ଶ୍ରୀଜଗନ୍ନାଥ ମନ୍ଦିରର ଗରୁଡ଼ ସ୍ତମ୍ଭ ଦୁର୍ବଳ ହୋଇପଡୁଥିବାରୁ ତା’ର ସୁରକ୍ଷା ପାଇଁ ରୁପା ଛାଉଣି ହେବ ବୋଲି ଏକ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଭକ୍ତମାନଙ୍କ ଆଲିଙ୍ଗନ ଓ ସ୍ପର୍ଶ ଯୋଗୁଁ ଏହା ଦୁର୍ବଳ ହୋଇପଡୁଥିବା ଦର୍ଶାଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଗରୁଡ଼ ସ୍ତମ୍ଭର ଦୁର୍ବଳତା ପ୍ରସଙ୍ଗରେ ବାସ୍ତବ ତଥ୍ୟ ଅଧିକାଂଶ ଲୋକଙ୍କ ପରି ଏହି ଲେଖକ ପାଖରେ ନାହିଁ; ମାତ୍ର ଦୁର୍ବଳ ଗରୁଡ଼ ସ୍ତମ୍ଭର ସୁରକ୍ଷା ପାଇଁ କ’ଣ ରୁପା ଛାଉଣି ଅପରିହାର୍ଯ୍ୟ? ଏହା କ’ଣ ଏକମାତ୍ର ବିକଳ୍ପ? ଦ୍ବିତୀୟ କଥା ହେଲା ଯଦି ଗରୁଡ଼ ସ୍ତମ୍ଭ ରୁପାରେ ତିଆରି ହେବା କଥା, ତାହାହେଲେ ଯିଏ ମନ୍ଦିର ପ୍ରତିଷ୍ଠା କରିଥିଲେ ସିଏ କ’ଣ ସେତେବେଳେ ତାହାକୁ ରୁପାରେ ତିଆରି କରିପାରି ନ ଥାନ୍ତେ! ପୁଣି ରୁପା ଛାଉଣି ହେବା ପରେ ସୁଦ୍ଧା କ’ଣ ଅବିଚାରିତ ଆଲିଙ୍ଗନ ତାକୁ ଦୃଢ଼ କରି ରଖିପାରିବ?
ଗରୁଡ଼ ସ୍ତମ୍ଭ ଚନ୍ଦନ କାଠର ଜୀବାଶ୍ମରେ ତିଆରି ବୋଲି କେତେକ କହୁଥିବା ବେଳେ ଆଉ କେତେକ ପଥରରେ ତିଆରି ବୋଲି ମତ ଦେଇଥାଆନ୍ତି। ଶ୍ରୀଜଗନ୍ନାଥ ମୂଳତଃ ଆଦିବାସୀଙ୍କ ଦେବତା ବୋଲି କୁହାଯାଏ। ଏହି ମନ୍ଦିରରେ କାଠ, ପଥର ପରି ମୌଳିକ ବସ୍ତୁର ଆଦର ଆମେ ସମସ୍ତେ ଲକ୍ଷ୍ୟ କରିଛନ୍ତି। ସେ ସ୍ଥାନରେ ଯେତେ ମୂଲ୍ୟବାନ ହେଲେ ସୁଦ୍ଧା ରୁପା ବା ସୁନାର ବ୍ୟବହାର କେବଳ ଯେ ନାନ୍ଦନିକ ତତ୍ତ୍ବର ପରିପନ୍ଥୀ ହେବ, ସେତିକି ନୁହେଁ, ମୂଳ ଦର୍ଶନ ଓ ବିଶ୍ବାସର ବିରୁଦ୍ଧାଚରଣ କରିବ। ଏହି ଲେଖକ ଗରୁଡ଼ ସ୍ତମ୍ଭକୁ ରୁପା ଛାଉଣି କରାଯିବାର ନିଷ୍ପତ୍ତିକୁ ଆଦୌ ସମର୍ଥନ କରିପାରୁନାହିଁ। ସ୍ତମ୍ଭର ସୁରକ୍ଷା ପାଇଁ ଅନ୍ୟ ବିକଳ୍ପ କଥା ଚିନ୍ତା କରାଯିବା ଦରକାର। ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଆଯିବା କଦାପି ଉଚିତ ନୁହେଁ।
ଅପ୍ରାସଙ୍ଗିକ ହେଲେ ମଧ୍ୟ ଆଉ ଗୋଟିଏ କଥା ଏଠି ଆଲୋଚନା କରାଯାଇପାରେ। ଗତ କିଛି ବର୍ଷ ହେଲା ଓଡ଼ିଶାର ବିଭିନ୍ନ ଗ୍ରାମର ପ୍ରବେଶ ପଥରେ ଗ୍ରାନାଇଟ୍ ଲଗା କଂକ୍ରିଟ୍ ତୋରଣମାନ ତିଆରି କରାଯାଉଛି। ଏସବୁ ବିଧାୟକ ବା ସାଂସଦ ପାଣ୍ଠିରୁ କିମ୍ବା ଅନ୍ୟ ଉନ୍ନୟନ ସୂତ୍ରରୁ ବ୍ୟୟ କରାଯାଉଅଛି। ତେବେ ଗାଁଗୁଡ଼ିକର ପ୍ରବେଶ ପଥକୁ କ’ଣ ଏଭଳି ଦୋକାନ କି ହୋଟେଲ୍ର ଫାଟକ ପରି ରୁଚିହୀନ ଭାବରେ ନିର୍ମାଣ କରାଯିବା ଦରକାର? ଏ କ୍ଷେତ୍ରରେ ସୌନ୍ଦର୍ଯ୍ୟବୋଧକୁ କାହିଁକି ବଳି ଦିଆଯାଉଅଛି? ଆମ ରାଜ୍ୟ ଉତ୍କୃଷ୍ଟ କଳାର ଦେଶ ବୋଲି ଉତ୍କଳ। ଗତ ତେଇଶ ବର୍ଷ ହେଲା ଶାସନ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଜଣେ କଳା ଅନୁରାଗୀ। ଅଥଚ ଏପରି ରୁଚିହୀନ ଭାବରେ ଗ୍ରାମ ପ୍ରବେଶ ପଥ ନିର୍ମାଣ କରି ଆମେ ସବୁଜ ସୁନ୍ଦର ଗାଁଗୁଡ଼ିକୁ ଅସୁନ୍ଦର କରିଦେଉନାହୁଁ କି? ଏ ବିଷୟରେ ସରକାର ଟିକିଏ ଚିନ୍ତା କରିବା ଦରକାର। ଧୀରେ ଧୀରେ ଏ ବ୍ୟାଧି ରାସ୍ତାକଡ଼ ଗାଁଠାରୁ ଭିତରକୁ ବ୍ୟାପିଗଲାଣି। ଏହା ହୁଏତ ଆଦିବାସୀ ଗ୍ରାମ ଓ ପଡ଼ାଗୁଡ଼ିକୁ ବ୍ୟାପିପାରେ। ତା’ ପୂର୍ବରୁ ପ୍ରଶାସନ ଏହାର ପୁନର୍ଚିନ୍ତନ କରିବା ଦରକାର।
ପୁଣି ଥରେ ଗରୁଡ଼ ସ୍ତମ୍ଭ ଓ ପୁରୀ ପ୍ରସଙ୍ଗକୁ ଫେରିବା। ଭାରତରେ ଅନ୍ୟାନ୍ୟ ଦେବଦେବୀ ମନ୍ଦିରରେ ସୁନା-ରୁପାର ଯେଉଁ ପ୍ରଦର୍ଶନୀ ଦେଖିବାକୁ ମିଳେ, ଓଡ଼ିଶାରେ ତାହା ମିଳେ ନାହିଁ। କାରଣ ଓଡ଼ିଶାର ଦର୍ଶନ ଭିନ୍ନ। ଗରୁଡ଼ ସ୍ତମ୍ଭର ସ୍ପର୍ଶ ଭକ୍ତମାନଙ୍କୁ ମୋକ୍ଷ ଦିଏ ବୋଲି ଧାରଣା! ଦେବତାଙ୍କ ପରିକଳ୍ପନା ତ ମଣିଷର ଦୁଃଖ ଓ ଦୁର୍ଦ୍ଦଶାରୁ। ତା’ର କାନ୍ଦିବା ପାଇଁ କାନ୍ଧଟିଏ ଦରକାର, ଦୁଃଖ ଶୁଣିବା ପାଇଁ ଦେବତାଙ୍କ ପ୍ରୟୋଜନ। ଆଗରୁ ଯେତେବେଳେ ଭକ୍ତମାନେ ଏହି ସ୍ତମ୍ଭକୁ କୁଣ୍ଢାଉଥିଲେ ସେତେବେଳେ ତାହାକୁ ନିୟନ୍ତ୍ରଣ କରାଯିବା ଦରକାର ଥିଲା। ମୋକ୍ଷ ପାଇଁ ମହାଭାରତରେ ଧୃତରାଷ୍ଟ୍ର ଲୌହ ଭୀମକୁ ଶକ୍ତ ଆଲିଙ୍ଗନ କରିବା ଭଳି ବିପଦରୁ ଉଦ୍ଧାର ପାଇଁ ଗରୁଡ଼ ସ୍ତମ୍ଭକୁ ସେଭଳି ଆଲିଙ୍ଗନ କରିବା ଅନାବଶ୍ୟକ। କେବଳ ସ୍ପର୍ଶ ହିଁ ପ୍ରଭୁକୃପା ପାଇଁ ଯଥେଷ୍ଟ। ବର୍ତ୍ତମାନ ଠାରୁ ସେ କଟକଣା ଜାରି କରାଯାଇପାରିବ। ଯେଉଁ ଭକ୍ତ ରୁପା ଛାଉଣି ପାଇଁ ଟଙ୍କା ଦେବାକୁ ଚାହୁଁଛନ୍ତି, ସେ ମନ୍ଦିର ପାଣ୍ଠିକୁ ଦିଅନ୍ତୁ। ଏମିତି ଦେଖିଲେ ତିରୁପତି ବା ଶିରିଡି ସାଇ ମନ୍ଦିର ତୁଳନାରେ ଆମ ଜଗନ୍ନାଥ ଢେର୍ ଦରିଦ୍ର! ତିରୁପତିଙ୍କ ମନ୍ଦିରର ସଂପତ୍ତି ପରିମାଣ ଅଢ଼େଇ ଲକ୍ଷ କୋଟି ଟଙ୍କା ହେଲା ବେଳକୁ ଶ୍ରୀମନ୍ଦିରର ସଂପତ୍ତି ମାତ୍ର ବାର ହଜାର କୋଟି ଟଙ୍କା। ନିକଟରେ ଭାରତର ବିଭିନ୍ନ ମନ୍ଦିରର ସଂପତ୍ତିବାଡ଼ି ତାଲିକା ପ୍ରକାଶିତ ହୋଇଛି। ପୁରୀର ଶ୍ରୀମନ୍ଦିରର ସଂପତ୍ତି ବଢୁ ନ ଥିବା ଏଥିରେ ଉଲ୍ଲେଖ କରାଯିବା ସହ ତିରୁପତି ମନ୍ଦିରଠାରୁ ଚାରି ଗୁଣା ଭକ୍ତ ପୁରୀ ଶ୍ରୀମନ୍ଦିର ଆସୁଥିବା ବେଳେ ହୁଣ୍ତି ଓ ଦାନ ପରିମାଣ କାହିଁକି ବଢୁନାହିଁ- ଏ ସଂପର୍କରେ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ। ଶ୍ରୀମନ୍ଦିର ରତ୍ନଭଣ୍ତାରର ମୂଲ୍ୟାୟନ ଏହି ସଂପତ୍ତି ପରିମାଣରେ ମିଶିଛି କି ନାହିଁ ଆମକୁ ଜଣା ନାହିଁ। ବହୁ ବର୍ଷ ହୋଇଗଲାଣି ଜଗନ୍ନାଥଙ୍କ ରତ୍ନ ଭଣ୍ତାରର ସଂପତ୍ତି ପ୍ରସଙ୍ଗ ଅନ୍ଧକାରାଚ୍ଛନ୍ନ ହୋଇ ରହିଛି।
ଶେଷରେ ଆଉ ଗୋଟିଏ କଥା, ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିଲା ପୁରୁଣା ରଘୁନନ୍ଦନ ପାଠାଗାର। ଏଠାରେ ବହୁ ଦୁର୍ମୂଲ୍ୟ ଗ୍ରନ୍ଥ ସବୁ ଥିଲା। ମଠକୁ ଭାଙ୍ଗିଦେଲା ପରେ ସେ ଗ୍ରନ୍ଥମାନ କୁଆେଡ଼ କିପରି ଅଛି ତାହା ଅନେକେ ଜାଣନ୍ତି ନାହିଁ। ଶୁଣିବାକୁ ମିଳୁଛି, ଯତ୍ନ ଅଭାବରୁ ସେଗୁଡ଼ିକରୁ ଅଧିକ ଅଂଶ ନଷ୍ଟ ହେଇଗଲାଣି। ଏହା ଯଦି ସତ ହୋଇଥାଏ, ତାହା ହେଲେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜ୍ଞାନ ହେଉଛି ପ୍ରକୃତ ରତ୍ନ। ସେଥିପାଇଁ ସରକାର ଧ୍ୟାନ ଦିଅନ୍ତୁ। ପୋଥି ଓ ଗ୍ରନ୍ଥଗୁଡ଼ିକ ସଂରକ୍ଷିତ ରଖାଯାଉ।
ମୋ: ୯୪୩୭୦୭୭୨୮୮