ମୋ’ ଜୀବନରେ ମୁଁ ଅନେକ ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କୁ ଭେଟିଛି, ଯେଉଁମାନେ ବିଦ୍ବାନ୍, ଲେଖକ, ଶିଳ୍ପୀ, କ୍ରୀଡ଼ାବିତ୍, ବୈଜ୍ଞାନିକ, ଉଦ୍ୟୋଗୀ, ରାଜନୀତିଜ୍ଞ ଓ ସାମାଜିକ କର୍ମୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହି ସମସ୍ତଙ୍କର ଏକ ଉଚ୍ଚାଙ୍ଗ ବଡ଼ିମା ରହିଥାଏ; ସେମାନଙ୍କ ଭିତରୁ କେତେକ ନିଜର ଉପଲବ୍ଧି ବାବଦରେ ଅହଂକାରପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶନ କରନ୍ତି ତ ଆଉ କେତେକ ଭିନ୍ନ ରୂପରେ ଯାହା ପ୍ରଦର୍ଶନ କରନ୍ତି, ତାହାକୁ କୁହାଯାଇପାରେ ‘ବିନମ୍ର ବଡ଼ାଇ’।
ତେବେ ମୁଁ ଭେଟିଥିବା ସଫଳ ବା ବିଖ୍ୟାତ ବ୍ୟକ୍ତିଙ୍କ ଭିତରୁ କେବଳ ଦୁଇ ଜଣ ହିଁ ଏହି ନିୟମରୁ ବାହାରେ ବୋଲି ମୁଁ ମନେ କରେ; ଜଣେ ହେଉଛନ୍ତି କ୍ରିକେଟର୍ ଜି. ଆର୍. ବିଶ୍ବନାଥ ଏବଂ ଅନ୍ୟ ଜଣକ ହେଉଛନ୍ତି ଲେଖକ ଇଆନ୍ ଜ୍ୟାକ୍, ଯାହାଙ୍କର ଗତ ସପ୍ତାହରେ ପରଲୋକ ହୋଇଯାଇଛି। ବିଶ୍ବନାଥଙ୍କ ଭଳି ଇଆନ୍, ନିଜ ବୈଶିଷ୍ଟ୍ୟକୁ ଅସାଧାରଣ ଶାଳୀନତା ସହିତ ଯୋଡ଼ିଥିଲେ। ସେ ତାଙ୍କ ଅମଳର ଶ୍ରେଷ୍ଠ ସ୍ତମ୍ଭକାର ଓ ସାହିତ୍ୟିକ-ସଂପାଦକ ଥିଲେ ଏବଂ ତା’ ସହ ଥିଲେ ଜଣେ ଅତ୍ୟନ୍ତ ସହନୁଭୂତିଶୀଳ ଓ ଉତ୍ତମ ମଣିଷ। ତାଙ୍କୁ ପଢ଼ିବା ଏକ ସୁଖଦ ଅନୁଭୂତି ଦେଇଥାଏ ଏବଂ ତାଙ୍କୁ ଜାଣିବା ଥିଲା ଏକ ଖୁସି ଓ ସୌଭାଗ୍ୟର ବିଷୟ।
ଏକ ସ୍କଟିସ୍ ପରିବାରରୁ ଆସି ହାବଭାବରେ ବ୍ରିଟିସ ସୁଲଭ ଜଣା ପଡୁଥିବା ଇଆନ୍ଙ୍କର ଭାରତ ପ୍ରତି ଖୁବ୍ ଆଗ୍ରହ ରହିଥିଲା। ବିଗତ ସପ୍ତମ ଦଶକରେ ‘ସନ୍ଡେ ଟାଇମ୍ସ’ ପାଇଁ କାମ କରୁଥିଲା ବେଳେ ସେ ଏଠାକୁ ପ୍ରଥମେ ଜଣେ ସାମ୍ବାଦିକ ଭାବରେ ଆସିଥିଲେ। ତାଙ୍କର ଘନିଷ୍ଠ ବନ୍ଧୁଙ୍କ ଭିତରେ ଦୁଇ ଜଣ ଭାରତୀୟ ଥିଲେ; ଜଣେ ନାରୀବାଦୀ ପ୍ରକାଶିକା ଉର୍ବଶୀ ବୁତାଲିଆ ଓ ବୃତ୍ତଚିତ୍ର ନିର୍ମାତା ନସରିନ ମୁନ୍ନି କବିର। ସେ ମଧ୍ୟ ବଙ୍ଗଳା ଓ ବଙ୍ଗାଳିମାନଙ୍କୁ ଶ୍ରଦ୍ଧା କରୁଥିଲେ; ଯଦିଓ ଭାରତୀୟ ଟ୍ରେନ୍ରେ ଯାତ୍ରା କରି ଛୋଟ ଛୋଟ ସହର ବୁଲିବାକୁ ପସନ୍ଦ କରୁଥିଲେ। ତେବେ ତାଙ୍କର ଏକ ଦୃଢ଼ ଧାରଣା ଥିଲା ଯେ ବସବାସ କରିବା ପାଇଁ କଲିକତା ହେଉଛି ତାହାର ନିଜସ୍ବ ଅଜଣା ଢଙ୍ଗରେ ସବୁଠାରୁ ପସନ୍ଦଯୋଗ୍ୟ ଭାରତୀୟ ସହର (ଅଳ୍ପ କିଛି ପଇସା ହାତରେ ଥିଲେ)।
ନବମ ଦଶକର ଶେଷ ଭାଗ ଆଡ଼କୁ ମୁନ୍ନି କବିର ହିଁ ମୋତେ ଇଆନ୍ ଓ ତାଙ୍କ ପତ୍ନୀ ଲିଣ୍ଡି ସାର୍ପେଙ୍କ ସହ ପରିଚିତ କରାଇଥିଲେ। ତାହା ପରେ ଆମେ ଲଣ୍ଡନ ଓ ବାଙ୍ଗାଲୋର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପରସ୍ପରକୁ ଭେଟିଛୁ। ଆମ ଭିତରେ ନିୟମିତ ଚିଠିପତ୍ର ଦିଆନିଆ ରହିଥିଲା। ୨୦୧୪ ଅକ୍ଟୋବରରେ ଗାନ୍ଧୀଜୀଙ୍କର ଏକ ଜୀବନୀ ସମ୍ବନ୍ଧରେ ଗବେଷଣା କଲା ବେଳେ ମୁଁ ତାଙ୍କୁ ପଚାରି ଲେଖିଥିଲି- ‘୧୯୨୧ରେ ନିଜର ବିରାଟ ଅସହଯୋଗ ଆନ୍ଦୋଳନ ବେଳେ ବ୍ରିଟିସ୍ ଗଣମାଧ୍ୟମରେ ଗାନ୍ଧୀଙ୍କ ପ୍ରତି ସନ୍ଦେହପୂର୍ଣ୍ଣ ଅବା ଅପମାନଜନକ ପ୍ରତିକ୍ରିୟାମାନ ଦେଖିବାକୁ ମିଳିଥିବା ବେଳେ ‘ଗ୍ଲାସଗୋ ହେରାଲ୍ଡ’ରେ ଅତ୍ୟନ୍ତ ବିଚାରଶୀଳ ଓ ସନ୍ତୁଳିତ ମୂଲ୍ୟାୟନ ରହିଥିଲା। ତାହା କି ପ୍ରକାରର ସମ୍ବାଦପତ୍ର କି? ଉଦାରବାଦୀ ନା ବାମପନ୍ଥୀ?’
ଏଇ ସଂକ୍ଷିପ୍ତ ଜିଜ୍ଞାସା ଏକ ଦୀର୍ଘ ତଥା ଗଭୀର ଚିନ୍ତାଶୀଳ ଉତ୍ତର ପହଞ୍ଚେଇଥିଲା ଯାହାକୁ ଏଠାରେ ମୁଁ ବିସ୍ତୃତ ଭାବେ ଉପସ୍ଥାପନ କରିବାକୁ ଚାହୁଁଛି। ଇଆନ୍ ମୋତେ କହିଥିଲେ କି ୧୯୬୫ରେ, ଯେତେବେଳେ ସେ ‘ହେରାଲ୍ଡ’ରେ ଯୋଗ ଦେଲେ, ସେତେବେଳେ ପ୍ରକୃତରେ ତାହା ‘ରକ୍ଷଣଶୀଳ ତଥା କନ୍ଜରଭେଟିଭ୍ ଦଳକୁ ସମର୍ଥନ କରୁଥିବା ଏକ ବେପାରପ୍ରିୟ ଖବରକାଗଜ ଥିଲା, ଯିଏ ଶୀଘ୍ର ଲୁପ୍ତ ହେବାକୁ ବସିଥିବା ସହରର ଔଦ୍ୟୋଗିକ ଅତୀତ ନେଇ ଗର୍ବିତ ଥିଲା। ତାହାର ଦୁଇ ଜଣ ଲବ୍ଧପ୍ରତିଷ୍ଠ ସମ୍ବାଦଦାତା ଥିଲେ। ଯେତେବେଳେ ଶ୍ରମିକ ସଂଗଠନଗୁଡ଼ିକ ପସନ୍ଦଯୋଗ୍ୟ ନ ଥିଲେ, ସେତେବେଳେ ସେମାନଙ୍କ ଭିତରୁ ଜଣେ କନ୍ଜରଭେଟିଭ୍ ଦଳର ସାଂସଦ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଉପ ସଂପାଦକ ଥାଆନ୍ତି ଜର୍ଜ ମାକଡୋନାଲ୍ଡ ଫ୍ରେଜର, ଯିଏ ସାମ୍ରାଜ୍ୟ ସମ୍ପର୍କରେ ଏକ ଚଟୁଳ (ମାତ୍ର ନିର୍ଦ୍ଦୟ ନୁହେଁ) ଦୃଷ୍ଟିକୋଣ ସଂପନ୍ନ ଧାରାବାହିକ ଉପନ୍ୟାସ ‘ଫ୍ଲାସମ୍ୟାନ୍’ର ଲେଖକ ଭାବରେ ପ୍ରସିଦ୍ଧି ଓ ସୌଭାଗ୍ୟ ହାସଲ କରୁଥା’ନ୍ତି। ମାତ୍ର ୧୯୨୧ ବେଳେ ଚିତ୍ରପଟ ଭିନ୍ନ ହୋଇ ପାରିଥା’ନ୍ତା। ସେତେବେଳେ ସଂପାଦକ ଥିଲେ ସାର୍ ରବର୍ଟ ବ୍ରୁସ୍, ଯିଏ ଉଦାରବାଦୀ ପ୍ରଧାନମନ୍ତ୍ରୀ ଡେଭିଡ୍ ଲର୍ଡ ଜର୍ଜଙ୍କ ସହ ବନ୍ଧୁତା କାରଣରୁ ନାଇଟ୍ହୁଡ୍ ଉପାଧି ଲାଭ କରିଥିଲେ।
ଇଆନ୍ ତା’ପରେ ଖବରକାଗଜର ଇତିହାସରୁ ଉଦ୍ଧାର କରି ଉଲ୍ଲେଖ କରିଥିଲେ କି ବ୍ରୁସ୍ଙ୍କ ନିଜସ୍ବ କ୍ଷେତ୍ର ଥିଲା ଘରୋଇ ବ୍ୟାପାର; ବିଦେଶରେ କ’ଣ ଘଟୁଛି ତାହା ଉପରେ ନଜର ରଖିବା ସହ ସ୍ଥିତି ଆକଳନର ଦାୟିତ୍ବ ସେ ଅନ୍ୟମାନଙ୍କୁ ଛାଡ଼ିଦେଇଥିଲେ। ତେଣୁ ଇଆନ୍ ମୋତେ ସୂଚନା ଦେଲେ କି ସେମାନଙ୍କ ଭିତରୁ କେହି ଜଣେ ଗାନ୍ଧୀଙ୍କ ବିଷୟରେ ଲେଖିଥିଲେ- ଯାହା ଜଣାପଡୁଛି ସେମାନଙ୍କୁ ଯଥେଷ୍ଟ ସ୍ବାଧୀନତା ଦିଆଯାଇଥିଲା। ନହେଲେ ଖବରକାଗଜର ଆଭିମୁଖ୍ୟ ଏତେ ସହାନୁଭୂତିଶୀଳ ହୋଇପାରିନଥାନ୍ତା।
ଏହି ବ୍ୟକ୍ତିଗତ ବାର୍ତ୍ତାଳାପ ଇଆନ୍ ଜ୍ୟାକ୍ଙ୍କ ସାର୍ବଜନୀନ ଲେଖାର ଯାବତୀୟ ବୈଶିଷ୍ଟ୍ୟ ଯଥା- ତାଙ୍କର ସ୍ଥାନ ସମ୍ପର୍କିତ ଗଭୀର ଜ୍ଞାନ, ସାମାଜିକ ଓ ରାଜନୈତିକ ଇତିହାସକୁ ସମନ୍ବିତ କରିବାର ଦକ୍ଷତା, ଜ୍ଞାନକୌଶଳ ପ୍ରତି ତାଙ୍କର ଆକର୍ଷଣ, ମାନବ ଚରିତ୍ରର ବିଶିଷ୍ଟତା ପ୍ରତି ରୁଚି, ବିଶ୍ବ ସମୁଦାୟ ପ୍ରତି ବ୍ରିଟେନ୍ର ଜଟିଳ ସମ୍ପର୍କ ବୁଝିବାରେ ତାଙ୍କ ଆଗ୍ରହ ଆଦି ଗୁଣକୁ ପରିପ୍ରକାଶ କରୁଥିଲା।
ତାଙ୍କର ଘନିଷ୍ଠ ସମସାମୟିକ ଜନ୍ ଲୟଡ୍ ‘ଦି ଗାର୍ଡିଆନ୍’ରେ ପ୍ରକାଶିତ ଏକ ସୁନ୍ଦର ଆଲେଖ୍ୟରେ ଉଲ୍ଲେଖ କରିଥିଲେ କି ଜ୍ୟାକ୍ ଏ ଭଳି ଜଣେ ସାମ୍ବାଦିକ ଥିଲେ, ଯିଏ ସର୍ବଦା କୌଣସି ସମ୍ବାଦକୁ ସହାନୁଭୂତିର ଦୃଷ୍ଟିରେ ଦେଖୁଥିଲେ, କିନ୍ତୁ ତାହାର ଗଭୀର ଯାଞ୍ଚ ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିଲେ। କୌଣସି ବ୍ରିଟିସ ପତ୍ରକାର ସେ ସ୍ତରର ନ ଥିଲେ ଏବଂ ତାଙ୍କର ମୃତ୍ୟୁ ହେଲା ଯାଏ ସେ ଏଭଳି କରିଚାଲିଥିଲେ।
ଲୟଡ୍ଙ୍କ ପ୍ରବନ୍ଧର ଅନେକ ପାଠକ ଲେଖି ଜଣାଇଥିଲେ କି ଶନିବାରର ‘ଗାର୍ଡିଆନ୍’ରେ ସେମାନେ ପ୍ରଥମେ ଜ୍ୟାକ୍ଙ୍କର ଲେଖାକୁ ହିଁ ଖୋଜିଥା’ନ୍ତି। ଗାର୍ଡିଆନ୍ରେ ସେ ଶ୍ରେଷ୍ଠ ବୋଲି ଜଣେ ପାଠକ ଲେଖିଥିଲେ ଏବଂ ସେ ସର୍ବଦା ପ୍ରାଞ୍ଜଳ ଜଣାପଡୁଥିଲେ। ଆଉ ଜଣେ ପାଠକ ଇଆନ୍ଙ୍କୁ ସମ୍ମାନାସ୍ପଦ, ଚରିତ୍ରଧାରୀ ଓ ଅତୁଲ୍ୟ ରଚନା ଶୈଳୀର ଅଧିକାରୀ ବୋଲି ଲେଖିଥିଲେ। ତାଙ୍କ ଲେଖାରେ ସେ ଅକ୍ସଫୋର୍ଡ କି କେମ୍ବ୍ରିଜ୍ ଫେରନ୍ତା ପରି ଦେଖାଇ ହେଉନଥିଲେ।
ଇଆନ୍ ଜ୍ୟାକ୍ ଏପରି ଜଣେ ଅଦ୍ଭୁତ ଲେଖକ, ଯିଏ ନିଜର ଲେଖା ସମ୍ପର୍କରେ ସଂଶୟ ପୋଷଣ କରୁଥିଲେ। ‘ଦି ଗାର୍ଡିଆନ୍’ ପାଇଁ ହଜାରେ ଶବ୍ଦର ଲେଖା ଏବଂ ‘ଗ୍ରାଣ୍ଟା’ କି ‘ଲଣ୍ଡନ ରିଭ୍ୟୁ ଅଫ୍ ବୁକ୍ସ’ ପାଇଁ ଲମ୍ବା ନିବନ୍ଧ (ଦଶ ହଜାର କି ତଦୂର୍ଦ୍ଧ୍ବ ଶବ୍ଦ) ଲେଖିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ଲେଖାଗୁଡ଼ିକର ତିନିଟି ସଂକଳନରୁ ଗୋଟିକର ନାମ ଭବ୍ୟ ଢଙ୍ଗରେ (ଦୂରଦର୍ଶିତାର ସହ) ‘ଏ କଣ୍ଟ୍ରି ଫର୍ମର୍ଲି ନେମ୍ଡ ଗ୍ରେଟ ବ୍ରିଟେନ୍’ ରଖାଯାଇଛି। ସେହିପରି ‘ମୋଫସିଲ ଜଙ୍କସନ’ରେ ଭାରତ ସମ୍ପର୍କିତ ତାଙ୍କ ଶ୍ରେଷ୍ଠ ରଚନାଗୁଡ଼ିକ ସ୍ଥାନ ପାଇଛି। ତେବେ, ଅନେକ ବର୍ଷ ଯାଏ ସେ ଗୋଟିଏ ପ୍ରସଙ୍ଗ ଉପରେ ସଂପୂର୍ଣ୍ଣ ପୁସ୍ତକଟିଏ ରଚନା କରିବାକୁ ବିରୋଧ କରୁଥିଲେ। ରେଳପଥ ସମ୍ପର୍କରେ ଏକ ପୁସ୍ତକ ଲେଖିବା ପାଇଁ ପ୍ରକାଶକମାନେ ତାଙ୍କୁ ବାଧ୍ୟ କରିଥିଲେ, ସ୍କଟଲାଣ୍ଡରେ ସେ ବିତାଇଥିବା ସମୟ ବାବଦରେ ଲେଖିବା ଲାଗି ବନ୍ଧୁମାନେ ପ୍ରବର୍ତ୍ତାଇଥିଲେ, ମାତ୍ର ଜୀବନର ଶେଷ ଆଡ଼କୁ କ୍ଲାଇଡ୍ ନଦୀ ଓ ତାହାର ପାରିପାର୍ଶ୍ବିକ ସାମାଜିକ ଇତିହାସ ସମ୍ପର୍କରେ ସେ ଲେଖିବା ଆରମ୍ଭ କରିଥିଲେ। ମୋତେ ତାହାର ଦୁଇଟି ଅଧ୍ୟାୟର ପାଣ୍ଡୁଲିପି ପଢ଼ିବାର ସୌଭାଗ୍ୟ ଜୁଟିଥିଲା। ଐତିହାସିକ ଓ ପ୍ରାୟୋଗିକୀ ବିବରଣୀ ସହ ବ୍ୟକ୍ତିଗତ ସ୍ମୃତି ଯୋଡ଼ା ଯାଇଥିବା ସେଇ ଲେଖା ଚମତ୍କାର ଥିଲା। (ସେଥିରୁ ଗୋଟିକରେ ଅସାଧାରଣ ଜେମ୍ସ ଵାଟଙ୍କ ଚରିତ୍ର ଚିତ୍ରଣ କରାଯାଇଥିଲା।)
ସମ୍ବାଦଦାତା ଇଆନ୍ ଜ୍ୟାକ୍ଙ୍କ କିଛି ନମୁନା ସହ ମୁଁ ଏଇ ଶ୍ରଦ୍ଧାଞ୍ଜଳିକୁ ସାରିବାକୁ ଚାହୁଁଛି। ତାଙ୍କର ସ୍ତମ୍ଭ ଲେଖା ପରି ତାଙ୍କ ଚିଠିଗୁଡ଼ିକ ମଧ୍ୟ ତଥ୍ୟ ଭରା ରହିଥିଲା, କିନ୍ତୁ (ବୋଧହୁଏ ମଉଜିଆପଣ ପାଇଁ) ଟିକେ ଅଧିକ ଅନୌପଚାରିକ ଓ ଖୋଲାମେଲା ଥିଲା। ଯେତେବେଳେ ତାଙ୍କ ସହଯୋଗୀ ଗର୍ଡନ ବ୍ରାଉନ୍ ପ୍ରଧାନମନ୍ତ୍ରୀ ହେଲେ, ତାଙ୍କ ବିଷୟରେ ମୁଁ ଇଆନ୍ଙ୍କୁ ପଚାରିଥିଲି। ତାଙ୍କ ଉତ୍ତର ଥିଲା: ‘ସର୍ବଦା ତାଙ୍କ ପାଖରେ ସବୁ ଖବର ରହୁଥିଲା- ଯାହା ତାଙ୍କର ପ୍ରକୃତ ପରିଚୟ। ଜଣେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ସୁଗୁଣ କି ନାହିଁ, ତାହା ଅଲଗା କଥା, ମାତ୍ର ସାଂଘାତିକ ସାର୍କୋଜିଙ୍କ ଠାରୁ ଅନ୍ତତଃ ସେ ଶ୍ରେୟସ୍କର।’
କିଛି ବର୍ଷ ପରେ ମୁଁ ଇଆନ୍ଙ୍କୁ ଲେଖିଥିଲି କି ମୁଁ ଏଭଳି ଦଳେ ଯୁବ ଭାରତୀୟଙ୍କୁ ଭେଟିବାକୁ ଚାହୁଁଛି, ଯେଉଁମାନେ ‘ମାଓବାଦୀ ଚିନ୍ତାଧାରାରେ ବିମୁଗ୍ଧ ଏବଂ ଗାନ୍ଧୀ ବିରୋଧୀ ଥିଲେ’ ଏବଂ ଆଉ ଗୋଟିଏ ଦଳ ‘ବିଜେପି ଓ ଆର୍ଏସ୍ଏସ୍ ଦ୍ବାରା ଉତ୍ପ୍ରେରିତ ତଥା ସେମାନଙ୍କର ବିଚାରଧାରାରେ ଏକ ହିନ୍ଦୁ ମୂଳର ମଜଭୁତ ରାଷ୍ଟ୍ର ଗଠନର ଚିନ୍ତା ରହିଥିଲା ଏବଂ ସ୍ବାଭାବିକ ଭାବେ ସେମାନେ ମଧ୍ୟ ଗାନ୍ଧୀବିରୋଧୀ ଥିଲେ। କଠୋରତାବାଦ ଓ ହିଂସା କାହିଁକି ଯୁବକମାନଙ୍କର ଅଧିକ ପ୍ରିୟ ହେଉଛି ବୋଲି ମୁଁ ପଚାରିଥିଲି।
ଇଆନ୍ଙ୍କ ଉତ୍ତର ହେଲା: ‘ସୁନ୍ଦର ପ୍ରଶ୍ନ। ଟେଷ୍ଟୋଷ୍ଟେରନ୍? କଳ୍ପନାର ଅଭାବ? ଆମେମାନେ କୃତଜ୍ଞ ରହିବା ଉଚିତ ଯେ ସେନା ଓ ଯୁଦ୍ଧରେ ତାହାର ନିର୍ଗମ ଦ୍ବାରଗୁଡ଼ିକ ଏବେ ଭୀଷଣ ଭାବରେ ଅବରୁଦ୍ଧ ହୋଇଯାଇଛି, ସୁତରାଂ, ଏହାର ଅର୍ଥ ନାଗରିକ ଜୀବନରେ ଅଧିକ ହିଂସକ ବ୍ୟବହାର ଦେଖାଯାଇଛି। ତେବେ ଗମ୍ଭୀରତାର ସହ ବିଚାର କଲେ ଏହା ବୃଦ୍ଧି ପାଇବାର କାରଣ ହେଲା କର୍ମ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକାନିର୍ବାହ କରୁଛନ୍ତି ଏବଂ ପୁରୁଷଙ୍କ ଶାରୀରିକ ବଳର ଯେତିକି ଉପଯୋଗ ହେବା କଥା, ତା’ଠାରୁ ଯଥେଷ୍ଟ କମ୍ ହେଉଛି।
୨୦୦୮ ବେଳେ ଇଆନ୍ଙ୍କ ପାଖକୁ ମୁଁ ମୋର ଏକ ସ୍ତମ୍ଭ ପଠାଇ ଯୁକ୍ତି କରିଥିଲି କି ବେଳେ ବେଳେ ନୋବେଲ ବିଜେତାମାନଙ୍କର କାର୍ଯ୍ୟର ସରସତା ସେମାନେ ପୁରସ୍କାର ପାଇବା ପରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖା ଯାଉଛି। ସେ ଉତ୍ତର ଦେଇଥିଲେ, ‘୧୯୧୩ ପରେ ରବୀନ୍ଦ୍ରନାଥ ଠାକୁର ଆଉ ଅଧିକ ଭଲ ଲେଖିଥିଲେ କି? ନାଇପଲ ପ୍ରମାଣ କରିଦେଇଥିଲେ କି ଏମିତି ସମୟ ଆସିବ ଯେବେ ଲେଖକମାନେ ଲେଖିବା ବନ୍ଦ କରିଦେବେ। ରୋଥ୍ (ଫିଲିପ ରୋଥ୍) ହେଉଛନ୍ତି ଏକ ବ୍ୟତିକ୍ରମ (ଅଦ୍ୟାବଧି) ଏବଂ ବେଲୋ (ସଲ୍ ବେଲୋ) ମଧ୍ୟ ସେହିପରି ହୋଇପାରନ୍ତି, ମାତ୍ର ଲେଖକମାନେ ବିଶେଷ କରି ଔପନ୍ୟାସିକମାନଙ୍କର କହିବାର କଥା ସାଧାରଣତଃ ସରି ଯାଇଥାଏ। ଲେଖକ ଜୀବନର ଏକ ଭୟଙ୍କର କଥା ହେଲା, ଅର୍ଥ ଓ ଆତ୍ମସମ୍ମାନ ପାଇଁ ସେମାନଙ୍କୁ ତାହା ବଜାୟ ରଖିବାକୁ ପଡ଼ିଥାଏ। ବୋଧହୁଏ ନୋବେଲ ପୁରସ୍କାର ଜିତିବାର ପରବର୍ତ୍ତୀ ଲକ୍ଷଣରେ ବୟସର ଭୂମିକା ରହିଥାଏ। ପାମୁକ (ତୁର୍କୀ ଲେଖକ ଓରାନ ପାମୁକ), ଯୁବକ ହୋଇଥିବାରୁ ସେ ପରୀକ୍ଷଣ ନମୁନା ଭାବେ ନିରୀକ୍ଷଣଯୋଗ୍ୟ।’
କାହାଣୀର ଲେଖକଙ୍କ ପାଇଁ ଯାହା, ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ତାହା ପ୍ରଣିଧାନଯୋଗ୍ୟ। ଭାରତ ଏବଂ ୟୁକେରେ ଅଧିକାଂଶ ସମ୍ବାଦପତ୍ର ସ୍ତମ୍ଭକାର (ଏବଂ କେବଳ ପୁରୁଷ ନୁହନ୍ତି) ବୟସର ତାଳେତାଳେ ବଡ଼ିମାପୂର୍ଣ୍ଣ ତଥା ଗତାନୁଗତିକ ହୋଇଯାଇଥା’ନ୍ତି। ଇଆନ୍ କିନ୍ତୁ ଜଣେ ବ୍ୟତିକ୍ରମ ଥିଲେ। ସେ ସତୁରି ବର୍ଷ ବୟସ୍କ ଥିବା ବେଳେ ତାଙ୍କ ଲେଖାଗୁଡ଼ିକ ଯେଭଳି ତାଜା ଓ ଜୀବନ୍ତ, ତିରିଶ ବର୍ଷ ବୟସେର ମଧ୍ୟ ଅନୁରୂପ ଥିଲା। ଯଦିଓ ସେ ତାଙ୍କର ‘କ୍ଲାଇଡ୍’ ପୁସ୍ତକଟିକୁ ସାରି ପାରିନାହାନ୍ତି, ତଥାପି ତାହା ଏତେ ବିସ୍ତୃତ ତଥା ସମୃଦ୍ଧ ଯେ କେହି ବି ଉତ୍ସାହୀ ପ୍ରକାଶକ ସହଜରେ ପ୍ରକାଶ କରିପାରିବେ ଏବଂ ଏଥି ସହିତ ତାଙ୍କ ବଛା ବଛା ଚିଠିଗୁଡ଼ିକର ମଧ୍ୟ ଏକ ସଂକଳନ ପୁସ୍ତକ ରୂପ ନେଇ ପାରିବ।