ପ୍ରଖ୍ୟାତ ସାମ୍ବାଦିକ ରବୀଶ କୁମାର ଗତ ନଭେମ୍ବର ୩୦ ତାରିଖରେ ‘ଏନ୍ଡିଟିଭି’ ଚ୍ୟାନେଲ୍ରୁ ଇସ୍ତଫା ଦେବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକମାନଙ୍କ ଭଳି ମୋତେ ମଧ୍ୟ ଭାରି କଷ୍ଟ ଲାଗିଥିଲା। ତାଙ୍କ ଭଳି ଟିଭି ଗଣମାଧ୍ୟମର ଜଣେ ପ୍ରମୁଖ ଚରିତ୍ର ‘ପ୍ରାଇମ୍-ଟାଇମ୍’ କାର୍ଯ୍ୟକ୍ରମରେ ଆଉ ଦେଖିବାକୁ ମିଳିବେନି ବୋଲି ଭାବିବା ବେଳକୁ ଏହା ସେହିଭଳି ବିଷାଦ ସୃଷ୍ଟି କରିଥିଲା ଯେମିତି ବାବ୍ରି ମସ୍ଜିଦ ଭଙ୍ଗ ପରେ ଅଥବା ବିଲକିସ ବାନୋ ମାମଲାର ଅଭିଯୁକ୍ତମାନେ ଖଲାସ ହେଲା ପରେ ଅନୁଭୂତ ହୋଇଥିଲା। ଏହି ଅନୁଭବ କେବଳ ନିରାଶଜନକ ବା ବିରକ୍ତିକର ନୁହେଁ, ବରଂ ଗଭୀର ପୀଡ଼ାଦାୟକ ମଧ୍ୟ। ଟିଭି ଚ୍ୟାନେଲ୍ର ଖବର ପ୍ରସାରଣ ପ୍ରକୋଷ୍ଠକୁ ତାଙ୍କର ବିଦାୟ ଦର୍ଶାଇଦେଇଛି ଯେ ଭାରତୀୟ ଗଣମାଧ୍ୟମ କିପରି ଏହାର ଆତ୍ମଘାତୀ ସୀମା ଅତିକ୍ରମ କରିସାରିଛି।
‘ରବୀଶ’ ନାମରେ ଲୋକପ୍ରିୟ ହୋଇଥିବା ରବୀଶ କୁମାର ଗତ କିଛି ବର୍ଷ ହେଲା ଦେଶର ଜଣେ ବିବେକ ରକ୍ଷକ ଭାବେ ଉଭା ହୋଇଥିଲେ। ସେ ତାଙ୍କର ବିଶାଳ ଶ୍ରୋତାସମାଜର ହୃଦୟରେ ବସା ବାନ୍ଧି ରହିଥିଲେ, ଯେଉଁମାନେ ପ୍ରତି ସନ୍ଧ୍ୟାରେ ଟିଭି ସେଟ୍ ଆଗରେ ବସି ଗଣମାଧ୍ୟମର ସଂକୋଚନ ଓ ମିଥ୍ୟା ଖବରର ପ୍ରସାରଣ ସମ୍ପର୍କରେ ସେମାନଙ୍କ ଭାବନା ଓ ମନର ପୀଡ଼ା ବ୍ୟକ୍ତ ହେଉଥିବାର ଦେଖୁଥିଲେ। ସବୁ ମହାଦେଶରେ ତାଙ୍କର ଦର୍ଶକ ଅଛନ୍ତି। ଦୁନିଆର ଯୋଉଠି ବି ହିନ୍ଦୀ କୁହାଯାଏ, ସେଇଠି ରବୀଶଙ୍କର ପ୍ରଶଂସକ ରହିଛନ୍ତି। ସେମାନେ ରବୀଶଙ୍କ କାର୍ଯ୍ୟକ୍ରମ ଦେଖୁଥିଲେ, ତାଙ୍କର ବ୍ଳଗ୍ ଡାଉନ୍ଲୋଡ୍ କରୁଥିଲେ, ୟୁଟ୍ୟୁବ୍ରୁ ଟିଭି ରେକର୍ଡିଂ ସଂଗ୍ରହ କରୁଥିଲେ ଏବଂ ସେଗୁଡ଼ିକୁ ନିଜ ସାଙ୍ଗସାଥୀମାନଙ୍କ ଗହଣରେ ପ୍ରସାରିତ କରୁଥିଲେ। ଏପରି ଭାବେ ରବୀଶ ନିଜେ ଭାରତରେ ଦୈନିକ ଖବର ପାଲଟିଯାଇଥିଲେ।
ତାଙ୍କର କାର୍ଯ୍ୟ ତାଙ୍କ ପାଇଁ ରମଣ ମାଗସେସେ ସମ୍ମାନ ସମେତ ଅନେକ ଖ୍ୟାତି ଆଣିଦେଇଥିଲା। ୨୦୧୬ରେ ସେ ବମ୍ବେ ପ୍ରେସ କ୍ଲବ୍ ଦ୍ବାରା ଶ୍ରେଷ୍ଠ ସାମ୍ବାଦିକ ଭାବେ ମନୋନୀତ ହୋଇଥିଲେ। ସାମ୍ବାଦିକତାରେ ଉତ୍କର୍ଷ ପାଇଁ ସେ ୨୦୧୩ ଓ ୨୦୧୭ରେ ଦୁଇ ଥର ରାମନାଥ ଗୋଏଙ୍କା ସମ୍ମାନ ପ୍ରାପ୍ତ ହୋଇଥିଲେ। ୨୦୧୭ରେ ସେ କୁଳଦୀପ ନାୟାର ଫାଉଣ୍ଡେସନ ସାମ୍ବାଦିକତା ପୁରସ୍କାର ମଧ୍ୟ ପାଇଥିଲେ। ବସ୍ତୁତଃ ସେ ହେଲେ ଏପରି ଡଜନେରୁ ଅଧିକ ସମ୍ମାନର ଅଧିକାରୀ। ଯେତେବେଳେ ଗୌରୀ ଟ୍ରଷ୍ଟ୍ ଦ୍ବାରା ପ୍ରଥମ ଗୌରୀ ମେମୋରିଆଲ୍ ସମ୍ମାନ ପାଇଁ ବିଚାରକମଣ୍ଡଳୀ ଜଣେ ଉତ୍କୃଷ୍ଠ ବ୍ୟକ୍ତିଙ୍କୁ ମନୋନୟନ କରିବାର ଥିଲା, ସେତେବେଳେ ସେମାନେ ସର୍ବସମ୍ମତି କ୍ରମେ ରବୀଶଙ୍କ ନାମ ହିଁ ବାଛିଥିଲେ। ବିଶୁଦ୍ଧ ଭାବରେ ଭୋଜପୁରୀ ପୃଷ୍ଠଭୂମିରୁ ଆସିଥିବା, ସଂପୂର୍ଣ୍ଣ ଶିକ୍ଷାଦୀକ୍ଷା ଭାରତରେ ସଂପୂର୍ଣ୍ଣ କରିଥିବା ଏବଂ ଏନ୍ଡିଟିଭି ସଂସ୍ଥାପକ ପ୍ରଣବ ରାୟଙ୍କ ଭଳି ଇଂରେଜୀ ନୁହେଁ- କେବଳ ହିନ୍ଦୀରେ ସାମ୍ବାଦିକତା କରୁଥିବା ଚାଳିଶ ବର୍ଷ ବୟସ୍କ ଏହି ଯୁବକଙ୍କ ଭିତରେ କ’ଣ ଏମିତି ଥିଲା ଯେ ସେ ସମଗ୍ର ରାଷ୍ଟ୍ରର କଳ୍ପନାକୁ ଧରି ରଖିପାରୁଥିଲା?
ରବୀଶ ଜଣେ ଆକ୍ରମଣାତ୍ମକ ଟେଲିଭିଜନ୍ ଉପସ୍ଥାପକ ନଥିଲେ। ଟିଭି କାର୍ଯ୍ୟକ୍ରମରେ ତାଙ୍କ ସହ ଆଲୋଚନା କରୁଥିବା କୌଣସି ବ୍ୟକ୍ତିଙ୍କୁ ସେ କେବେ ଉଚ୍ଚ ସ୍ବରରେ କହୁଥିବାର ଶୁଣିବାକୁ ମିଳି ନାହିଁ। ଯଦିଓ ତାଙ୍କର କାର୍ଯ୍ୟକ୍ରମ ପୁଙ୍ଖାନୁପଙ୍ଖ ଅଧ୍ୟୟନ ଉପରେ ଆଧାରିତ, ତଥାପି ଭାରତର ପ୍ରଶଂସିତ ସାମ୍ବାଦିକଙ୍କ ଗହଣରେ ତାଙ୍କୁ ଜଣେ ମହାନ ବିଦ୍ବାନ ରୂପେ ବର୍ଣ୍ଣନା କରାଯାଇନାହିଁ। ଅତୀତରେ ଏମିତି ଅନ୍ୟାନ୍ୟ ବ୍ୟକ୍ତି ଥିଲେ ଯେଉଁମାନେ ନିଜର ପାଣ୍ଡିତ୍ୟ ପାଇଁ ପରିଚିତ ଥିଲେ। ରବୀଶଙ୍କର ବିଶେଷତ୍ବ ହେଲା, ସେ ଯାହାଙ୍କ ସହ ବାର୍ତ୍ତାଳାପ କରୁଥା’ନ୍ତି, ତାଙ୍କୁ ସେ ନିମଗ୍ନ ହୋଇ ଶୁଣନ୍ତି। ନିରବତା ମଧ୍ୟରେ ଏକ ଅଭିନବ ସନ୍ଦେହ ଓ ନିଜର ସ୍ବାଧୀନ ବିଚାରଧାରା ସ୍ଥାପନ କରିବାର ଏକ ଚମତ୍କାର କ୍ଷମତା ତାଙ୍କ ପାଖରେ ରହିଛି। କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ସେ କେବେ ଉତ୍ତରଦାତାଙ୍କର ଅହଂକାରକୁ ଦବାଇବା ଅଥବା ବଢ଼ାଇବା ଲାଗି ନିଜ ପଦର ଅପବ୍ୟବହାର କରୁନଥିଲେ। ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେ ଏକା ସମୟରେ ଅନାସକ୍ତ ଓ ସତର୍କ ତଥା ସହାନୁଭୂତିଶୀଳ ଓ ଅନୁସନ୍ଧିତ୍ସୁ ରହୁଥିଲେ। ବାକ୍ୟ ଉଚ୍ଚାରଣ କରିବା ଭିତରେ ତାଙ୍କ ମୁହଁରେ ଏକ ବିଶେଷ ହସର ଝଲକ ଦିଶୁଥିଲା, ଯାହା ରବୀଶଙ୍କ ‘ବ୍ରାଣ୍ଡ୍ ଆଇକନ୍’ ପାଲଟିଥିଲା। ସେହି ହସ ଥିଲା ଏକ ସମ୍ବେଦନଶୀଳ ବ୍ୟକ୍ତିର ହସ, ଯିଏ ଜାଣିଥିଲା କି ଭାରତର ଗଣମାଧ୍ୟମ ଆତ୍ମସମର୍ପଣ କରି ନିମ୍ନ ସ୍ତରକୁ ଖସି ସାରିଛି; ଖାଲି ଯାହା କୋଳାହଳ ଓ ଫମ୍ପା ଆଭିମୁଖ୍ୟର ମଞ୍ଚ ଭାବେ ଏବେ ତାହାର ଅସ୍ତିତ୍ବ ବଞ୍ଚି ରହିଛି। ତାଙ୍କ ହସ ହେଉଛି ତିରସ୍କାର, ଆକ୍ରୋଶ, ବିଡ଼ମ୍ବନା ଓ ଅଦମ୍ୟ ସ୍ବାଧୀନ ମନର ଏକ ମିଶ୍ରଣ। ତାହା ସତେ ଯେମିତି କହୁଛି, ‘ମୋତେ ଜଣା ଅଛି ତୁମେ କ’ଣ କରୁଛ, ମାତ୍ର ଏକଥା ଭାବ ନାହିଁ ଯେ ତୁମେ ମୋତେ ଠକି ଦେଇପାରିବ!’
ଭଲ ଭାବରେ ପ୍ରସ୍ତୁତ ହୋଇ ଷ୍ଟୁଡିଓକୁ ଯିବାର ଅଭ୍ୟାସ ରବୀଶଙ୍କର ଥିଲା। ଜଣେ ଉତ୍ସୁକ ପାଠକ ରୂପେ ସେ ନିଜର ତଥ୍ୟ ଓ ବାକ୍ୟାଂଶଗୁଡ଼ିକୁ ସାବଧାନତାର ସହ ଯାଞ୍ଚ କରୁଥିଲେ। ତାଙ୍କ ‘ପ୍ରାଇମ୍ ଟାଇମ୍’ କାର୍ଯ୍ୟକ୍ରମରେ ଭାରତର ଭାଷା ବିବିଧତା ସମ୍ପର୍କିତ ଏକ ଘଣ୍ଟିକିଆ ଆଲୋଚନା ପାଇଁ ସେ ମୋତେ ଥରେ ଆମନ୍ତ୍ରଣ କରିଥିଲେ। ସେଦିନ ସକାଳେ ଦିଲ୍ଲୀ ପ୍ରେକ୍ଷାଳୟରେ ମୋର କିଛି ପୁସ୍ତକ ଲୋକାର୍ପିତ ହୋଇଥିଲା। ମୁଁ ଲକ୍ଷ୍ୟ କରିଥିଲି ଯେ ସେ ଉକ୍ତ କାର୍ଯ୍ୟକ୍ରମରେ ଶେଷ ଯାଏଁ ଉପସ୍ଥିତ ଥିଲେ। ସେଠାରୁ ନିରବରେ ପ୍ରସ୍ଥାନ କରିବା ପୂର୍ବରୁ ସେ ମୋର ଜଣେ ବନ୍ଧୁଙ୍କ ପାଖରେ ତାଙ୍କ ଫୋନ୍ ନମ୍ବର ଛାଡ଼ି ଯାଇଥିଲେ ଏବଂ ତାଙ୍କୁ ଯୋଗାଯୋଗ କରି ଏକ ସାକ୍ଷାତକାର ପାଇଁ ଏନ୍ଡିଟିଭ ଷ୍ଟୁଡିଓକୁ ଯିବା ପାଇଁ କହିଥିଲେ। ମୁଁ ଭାବିଥିଲି, ପ୍ରଶ୍ନଗୁଡ଼ିକ ସେଦିନ ସକାଳେ ସେ ଶୁଣିଥିବା ଅଭିଭାଷଣ ଉପରେ ଆଧାରିତ ହୋଇଥିବ। ମାତ୍ର ତାଙ୍କ ହାତରେ ମୋର ଦୁଇଟି ବହି ଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ତାହାକୁ ଗଭୀର ଭାବରେ ପଢ଼ିଥିଲେ, ଯଦିଓ ସେଗୁଡ଼ିକୁ ପଢ଼ିବା ଏତେ ସହଜ କାମ ନୁହେଁ। ତାହାକୁ ହଜମ କରିବା ଲାଗି ତାଙ୍କୁ ଅନ୍ତତଃ ଗୋଟିଏ ସପ୍ତାହ ଲାଗିଥିବ। ଜଣେ ଖବର ଉପସ୍ଥାପକ ଏତେ ପ୍ରସ୍ତୁତି କରିବା ଅତ୍ୟନ୍ତ ଅସାମାନ୍ୟ କଥା ଥିଲା। ଏକ ସାକ୍ଷାତକାର ପାଇଁ ଏପରି ପ୍ରସ୍ତୁତି କରିଥିବା ସାମ୍ବାଦିକ ମୁଁ କ୍ବଚିତ ଦେଖିବାକୁ ପାଇଛି। ସେ ଦୃଷ୍ଟିରୁ ରବୀଶ ଅନ୍ୟମାନଙ୍କଠାରୁ ଭିନ୍ନ ତଥା ସର୍ବୋତ୍ତମ।
ମାତ୍ର ତାଙ୍କର ସୁନ୍ଦର ରୂପ ବା ଫଟୋ ଉତ୍ତୋଳନଯୋଗ୍ୟ ଚେହେରା ବା ହସ ବା ପାଣ୍ଡିତ୍ୟ ନୁହେଁ, ବରଂ ପ୍ରଶ୍ନ ପଚାରିବାର ଦକ୍ଷତା ହିଁ ତାଙ୍କୁ ଅତ୍ୟନ୍ତ ସଫଳ କରାଇଛି। ଏ ସବୁ ବାଦ୍ ତାଙ୍କର ଏକଥା କହିବାର ସତ୍ସାହସ ଥିଲା ଯେ ରାଜନୈତିକ ଶକ୍ତି ଓ ସତ୍ତାରୂଢ଼ ବ୍ୟବସ୍ଥା ହିଁ ସ୍ବାଧୀନତାର ହନନ ପାଇଁ ଦାୟୀ। ପ୍ରତି ଦିନ ତାଙ୍କ ଉପରେ ତିରସ୍କାର ଓ ଧମକଚମକର ବର୍ଷା ହେଉଥିବା ସତ୍ତ୍ବେ ସେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ନିର୍ଭୀକ ଭାବରେ ଯାତ୍ରା ଜାରି ରଖିଥିଲେ। ଯେତେବେଳେ ଅଧିକାଂଶ ଟିଭି ଉପସ୍ଥାପକ ଟିଆର୍ପି ବଢ଼ାଇବା ପାଇଁ କୌଣସି ବି ସ୍ତରକୁ ଖସିଯିବାକୁ ପ୍ରସ୍ତୁତ ଥିଲେ, ସେତେବେଳେ ରବୀଶ ସ୍ପଷ୍ଟ ଶବ୍ଦରେ କହିପାରୁଥିଲେ କି ଦର୍ଶକମାନେ ଟିଭି ସେଟ୍ ବନ୍ଦ କରିଦେବା ଉଚିତ। ଟିଭି ଏବେ ଆଉ ସତ୍ୟର ମାଧ୍ୟମ ହୋଇ ରହିନାହିଁ ବୋଲି ପୂରା ଟିଭି ପରଦାକୁ ଅନ୍ଧାର ରଖି ଦର୍ଶକଙ୍କୁ ସେକଥା କହିବାର ସତ୍ସାହସ ତାଙ୍କର ହିଁ ଥିଲା। ଯେତେବେଳେ ଅଧିକାଂଶ ଗଣମାଧ୍ୟମ କର୍ମୀ ସେମାନଙ୍କର ମହାନ ପେସାର ପତନକୁ ଅପରିବର୍ତ୍ତନୀୟ ସ୍ଥିତି ଭାବରେ ସ୍ବୀକାର କରିନେଇଥିଲେ, ସେତେବେଳେ ରବୀଶ ଅସତ୍ୟ ଖବର, ମିଥ୍ୟା, ଧମକଚମକ, ଭୟ ସଂଚାର ଓ ଭିଡ଼ ହିଂସା ବିରୋଧରେ ତାଙ୍କର ଧର୍ମଯୁଦ୍ଧ ଚଳାଇରଖି ସତ୍ୟ ଛଡ଼ା ଆଉ କିଛି ନ କହିବାକୁ ସଂକଳ୍ପ କରିଥିବା ମଣିଷଟିଏ ଭଳି ସାହସର ସହ ଛିଡ଼ା ହୋଇଥିଲେ। ସେଇ ଦୃଢ଼ ସଂକଳ୍ପ, ସତ୍ସାହସ ଓ ଦାୟିତ୍ବବୋଧର ବିଶୁଦ୍ଧ ଭାବନା ତାଙ୍କୁ ଆମ ସମୟର ଜଣେ ଅନନ୍ୟ ବ୍ୟକ୍ତିତ୍ବ କରି ଗଢ଼ିଛି। ଏବେର ଶାସନ ଶେଷ ହୋଇ ବିସ୍ମୃତ ହୋଇଯିବାର ବହୁ ଦିନ ପରେ, ରବୀଶ କୁମାରଙ୍କ ଟିଭି କାର୍ଯ୍ୟକ୍ରମକୁ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଓ ଗଣମାଧ୍ୟମର ସ୍ବାଧୀନତା ସହ ସାଲିସ ନ କରିବାକୁ ପ୍ରତିବଦ୍ଧ ଥିବା ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ସ୍ମରଣ କରାଯିବ।