କାହାକୁ ଚାପୁଡ଼ାଟିଏ ପକାଇ ଜଣେ ଗରିବ ବ୍ୟକ୍ତି ଜେଲ ଯାଇଛି ଯେ ଯାଇଛି; ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗି ଯାଉଛି। ଛୋଟ ଛୋଟ ଏବଂ ଜାମିନଯୋଗ୍ୟ ଅପରାଧ ପାଇଁ ବିଚାରାଧୀନ କଏଦୀ ଭାବେ ବର୍ଷ ବର୍ଷ ଧରି ଜେଲରେ ଶଢ଼ୁଥିବା ଗରିବ ଲୋକଙ୍କ ପରିବାର ଆର୍ଥିକ ଦୁରବସ୍ଥା ଯୋଗୁଁ ନ୍ୟାୟିକ ଲଢ଼େଇ ଲଢ଼ିବାକୁ ଅସମର୍ଥ ହୁଅନ୍ତି। ଏହିପରି ଲୋକମାନଙ୍କ ଦୁର୍ଦ୍ଦଶା ବିଷୟରେ ଜେଲ ବାହାରେ ରହୁଥିବା ଲୋକମାନେ ଜାଣନ୍ତି ନାହିଁ ଓ ସମାଜ ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ। ତେଣୁ ସେମାନେ କ୍ରମଶଃ ବିସ୍ମୃତ ହୋଇ ଯାଆନ୍ତି। ଗୋଟିଏ ପଟେ ଗୁରୁତର ଅପରାଧରେ ଅଭିଯୁକ୍ତ ସଂପନ୍ନ ଶ୍ରେଣୀର ବ୍ୟକ୍ତିମାନେ ଅର୍ଥ ଓ ପ୍ରତିପତ୍ତି ବଳରେ ଜାମିନ ପାଇ ମୁକ୍ତ ଭାବେ ବିଚରଣ କରିବାକୁ ସମର୍ଥ ହୁଅନ୍ତି।
ଗଲା ନଭେମ୍ୱର ୨୬ରେ ୭୩ତମ ସମ୍ୱିଧାନ ଦିବସ ପାଳନ ଅବସରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ସମ୍ପର୍କରେ ନିଜ ବ୍ୟକ୍ତିଗତ ଅନୁଭୂତିରୁ ଅବତାରଣା କରିବା ସହିତ ସେଭଳି ଲୋକମାନଙ୍କ ଦୁର୍ଦ୍ଦଶା ଲାଘବ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଚାରପତିମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟ ତରଫରୁ ଏହାର ନିଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ତେବେ ଗରିବ ବିଚାରାଧୀନ କଏଦୀଙ୍କ ଦୁର୍ଦ୍ଦଶା ଉପରେ ଆଲୋଚନା କରିବା ଲାଗି ଏହି ଘଟଣା ଏକ ଅବକାଶ ସୃଷ୍ଟି କରିଛି।
କୁହାଯାଏ, ଖ୍ରୀଷ୍ଟପୂର୍ବ ୩୯୯ରେ ସକ୍ରେଟିସଙ୍କୁ ମୁକୁଳାଇବା ପାଇଁ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ଏକ ବଣ୍ଡ୍ ପ୍ରସ୍ତୁତ କରିବାର ପ୍ରୟାସ କରିଥିଲେ। ତେବେ, ଆଧୁନିକ କାଳରେ ଜାମିନ ବ୍ୟବସ୍ଥାର ପ୍ରଚଳନ ଇଂଲାଣ୍ଡରୁ ହୋଇଥିବାର ଜଣାପଡ଼େ, ଯାହା ବର୍ତ୍ତମାନ ଊଣା ଅଧିକେ ପ୍ରାୟ ସମସ୍ତ ରାଷ୍ଟ୍ରର ଆଇନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି। ସିଆର୍ପିସି, ୧୯୭୩ରେ ବେଲ୍ (ଜାମିନ) ଶବ୍ଦଟିର ସଂଜ୍ଞା ନିରୂପିତ ହୋଇ ନ ଥିଲେ ସୁଦ୍ଧା ଅପରାଧଗୁଡ଼ିକୁ ଜାମିନଯୋଗ୍ୟ (ବେଲେବଲ୍) ଅଥବା ଅଣଜାମିନଯୋଗ୍ୟ (ନନ୍-ବେଲେବଲ୍); ଏହିପରି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସ୍ବାଭାବିକ ଭାବେ ଜାମିନଯୋଗ୍ୟ ଅପରାଧଗୁଡ଼ିକ ଅପେକ୍ଷାକୃତ କମ୍ ଗୁରୁତର ହୋଇଥାଆନ୍ତି। ଭାରତୀୟ ଆଇନ ବ୍ୟବସ୍ଥାରେ ନଗଦ ରାଶି ଓ ଜାମିନଦାର (ସ୍ୟୁରିଟି) ମାଧ୍ୟମରେ ଜାମିନ ମିଳିଥାଏ। ଜାମିନଦାରଙ୍କ ଅଭାବରେ ସ୍ଥଳ ବିଶେଷରେ ବ୍ୟକ୍ତିଗତ ମୁଚାଲିକାରେ ମଧ୍ୟ ଜାମିନ ମିଳିପାରେ। ଅେନକ ସମୟରେ ଏହି ସବୁ ସର୍ତ୍ତ ପୂରଣ କରିବା ନେଇ ଗରିବମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେଣୁ, ଭାରତରେ ପ୍ରଚଳିତ ଜାମିନ ପ୍ରକରଣ ଗରିବଙ୍କ ପ୍ରତି ପକ୍ଷପାତିତାପୂର୍ଣ୍ଣ ବୋଲି ବିଭିନ୍ନ ମାମଲାରେ ବିଚାରପତିମାନେ ମତ ବ୍ୟକ୍ତ ମଧ୍ୟ କରିଛନ୍ତି।
ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନ୍ସିଆର୍ବି)ର ରିପୋର୍ଟ ଅନୁଯାୟୀ ୨୦୨୧ ଡିସେମ୍ୱର ୩୧ ସୁଦ୍ଧା ସମଗ୍ର ଦେଶର ଜେଲ୍ମାନଙ୍କରେ ଥିବା ୫.୫୪ ଲକ୍ଷ କଏଦୀଙ୍କ ମଧ୍ୟରୁ ୩.୭୩ ଲକ୍ଷ ବା ପ୍ରାୟ ୬୭.୫% ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର, ଯେଉଁମାନେ ପ୍ରାୟତଃ ଗରିବ ଶ୍ରେଣୀର। ଏମାନଙ୍କ ମଧ୍ୟରୁ ମାତ୍ର ୮୯,୮୦୨ ଜଣ ଦଣ୍ଡିତ ହୋଇଥିବା ବେଳେ ୨,୮୩, ୫୩୫ ଜଣ ବା ପ୍ରାୟ ୭୬% ବିଚାରାଧୀନ କଏଦୀ ଭାବେ ଜେଲରେ କାଳାତିପାତ କରୁଛନ୍ତି। ୨୦୧୬ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଥିଲା ୨.୯୩ ଲକ୍ଷ, ୫ ବର୍ଷ ମଧ୍ୟରେ ତାହା ପ୍ରାୟ ୪୬% ବୃଦ୍ଧି ପାଇ ୨୦୨୧ରେ ୪.୨୭ ଲକ୍ଷରେ ପହଞ୍ଚିଲାଣି। ଏମାନଙ୍କ ମଧ୍ୟରେ ଅନେକ ସଂଖ୍ୟକ ଉଚ୍ଚ ଜାତିର ଗରିବ ଲୋକ ମଧ୍ୟ ଅଛନ୍ତି। ଜାମିନଯୋଗ୍ୟ ଅପରାଧରେ ଅଭିଯୁକ୍ତ ବିଚାରାଧୀନ କଏଦୀମାନେ ମୁକୁଳି ପାରିଲେ ଜେଲ୍ ସବୁ ଶ୍ବାସରୁଦ୍ଧ ହେଲା ଭଳି ଅଯଥାରେ ଜନାକୀର୍ଣ୍ଣ ହେବାରୁ ରକ୍ଷା ପାଆନ୍ତା।
ଜାମିନ ବ୍ୟବସ୍ଥା ଗରିବ ପ୍ରତିକୂଳ ହେଉଥିବାର ଏକ ବଡ଼ କାରଣ ହେଉଛି ସଚେତନତାର ଅଭାବ। ଉଦାହରଣ ସ୍ବରୂପ, ସିଆର୍ପିସିର ଧାରା ୪୩୬(କ) ଅନୁଯାୟୀ କୌଣସି ଅପରାଧ ପାଇଁ ନିର୍ଦ୍ଧାରିତ ସର୍ବାଧିକ ଜେଲ ଦଣ୍ଡ ଅବଧିର ଅର୍ଦ୍ଧାଧିକ କାଳ ଜେଲରେ କାଟି ସାରିଥିଲେ ଜଣେ ବିଚାରାଧୀନ କଏଦୀ ଜେଲରୁ ମୁକୁଳି ପାରିବେ। କିନ୍ତୁ ଅଧିକାଂଶ କଏଦୀ ଏ ନେଇ ଅଜ୍ଞ। ଅନେକ କ୍ଷେତ୍ରରେ ଗରିବ କଏଦୀମାନେ ଅର୍ଥାଭାବ କାରଣରୁ ଜାମିନ ସର୍ତ୍ତକୁ ପୂରଣ କରିପାରନ୍ତି ନାହିଁ। ଉଚ୍ଚ ପରିମାଣର ଜାମିନ ରାଶି ପ୍ରଦାନ କରିବାକୁ ବାଧ୍ୟ ହେବାର ଅର୍ଥ ଗରିବ ଅଭିଯୁକ୍ତକୁ ଜାମିନ ଦେବାକୁ ମନା କରିବା ସହ ପ୍ରାୟ ସମାନ ବୋଲି ଗୁଜରାଟ ହାଇକୋର୍ଟର ବିଚାରପତି କେ.ବୈଦ୍ୟ ‘ନାନୁ ଗୋର୍ଦ୍ଧନ ବନାମ ଗୁଜରାଟ ରାଜ୍ୟ’ ମାମଲାରେ ମନ୍ତବ୍ୟ ଦେଇଥିଲେ। ସେହିପରି ଗରିବ କଏଦୀଙ୍କ ଆର୍ଥିକ କ୍ଷମତାକୁ ବିଚାରକୁ ନ ନେଇ ଜାମିନ ରାଶି ନିର୍ଦ୍ଧାରଣ କରିବା ଗରିବଙ୍କ ପ୍ରତି ପକ୍ଷପାତମୂଳକ ବୋଲି ହୁସେନାରା ଖାତୁନ ମାମଲାରେ ଅଦାଲତ ମନ୍ତବ୍ୟ ଦେଇଥିଲେ। ସ୍ଥଳ ବିଶେଷରେ ଗରିବ କଏଦୀମାନେ ଜାମିନର ସର୍ତ୍ତ ପୂରଣ କରିବାକୁ ଅସମର୍ଥ ହୋଇ ‘ପେସାଦାର ଜାମିନଦାର’ଙ୍କ କବଳରେ ପଡ଼ି ଅଯଥାରେ ଅର୍ଥ ଶ୍ରାଦ୍ଧ କରିବାକୁ ବାଧ୍ୟ ହୁଅନ୍ତି।
ଏ ସଂପର୍କରେ ଏକ ଦୁଃଖଦାୟକ ଘଟଣାର ଅବତାରଣା କରାଯାଉ। ଛତିଶଗଡ଼ରେ ୩ ଜଣ ଆଦିବାସୀ (ଭବନ ସିଂହ, ଜୟ ସିଂହ ଓ ସୁଖସେନ ଗୋଣ୍ଡ) କଏଦୀଙ୍କୁ ଏକ ମାମୁଲି ଅପରାଧ ପାଇଁ ୨୦୧୩ରେ ଗିରଫ କରାଯିବା ପରେ ଛତିଶଗଡ଼ ହାଇକୋର୍ଟ ସେମାନଙ୍କୁ ୨୦୧୬ରେ ଜଣେ ଲେଖାଏଁ ଜାମିନଦାର ଓ ୫୦୦୦ ଟଙ୍କାର ବେଲ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସେମାନେ ଜାମିନଦାର ଓ ଟଙ୍କା ଯୋଗାଡ଼ କରିବାକୁ ଅସମର୍ଥ ହୋଇ ଆହୁରି ୬ ବର୍ଷ କାଳ ବିଳାସପୁର ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଜୀବନ କାଟିବାକୁ ବାଧ୍ୟ ହୋଇଥିଲେ। ମାମଲାଟି ପୁନଶ୍ଚ ଅଦାଲତଙ୍କ ନିକଟକୁ ଆସିବା ପରେ ଯାଇ ନିକଟରେ ସେମାନେ ଜେଲରୁ ମୁକୁଳି ପାରିଛନ୍ତି।
ବିଚାରାଧୀନ ଅବସ୍ଥାରେ ଜେଲରେ ଅଟକ ରହିବାର ପରିଣାମ ମାରାତ୍ମକ ହୋଇଥାଏ। ଆଇନ ଦୃଷ୍ଟିରେ ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ଅଭିଯୁକ୍ତମାନେ ନିର୍ଦ୍ଦୋଷ ବୋଲି ପରିଗଣିତ ହେଉଥିଲେ ବି ସେମାନେ ଦୀର୍ଘ କାଳ ଅସହାୟ ବନ୍ଦୀ ଜୀବନ କାଟିବା ଦୁର୍ଭାଗ୍ୟଜନକ ନୁହେଁ କି? ଯଦି ଅଭିଯୁକ୍ତ ଜଣକ ତାଙ୍କ ଦରିଦ୍ର ପରିବାରର ଏକମାତ୍ର ଆୟକର୍ତ୍ତା ହୋଇଥାଆନ୍ତି, ତେବେ ତାଙ୍କର ଏଭଳି ସ୍ଥିତି ପରିବାରର ଆର୍ଥିକ ଅବସ୍ଥାକୁ ଧୂଳିସାତ୍ କରିଦିଏ ଏବଂ ଅଦାଲତରେ ମାମଲା ଲଢ଼ିବା ପାଇଁ ପରିବାରଟି ଅସମର୍ଥ ହୁଏ। ଏଭଳି ପରିସ୍ଥିତିରେ ନିର୍ଦ୍ଦୋଷ ପରିବାର ନରକ ଯନ୍ତ୍ରଣା ଭୋଗିଥାଏ। କେବଳ ସେତିକି ନୁହେଁ, ବିନା ବିଚାରରେ ଦୀର୍ଘ କାଳ ଧରି ଜେଲ୍ରେ ପଡ଼ି ରହୁଥିବା ବ୍ୟକ୍ତିଙ୍କର ଶାସନ ବ୍ୟବସ୍ଥା ଉପରୁ କ୍ରମଶଃ ଆସ୍ଥା ତୁଟିବାକୁ ଲାଗେ ଓ ଜେଲ୍ ବାହାରର ବୃହତ୍ତର ସମାଜ ପ୍ରତି ସେମାନଙ୍କ ମନରେ ତିକ୍ତତା ସୃଷ୍ଟି ହୁଏ। ଫଳରେ ତାଙ୍କ ଦ୍ବାରା ଅଧିକ ଅପରାଧ ସଂଘଟିତ ହେବା ଭଳି ଆଶଙ୍କା ସୃଷ୍ଟି ହୋଇଥାଏ। ସୁତରାଂ, ଦାରିଦ୍ର୍ୟ-ଜେଲ-ଅପରାଧ ଏକ ଦୁଷ୍ଟ ଚକ୍ରକୁ ଜନ୍ମ ଦେଇଥାଏ। ଏହାର କୁପ୍ରଭାବ ସମାଜ ଉପରେ ମଧ୍ୟ ପଡ଼ିଥାଏ।
ଏଭଳି ଅଯଥାରେ ଅଟକ ଥିବା କଏଦୀମାନଙ୍କ ନାମ, ସେମାନଙ୍କ ବିରୋଧରେ ଥିବା ଅଭିଯୋଗ, ଜାମିନ ଆଦେଶର ତାରିଖ, ଜାମିନ ଆଦେଶ ପରେ ସେମାନେ କେତେ ଦିନ ଜେଲରେ କଟାଇ ସାରିଲେଣି ଆଦି ତଥ୍ୟ ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପରେ ସେଗୁଡ଼ିକୁ ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଜାତୀୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଏହା ହୁଏତ ଜାମିନ ଆଦେଶର କାର୍ଯ୍ୟକାରିତାକୁ ନେଇ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାରେ ସହାୟକ ହୋଇପାରେ। ଏହା ଦ୍ବାରା ଗରିବ ବିଚାରାଧୀନ କଏଦୀମାମାନେ କିଛି ଆଶ୍ବସ୍ତି ଲାଭ କରି ପାରନ୍ତି।
ଏବେ ଆସିବା ଏହି ସମସ୍ୟା ପ୍ରତି ସାଧାରଣ ଲୋକେ ସଚେତନ ହେବା ଓ ସେମାନଙ୍କ ଠାରେ ସମ୍ୱେଦନଶୀଳତା ଦେଖା ଦେବା ବିଷୟକୁ। ସେଥି ପାଇଁ ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଆପଣା ଦାୟିତ୍ୱ ନିର୍ବାହ କରିବା ଉଚିତ। ଉପରୋକ୍ତ ସଂଗୃହୀତ ତଥ୍ୟକୁ କଏଦୀଙ୍କ ଗୋପନୀୟତା ରକ୍ଷା କରିବା ସହିତ ୱେବ୍ସାଇଟ୍ରେ ରାଜ୍ୟୱାରି ସ୍ଥାନିତ କରାଯିବା ଆବଶ୍ୟକ, ଯାହାକୁ ଉପଯୋଗ କରି ହୁଏତ ଏଭଳି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିପାରିବେ। ବିଭିନ୍ନ ରାଜ୍ୟରେ ନାଗରିକ ସମାଜର ସଦସ୍ୟଙ୍କୁ ନେଇ ‘କାରାଗାର ନିରୀକ୍ଷକ ସମୂହ’ (ପ୍ରିଜନ୍ ୱାଚ୍ ଗ୍ରୁପ୍) ମାନ ଗଠନ କରାଯାଇପାରିବ, ଯେଉଁମାନେ କାରାଗାରର ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହ ବିଚାର ଆଲୋଚନା ମାଧ୍ୟମରେ ଗରିବ କଏଦୀମାନଙ୍କ ଜାମିନ ସର୍ତ୍ତାବଳୀ ପୂରଣ ଦିଗରେ ପ୍ରୟାସ କରିପାରିବେ। କଏଦୀମାନଙ୍କ ପରିବାରର ଦୁର୍ଦ୍ଦଶାକୁ ଦୂର କରିବା ଦିଗରେ ‘ପ୍ରିଜନ ଆଡ଼ଭାଇସ୍ କେୟାର ଟ୍ରଷ୍ଟ’ (ପ୍ୟାକ୍ଟ), ‘ଚିଲଡ୍ରେନ୍ ଅଫ୍ ପ୍ରିଜନର୍ସ ଅଫ୍ ୟୁରୋପ’ (କୋପ୍), ‘ପ୍ରିଜନ୍ ରିଫର୍ମ ଟ୍ରଷ୍ଟ’ ଭଳି ସଂସ୍ଥା ବିଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଏପରିକି ବିଦେଶର ଜେଲ୍ରେ ଥିବା ବ୍ରିଟେନ୍ ଅଧିବାସୀମାନଙ୍କୁ ‘ପ୍ରିଜନର୍ସ ଆବ୍ରୋଡ଼’ ନାମକ ସଂସ୍ଥା ସହାୟତା ଯୋଗାଇ ଦେଉଛି। ତେଣୁ ଭାରତରେ ମଧ୍ୟ ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଏ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହିତ କରାଯିବା ଆବଶ୍ୟକ।
ବେଲ୍ ରିଫର୍ମସ ଆକ୍ଟ, ୧୯୬୬ରେ ସ୍ୱାକ୍ଷର କରିବା ଅବସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଲିଣ୍ଡନ ଜନସନ୍ ମନ୍ତବ୍ୟ ଦେଇଥିଲେ, ‘ଜଣେ ଗରିବ ପ୍ରତିବାଦୀ ମୂଲ୍ୟ ଦେଇପାରେ ନାହିଁ ବୋଲି ବିଚାର ହେବା ପୂର୍ବରୁ ତା’କୁ ସପ୍ତାହ, ମାସ, ଏପରିକି ବର୍ଷ ବର୍ଷ ଧରି ଜେଲ୍ରେ ଶଢ଼ିବାକୁ ହୁଏ। ଦୋଷୀ ବୋଲି ବା କୌଣସି ଦଣ୍ଡ କାରଣରୁ ବା ବିଚାର ପୂର୍ବରୁ ଖସି ପଳାଇଯିବାର ଭୟ ହେତୁ ତା’କୁ ଜେଲ୍ରେ ରହିବାକୁ ପଡ଼ିନଥାଏ। କେବଳ ଗୋଟିଏ କାରଣ- ସେ ଗରିବ ହୋଇଥିବା ହେତୁ ଜେଲ୍ରେ ପଡ଼ି ରହିବାକୁ ବାଧ୍ୟ ହୋଇଥାଏ ।’
ତେଣୁ ଏଭଳି କଏଦୀମାନଙ୍କ ପ୍ରତି ସରକାର, ପ୍ରଶାସନ, ବିଚାରାଳୟ, ଆଇନ ଓ ସାଧାରଣ ନାଗରିକ ସମସ୍ତେ ସହାନୁଭୂତିଶୀଳ ହେବା ଆବଶ୍ୟକ।
ମୋ. ୯୪୩୭୦୩୮୦୧୫