ଏକଛତ୍ରବାଦ ଶାସନ ଚାଲିଥିବା ଚୀନ ଓ ଇରାନରେ ଏବେ ବଡ଼ ବିଚିତ୍ର ଘଟଣାମାନ ଦେଖିବାକୁ ମିଳୁଛି। ପ୍ରଥମତଃ ହେଲା ଚୀନରେ ୧୯୪୯ ମସିହାରୁ କମ୍ୟୁନିଷ୍ଟ ପାର୍ଟିର ଏକଦଳୀୟ ଶାସନ ପ୍ରତିଷ୍ଠିତ ହୋଇଛି। ସେଠାରେ ମାଓ ସେ-ତୁଙ୍ଗ ହେଲେ ସେ ଦଳର ପ୍ରତିଷ୍ଠାତା ଓ ନୂଆ ଚୀନର ସ୍ରଷ୍ଟା। ସେ କ୍ଷମତାରେ ଥିବା ବେଳେ ସାଂସ୍କୃତିକ ବିପ୍ଳବ ନାମରେ ଏକ ଆନ୍ଦୋଳନ ତାଙ୍କ ଦେଶରେ ସୃଷ୍ଟି କରିଥିଲେ। ଏହି ଆନ୍ଦୋଳନ ନାମରେ ସେ ତାଙ୍କର ଶତ୍ରୁମାନଙ୍କୁ ଜବତ କରିବା ପାଇଁ ଚେଷ୍ଟା କରିଥିଲେ। ସେଥିପାଇଁ ପ୍ରତି ଘରେ ଘରେ ସେ ତାଙ୍କର ଗୁପ୍ତଚରମାନ ସୃଷ୍ଟି କରିଥିଲେ, ଯେଉଁମାନେ ସେହି ପରିବାରରେ କିଏ କ’ଣ କରୁଛି ତାହା ଦେଖି ସରକାରଙ୍କୁ ଜଣାଉଥିଲେ। ପୁଅ ବାପ ବିରୋଧରେ, ସ୍ତ୍ରୀ ସ୍ୱାମୀ ବିରୋଧରେ ଏମିତି ଖବର ଦେବାର ଘଟଣା ସେ ସମୟରେ ଘଟିଥିଲା। ବାହାରକୁ ଠିକ୍ ଦିଶୁଥିଲେ ମଧ୍ୟ ଭିତରେ ଭିତରେ ବ୍ୟାପକ ଅସନ୍ତୋଷ ମାଓ ସରକାରଙ୍କ ବିରୋଧରେ ଥିଲା। ୧୯୬୦ରେ ଚୀନରେ ନାଗରିକ ଅଧିକାର ଆନ୍ଦୋଳନ ଆରମ୍ଭ ହୋଇଥିଲା।

Advertisment

ମାଓଙ୍କ ମୃତ୍ୟୁ ପରେ ଯେତେବେଳେ ଡେଙ୍ଗ ଜିଆଓ ପିଙ୍ଗ ଚୀନର ମୁଖ୍ୟ ହେଲେ, ଅନେକ ଉଦାରୀକରଣ ନୀତି ଗ୍ରହଣ କଲେ। ତଥାପି ସେତେବେଳେ ଚୀନରେ ଏକ ବ୍ୟାପକ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା। ରାଜଧାନୀ ବେଜିଂଠାରେ ଥିବା କୁଖ୍ୟାତ ଟିଆନାନମେନ ସ୍କୋୟାରରେ ଛାତ୍ର ଆନ୍ଦୋଳନକୁ ୧୯୮୯ରେ ଦମନ କରିବା ପାଇଁ ମାଡ଼ି ଆସୁଥିବା ଟ୍ୟାଙ୍କ ସାମନାରେ ଜଣେ ଛାତ୍ର ସାହସ ବାନ୍ଧି ଠିଆ ହେବାର ଦୃଶ୍ୟ ଆଜି ମଧ୍ୟ ସ୍ୱତନ୍ତ୍ର। ଟ୍ୟାଙ୍କ, ପିଲାଟି ଉପରେ ଚଢ଼ି ଯାଇଥିଲା। ଏଯାଏ ସେହି ପିଲାର ନାମ କେହି ଜାଣିନାହାନ୍ତି।

ଇତିମଧ୍ୟରେ କେତେକ ଚୀନ କମ୍ୟୁନିଷ୍ଟ ପାର୍ଟି ଓ ସରକାରର ବିରୋଧୀମାନେ ଆମେରିକାକୁ ପଳାୟନ କରିଛନ୍ତି ଓ ସେଠାରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ଇତିମଧ୍ୟରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ସେଠାକାର ପିପୁଲସ୍ କଂଗ୍ରେସରେ ଏକ ସମ୍ବିଧାନ ସଂଶୋଧନ ଆଣିଛନ୍ତି, ଯେଉଁଥିରେ ତାଙ୍କୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି କରାଯିବାର ପ୍ରସ୍ତାବ ଗୃହୀତ ହୋଇଛି। ମାଓ ସେ-ତୁଙ୍ଗଙ୍କ ପରେ ଜଣେ ବ୍ୟକ୍ତି ଦୁଇ ଥର ଅର୍ଥାତ୍‌ ପାଞ୍ଚ ପାଞ୍ଚ ବର୍ଷ କରି ଦଶ ବର୍ଷ ରାଷ୍ଟ୍ରପତି ପଦରେ ରହିପାରିବାର ପରମ୍ପରା ଥିଲା। ସେଥିପାଇଁ ଜିଆଙ୍ଗ ଜେମିନ ଓ ହୁ ଜିନତାଓ ଦଶ ବର୍ଷ କ୍ଷମତାରେ ରହିବା ପରେ ତାଙ୍କ ପରେ ସି ଜିନପିଙ୍ଗ କ୍ଷମତାକୁ ଆସିଛନ୍ତି। କିନ୍ତୁ ସେ ଏହି ପରମ୍ପରାକୁ ଭଙ୍ଗ କରି ତୃତୀୟ ଥର ପାଇଁ ମଧ୍ୟ ରାଷ୍ଟ୍ରପତି ହୋଇଛନ୍ତି। ତେବେ ତାଙ୍କର ଏହି ନୂଆ କ୍ଷମତା ଦଖଲ ଅନେକ ଚୀନା ଛାତ୍ରମାନଙ୍କୁ କ୍ଷୁବ୍‌ଧ କରିଛି, ଯେଉଁମାନେ ବିଦେଶରେ ରହି ପାଠ ପଢୁଛନ୍ତି। ସେମାନେ ସେଠାରେ ସମୟ ପାଇଲେ ସି ଜିନପିଙ୍ଗଙ୍କ ବିରୋଧରେ ଧ୍ୱନି ଦେଉଛନ୍ତି ଓ ସେ କ୍ଷମତାରୁ ହଟନ୍ତୁ ବୋଲି ଦାବି କରି ଆସୁଛନ୍ତି। ତେବେ ଚୀନ ଭିତରେ ସରକାରଙ୍କ ବିରୋଧରେ କେହି ସ୍ୱର ଉତ୍ତୋଳନ କରିପାରିବେ ନାହିଁ ବୋଲି ଧାରଣା ପ୍ରଚଳିତ ଅଛି। ଚୀନ, ସଦାବେଳେ ତା’ର ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଆକ୍ରମଣାତ୍ମକ ସମ୍ପର୍କ ରଖୁଛି, ଯାହା ସେ ଦେଶର ନାଗରିକମାନଙ୍କୁ କ୍ଷୁବ୍‌ଧ କରିବା କଥା। ଅନ୍ୟ ଦେଶମାନଙ୍କରେ ମଧ୍ୟ ଏ ଧରଣର ଆକ୍ରମଣାତ୍ମକ ମନୋବୃତ୍ତିକୁ ସେଠାକାର ଅନ୍ତତଃ ବିରୋଧୀ ପକ୍ଷମାନେ ବିରୋଧ କରିଥାନ୍ତି। ଚୀନରେ କିନ୍ତୁ ତାହା ଘଟିନାହିଁ।

ଆଉ ଗୋଟିଏ ଦେଶ ହେଉଛି ଇରାନ, ଯେଉଁଠି ସପ୍ତମ ଦଶକ ବେଳେ ସେଠାକାର ରାଜାଙ୍କ ଦ୍ୱାରା ଶାସନ ଚାଲିଥିଲା। ରାଜାଙ୍କର ନାମ ଥିଲା ଶାହା। ସେ ମୁଖ୍ୟତଃ ଆମେରିକାର ସମର୍ଥକ ଥିଲେ। ତାଙ୍କ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ ହେଲା। ମୁଖ୍ୟତଃ ସେଠାକାର ଧର୍ମଗୁରୁମାନେ ଏହି ଶାହା ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଲେ। ସେମାନେ ଲୋକମାନଙ୍କୁ ବୁଝାଇଦେଲେ ଯେ ଇସଲାମ ଦ୍ୱାରା ଦେଶର ଶାସନ କଳ ଚାଲିଲେ ସବୁ ପ୍ରକାର ଅଶାନ୍ତି ଓ ଅସୁବିଧା ଦୂର ହୋଇଯିବ। ତଦାନୀନ୍ତନ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖେମେନିଙ୍କ ନେତୃତ୍ୱାଧୀନ ଆନ୍ଦୋଳନ ଶାହାଙ୍କୁ ଗାଦିଚ୍ୟୁତ କରିବାକୁ ସକ୍ଷମ ହେଲା। ଶାହା ଦେଶ ଛାଡ଼ି ଆମେରିକାକୁ ପଳାୟନ କଲେ। ଏହାର କିଛି ବର୍ଷ ପରେ ଆମେରିକାରେ ରହୁଥିବା ଜଣେ ଇରାନୀ ମହିଳା ଇରାନକୁ ଫେରିଆସି ଏକ ଉପନ୍ୟାସ ଲେଖିଥିଲେ, ଯେଉଁଥିରେ ଆୟାତୋଲ୍ଲାଙ୍କ ନେତୃତ୍ୱାଧୀନ ଇସଲାମ ସରକାର କେମିତି ଦେଶରେ ଶାନ୍ତି ଫେରାଇ ଆଣିଛି ଓ ପାଶ୍ଚାତ୍ୟର ଅସଭ୍ୟ ସଂସ୍କୃତିକୁ ଛାଡ଼ି ସେ ଇରାନର ଆୟାତୋଲ୍ଲା କର୍ତ୍ତୃତ୍ୱାଧୀନ ଇସଲାମୀୟ ସଂସ୍କୃତିରେ କେମିତି ଶାନ୍ତି ଅନୁଭବ କରୁଛନ୍ତି ସେ କଥା ଲେଖିଥିଲେ। ଚୀନରେ ଯେମିତି ଧାରଣା ସୃଷ୍ଟି ହୋଇଥିଲା ଯେ କମ୍ୟୁନିଷ୍ଟ ପାର୍ଟିର ଶାସନ ହେଉଛି ମଣିଷ ପାଇଁ ଶ୍ରେଷ୍ଠ, ଇରାନରେ ମଧ୍ୟ ପ୍ରଚାର ହେଲା ଯେ ଇସଲାମର ଶାସନ ହେଉଛି ଶ୍ରେଷ୍ଠ।

ଏତିକିବେଳେ ଇରାନର ରାଷ୍ଟ୍ରପତି ଅହମେଦିନେଜାଦ ଘୋଷଣା କଲେ ଯେ, ଇରାନ ପରମାଣୁ ବୋମା ନିର୍ମାଣ କରିବ ଓ ଏହି ବୋମାକୁ ପ୍ରଥମେ ଇସ୍ରାଏଲ ଉପରେ ପକାଇବ, ଯେମିତି ଏହି ଅଣଇସଲାମୀ ରାଷ୍ଟ୍ରଟି ପୃଥିବୀ ବକ୍ଷରୁ ନିଶ୍ଚିହ୍ନ ହୋଇଯିବ। ଇରାନର ପରମାଣୁ ବୋମା ନିର୍ମାଣ ଘୋଷଣାକୁ କେବଳ ଇସ୍ରାଏଲର ବନ୍ଧୁ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିରୋଧ କଲେ ସେତକ ନୁହେଁ, ମଧ୍ୟ ପ୍ରାଚ୍ୟର ଅନ୍ୟତମ ସୁନ୍ନି ଧର୍ମାବଲମ୍ବୀ ରାଷ୍ଟ୍ର ସାଉଦି ଆରବ ମଧ୍ୟ ବିରୋଧ କଲା। ସାଉଦି ଆରବ ତା’ର ପ୍ରତିଦ୍ୱନ୍ଦ୍ୱୀ ଦେଶ ଇରାନ ପରମାଣୁ ବୋମାର ଅଧିକାରୀ ହେଉ ବୋଲି ଚାହିଁଲା ନାହିଁ କି ସମର୍ଥନ କଲା ନାହିଁ। ଏଣୁ ଆମେରିକା, ଇରାନ ସହ ଯୁଦ୍ଧ ନ କରି ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ୱ ବେଳେ ଏହି ଦେଶ ଉପରେ ଆର୍ଥିକ ବାସନ୍ଦ ଲାଗୁ କଲା। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଜାତିସଂଘର ନିରାପତ୍ତା ପରିଷଦର ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଆମେରିକା, ରୁଷିଆ, ୟୁକେ, ଫ୍ରାନ୍‌ସ ଓ ଚୀନ ତଥା ଅନ୍ୟ ଏକ ଶକ୍ତିଶାଳୀ ରାଷ୍ଟ୍ର ଜର୍ମାନି ସହ ଇରାନର କଥାବାର୍ତ୍ତା ଆରମ୍ଭ ହେଲା। ଇରାନ ଏବେ ପର୍ଯ୍ୟନ୍ତ ମଧ୍ୟ ଆଣବିକ ବିଦ୍ୟୁତ ଉତ୍ପାଦନ ନାମରେ ପରମାଣୁ କେନ୍ଦ୍ର ଚଳାଇ ରଖିଛି। ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଇରାନ ଉପରେ ଉତ୍କଟ ଆର୍ଥିକ ବାସନ୍ଦମାନ ଲାଗୁ କରିଛନ୍ତି, ଯାହା ଫଳରେ ଇରାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ଦେଶ ପାଖରୁ କେହି ତେଲ କିଣୁନାହାନ୍ତି। ଏ ଦେଶ ସହ ଆର୍ଥିକ ସମ୍ପର୍କ ନ ରଖିବାକୁ ସବୁ ଦେଶମାନଙ୍କୁ ଏକ ପ୍ରକାର ବାଧ୍ୟ କରାଯାଇଛି।

ଇରାନରେ ଗତ କେତେ ବର୍ଷ ମଧ୍ୟରେ ଏ ଧରଣର ଆର୍ଥିକ ସ୍ଥିିତି ବିରୋଧରେ ନାନା ପ୍ରକାର ଆନ୍ଦୋଳନ ହେଉଛି, ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅନ୍ୟମାନେ ଯୋଗ ଦେଉଛନ୍ତି। ଗତ ତିନି ମାସ ତଳେ ସେଠାକାର ନୈତିକତା ପୁଲିସ ମୁଣ୍ଡ ଓଢ଼ଣି ଦ୍ୱାରା ମୁଣ୍ଡ ବାଳକୁ ଠିକ୍ ରୂପେ ଘୋଡ଼ାଇ ନ ଥିବା ହେତୁ ୨୨ ବର୍ଷ ବୟସ୍କା ମହସା ଅମିନୀଙ୍କୁ ଗିରଫ କରି ହାଜତରେ ରଖିଥିବା ବେଳେ ତାଙ୍କର ମୃତ୍ୟୁ ହେବାରୁ ସାରା ଦେଶରେ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ହୋଇଛି ଓ ଗତ ୪ ମାସ ମଧ୍ୟରେ ୪୦୦ରୁ ଅଧିକ ଲୋକେ ସୁରକ୍ଷା ବାହିନୀ ଗୁଳିରେ ପ୍ରାଣ ହରାଇଲେଣି। ମୁଖ୍ୟତଃ ମହିଳାମାନେ ଏହି ଆନ୍ଦୋଳନରେ ବହୁ ଅଧିକ ସଂଖ୍ୟାରେ ଯୋଗ ଦେଇ ପ୍ରତିବାଦ କରୁଛନ୍ତି। ମାନବିକ ଅଧିକାର ହେଲା ସେମାନଙ୍କ ଦାବି। ଜଣେ ମହିଳା କେମିତି ପୋଷାକ ପିନ୍ଧିବ ସେ କଥା ସେଠାକାର ଧର୍ମଗୁରୁ-କୈନ୍ଦ୍ରିକ ସରକାର କେମିତି ନିର୍ଣ୍ଣୟ କରିବେ ବୋଲି ଆନ୍ଦୋଳନକାରୀ ପୁରୁଷ ଓ ମହିଳାମାନଙ୍କର ପ୍ରଶ୍ନ।

ସେଠାକାର ମହିଳା ଆନ୍ଦୋଳନକାରୀମାନଙ୍କୁ ସେଠାକାର ସମାଜର ବିଭିନ୍ନ ବର୍ଗ ସମର୍ଥନ ଦେଉଛନ୍ତି। ପ୍ରତିବାଦକୁ ସମର୍ଥନ କରି ଦୋହାଠାରେ ଚାଲିଥିବା ବିଶ୍ୱ କପ୍‌ର ଫୁଟ୍‌ବଲ୍‌ରେ ଅଂଶ ଗ୍ରହଣ କରୁଥିବା ଇରାନୀ ଫୁଟ୍‌ବଲ୍‌ ଦଳ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ। ସମାଜର ଅତି ବିଶିଷ୍ଟ ଲୋକମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଓ ‘ଆୟାତୋଲ୍ଲା ଗାଦି ଛାଡ଼’ ବୋଲି ଧ୍ୱନି ଦେଉଥିବାରୁ ଶେଷକୁ ଧର୍ମଗୁରୁ ଆୟାତୋଲ୍ଲା ଖାମନେଇଙ୍କ ସରକାର ସେହି ନୈତିକତା ପୁଲିସକୁ ଭାଙ୍ଗି ଦେଇଛନ୍ତି। ମୁଖ୍ୟତଃ ମହିଳାମାନେ ଇସଲାମର ନୀତି ଅନୁସାରେ ପୋଷାକ ପରିଚ୍ଛଦ ପିନ୍ଧୁଛନ୍ତି କି ନାହିଁ ତାହା ତଦାରଖ କରିବା ଏହି ନୈତିକତା ପୁଲିସର କାମ। ଆୟାତୋଲ୍ଲା ଖାମନେଇ ଏହି ପୁଲିସ ବାହିନୀକୁ ଭାଙ୍ଗିବାକୁ ବାଧ୍ୟ ହୋଇଛନ୍ତି।

ସେମିତି ଏକ ଘଟଣା ଘଟିଛି ଚୀନରେ। ଏଠାକାର ରାଷ୍ଟ୍ରପତି ଶୂନ କୋଭିଡ୍‌ ନୀତି ଘୋଷଣା କରିଥିଲେ। ଯେମିତି କୋଭିଡ୍‌ ମହାମାରୀ ଯୋଗୁଁ ଚୀନରେ ଜଣେ ମଧ୍ୟ ଲୋକ ନ ମରେ ସେଥିପାଇଁ ଏହି ନୀତି ଘୋଷିତ ହୋଇଥିଲା। ଲୋକେ ଯେମିତି କୋଭିଡ୍‌ ଆକ୍ରାନ୍ତ ନ ହୁଅନ୍ତୁ, ସେଥିପାଇଁ ସବୁ ପ୍ରକାର କଠୋର ପ୍ରତିବନ୍ଧ ଯଥା ଲକ୍‌ଡାଉନ୍ ବା ସଟ୍‌ଡାଉନ୍‌ ଆଦି ଘୋଷଣା କରାଯାଉଥିଲା। ଯେଉଁ ଅଞ୍ଚଳରେ ଜଣେ ମଧ୍ୟ କୋଭିଡ୍‌ ଦ୍ୱାରା ଆକ୍ରାନ୍ତ ହେଉଥିଲା ବୋଲି ତଥ୍ୟ ମିଳୁଥିଲା ସେହି ଅଞ୍ଚଳର ସବୁ ଲୋକଙ୍କୁ ସପ୍ତାହ ସପ୍ତାହ ଧରି ଲକ୍‌ଡାଉନ୍ ମଧ୍ୟରେ ରଖାଯାଉଥିଲା। ଚୀନର ସର୍ବବୃହତ୍‌ ବାଣିଜ୍ୟ ସହର ସାଂଘାଇ ତଥା ଚେଙ୍ଗଡୁ, ଉହାନ ଆଦି ବଡ଼ ବଡ଼ ସହରମାନଙ୍କୁ ମଧ୍ୟ ଲକ୍‌ଡାଉନ୍ କରି ସବୁ ଲୋକଙ୍କୁ ଏକପ୍ରକାର ବନ୍ଦୀ କରି ରଖାଗଲା। ବାହାରକୁ ବାହାରିବାର କୌଣସି ଅଧିକାର ସେମାନଙ୍କର ରହିଲା ନାହିଁ। ରାଷ୍ଟ୍ରପତି ସି ଜିନପିଙ୍ଗ ଓ ତାଙ୍କର ସମର୍ଥକମାନେ ଭାବିଲେ କୋଭିଡ୍‌ ଯୋଗୁଁ କେହି ନ ମଲେ ବା କେହି ସେଥିରେ ଆକ୍ରାନ୍ତ ନହେଲେ ସି ଜିନପିଙ୍ଗ ଜଣେ ଅତି ଦକ୍ଷ ଓ ଦୃଢ଼ ଶାସକ ବୋଲି ଦେଶରେ ଓ ବିଶ୍ୱରେ ପ୍ରମାଣିତ ହେବେ। କିନ୍ତୁ ମଣିଷ ପାଇଁ ସବୁଠୁଁ ବଡ଼ କଥା ହେଲା ତା’ର ସ୍ୱାଧୀନତା। ଯେଉଁ ଚୀନରେ ସରକାରଙ୍କ ବିରୋଧରେ କେହି ପାଟି ଫିଟାଇ ପାରନ୍ତି ନାହିଁ ବୋଲି କୁହାଯାଉଥିଲା, ସେଠାରେ ବ୍ୟାପକ ଗଣ ଆନ୍ଦୋଳନ ହେଲା। ‘ସି ଜିନପିଙ୍ଗ ଇସ୍ତଫା ଦିଅ’ ବୋଲି ଧ୍ୱନି ଦିଆଗଲା, ଯାହା ସେ ଦେଶ ପାଇଁ ଏକ ଅବିଶ୍ୱାସ୍ୟ ଘଟଣା ଥିଲା। ଶେଷକୁ ବାଧ୍ୟ ହୋଇ ଚୀନ ସରକାର କଠୋର କୋଭିଡ୍‌ ନିରୋଧକ ଆଇନମାନଙ୍କୁ ନରମ କରିଦେଲେ। ସେଠାରେ ଆଜି ଏତେ ବେଶି ପରିମାଣରେ ଲକ୍‌ଡାଉନ୍ ଲାଗୁ ହେଉନାହିଁ।

ଚୀନ ଓ ଇରାନରେ ଏକଛତ୍ରବାଦୀ ଶାସନ ଚାଲିଛି। ସେଠାରେ ଗଣତନ୍ତ୍ର ନାହିଁ। ତା’ ସତ୍ତ୍ୱେ ଜନଆନ୍ଦୋଳନ ଯୋଗୁଁ ସେଠାରେ ସରକାର ମୁଣ୍ଡ ନୁଆଁଇଛନ୍ତି।

ହୁଏତ ଆଗାମୀ ଦିନରେ ସେହି ଦୁଇଟି ଦେଶର ଗଣତନ୍ତ୍ର ଶାସନ, ମତ ପ୍ରକାଶ କରିବାର ସ୍ୱାଧୀନତା, ମାନବିକ ଅଧିକାରକୁ ନେଇ ଜନ ଆନ୍ଦୋଳନ ହୋଇପାରେ ଓ ବିଶ୍ୱର ଅନ୍ୟ ଅନେକ ଦେଶମାନଙ୍କ ପରି ସେ ଦେଶ ଗଣତନ୍ତ୍ରକୁ ଆଦରି ନେଇପାରେ। ଏହାର ସଙ୍କେତମାନ ଏବେ ମିଳିସାରିଛି।

ମୋ-୯୪୩୭୦୨୦୨୯୦