ସର୍ପାଘାତ ମୃତ୍ୟୁ: ପୃଥିବୀର ୮୦% ଭାରତରେ
ଦର୍ପଣ
ସଦ୍ୟ ପ୍ରକାଶିତ ଏକ ବିଶ୍ବସ୍ତରୀୟ ଅଧ୍ୟୟନ ଅନୁଯାୟୀ ୨୦୧୯ ମସିହାରେ ପୃଥିବୀରେ ସମୁଦାୟ ୬୩,୦୦୦ ଜଣ ବ୍ୟକ୍ତି ସର୍ପାଘାତରେ ମୃତ୍ୟୁବରଣ କରିଥିଲେ, ଯେଉଁଥିରୁ ୫୧,୦୦୦ ମୃତ୍ୟୁ କେବଳ ଭାରତରେ ହୋଇଛି ବୋଲି ଜଣାପଡ଼ିଛି। ଏହା ହେଉଛି ବିଶ୍ବରେ ହୋଇଥିବା ସମୁଦାୟ ସର୍ପାଘାତ ଜନିତ ମୃତ୍ୟୁର ୮୦%ରୁ ଅଧିକ। ଭାରତ ପଛକୁ ସାପ ଚୋଟରେ ମୃତ୍ୟୁବରଣ କରିଥିବା ଦ୍ବିତୀୟ ସର୍ବାଧିକ ସଂଖ୍ୟକ ନାଗରିକ ହେଉଛନ୍ତି ପାକିସ୍ତାନୀ (୨,୦୭୦ ଜଣ)। ଏକ ସପ୍ତାହ ତଳେ ‘ନେଚର୍ କମ୍ୟୁନିକେସନ୍ସ’ ନାମକ ଜର୍ନାଲ୍ରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ ରିପୋର୍ଟକୁ ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ (ଜିବିଡି) ଦ୍ବାରା ସଂକଳିତ କରାଯାଇଛି। ଏହାକୁ ପ୍ରସ୍ତୁତ କରିବା ଲାଗି ୨୦୪ ଦେଶରେ ୧୯୯୦ରୁ ୨୦୧୯ ମଧ୍ୟରେ ହୋଇଥିବା ବିଷଧର ସାପ ଦଂଶନଜନିତ ମୃତ୍ୟୁର ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ଏଥିରୁ ମିଳିଥିବା ଏକ ସକାରାତ୍ମକ ନିଷ୍କର୍ଷ ହେଲା ୨୦୦୮ ତୁଳନାରେ ସାପ କାମୁଡ଼ାଜନିତ ମ଼ୃତ୍ୟୁ ହାରରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି। ୧୯୯୦ ମସିହା ତୁଳନାରେ ସାପକାମୁଡ଼ା ଜନିତ ମୃତ୍ୟୁ ହାର ୩୬% ହ୍ରାସ ପାଇଛି। ତଥାପି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ବାରା ୨୦୩୦ ସୁଦ୍ଧା ସର୍ପାଘାତ ମୃତ୍ୟୁ ସୀମିତ ରଖିବା ଲାଗି ନିର୍ଦ୍ଧାରିତ ସଂଖ୍ୟାରୁ ମୃତ୍ୟୁ ହାର ବହୁତ ଅଧିକ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତଥ୍ୟ ଅଭାବ କାରଣରୁ ବିଶ୍ବ ସ୍ତରରେ ସର୍ପାଘାତ ମୃତ୍ୟୁ ନେଇ ଖୁବ୍ କମ୍ ଅଧ୍ୟୟନ କରାଯାଇଛି। ତେବେ ୧୯୯୮ର ଏକ ଅଧ୍ୟୟନରୁ ଜଣାପଡ଼େ ଯେ ସେ ବର୍ଷ ସର୍ପାଘାତରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ। ୨୦୦୮ରେ ଏହା ୯୪,୦୦୦କୁ ଖସିଥିଲା। ଉକ୍ତ ରିପୋର୍ଟ ଅନୁସାରେ ଦକ୍ଷିଣ ଏସିଆ ହେଉଛି ସର୍ବାଧିକ ମୃତ୍ୟୁ ଦେଖୁଥିବା ଅଞ୍ଚଳ ଯେଉଁଠାରେ ୫୪,୬୦୦ ଜଣଙ୍କର ମୃତ୍ୟୁବରଣ ଘଟିଛି। ଏହା ପଛରେ ମୁଖ୍ୟ କାରଣମାନ ହେଉଛି ପରିବେଶ, ଦୁର୍ବଳ ସାମାଜିକ ଓ ଆର୍ଥିକ ସ୍ଥିତି ଓ ନିମ୍ନମାନର ସ୍ବାସ୍ଥ୍ୟସେବା। ସେହିପରି ସେହି ବର୍ଷ ଉପ-ସାହାରୀୟ ଆଫ୍ରିକା ଅଞ୍ଚଳରେ ୭,୩୩୧ ଓ ଆମେରିକା ଅଞ୍ଚଳରେ ୩୭୦ ମୃତ୍ୟୁ ରେକର୍ଡ କରାଯାଇଥିଲା। ଭାରତରେ ସାପ ବିଷକ୍ରିୟା ଜନିତ ମୃତ୍ୟୁ ହାର ଅତ୍ୟନ୍ତ ଉଚ୍ଚା ରହିବାର ମୁଖ୍ୟ କାରଣ ହେଉଛି ଆଣ୍ଟିଭେନମ୍ର ଅନୁପଲବ୍ଧତା। ଦେଶରେ ଚାରିଟି ଘାତକ ସାପର ଆଣ୍ଟିଭେନମ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି ସତ, କିନ୍ତୁ ଗ୍ରାମାଞ୍ଚଳରେ ସୁଚାରୁ ରୂପେ ଏହାର ଆବଣ୍ଟନ ହୋଇ ନ ଥାଏ। ଡାକ୍ତରଖାନାରୁ ମିଳିଥିବା ତଥ୍ୟରୁ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ଭାରତରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇଥିବା ବିଶେଷଜ୍ଞମାନେ ଅନୁମାନ କରନ୍ତି, କାରଣ ଅନେକ ଲୋକ ସାପ କାମୁଡ଼ା ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ନ ନେଇ ଝଡ଼ାଫୁଙ୍କା ଦ୍ବାରା ଏହାର ଚିକିତ୍ସା ପାଇଁ ଉଦ୍ୟମ କରିଥାନ୍ତି।