ଓଡ଼ିଶା ସରକାର ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଏହାର ବିକାଶ ପାଇଁ ‘ବାୟୋଟେକ୍ନୋଲୋଜି ନୀତି-୨୦୧୮’ ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗକୁ ପ୍ରୋତ୍ସାହିତ କରି ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ବାୟୋଟେକ୍ନୋଲୋଜି ଶିଳ୍ପ ଓ ନିବେଶର ଲକ୍ଷ୍ୟ ସ୍ଥଳ ଭାବେ ପରିଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ସମନ୍ୱୟ ତଥା ସାମାଜିକ କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ବ୍ୟବହାର ସହିତ ମୁଖ୍ୟତଃ କୃଷି, ସାମୁଦ୍ରିକ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର ବ୍ୟାପକ ପ୍ରୟୋଗ ଲାଗି ପରିକଳ୍ପନା କରାଯାଉଛି।
ବାୟୋଟେକ୍ନୋଲୋଜି ଶିଳ୍ପ ପାଇଁ ଆଜି ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଲାଗି ଉଚ୍ଚ ଶିକ୍ଷା ଓ ଗବେଷଣା ଅନୁଷ୍ଠାନକୁ ପ୍ରୋତ୍ସାହନ ଦିଆଯାଉଛି। ଏହି କ୍ରମରେ ଦେଶର ଅଗ୍ରଣୀ ଶିଳ୍ପ ‘ଭାରତ ବାୟୋଟେକ୍’ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠରେ ଥିବା ‘ଓଡ଼ିଶା ବାୟୋଟେକ୍ ପାର୍କ’ ଠାରେ ଏକ ଆଧୁନିକ ଟିକା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
ଓଡ଼ିଶା ପ୍ରାକୃତିକ ଭାବେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷର ସମ୍ଭାର। ଏହି ରାଜ୍ୟରେ ନଅଟି ବଡ଼ ନଦୀ ପ୍ରବାହିତ ଏବଂ ଏହାର ଉପକୂଳର ଦୈର୍ଘ୍ୟ ୪୮୦ କିଲୋମିଟର। ଏଠାରେ ରହିଛି ହେନ୍ତାଳ ବଣର ଦ୍ୱିତୀୟ ବୃହତ୍ତମ କ୍ଷେତ୍ର ଭିତରକନିକା ଏବଂ ଏସିଆର ବୃହତ୍ତମ ଲୁଣିପାଣି ହ୍ରଦ ଚିଲିକା, ଯେଉଁ ଦୁଇଟି ‘ରାମସାର ସ୍ଥାନ’ ଭାବେ ଚିହ୍ନିତ। ଏହି ରାଜ୍ୟରେ ରହିଛି ଏଗାରଟି ଅଭୟାରଣ୍ୟ ଏବଂ ଲାଖେରି ଉପତ୍ୟକା, ମଣ୍ଡାସରୁ, ମହେନ୍ଦ୍ରଗିରି ଆଦି ଭଳି ପ୍ରାକୃତିକ ବିଭବ। କେବଳ ସେତିକି ନୁହେଁ, ଶିମିଳିପାଳ ଜୈବମଣ୍ଡଳ ମଧ୍ୟ ହେଉଛି ଓଡ଼ିଶାର ଏକ ବଡ଼ ସମ୍ବଳ। ଏହିସବୁ ପ୍ରାକୃତିକ ଉତ୍ସକୁ ଆଧାର କରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ସହ ଆଧୁନିକ ଜ୍ଞାନ-କୌଶଳର ବିକାଶ କରାଯାଇ ପାରିବ, ଯାହା କୃଷି, ସ୍ୱାସ୍ଥ୍ୟ ଏବଂ ପରିବେଶ ପରିଚାଳନା ଦିଗରେ ନୂଆ ମାର୍ଗଦର୍ଶନ ଦେଇପାରିବ।
୨୦୦୨ ମସିହାରେ ପ୍ରଥମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ସ୍ତରରେ ବାୟୋଟେକ୍ନୋଲୋଜି ବିଷୟରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏବେ ଓଡ଼ିଶାରେ ୨୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଏ କ୍ଷେତ୍ରରେ ଶିକ୍ଷାଦାନ କରିବା ସହିତ ଗବେଷଣା କାର୍ଯ୍ୟ କରୁଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଏନ୍ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର ଏବଂ ନାଇଜର ଓ ଆଇଜର ଭଳି ପ୍ରମୁଖ ବୈଷୟିକ ଓ ଗବେଷଣାଧର୍ମୀ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ଦେଉଛନ୍ତି। ସେହିପରି ୬ଟି ‘ଆଇସିଏଆର ଶିକ୍ଷାନୁଷ୍ଠାନ, ଆଇସିଏମଆର ବା ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର, ସିଏସଆଇଆର ବା ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ୍ ମାଟ୍ରିଆଲ ଟେକ୍ନୋଲୋଜି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଏବଂ ରିଜିଓନାଲ ପ୍ଲାଣ୍ଟ୍ ରୋସୋର୍ସ ସେଣ୍ଟର ଆଦି ଏହି କ୍ଷେତ୍ରରେ ଶିକ୍ଷା ଓ ଗବେଷଣାକୁ ନୂଆ ଉଚ୍ଚତାକୁ ନେଇ ପାରିଛନ୍ତି।
ଏବେ ଓଡ଼ିଶାରେ ‘ଷ୍ଟାର୍ଟଅପ୍’ କ୍ଷେତ୍ରର ବିକାଶ ଏ ଦିଗରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଆଜିର ପିଢ଼ି ବାୟୋଟେକ୍ନୋଲୋଜି ‘ଷ୍ଟାର୍ଟଅପ୍’ ପ୍ରତି ଆକର୍ଷିତ ହେଉଛନ୍ତି। ଏହା ଫଳରେ ଭବିଷ୍ୟତ୍ରେ ବିଶ୍ବ ସ୍ତରୀୟ ବ୍ୟବସାୟିକ ପ୍ରତିଷ୍ଠାନମାନ ଆମ ରାଜ୍ୟରେ ବିକଶିତ ହେବାର ସମ୍ଭାବନା ସୃଷ୍ଟି େହାଇଛି। ଏହା ମଧ୍ୟ ଖୁବ୍ ସ୍ବାଗତଯୋଗ୍ୟ ଯେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ପ୍ରୋତ୍ସାହନ ଦେଉଛନ୍ତି।
ଯେଉଁ ତିନିଟି କ୍ଷେତ୍ରରେ ଏହାର ବିପୁଳ ସୁଯୋଗ ରହିଛି ସେଗୁଡ଼ିକ ହେଲେ କୃଷି, ପରିବେଶ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ର। ମରୁଡ଼ି ବା ଜଳବନ୍ଦୀ ସ୍ଥିତି ବା ଲୁଣି ପାଣି ସହନଶୀଳ ଧାନ ବା ଅନ୍ୟାନ୍ୟ ବିହନର ବିକାଶ, ବିଲୁପ୍ତପ୍ରାୟ ଶସ୍ୟଗୁଡ଼ିକର ସଂରକ୍ଷଣ ଦିଗରେ ବାୟୋଟେକ୍ନୋଲୋଜିର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ପ୍ରକାର ପୌଷ୍ଟିକ ଶସ୍ୟ ଏବଂ ଅନ୍ୟାନ୍ୟ ଚାଷ, ଗୋପାଳନ ଭଳି ପଶୁ ପାଳନ, ମାଛଚାଷ, ଜୈବ ସାର, ଜୈବ ଖତ ଓ କୀଟନାଶକ, ଜିଆ ଖତ, ଜୈବ ଚାଷ ଆଦି କ୍ଷେତ୍ରରେ ଏହି ଜ୍ଞାନକୌଶଳ ନୂଆ ମର୍ଗଦର୍ଶନ ଦେଇପାରିବ। ଏହା ସହିତ ଜମିର ଉର୍ବରତା ବୃଦ୍ଧିରେ ଏହା ସହାୟକ େହବ। ସେମିତି ବିଭିନ୍ନ ‘ପେଟେଣ୍ଟ’ ହାସଲ କରି ତା ମାଧ୍ୟମରେ ବିପଣନ କ୍ଷେତ୍ରରେ ମଧ୍ୟ ବିଶେଷ ଅଗ୍ରଗତି କରାଯାଇପାରିବ। ସେମିତି ପରିବେଶ ଅନୁକୂଳ ବିଭିନ୍ନ ପ୍ରକାର ସାଧନ ସୃଷ୍ଟି ଦିଗରେ ମଧ୍ୟ ବାୟୋଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବାୟୋଡିଜେଲ, ବାୟୋଇଥାନଲ ଓ ବାୟୋହାଇଡ୍ରୋଜେନ ଭଳି ବିକଳ୍ପ ଇନ୍ଧନ ପ୍ରସ୍ତୁତି ଏହା ଦ୍ବାରା ସମ୍ଭବ ହେବ। ସେମିତି ଜୈବ ବିବିଧତାକୁ ବଜାୟ ରଖିବାର ମାର୍ଗ ପ୍ରଦର୍ଶନ ସହିତ ଏହି କ୍ଷେତ୍ରରେ ଗବେଷଣା ବିଭିନ୍ନ ପ୍ରଜାତି ସମ୍ପର୍କରେ ଅଧିକ ସୂଚନା ଓ ଜ୍ଞାନ ସଂଗ୍ରହରେ ସହାୟକ ହେବ। କହିବା ଅନାବଶ୍ୟକ ଯେ ବିଭିନ୍ନ ଉଦ୍ଭିଦ ଓ ଗୁଳ୍ମରୁ ଔଷଧ, ଆଣ୍ଟିବାୟୋଟିକ୍ ତଥା ଆଣ୍ଟିବ୍ୟାକ୍ଟେରିଆଲ ଉପାଦାନ ପ୍ରସ୍ତୁତରେ ବାୟୋଟେକ୍ନୋଲୋଜି ସାହାଯ୍ୟ କରିବ ଯାହା ସ୍ବାସ୍ଥ୍ୟ ସେବା ଲାଗି ବରଦାନରେ ପରିଣତ ହେବ। ସେମିତି ନାନୋ ମେଡିସିନ, ଆଣ୍ଟି-ଅକ୍ସିଡାଣ୍ଟ ଓ ସିଙ୍ଗଲ ସେଲ୍ ପ୍ରୋଟିନ୍ ବା ଏକକୋଷୀ ପୁଷ୍ଟିସାର ବିକାଶରେ ଏହି ବିଜ୍ଞାନ ଗୁରୁତ୍ବପୂର୍ଣ୍ଣ ସୁଯୋଗମାନ ସୃଷ୍ଟି କରିବ।
ଏହି ସବୁ ଦୃଷ୍ଟିରୁ ବାୟୋଟେକ୍ନୋଲୋଜି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶା ଯେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ଏହା ଆଶା ରଖିବାରେ ବିଶେଷ ଅସୁବିଧା ନାହିଁ।
ପୂର୍ବତନ କୁଳପତି,
ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ମୋ: ୯୪୩୯୪୩୧୬୦୦