ଆର୍‌ଏସ୍‌ଏସ୍‌ର ପ୍ରକୃତ ସ୍ବରୂପ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

କନ୍ନଡ଼ ସାହିତ୍ୟ ଦୁନିଆରେ ଦେବନୂର ମହାଦେବ ପ୍ରଥମ କରି କ୍ଷୁଦ୍ର ଗଳ୍ପ ଓ କ୍ଷୁଦ୍ର ଉପନ୍ୟାସ ‘କୁସୁମବାଲେ’ ମାଧ୍ୟମରେ ନାଁ କମାଇଥିଲେ, ଯହିଁରେ ହୃଦୟଗ୍ରାହୀ ମୌଳିକତା ଓ ଶକ୍ତି ରହିଥିଲା। ସେବେ ଠାରୁ ସେ ନିଜର ରାଜନୈତିକ ଐକାନ୍ତିକତା ଓ ନୈତିକ ସାହସର ପ୍ରମାଣ ସ୍ବରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଲୋଭନୀୟ ପ୍ରସ୍ତାବମାନ ଠାରୁ ନିଜକୁ ଦୂରେଇ ରଖିବା ସହିତ ବଞ୍ଚିତ ଓ ସୀମାନ୍ତରିତମାନଙ୍କ ସ୍ବର ଭାବେ ସେ ସୃଷ୍ଟି କରିଥିବା ନିଜ ପରିଚିତିକୁ ବଜାୟ ରଖି ଅତ୍ୟନ୍ତ ସମ୍ମାନାସ୍ପଦ ହୋଇ ପାରିଛନ୍ତି। ସେ ଅନ୍ତର୍ଧାର୍ମିକ ସଦ୍‌ଭାବର ଜଣେ ପ୍ରବଳ ପକ୍ଷପାତୀ। ବିବିଧତାବାଦ ପ୍ରତି ତାଙ୍କର ଆନ୍ତରିକତା ସାଂପ୍ରତିକ ସ୍ଥିତିରେ ହଲାଲ ମାଂସ କିଣିବା ପାଇଁ ମହୀଶୂରର ଏକ ନିର୍ଦ୍ଦିଷ୍ଟ ବଜାରକୁ ସେ ଯିବା ବେଳେ ଜଣାପଡ଼ିଥିଲା; ଯେତେବେଳେ କି ହିନ୍ଦୁତ୍ବବାଦୀଙ୍କ ପ୍ରରୋଚନାରେ ଉକ୍ତ ଦ୍ରବ୍ୟ ଉପରେ ପ୍ରତିବନ୍ଧ ଲଗାଯାଇଥିଲା।

ଚଳିତ ବର୍ଷ ଜୁଲାଇରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଂପର୍କରେ ନିଜ ଚିନ୍ତାଧାରାର ରୂପରେଖ ଦେବା ଲାଗି ସେ ଏକ ପୁସ୍ତକ ପ୍ରକାଶ କରିଛନ୍ତି। ଏହା ପ୍ରକାଶିତ ହେବାର ସପ୍ତାହକ ପରେ ‘ଦି ନ୍ୟୁଜ୍‌ ମିନିଟ୍‌’ ୱେବ୍‌ସାଇଟ୍‌ରେ ବାହାରିଲା କି ‘ଆର୍‌ଏସ୍‌ଏସ୍‌ର ଏକ ମହତ୍ତ୍ବପୂର୍ଣ୍ଣ ଅନୁଶୀଳନ କରିଥିବା ଏହି ପୁସ୍ତକଟି ଉନ୍ମୋଚିତ ହେବା ପରଠାରୁ ବିପୁଳ ସଂଖ୍ୟାରେ ବିକ୍ରି ହୋଇଚାଲିଛି, ଯେଉଁଥିପାଇଁ ଉକ୍ତ ପୁସ୍ତକ ତଥା ତାହାର ଲେଖକ ଉଭୟଙ୍କୁ ବଦନାମ କରିବା ଲାଗି ରାଜ୍ୟର ଦକ୍ଷିଣପନ୍ଥୀ ସରକାର ସତେ ଯେମିତି ସମସ୍ତ ବଳ ଲଗାଇ ଦେଇଛି।’ ଶାସକ ବିଜେପିର ସାଂସଦମାନଙ୍କ ସମେତ ସେହି ରାଜନୈତିକ ବର୍ଣ୍ଣାଳୀରେ ‘ବୁଦ୍ଧିଜୀବୀ’ମାନେ ଏହି ଲେଖକଙ୍କୁ କୋଣଠେସା କରିଦେଇଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ; ସେହି ବହିର ହଜାର ହଜାର କପି ବିକ୍ରି ହୋଇଛି ଏବଂ ରାଜ୍ୟର କୋଣ ଅନୁକୋଣରେ ଏହାର ଚର୍ଚ୍ଚା ତଥା ଏହାକୁ ନେଇ ବିତର୍କ ହୋଇଛି।

ଆମମାନଙ୍କ ଭଳି ଯେଉଁମାନେ କନ୍ନଡ଼ ପଢ଼ିପାରନ୍ତି ନାହିଁ, ‌େସମାନଙ୍କ ଲାଗି ସୁଖର କଥା ଯେ ମହାଦେବଙ୍କ ପୁସ୍ତକଟି ଏବେ ତାମିଲ, ତେଲୁଗୁ ଓ ମାଲାୟାଲମ୍‌ ସମେତ ଅନ୍ୟ ଭାଷାରେ ଉପଲବ୍‌ଧ ହେବାକୁ ଯାଉଛି। ନିକଟରେ ମୁଁ ଏସ୍‌. ଆର୍‌. ରାମକୃଷ୍ଠଙ୍କ ଦ୍ବାରା ଏହାର ଇଂରେଜୀ ଅନୁବାଦର ପାଣ୍ଡୁଲିପିକୁ ପଢ଼ିଲି, ଯାହା ଖୁବ୍‌ ଶୀଘ୍ର ପୁସ୍ତକ ଆକାରରେ ପ୍ରକାଶ ପାଇବ।

ମୁଖ୍ୟ ପାଠଟି ଆଜିର ହିନ୍ଦୁତ୍ବକୁ ଆକାର ଦେଇଥିବା ଏମ୍‌. ଏସ୍‌. ଗୋଲଵଲକର ଓ ଭି. ଡି. ସାଵରକରଙ୍କ ଉଦ୍ଧୃତିରୁ ଆରମ୍ଭ ହୋଇଛି। ସେଥିରେ ଗୋଲଵଲକର ଶାସ୍ତ୍ରସମ୍ମତ ଭିତ୍ତିରେ ଜାତି ପ୍ରଥା ଓ ତାହାର ଅନ୍ତରୀଣ ପଦାନୁକ୍ରମକୁ ଯଥାର୍ଥ ବୋଲି କହିଥିବା ଦେଖାଯାଇଛି। ସେହିପରି ଜାତି ତଥା ଲିଙ୍ଗଗତ ଅସମାନତାକୁ ସମର୍ଥନ କରିବା ଭଳି ଭାରତୀୟ ସମ୍ବିଧାନ ବିରୋଧୀ କାର୍ଯ୍ୟକୁ ସାଵରକର ମନୁସ୍ମୃତିକୁ ପୂଜା କରିବାର ଆଗ୍ରହ ମାଧ୍ୟମରେ ଦେଖାଇଛନ୍ତି। ମହାଦେବ ବାଛିଥିବା ସାଵରକରଙ୍କ ଉଦ୍ଧୃତାଂଶ ବିଶେଷ ଭାବରେ କହୁଛି ଯେ ‘ଆମ ହିନ୍ଦୁ ରାଷ୍ଟ୍ର ପାଇଁ ବେଦଗୁଡ଼ିକ ପରେ ମନୁସ୍ମୃତି ହେଉଛି ସର୍ବାଧିକ ପୂଜାସ୍ପଦ ଗ୍ରନ୍ଥ ଏବଂ ଯାହା ପ୍ରାଚୀନ କାଳରୁ ହିଁ ଆମର ସଂସ୍କୃତି, ରୀତିନୀତି, ବିଚାରଧାରା ଓ ଅଭ୍ୟାସ ପାଲଟି ସାରିଛି। ଶତାବ୍ଦୀ ଶତାବ୍ଦୀ ଧରି ଉକ୍ତ ଗ୍ରନ୍ଥ ଆମ ରାଷ୍ଟ୍ରର ଆଧ୍ୟାତ୍ମିକ ଓ ଐଶ୍ବରିକ ପଥକୁ ସଂହିତାବଦ୍ଧ କରି ଆସିଛି। ଆଜି ବି କୋଟି କୋଟି ହିନ୍ଦୁ ନିଜର ଜୀବନ ଓ ବ୍ୟବହାରରେ ଯେଉଁ ନିୟମ ପାଳନ କରୁଛନ୍ତି, ତାହା ମନୁସ୍ମୃତି ଉପରେ ପର୍ଯ୍ୟବସିତ। ଆଜି ମନୁସ୍ମୃତି ହିଁ ହିନ୍ଦୁ ଆଇନ ପାଲଟିଛି, ତାହା ହିଁ ମୌଳିକ।’

ଗୋଲଵଲକରଙ୍କ ଆଉ ଗୋଟିଏ ଉଦ୍ଧୃତାଂଶରେ ରାଜ୍ୟମାନଙ୍କ ସଂଘର ଏହି ସଂଘୀୟ ବ୍ୟବସ୍ଥାକୁ ବିଷାକ୍ତ ବୋଲି କୁହାଯାଇଛି ଏବଂ ତାହା ବଦଳରେ ‘ଗୋଟିଏ ଦେଶ, ଗୋଟିଏ ରାଜ୍ୟ, ଗୋଟିଏ ବିଧାନମଣ୍ଡଳ ଓ ଗୋଟିଏ କାର୍ଯ୍ୟପାଳିକା’ର ସିଦ୍ଧାନ୍ତ ଉପରେ ଆଧାରିତ ଗୋଟିଏ ଐକାନ୍ତିକ ରାଜନୀତିକ ବ୍ୟବସ୍ଥା ଲାଗି ଆଗ୍ରହ ପ୍ରକାଶ କରାଯାଇଛି।

ଆର୍‌ଏସ୍‌ଏସ୍‌ ଚିନ୍ତାଧାରାର ଅଶିଷ୍ଟତା ପ୍ରତି ଦେବନୂର ମହାଦେବ ଆମର ଧ୍ୟାନ ଆକର୍ଷଣ କରିଛନ୍ତି। ଗୋଲଵଲକରଙ୍କ ପୁସ୍ତକ ‘ବଞ୍ଚ୍‌ ଅଫ୍‌ ଥଟ୍‌’ ସଂଘର ବାଇବେଲ ଭାବେ ବିବେଚିତ ହୋଇଥିବା ବେଳେ ମହାଦେବଙ୍କ ମନ୍ତବ୍ୟ ହେଲା, ‘ଉକ୍ତ ପୁସ୍ତକ ଭିତରେ ବିଚାର କି ଚିନ୍ତନ ବୋଲି କିଛି ନାହିଁ। ସେଥିରେ ଯାହା ଅଛି, ତାହା କେବଳ ବିକ୍ଷିପ୍ତ ତଥା ବିପଜ୍ଜନକ ବିଶ୍ବାସର ଏକ ସମାହାର, ଯାହା ପୁଣି ଅତୀତରୁ ଉଦ୍ଧୃତ।’ (ପୁସ୍ତକଟିକୁ ବାରମ୍ବାର ପଢ଼ି ମୁଁ ମଧ୍ୟ ଏଥିରେ ସହମତ)। ମହାଦେବଙ୍କ ଟିପ୍ପଣୀ ଅନୁସାରେ ଆର୍‌ଏସ୍‌ଏସ୍‌ର ବିଚାରଧାରା ଏତେ ସଂକୀର୍ଣ୍ଣମନା ଯେ ଆର୍‌ଏସ୍‌ଏସ୍‌ ଅତୀତର ଯେଉଁ ଖଳ ବିଚାରକୁ ପ୍ରଦର୍ଶନ କରୁଛି, ତାହାକୁ କୌଣସି ସମ୍ବେଦନଶୀଳ ବ୍ରାହ୍ମଣ ମଧ୍ୟ ସ୍ବୀକାର କରିବ ନାହିଁ।

ଭାରତୀୟ ସମ୍ବିଧାନର ଜଣେ ରକ୍ଷକ ଦୃଷ୍ଟିରେ ମହାଦେବ ତାହା ଲେଖିଛନ୍ତି। ଆର୍‌ଏସ୍‌ଏସ୍‌ ଓ ବିଜେପିର ନେତାମାନେ ସମ୍ବିଧାନକୁ ମାନୁଥିବା ଭଳି ଦେଖେଇ ହେଉଛନ୍ତି ସିନା ସତ କହିଲେ ସେମାନେ ବିବିଧତାବାଦ, ଜାତି ଓ ଲିଙ୍ଗଗତ ସମାନତା, ବାକ୍‌ ସ୍ବାଧୀନତା ଏବଂ ସଂଘୀୟ ଭାବନା ପରି ମୂଳ ସିଦ୍ଧାନ୍ତର ଘୋର ବିରୋଧୀ। ମହାଦେବ ଏ କଥା ବି କହିଛନ୍ତି ଯେ ସେମାନେ ଭାରତୀୟ ସମ୍ବିଧାନର ଯେତେ ଅଧିକ କ୍ଷତି ପହଞ୍ଚାଉଥିବେ, ନିଜକୁ ସେତେ ଅଧିକ ବିଜୟୀ ବୋଲି ମନେ କରୁଥିବେ। ସେ ଆହୁରି କହିଛନ୍ତି, ‘ସମ୍ବିଧାନକୁ ଧ୍ବଂସ କରିବା ପାଇଁ ଆର୍‌ଏସ୍‌ଏସ୍‌ ଓ ତାହାର ସହଯୋଗୀମାନେ ଅକଥନୀୟ କାର୍ଯ୍ୟମାନ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବାନ୍ଧି ରଖିଥିବା ତଥା ସମ୍ବିଧାନର ଆଧାର ସାଜିଥିବା ସଂଘୀୟ ଭାବନାର ମୂଳୋତ୍ପାଟନ ପାଇଁ ସଂଘାତମୟ ସ୍ଥିତି ସୃଷ୍ଟି କରାଇଛନ୍ତି।’ ଏ ପରିପ୍ରେକ୍ଷୀରେ ମହାଦେବଙ୍କର ଶାଣିତ ଟିପ୍ପଣୀ ହେଲା, ‘୨୦୧୪ରେ ଶାସନ କ୍ଷମତାକୁ ଆସିଲା ପରେ ବିଜେପି, ସଂଘୀୟ ଭାବନାକୁ କବର ଦେଇ ସମ୍ବିଧାନର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗର ହାନି ଘଟାଇ ଗୋଲଵଲକରଙ୍କୁ ନିଜର ଗୁରୁ ଦକ୍ଷିଣା ଅର୍ପଣ କରିଛି।’

ମିଛ ଖବର ପ୍ରଚାରରେ ଧୁରନ୍ଧର ଥିବା ହିନ୍ଦୁ ଦକ୍ଷିଣପନ୍ଥୀଙ୍କ ଦ୍ବାରା ଐତିହାସିକ ବିବରଣୀର ବିକୃତୀକରଣ, ଯାହା ଏବେ ହ୍ବାଟ୍‌ସଆପ୍‌ ଓ ଫେସବୁକ୍‌ରେ ଖୁବ୍‌ ବୃଦ୍ଧି ପାଇବାରେ ଲାଗିଛି, ତଥା ସତ୍ୟତା ପ୍ରତି ସେମାନଙ୍କର ହେୟ ଭାବକୁ ମହାଦେବ ଲୋକଲୋଚନକୁ ଆଣିଛନ୍ତି। ସେ କଡ଼ା ଭାବରେ କହିଛନ୍ତି, ‘ମିଥ୍ୟାଚାର ସେମାନଙ୍କ କୁଳ ଦେବତା।’ ଆର୍‌ଏସ୍‌ଏସ୍‌ ଦ୍ବାରା ନିୟନ୍ତ୍ରିତ ତଥା ବିଜେପି ସରକାର ଦ୍ବାରା ଜାରି ପାଠ୍ୟପୁସ୍ତକରେ ପ୍ରଚାରିତ କିଛି ମିଥ୍ୟା ଅବତାରଣାକୁ ସେ ପରଖିଛନ୍ତି। ସେଗୁଡ଼ିକ ଆମ ଶିଶୁମାନଙ୍କ ମନକୁ ଅଣହିନ୍ଦୁ ଭାରତୀୟଙ୍କ ପ୍ରତି ଘୃଣା ଭାବରେ ବିଷାକ୍ତ କରିବାରେ ଲାଗିଛି।

ମହାଦେବଙ୍କର ଶ୍ରେୟ ହେଲା, ସେ ସ୍ବୀକାର କରିଛନ୍ତି ଯେ ଆର୍‌ଏସ୍‌ଏସ୍‌ ଓ ବିଜେପି ବ୍ୟତୀତ ଅନ୍ୟ ରାଜନୈତିକ ଶକ୍ତିମାନଙ୍କର ମଧ୍ୟ ଲୋକତାନ୍ତ୍ରିକ ପତନରେ ଅବଦାନ ରହିଛି। ସେ କହିଛନ୍ତି, ‘ଜଣେ ବ୍ୟକ୍ତି ନେତୃତ୍ବ ନେଉଥିବା ଦଳ, ପରିବାର ଦ୍ବାରା ନିୟନ୍ତ୍ରିତ ଦଳ, ଏବଂ ସମ୍ବିଧାନ ବିରୋଧୀ ସଂଗଠନ ଦ୍ବାରା ନେତୃତ୍ବାଧୀନ ଦଳ; ଏହି ତିନିଟି ଯାକ ଗଣତନ୍ତ୍ର ପାଇଁ ହାନିକାରକ।’

ଆର୍‌ଏସ୍‌ଏସ୍‌ର ଜୀବନବ୍ୟାପୀ ପ୍ରଚାରକ ଥିବା ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଲା ପରେ କଳାଧନ ଫେରାଇ ଆଣିବା, ଚାଷୀଙ୍କ ରୋଜଗାର ଦି’ଗୁଣା କରିବା ଓ କୋଟିକୋଟି ନିଯୁକ୍ତି ସୃଷ୍ଟି କରିବା ଭଳି ପ୍ରଦାନ କରିଥିବା ପ୍ରତିଶ୍ରୁତିଗୁଡ଼ିକ ସମ୍ପର୍କରେ ମଧ୍ୟ ମହାଦେବ କହିଛନ୍ତି। ଏହି ସବୁ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଭାବରେ ଅପୂରଣୀୟ ହୋଇ ରହିଛି। ତାହା ପରିବର୍ତ୍ତେ ଆର୍ଥିକ ଅସମାନତା ଓ ବୈଷମ୍ୟ ବିପଜ୍ଜନକ ଭାବେ ବଢ଼ିଛି। ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବର ପ୍ରମୁଖ ହିତାଧିକାରୀ ହେଉଛନ୍ତି ଗୌତମ ଅଦାନି ଓ ମୁକେଶ ଅମ୍ବାନିଙ୍କ ପରି ବ୍ୟକ୍ତି (ସଂଯୋଗକୁ ଦୁହେଁ ଯାକ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟର)।

କିଛି ଦିନ ତଳେ ଚିକ୍କଣ କଥା କହୁଥିବା ଆର୍‌ଏସ୍‌ଏସ୍‌ର ସରସଂଘଚାଳକଙ୍କ ନିମନ୍ତ୍ରଣ ପରେ ନୂଆଦିଲ୍ଲୀରେ ଦଳେ ସମ୍ଭାନ୍ତ ମୁସଲମାନ ପୁରୁଷ ଏ ଧାରଣା ପୋଷଣ କରିଥିଲେ ଯେ ସଂଘ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେମାନେ ଦେବନୂର ମହାଦେବଙ୍କ ପୁସ୍ତକକୁ ପଢ଼ିବା ଉଚିତ। ଏପରିକି ମୁସଲମାନ-ହିନ୍ଦୁ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାହା ପଢ଼ିବା ଉଚିତ। ଦଶକ ଦଶକ ଧରି ଅଧ୍ୟୟନ ଓ ଅଭିଜ୍ଞତାରୁ ପ୍ରାପ୍ତ ଶିକ୍ଷାକୁ ମହାଦେବଙ୍କ ଗ୍ରନ୍ଥ ସାରଗର୍ଭିତ କରିଛି। ପ୍ରଭାବଶାଳୀ ହିନ୍ଦୁ ବିଚାରକମାନଙ୍କର ଅଧିକାଂଶ ପୁସ୍ତକକୁ ସେ ଯତ୍ନର ସହ ପଢ଼ିଛନ୍ତି ଏବଂ କର୍ଣ୍ଣାଟକରେ ସଂଘ ପରିବାରର କାର୍ଯ୍ୟକଳାପର ସେ ପ୍ରତ୍ୟକ୍ଷଦର୍ଶୀ। ଆର୍‌ଏସ୍‌ଏସ୍‌, ଭିଏଚ୍‌ପି ଓ ବଜରଙ୍ଗ ଦଳ ପରି ସଂଗଠନଗୁଡ଼ିକ କିପରି ଅମଲାତନ୍ତ୍ର, ନ୍ୟାୟପାଳିକା ଓ ପୁଲିସରେ ଅନୁପ୍ରବେଶ କରି, ଧାର୍ମିକ ସ୍ଥଳମାନଙ୍କରେ ନୂଆ ବିବାଦ ସୃଷ୍ଟି କରି ଏବଂ ବିଚ୍‌ ରାସ୍ତାରେ ଖୋଲାଖୋଲି ଉପଦ୍ରବ କରି ତାଙ୍କ ରାଜ୍ୟରେ ନିଜର ପଦଚିହ୍ନର ବିସ୍ତାର କରିବା ଲାଗି ଉଦ୍ୟମ ଚଳାଇଛନ୍ତି, ସେ ସବୁ ସେ ଦେଖିଛନ୍ତି। ମହାଦେବ ଜାଣିଛନ୍ତି କି ଯଦି ସଂଘ ଅନ୍ତତଃ କର୍ଣ୍ଣାଟକରେ ବିଜୟୀ ହୁଏ, ତେବେ ତାହା ରାଜ୍ୟର ବିବିଧତାବାଦୀ ଓ ମାନବତାବାଦୀ ପରମ୍ପରା, ଏହାର ସମୃଦ୍ଧ ସାହିତ୍ୟିକ ଓ ବୌଦ୍ଧିକ ସଂସ୍କୃତି ଏବଂ ସାର୍ବଜନୀନ ଜୀବନରେ ତର୍କ ଓ ସଭ୍ୟ ସମ୍ଭାବନାକୁ ଆଘାତ ପହଞ୍ଚାଇବ। ଦେବନୂର ମହାଦେବ ଏକ ମୃଦୁ ଆହ୍ବାନ ଜରିଆରେ ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ବିରୋଧ କରୁଥିବା ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଗୋଟିଏ ମଞ୍ଚରେ ସମବେତ ହୋଇ ଗଣତନ୍ତ୍ର ଭିତ୍ତିର ପୁନର୍ନିର୍ମାଣ ସହ ତାହାକୁ କଠୋର ଦକ୍ଷିଣପନ୍ଥୀଙ୍କ ଦ୍ବାରା ଅଧିକ ନଷ୍ଟ ହେବାରୁ ବଞ୍ଚାନ୍ତୁ। ତାଙ୍କ ଆହ୍ବାନର କିଛି ଉଦ୍ଧୃତାଂଶ ଏହିପରି: ଅନ୍ତତଃ ପକ୍ଷେ ଏବେ, ଭବିଷ୍ୟତ୍‌ ନେଇ ଚିନ୍ତା କରୁଥିବା ଗୋଷ୍ଠୀ, ସଂଗଠନ ଓ ରାଜନୈତିକ ଦଳଗୁଡ଼ିକୁ ଉପରକୁ ଉଠିବାକୁ ହେବ; ସେମାନଙ୍କୁ ସାମୂହିକ ଭାବେ ଏକ ନଦୀ ରୂପରେ ବହିବାକୁ ପଡ଼ିବ। ସେମାନଙ୍କୁ ନିଜର ଅହଂକାର ତ୍ୟାଗ କରିବାକୁ ହେବ। ଗୋଟିଏ ଲକ୍ଷ୍ୟ ଲାଭ କରିବା ଲାଗି ଶହ ଶହ ରାସ୍ତା ରହିଛି ବୋଲି ସେମାନଙ୍କୁ ସ୍ବୀକାର କରିବାର ବିନମ୍ରତା ଆହରଣ କରିବାକୁ ପଡ଼ିବ। ସେମାନଙ୍କୁ ନିଜ ନିଜ ଭିତରେ ନେତୃତ୍ବ କଳହରେ ଅନ୍ତ ଘଟାଇବାକୁ ହେବ। ସେମାନଙ୍କୁ ଏକ ବ୍ୟାପକ ମେଣ୍ଟରେ ସାମିଲ ହୋଇ ସଂଘୀୟ ଭାବନା, ଭାରତୀୟ ସମ୍ବିଧାନ ଓ ଭାରତର ଜୀବନ-ଶ୍ବାସ ପାଲଟିଥିବା ବିବିଧତାକୁ ବଞ୍ଚାଇବାକୁ ହେବ। ସେମାନଙ୍କୁ ଏକାଠି ଏକ ସହଭାଗୀ ଲୋକତନ୍ତ୍ର ନିର୍ମାଣ କରିବାକୁ ହେବ, ଯହିଁରେ ସମସ୍ତ ନାଗରିକ ଓ ସମୁଦାୟ ଭାଗ ନେଇପାରିବେ ଏବଂ ଯଦ୍ଦ୍ବାରା ଏକ ସହିଷ୍ଣୁ, ପ୍ରୀତିପୂର୍ଣ୍ଣ ତଥା ଉଚ୍ଚ-ନୀଚ ଭେଦଭାବ ମୁକ୍ତ ସଂସ୍କୃତି ଗଢ଼ାଯାଇପାରିବ।

ସମ୍ବନ୍ଧିତ ଖବର