୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ଦଶ ବର୍ଷ ପୂରିଛି। ‘ନିର୍ଭୟା’ ନାମରେ ଜଣାଶୁଣା ୨୩ ବର୍ଷୀୟା ମହିଳାଜଣକ ଏହି ଛାତିଥରା କାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ତାଙ୍କ ଭଳି ଦୁର୍ଦ୍ଦଶା ଯେଭଳି ଅନ୍ୟ କୌଣସି ଝିଅଙ୍କୁ ସହିବାକୁ ନ ପଡ଼େ ସେଥିପାଇଁ ଦୁଷ୍କର୍ମ ଆଇନରେ ସଂସ୍କାର ଲାଗି ସାରା ଦେଶରେ ବ୍ୟାପକ ଆନ୍ଦୋଳନ ସଂଗଠିତ ହୋଇଥିଲା। ଏହା ପରେ ବଳାତ୍କାର ଆଇନ ଅଧିକ କଠୋର ହୋଇଛି ଏବଂ ତଦନ୍ତ ପ୍ରକ୍ରିୟା ବଦଳିଛି ସତ, କିନ୍ତୁ ଏ ଦଶ ବର୍ଷ ମଧ୍ୟରେ ଜାତୀୟ ବିବେକକୁ ଦଂଶନ କଲାଭଳି ବଳାତ୍କାର ଘଟଣାର ଧାରା ବନ୍ଦ ହୋଇନାହିଁ।
ନିକଟରେ ସେହି ଦିଲ୍ଲୀରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ନିର୍ଭୟା କାଣ୍ଡ ପରେ ବଳାତ୍କାର ମାମଲା ସଂଖ୍ୟା ବୃଦ୍ଧି ପାଉଛି, ଯେତେବେଳେ କି ଦଣ୍ଡବିଧାନ ହାର ପୂର୍ବବତ୍ ନୈରାଶ୍ୟଜନକ ହୋଇ ରହିଛି। ୨୦୨୧ରେ ଭାରତରେ ବଳାତ୍କାର ମାମଲାରେ ଦଣ୍ଡବିଧାନ ହାର ୨୮.୬% ଥିଲା ଯାହା ତା’ ପୂର୍ବ ବର୍ଷର ହାର (୨୯.୮%) ଠାରୁ ମଧ୍ୟ କମ୍। ଏହାର ମୁଖ୍ୟ କାରଣ ରୂପେ ଫରେନ୍ସିକ୍ ପ୍ରମାଣ ସଂଗ୍ରହରେ ତ୍ରୁଟି ଓ ବିଳମ୍ବ ଆଡ଼କୁ ଇଙ୍ଗିତ କରାଯାଇଥାଏ। ଉଦାହରଣ ସ୍ବରୂପ, ଏକ ନିମ୍ନ ଅଦାଲତ ଚାଵଲା ଗଣବଳାତ୍କାର ମାମଲାରେ ତିନି ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ସୁପ୍ରିମ୍ କୋର୍ଟ ଗତ ନଭେମ୍ବର ମାସରେ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି।
ଏହାର କାରଣ ହେଲା ଡିଏନ୍ଏ ନମୁନା ସଂଗ୍ରହ କରିବା ଓ କେନ୍ଦ୍ରୀୟ ଫରେନ୍ସିକ୍ ଲ୍ୟାବ୍କୁ ପଠାଇବା ମଧ୍ୟରେ ପ୍ରାୟ ୧୦ ଦିନର ବିଳମ୍ବ ହୋଇଥିଲା। ଏ ମଧ୍ୟରେ ପୁଲିସ ପ୍ରମାଣ ହେରଫେର୍ କରିଥିବାର ଆଶଙ୍କାକୁ ସର୍ବୋଚ୍ଚ କୋର୍ଟ ଏଡ଼ାଇ ପାରିନଥିଲେ। ୨୦୨୧ ମସିହାରେ ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧର ୧୩,୮୯୨ ମାମଲା ରୁଜୁ ହୋଇଥିଲା ଯାହା ତା’ ପୂର୍ବ ବର୍ଷ ତୁଳନାରେ ୪୦% ଅଧିକ ବୋଲି ଏନ୍ସିଆର୍ବି ତଥ୍ୟରୁ ଜଣାପଡ଼ିଥାଏ। ଏ ଦଶ ବର୍ଷ ମଧ୍ୟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇପାରିନାହିଁ- ବଳାତ୍କାରର ଶିକାର ମହିଳାମାନେ ଆଜି ବି ସମାଜ, ପୁଲିସ, ନ୍ୟାୟାଳୟ, ଏପରିକି ସ୍ଥଳ ବିଶେଷରେ ଗଣମାଧ୍ୟମର ସମ୍ବେଦନାହୀନତା ଯୋଗୁଁ ସବୁଠାରୁ ଅଧିକ ଲାଞ୍ଛିତ ହେଉଛନ୍ତି। ସେହିପରି ଯୌନ ହିଂସାର ଶିକାର ମହିଳାଙ୍କୁ ସହାୟତା ପ୍ରଦାନ ପାଇଁ ଗଢ଼ାଯାଇଥିବାର ‘ନିର୍ଭୟା ପାଣ୍ଠି’ର ବିନିଯୋଗ ହାର କମ୍ ରହିଥିବା ନିକଟରେ ପ୍ରକାଶ ପାଇଛି।