ପୁଲିସ୍‌ବାଲାଙ୍କୁ କଟକ ହାଇକୋର୍ଟର କଡ଼ା ତାଗିଦା, ଥାନାକୁ ଅଭିଯୋଗ କରିବାକୁ କିମ୍ବା ଏଫ୍‌.ଆଇ.ଆର୍‌. ଦେବାକୁ ଆସୁଥିବା ବ୍ୟକ୍ତିକୁ ଆଗ ବସିବା ପାଇଁ ଚଉକିଟିଏ ଦିଅ। ନିକଟରେ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ ତ ଆହୁରି ଅନେକ କଥା ଲେଖା ହୋଇଛି, ଯେମିତି ଥାନାବାବୁ ସେମାନଙ୍କୁ ଭଲ ବ୍ୟବହାର କରିବେ, କାଗଜ କଲମ ଦେବେ, ଅଭିଯୋଗକାରୀ ଲେଖି ଜାଣି ନ ଥିଲେ ନିଜେ ଲେଖି ପକେଇବେ ଓ ଶେଷକୁ ସ୍ବୀକୃତି ପତ୍ରଟିଏ ଦେବେ। ଏ ସବୁ କଥା ଆଗରୁ ଅନେକ ବାର ଦୋହରା ଯାଇଛି, ତେଣୁ ବିଶେଷ କର୍ଣ୍ଣ-କଟୁ ହେଉନାହିଁ। କିନ୍ତୁ ଚଉକି ପ୍ରଦାନ କଥାଟି କାହିଁକି ଲଙ୍କାରେ ହରି ଶବ୍ଦ ଭଳି ଶୁଭିଲା। ଅଭିଯୋଗକାରୀର ଭେକ କି ପତିଆରା ଦେଖି କେବେ କେଉଁଠି ଏହା ଲାଗୁ ହେଉଥିବ ସିନା, ହେଲେ ଯେଉଁ ନିର୍ବାକ୍‌ ଓ ଅବହେଳିତ ଜନସମୂହ ପାଇଁ ନିର୍ଦ୍ଦେଶଟି ଉଦ୍ଦିଷ୍ଟ, ସେମାନଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କରିବ ବା କିଏ? ବସିବା ସ୍ଥାନଟିଏ ପ୍ରଦାନ କରାଗଲା ପରେ ବି ସେଠି କଣ ସ୍ବଚ୍ଛନ୍ଦରେ ସାଧାରଣ ଅଭିଯୋଗକାରୀଟିଏ ବସି ପାରିବ?

Advertisment

ଥାନା ବାବୁଙ୍କ ଆଗରେ ଚଉକିଟିଏ ଗ୍ରହଣ କରିବା ଯେ କେତେ ବିପଜ୍ଜନକ, ଯିଏ ଅନେକ ବର୍ଷ ତଳର ‘ଜଞ୍ଜିର’ ନାମକ ହିନ୍ଦୀ ଚଳଚ୍ଚିତ୍ର ଦେଖିଛି, ସେ ଜାଣିଛି। ନୂଆ ଥାନା ବାବୁଙ୍କୁ ଦେଖା କରିବାକୁ ଆସିଥିବା କୁଖ୍ୟାତ ଅପରାଧୀ ପ୍ରାଣ୍‌ ବସିବାକୁ ଯାଉଥିବା ବେଳେ କ୍ଷୁବ୍‌ଧ ଯୁବ ପୁଲିସ ଅଧିକାରୀ ଅମିତାଭ ବଚ୍ଚନ ଚଉକିଟିକୁ ଲାତ ମାରି ଖସାଇ ଦେଇଛନ୍ତି। ଆଜି ବିଚାରାଳୟର ନିର୍ଭୟ ବାଣୀ ସତ୍ତ୍ୱେ ଏହି ଦୃଶ୍ୟଟି ପୁଲିସ୍‌ ଦପ୍ତରରେ ଆସନଟିଏ ଗ୍ରହଣ କରିବା ପୂର୍ବରୁ ଆଗନ୍ତୁକଙ୍କ ପାଇଁ ଏକ ବିପଦ ସଙ୍କେତ ଭଳି ରହିଛି। ଅନେକ ପାଠକ ମୋ’ ସହ ଏକମତ ହେବେ ଯେ ନାଟକୀୟ ଅତିରଞ୍ଜନକୁ ବାଦ ଦେଲା ପରେ ପ୍ରୋକ୍ତ ଦୃଶ୍ୟଟି ସ୍ଥିତିର ଏକ ବାସ୍ତବ ରୂପାୟନ ମାତ୍ର।

ଚଉକିଟିଏ ଅଳଙ୍କୃତ କରିବାକୁ ଆମ ସମାଜରେ ଏକ ଯୋଗ୍ୟତା ଆଉ ପଦ-ମର୍ଯ୍ୟାଦା ବୋଲି ଧରି ନିଆଯାଏ। ପୁଣି ଅସଂଖ୍ୟ ଶ୍ରେଣୀ ଓ ସ୍ତରରେ ବିଭାଜିତ ଆମ ସମାଜରେ ସମସ୍ତେ ଯଦି ସମାନ ଚଉକିରେ ବସିବେ, ତେବେ ମର୍ଯ୍ୟାଦାର ତାରତମ୍ୟ ପ୍ରତିପାଦିତ ହେବ ବା କେମିତି? ସେଇଥି ପାଇଁ ତ ସୁଉଚ୍ଚ ସିଂହାସନରେ ବସିଥିବା ରାଜା ଗୋଟିଏ ହାଲୁକା ମୁହୂର୍ତ୍ତରେ ତଳେ ବସିଥିବା ବିଦୂଷକଙ୍କୁ ଛିଗୁଲେଇ କହିଲେ, ‘ତୁମେ ନିଜକୁ ଜ୍ଞାନୀ ଗୁଣୀ ବୋଲି କହୁଛ, ହେଲେ ଦେଖୁଛ ତ ତୁମେ କେଉଁଠି ଆଉ ଆମ୍ଭେ କେଉଁଠି ବସିଛୁ?’ ବିଦୂଷକ ଉତ୍ତରରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଗାଇ ଉଠିଲେ, ‘ନିକିତି ତଉଲ ସାନ ବଡ଼କୁ, ଭାରୀ ହୁଏ ଯିଏ ରହେ ତଳକୁ।’ ରାଜା ଉକ୍ତିଟିର ମରମ କଥା ବୁଝିଲେ ଓ ବିଦୂଷକଙ୍କର ପ୍ରତ୍ୟୁତ୍ପନ୍ନମତିକୁ ପ୍ରଶଂସା କଲେ। ରାଜା ସିନା ଉଦାର ହୃଦୟ ଥିଲେ ବୋଲି ଏମିତି କଲେ, ହେଲେ ବାସ୍ତବତା ତ ସବୁ ବେଳେ ଚଉକିକୁ କ୍ଷମତା ଓ ମର୍ଯ୍ୟାଦାର ପ୍ରତୀକ ରୂପେ ମାନି ଆସିଛି।

ପଦ ପଦବି ଓ ସାମାଜିକ ସମ୍ମାନର ଥୋପ ଗିଳାଇ ସମାଜକୁ ବିଭାଜିତ କରିବାରେ ସିଦ୍ଧହସ୍ତ ଇଂରେଜ ଶାସକମାନେ ବାଛି ବାଛି କିଛି ଲୋକଙ୍କୁ ଚେୟାରରେ ବସିବାର ଅଧିକାର ଦେଉଥିଲେ। ଏହି ଭାଗ୍ୟବାନମାନଙ୍କୁ ‘କୁର୍ସିନଶୀନ’ ନାମରେ ଏକ ମର୍ଯ୍ୟାଦାପୂର୍ଣ୍ଣ ମାନପତ୍ର ପ୍ରଦାନ କରାଯାଉଥିଲା, ଯାହାକୁ ଦେଖାଇ ସେମାନେ ଦପ୍ତରମାନଙ୍କରେ ସରକାରୀ ଅଧିକାରୀଙ୍କ ସାମନାରେ ଚେୟାରରେ ବସିବାର ସୁଯୋଗ ପାଉଥିଲେ। ଏହି ବିଶିଷ୍ଟ ଉପାଧି ବଳରେ ସେମାନେ ନିଜ ସମସ୍କନ୍ଧ ଲୋକଙ୍କ ଠାରୁ ଉଚ୍ଚତର ବୋଲି ପ୍ରମାଣିତ ହୋଇ ଯାଉଥିଲେ ଓ ସବୁଦିନ ପାଇଁ ଇଂରେଜ ଶାସନର ବଶମ୍ବଦ ହୋଇ ରହୁଥିଲେ।

ଅବଶ୍ୟ ଉପନିବେଶବାଦୀଙ୍କର ଏହି ପ୍ରଥା ଆଜି ବି ସମୃଦ୍ଧ ଭାରତରେ ଅନ୍ୟ ରୂପରେ ପ୍ରଚଳିତ ହୋଇ ଆସୁଛି। ଆଜି ବି ଅନେକ ଉପରିସ୍ତ ସରକାରୀ ଅଧିକାରୀ ସେମାନଙ୍କ ପାଖକୁ କାମ ନେଇ ଆସିଥିବା ଅଧସ୍ତନମାନଙ୍କୁ ଦଣ୍ଡାୟମାନ ଅବସ୍ଥାରେ ରଖି କାର୍ଯ୍ୟ ସଂପାଦନ କରିବାକୁ ଭଲ ପାଆନ୍ତି। ବସିବା ପାଇଁ କାଗଜର ମାନପତ୍ର ସିନା ଉଠି ଯାଇଛି, ହେଲେ ଅଧସ୍ତନ ବାପୁଡ଼ା ବିନା ମୌଖିକ ଅନୁମତିରେ ବସିବାର ଭୁଲ କେବେ ବି କରେନାହିଁ। ସେହି ଅଧିକାରୀ ପୁଣି ତାଙ୍କର ହାକିମ ପାଖରୁ ଫୋନ୍‌ ଆସିଲେ ନିଜେ ଦଣ୍ଡାୟମାନ ହୋଇ ହାକିମଙ୍କ ଅଦୃଶ୍ୟ କୁର୍ସିକୁ ସମ୍ମାନ ଜଣାନ୍ତି। କେମିତି ଅବା ଜଣାଇବେ ନାହିଁ?ଏହି ଚେୟାରର ମହିମା ତ ଯୁଗ ଯୁଗ ଧରି ଅପାର।

ଦୁନିଆର ଯେତେ ଯୁଦ୍ଧ, କଳହ ରକ୍ତପାତ ଓ ରାଜନୈତିକ କନ୍ଦଳ ସବୁ ଏହି ଚଉକି ବା ସିଂହାସନ ପାଇଁ। ଆମ ଠାକୁରମାନେ ବି ଗଛ ମୂଳେ, ପଥର ଉପରେ କି ପାଣି ଭିତରେ ରହିଯିବେ, ହେଲେ ରକ୍ତମାଂସଧାରୀ ଅଧିପତିମାନଙ୍କର ଦରକାର ହୀରା ନୀଳା ଖଚିତ ମୟୂର ସିଂହାସନ, ତାହା ପୁଣି ସାରା ଜୀବନ ପାଇଁ। ଆଉ କେହି ଆଖି ପକାଇଲେ ଆରମ୍ଭ ହେଲା ରକ୍ତପାତ।

ଏ ତ ଗଲା ରାଜାରାଜୁଡ଼ା ଯୁଗର କଥା, ହେଲେ ଆଜିର ସ୍ୱଚ୍ଛ ଶାସନ ଯୁଗରେ କଣ ଚଉକିର ପାୱାର ଟିକିଏ ବି କମିଛି? ସବୁଦିନ ଯେଉଁ ‘ହିସାବ ବହିର୍ଭୂତ ସମ୍ପତ୍ତି’ ମାଲିକମାନଙ୍କର ମୁଖା ଖୋଲୁଛି, ସେମାନେ ତାଙ୍କ କୁର୍ସି ବଳରେ ବଳୀୟାନ। ସେହି ମହାପାତ୍ରମାନେ ଦିଅଁଙ୍କୁ ଖାଇ ଖଟୁଲି ବି ଖାଇ ସାରିଲେଣି, ଖାଲି ତାଙ୍କ ଚେୟାରର କରାମତିରେ ସିନା! ତାଙ୍କର କରିତ୍‌କର୍ମା ଚଉକିଟିକୁ କାଳେ କିଏ ଘୋଷାଡ଼ିନେବା ଆଶଙ୍କାରେ ସେମାନେ ରାତିରେ ଘରକୁ ଫେରିବା ବେଳେ ଚଉକିଟିକୁ ଟେବୁଲ ସହ ଲୁହା ଶିକୁଳିରେ ବାନ୍ଧି ପକାନ୍ତି। ଅବଶ୍ୟ ଏହି ସିଆଣାମାନେ ଭୁଲି ଯାଇଥାନ୍ତି ଯେ ଜୀବନଟା ଗୋଟିଏ ‘ମ୍ୟୁଜିକାଲ ଚେୟାର’ର ଖେଳ। ଯେ କୌଣସି ମୁହୂର୍ତ୍ତରେ ସୁରକ୍ଷା ଯୋଗାଉ ଥିବା ଚେୟାରଟିକୁ ଆଉ କେହି କାଢ଼ିନେଇ ପାରେ।

ମାନନୀୟ ବିଚାରପତି ପୁଲିସ୍‌କୁ ଜାରି କରିଥିବା ନିର୍ଦ୍ଦେଶରେ ପୀଡ଼ିତକୁ କେବଳ କିଛି ଦୃଶ୍ୟମାନ ସୁବିଧା ସୁଯୋଗ ଯୋଗାଇ ଦେବା କଥା କହିନାହାନ୍ତି, ଏହା ମାଧ୍ୟମରେ ସେ କେବଳ ଥାନା କାହିଁକି ପୂରା ଶାସନ ବ୍ୟବସ୍ଥା ଭିତରେ ଥିବା ଶାସକ ଓ ଶାସିତ, ଶକ୍ତିଶାଳୀ ଓ ଦୁର୍ବଳ, ‘ଆମେ’ ଓ ‘ତୁମେ’ ଭିତରେ ଜଳ ଜଳ ହୋଇ ଦିଶୁଥିବା ଫରକକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଶାସକ ପୀଡ଼ିତର ସେବକ ହେବାକୁ ହେଲେ ପ୍ରଥମେ ଉଭୟଙ୍କୁ ସମାନ ଉଚ୍ଚତା ଓ କିସମର ଚଉକିରେ ଆଖିକୁ ଆଖି ମିଳାଇ ବସିବାକୁ ପଡ଼ିବ।

ମୋ: ୯୪୩୭୦୮୯୬୫୫