ପାଞ୍ଚ ଦଶନ୍ଧିର ସଂଘର୍ଷ ଓ କୋଟିଆ ସଙ୍କଟ

ଗୌରଚନ୍ଦ୍ର ତ୍ରିପାଠୀ

କୋଟିଆ କ’ଣ ଓଡ଼ିଶା ମାନଚିତ୍ରରୁ କଟିଯିବ? ଏହି ଆଶଙ୍କାର ପ୍ରତିହତ ପାଇଁ ଅକ୍ଟୋବର ୧୬ ତାରିଖରେ କୋଟିଆ ବଞ୍ଚାଅ ଅଭିଯାନ ପକ୍ଷରୁ ଡାକରା ଦିଆଯାଇଥିଲା: ସବୁ ଓଡ଼ିଆ- ଚାଲ ଦେଓମାଳି, ଚାଲ କୋଟିଆ। ଏହି ଅଭିଯାନରେ ଓଡ଼ିଶାର ସୀମା ସୁରକ୍ଷା ସହ ଜଡ଼ିତ ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମା’-ମାଟି ପ୍ରତି ମମତା ରଖୁଥିବା ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ରାଜ୍ୟର ସୀମା ବିବାଦ ଉପରେ ଗୁରୁତ୍ବ ଦେଇ ଓଡ଼ିଶାବାସୀ ଚିନ୍ତା କରିବାର ସମୟ ଆସିଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଆମ ଖାମଖିଆଲ ମନୋଭାବ ଯୋଗୁଁ ଆମେ ଶଢ଼େଇକଳା, ଖରସୁଆଁ, ସିଂଘଭୂମ, ଢୋଲଭୂମ, ଚାଇଁବସା, ମେଦିନୀପୁର, ବିଳାସପୁର, ରାଇପୁର, ଜଗଦଲପୁର ସମେତ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଥିବା ପଲାସା, ମଞ୍ଜୁଷା, ଇଚ୍ଛାପୁର, ସାଲୁର, ବୋବଲି ପରି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ହରାଇ ସାରିଛେ। ତେଣୁ ବର୍ତ୍ତମାନ ସତର୍କ ନହେଲେ ଯେ କୋଟିଆକୁ ଖୁବଶୀଘ୍ର ଆନ୍ଧ୍ର କରାୟତ କରିନେବ, ଏଥିରେ କୌଣସି ଦ୍ବିମତ ନାହିଁ।

କୋଟିଆ ସମ୍ପର୍କରେ ଆଲୋଚନା ପୂର୍ବରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଲୋଚନା କରିବାର ପ୍ରାସଙ୍ଗିକତା ରହିଛି। ୧୯୩୬ ଏପ୍ରିଲ ୧ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଲୋକମାନେ ଭାରତର ବେଙ୍ଗଲ ପ୍ରେସିଡେନ୍‌ସି, ମାଡ୍ରାସ ପ୍ରେସିଡେନ୍‌ସି ଏବଂ ସେଣ୍ଟ୍ରାଲ ପ୍ରୋଭିନ୍ସେସ୍‌ରେ ଛିନ୍ନବିଚ୍ଛିନ୍ନ ହୋଇ ରହିଥିଲେ। ସେମାନଙ୍କୁ ଏକଜୁଟ କରି ଗୋଟିଏ ପ୍ରାଶାସନିକ କ୍ଷେତ୍ରରେ ରଖିବା ପାଇଁ ଉତ୍କଳ ସଭା, ଉତ୍କଳ ସମ୍ମିଳନୀ, ଉତ୍କଳ ମିଳନ ସମାଜ ପରି ‘ଓଡ଼ିଆଙ୍କ ପାଇଁ ଓଡ଼ିଶା’ର ସ୍ବପ୍ନ ଦେଖୁଥିବା ଅନୁଷ୍ଠାନମାନଙ୍କ ପକ୍ଷରୁ ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ସଂଘର୍ଷ ଜାରି ରହିଥିଲା। ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ବାଲେଶ୍ବରର ରାଜା ବୈକୁଣ୍ଠନାଥ ଦେ, ଜୟପୁରର ରାଜା ବିକ୍ରମଦେବ ବର୍ମା, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳଗୌରବ ମଧୁସୂଦନ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମହାପାତ୍ର, ବାବୁ ବିଚିତ୍ରାନନ୍ଦ ପଟ୍ଟନାୟକ, ସମ୍ବଲପୁରର ମଦନମୋହନ ମିଶ୍ରଙ୍କ ପରି ମହାମନୀଷୀମାନେ ଏହି ସଂଘର୍ଷର ନେତୃତ୍ବ ନେଇଥିଲେ। ଏପରିକି ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ୧୯୩୦ ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ପ୍ରଥମ ଗୋଲ ଟେବୁଲ ବୈଠକରେ ଯୋଗଦେଇ ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଦୃଢ଼ ଯୁକ୍ତି ବାଢ଼ିଥିଲେ।

ଏହି ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରିବାରେ ଏବଂ ଜାଗରଣ ସୃଷ୍ଟି କରିବାରେ କଟକରୁ ପ୍ରକାଶିତ ‘ଉତ୍କଳ ଦୀପିକା’ ଓ ‘ସମାଜ’, ବ୍ରହ୍ମପୁରର ‘ଆଶା’ ଓ ‘ନବୀନ’, ମେଦିନୀପୁରର ‘ମେଦିନୀବାନ୍ଧବ’, ରମ୍ଭାର ‘ପ୍ରଜାବନ୍ଧୁ’, ସମ୍ବଲପୁରରୁ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ପରି ପତ୍ରିକା ଓ ସଂବାଦପତ୍ରର ପ୍ରମୁଖ ଭୂମିକା ରହିଥିଲା। ୧୮୯୫ ମସିହାରୁ ୧୯୦୫ ମସିହା ଯାଏ ‘ଓଡ଼ିଆ’ ଓ ‘ନବସମ୍ବାଦ’ ପତ୍ରିକାରେ ସମ୍ବଲପୁର ଓ ଏହାର ନିକଟବର୍ତ୍ତୀ ବାମରା, ବିଳାସପୁର, ପାଟଣା, ସୋନପୁର, ରାଇପୁର ଆଦି ରାଜରାଜୁଡ଼ା ଅଞ୍ଚଳର ମିଶ୍ରଣ ଏବଂ ଚାଇଁବସା ଓ ସିଂଘଭୂମର ଓଡ଼ିଶା ସହ ମିଶ୍ରଣ ପାଇଁ ଜନମତ ପ୍ରକାଶ ପାଉଥିଲା। ‘ଉତ୍କଳ ଦୀପିକା’ ଓ ‘ସମାଜ’ ଖବରକାଗଜ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସମ୍ପୂର୍ଣ୍ଣ ଏକତ୍ରୀକରଣ ସମ୍ପର୍କରେ ଦାବି ଜଣାଇବା ସହ ଏ ସଂପର୍କରେ ଜନମତର ପୃଷ୍ଠାମଣ୍ଡନ କରୁଥିଲେ। ‘ଆଶା’ ଖବରକାଗଜ ତେଲୁଗୁ ଆଧିପତ୍ୟ ଓ ଉପନିବେଶବାଦର ଦୃଢ଼ ବିରୋଧ କରି ଆସୁଥିଲା। ‘ସମାଜ’ ଖବରକାଗଜରେ ଓଡ଼ିଆ ଜାତି ପାଇଁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଏକ ଜୀବନମରଣ ସମସ୍ୟା ଭାବେ ଅଭିବ୍ୟକ୍ତ କରାଯାଇଥିଲା। କବି, ଲେଖକ ଓ ସାହିତ୍ୟ ସାଧକମାନେ ମଧ୍ୟ ଓଡ଼ିଆଙ୍କ ମନପ୍ରାଣରେ ଜାତିପ୍ରେମ ବହ୍ନି ପ୍ରଜ୍ବଳିତ କରିବାର ଆପ୍ରାଣ ଉଦ୍ୟମ କରିଥିଲେ। କବି ମାୟାଧର ମାନସିଂହଙ୍କ ‘ଉତ୍ତିଷ୍ଠ ଉତ୍କଳ’ କବିତାର କିଛି ଅଂଶ ଏଠାରେ ପ୍ରଣିଧାନଯୋଗ୍ୟ- ଉଠରେ ସୁପ୍ତ ଜାତି/ ନିଦ୍ରା-ବିଭୋର ଦେଖି ତୋ ପଡ଼ୋଶୀ, ନେବେ ତୋ ଅଙ୍ଗ କାଟି/ ଉତ୍ତରେ ଅଛି ଚତୁର ବଙ୍ଗ/ ଦକ୍ଷିଣେ ରହିଛି ଟାକି ତେଲେଙ୍ଗା/ ଗୃଧ୍ର ସମାନ ଖୁମ୍ପିବେ ଅଙ୍ଗ/ ନେବେ ଆନନ୍ଦେ ବାଣ୍ଟି,/ ଜୀବନଟା ଯଦି ଖାଲି ଚାହୁଁ, ଆଜି/ ଉଠରେ ସୁପ୍ତ ଜାତି।

ସମଗ୍ର ଓଡ଼ିଶା ଏବଂ ବିଚ୍ଛିନ୍ନାଞ୍ଚଳର କୋଣଅନୁକୋଣରୁ ଏକତ୍ରୀକରଣର ଯେଉଁ ସ୍ବର ଉତ୍ତୋଳନ ହୋଇଥିଲା ତାହା ବ୍ରିଟିସ୍ ଶାସନର ମନପ୍ରାଣରେ କମ୍ପନ ସୃଷ୍ଟି କରିଥିଲା। ଉତ୍କଳ ଏକତ୍ରୀକରଣ ଚିନ୍ତାଧାରାର ଉତ୍ପତ୍ତି ହୋଇଥିଲା ୧୮୬୭ ଜୁଲାଇ ୨୫ରେ ଭାରତର ସେକ୍ରେଟାରି ଅଫ ଷ୍ଟେଟ ଷ୍ଟାଫୋର୍ଡ ନର୍ଥକୋଟଙ୍କ ଦ୍ବାରା କାଉନସିଲ ଫର୍‌ ଇଣ୍ଡିଆର ଗଭର୍ନର ଜେନେରାଲଙ୍କୁ ଲିଖିତ ଚିଠିରୁ। ଏହି ଚିଠିରେ ସେ ଓଡ଼ିଶା ଏବଂ ଅନ୍ୟ ସମଭାବାପନ୍ନ ଅଞ୍ଚଳ ସବୁକୁ ସ୍ବାଧୀନ ଅଞ୍ଚଳ ରୂପେ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। କମିସନର ଅଫ୍‌ ଓଡ଼ିଶା ଏଚ. ଜି. କୁକ ୧୮୯୫ ଜୁଲାଇରେ ଏହା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ୧୯୦୩ ମସିହାରେ ଲର୍ଡ କର୍ଜନଙ୍କ ସରକାର ମଧ୍ୟ ଓଡ଼ିଆ ଭାଷାଭାଷୀଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନର ଚିନ୍ତା କରିଥିଲେ ଏବଂ ଏହାର ରୂପରେଖ କ’ଣ ହେବ ତାହା ତତ୍କାଳୀନ ବଙ୍ଗ ସରକାରଙ୍କୁ ପ୍ରେରିତ ‘ରିସଲି ସର୍କୁଲାର’ ରେ ପ୍ରକାଶ ପାଇଥିଲା। ଫଳସ୍ୱରୂପ ସମ୍ବଲପୁର, ପାଟଣା, କଳାହାଣ୍ଡି, ସୋନପୁର, ବାମରା ଓ ରେଢ଼ାଖୋଲ କେନ୍ଦ୍ରାଞ୍ଚଳରୁ ଏବଂ ଗାଙ୍ଗପୁର ଓ ବଣାଇ ଛୋଟନାଗପୁର ଡିଭିଜନରୁ ଆସି ଓଡ଼ିଶାରେ ମିଶିଥିଲା। ଏହିପରି ଭାବରେ ବାଲେଶ୍ବର, କଟକ, ପୁରୀ, ଅନୁଗୁଳ ଓ ସମ୍ବଲପୁର ସହିତ ୨୪ଟି ଗଡ଼ଜାତ ରାଜ୍ୟକୁ ନେଇ ୧୯୦୫ ମସିହାରେ ଓଡ଼ିଶା ପ୍ରଦେଶର ଗଠନ କରାଯାଇଥିଲା। କିନ୍ତୁ ଏଥିରୁ ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍ସିକୁ ବାଦ ଦିଆଯାଇଥିଲା। ପରେ ୧୯୧୨ ମସିହାରେ ଲର୍ଡ ହାର୍ଡିଂସଙ୍କ ଦ୍ବାରା ବଙ୍ଗଭଙ୍ଗ ବ୍ୟବସ୍ଥାକୁ ରଦ୍ଦ କରାଯିବା ପରେ ଶଢ଼େଇକଳା ଓ ଖରସୁଆଁ ଓଡ଼ିଶାରେ ମିଶି ରାଜ୍ୟର ଗଡ଼ଜାତ ଅଞ୍ଚଳ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା। ଏହି ବ୍ୟବସ୍ଥା ୧୯୩୬ ମସିହା ଯାଏ ଅପରିବର୍ତ୍ତିତ ରହିଥିଲା।

ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍‌ସିକୁ ବାଦ ଦିଆଯିବା ନିଷ୍ପତ୍ତି ବିରୋଧରେ ଉତ୍କଳ ସମ୍ମିଳନୀ ଏବଂ ଗଞ୍ଜାମ ଓଡ଼ିଆ ସମାଜ ଆନ୍ଦୋଳନକୁ ତୀବ୍ର ରୂପ ଦେଇଥିଲେ। ୧୯୦୭ ମସିହାରେ ଏ ନେଇ ରୟାଲ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଓଡ଼ିଆଙ୍କ ସ୍ବାର୍ଥର ଅଣଦେଖା କରାଯାଉଥିବାରୁ ବ୍ରିଟିସ୍ ପାର୍ଲିଆମେଣ୍ଟରେ ଲର୍ଡ କର୍ଜନ ଏହାର ନିନ୍ଦା କରିଥିଲେ। ୧୯୧୬ ମସିହାରେ ଘୋଷିତ ମଣ୍ଟଫୋର୍ଡ ସୁଧାର ଯୋଜନା, ଯେଉଁଥିରେ ପ୍ରାଦେଶିକ ସ୍ୱାୟତ୍ତତାର ପ୍ରସ୍ତାବ ଥିଲା, ଓଡ଼ିଆଙ୍କ ମନରେ ଆଶା ସଂଚାର କରିଥିଲା। ମଧୁସୂଦନ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ୧୯୧୭ ଡିସେମ୍ବର ୧୧ରେ କଲିକତା ଠାରେ ସେକ୍ରେଟାରି ଚେମ୍‌ସଫୋର୍ଡଙ୍କୁ ସାକ୍ଷାତ କରିଥିଲେ ଏବଂ ଗ୍ରିରସୋନ ସର୍ଭେ ରିପୋର୍ଟ ଆଧାରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ୧୯୨୪ ମସିହା ବେଳକୁ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ସହିତ ‘ଓଡ଼ିଆ ଓଡ଼ିଶା’ର ଗଠନ ଓଡ଼ିଶାବାସୀଙ୍କ ମୁଖ୍ୟ ଦାବି ଥିଲା। ଏହାର ବିଚାର ପାଇଁ ସେହିବର୍ଷ ବ୍ରିଟିସ୍ ସରକାର ପଲିଟିକାଲ ଏଜେଣ୍ଟ ସି.ଏଲ. ଫିଲିପ୍‌ସ ଏବଂ ବେଲାରି ଜିଲ୍ଲାପାଳ ଏ.ସି. ଡୋଫଙ୍କୁ ନେଇ ଏକ କମିଟି ଗଠନ କଲେ। ଏହି କମିଟି ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶା ସହିତ ମିଶ୍ରଣ ସପକ୍ଷରେ ମତ ରଖିଥିଲେ। ମଣ୍ଟଫୋର୍ଡ ରିପୋର୍ଟ ଯେତେ ଶୀଘ୍ର ସମ୍ଭବ ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ଦେଇଥିଲା ଏବଂ ଏହାର କାର୍ଯ୍ୟକାରିତା ପାଇଁ ୧୯୨୮ ମସିହାରେ ସାର୍‌ ଜନ୍‌ ସାଇମନଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିସନର ଆଗମନକୁ ସମଗ୍ର ଭାରତବର୍ଷରେ ବିରୋଧ କରାଯାଇଥିବା ବେଳେ ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ଲକ୍ଷ୍ମୀଧର ମହାନ୍ତି ଓ ଓଡ଼ିଶା ବିଧାନସଭାର ଦୁଇଜଣ ସଦସ୍ୟ କମିସନକୁ ସହାୟତାର ହାତ ବଢ଼ାଇଥିଲେ। ସାଇମନ କମିସନ ପ୍ରାଶାସନିକ, ସାମାଜିକ, ଭାଷାଗତ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ସକାରାତ୍ମକ ମତ ପୋଷଣ କରିଥିଲେ ଏବଂ କମିସନରଙ୍କ ପରାମର୍ଶକ୍ରମେ ମେଜର ଅଟଲିଙ୍କ ନେତୃତ୍ବରେ ଏକ ସବ୍‌କମିଟି ଗଠନ କରାଯାଇଥିଲା। ତାହାର ରିପୋର୍ଟ ଭିତ୍ତିରେ ଭାରତ ସରକାରଙ୍କ ରିଫର୍ମସ୍‌ କମିଟି ପକ୍ଷରୁ ‘ଓଡ଼ିଶା ସୀମା ନିର୍ଦ୍ଧାରଣ’ କମିଟି ଗଠନ ପାଇଁ ଆଦେଶନାମା ଜାରି କରାଗଲା। ଏହି କମିଟି ଓଡ଼ିଶା ଡିଭିଜନ ସହିତ ଗଞ୍ଜାମ ଏବଂ ବିଶାଖାପାଟଣା ଏଜେନ୍‌ସିର ମିଶ୍ରଣ ପାଇଁ ସୁପାରିସ କଲେ। ତୃତୀୟ ଗୋଲ ଟେବୁଲ ବୈଠକର ସମାପ୍ତି ପରେପରେ ସେକ୍ରେଟାରି ସାର ସାମୁଏଲ ହୋର ୧୯୩୨ ଡିସେମ୍ବର ୨୪ରେ ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ଘୋଷଣା କଲେ। ଏ ସଂକ୍ରାନ୍ତରେ ୧୯୩୩ ମାର୍ଚ୍ଚରେ ଏକ ଶ୍ବେତପତ୍ର ଜାରି କରାଗଲା ଯେଉଁଥିରେ ଓଡ଼ିଶାକୁ ବ୍ରିଟିସ୍ ଇଣ୍ଡିଆର ୧୧ତମ ଗଭର୍ନରଙ୍କ ପ୍ରଦେଶ ଭାବେ ଘୋଷଣା କରାଗଲା। କିନ୍ତୁ ଓଡ଼ିଶା ପ୍ରଦେଶରୁ ବିଶାଖାପାଟଣା ଏଜେନ୍‌ସିକୁ ବାଦ ଦିଆଗଲା। ସମଗ୍ର ରାଜ୍ୟରେ ଏହି ଶ୍ବେତପତ୍ର ବିରୋଧରେ ସ୍ବର ଉଠିଲା। ଉତ୍କଳ ସମ୍ମିଳନୀ ପକ୍ଷରୁ ମଧ୍ୟ ଶ୍ବେତପତ୍ରକୁ ଅଗ୍ରାହ୍ୟ କରାଗଲା ଏବଂ ନ୍ୟାୟତଃ, ଶାନ୍ତିପୂର୍ଣ୍ଣ ଭାବେ ଏବଂ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ଏହାର ବିରୋଧ ପାଇଁ ନିଷ୍ପତ୍ତି ନିଆଗଲା। ଶେଷରେ ଜଏଣ୍ଟ ସିଲେକ୍ଟ କମିଟି ପକ୍ଷରୁ ବିଶାଖାପାଟଣା ଏଜେନ୍‌ସିକୁ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣର ସବୁଜ ସଙ୍କେତ ଦିଆଗଲା।

ଏହିପରି ଭାବରେ ୧୯୩୬ ମସିହା ଏପ୍ରିଲ ୧ରେ ୩୨ ହଜାର ୬୯୫ ବର୍ଗମାଇଲ ଅଞ୍ଚଳ ମଧ୍ୟରେ ୮୦ ଲକ୍ଷ ୪୩ ହଜାର ୬୮୧ ଜଣ ଅଧିବାସୀଙ୍କୁ ନେଇ କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛ’ଟି ଜିଲ୍ଲା ବିଶିଷ୍ଟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଜନ୍ମ ନେଲା। କିନ୍ତୁ ଦୁଃଖର ବିଷୟ, ଓଡ଼ିଆ ଜାତିର ପାଞ୍ଚ ଦଶନ୍ଧିର ନିରନ୍ତର ସଂଘର୍ଷ, ଦୃଢ଼ ଇଚ୍ଛାଶକ୍ତି, ଅଦମ୍ୟ ଉଚ୍ଛ୍ବାସ, ଏକନିଷ୍ଠ ସାଧନା ଓ ବଳିଦାନର ଅଖଣ୍ଡ ଓଡ଼ିଶା ଆଜି ସଙ୍କଟରେ। ଆନ୍ଧ୍ରର ଉପନିବେଶବାଦ ଚିନ୍ତାଧାରା ଏବଂ ଓଡ଼ିଆ ଜାତିର ସ୍ବାଭିମାନବୋଧର ଅଭାବ ଯୋଗୁଁ ଆଜି କୋଟିଆ ଅଞ୍ଚଳ ଓଡ଼ିଶାରୁ ହାତଛଡ଼ା ହୋଇଯିବାର ଆଶଙ୍କା ଆଣିଛି। ଆନ୍ଧ୍ର କଳେ, ବଳେ, ଛଳେ କୋଟିଆ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଉଦ୍ୟମ କରୁଛି। ଅପରପକ୍ଷରେ, ଆମ ରାଜ୍ୟର ପ୍ରଜା ସୁପ୍ତ, ନେତା-ମନ୍ତ୍ରୀ ଅଚିନ୍ତନୀୟ ଭାବେ ନିର୍ବିକାର ଥିବାର ମନେ ହେଉଛି। ଆଜି ମାୟାଧର ମାନସିଂହଙ୍କ ‘ଉଠରେ ସୁପ୍ତ ଜାତି’ ଆମ ମନରେ ଗୁଞ୍ଜରିତ ହେବା ଅତ୍ୟାବଶ୍ୟକ ହୋଇପଡ଼ିଛି।

ମୋ: ୯୯୩୭୦୪୨୫୨୭

ସମ୍ବନ୍ଧିତ ଖବର