ମୋର ମନେ ଅଛି କିଛି ବର୍ଷ ତଳେ ପ୍ରଖ୍ୟାତ ସାମ୍ବାଦିକ ପି. ସାଇନାଥ ଦୁଃଖ ପ୍ରକାଶ କରି କହିଥିଲେ ଯେ ଦିଲ୍ଲୀ ତଥା ବମ୍ବେରେ ଆୟୋଜିତ କୌଣସି ଫେସନ ସପ୍ତାହ, ଗ୍ରାମୀଣ ଭାରତ ଏବଂ କୃଷି ସମ୍ବନ୍ଧୀୟ ସମସ୍ୟା ଜଡ଼ିତ ଖବରଠୁ ଅଧିକ ପୃଷ୍ଠା ମଣ୍ଡନ କରୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ କମ୍ ସଂଖ୍ୟକ ଗଣମାଧ୍ୟମ ଗ୍ରାମାଞ୍ଚଳ ଓ ଶ୍ରମିକ ବର୍ଗଙ୍କ ସମସ୍ୟାକୁ ନେଇ ଉତ୍ସର୍ଗୀକୃତ ଆଲୋଚନା କରୁଛନ୍ତି। ଯଦି ଗଣମାଧ୍ୟମ ସଂସ୍ଥା ନିକଟରେ ଏହି ଦୁଇଟି କ୍ଷେତ୍ରରେ ସମ୍ବାଦ ପ୍ରକାଶ କରିବା ପାଇଁ ସମ୍ବାଦଦାତାଙ୍କ ଅଭାବ ଥାଏ, ତା’ ହେଲେ ବୁଝିବାକୁ ହେବ ଯେ ଦେଶର ଶତକଡ଼ା ୭୦ ଭାଗ ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି। ତେବେ ମନେ ହୁଏ ପରିସ୍ଥିତି ବଦଳୁଛି। ଗ୍ରାମାଞ୍ଚଳରେ ସାମାଜିକ ଗଣମାଧ୍ୟମର ଉପସ୍ଥିତି ଗ୍ରାମୀଣ ସମ୍ବାଦିକତା କ୍ଷେତ୍ରରେ ଏକ ନୂତନ ଆଶା ସଂଚାର କରୁଛି; କାରଣ କେତେକ ସାଧାରଣ ଲୋକ ସାମ୍ବାଦିକ (Citizen journalist) ଭୂମିକାରେ ଅବତୀର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି।
ଭାରତର ଗ୍ରାମାଞ୍ଚଳ ଅନେକ ଆହ୍ବାନର ସାମନା କରିଥାଏ। ଗ୍ରାମୀଣ ସାମ୍ବାଦିକ ଗ୍ରାମାଞ୍ଚଳର ପରିସ୍ଥିତି ଓ ଅବସ୍ଥା ସଂପର୍କରେ ଖବର ପରିବେଷଣ କରି ସେ ସବୁ ବିଷୟ ସରକାରଙ୍କ ଦୃଷ୍ଟିକୁ ଆଣିଥାନ୍ତି, ଯାହା ଅନୁଯାୟୀ ପଦକ୍ଷେପମାନ ନିଆଯାଏ। ତେବେ, ଯୋଜନା ପ୍ରଣୟନକାରୀ ଭାବେ ଅନେକ ସମୟରେ ଆମେ ବିଷମ ପରିସ୍ଥିତିର ସାମନା କରିଥାଉ। ସରକାରୀ ପଦକ୍ଷେପକୁ ଅଧିକ ଫଳପ୍ରସୂ କରିବା ନିମନ୍ତେ କ୍ଷେତ୍ରର ବାସ୍ତବ ସ୍ଥିତି ସଂପର୍କରେ ସୂଚନା ଲୋଡ଼ିଥାଉ। କିନ୍ତୁ ଅନେକ ସମୟରେ ଅଧିକ ବିବରଣୀ ପାଇଁ ବିଭିନ୍ନ ଖବରକାଗଜମାନ ପଢ଼ିଲା ବେଳେ ସତ ଓ କାଳ୍ପନିକତାର ମିଶ୍ରଣ ପରିବେଷିତ ହୋଇ ସଂଶୟ ଜାତ କରିଥାଏ। ଅବଶ୍ୟ, ରାଜ୍ୟର ଉପାନ୍ତ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ଅନେକ ଦାୟିତ୍ବ ସଂପନ୍ନ ସାମ୍ବାଦିକ ଅଛନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା କମ୍। ତେଣୁ ଗଭୀର ଅନୁଶୀଳନପୂର୍ବକ ନିରପେକ୍ଷ ସମ୍ବାଦ ପରିବେଷଣ କରୁଥିବା ସାମ୍ବାଦିକଙ୍କ ଆବଶ୍ୟକତା ଅଧିକ। ଏହା ହେଲେ ସରକାରୀ ଯୋଜନା ପ୍ରଣୟନ କଲା ବେଳେ ଉପଯୁକ୍ତ ଆଧାର ମିଳିବାର ସମ୍ଭାବନା ବଢ଼ିଥାଏ।
ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଏକ ବଡ଼ ବିଷୟ ହେଉଛି କୃଷିରେ ମହିଳାମାନଙ୍କ ଭାଗୀଦାରି ନେଇ ରହିଥିବା ଲିଙ୍ଗଗତ ବୈଷମ୍ୟ। ଆମ ପୁରୁଷ ପ୍ରଧାନ ସମାଜରେ ମାଲିକାନା ସ୍ବତ୍ବ ପୁରୁଷମାନଙ୍କ ନାମରେ ରହୁଥିବାରୁ କୃଷି କ୍ଷେତ୍ରରେ ମହିଳାମାନେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୁଅନ୍ତି। େଦଖାଯାଇଥାଏ ଯେ ମହିଳାମାନେ ପରିବାର କାର୍ଯ୍ୟରେ ଲାଗି ରହୁଥିବାରୁ ସେମାନଙ୍କ ପାଖରେ କୌଣସି ସଚେତନତାମୂଳକ ସୂଚନା ସହଜରେ ପହଞ୍ଚି ନ ଥାଏ। ଗୃହ ଏବଂ ପରିବାରର ଦାୟିତ୍ବ ହେତୁ କୃଷିରେ ସେମାନଙ୍କର ଅଂଶ ଗ୍ରହଣ ବା ସେ ସଂପର୍କିତ ଜ୍ଞାନ ଆହରଣ ସୀମିତ ହୋଇପଡ଼େ। ପ୍ରଶ୍ନ ଉଠେ, ଆମ ଗ୍ରାମୀଣ ସାମ୍ବାଦିକତା ଏହି ଦିଗଗୁଡ଼ିକ ଉପରେ ବିଶେଷ ଅନୁଧ୍ୟାନ କରିଥାଏ କି? ଏହାର ଉତ୍ତର ହେବ ପ୍ରାୟତଃ ‘ନା’।
ସେହିଭଳି ଗ୍ରାମୀଣ ସାମ୍ବାଦିକତାର ଆଉ ଏକ କର୍ତ୍ତବ୍ୟ ହେଲା ବୋଧଗମ୍ୟ ଭାଷାରେ ଗ୍ରାମାଞ୍ଚଳରେ ବୈଜ୍ଞାନିକ ଚେତନାର ପ୍ରସାର ଘଟାଇବା। ସାଧାରଣ ଲୋକ ବୁଝିଲା ଭଳି ସରଳ ଭାଷାର ଲେଖା ଦ୍ବାରା ଗ୍ରାମାଞ୍ଚଳରେ ବିଜ୍ଞାନ-ସମ୍ମତ ବିଚାର ଓ ଚିନ୍ତାଧାରାକୁ ଲୋକାଦୃତ କରାଯାଇପାରିବ। ଏବେ ଗୋଟିଏ ଉଦାହରଣ ନେବା। ଏବେ ମିଲେଟ୍ ଜାତୀୟ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କାରଣ ପୁଷ୍ଟି ସାଧନ ଲାଗି ମିଲେଟ୍ ଜାତୀୟ ଶସ୍ୟ ବା ପୁଷ୍ଟି ଶସ୍ୟର ଉପଯୋଗିତା ନେଇ ଆଉ ଦ୍ବିମତ ନାହିଁ। କେବଳ ସେତିକି ନୁହେଁ, ଧାନ ଚାଷ ଆବଶ୍ୟକ କରୁଥିବା ଜଳର ଏକ ତୃତୀୟାଂଶରେ ପୁଷ୍ଟିଶସ୍ୟ ଚାଷ ହୋଇପାରେ ଏବଂ ଧାନ ଅପେକ୍ଷା ହାରାହାରି ୩-୫ ଗୁଣ ଅଧିକ ପୌଷ୍ଟିକ ତତ୍ତ୍ବ ଏଥିରେ ଅଛି। ମାଣ୍ଡିଆରେ ଧାନ ଅପେକ୍ଷା ୩୦ ଗୁଣ ଅଧିକ କ୍ୟାଲସିଅମ ଏବଂ ସୁଆଁରେ ୧୪ ଗୁଣ ଅଧିକ ଲୌହ ଅଛି। ପୁଷ୍ଟି ଶସ୍ୟଗୁଡ଼ିକ ଖୁବ୍ କମ୍ ସାର ବା ଔଷଧ ଲୋଡ଼ିଥାଏ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ଭଲ ମୁକାବିଲା କରିପାରେ। ସେଥି ଲାଗି ୨୦୨୩ ମସିହାକୁ ଜାତିସଂଘ ଦ୍ବାରା ‘ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷ’ ଭାବେ ଘୋଷଣା କରାଯାଇଛି। ତେଣୁ ମୋ ମତରେ ଗ୍ରାମାଞ୍ଚଳ ସାମ୍ବାଦିକତା ଏଭଳି ପ୍ରସଙ୍ଗ ଉପରେ ଲେଖି ଉପଯୁକ୍ତ କାରଣ ଦର୍ଶାଇ ସେଚତନତା ସୃଷ୍ଟି କରିବା ଦରକାର। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଫଳରେ କୃଷି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଯଦି ଗ୍ରାମାଞ୍ଚଳ ସାମ୍ବାଦିକ ଫସଲ ଖସଡ଼ା ଓ ଫସଲ ପର୍ଯ୍ୟାୟ ପରିବର୍ତ୍ତନ ଦିଗରେ ସଚେତନତା ସୃଷ୍ଟି କରନ୍ତେ, ତେବେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ଉଚିତ ମୁକାବିଲା କରାଯାଇପାରନ୍ତା।
ଏହି ସଂଦର୍ଭରେ ମୋର ମତ ହେଲା ଗ୍ରାମାଞ୍ଚଳ ବିକାଶ ଦିଗରେ କାର୍ଯ୍ୟରତ ସମ୍ବାଦଦାତାମାନଙ୍କର ଦକ୍ଷତା ବିକାଶ ତାଲିମ ଓ ମାର୍ଗ ଦର୍ଶନ ନିମନ୍ତେ ପ୍ରମୁଖ ସାମ୍ବାଦିକତା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବା ଉଚିତ। ସେମିତି ଗ୍ରାମଞ୍ଚଳରେ କାର୍ଯ୍ୟରତ ସମ୍ବାଦଦାତାମାନଙ୍କୁ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଉପଯୁକ୍ତ ଦରମା ଦେବା ମଧ୍ୟ ଆବଶ୍ୟକ। ଆଜିକାଲି ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଶିକ୍ଷିତ ଏବଂ ଉତ୍ସର୍ଗୀକୃତ ସାମ୍ବାଦିକ ଗ୍ରାମୀଣ ଭାରତର ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଆଗେଇ ଆସିଲେଣି। ତେଣୁ ଆଶାବାଦୀ ହେବା ଯେ ଅଧିକରୁ ଅଧିକ ଗ୍ରାମୀଣ ସାମ୍ବାଦିକମାନଙ୍କ ଯୋଗଦାନ ଫଳରେ ଗ୍ରାମ୍ୟ ଉନ୍ନୟନରେ ମାର୍ଗ ଉନ୍ମୋଚନ ହୋଇପାରିବ।
ପ୍ରମୁଖ ଶାସନ ସଚିବ
କୃଷି ବିଭାଗ, ଓଡ଼ିଶା ସରକାର