ଶାନ୍ତିର ଅନୁସନ୍ଧାନରେ

ଦାଶରଥି ଭୂୟାଁ

ଶାନ୍ତି ଏକ ଆକର୍ଷଣୀୟ ଶବ୍ଦ। ସମସ୍ତେ ଶାନ୍ତି ପାଇଁ ଆହ୍ୱାନ କରୁଛନ୍ତି। ପାଠ୍ୟପୁସ୍ତକ, ସମ୍ବିଧାନ, ଆନ୍ତର୍ଜାତିକ ଘୋଷଣା ପତ୍ର ଏବଂ ଚୁକ୍ତିନାମା ଆଦି ଦଲିଲରେ ମଧ୍ୟ ଏକ ଆଦର୍ଶ ମୂଲ୍ୟ ଭାବରେ ଶାନ୍ତିକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଶାନ୍ତି କାହିଁ? ଯୁଦ୍ଧ ଓ ସଂତ୍ରାସ କାଳରେ ଖବରକାଗଜ ବା ଟେଲିଭିଜନ ରିପୋର୍ଟମାନ ଆମକୁ ନିରନ୍ତର ସଚେତନ କରାନ୍ତି ଯେ ଆମେ ଏକ ଅଶାନ୍ତ ସମୟ ଦେଇ ଗତି କରୁଛେ। ତେଣୁ ଶାନ୍ତିର ଅନୁସନ୍ଧାନ ଜାରି ରହିବା ଜରୁରୀ।

ଜର୍ମାନ ଦାର୍ଶନିକ କାର୍ଲ ମାର୍କ‌୍ସ, ଫ୍ରେଡରିକ ହେଗେଲ, ଫ୍ରେଡରିକ ନିଚା, ହିଟଲର, ମୁସୋଲିନି, ଲେନିନ, ଷ୍ଟାଲିନ, ମାଓ, ପୋଲ-ପଟ ଆଦି ଯୁଦ୍ଧ, ଗରିଲା ଯୁଦ୍ଧ, ପ୍ରତାରଣାପୂର୍ଣ୍ଣ ଯୁଦ୍ଧ, ବିପ୍ଳବ, ହିଂସା ଓ ରକ୍ତପାତର ପରୋକ୍ଷ ବା ପ୍ରତ୍ୟକ୍ଷ ପୃଷ୍ଠପୋଷକତା କରିଛନ୍ତି। ମୁସୋଲିନିଙ୍କ ଫାସିବାଦ, ହିଟଲରଙ୍କ ନାଜିବାଦ, ରୁଷରେ ଷ୍ଟାଲିନ ଓ କାମ୍ବୋଡିଆର ଖେମରରୁଜ୍ ଶାସକ ପୋଲ-ପଟଙ୍କ ଶାସନ କାଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟବସ୍ଥିତ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ଦୁଇ ଦୁଇଟି ବିଶ୍ବ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ବିଶ୍ବଯୁଦ୍ଧର ଭୟାବହତା ପରେ ଏକ ଅଳୀକ ଧାରଣା ସୃଷ୍ଟି ହୋଇଥିଲା ଯେ ସମ୍ଭବତଃ ଆଉ ଯୁଦ୍ଧ ହେବ ନାହିଁ ବା ମାନବ ଜାତି ଆଉ ଏକ ପରମାଣୁ ଯୁଦ୍ଧ ଦେଖିବା ସ୍ଥିତିରେ ନାହିଁ। କିନ୍ତୁ ଶୀଘ୍ର ପୁଞ୍ଜିବାଦୀ ଆମେରିକା ଏବଂ କମ୍ୟୁନିଷ୍ଟ ସୋଭିଏତ୍ ୟୁନିଅନ୍ ମଧ୍ୟରେ ତୀବ୍ର ଶସ୍ତ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲା, ‘ପରମାଣୁ ଅସ୍ତ୍ର’ କ୍ଷମତାର ବୃଦ୍ଧି ଘଟିବାରେ ଲାଗିଲା ଓ ବିଭିନ୍ନ ସ୍ଥାନରେ ଯୁଦ୍ଧମାନ ଘଟି ଚାଲିଲା ଏବଂ ଏବେ ଚାଲିଛି ମଧ୍ୟ। କିନ୍ତୁ ଏକ ବିଡ଼ମ୍ବନା ଭଳି ଶାନ୍ତି ସ୍ଥାପନ କରିବା ସକାଶେ ମଧ୍ୟ ଯୁଦ୍ଧ ଲଢ଼ାଗଲା। ଏହାର ଉଦାହରଣ ଆଫଗାନିସ୍ତାନ ଓ ଇରାକ ଉପରେ ଆମେରିକାର ଆକ୍ରମଣ; ଯାହାର ଉଦ୍ଦେଶ୍ୟ ଥିଲା ଯଥାକ୍ରମେ ଆତଙ୍କବାଦରୁ ମୁକ୍ତି ଏବଂ ଗଣ-ସଂହାରକାରୀ ଶସ୍ତ୍ର ଭଣ୍ଡାରର ବିଧ୍ବଂସ ସାଧନ। ଅର୍ଥାତ୍‌ ଉଦ୍ଦେଶ୍ୟ ଶାନ୍ତି ପ୍ରତିଷ୍ଠା ମାତ୍ର ଅବଲମ୍ବନ ବା ଉପାୟ ହେଉଛି ଯୁଦ୍ଧ।

କିନ୍ତୁ, ଏଣେ ପୃଥିବୀ ଗୌତମ ବୁଦ୍ଧ, ମହାବୀର, ଯୀଶୁଖ୍ରୀଷ୍ଟ ଏବଂ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଦେଖିଛି, ଯେଉଁମାନେ ଶାନ୍ତିର ଅମଳିନ ପ୍ରତୀକ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ‌େସମାନ ଶାନ୍ତିକୁ ପ୍ରମୁଖ ଭାବେ ହିଂସାର ଅନୁପସ୍ଥିତି ଭାବରେ ଦେଖିଛନ୍ତି। ହିଂସା ପ୍ରାୟତଃ ସମାଜର ମୌଳିକ ଢାଞ୍ଚାରେ ଅନ୍ତର୍ହିତ ହୋଇ ରହିଥାଏ। ଉଦାହରଣ ସ୍ବରୂପ ଜାତି, ଶ୍ରେଣୀ କିମ୍ବା ଲିଙ୍ଗ ବା ଅନ୍ୟ ଯେ କୌଣସି ଆଧାରରେ ଅସମାନତା ବା ବିଭାଜନରେ ହିଂସା ଥାଏ। ସୁତରାଂ, ଏହି ମହାପୁରୁଷମାନେ ଏଭଳି ହିଂସାର ଦୂରୀକରଣର ପ୍ରୟାସ କରିଥିଲେ। ସୁତରାଂ, ସେମାନଙ୍କ ଧାରଣାର ହିଂସାମୁକ୍ତ ସମାଜରେ ଶାନ୍ତିର ଫଲ୍‌ଗୁ ପ୍ରବାହିତ ହେବା ସ୍ବାଭାବିକ ଥିଲା।

କିନ୍ତୁ ବିଡ଼ମ୍ବନା, ଏବେ ଆମେମାନେ ଏକ ମୂଲ୍ୟବୋଧଜନିତ ସଂକଟ ବା ବିରୋଧାଭାସର ସମ୍ମୁଖୀନ ହେଉଛେ। ଗୋଟେ ପଟେ ଶାନ୍ତିର ଗୁଣଗାନ କରି ବୁଦ୍ଧ ବା ଗାନ୍ଧୀଙ୍କ ଦର୍ଶନକୁ ଉଚ୍ଚାସନ ଦେଉଛେ ତ ଅନ୍ୟ ପଟେ ହିଂସାର ଗୁଣଗାନ କରିଥିବା ମାଓ-ସେ-ତୁଙ୍ଗଙ୍କୁ ମଧ୍ୟ ଜଣେ ମହାନ ଦାର୍ଶନିକ ବୋଲି କହୁଛୁ। ଆମ ଲାଗି ଦିଗ୍‌ବିଜୟୀ ଆଲେକଜାଣ୍ଡର ମଧ୍ୟ ଜଣେ ଆଦର୍ଶ ପୁରୁଷ।

ଏଭଳି ସ୍ଥଳେ ମୂଳ ପ୍ରଶ୍ନଟି ହେଲା, ହିଂସାର ସମାପ୍ତି ହୋଇ ପାରିବ କି? ଉତ୍ତରଟି ସହଜ ଏବଂ ତାହା ହେଲା ଏହା ସମ୍ଭବ ନୁହେଁ। ମନୁଷ୍ୟ ମନର ଅଚେତନରେ ଥିବା ଅନ୍ଧକାର ମଧ୍ୟରେ ହିଂସା ସର୍ବଦା ରହି ଆସିଛି ଏବଂ ରହିବ; ଯାହା ମୃଦୁ ଭାବେ ହେଉ ବା କର୍କଶ ରୂପରେ ହେଉ; ଆମ ଦୈନନ୍ଦିନ ସାଧାରଣ ଜୀବନ ଠାରୁ ଆରମ୍ଭ କରି ସାମାଜିକ, ରାଷ୍ଟ୍ରୀୟ ବା ଅନ୍ତର୍ଜାତୀୟ ପରିଧିରେ ମଧ୍ୟ ଦୃଷ୍ଟିଗୋଚର ହେବ। ପରିବାର ମଧ୍ୟରେ ମନୋମାଳିନ୍ୟ, ଗାଳି ଅଭିମାନ ବା ମାଡ଼ ଭଳି ଆଚରଣର ଏକ ବୃହତ୍ତର ପରିପ୍ରକାଶ ଦେଶ ଦେଶ ମଧ୍ୟରେ ଯୁଦ୍ଧ। ସେଥି ଲାଗି ତ ବର୍ତ୍ତମାନ ଶାନ୍ତି ପାଇବା ବା ଶାନ୍ତି ସ୍ଥାପନ କରିବା ସର୍ବାଧିକ ଅଲଂଘ୍ୟ ଉଦ୍ୟମରେ ପରିଣତ ହୋଇଛି! ତେବେ, ଏତିକି କୁହାଯାଇପାରେ ଯେ ଯଦି ହିଂସାର ଅନୁପସ୍ଥିତିକୁ ଆମେ ଶାନ୍ତି ଲାଭର ସର୍ବାଧିକ ବଳିଷ୍ଠ ଉପାୟ ଭାବେ ଗ୍ରହଣ କରିବା, ତେବେ ଆମକୁ ମହାବୀର ବା ଗୌତମ ବୁଦ୍ଧଙ୍କ ସେହି ବାଣୀକୁ ମନେ ରଖିବାକୁ ହେବ; ଯାହା ହେଲା ସର୍ବଦା ‘ଜାଗ୍ରତ ରହ’। ଯଦି ଆମେ ସର୍ବଦା ଜାଗ୍ରତ ରହିବା, ନିଜ ଆଚରଣକୁ ନି‌େଜ ନିରାସକ୍ତ ଭାବେ ଦେଖି ପାରିବା, ତେବେ‌, ହିଂସାର ଆବିର୍ଭାବ ସହଜରେ ଘଟିବ ନାହିଁ। ତାହା ହେଲେ ହୁଏ’ତ ଶାନ୍ତି ଲାଭ କରାଯାଇପାରେ!

ମୋ: ୭୦୦୮୧୩୨୧୩୪

ସମ୍ବନ୍ଧିତ ଖବର