ଉଚ୍ଚ ଜାତିର ଲୋକଙ୍କ ଗହଣରେ ଥିବା ବେଳେ ଅନୁସୂଚିତ ଜାତି-ଜନଜାତି-ଅନ୍ୟାନ୍ୟ ପଛୁଆ ବର୍ଗର ଆରକ୍ଷଣ କଥା ଉଠିଲେ ଅରୁଚିକର ମୁଖ ବିକୃତିଯୁକ୍ତ କ୍ଷୋଭକୁ ଆପଣ ଆଡ଼ କରିପାରିବନି। ଯଦି କୌଣସି ଉଚ୍ଚପଦସ୍ଥ ଅଧିକାରୀ ପାଖରେ ଥାଆନ୍ତି, ତେବେ ଭିଡ଼କୁ ଖୁସି କରିବା ଲାଗି ତାଙ୍କ ପାଖରେ ଜଣେ ଆରକ୍ଷଣପ୍ରାପ୍ତ କନିଷ୍ଠ ସହଯୋଗୀଙ୍କର ମୂର୍ଖତା ସମ୍ପର୍କରେ ବ୍ୟଙ୍ଗାତ୍ମକ କାହାଣୀର ମୁଣିଟିଏ ଥିବା ପ୍ରାୟ ସୁନିଶ୍ଚିତ। ହୋଇପାରେ, ଜଣେ ସ୍କୁଲ୍‌ ଅଧ୍ୟକ୍ଷ କୌଣସି ନୂଆ ଶିକ୍ଷକ (ଜଣେ ମୋଚିର ବଡ଼ ପୁଅ)ଙ୍କ ସମ୍ପର୍କରେ ମଜାଦାର ତଥା ନିରାଶାଜନକ କାହାଣୀ ବାଣ୍ଟିବେ, ଯିଏ ନିଜ ବିଷୟରେ ଏତେ ଅଜ୍ଞ ଯେ ସେ ଶ୍ରେଣୀର ଶ୍ରେଷ୍ଠ ଛାତ୍ରଙ୍କୁ ବହି ଧରାଇ ସମସ୍ତଙ୍କୁ ପଢ଼ାଇବାକୁ କହୁଥିବେ ଏବଂ ଯାହାଙ୍କର ନିଜସ୍ବ ଅବଦାନ ହେଲା ବାରମ୍ବାର ଛାଇନିଦ ଯିବା ଓ ଜାଗ୍ରତ ଥିଲା ବେଳେ ଶ୍ବାନ ପରି ହାଇ ମାରିବା। ଅତିଶୟୋକ୍ତି ବୋଳା ଏଭଳି ଆହୁରି ଅନେକ କାହାଣୀ ବାହାରିବ ଏବଂ ପରିଶେଷରେ କେହି କହିବେ, ‘ଦେଶର ସର୍ବନାଶ ସୁନିଶ୍ଚିତ’ ଏବଂ ଅନ୍ୟମାନେ ଏହାକୁ ସମର୍ଥନ କରି ବିଳାପ କରିବେ।

Advertisment

ଆରକ୍ଷଣ ବଳରେ ନିଯୁକ୍ତ ‘ଅପାତ୍ର’ କର୍ମଚାରୀଙ୍କ ବୋଝ ତଳେ ଆମ ବ୍ୟବସ୍ଥା ଦବିଯାଉଛି- ଏହା ହେଉଛି ଆରକ୍ଷଣ ବିରୋଧୀ ଚାରିଟି ଯୁକ୍ତିରୁ ଗୋଟିଏ ଯାହା ସାଧାରଣତଃ ଉଚ୍ଚ ଜାତି ପରିସରରେ ଶୁଣାଯାଇଥାଏ। ଅନ୍ୟ ତିନିଟି ଯୁକ୍ତି ମଧ୍ୟରୁ ଗୋଟିଏ ହେଉଛି: ନିମ୍ନ ଜାତିର ଧନୀମାନେ ହିଁ ସମଗ୍ର ଆରକ୍ଷଣର ଲାଭ ନେଇ ଯାଉଛନ୍ତି। ଦ୍ବିତୀୟ ଯୁକ୍ତିଟି ହେଉଛି, ଉଚ୍ଚ ଜାତିର ଲୋକେ ‘ଓଲଟା ଜାତିବାଦ’ର ଶିକାର ହେଉଛନ୍ତି ଏବଂ ନିଯୁକ୍ତି କି କଲେଜ ଆସନ ପାଉନାହାନ୍ତି। ଆଉ ତୃତୀୟ ଯୁକ୍ତିଟି ହେଲା, ସାତ ଦଶନ୍ଧି ଧରି ଆରକ୍ଷଣ ବ୍ୟବସ୍ଥା ଚାଲୁ ହୋଇ ଆସିଛି, ଯାହା ବହୁ ସଂଖ୍ୟାରେ ନିମ୍ନ ଜାତିର ଲୋକଙ୍କୁ ନିଯୁକ୍ତି, କଲେଜରେ ଆସନ, ଛାତ୍ରବୃତ୍ତି, ଅନୁଦାନ, ଋଣ ଓ ଆର୍ଥିକ ସହାୟତା ଆକାରରେ ଲାଭ ଦେଇଛି। ତେଣୁ ସେ ସବୁ ଉଠିଯିବା ଦରକାର।

ଆର୍ଥିକ ଅନଗ୍ରସର ବର୍ଗ (ଇଡବ୍ଲ୍ୟୁଏସ୍‌) ପାଇଁ ଆରକ୍ଷଣ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିରେ ବହୁମତ ଦେଇଥିବା ନ୍ୟାୟମୂର୍ତ୍ତିମାନଙ୍କ ଟିପ୍ପଣୀରେ ଏହାର ପ୍ରତିଧ୍ବନି କ’ଣ ଆମେ ଶୁଣିନାହୁଁ? ସେମାନେ ମଧ୍ୟ ନିମ୍ନ ଜାତିଙ୍କୁ ‘ବିଶେଷ ଅଧିକାରପ୍ରାପ୍ତ’ ଭାବରେ ଦେଖିଛନ୍ତି। ସେମାନଙ୍କୁ ଆର୍ଥିକ ଅନଗ୍ରସର ବର୍ଗ ମଧ୍ୟରେ ସାମିଲ କରିବା ଲାଗି ଅଦାଲତ ଏଥିପାଇଁ ମନା କରିଦେଇଛନ୍ତି ଯେ ସମାନତାର ଆଇନ ଆଧାରରେ ହୋଇନଥିବା ଆରକ୍ଷଣର ଫାଇଦା ସେମାନେ ପାଇ ଆସିଛନ୍ତି ଏବଂ ସେଥିପାଇଁ ଇଡବ୍ଲ୍ୟୁଏସ୍‌ ଆରକ୍ଷଣରେ ସମାନତା ଆଇନ ଲାଗୁ କରିବା ଲାଗି ଦାବି କରିବାର କୌଣସି ଅଧିକାର ସେମାନଙ୍କର ନାହିଁ।

ସଂଖ୍ୟାଗରିଷ୍ଠ ନ୍ୟାୟମୂର୍ତ୍ତି ଆରକ୍ଷଣର ଉଚ୍ଛେଦ ମଧ୍ୟ ଚାହାନ୍ତି। ଆରକ୍ଷଣର ସମାପ୍ତି ପାଇଁ ସେମାନଙ୍କ ଆହ୍ବାନ ନିଶ୍ଚିତ ଭାବରେ ଇଡବ୍ଲ୍ୟୁଏସ୍‌ ଆରକ୍ଷଣ ପ୍ରତି ସେମାନଙ୍କ ସମର୍ଥନର ପରିପନ୍ଥୀ। ଯେଉଁ ରାକ୍ଷସକୁ ସେମାନେ ମାରିବାକୁ ଚାହାନ୍ତି ତାକୁ ସେମାନେ ଦୀର୍ଘାୟୁ ହେବାର ଇଞ୍ଜେକ୍‌ସନ ଦେଇଛନ୍ତି। ସେମାନେ ଉଠାଇଥିବା ଏହି ପ୍ରଶ୍ନ ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରିବା: ଆରକ୍ଷଣର ପରିସମାପ୍ତି ପାଇଁ ଆମେ ଏକ ସମୟସୀମା ଧାର୍ଯ୍ୟ କରିବା ଉଚିତ ନୁହେଁ କି?

କୌଣସି ବ୍ୟବସ୍ଥା ଉଚ୍ଛେଦ କରିବା ପୂର୍ବରୁ ଆମେ ମନେ ପକାଇବା ଉଚିତ କି ତାହା ପ୍ରଥମେ କେଉଁ କାରଣରୁ ଲାଗୁ କରାଯାଇଥିଲା ଏବଂ ତାହା ତା’ର ଉଦ୍ଦେଶ୍ୟ ସାଧନ କରିପାରିଛି ନା ନାଇଁ। ଆରକ୍ଷଣର ଉଦ୍ଦେଶ୍ୟ କ’ଣ ଥିଲା? ନିଶ୍ଚିତ ଭାବରେ ସାମାଜିକ ପରିବର୍ତ୍ତନ ନୁହେଁ। ଆରକ୍ଷଣ ଏକ ବିପ୍ଳବ ନୁହେଁ। ଗାନ୍ଧୀଜୀ, ଆମ୍ବେଦକର, କଂଗ୍ରେସ ବା ଅନ୍ୟ କୌଣସି ରାଜନୈତିକ ଦଳ କେହି ବି ଭାରତକୁ ଏକ ଜାତିବିହୀନ ସମାଜରେ ରୂପାନ୍ତରିତ କରିବାର ଏକମାତ୍ର ପନ୍ଥା ବୋଲି ଏହାକୁ ଭାବିନଥିଲେ। ଆରକ୍ଷଣକୁ ସେଭଳି ଜାତିମାନଙ୍କର ଶୈକ୍ଷିକ ଓ ଆର୍ଥିକ ପ୍ରଗତିରେ ଉନ୍ନତି ଆଣିବାର ଏକ ଉପାୟ ଭାବେ ବିବେଚନା କରାଯାଇଥିଲା, ଯେଉଁମାନଙ୍କୁ ଇତିହାସରେ ସେଭଳି ସୁବିଧାସୁଯୋଗରୁ ବଞ୍ଚିତ କରାଯାଇଥିଲା। ଏହା ସମାନତାକୁ ପ୍ରୋତ୍ସାହିତ କରିବାର ଏକ ସକ୍ଷମ ସାଧନ ଥିଲା, ମାତ୍ର ଅସମାନତାକୁ ଦୂର କରିବାର ତନ୍ତ୍ର ନଥିଲା।

ଭାରତରେ ଆରକ୍ଷଣ ପ୍ରଦାନ ପୂର୍ବକ ଜାତିଗତ ଅସମାନତାର କେବଳ ଏକ କ୍ଷୁଦ୍ର ଅଂଶକୁ ଦୂର କରାଯାଇଛି। ଅପରପକ୍ଷେ, ଜାତିଗତ ଅସମାନତାର ଏକ ସିଂହଭାଗକୁ ମୁଖ୍ୟତଃ ସାମାଜିକ ଶକ୍ତି ଦ୍ବାରା ଅବଧାରିତ ହେବା ଲାଗି ଛାଡ଼ି ଦିଆଯାଇଛି।

ସମାଜରେ ନିମ୍ନ ଜାତିର ଲୋକମାନେ ହଜାରେ ପ୍ରକାର ଜାତି ଭେଦଭାବର ଶିକାର ହେଉଛନ୍ତି ଏବଂ ସେମାନଙ୍କୁ ନିଜେ ହିଁ ତାହା ବିରୋଧରେ ଲଢ଼େଇ କରିବା ପଡ଼ିଥାଏ। ଏବେ ବି ଅଧିକାଂଶ ପ୍ରମୁଖ ପଦକୁ ଉଚ୍ଚ ଜାତିର ଲୋକେ ଅକ୍ତିଆର କରି ରଖିଛନ୍ତି ଏବଂ ଯୋଉଠି ନିମ୍ନ ଜାତିର ଲୋକଙ୍କୁ ନିଯୁକ୍ତ କରାଯିବା ପାଇଁ ଆରକ୍ଷଣ ବ୍ୟବସ୍ଥାର ବାଧ୍ୟବାଧକତା ନାହିଁ, ସେଠି ସେମାନଙ୍କୁ ନିଯୁକ୍ତି ଦେବାକୁ ଉଚ୍ଚ ଜାତିର ଅଧିକାରୀ ନାପସନ୍ଦ କରୁଛନ୍ତି। ସେମାନେ ନିମ୍ନ ଜାତିର ପୁରୁଷ କି ମହିଳା ସହ ନିଜ ଜାତିର କାହାକୁ ବିବାହ କରିବାର ଅନୁମତି ଦେଉନାହାନ୍ତି। ବେଳେ ବେଳେ ସେମାନଙ୍କର ଏପରି ପ୍ରତିରୋଧ ହିଂସାତ୍ମକ ହୋଇଯିବା ସହ ହତ୍ୟାରେ ତାହାର ପରିସମାପ୍ତି ଘଟୁଛି। ସ୍ଥଳବିଶେଷରେ ଯେଉଁ ବିଦ୍ୟାଳୟରେ ଅନୁସୂଚିତ ଜାତିର ପାଚିକା ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି, ସେଠି ଉଚ୍ଚ ଜାତିର ପିଲାମାନେ ଭୋଜନ ଗ୍ରହଣ କରୁନାହାନ୍ତି। ଏବେ ବି ଏପରି ଅନେକ ମନ୍ଦିର ରହିଛି ଯେଉଁଠି ଅନୁସୂଚିତ ଜାତିର ଲୋକଙ୍କୁ ପ୍ରବେଶ ବାରଣ କରାଯାଇଥାଏ। ସାଧାରଣତଃ ନିମ୍ନ ଜାତିର ଲୋକମାନଙ୍କୁ ହିଁ ଜାତିଗତ ଉପାଧି, ଅପମାନ ଓ ଅପଶବ୍ଦର ଶିକାର ହେବାକୁ ପଡୁଛି। ସେମାନଙ୍କୁ ମନ୍ଦବୁଦ୍ଧି, ମୂର୍ଖ ଓ ନିର୍ବୋଧ ପରି ଅପଶବ୍ଦ ଦ୍ବାରା ପରିହସିତ ହେବାକୁ ପଡୁଛି, ଯାହା ଆମେ ଉଚ୍ଚ ଜାତିର ସଭାସମିତିରେ ଶୁଣିବାକୁ ପାଉ।

ଜାତିଗତ ଭେଦଭାବକୁ ଆମ ରାଷ୍ଟ୍ର ଏକ ଅପରାଧ ଭାବେ ଗ୍ରହଣ କରିଛି। ମାତ୍ର ସେହି ଆଇନକୁ ଲାଗୁ କରିବା ରାଜନେତା ଓ ପୁଲିସ ଅଧିକାରୀଙ୍କ ହାତରେ ନିହିତ, ଯେଉଁମାନେ ପ୍ରାୟତଃ ଉଚ୍ଚ ଜାତିର ହୋଇଥା’ନ୍ତି ଏବଂ ସେମାନଙ୍କ ମନରେ ନିମ୍ନ ଜାତି ବିରୋଧରେ ନାନା ପୂର୍ବାଗ୍ରହମୂଳକ ଧାରଣା ଭରି ରହିଛି। ତେଣୁ ନିମ୍ନ ଜାତିର ଲୋକଙ୍କୁ ଏଭଳି ଭେଦଭାବ ସହ ବଞ୍ଚିବାକୁ ହେବ ଅଥବା ସେମାନଙ୍କୁ ତାହା ବିରୋଧରେ ସ୍ବୟଂ ଲଢ଼େଇ କରିବାକୁ ହେବ। ଅବଶ୍ୟ କିଛି ସ୍ଥାନରେ ସେମାନଙ୍କ ସମର୍ଥନରେ କିଛି ସାମାଜିକ ବା ରାଜନୈତିକ ସଂଗଠନ ହାତ ମିଳାନ୍ତି।

ତେଣୁ ଜାତିଗତ ଭେଦଭାବ ହେଉଛି ଏକ ମହାମାରୀ। ଆରକ୍ଷଣ ବ୍ୟବସ୍ଥା ଏହାର ଏକ ଛୋଟ ଅଂଶ ସହିତ ଲଢ଼ିଥାଏ। ତଥାପି ଆରକ୍ଷଣ ସେହି ଛୋଟ ଅଂଶଟିକୁ ଆନ୍ତରିକ ଓ ଫଳପ୍ରଦ ଭାବେ ଲଢୁଛି କି? ଉତ୍ତର ହେଉଛି ନା।

କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଅନୁସାରେ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ୨୭ ପ୍ରତିଶତ ଆରକ୍ଷଣ ପାଇବାର ଦୁଇ ଦଶନ୍ଧି ପରେ ୨୦୧୫ରେ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ସେମାନଙ୍କର ଭାଗ ମାତ୍ର ୧୨ ପ୍ରତିଶତ ରହିଥିଲା। ଡିଓପିଟିର ୨୦୨୨ର ତଥ୍ୟ ମୁତାବକ କ୍ୟାବିନେଟ ସଚିବାଳୟ, ୟୁପିଏସ୍‌ସି ଓ ନିର୍ବାଚନ ଆୟୋଗ ସମେତ କେନ୍ଦ୍ର ସରକାରଙ୍କ ୪୩ଟି ବିଭାଗ ଓ କାର୍ଯ୍ୟାଳୟରେ ଓବିସିଙ୍କ ଭାଗ ୨୦.୨୬ ପ୍ରତିଶତ ଥିଲା। ଏପରିକି ଅମଲାତନ୍ତ୍ରର ସର୍ବୋଚ୍ଚ ସ୍ତର ଗ୍ରୁପ୍‌ ‘ଏ’ରେ ଓବିସିଙ୍କ ଭାଗ ୧୬.୬୮ ପ୍ରତିଶତକୁ ଖସି ଆସିଥିଲା। ଏହି ସ୍ତରରେ ଅନୁସୂଚିତ ବର୍ଗ (ଏସ୍‌ସି)ର ଭାଗ ଆହୁରି କମ୍‌ (ବୈଧାନିକ ୧୫ ପ୍ରତିଶତ ସ୍ଥାନରେ ୧୨.୮୬ ପ୍ରତିଶତ) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ଭାଗ ମଧ୍ୟ ଅନୁରୂପ (ବୈଧାନିକ ୭.୫ ପ୍ରତିଶତ ସ୍ଥାନରେ ୫.୬୪ ପ୍ରତିଶତ) ରହିଥିଲା।

ଏସ୍‌ସି/ଏସ୍‌ଟି ପାଇଁ ଆରକ୍ଷଣ ଲାଗୁ ହେବାର ସାତ ଦଶକ ପରେ ଏବଂ ଓବିସି ଆରକ୍ଷଣ ଲାଗୁ ହେବାର ପ୍ରାୟ ତିନି ଦଶନ୍ଧି ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ତଥାପି ତାହାକୁ ପୂର୍ଣ୍ଣ ମାତ୍ରାରେ ଓ ସନ୍ତୋଷଜନକ ଭାବେ କାର୍ଯ୍ୟକାରୀ କରିପାରିନାହାନ୍ତି। ଆରକ୍ଷଣ ବ୍ୟବସ୍ଥା ତଥାପି ପ୍ରଗତି ପଥରେ ରହିଛି। ଏସ୍‌ସି/ଏସ୍‌ଟି/ଓବିସି ବର୍ଗର ପ୍ରତିନିଧିତ୍ବ ସ୍ବଳ୍ପତାରେ ଅନ୍ତ ଆଣିବା ପାଇଁ ଅନେକ ସମୟରେ ଡିଓପିଟି ମଧ୍ୟ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭିନ୍ନ ବିଭାଗକୁ ଚିଠି ଲେଖିଛି, ମାତ୍ର କୌଣସି ଫଳ ହୋଇନାହିଁ।

ସରକାର ଓବିସିମାନଙ୍କୁ ବୈଧାନିକ ଭାଗରୁ କମ୍‌ ପରିମାଣର ସଂରକ୍ଷଣ ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଏକ ନୂଆ ସମସ୍ୟା ମୁଣ୍ଟ ଟେକିଛି: ଓବିସିର ଏକ ଛୋଟ ଭାଗ ଆରକ୍ଷଣର ବଡ଼ ଭାଗ ନେଉଛନ୍ତି। ଓବିସିଙ୍କ ଭିତରେ ଆରକ୍ଷଣ ବଣ୍ଟନକୁ ଅଧିକ ସମାନୁପାତିକ ତଥା ନ୍ୟାୟସଂଗତ କରିବା ଲାଗି ସେମାନଙ୍କର ଏକ ଉପବର୍ଗୀକରଣ ନିମନ୍ତେ ଦିଲ୍ଲୀ ହାଇକୋର୍ଟର ଅବସପ୍ରାପ୍ତ ବିଚାରପତି ଜି. ରୋହିଣୀଙ୍କ ନେତୃତ୍ବରେ ଏକ ଆୟୋଗ ଗଠନ କରାଯାଇଛି। କିଛି ରାଜନୈତିକ ଦଳ ଏହି ଆରକ୍ଷଣ ବଣ୍ଟନକୁ ଅଧିକ ନ୍ୟାୟସଂଗତ କରିବା ଲାଗି ଜାତିଗତ ଜନଗଣନାର ଦାବି ଉଠାଇଛନ୍ତି।

ସ୍ପଷ୍ଟ ରୂପରେ ଆରକ୍ଷଣ ଏକ ଅସଂପୂର୍ଣ୍ଣ ପ୍ରକ୍ରିୟା ବୋଲି ପ୍ରମାଣିତ ହୋଇଚାଲିଛି। ଏହାକୁ ବନ୍ଦ କରିବାର ଆହ୍ବାନକୁ ନିମ୍ନ ଜାତିର ସମର୍ଥନ ମିଳିବନି। ଆରକ୍ଷଣ ଭିତରେ ବିଭିନ୍ନ ସ୍ତର ରହିଛି, ଯଦ୍ଦ୍ବାରା ତାହା ଏକ ଜଟିଳ ପ୍ରସଙ୍ଗ ହୋଇପଡ଼ିଛି। ଆରକ୍ଷଣ ସାମାଜିକ ପରିବର୍ତ୍ତନ ଆଣିପାରିବନି ବୋଲି ଆମେ ଯଦିଓ ଜାଣିଛନ୍ତି, ତଥାପି ଆମକୁ ତାହା ସହିତ ଆମ ପସନ୍ଦରୁ ଅଧିକ ସମୟ ରହିବାକୁ ପଡ଼ିପାରେ।

ଯେ ପର୍ଯ୍ୟନ୍ତ ଆମେ ଏହି ସମସ୍ୟାର ମୂଳକୁ ମୁକାବିଲା କରିବାକୁ ନିଷ୍ପତ୍ତି ନ ନେଇଛୁ, ସେ ପର୍ଯ୍ୟନ୍ତ ଆରକ୍ଷଣ ରହିଥିବ। ଆରକ୍ଷଣ ସମାପ୍ତ କରିବାର ଉପାୟ ହେଉଛି ସମାଜରେ ସାମାଜିକ ଭେଦଭାବ ଓ ତତ୍‌ଜନିତ ହିଂସା ବନ୍ଦ କରିବା। ରାଷ୍ଟ୍ରକୁ ନିଜ ପ୍ରାଶାସନିକ ବ୍ୟବସ୍ଥାର ଚରିତ୍ରକୁ ଜାତି-ସଚେତନରୁ ସମାନତା-ସଚେତନକୁ ରୂପାନ୍ତରିତ କରିବା ଦିଗରେ କାମ କରିବାକୁ ହେବ। ଯେବେ ସମାଜରେ ସମାନତା ସ୍ଥାପିତ ହୋଇଯିବ, ସେବେ ଆରକ୍ଷଣ ତା’ର ଅସ୍ତିତ୍ବ ହରାଇ ବସିବ।

[email protected]