ଆରକ୍ଷଣ କ’ଣ ଦାରିଦ୍ର୍ୟ ରୋଗର ପ୍ରତିକାର

ଯୋଗେନ୍ଦ୍ର ଯାଦବ

ସାଧାରଣ ବର୍ଗର ଗରିବ ଲୋକଙ୍କ ପାଇଁ ଆରକ୍ଷଣକୁ ସୁପ୍ରିମ୍‌ କୋର୍ଟ ସ୍ବୀକୃତି ଦେଇଛନ୍ତି। ଉପରଠଉରିଆ ଭାବେ ଦେଖିଲେ ଏହି ନିଷ୍ପତ୍ତି ନ୍ୟାୟସଂଗତ ଓ ତର୍କସଂଗତ ମନେ ହେଉଛି। ମାତ୍ର ଟିକେ ଭିତରକୁ ଗଲେ ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କର ଏହି ନିଷ୍ପତ୍ତି ପରେ କେତେକ ବିରାଟ ପ୍ରଶ୍ନ ଛିଡ଼ା ହୋଇଛି।

ଏହା ନିଃସନ୍ଦେହ ଯେ ସବର୍ଣ୍ଣ ଜାତିଗୁଡ଼ିକରେ ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସଂଖ୍ୟା ବହୁତ ଅଧିକ। ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗରୀରେ ମଜୁରି କରିବା ଲାଗି ବାଧ୍ୟ ହେଉଥିବା ବିହାର ଓ ଉତ୍ତର ପ୍ରଦେଶର ଲୋକଙ୍କ ଭିତରେ ସିଂହଭାଗ ହେଉଛନ୍ତି ସବର୍ଣ୍ଣ ଜାତିର ଶ୍ରମିକ। ଏହା ମଧ୍ୟ ନିଃସନ୍ଦେହ ଯେ ଶିକ୍ଷା ଓ ଚାକିରି ହାସଲ ପାଇଁ ପରିବାରର ଆର୍ଥିକ ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଆଜିକାଲି ଟିଉସନ୍‌ ଓ କୋଚିଂ ଉପରେ ପ୍ରତ୍ୟେକ ପରୀକ୍ଷା ନିର୍ଭର କରୁଛି। ଜଣେ ଆଶାୟୀଙ୍କର ଜାତି ଯାହା ବି ହେଉ, ଯଦି ବାପାମାଆ ମହଙ୍ଗା କୋଚିଂ ବ୍ୟବସ୍ଥା କରି ନ ପାରିବେ, ତେବେ ତାଙ୍କର ଉଚ୍ଚଶିକ୍ଷା କି ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାର ସମ୍ଭାବନା ବହୁତ କମ୍‌। ସୁତରାଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗ ବ୍ୟତିରେକ ସାଧାରଣ ବର୍ଗର ଗରିବ ପରିବାର ପିଲାଙ୍କ ପାଇଁ କିଛି ବ୍ୟବସ୍ଥା କରିବା ଜରୁରୀ।
ତେବେ ଏହି ବ୍ୟବସ୍ଥା କ’ଣ ଆରକ୍ଷଣର ରୂପ ନେବ? ଦାରିଦ୍ର୍ୟ ଆଧାରରେ ମିଳିବାକୁ ଥିବା ଏହି ଆରକ୍ଷଣରୁ କ’ଣ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଗରିବମାନେ ବାଦ୍‌ ପଡ଼ିବେ? ଏଇ ପ୍ରଶ୍ନ ସୁପ୍ରିମ୍ କୋର୍ଟଙ୍କ ସାମନାକୁ ମଧ୍ୟ ଆସିଥିଲା। ସରକାର ୨୦୧୯ ନିର୍ବାଚନ ପୂର୍ବରୁ ସମ୍ବିଧାନର ୧୦୩ତମ ସଂଶୋଧନ ଜରିଆରେ ସାଧାରଣ ବର୍ଗର ଗରିବ ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କରାଇଥିଲେ। ସେ ସମୟରେ ସବୁ ରାଜନୈତିକ ଦଳ ତାହାକୁ ସମର୍ଥନ କରିଥିଲେ।

ଏହା ପୂର୍ବରୁ ନରସିଂହା ରାଓଙ୍କ କଂଗ୍ରେସ ସରକାର ମଧ୍ୟ ଏଭଳି ବ୍ୟବସ୍ଥା କରିଥିଲେ। ମାତ୍ର ସୁପ୍ରିମ୍ କୋର୍ଟ ତାହାକୁ ଅସାମ୍ବିଧାନିକ ଦର୍ଶାଇ ଖାରଜ କରିଦେଇଥିଲେ। ଏଇ ନୂଆ ସଂଶୋଧନ ବିରୋଧରେ ମଧ୍ୟ ସୁପ୍ରିମ୍ କୋର୍ଟରେ ମାମଲା ଦାଏର ହୋଇଥିଲା। ମାତ୍ର ଏଥର ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ସ୍ବୀକୃତିର ମୋହର ମାରିଦେଲେ। ତେବେ ଏହି ନିଷ୍ପତ୍ତି ଏକମତରେ ହୋଇନଥିଲା। ନ୍ୟାୟମୂର୍ତ୍ତି ମାହେଶ୍ବରୀ, ତ୍ରିବେଦୀ ଓ ପାରଦିଵାଲା ପ୍ରମୁଖ ଏହି ସମ୍ବିଧାନ ସଂଶୋଧନକୁ ଠିକ୍‌ ଦର୍ଶାଇଥିବା ବେଳେ ପ୍ରାକ୍ତନ ନ୍ୟାୟାଧୀଶ ୟୁ ୟୁ ଲଳିତ ଓ ନ୍ୟାୟମୂର୍ତ୍ତି ଭଟ୍ଟ ସଂବିଧାନ ସଂଶୋଧନକୁ ଅସମ୍ବିଧାନିକ କହିଥିଲେ। ମାନ୍ୟବର ଅଦାଲତ ଶୁଣାଇଥିବା ରାୟରେ ପ୍ରଦତ୍ତ ତର୍କ ଆଧାରରେ କିଛି ପ୍ରଶ୍ନ ଉଠାଇବା ଜରୁରୀ ହୋଇପଡ଼ିଛି। ସେହିପରି ସାମ୍ପ୍ରତିକ ସ୍ଥିତିରେ ନ୍ୟାୟିକ ପ୍ରସଙ୍ଗକୁ ଛାଡ଼ି ଦୁଇଟି ବଡ଼ ପ୍ରଶ୍ନ ଉଠାଇବାର ମଧ୍ୟ ଆବଶ୍ୟକତା ରହିଛି।

ପ୍ରଥମ ପ୍ରଶ୍ନ ହେଲା, ଏହି ଦାରିଦ୍ର୍ୟ ରୂପୀ ବେମାର ପାଇଁ ଆରକ୍ଷଣ କ’ଣ ଠିକ୍‌ ପ୍ରତିକାର? ଏଥିରେ ଥିବା ଏକ ନ୍ୟାୟିକ ପେଞ୍ଚ ହେଉଛି ସାଧାରଣ ବର୍ଗର ଗରିବ ଲୋକଙ୍କ ନିମନ୍ତେ ଏହି ସ୍ବତନ୍ତ୍ର ସୁବିଧାକୁ କ’ଣ ‘ସାମାଜିକ ଓ ଶୈକ୍ଷିକ ସ୍ତରରେ ଅନଗ୍ରସର ବର୍ଗ’ ପାଇଁ ଲାଗୁ କରିବାକୁ ସମ୍ବିଧାନ ଅନୁମତି ଦେବ? ଏହି ନ୍ୟାୟିକ ପେଞ୍ଚ ଛଡ଼ା ପ୍ରଶ୍ନ ଉଠେ କି ଆରକ୍ଷଣ ପରି ତନ୍ତ୍ରକୁ ଆଉ କିଭଳି ପରିସ୍ଥିତିରେ ଲାଗୁ କରିବା ଯଥାର୍ଥ ହେବ? ଏଯାବତ୍‌ ଆରକ୍ଷଣ ସପକ୍ଷରେ ଯୁକ୍ତି ହେଉଛି ଯେ ଏହା ଏକ ଅସାଧାରଣ ତନ୍ତ୍ର ଯାହାର ବ୍ୟବହାର କେବଳ ପିଢ଼ି ପରେ ପିଢ଼ି ଶହ ଶହ ବର୍ଷର ସାମାଜିକ ବାସନ୍ଦ ଓ ପ୍ରତାରଣାକୁ କାଟିବା ପାଇଁ ବ୍ୟବହୃତ ହେବା ଉଚିତ।

ଯଦି ଏହା କୌଣସି ଗୋଟିଏ ପରିବାର ବା ବ୍ୟକ୍ତିବିଶେଷର ଅସୁବିଧା କି ସୁବିଧାର ସମାନତା ପାଇଁ ବ୍ୟବହାର କରାଯାଏ, ତେବେ ଏହି ଆରକ୍ଷଣ ରୂପକ ଅସାଧାରଣ ତନ୍ତ୍ରର ଦୁରୁପଯୋଗ ହେବ। ଯଦି ଦାରିଦ୍ର୍ୟ ଯୋଗୁଁ ସୃଷ୍ଟ ଅସମାନତାକୁ ସଂଶୋଧନ କରିବା କଥା, ତେବେ ଉତ୍ତମ ଶିକ୍ଷା ବ୍ୟବସ୍ଥା, ଛାତ୍ରବୃତ୍ତି ଓ ଅନ୍ୟାନ୍ୟ ଶୈକ୍ଷିକ ସୁବିଧା ଯୋଗାଇବା ଶ୍ରେୟସ୍କର ହେବ। ଯଦି ଗରିବଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ବାସ୍ତବରେ ଉତ୍ତମ ସୁବିଧା ଯୋଗାଇବା କଥା, ତେବେ ଶିକ୍ଷାର ଘରୋଇକରଣକୁ ପ୍ରଥମେ ରୋକିବାକୁ ହେବ, ଯେଉଁଥି ଯୋଗୁଁ ଗରିବ ପିଲାମାନେ ଉତ୍ତମ ଶିକ୍ଷା ଲାଭ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ପ୍ରଶ୍ନ ହେଉଛି, ଆରକ୍ଷଣର ଏହି ଲଲିପପ୍‌କୁ ଉଚ୍ଚ ଜାତିର ଗରିବଙ୍କୁ କ’ଣ ଏଇଥି ପାଇଁ ଧରାଇ ଦିଆଯାଉଛି କି ଏହାଦ୍ବାରା ମହଙ୍ଗା ହୋଇ ପଡ଼ିଥିବା ଶିକ୍ଷା ଯୋଗୁଁ ସୃଷ୍ଟ ସେମାନଙ୍କ କ୍ଷୋଭରୁ ଧ୍ୟାନ ହଟାଯାଇପାରିବ?

ଦ୍ବିତୀୟ ପ୍ରଶ୍ନଟି ହେଉଛି, ଯଦି ଗରିବ ପରିବାରର ପିଲାଙ୍କୁ ଆରକ୍ଷଣ ଦେବାର ଅଛି, ତେବେ ତାହା କେବଳ ସାଧାରଣ ବର୍ଗ ପାଇଁ କାହିଁକି? ନିଜର ଅସହତିମୂଳକ ନିଷ୍ପତ୍ତିରେ ନ୍ୟାୟମୂର୍ତ୍ତି ଭଟ୍ଟ ଓ ନ୍ୟାୟମୂର୍ତ୍ତି ଲଳିତ, ସରକାରଙ୍କ ସର୍ବେକ୍ଷଣର ଉଦାହରଣ ଦେଇଥିଲେ ଯହିଁରେ ଉଲ୍ଲେଖ ଥିଲା କି ଦେଶର ପ୍ରତି ୬ ଜଣ ଗରିବଙ୍କ ଭିତରେ ୫ ଜଣ ହେଉଛନ୍ତି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର। ଏପରି ସ୍ଥଳେ ଆରକ୍ଷଣର ସିଂହଭାଗକୁ ମଧ୍ୟ ଏହି ଶ୍ରେଣୀର ଆଶାୟୀଙ୍କୁ ପ୍ରଦାନ କରାଯିବା ଉଚିତ। ମାତ୍ର ସମ୍ବିଧାନର ୧୦୩ତମ ସଂଶୋଧନ ଅନୁସାରେ, ଦାରିଦ୍ର୍ୟ ଆରକ୍ଷଣର ଫାଇଦା ସେମାନଙ୍କୁ ମିଳିବ ନାହିଁ। ତା’ପାଇଁ ଯୁକ୍ତି ହେଉଛି, ଜାତି ଆଧାରରେ ସେମାନେ ଏଭଳି ଆରକ୍ଷଣ ଲାଭ କରି ଚାଲିଥିବାରୁ ଆର୍ଥିକ ଦୁର୍ବଳ ଭିତ୍ତିରେ ସେମାନଙ୍କୁ ପୁଣି ଥରେ ଫାଇଦା ଦିଆଯାଇପାରିବ ନାହିଁ। ଏଭଳି ଯୁକ୍ତିର ଅର୍ଥ ହେଉଛି, ଦେଶର ସଂଖ୍ୟାଗରିଷ୍ଠ ଲୋକସଂଖ୍ୟାର ୭୦ରୁ ୭୫ ପ୍ରତିଶତ ଲୋକଙ୍କ ପାଇଁ ମୋଟ ଚାକିରିର ୫୦ ପ୍ରତିଶତ ସୀମିତ କରି ଦିଆଯିବ ଏବଂ ବାକି ୫୦ ପ୍ରତିଶତ ଚାକିରି ଦେଶର ଉଚ୍ଚ ଜାତିର ଲୋକଙ୍କ ପାଇଁ ସଂରକ୍ଷିତ ରହିଯିବ।

ସବର୍ଣ୍ଣ ଗରିବଙ୍କ ସଂଖ୍ୟା ଦେଶର ମୋଟ ଲୋକସଂଖ୍ୟାର ୫-୬ ପ୍ରତିଶତରୁ ଅଧିକ ହେବନାହିଁ। ସେମାନଙ୍କୁ ୧୦ ପ୍ରତିଶତ ଆରକ୍ଷଣ ସୁବିଧା ଦେବା ସାମାଜିକ ନ୍ୟାୟ ନାମରେ ଅନ୍ୟାୟ ହେବ। ଆମ ଦେଶରେ ନକଲି ଗରିବ ପ୍ରମାଣପତ୍ର ଯୋଗାଡ଼ କରିବା ବହୁତ ସହଜ। ଯିଏ ଯେତେ ଧନୀ, ସିଏ ସେତେ ସୁବିଧାରେ ଗରିବ ପ୍ରମାଣପତ୍ର ପ୍ରସ୍ତୁତ କରିପାରିବ।

ସୁପ୍ରିମ୍‌ କୋର୍ଟଙ୍କ ଏହି ନିଷ୍ପତ୍ତି ସେମାନଙ୍କୁ ନିରାଶ କରିଛି ଯେଉଁମାନେ ଆରକ୍ଷଣ ପଦ୍ଧତିକୁ ଦେଶରେ ଚାଲୁ ରହିଥିବା ସାମାଜିକ ଅନ୍ୟାୟ ପ୍ରତି ପ୍ରତିରୋଧର ଅସ୍ତ୍ର ଭାବେ ଦେଖନ୍ତି। ତେବେ ଏହି ନିଷ୍ପତ୍ତି ବଦଳାଇବାକୁ କେତେ ବର୍ଷ ଲାଗୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର