ଆତ୍ମଜୀବନୀ ଅନେକଙ୍କ ଲାଗି ଏକ ରୁଚିକର ପଠନୀୟ ସାମଗ୍ରୀ। ଯେଉଁ ଲେଖକ ନିର୍ମୋହୀ ଭାବ ନେଇ ନିଜର ତଥା ନିଜ ଶତ୍ରୁ-ମିତ୍ରଙ୍କର ବ୍ୟକ୍ତିତ୍ବକୁ ଏକ ବ୍ୟାପକ ସାମାଜିକ ପୃଷ୍ଠଭୂମିରେ ଚର୍ଚ୍ଚାର ପରିସରକୁ ଆଣନ୍ତି, ତାଙ୍କ ଆତ୍ମଜୀବନୀ ମନରେ ଦୀର୍ଘସ୍ଥାୟୀ ଛାପ ପକାଏ। କିନ୍ତୁ ବିଡ଼ମ୍ବନା, ଅନେକ ବ୍ୟକ୍ତି ଜୀବନର ଅପରାହ୍‌ଣରେ ଆତ୍ମଜୀବନୀ ଲେଖିଲା ବେଳେ ମଧ୍ୟ ନିଜ ଭୁଲ-ତ୍ରୁଟିକୁ ଦେଖିପାରନ୍ତି ନାହିଁ, କିନ୍ତୁ ଶତ୍ରୁର ଚଉଦ ପୁରୁଷ ଶ୍ରାଦ୍ଧ କରି ପକାନ୍ତି। ନିଜକୁ ଯଥାର୍ଥ ବୋଲି ପ୍ରମାଣିତ କରିବା ପ୍ରକ୍ରିୟାରେ ସେମାନେ ନିଜ ସର୍ଜନାକୁ ସହଜ, ସ୍ବାଭାବିକ ଓ ଅ-କୃତ୍ରିମ ‌ହେବାକୁ ଦିଅନ୍ତି ନାହିଁ। ‘ସଫଳ’ ଆତ୍ମଜୀବନୀର ବୈଶିଷ୍ଟ୍ୟ ହେଲା ନିରାସକ୍ତ, ଅକପଟ, ଆତ୍ମଗ୍ଳାନି-ଶୂନ୍ୟ ଅଭିବ୍ୟକ୍ତି।

Advertisment

ନିକଟରେ ବର୍ଟ୍ରାଣ୍ଡ ରସେଲ (୧୮୭୨-୧୯୭୦)ଙ୍କ ଆତ୍ମଜୀବନୀ ପଢ଼ିବାର ସୁଯୋଗ ମିଳିଲା। ଭାଷା ତାଙ୍କର ଖୁବ୍‌ ସରଳ, ତରଳ। ନିଜ ବିଚାରକୁ ଅଭିବ୍ୟକ୍ତ କଲା ବେଳେ ସେ ଆଦୌ କ୍ଳିଷ୍ଟ ମନେ ହୁଅନ୍ତି ନାହିଁ। ଏତେ ବଡ଼ ଜ୍ଞାନୀ, ଅଥଚ ତାଙ୍କ ରଚନାର ସ୍ବାଦ ନେଲା ବେଳେ ଝୁଣ୍ଟିବାକୁ ପଡ଼େ ନାହିଁ। ତା’ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ତାଙ୍କ ଅକପଟ ଭାଷ୍ୟ। ଶିଶୁ ବୟସରେ ସେ ଉଭୟ ବାପା ଓ ମା’ଙ୍କୁ ହରାଇଥିଲେ। ତେଣୁ, ସେମାନଙ୍କୁ ବାଦ ଦେଲେ ତାଙ୍କ ଜେଜେ ମା’, ଆଈ, ମାଉସୀ, ମାମୁଁ ଏବଂ ଏପରିକି ପତ୍ନୀ; ଏଭଳି କେହି ନାହାନ୍ତି, ଯାହାଙ୍କ ଉଭୟ ଦୋଷ-ଗୁଣକୁ ସେ ସେହି ସମୟରେ ବଖାଣି ନାହାନ୍ତି। ଏପରିକି ପତ୍ନୀଙ୍କ ସହ ଯୌନ ସମ୍ବନ୍ଧ ସଂପର୍କରେ ମଧ୍ୟ ଖୋଲାଖୋଲି ଆଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ନିଜ ସମ୍ବନ୍ଧରେ ବ୍ୟାଖ୍ୟା- ସମୀକ୍ଷା କଲା ବେଳେ ମଧ୍ୟ ସେ ସଂପୂର୍ଣ୍ଣ ରୂପେ ନିର୍ମୋହୀ ଏବଂ ଆତ୍ମଗ୍ଳାନି-ଶୂନ୍ୟ। ପଢ଼ିବା ପରେ ଲାଗିଲା, ତାଙ୍କ ନଜରରେ ନା କେହି ‘ନାୟକ’ ବା ‘ଖଳନାୟକ’; ବରଂ ସମସ୍ତେ ଉଭୟ ଭଲ ଓ ଭୁଲ୍‌ର ସମାହାର।

ରସେଲ ଏକାଧାରରେ ଥି‌ଲେ ଜଣେ ଗଣିତଜ୍ଞ, ଦାର୍ଶନିକ, ତର୍କଶାସ୍ତ୍ରୀ, ଲେଖକ ଏବଂ ସାମାଜିକ କର୍ମୀ। ବିଭିନ୍ନ ପ୍ରସଙ୍ଗରେ ନିଜ ଉପଲବ୍‌ଧ ଜ୍ଞାନର ଉପଯୋଗ କିପରି ସାଧାରଣ ସ୍ତରରେ ହେବ, ସେ ଦିଗରେ ତତ୍ପର ଥିଲେ ଏବଂ ବିରୋଧ ହେଲେ ସଂଗ୍ରାମ କରିବାକୁ ପଛାଉ ନ ଥିଲେ। ଗଣିତ ଶାସ୍ତ୍ର ‘ପ୍ରିନ୍‌ସିପିଆ ମାଥ୍‌ମେଟିକା’ ପାଇଁ ସେ ବିଶ୍ବପ୍ରସିଦ୍ଧ; ଏଣେ, ସାହିତ୍ୟ ପାଇଁ ତାଙ୍କୁ ୧୯୫୦ରେ ନୋବେଲ ପୁରସ୍କାର ମିଳିଥିଲା।

ଇଂଲାଣ୍ଡର ରକ୍ଷଣଶୀଳ ସମା‌ଜରେ ଯେତେବେଳେ ସ୍ବୟଂ ରାଣୀ ମହିଳାମାନଙ୍କ ପାଇଁ ନିର୍ବାଚନରେ ମତଦାନ ଅଧିକାରର ବିରୋଧ କରୁଥିଲେ, ସେତେବେଳେ ରସେଲ ରାଣୀଙ୍କ ବିରୋଧରେ ବକ୍ତବ୍ୟ ଦେଇ ଲାଂଛନାର ଶିକାର ହୋଇଥିଲେ। ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଇଂଲାଣ୍ଡ ଥିଲା ଏକ ପ୍ରମୁଖ ପ୍ରତିଭାଗୀ। ମାତ୍ର ସମସ୍ତ ପ୍ରକାର ଯୁଦ୍ଧର ବିରୋଧରେ ବକ୍ତବ୍ୟ ଦେଇ ୧୯୧୮ରେ ରସେଲ ଛଅ ମାସ କାରାଦଣ୍ଡ ଭୋଗିଥିଲେ। ୧୯୬୧ରେ ୮୯ ବର୍ଷ ବୟସରେ ସେ ପରମାଣୁ ଅସ୍ତ୍ରର ପ୍ରୟୋଗ ବିରୋଧରେ ଗଣଧାରଣାରେ ଭାଗ ନେଇ ସାତ ଦିନ ପାଇଁ ଜେଲଦଣ୍ଡ ଭୋଗିଥିଲେ। ତାଙ୍କ ପରିଣତ ବୟସକୁ ଦୃଷ୍ଟିରେ ରଖି ବିଚାରପତି ମତ ଦେଲେ, ‘ଆପଣ ଯଦି ଭବିଷ୍ୟତରେ ‘ଭଲ’ ଆଚରଣ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି, ଜେଲଦଣ୍ଡରୁ ଆପଣଙ୍କୁ ରିହାତି ଦିଆଯାଇପାରେ।’ ଉତ୍ତରରେ ରସେଲ କହିଲେ, ‘ନା, ଏହା ମୁଁ କରିପାରିବି ନାହଁ।’ ଅର୍ଥାତ ସେ ଜଣାଇ ଦେଲେ ଯେ ଜେଲଦଣ୍ଡ ଭୋଗିବାକୁ ସେ ପ୍ରସ୍ତୁତ। ଭାରତ ପାଇଁ ରସେଲଙ୍କ ସନ୍ଦର୍ଭ ହେଲା ଯେ ଇଂରେଜ ହୋଇଥିଲେ ସୁଦ୍ଧା ଭାରତର ମୁକ୍ତି ପାଇଁ ଗଲା ଶତାବ୍ଦୀର ତୃତୀୟ ଦଶକରେ ଲଣ୍ଡନରେ ସ୍ଥାପିତ ‘ଇଣ୍ଡିଆ ଲିଗ’ ଅନୁଷ୍ଠାନର ସେ ଥିଲେ ପ୍ରମୁଖ ପୁରୋଧା।

୧୯୧୭‌ର ସୋଭିଏତ ବିପ୍ଳବ ବିଶ୍ବର ଅନେକ ବୁଦ୍ଧିଜୀବୀଙ୍କୁ ରୁଷ ଆଡ଼କୁ ଆକର୍ଷିତ କରିଥିଲା। ରସେଲ ମଧ୍ୟ ରୁଷ ସାମାଜିକ ବିପ୍ଳବ ନେଇ ଖୁବ୍‌ ଆଶାବାଦୀ ଥିଲେ। ୧୯୨୦ରେ ସେ ରୁଷ ଭ୍ରମଣ କରିଥିଲେ ଏବଂ ସୋଭିଏତ ନେତା ଭ୍ଲାଦିମିର ଲେନିନ୍‌ଙ୍କୁ ସାକ୍ଷାତ କରିଥିଲେ। ଦୀର୍ଘ ଆଲୋଚନା ପରେ ସେ ଉଭୟ ରୁଷ ବିପ୍ଳବ ଏବଂ ଲେନିନଙ୍କୁ ନେଇ ଅତ୍ୟନ୍ତ ନିରାଶା ପ୍ରକଟ କରିଥିଲେ। ପରେ ଷ୍ଟାଲିନଙ୍କ ଏକଛତ୍ରବାଦ ଏବଂ ଆମେରିକାର ସାମ୍ରାଜ୍ୟବାଦ ବିରୋଧରେ ସେ ସମସ୍ବରରେ ସ୍ବର ଉତ୍ତୋଳନ କରିଥିଲେ। ରସେଲଙ୍କ ଈପ୍‌ସିତ ସମାଜ ଥିଲା ଏକ ବିଜ୍ଞାନସମ୍ମତ ସମାଜ, ଯେଉଁଠି ସମଗ୍ର ବିଶ୍ବରେ ଗୋଟାଏ ସରକାର ରହିବ। ଫଳରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧ ସଂଘଟିତ ହେବ ନାହିଁ।

ଆତ୍ମଜୀବନୀରେ ରସେଲ ନିଜ ଜୀବନର ତିନିଟି ମାତ୍ର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଥମ, ମଣିଷକୁ ଭଲ ପାଇବା, ଦ୍ବିତୀୟ ଜ୍ଞାନାର୍ଜନ କରିବା, ଏବଂ ତୃତୀୟ ଅନ୍ୟର ଦୁଃଖରେ ସର୍ବଦା ସମାନୁଭବୀ ହେବା। କହିବାରେ ଦ୍ବିଧା ନାହିଁ ଯେ କେବଳ ତାଙ୍କ ଭଳି ପ୍ରବୁଦ୍ଧ ନୁହନ୍ତି, ଏହି ତିନିଟି ଜୀବନୋଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ସାର୍ଥକ କରିବା ପାଇଁ ଯଥେ‌ଷ୍ଟ।

[email protected]