ଆଟେନ୍‌ବରୋଙ୍କ ଗାନ୍ଧୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଗତ ସପ୍ତାହରେ ରିଚାର୍ଡ ଆଟେନ୍‌ବରୋଙ୍କ ମହାନ୍‌ ଚଳଚ୍ଚିତ୍ର ‘ଗାନ୍ଧୀ’ ମୁକ୍ତିଲାଭ କରିବାର ୪୦ ବର୍ଷ ପୂରିଛି। ଲଣ୍ଡନ ଠାରୁ ଘଣ୍ଟାଏ ରେଳଯାତ୍ରା ଦୂରରେ ଏକ ଅଭିଲେଖାଗାରରେ ଆଟେନ୍‌ବରୋଙ୍କର ସମସ୍ତ ନଥିପତ୍ର ସୁରକ୍ଷିତ ରହିଛି। ସେଗୁଡ଼ିକୁ ସଦ୍ୟ ଦେଖିଲା ପରେ ନିର୍ଦ୍ଦେଶକ ଆଟେନ୍‌ବରୋଙ୍କ ସବୁଠୁ ମହତ୍ତ୍ବପୂର୍ଣ୍ଣ ଏହି ଚଳଚ୍ଚିତ୍ରର ତର୍ଜମା ପାଇଁ କିଛି ଫାଇଲ୍‌ ମୋତେ ମିଳିଥିଲା। ସେଥି ମଧ୍ୟରେ ‘ଟେଲିଗ୍ରାଫ’ରେ ତବଲିନ ସିଂହଙ୍କ ଦ୍ବାରା ଲିଖିତ ଏକ ମୂଲ୍ୟାଙ୍କନ ରହିଥିଲା, ଯେଉଁଥିରେ ସେ କହିଥିଲେ, ‘ମୋ ଜୀବନରେ ଦେଖିଥିବା ସବୁଠୁ ମହାନ୍‌ ତିନି କି ଚାରିଟି ଚଳଚ୍ଚିତ୍ର ମଧ୍ୟରେ ଆଟେନ୍‌ବରୋଙ୍କ ଫିଲ୍ମଟି ରହିବ ଏବଂ ତାହା ସବୁଠୁ ଅଧିକ ଚାଲୁଥିବା ସିନେମା ଭିତରେ ମଧ୍ୟ ରହିବ।’

କେତେକ ବିଦ୍ବେଷୀଙ୍କ ଭିତରେ ଏକ ବିରକ୍ତି ଭାବ ପ୍ରକାଶ ପାଇଥିଲା କି, ଜଣେ ବ୍ରିଟିସ ନିର୍ଦ୍ଦେଶକଙ୍କର ଏଭଳି ଫିଲ୍ମ ପାଇଁ ଭାରତ ସରକାର ଅର୍ଥ ବ୍ୟବସ୍ଥା କରିଥିଲେ। ତେବେ ତବଲିନ ଏଭଳି ସମାଲୋଚନା ଠିକ୍‌ ନୁହେଁ ବୋଲି କହିଥିଲେ। ‘ଗାନ୍ଧୀ’ ଦେଖିଲା ପରେ ସେ ଲେଖିଥିଲେ, ‘ଏକଥା ଅନ୍ତତଃ ମୋର ବିଶ୍ବାସ ହେଉଛି କି ଏଥିରେ ଅର୍ଥର ଆଶାତୀତ ଭାବେ ସଦୁପଯୋଗ ହୋଇଛି। ଗାନ୍ଧୀଙ୍କ ସମ୍ପର୍କରେ ଯଥା ସମ୍ଭବ ଶ୍ରେଷ୍ଠ ଫିଲ୍ମ ହିଁ ଆଟେନ୍‌ବରୋ କରିଛନ୍ତି। ଭାରତ ସେଥିପାଇଁ ତାଙ୍କ ପାଖରେ ଋଣୀ ହେବା ଉଚିତ।

ଆଉ ଜଣେ ସମସାମୟିକ ମହିଳା ସମୀକ୍ଷକ ଅମୃତା ଆବ୍ରାହାମ୍‌ ‘ସଣ୍ଡେ ଅବ୍‌ଜର୍ଭର’ରେ ଲେଖିଲା ବେଳେ କମ୍‌ ଉତ୍ସାହିତ ଥିଲେ। ସେ ବେନ୍‌ କିଙ୍ଗସ୍‌ଲେଙ୍କ ଅଭିନୟକୁ ପ୍ରଶଂସା କରିଥିବା ବେଳେ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଚରିତ୍ରଗୁଡ଼ିକୁ ତତ୍କାଳୀନ ରଣନୀତିର ନାୟକ ଭାବରେ ପ୍ରଦର୍ଶନ କରା ନ ଯାଇ ଗୌଣ ରୂପେ ସ୍ଥାନିତ କରାଯାଇଥିଲା ବୋଲି ଟିପ୍ପଣୀ କରିଥିଲେ। ଆବ୍ରାହାମ୍‌ଙ୍କ ନିରୀକ୍ଷଣ ହେଲା, ‘ଫିଲ୍ମଟିର ତିନି ଘଣ୍ଟାର ଅବଧି ଭିତରେ ସ୍ବଦେଶୀ ଭାବନା, ଅପରିଗ୍ରହ, ବିନମ୍ର ଅବଜ୍ଞା ଏବଂ ଅହିଂସ ଅଥଚ ସକ୍ରିୟ ପ୍ରତିକ୍ରିୟା ଆଦି ଭଳି ଗାନ୍ଧୀଙ୍କର ପ୍ରମୁଖ ବିଚାରଧାରାଗୁଡ଼ିକୁ ସାମିଲ କରାଯାଇଛି ସତ, ହେଲେ ତହିଁରେ କେବଳ ଗାନ୍ଧୀବାଦ ଏକକତ୍ବ ଲାଭ କରିଛି, ବ୍ୟକ୍ତିଗତ ବିବେକକୁ ହିନ୍ଦୁ ବିଶ୍ବାସର କଷଟି ପଥରରେ ପରଖା ଯାଇଛି ଏବଂ ଚିନ୍ତାଧାରା ଏକ ପୂର୍ଣ୍ଣ ଦୃଷ୍ଟିରେ ପ୍ରକାଶିତ ହୋଇନାହିଁ।

ଆଟେନ୍‌ବରୋଙ୍କ ନଥିରେ ଆହୁରି ଅନେକ ଆଲୋଚନାତ୍ମକ ସମୀକ୍ଷା ରହିଛି ଯହିଁରେ ନ୍ୟୁୟର୍କର ସାପ୍ତାହିକ ‘ଭିଲେଜ୍‌ ଭଏସ୍‌’ରେ ଆଣ୍ଡ୍ର୍ୟୁ ସାରିସ୍‌ଙ୍କ ଆଲେଖ୍ୟ ହେଉଛି ସବୁଠାରୁ ଶତ୍ରୁତାପୂର୍ଣ୍ଣ। ଉକ୍ତ ପ୍ରଯୋଜନାକୁ ସେ ‘ଏକ ଅଦରକାରୀ ତଥା ବିଲୁପ୍ତଯୋଗ୍ୟ ଉପାଦାନ’ ବୋଲି କହିଥିଲେ। ସାରିସ୍‌ ଲେଖିଥିଲେ, ‘ଗାନ୍ଧୀ କେବଳ ବ୍ୟକ୍ତି ସମ୍ପର୍କିତ ନୁହେଁ, ବରଂ ବିଷୟ ସମ୍ପର୍କିତ; ବାସ୍ତବରେ ଇତିହାସ ଉଲ୍ଲେଖ କରିବା ଉଚିତ ଯେ ସେ ଥିଲେ ଭାରତୀୟ ସ୍ବାଧୀନତା, ଅହିଂସା, କୃଚ୍ଛ୍ର ସାଧନା, ବର୍ଣ୍ଣ ତଥା ଧର୍ମଗତ ପୂର୍ବାଗ୍ରହ, ଉପନିବେଶବାଦ, ସାମ୍ରାଜ୍ୟବାଦ, ଶୋଷଣ ଆଦି ଅନେକ ବିଷୟ ସହିତ ସମ୍ପର୍କିତ। ବାସ୍ତବରେ, ଫିଲ୍ମଟିର ଅନ୍ତର୍ନିହିତ ବିଷୟ ଏତେ ବିଶାଳ ଯେ ୧୮୮ ମିନିଟ୍‌ର ଏହି ଚମତ୍କାର ପ୍ରଯୋଜନାଟି ଅସଂପୂର୍ଣ୍ଣ ଓ ଅବିକଶିତ ଜଣାପଡ଼େ।’

ତଥାପି ସେଥିରେ ଏଭଳି ମୁହୂର୍ତ୍ତ ରହିଛି ଯାହା ‘ପ୍ରେରଣାଦାୟକ’ ଭଳି ମନେ ହୋଇଛି ବୋଲି ସ୍ବୀକାର କରିବା ସହିତ ଆମେରିକୀୟ ସମୀକ୍ଷକ ଜଣକ ଆଟେନ୍‌ବରୋଙ୍କ ‘ଗାନ୍ଧୀ’ର ସର୍ବାଧିକ ଦୋଷ ଭାବେ ଯାହା ଦର୍ଶାଇଛନ୍ତି, ତାହା ହେଉଛି- ଏକ ଜଟିଳ ଇତିହାସକୁ ପରିମାର୍ଜିତ ରୂପ ପ୍ରଦାନ କରାଯିବା।

ଅଭିଲେଖାଗାରର ନଥିରେ କିଛି ମହତ୍ତ୍ବପୂର୍ଣ୍ଣ ବ୍ରିଟିସ ମନ୍ତବ୍ୟ ମଧ୍ୟ ରହିଛି। ‘ନ୍ୟୁ ମ୍ୟୁଜିକାଲ୍‌ ଏକ୍ସପ୍ରେସ’ରେ ରିଚାର୍ଡ କୁକ୍‌ ଲେଖିଥିଲେ, ‘କିଛି ଚମତ୍କାର ଅଭିନୟ ସତ୍ତ୍ବେ ଫିଲ୍ମଟି ଶେଷରେ ଐତିହାସିକ କାଠ ପିତୁଳାମାନଙ୍କର ଶୋଭାଯାତ୍ରା ସଦୃଶ ମନେ ହୋଇଛି। ଏଥିରେ ଗାନ୍ଧୀଙ୍କର ଅନ୍ତର ଭିତରର ସଂଘର୍ଷ ସମ୍ପର୍କରେ ବହୁତ କମ୍‌ କଥା ରହିଛି ଏବଂ ମହାତ୍ମା ଗାନ୍ଧୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଥିବା ବହୁ ବିଭାବୀ ଆକର୍ଷଣୀୟ ସମ୍ପର୍କକୁ ନିର୍ଦ୍ଦୟ ଭାବରେ ସରଳ କରିଦିଆଯାଇଛି।’ କୁକ୍‌ଙ୍କ ସମୀକ୍ଷାର ଶେଷ ବାକ୍ୟଟି ଏହିପରି: ‘ଏହି ମଡେଲ ମୋତେ ସନ୍ଦିହାନ କରି ଛାଡ଼ି ଦେଇଥିବାରୁ ମୁଁ ସତ୍ୟଜିତ୍‌ ରାୟଙ୍କ ଗାନ୍ଧୀ ଦେଖିବାକୁ ପସନ୍ଦ କରିବି।’

ରିଚାର୍ଡ ଆଟେନ୍‌ବରୋ ସ୍ବାଭାବିକ ଭାବେ ସକାରାତ୍ମକ ସମୀକ୍ଷାର ଉଦ୍ଧୃତାଂଶଗୁଡ଼ିକୁ ସାଇତି ରଖିଛନ୍ତି। ତାହା ଭିତରେ ରହିଛି ‘ଏସିଆ ଵିକ୍‌’ରେ ପ୍ରକାଶିତ ସିଂହଳୀ ପତ୍ରକାର ତାର୍ଜି ବିଟାଚିଙ୍କର ଏକ ପ୍ରଭାବଶାଳୀ ମୂଲ୍ୟାଙ୍କନ। ନ୍ୟୁୟର୍କରେ ପ୍ରଦର୍ଶିତ ‘ପ୍ରିଭ୍ୟୁ’ ଦେଖିବା ଲାଗି ଆମନ୍ତ୍ରିତ ୪୯ ଜଣ ସ୍ବତନ୍ତ୍ର ଅତିଥିଙ୍କ ମଧ୍ୟରେ ବିଟାଚି ଥିଲେ। ସେ ପ୍ରେକ୍ଷାଳୟରୁ ବାହାରି ଆସି ଆଟେନ୍‌ବରୋଙ୍କ ‘ଗାନ୍ଧୀ’ ଚଳଚ୍ଚିତ୍ରକୁ ତାଙ୍କର ୫୦ ବର୍ଷର ସିନେମା ଦେଖା ମଧ୍ୟରେ ସବୁଠୁ ଅଧିକ ମର୍ମସ୍ପର୍ଶୀ ଚଳଚ୍ଚିତ୍ର ବୋଲି କହିଥିଲେ। ସେମାନେ ସମସ୍ତେ ଗଭୀର ଭାବେ ଅନୁପ୍ରେରିତ ହୋଇ ସ୍କ୍ରିନିଂ କକ୍ଷରୁ ବାହାରିଥିଲେ, ସେଥିରେ ଥିବା ଆଧ୍ୟାତ୍ମିକ ଉଦାରତା ସମସ୍ତଙ୍କୁ ଏକ ପ୍ରକାର ଛୁଇଁଥିଲା, ସମସ୍ତଙ୍କର ହୃଦ୍‌ବୋଧ ହୋଇଥିଲା ଯେ ‘ପ୍ରକୃତ ଶକ୍ତି ବନ୍ଧୁକ ନଳୀରୁ ନିର୍ଗତ ହୋଇ ନ ଥାଏ’।

ତାର୍ଜି ବିଟାଚିଙ୍କ ଟିପ୍ପଣୀ ଥିଲା, ‘ଗାନ୍ଧୀ ଫିଲ୍ମଟି ସମୟୋପଯୋଗୀ ହେବା ସହ ଏଥିରେ ସିନେମା ନିର୍ମାଣର ଶ୍ରେଷ୍ଠ କୌଶଳ ଦେଖାଯାଇଥାଏ। ଏହା ବ୍ୟତୀତ ଏହାର ପଟ-କଥା, ନିର୍ଦ୍ଦେଶନା, ଅଭିନୟ ଓ ଚିତ୍ରୋତ୍ତଳନ ଅତ୍ୟନ୍ତ ଉଚ୍ଚକୋଟୀର ତଥା ଅବିସ୍ମରଣୀୟ। ଯିଏ ବି କେହି ଏହି ଫିଲ୍ମ ସଂପର୍କରେ ଆସିଛନ୍ତି, ଯିଏ ଏହାକୁ ନିର୍ମାଣ କରିଛନ୍ତି ଏବଂ ଯିଏ ଏହାକୁ ଦେଖିଛନ୍ତି; ଏମାନେ ସମସ୍ତେ ସିନେମାଟି ଦେଖି ସାରିବା ପରେ ଯେ ପୂର୍ବ ଭଳି ହୋଇ ରହି ନ ଥିବେ ବା ବଦଳି ଯାଇଥିବେ, ଏହା କହିବା ବାହୁଲ୍ୟ ମାତ୍ର!
ନିଜ ଜୀବନ କାଳ ଭିତରେ ଗାନ୍ଧୀଜୀ ଜଣେ ଭୀଷଣ ବିବାଦାସ୍ପଦ ବ୍ୟକ୍ତି ହୋଇପଡ଼ିଥିଲେ; ତାଙ୍କର ଜୀବନାଦର୍ଶର ଯେପରି ବ୍ୟାପକ ଭାବରେ ପ୍ରଶଂସା କରାଯାଉଥିଲା, ତାଙ୍କୁ ସେମିତି ନିନ୍ଦା ବି କରାଯାଉଥିଲା। ତେଣୁ ତାଙ୍କ ମୃତ୍ୟୁର ସାଢ଼େ ତିନି ଦଶକ ପରେ ତାଙ୍କ ସମ୍ପର୍କରେ ନିର୍ମିତ ଏକ ବଡ଼ ବଜେଟ୍‌ର ଚଳଚ୍ଚିତ୍ର ଏପରି ବ୍ୟାପକ ଭାବରେ ପ୍ରଚାରିତ ଓ ପ୍ରସାରିତ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟାକୁ ଜନ୍ମ ଦେବାରେ ଆଚମ୍ବିତ ହେବାର କୌଣସି କାରଣ ନାହିଁ। ଏହା ପ୍ରଥମେ ମୁକ୍ତିଲାଭ କରିବା ସମୟରେ ମୁଁ ଚଳଚ୍ଚିତ୍ରଟିକୁ ଏକ ପ୍ରେକ୍ଷାଳୟରେ ଦେଖିଥିଲି ଏବଂ ପରେ ଅନେକ ଥର ତାହାକୁ ଦେଖିଛି। ଗାନ୍ଧୀଙ୍କ ବାର୍ତ୍ତାକୁ ଏକ ନୂଆ ପିଢ଼ି ଓ ଭାରତୀୟଙ୍କ ବ୍ୟତୀତ ଅନ୍ୟ ଦେଶର ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିବାରୁ ସିନେମାଟି ଏକ ମହତ୍‌ ଉଦ୍ଦେଶ୍ୟ ସାଧନ କରିପାରିଛି। ପ୍ରମୁଖ ଚରିତ୍ରକୁ ବେନ୍‌ କିଙ୍ଗସ୍‌ଲେ ଚମତ୍କାର ଭାବରେ ଫୁଟାଇ ପାରିଛନ୍ତି। ସାଂପ୍ରଦାୟିକ ସଦ୍‌ଭାବନା ପାଇଁ ଗାନ୍ଧୀଜୀଙ୍କ ଅନ୍ତିମ ବୀରତ୍ବପୂର୍ଣ୍ଣ ଅନଶନର ଚିତ୍ରଣ ଅତ୍ୟନ୍ତ ସମ୍ବେଦନଶୀଳ ତଥା ମାର୍ମିକ ଢଙ୍ଗରେ କରାଯାଇଛି। ଅପରପକ୍ଷେ, ଅଧିକାଂଶ ଅନ୍ୟ ଚରିତ୍ରଗୁଡ଼ିକର ଚିତ୍ରଣ ଅପେକ୍ଷାକୃତ କମ୍‌ ଦୃଢ଼ ହୋଇଥିବା‌ ବେଳେ ବି. ଆର. ଆମ୍ବେଦକର ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଗାନ୍ଧୀଜୀଙ୍କର କିଛି ସବୁଠୁ ଉଲ୍ଲେଖନୀୟ ସମକାଳୀନ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ରହସ୍ୟଜନକ ଭାବେ ଫିଲ୍ମରେ ଆଦୌ ସାମିଲ କରାଯାଇନାହିଁ। ଅମୃତା ଆବ୍ରାହାମ୍‌ କହିଲା ଭଳି ଗାନ୍ଧୀଙ୍କ ରାଜନୀତିର ନୈତିକ ଶକ୍ତିକୁ ସନ୍ତୋଷଜନକ ଭାବେ ସାମନାକୁ ଅଣାଯାଇନାହିଁ।

ଯିଏ ଏହି ଫିଲ୍ମ ପାଇଁ ଭାରତ ସରକାରଙ୍କ ଅର୍ଥ ବିନିଯୋଗର ସବୁଜ ସଂକେତ ଦେଇଥିଲେ, ଅର୍ଥାତ୍‌ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିକ୍ରିୟା ସମ୍ପର୍କରେ ବର୍ଣ୍ଣନା କରି ମୁଁ ‘ସମୀକ୍ଷାଗୁଡ଼ିକର ଏହି ସମୀକ୍ଷା’କୁ ସମାପ୍ତ କରିବାକୁ ଚାହୁଁଛି। ବିନୋଦ ମେହତାଙ୍କ ସହ ଏକ ସାକ୍ଷାତକାରରେ ଆଟେନ୍‌ବରୋ ଦାବି କରିଥିଲେ କି ଯେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଫିଲ୍ମଟିର କିଛି ଅସଂପାଦିତ ଅଂଶ ଦେଖାଇଥିଲେ, ସେ କେବଳ ଦୁଇଟି ଟିପ୍ପଣୀ କରିଥିଲେ। ସେ କହିଥିଲେ ‘ଆପଣ ବାପୁଙ୍କ ଜୀବନକୁ ତିନି ଘଣ୍ଟା ଭିତରେ ସଂକୁଚିତ କରିବାକୁ ଚେଷ୍ଟା କରିଥିବାରୁ ମୁଁ କହିବି ଯେ ଆପଣ ଫିଲ୍ମଟିର ଆରମ୍ଭ ପୂର୍ବରୁ ସେ ସମ୍ପର୍କିତ ଏକ ବକ୍ତବ୍ୟ ରଖନ୍ତୁ।’ ତାଙ୍କର ଦ୍ବିତୀୟ ପ୍ରସ୍ତାବଟି ଥିଲା ଯେ ନବେ ବର୍ଷ ତଳେ ମହିଳାମାନେ ନିଜ ସ୍ବାମୀଙ୍କ ସହ କେବଳ ଔପଚାରିକ ଢଙ୍ଗରେ କଥା ହେଉଥିବାରୁ ସିନେମାଟିରେ ସେହି ସମୟର ବାସ୍ତବତାକୁ ପ୍ରଦର୍ଶନ କରିବା ଉପରେ ଦୃଷ୍ଟି ଦିଆଯିବା ଉଚିତ। ଆଟେନ୍‌ବରୋ ତାଙ୍କର ଦୁଇଟି ଯାକ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ସୌଭାଗ୍ୟକୁ ଆମ ପାଖରେ ଫିଲ୍ମ ଉପରେ ଇନ୍ଦିରା ଗାନ୍ଧୀଙ୍କ ନିଜସ୍ବ ମତ ରହିଛି। ୧୯୮୨ ଡିସେମ୍ବର ୨ରେ ପ୍ରଧାନମନ୍ତ୍ରୀ ନିଜର ଆମେରିକୀୟ ବନ୍ଧୁ ଡୋରୋଥି ନର୍ମାନଙ୍କୁ ଲେଖି କହିଥିଲେ, ‘ଧୁମଧାମର ସହ ଗାନ୍ଧୀ ଫିଲ୍ମ ମୁକ୍ତିଲାଭ କରିଛି। ଏହା ବହୁତ ପ୍ରଭାବଶାଳୀ ହୋଇଛି। ଗାନ୍ଧୀ କ’ଣ ପାଇଁ ଓ କାହା ପାଇଁ ଛିଡ଼ା ହୋଇଥିଲେ, ତାହା ଜାଣିବା ଦୁନିଆ ପାଇଁ ମଙ୍ଗଳକର ହେବ। ସେ ସମୟରେ ପ୍ରାଣବଳି ଦେଇଥିବା ଲୋକଙ୍କ ପାଇଁ ଫିଲ୍ମଟି ମଧ୍ୟ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି, ଯଦିଓ ସେଥିରେ ଭାରତ ଭାବନାର କିଛି ଆବଶ୍ୟକ ଗୁଣବତ୍ତାର ଅଭାବ ରହିଛି। ଜନ ଆନ୍ଦୋଳନ ଓ ନେତୃତ୍ବର ଉତ୍ତୁଙ୍ଗ ତରଙ୍ଗର ଶୀର୍ଷରେ ଥିଲେ ଗାନ୍ଧୀଜୀ। ଫିଲ୍ମଟି ତାଙ୍କୁ ଜଣେ ନାଟକୀୟ ମହାଭିନେତା ଭାବେ ବର୍ଣ୍ଣନା କରିଛି- ମାତ୍ର ସେ ଥିଲେ ଏ ସବୁଥିରୁ ଯଥେଷ୍ଟ ଊର୍ଦ୍ଧ୍ବରେ।’ ଉପରଠାଉରିଆ ହେଲେ ବି ଦେଖିବା ଯୋଗ୍ୟ- ଏହା ଥିଲା ଆଟେନ୍‌ବରୋଙ୍କ ‘ଗାନ୍ଧୀ’ ସମ୍ପର୍କରେ ଇନ୍ଦିରା ଗାନ୍ଧୀଙ୍କର ଆକଳନ।

ସମ୍ବନ୍ଧିତ ଖବର