୍ଟ୍ର’ ଥିଲା ଭାରତୀୟଙ୍କର ଏକ ସଂକଳ୍ପ। ସେ ସଂକଳ୍ପ କିଭଳି ରାଷ୍ଟ୍ର ନିର୍ମାଣ କଲା ତା’ର ପଶ୍ଚାଦବଲୋକନ ଆଜି ଜରୁରୀ।
ଭାରତୀୟ ରାଜନୀତିରେ ହିଁ ଭାରତୀୟ ରାଷ୍ଟ୍ରର ସମସ୍ତ ସ୍ବପ୍ନ, ଅକାଂକ୍ଷା, ସଂକଳ୍ପ, ବିଭେଦ ମୁକ୍ତି ଓ ଏକୀକୃତ ଭାରତର ସୂତ୍ର। ଚିନ୍ତାର ବିଷୟ, ଭାରତର ରାଜନୀତି, ଗୋଟିଏ ସଂଘୀୟ ଗଣରାଜ୍ୟର କ୍ଷେତ୍ରୀୟ ରାଜନୀତିରେ ପରିଣତ ହୋଇଚି ଓ ଏକମାତ୍ର ଲକ୍ଷ୍ୟ ନିର୍ବାଚନୀ ସଫଳତା ହାସଲ। ନିର୍ବାଚନୀ ରାଜନୀତି, ଗଣତନ୍ତ୍ରର ଏକ ବିପୁଳ ଆନନ୍ଦଦାୟୀ, ରୋମାଞ୍ଚକର ପ୍ରୟୋଗ, କିନ୍ତୁ ୟାର ଲକ୍ଷ୍ୟ କେବଳ ଦଳୀୟ ପ୍ରାର୍ଥୀକୁ କୌଣସି ମତେ ଜୟଯୁକ୍ତ କରିବା ନୁହେଁ। ୟାର ପ୍ରକୃତ ଅର୍ଥବତ୍ତା କ୍ଷେତ୍ରକୁ ରାଷ୍ଟ୍ରର ଭାବନାତ୍ମକ ଏକକ ଭାବରେ ଉତ୍ସର୍ଗୀକୃତ କରିବା। କିନ୍ତୁ, ବସ୍ତୁତଃ ପ୍ରାର୍ଥୀମାନଙ୍କର ଘୋଷଣାପତ୍ରରେ କେବଳ ସ୍ଥାନୀୟ ଅଭାବ, ଅସୁବିଧା ପୂରଣର ପ୍ରତିଶ୍ରୁତି ରହୁଚି; ଏ ପ୍ରତିଶ୍ରୁତି ସହିତ ଏକ ଉଦ୍ଘୋଷଣ ବି ତ ଲୋକାର୍ପିତ ହେବା ଲୋଡ଼ା: ଏ ଉଦ୍ଘୋଷଣ ରାଷ୍ଟ୍ରର, ରାଷ୍ଟ୍ରୀୟତାର ଓ ରାଷ୍ଟ୍ରୀୟ ଏକତାର।
ଓଡ଼ିଶାର ନାଗରିକମାନେ ଓଡ଼ିଶାର ଶାସକଙ୍କ ରାଜ୍ୟନୀତିରେ ରାଷ୍ଟ୍ରକୁ ଅପମାନିତ କରିବାର କୌଣସି ପ୍ରୟାସ େଦଖିନାହାନ୍ତି। ବ୍ୟକ୍ତିଗତ ଭାବରେ ରାଷ୍ଟ୍ରୀୟ ନେତୃତ୍ବକୁ ଲାଞ୍ଛିତ ବା ଅପଦସ୍ତ କରିବାର ସଂକେତ ନ ଦେଖିବା, ଏକ ସୁସ୍ଥ ଗଣତାନ୍ତ୍ରିକ ରାଜନୈତିକ ପରଂପରାର ଦୃଷ୍ଟାନ୍ତ। ସେହିପରି ରାଷ୍ଟ୍ରୀୟ ନୀତି ନିର୍ମାଣ ଓ ସଂକଳ୍ପ ପରିପୂରଣରେ ଓଡ଼ିଶାର ସକ୍ରିୟ ଓ ସକରାତ୍ମକ ଯୋଗଦାନ ରାଜନୀତିର ଏକ ସଭ୍ୟ ପରଂପରା। ଯେଉଁମାନେ ତୃଣମୂଳ ସ୍ତରରେ ରାଜନୀତି କରୁଚନ୍ତି ସେମାନେ ୟାକୁ ଏକ ନିରବ ନୀତି ନିର୍ଦ୍ଦେଶିକା ବୋଲି ଗ୍ରହଣ କରିବା ଉଚିତ। ସେହିପରି ରାଷ୍ଟ୍ରର ପରିଚାଳନାରେ ଥିବା କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା, ତନ୍ତ୍ର ଓ ନେତୃତ୍ବ କୋଉଥିରେ ବି ଓଡ଼ିଶାକୁ ବିରୋଧୀ ରାଜ୍ୟ ବୋଲି ଭାବି ଅବିଚାର କରିବାର ଦୃଷ୍ଟାନ୍ତ ନାହିଁ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ରାଷ୍ଟ୍ରୀୟ ଓ କ୍ଷେତ୍ରୀୟ ଦଳର ରାଜନୈତିକ ଶିଖର ପୁରୁଷ, ୟାଙ୍କ ଭିତରେ ଶ୍ରଦ୍ଧା ଓ ସମ୍ମାନର ଭାବନା ପରସ୍ପର ପ୍ରତି ଊଣା ହେବ କାହିଁକି? ବରଂ ଏ ସଂପର୍କ ଏକ ସଂକେତ ଯେ, ରାଜନୈତିକ ବିରୋଧ ପାଇଁ ‘ମୁଦ୍ଦା’ ବା ‘ବିଷୟ’ ଖୋଜ, ଗଭୀର ଅନୁଶୀଳନ, ବିଚାର ଓ ମାନସମନ୍ଥନ ପରେ ଏଭଳି ଦୁର୍ବଳତା, ବିଫଳତା, ବ୍ୟବସ୍ଥାର ନିଶ୍ଚେଷ୍ଟତା ଖୋଜି ପାଅ, ଯାହା ପ୍ରମାଣ କରିବ ଯେ ନେତୃତ୍ବ ଅପାରଗ। ସୁତରାଂ, ଗଭୀରତମ ସମ୍ମାନବୋଧ ଓ ସହନଶୀଳତା ସତ୍ତ୍ବେ ସରକାରଙ୍କ ନୀତି, ବ୍ୟବସ୍ଥା ଓ ପରିଚାଳନାରେ ତ୍ରୁଟି ବିଚ୍ୟୁତିର ଠିକ୍ ନିର୍ଣ୍ଣୟ କରି ପ୍ରତିବାଦକୁ ସାମୁଦ୍ରିକ ଝଡ଼ରେ ପରିଣତ କରିବାର କାମ ରାଜନୀତିର। କ୍ଷେତ୍ରୀୟତା, ଏକ ଗଣରାଷ୍ଟ୍ର ରାଜନୀତି ନୁହେଁ। ବସ୍ତୁତଃ, ମୋ ଦୃଷ୍ଟିରେ ଆଞ୍ଚଳିକ ବା କ୍ଷେତ୍ରୀୟ ଦଳ ଏକ ବହୁଦଳୀୟ ଗଣତାନ୍ତ୍ରିକ ନିର୍ମାଣର ପରିପନ୍ଥୀ। ଗୋଟିଏ ଗଣରାଷ୍ଟ୍ରର ରାଜନୀତି ସ୍ଥାନୀୟତା ବା କ୍ଷେତ୍ରୀୟତାର ଊର୍ଦ୍ଧ୍ବକୁ ନ ଉଠିପାରିବା ଆମର ଗଣତନ୍ତ୍ରର ଓ ନିର୍ବାଚନୀ ରାଜନୀତିର ସବୁଠୁ ବଡ଼ ବିଡ଼ମ୍ବନା।
ରାଷ୍ଟ୍ରୀୟ ରାଜନୀତିର ଆଉ ଏକ ଭୂମିକା ନାଗରିକ ସମାଜ ଗଠନ ପାଇଁ ଭୂମି ପ୍ରସ୍ତୁତ କରିବାରେ। କିନ୍ତୁ ଏବେ ରାଜନେତାମାନେ ସାମାଜିକ ବ୍ୟବସ୍ଥାକୁ କରାୟତ୍ତ କରି ଏକ ଲାଭ ପ୍ରଦାନକାରୀ ବ୍ୟକ୍ତିଗତ ଅନୁଷ୍ଠାନରେ ପରିଣତ କରିବାର ଦୁର୍ଗତି, ଦେଶକୁ କେବଳ ଅଣରାଜନୈତିକ ମୁରବିଶୂନ୍ୟ, ବ୍ୟକ୍ତିତ୍ବହୀନ, ମଧ୍ୟସ୍ଥହୀନ ମଧ୍ୟବେଧୀ (ମିଡିଓକର) ବ୍ୟବସାୟିକ ମଡ଼େଲରେ ପରିଣତ କରିନାହିଁ, ଦେଶର ନାଗରିକ ଉର୍ଜାର ବିକାଶକୁ ଅବରୁଦ୍ଧ କରିଚି। କିନ୍ତୁ ସତ କହିଲେ, ରାଜନେତା ବା ରାଜନୈତିକ କର୍ମୀ ଜଣେ ସାଧାରଣ ମଣିଷ ନୁହନ୍ତି। ପ୍ରତିନିଧିମୂଳକ ଗଣତନ୍ତ୍ରରେ ଏହି ଅସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେ ପର୍ଯ୍ୟନ୍ତ ରାଜନୀତି ରାଷ୍ଟ୍ରର ଆତ୍ମାକୁ ଧାରଣ କରିନାହିଁ, ସେ ପର୍ଯ୍ୟନ୍ତ ଭାରତ ଭଳି ବିଶାଳ ସଂଘୀୟ ଗଣରାଜ୍ୟରେ ଭାରତୀୟଙ୍କ ପାଇଁ ଗଣତନ୍ତ୍ରର ମହାପାଠ ଅଦୃଶ୍ୟ ହୋଇ ରହିବ। ଭାରତୀୟ ରାଷ୍ଟ୍ରର ବ୍ୟକ୍ତିତ୍ବ, ଉର୍ଜା ଓ ପ୍ରତିଷ୍ଠା ପାଇଁ ଯାହା ଦରକାର ତାହାହିଁ ରାଜନୀତି। ସଂସ୍କୃତି, ସାହିତ୍ୟ, ଧର୍ମ, ବିଜ୍ଞାନ, ସବୁଥିରେ ‘ରାଜନୀତି’ ଶବ୍ଦକୁ କୂଟ, ଭେଦ, ସଂପୃକ୍ତି, ଦ୍ବନ୍ଦ୍ବ, ମହତ୍ବାକାଂକ୍ଷା, ପ୍ରଭୁତ୍ବ ଆଦି ବହୁ ସକାରାତ୍ମକ ଓ ନକାରାତ୍ମକ ତିର୍ଯ୍ୟକ୍ ଭାବରେ ବ୍ୟବହାର କରାଯାଉଛି। ବସ୍ତୁତଃ ସାଧାରଣ ଲୋକେ ଯାହାକୁ ରାଜନୀତି ବୋଲି କହନ୍ତି, ତାହା ଏକ ଶକ୍ତିଶାଳୀ କିନ୍ତୁ ବିକ୍ଷୁବ୍ଧ କ୍ଷେତ୍ରରେ ପରିଣତ ହେଲାଣି। କିନ୍ତୁ ଲୋକଙ୍କୁ ବୁଝାଇବାକୁ ପଡ଼ିବ ଯେ ଲୋକସଂକଳ୍ପରୁ ସୃଷ୍ଟ ସାର୍ବଭୌମ ରାଷ୍ଟ୍ରର ସତ୍ତା ଆହରଣ ଲୋକ ସହମତିରେ ହିଁ ସମ୍ଭବ; ତେଣୁ ଗଣତନ୍ତ୍ରରେ ଲୋକ ସହମତିର ଅନୁମାନ, ଆକଳନ, ବ୍ୟବହାର, ପ୍ରକ୍ରିୟା ଓ ପରିଣତି ହିଁ ରାଜନୀତି। ୟାର କେନ୍ଦ୍ରରେ ରାଷ୍ଟ୍ର ଓ ସ୍ଥାନୀୟତାରେ ୟାର ବିଚ୍ଛୁରଣ। ଠିକ୍ ଅର୍ଥରେ ଲୋକସତ୍ତାର ପ୍ରକ୍ରିୟାକରଣ ରାଜନୀତି ନୁହେଁ ‘ଲୋକନୀତି’।
ମୋ:୯୪୩୭୦୩୯୮୫୮