ମୁକ୍ତ କରିବାର ଇଚ୍ଛା

ଚିନ୍ମୟ ଚେତନା - ଚିନ୍ମୟ ହୋତା

ବର୍ଷକ ମଧ୍ୟରେ ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ନିକଟରେ ପତାକା ଉଡ଼ାଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିଛି ବର୍ଷ ତଳେ ଭାରତକୁ ଖୋଲାରେ ମଳ ତ୍ୟାଗମୁକ୍ତ ଦେଶରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଓ ସେହି କ୍ଷେତ୍ରରେ ଅନେକ ସଫଳତାର ମାଇଲ ଖୁଣ୍ଟ ହାସଲ ହୋଇଥିବା କଥା ଓଡ଼ିଶା ସମେତ ଅନେକ ରାଜ୍ୟ ଦାବି କରିଥିଲେ। ଦେଶକୁ ଅବାଂଛିତ ଓ ଅବୈଧ ସ୍ଥିତି ଗୁଡ଼ିକର ପ୍ରଭାବରୁ ପରିତ୍ରାଣ କରିବାର ପ୍ରଚେଷ୍ଟା କର୍ତ୍ତୃପକ୍ଷଙ୍କ ଦ୍ୱାରା ନିରନ୍ତର ଭାବେ ଚାଲି ଆସିଛି ଅନେକ କାଳରୁ। କେତେବେଳେ ରାଜରାସ୍ତାଗୁଡ଼ିକୁ ଷଣ୍ଢମୁକ୍ତ କରିବାର ପ୍ରଚେଷ୍ଟା ତ କେତେବେଳେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ କରିବାର ପ୍ରଚେଷ୍ଟା। ସେମିତି ପରିବେଶକୁ ମଶାମୁକ୍ତ କରିବାର ଯୋଜନା ତ ପୁଣି କେତେବେଳେ ସମାଜକୁ ନିଶାମୁକ୍ତ କରିବାର ଯୋଜନା।

ଏହି ସବୁ ଅସୁଖକର ଚିଜଗୁଡ଼ିକର ଉନ୍ମୂଳନ ପଛରେ ଯଦି ସରକାରଙ୍କୁ ତାଙ୍କର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇବାକୁ ପଡୁ ନ ଥାନ୍ତା ତେବେ ହୁଏତ ସରକାରଙ୍କ ଅଧା ଶ୍ରମ ବଞ୍ଚି ଯାଆନ୍ତା ଓ ବାବୁମାନେ ହାତ ଉପରେ ହାତ ପକାଇ ବସି ରହନ୍ତେ। ବସି ରହନ୍ତେ କହିବାର ଅର୍ଥ ଦପ୍ତରରେ ଶାନ୍ତିରେ ବସି ରହି ନୂଆ ଜିନିଷ ତିଆରି କରିବା ପାଇଁ ଗଠନମୂଳକ ଚିନ୍ତାରେ ସମୟ ନିୟୋଜିତ କରନ୍ତେ। ମାତ୍ର, ନୂଆ ଜିନିଷ ସୃଷ୍ଟି କରିବାକୁ ହେଲେ ଅପନ୍ତରାକୁ ଆଗେ ସଫା କରିବା ଦରକାର। ନୂଆ ଧାନ ଚାଷ କରିବା ପୂର୍ବରୁ ବାଳୁଙ୍ଗାକୁ ନିର୍ମୂଳ ନ କଲେ କ’ଣ ଚଳିବ? ରାହାଡ଼ି ଓ ଅଯାଚିତ ଗୁଳ୍ମ ସବୁ ଆଗେ ସଫା ନ କଲେ ସେଗୁଡ଼ିକ ଧାନ ଗଛକୁ ଅକାଳେ ନଷ୍ଟ କରିପକାଇବେ। ଆମର ସମାଜ ଓ ବ୍ୟବସ୍ଥା ଏତେ ସବୁ ବାଳୁଙ୍ଗାରେ ଭର୍ତ୍ତି ଯେ ତାକୁ ଓପାଡ଼ିବାରେ ସରକାରଙ୍କର ସବୁ ଶକ୍ତି ଓ ସାଧନ ଯାଉଛି।

ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା, ପରୀକ୍ଷା ହଲ୍‌କୁ କପି ମୁକ୍ତ କରିବା, ସହରଗୁଡ଼ିକୁ ଆବର୍ଜନା ମୁକ୍ତ କରିବା, ଚାଷ ଜମିକୁ ମାଙ୍କଡ଼ ମୁକ୍ତ କରିବା ଓ ରାଜ୍ୟକୁ ଅପରାଧ ମୁକ୍ତ କରିବା ଇତ୍ୟାଦି କାମ ଆଜି ବିଭିନ୍ନ ବିଭାଗଗୁଡ଼ିକର ପ୍ରାଥମିକତା। ପ୍ରଥମେ ଏ ସବୁ ଦଳ ସଫା ନ କଲେ ଓ ପଙ୍କୋଦ୍ଧାର ନ କଲେ ଭଲ ମାଛ ଚାଷ ଆରମ୍ଭ ହେବ କେମିତି? ବିଷ୍ଠା ଭଣଭଣ ପଡ଼ିଆକୁ ପରିଷ୍କାର ନ କଲେ ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ତିଆରି ହେବ କେମିତି?

ଭଲ କିଛି ଯୁକ୍ତ କରିବା ପୂର୍ବରୁ ଆଗେ ସବୁ କିଛି ଆବର୍ଜନାମୁକ୍ତ ହେବା ଦରକାର- ଏହା ହିଁ ଆମର ବଦ୍ଧମୂଳ ଧାରଣା। ହେଲେ ମୁକ୍ତ କରିବାର ନିବିଷ୍ଟତା ଭିତରେ ଆମେ ଯୁକ୍ତ କରିବା କଥାଟି ପ୍ରାୟ ଭୁଲିଯାଉଛୁ। ଏଣେ ମୁକ୍ତ କରିବାର ପ୍ରକ୍ରିୟାଟି ତ୍ରୁଟିଯୁକ୍ତ ହୋଇଥିବାରୁ କାଳ କାଳ ଧରି ସେହି ବିଶୋଧନ ପ୍ରକ୍ରିୟାରେ ଆମେ ଲାଗି ରହୁଛୁ। ଉଦାହରଣ ସ୍ୱରୂପ ଦେଖାଯାଉ ସହରଗୁଡ଼ିକୁ ବେନିୟମ ଉଠା ଦୋକାନ ଓ ରାସ୍ତାକଡ଼ ବ୍ୟବସାୟ ମୁକ୍ତ କରିବାର ଯୋଜନା କଥା। ଆମ ସହରଗୁଡ଼ିକରେ ନୂଆ ନୂଆ ଉଠା ଦୋକାନ କେମିତି ମୁଣ୍ଡ ଟେକେ ଓ ସେଗୁଡ଼ିକର କେମିତି ଦ୍ରୁତ କ୍ରମବିକାଶ ହୁଏ ତାହା ସମସ୍ତଙ୍କୁ ଜଣା। ନୂଆ ରାସ୍ତାଟିଏ ଖୋଲିଲେ କିମ୍ବା ନୂଆ ବସତିଟିଏ ଗଢ଼ି ଉଠିଲେ ସଙ୍ଗେ ସଙ୍ଗେ ରାସ୍ତାର ଦୁଇ ପାର୍ଶ୍ୱରେ ଗୋଟିଏ ଦୁଇଟି କରି ଅସ୍ଥାୟୀ ଦୋକାନ ଖୋଲିଯାଏ। ଧୀରେ ଧୀରେ ‘ଅଙ୍ଗୁଳି ପ୍ରବେଶାତ ବାହୁ ପ୍ରବେଶଃ’ ନ୍ୟାୟରେ ସେ ଦୋକାନଗୁଡ଼ିକରେ ଉଜ୍ଜ୍ବଳ ବିଜୁଳିବତି ଝୁଲିବାର ଓ ଦୋକାନଗୁଡ଼ିକ ସ୍ଥାୟୀ ଓ ମଜବୁତ ହେବାର ଦେଖିବାକୁ ମିଳେ। ଦୋକାନଗୁଡ଼ିକ ପାଖରେ ଲୋକଙ୍କ ଭିଡ଼ ଜମେ ଓ କିଣିବା ବାଲାଏ ରାସ୍ତା କଡ଼ରେ ଗାଡ଼ି ଥୋଇ ରାସ୍ତାକୁ ସଂକୀର୍ଣ୍ଣ କରି ପକାନ୍ତି। କ୍ରମଶଃ ଏହି ଭିଡ଼ ଓ ଯାତାୟାତର ଅସୁବିଧା ଲୋକଙ୍କ ଦେହସୁହା ହୋଇଯାଏ, ହେଲେ ଉଠା ଦୋକାନୀର କିଛି ଅସୁବିଧା ହୁଏ ନାହିଁ। ଅବଶ୍ୟ ବେଳେବେଳେ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ଉଠା ଦୋକାନୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ଦେଖାଦିଏ।

ଏହି ସବୁ ଉତ୍ତେଜନା ପରେ ଓ ସର୍ବସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କଲା ପରେ ଯାଇ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗେ ଓ ଉଚ୍ଛେଦ ପାଇଁ ନୋଟିସ ଦିଆଯାଏ। ହେଲେ ସେ ସରକାରୀ ପଦକ୍ଷେପକୁ କେହି ଖାତିର କଲା ଭଳି ଜଣା ପଡ଼େନାହିଁ, କାରଣ ଏ ଭିତରେ ଉଠା ବେପାରୀମାନେ ରାଜନୈତିକ ଛାତ୍ରଛାୟା ତଳେ ବଳୀୟାନ ହୋଇ ସାରିଥାନ୍ତି। ପୁଣି କଚେରିକୁ କେସ୍‌ ଗଲା ପରେ ସବୁ କିଛି କାର୍ଯ୍ୟକ୍ରମ ଧିମେଇ ଯାଏ ଓ ଜୀବନ ସାଧାରଣ ଗତିରେ ଚାଲେ। ଶେଷରେ ଘଟଣା ନିୟନ୍ତ୍ରଣର ଏତେ ବାହାରକୁ ଚାଲିଯାଏ ଯେ ନଖରେ ଛିଡ଼ିବା କାମ ପାଇଁ କୁରାଢ଼ି ଆବଶ୍ୟକ ହୁଏ। ଏଠି ମନରେ ସନ୍ଦେହ ଉଠେ ଯେ ରାଜନୀତିଜ୍ଞମାନେ ଏପରି ଅବସ୍ଥା ମୂଳରୁ ଚାହିଁଥାନ୍ତି ଭୋଟ ବ୍ୟାଙ୍କକୁ ଆଖିରେ ରଖି, ବାକି ସବୁ ପ୍ରକ୍ରିୟା ଓ ପ୍ରତିଶ୍ରୁତି କେବଳ ଧୂଆଁବାଣ! ଯଦି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ମ୍ୟୁନିସିପାଲିଟିର ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଆନ୍ତା ଓ ନୂଆ ଦୋକାନ ଖୋଲିଲେ ତାକୁ ରୋକିବାର କ୍ଷମତା ଦିଆଯାଆନ୍ତା, ତେବେ କ’ଣ ବେନିୟମ ଦୋକାନସବୁ ନିର୍ବିଘ୍ନରେ ଗଢ଼ି ଉଠନ୍ତେ? ହେଲେ ନେତାମାନଙ୍କର ବିଚାର ଅନୁସାରେ ଅସୁଖକର ଜିନିଷ ସବୁକୁ ଅବାଧରେ ଗଢ଼ିବାକୁ ଦେଲେ ସିନା ପରେ ସେଗୁଡ଼ିକୁ ମୁକ୍ତ କରିବାକୁ ସୁଯୋଗ ମିଳିବ।

ଏହି ମୁକ୍ତ କରିବାର ପ୍ରବୃତ୍ତି ବୋଧହୁଏ ସୃଷ୍ଟି ହୋଇଛି ବିଦେଶୀ ଶାସନରୁ ଦେଶକୁ ମୁକ୍ତ କରିବାର ଆମର ସୁଦୀର୍ଘ ଅଭିଜ୍ଞତାରୁ। ଭାରତୀୟ ମାନସିକତା ସବୁ ବେଳେ ଅନୁଭବ କରୁଛି ଏହା ଯେମିତି କିଛି ଅବାଂଛିତ ପ୍ରଭାବ ଦ୍ୱାରା କବଳିତ, ଯେଉଁଥିରୁ ଆମକୁ ମୁକ୍ତ ହେବାକୁ ପଡ଼ିବ। ସେଇଥି ପାଇଁ ତ ଗରିବୀ ହଟାଓ, ଦୁର୍ନୀତି ହଟାଓ ଭଳି ଯେତେ ସବୁ ଯୋଜନାର ସୃଷ୍ଟି। ହେଲେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନ୍ୱୟନ ହେତୁ ଏହି ପ୍ରଚେଷ୍ଟାରେ ଆମେ ସମ୍ପୂର୍ଣ୍ଣ ସଫଳକାମ ହୋଇ ପାରୁନାହୁଁ। ସମାଜକୁ ଦୋଷରୁ ମୁକ୍ତ କରିବାର ଇଚ୍ଛା ଆଜି କେବଳ ଫମ୍ପା ଶବ୍ଦ ମାତ୍ର; ଏହା ଏକ ସାମର୍ଥ୍ୟ ନୁହେଁ। ‘ଗୋଦରା କୋଡ଼େ ଯେତେ, ମାଡ଼େ ସେତେ’ ନ୍ୟାୟରେ ଆମେ ଆଗକୁ ଯେତେ ସଫା କରି ବଢ଼ିଚାଲିଛୁ, ଅଳିଆ ଆମ ପଛେ ପଛେ ସେତେ ବେଗରେ ମାଡ଼ି ଆସୁଛି।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର