ଜାତିସଂଘ ତରଫରୁ ପ୍ରକାଶିତ ‘ୱାର୍ଲଡ୍‌ ପପୁଲେସନ୍‌ ପ୍ରସପେକ୍‌ଟସ୍‌ ୨୦୨୨’ ଅନୁଯାୟୀ ଆଜି ଅର୍ଥାତ୍ ନଭେମ୍ୱର ୧୫, ୨୦୨୨ରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ। ବିଶ୍ୱ ଜନସଂଖ୍ୟା ୨୦୮୦ରେ ୧୦୪୦ କୋଟିର ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ୨୧୦୦ ଯାଏଁ ଅପରିବର୍ତ୍ତିତ ରହିବ। ଅନ୍ୟ ପକ୍ଷରେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଟପି ବିଶ୍ୱର ସର୍ବାଧିକ ହେବ। ଜନସଂଖ୍ୟାରେ ସାଂପ୍ରଦାୟିକ ଅସନ୍ତୁଳନ ଭୌଗୋଳିକ ସୀମାର ପରିବର୍ତ୍ତନର କାରଣ ହେଉଥିବାରୁ ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଦେଶରେ ବିଭିନ୍ନ ସଂପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଏକ ଜନସଂଖ୍ୟା ନୀତି ପ୍ରଣୟନ ସପକ୍ଷରେ ମତ ଦେଇ ଆସୁଛନ୍ତି। ତେଣୁ ଭାରତରେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ହୋଇ ନ ପାରିବାର କାରଣଗୁଡ଼ିକ ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି।

Advertisment

୧୮୦୪ରେ ପ୍ରଥମ ଥର ପାଇଁ ୧୦୦ କୋଟି ଛୁଇଁଥିବା ବିଶ୍ୱ ଜନସଂଖ୍ୟା ୨୦୦ କୋଟିରେ ପହଞ୍ଚିବାକୁ ଆଉ ୧୨୩ ବର୍ଷ ଲାଗିଗଲା। ୧୯୬୦ରେ ଜନସଂଖ୍ୟା ୩୦୦ କୋଟିରେ ପହଞ୍ଚିବା ପରେ ପ୍ରତି ୧୨ରୁ ୧୪ ବର୍ଷ ବ୍ୟବଧାନରେ ଏହା ୧୦୦ କୋଟି ଲେଖାଏଁ ବଢ଼ି ଚାଲିଲା। ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବୃଦ୍ଧି ହାର ୨୦୨୦ରେ ପ୍ରଥମ ଥର ପାଇଁ ୧%ରୁ କମ୍‌ ହୋଇଥିବାରୁ ୨୦୫୦ରେ ଏହା ୯୭୦ କୋଟିରେ ପହଞ୍ଚିବା ପରେ ଆଉ ୭୦ କୋଟି ବଢ଼ି ସର୍ବାଧିକ ୧୦୪୦ କୋଟିରେ ପହଞ୍ଚିବାକୁ ଆହୁରି ୩୦ ବର୍ଷ ଲାଗିଯିବ। ତା’ପରେ ଅଧିକାଂଶ ଦେଶରେ ଜନସଂଖ୍ୟା ବୃଦ୍ଧି ଆଉ ଏକ ସମସ୍ୟା ହୋଇ ରହି ନ ପାରେ।

ଗୋଟିଏ ଦେଶରେ ଜଣେ ମହିଳା ତା’ ଜୀବଦ୍ଦଶାରେ ହାରାହାରି କେତେ ଗୋଟି ଶିଶୁଙ୍କୁ ଜନ୍ମ ଦେଉଛନ୍ତି, ତାହା ସୂଚାଉଥିବା ଉତ୍ପାଦିକା ହାର ବା ‘ଟି.ଏଫ୍‌.ଆର୍‌. ସେହି ଦେଶର ଜନସଂଖ୍ୟା ବୃଦ୍ଧିର ସ୍ଥିତିକୁ ଦର୍ଶାଇଥାଏ। ସାରା ବିଶ୍ୱରେ ୧୯୫୦ରେ ଉତ୍ପାଦିକା ହାର ୫ ଥିଲା ବେଳେ ତାହା ୨୦୨୧ରେ ହ୍ରାସ ପାଇ ୨.୩ରେ ପହଞ୍ଚିଛି। ଅପରପକ୍ଷରେ ଭାରତରେ ୧୯୫୦ରେ ଏହି ହାର ୬ ଥିବା ବେଳେ ତାହା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଅନୁଯାୟୀ ୨୦୨୧ରେ ୨କୁ ଖସି ଆସିଲାଣି, ଯାହା ୨.୧ର ଅନୁମୋଦିତ ପରିପୂରଣ ସ୍ତର (ରିପ୍ଲେସମେଣ୍ଟ ଲେଭଲ)ଠାରୁ ବି କମ୍। ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ବିହାର, ମେଘାଳୟ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ମଣିପୁରକୁ ବାଦ ଦେଲେ ଅନ୍ୟ ସବୁଠି ଏହା ପରିପୂରଣ ସ୍ତରରେ ପହଞ୍ଚି ସାରିଲାଣି। ଉପରୋକ୍ତ ରାଜ୍ୟଗୁଡ଼ିକରେ ବି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଦ ଦେଲେ ମହିଳାଙ୍କ ଉତ୍ପାଦିକା ହାର ଉଦ୍‌ବେଗଜନକ ସ୍ତରରେ ନାହିଁ। ତେଣୁ ଜନସଂଖ୍ୟାକୁ ଆହୁରି ହ୍ରାସ କରିବା ଲାଗି ଜାତୀୟ ସ୍ତରରେ ଜନସଂଖ୍ୟା ନୀତି ପ୍ରଣୟନର କୌଣସି ଆବଶ୍ୟକତା ଅପାତତଃ ଅନୁଭୂତ ହେଉନାହିଁ। ଭାରତର ଜନସଂଖ୍ୟା ୨୦୪୭ ସୁଦ୍ଧା ୧୬୧ କୋଟିର ସର୍ବାଧିକ ସ୍ତରକୁ ଛୁଇଁବା ପରେ କମିବା ଆରମ୍ଭ କରିବ ବୋଲି ଆକଳନ କରାଯାଉଛି। ୨୦୨୨ରେ ଭାରତର ଜନସଂଖ୍ୟା ୧୪୧ କୋଟି ଥିବା ବେଳେ ଆଗାମୀ ୨୧୦୦ ମସିହାରେ ଏହା ବର୍ତ୍ତମାନର ଜନସଂଖ୍ୟା ଠାରୁ ୪୧ କୋଟି କମ୍ ହୋଇ ୧୦୦ କୋଟିରେ ପହଞ୍ଚିବ, ଯାହା ମଧ୍ୟ ଚିନ୍ତାଜନକ ହୋଇପାରେ।

ଏବେ ମୃତ୍ୟୁ ହାର ହ୍ରାସ ପାଉଛି। ଫଳରେ ଭାରତରେ ଲୋକମାନଙ୍କର ହାରାହାରି ପ୍ରତ୍ୟାଶିତ ଆୟୁ ବୃଦ୍ଧି ପାଇ ୭୦.୪ ବର୍ଷରେ ପହଞ୍ଚିଲାଣି। ପଞ୍ଚଷଠି ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ଏବେ ସମଗ୍ର ବିଶ୍ୱ ଜନସଂଖ୍ୟାର ୧୦%ରେ ପହଞ୍ଚିଛି। ଭାରତରେ ତାହା ପ୍ରାୟ ୭% ଅଛି। ମହିଳାଙ୍କ ଉତ୍ପାଦିକା ହାର ଯଥେଷ୍ଟ ହ୍ରାସ ପାଇ ଚାଲୁଥିବାରୁ ୨୦୫୦ ସୁଦ୍ଧା ବୃଦ୍ଧଙ୍କ ସଂଖ୍ୟା ପ୍ରାୟ ୧୬%ରେ ପହଞ୍ଚିବାର ଅନୁମାନ କରାଯାଉଛି; ଅର୍ଥାତ୍ ଉତ୍ପାଦନକ୍ଷମ ଲୋକଙ୍କ ତୁଳନାରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ, ଯାହା ଚିନ୍ତାର କାରଣ ହେବ।

ଅଧିକ ଶିଶୁ ଜନ୍ମ ହେଲେ ଜନସଂଖ୍ୟା ବୃଦ୍ଧି ପାଇ ଦେଶର ସମ୍ୱଳ ଉପରେ ଅଧିକ ଚାପ ପଡ଼ିବାର ଆଶଙ୍କା ବୃଦ୍ଧି ପାଇଥାଏ। ତେବେ କିଛି ଦେଶରେ ଦେଶାନ୍ତରଣ ଏକ ସ୍ୱାଭାବିକ ପ୍ରକ୍ରିୟା ଭାବେ ଗୃହୀତ ହୋଇସାରିଲାଣି, ଯାହା ଜନସଂଖ୍ୟା ବୃଦ୍ଧି ବା ହ୍ରାସର ମଧ୍ୟ କାରଣ ପାଲଟିଛି। ଅନୁମାନ କରାଯାଉଛି ଯେ ଭବିଷ୍ୟତରେ କିଛି ବିକଶିତ ଦେଶରେ ଜନ୍ମ-ମୃତ୍ୟୁ ହାର ଅପେକ୍ଷା ଦେଶାନ୍ତରଣ ହିଁ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେବ। ଅପର ପକ୍ଷରେ ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ଶ୍ରୀଲଙ୍କା ଭଳି ଦେଶରୁ ଶ୍ରମ ବଳର ଦେଶାନ୍ତରଣ ଏବଂ ଅସୁରକ୍ଷା ଓ ସଂଘାତ ବା ଯୁଦ୍ଧ ଯୋଗୁଁ ସିରିଆ, ଭେନେଜୁଏଲା, ମ୍ୟାନମାର ଭଳି ଦେଶଗୁଡ଼ିକରୁ ଗତ ୧୦ ବର୍ଷ ମଧ୍ୟରେ ଦେଶାନ୍ତରିତ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩.୫ କୋଟି ହୋଇଥିଲା। ଏହି ସମୟରେ କେବଳ ଭାରତରୁ ଦେଶାନ୍ତରିତ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩୫ ଲକ୍ଷ। ସୁତରାଂ, ଭବିଷ୍ୟତରେ ଭାରତରୁ ଅଧିକ ସଂଖ୍ୟକ ଦକ୍ଷ ଶ୍ରମିକ ଦେଶାନ୍ତରିତ ହେଲେ ତାହା ଦେଶ ସକାଶେ ବୋଝ ନ ହୋଇ ବରଂ ସେମାନଙ୍କ ପ୍ରେରିତ ବିଦେଶୀ ମୁଦ୍ରାରେ ଦେଶ ଅଧିକ ସମୃଦ୍ଧ ହେବ।

‘ଆମେ ପାଞ୍ଚ, ଆମର ପଚିଶ’ ବା ‘ଚାରି ସ୍ତ୍ରୀ ଓ ଚାଳିଶ ପିଲା’ ଭଳି ଅଶାଳୀନ ମନ୍ତବ୍ୟମାନ ଦେଇ ଏକ ବିଭ୍ରାନ୍ତି ସୃଷ୍ଟି କରାଯାଉଛି ଯେ ମୁସଲମାନମାନେ ସେମାନଙ୍କ ସଂଖ୍ୟା ବୃଦ୍ଧି ଲାଗି ସର୍ବଦା ପ୍ରୟାସରତ। ସ୍ୱାଧୀନତା ପରେ ସବୁ ଧର୍ମାବଲମ୍ୱୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୧୯୫୧ରୁ ୨୦୧୧ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୩୦.୪ କୋଟିରୁ ୯୬.୬ କୋଟିରେ ପହଞ୍ଚିଥିବା ବେଳେ ମୁସଲମାନଙ୍କ ସଂଖ୍ୟା ୩.୫ କୋଟିରୁ ୧୭.୨ କୋଟି ଓ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୦.୮ କୋଟିରୁ ୨.୮ କୋଟି ହୋଇଛି। ତେବେ ଏହି ସମୟ ମଧ୍ୟରେ ମୁସଲମାନଙ୍କ ସଂଖ୍ୟା ୪.୪% ବୃଦ୍ଧି ପାଇ ଭାରତୀୟ ଜନସଂଖ୍ୟାର ୧୪.୨% ହୋଇଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ୪.୩% ହ୍ରାସ ପାଇ ଜନସଂଖ୍ୟାର ୭୯.୮% ହୋଇଛି। ତେବେ, ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାରରେ ହ୍ରା‌ସର କାରଣ ହେଲା ପୂର୍ବରୁ ହିନ୍ଦୁ ଭାବେ କିଛି ଆଦିବାସୀ ନିଜର ଅଲଗା ଧର୍ମ ବୋଲି ଘୋଷଣା କରିବା। ସ୍ୱାଧୀନ ଭାରତରେ କୋଟି କୋଟି ଲୋକ ଧର୍ମାନ୍ତରିତ ହୋଇଥିବାର କୌଣସି ନଜିର ନ ଥିବାରୁ ଏହାର କାରଣ ଧର୍ମ ପରିବର୍ତ୍ତନ ହୋଇ ନ ପାରେ! ୧୯୯୨-୯୩ରେ ହୋଇଥିବା ‘ଏନ୍‌ଏଫ୍‌ଏଚ୍‌ଏସ୍‌-୧’ ସର୍ଭେ ଅନୁଯାୟୀ ମୁସଲମାନ ମହିଳାଙ୍କ ଉତ୍ପାଦିକା ହାର ୪.୪ ଥିଲା ବେଳେ ୨୦୧୯-୨୧ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରେ ତାହା ହ୍ରାସ ପାଇ ୨.୩ରେ ପହଞ୍ଚି ‘ପରିପୂରଣ ସ୍ତର’ର ନିକଟତର ହୋଇସାରିଲାଣି। ଏଥିରୁ ସୂଚନା ମିଳିଥାଏ ଯେ ମୁସଲମାନମାନେ ମଧ୍ୟ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଗ୍ରହଣ କରିବାରେ ଆଗ୍ରହ ଦେଖାଉଛନ୍ତି। ଏହି ସମୟରେ ହିନ୍ଦୁ ମହିଳାଙ୍କ ଉତ୍ପାଦିକା ହାର ୩.୩ରୁ ହ୍ରାସ ପାଇ ୧.୯୪ ହୋଇଛି। ଅର୍ଥାତ୍ ମୁସଲମାନଙ୍କ ଉତ୍ପାଦିକା ହାର ସର୍ବାଧିକ ୪୬.୫% ହ୍ରାସ ପାଇଥିବା ବେଳେ ହିନ୍ଦୁଙ୍କର ୪୧.୨% ହ୍ରାସ ପାଇଛି।

ତେଣୁ, ମୁସଲମାନଙ୍କ ସଂଖ୍ୟା ବୃଦ୍ଧିର କାରଣ ମୁସଲମାନ ମହିଳାଙ୍କ ଉଚ୍ଚ ଉତ୍ପାଦିକା ହାର ବୋଲି ଧରି ନେବା ଠିକ୍‌ ନୁହେଁ। ଅଧ୍ୟୟନ ଅନୁଯାୟୀ ଜନ୍ମ ଲାଭ କରିବା ପରେ ଯେତେ ସଂଖ୍ୟକ ହିନ୍ଦୁ ଶିଶୁ ପାଞ୍ଚ ବର୍ଷ ଯାଏଁ ବଞ୍ଚି ରହନ୍ତି ତା’ ଅପେକ୍ଷା ୧୮% ଅଧିକ ମୁସଲମାନ ଶିଶୁ ବଞ୍ଚି ରହନ୍ତି। ଭାରତରେ ବାର୍ଷିକ ପ୍ରାୟ ୫ ଲକ୍ଷ କନ୍ୟା ଭ୍ରୂଣହତ୍ୟା ହେଉଛି। ହିନ୍ଦୁ ସମାଜରେ ପୁତ୍ର ସନ୍ତାନ ପ୍ରତି ଥିବା ଅତ୍ୟଧିକ ମୋହ ଏହାର ଏକ ପ୍ରମୁଖ କାରଣ ବୋଲି ଦର୍ଶା ଯାଇଥାଏ। ୨୦୧୧ ଜନଗଣନା ଅନୁଯାୟୀ ପ୍ରତି ୧୦୦୦ ହିନ୍ଦୁ ଓ ମୁସଲମାନ ପୁରୁଷ ଅନୁପାତରେ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୯୪୦ ଓ ୯୫୧। କେବଳ ସେତିକି ନୁହେଁ, ହିନ୍ଦୁମାନଙ୍କ ମଧ୍ୟରେ ବିଧବା ଓ ପରିତ୍ୟକ୍ତା ମହିଳାଙ୍କ ପୁନଃବିବାହ ସାମାଜିକ ସ୍ୱୀକୃତି ଲାଭ କରି ନ ଥିବାରୁ ପ୍ରଜନନକ୍ଷମ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ମୁସଲମାନ ମହିଳାଙ୍କ ହାରାହାରି ଉଚ୍ଚତା ଓ ବିଏମଆଇ (ବଡି ମାସ୍‌ ଇଣ୍ଡେକ୍‌ସ) ହିନ୍ଦୁ ମହିଳାଙ୍କ ଅପେକ୍ଷା ଅଧିକ। ଉଚ୍ଚତା ଅଧିକ ହେବା କ୍ରମସଞ୍ଚିତ ପୁଷ୍ଟିର ନିଦର୍ଶନ। ଫଳରେ ମୁସଲମାନ ଶିଶୁ ମୃତ୍ୟୁ ହାର କମ୍‌ ହେବା ସହ ସେମାନଙ୍କ ମଧ୍ୟରେ ୱେଷ୍ଟିଂ (ଉଚ୍ଚତା ତୁଳନାରେ କମ୍‌ ଓଜନ) ପ୍ରାୟତଃ କମ୍‌ ହୋଇଥାଏ। ଏହା ହିନ୍ଦୁଙ୍କ ତୁଳନାରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେଉଛି। ଯଦିଓ ମୁସଲମାନଙ୍କ ଅନୁନ୍ନତ ସାମାଜିକ ଓ ଅର୍ଥନୈତିକ ସ୍ତର, ମହିଳାଙ୍କ ଉଚ୍ଚ ଉତ୍ପାଦିକା ହାର, କମ୍‌ ସମୟ ବ୍ୟବଧାନରେ ପ୍ରସବ ଆଦି ଭଳି ମୃତ୍ୟୁ ହାର ବୃଦ୍ଧିକାରୀ କାରଣଗୁଡ଼ିକ ସତ୍ତ୍ୱେ ସେମାନଙ୍କ ଶିଶୁ ମୃତ୍ୟୁହାର ଅପେକ୍ଷାକୃତ କମ୍‌ ହେବାର କାରଣ ଖୋଜିବା ଲାଗି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି।

କେନ୍ଦ୍ର ସରକାର ଜାତୀୟ ଜନସଂଖ୍ୟା ନୀତି, ୨୦୦୦ ଓ ଜାତୀୟ ସ୍ୱାସ୍ଥ୍ୟ ନୀତି, ୨୦୧୭କୁ କାର୍ଯ୍ୟକାରୀ କରି ୨୦୪୫ ସୁଦ୍ଧା ଜନସଂଖ୍ୟାକୁ ସ୍ଥିର ରଖିବାକୁ ପ୍ରୟାସ କରୁଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଉ କୌଣସି ଆଇନ ପ୍ରଣୟନ କରିବାର ପ୍ରସ୍ତାବ ନାହିଁ ବୋଲି ସଂସଦରେ ଜଣାଇ ସାରିଛନ୍ତି। ତେଣୁ ଜନସଂଖ୍ୟା ବୃଦ୍ଧି ହୁଏତ ଭାରତ ପାଇଁ ୨୦୪୭ ପର୍ଯ୍ୟନ୍ତ ଆହ୍ୱାନ ସୃଷ୍ଟି କରିପାରେ, କିନ୍ତୁ ପରବର୍ତ୍ତୀ ସମୟରେ ଜନସଂଖ୍ୟା ହ୍ରାସ ପାଇବାକୁ ଲାଗିଲେ ଏହା ନୂତନ ସମସ୍ୟାକୁ ଜନ୍ମ ଦେଇପାରେ, ଯାହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଜନସଂଖ୍ୟା ହ୍ରାସ ତୁଳନାରେ ଯଦି ଶ୍ରମ ବଳର ଉତ୍ପାଦିକା ବୃଦ୍ଧି ପାଏ, ତେବେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ଜୀବନ ଧାରଣର ମାନ ଉନ୍ନତ ହେବ ଓ ଦେଶର ଅର୍ଥନୈତିକ ପ୍ରଗତି ସାଧିତ ହେବ, ଯାହା ଜାପାନ କ୍ଷେତ୍ରରେ ହୋଇଛି। ମାତ୍ର ଶ୍ରମ ବଳର ଉତ୍ପାଦିକା କ୍ଷମତା ବୃଦ୍ଧି ନ ପାଇଲେ ତାହା ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ତେଣୁ ଏହାକୁ ଧ୍ୟାନରେ ରଖି ଭବିଷ୍ୟତର ଶ୍ରମବଳର ଉତ୍ପାଦିକା ବୃଦ୍ଧି ପାଇଁ ମାନବ ସମ୍ୱଳକୁ ଦକ୍ଷ ଓ କର୍ମଠ କରିବାକୁ ଜାତୀୟ ନୀତି ପ୍ରସ୍ତୁତ ହେବା ସହ ଦୃଢ଼ ପଦକ୍ଷେପ ନିଆଯିବା ଆବଶ୍ୟକ। ଜନସଂଖ୍ୟା ନୀତି ପ୍ରଣୟନ କରି ହୁଏତ ଶିଶୁ ଜନ୍ମକୁ ନିୟନ୍ତ୍ରଣ କରିହେବ, କିନ୍ତୁ ଶିଶୁ ମୃତ୍ୟୁ ହାରକୁ ନୁହେଁ। ବିଭିନ୍ନ ସଂପ୍ରଦାୟର ଉତ୍ପାଦିକା ହାର ସମାନ ହୋଇ ଶିଶୁ ମୃତ୍ୟୁ ହାରରେ ଭିନ୍ନତା ରହିଲେ ଜନସଂଖ୍ୟାରେ ସାଂପ୍ରଦାୟିକ ତାରତମ୍ୟ ଦେଖା ଦେବ। ତେଣୁ ଜନସଂଖ୍ୟାରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ସଂଦର୍ଭରେ ଅଧିକ ସଚେତନତା ଏବଂ ଏ ସଂପର୍କିତ ଆଲୋଚନା ବେଳେ ଅଧିକ ଚିନ୍ତନର ଆବଶ୍ୟକତା ରହିଛି।

ମୋ: ୯୪୩୭୦୩୮୦୧୫