ଆପଣା ହସ୍ତେ ଜିହ୍ୱା ଛେଦି

ଶ୍ୟାମ ସୁନ୍ଦର ଅଗ୍ରଓ୍ୱାଲା

କରୋନା ନୂଆ କଥା ନୁହେଁ। ଏ କଥା ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି। ବିଗତ ବର୍ଷ ବର୍ଷ ଧରି ପୃଥିବୀରେ କରୋନା ଥିଲା, ଏ ବର୍ଷ ଚିତ୍ର ଅଛି ଓ ଆଗକୁ ବର୍ଷ ବର୍ଷ ଧରି ଆମ ସହିତ ଊଣା ଅଧିକେ କରୋନା ରହିବ। ହୁଏତ ଏତେ ବର୍ଷ ଧରି ଏ ସଙ୍ଗରୋଧ ରହିବ ନାହିଁ, ମୁହଁରେ ତୁଣ୍ତି ରହିବ ନାହିଁ, ସାମାଜିକ ଦୂରତ୍ବ ରହିବ ନାହିଁ କି ରାତିଦିନ ଆଉ ହାତଧୁଆର ଏତେ ଆବଶ୍ୟକତା ରହିବ ନାହିଁ। ଏହା ସବୁ ଆଜିର ଅସ୍ଥାୟୀ ବ୍ୟବସ୍ଥା ଯାହା ବିପଦକାଳୀନ ସ୍ଥିତିରେ ପ୍ରତିଷେଧକ ମାତ୍ର ହୋଇଥାଏ। କିନ୍ତୁ ଏହା ଚିରନ୍ତନ ନୁହେଁ। ଯେ ପର୍ଯ୍ୟନ୍ତ କରୋନାକୁ ମୁକାବିଲା କରିବାକୁ ଯାଇ ମନୁଷ୍ୟ ସ୍ବୟ˚ ତା ନିଜ ଶରୀର ଭିତରୁ ଏହାର ପ୍ରତିରୋଧକ ସୃଷ୍ଟି ନ କରିଛି ସେ ପର୍ଯ୍ୟନ୍ତ ଏ ସବୁ ପ୍ରଚେଷ୍ଟା ସ୍ବଳ୍ପ କାଳ ପାଇଁ ସାମୟିକ ଆଶ୍ବସ୍ତି ଦେଇଥାଏ, କିନ୍ତୁ ଏହା ଲମ୍ବା ସମୟ ଧରି ଫଳପ୍ରଦ ହୋଇ ନଥାଏ କି ସମ୍ଭବପର ମଧୢ ହୋଇ ନଥାଏ।

ଏହି ପରିପ୍ରେକ୍ଷୀରେ ସତୁରି ଦଶକରେ ସମଗ୍ର ବିଶ୍ବରେ ଚହଳ ପକେଇଥିବା ‘ଡାଭିଡ, ଦି ପ୍ଲାଷ୍ଟିକ ବୟ’ର ଉଦାହରଣ ଦେବି। ଆମେରିକାର ଏକ ଧନିକ ପରିବାରରେ ଡାଭିଡ ନାମକ ଶିଶୁଟିଏ ରୋଗ ପ୍ରତିରୋଧକ ଶକ୍ତି ଶୂନ୍ୟ ଅବସ୍ଥାରେ ଜନ୍ମ ଗ୍ରହଣ କଲା। ସେହି ଶିଶୁଟିକୁ ‘ପ୍ଲାଷ୍ଟିକ୍‌ ବବଲ ବୟ’ ବୋଲି କୁହାଯାଉଥିଲା କାରଣ ଜନ୍ମରୁ ତାକୁ ଏକ ସ୍ବତନ୍ତ୍ର ପ୍ଲାଷ୍ଟିକ୍‌ ଓ କାଚ ନିର୍ମିତ ଘରେ ସଙ୍ଗରୋଧ ଅବସ୍ଥାରେ ରଖାଯାଇଥିଲା। ପ୍ଲାଷ୍ଟିକ ପ୍ୟାଣ୍ଟ, ପଲିଥିନ ସାର୍ଟ, ରବର ଜୋତା ଓ ମୁହଁରେ କାଚର ଘୋଡ଼ଣି ପିନ୍ଧି ସେ ଚଳପ୍ରଚଳ କରୁଥିଲା। ଘର ଭିତରୁ ତା ପାଇଁ ସ୍ବତନ୍ତ୍ର ଭାବରେ ତେଲ, ସାବୁନ, ତଉଲିଆ, ଶେଯ, ବେଡସିଟ ଓ ତକିିଆ ଓଗେରା ପ୍ରତ୍ୟେହ ଦୁଇ ତିନିଥର ଲେଖାଏଁ ସାନିଟାଇଜ କରି ଦିଆଯାଉଥିଲା। ସ୍ବତନ୍ତ୍ର ସୁରକ୍ଷିତ କାର୍‌ରେ ବସି ସେ ସ୍କୁଲ୍‌ ଯିବା ଆସିବା କରୁଥିଲା। କୁହାଯାଏ ଯେ ଏ ସବୁ ଆଧୁନିକ ସୁରକ୍ଷା ବ୍ୟବସ୍ଥା ଯୋଗୁ ପ୍ରାୟ ପଚିଶ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କଲା ପରେ ମଧୢ ମାତ୍ର ବାରବର୍ଷ ବୟସରେ ବାଳକଟି ଦେହତ୍ୟାଗ କରିଥିଲା କାରଣ ଏ ସବୁ ସତ୍ତ୍ବେ ସେ ଏହି ବାରବର୍ଷ ଭିତରେ ନିଜର ସାମାନ୍ୟତମ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରି ପାରି ନଥିଲା।

କେବଳ କରୋନା କାହିଁକିି, ଚିକିତ୍ସା ବିଜ୍ଞାନୀମାନେ କୁହନ୍ତି ଯେ ଆମ ଶରୀରରେ ହଜାର ହଜାର ପ୍ରକାରର ଭୂତାଣୁମାନେ ଲୁଚିକି ରହିଛନ୍ତି, କିନ୍ତୁ ରାତି ଦିନ ଆମ ଶରୀରର ଜାଗ୍ରତ ପ୍ରହରୀମାନେ ଏମାନଙ୍କ ସହିତ ଲଗାତାର ଯୁଦ୍ଧ କରି ଏମାନଙ୍କୁ ବାରମ୍ବାର ପରାସ୍ତ କରି ଆସୁଛନ୍ତି। ‘ବାଇଓଲୋଜି ଅଫ ବିଲିଫ’ ଚଳଚ୍ଚିତ୍ରରେ ଡକ୍ଟର ବ୍ରୁସ୍‌ ଲିପଟନ୍‌ କୁହନ୍ତି ‘‘ଆପଣ କେବଳ ଜଣେ ମାତ୍ର ମନୁଷ୍ୟ ନୁହନ୍ତି, ଆପଣ ହେଉଛନ୍ତି ପ୍ରାୟ ପଚାଶ ଲକ୍ଷ ଜୀବକୋଷମାନଙ୍କର ଏକ ସ˚ପ୍ରଦାୟ ଯିଏ ଏକତ୍ର ଗୋଷ୍ଠୀ ବାନ୍ଧି ଏକ ଅଭେଦ୍ୟ ଦୁର୍ଗ ଗଢ଼ିଥାନ୍ତି। ଏହି ଦୁର୍ଗର ସାଜସଜ୍ଜା ଅତ୍ୟନ୍ତ ଚମତ୍କାର ଯାହାକୁ ଭଗବାନଙ୍କର ଏକ ଅଦ୍ଭୁତ ଓ ଅଲୌକିକ ଦୃଷ୍ଟାନ୍ତ ବୋଲି କୁହାଯାଇପାରେ। ଦୁର୍ଭାଗ୍ୟର କଥା ଯେତେବେଳେ ଆପଣଙ୍କ ଶରୀର ଉପରେ ଆପଣଙ୍କର ଉଚ୍ଛୃଙ୍ଖଳ ଜୀବନଶୈଳୀ ଯୋଗୁ ଏହି ଦୁର୍ଗ ଦୁର୍ବଳ ହୋଇପଡ଼େ ସେତେବେଳେ ଶତ୍ରୁ ଭୂତାଣୁମାନେ ଏହା ଭିତରେ ପ୍ରବେଶ କରି ସବୁ ବିଭ୍ରାଟ କରିଦିଅନ୍ତି ଆଉ ଆପଣ ବ୍ୟାଧିଗ୍ରସ୍ତ ହୋଇ ଅକାଳ ମୃତ୍ୟୁ ବରଣ କରନ୍ତି।’’ ଅତଏବ ଏଥିପାଇଁ ମୁଖ୍ୟତଃ ଆପଣ ନିଜେ ହିଁ ଦାୟୀ। ଯାହାକୁ କଥାରେ କୁହନ୍ତି ‘‘ଆପଣା ହସ୍ତେ ଜିହ୍ବା ଛେଦି, କେ ଅଛି ତା’ର ପ୍ରତିବାଦୀ।’’

ଆମେ କହୁଛୁ ଯେ ଆମକୁ ବାଦୁଡ଼ି ଯୋଗୁ କରୋନା ହୋଇଛି। ଏହା ଭୁଲ। କାରଣ ଆମକୁ ବାଦୁଡ଼ି ଯୋଗୁ କରୋନା ହୋଇନାହିଁ। ବାଦୁଡ଼ି ଖାଇବା ଯୋଗୁ ଆମକୁ କରୋନା ହୋଇଛି। ମନୁଷ୍ୟର ଏତାଦୃଶ ଖାଦ୍ୟଶୈଳୀ ଆଜି ସମସ୍ତ ପ୍ରାକୃତିକ ଇକୋ ସିଷ୍ଟମକୁ ବିଗାଡ଼ି ଦେଇଛି। ଆଜିକୁ ଲକ୍ଷ ଲକ୍ଷ ବର୍ଷ ଧରି ଆମ ସହିତ ଗାଈ, କୁକୁର, ବିଲେଇ, ସାପ, ବାଘ, ବେଙ୍ଗମାନେ ବଞ୍ଚି ରହିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଗାଈଟିଏ ମାଛ ଖାଉ ନାହିଁ କି ବାଘଟିଏ ଘାସ ଖାଉ ନାହିଁ। ସମସ୍ତେ ସମସ୍ତଙ୍କର ନିର୍ଦ୍ଦିଷ୍ଟ ଜୀବନଶୈଳୀର ଲକ୍ଷ୍ମଣ ରେଖା ଭିତରେ ଜିଇ ଥିବା ବେଳେ ମନୁଷ୍ୟ ହେଉଛି ଏକମାତ୍ର ଜୀବ ଯିଏ ସ˚ସାରରେ ଏମିତି କୌଣସି ଜୀବ ନାହିଁ, ଯାହାକୁ ନ ଖାଉଛି। ମନୁଷ୍ୟର ଏତାଦୃଶ ବ୍ୟବହାରରେ ବିରକ୍ତି ପ୍ରକାଶ କରି କୁହାଯାଏ ଯେ ଆଜି ଯଦି ପୃଥିବୀରୁ ମହୁମାଛିମାନେ ନିଶ୍ଚିହ୍ନ ହୋଇଯା’ନ୍ତି ତେବେ ପୃଥିବୀକୁ ନିଶ୍ଚିହ୍ନ ହେବାକୁ ଦୁଇ ତିନି ବର୍ଷରୁ ଅଧିକା ସମୟ ଲାଗିବ ନାହିଁ, କିନ୍ତୁ ମନୁଷ୍ୟ ମାନେ ଯଦି ନିଶ୍ଚିହ୍ନ ହୋଇଯାନ୍ତି ତେବେ ପୃଥିବୀ ଆହୁରି ଲକ୍ଷ ଲକ୍ଷ ବର୍ଷ ଅଧିକ ତିଷ୍ଠିବ ଓ ଅଧିକା ଆନନ୍ଦରେ ତିଷ୍ଠିବ।

ଆଜିକୁ ଦୁଇ ହଜାର ବର୍ଷ ତଳେ, ହିପୋକ୍ରେଟସ, ଯାହାଙ୍କ ନାମ ନେଇ ଡାକ୍ତରମାନେ ଶପଥ ନେଇଥାନ୍ତି, କହିଥିଲେ, ‘‘ଖାଦ୍ୟ ହିଁ ଆପଣଙ୍କର ଔଷଧ।’’ ଅର୍ଥାତ୍‌ ଆଜି ଯଦି ଆପଣ ଖାଦ୍ୟକୁ ଔଷଧ ଭଳି ନ ଖାଇବେ ତେବେ ଦିନ ଆସିବ ଆପଣ ଔଷଧକୁ ଖାଦ୍ୟ ଭଳି ଖାଇବାକୁ ପଡ଼ିବ। ବନ୍ଧୁଗଣ, ସେ ଦିନ ଆଜି ଆସିଯାଇଛି। ଆପଣଙ୍କର ଜିଇବାର କଳା ଆଜି ବଦଳେଇବାକୁ ପଡ଼ିବ। ଆପଣଙ୍କ ହାତରେ ହିଁ ଆପଣଙ୍କ ଶରୀରର ପ୍ରତିରୋଧକ ଚାବିକାଠି ରହିଛି। ସଙ୍ଗରୋଧରେ ନାହିଁ କି ତୁଣ୍ତିରେ ନାହିଁ କି ସାବୁନ ଫେଣରେ ନାହିଁ। କରୋନା ନିବାରଣ ବାହାରେ ନାହିଁ। ଏହା ଆପଣଙ୍କ ଭିତରେ ରହିଛି।

ସକାଳର କଥା। ସୁଫି କାହାଣୀର ଫକୀର ହୁସେନ ରାବିୟାକୁ ଡାକି କହୁଛି ‘‘ରାବିୟା, ଭିତରେ କ’ଣ କରୁଛୁ? ଆ, ବାହାରକୁ ଆ। ଦେଖ କେତେ ସୁନ୍ଦର ସକାଳର ଚିତ୍ର ଓ କେତେ ମଧୁର ପ୍ରକୃତିର ସଙ୍ଗୀତ।’’ ରାବିୟା ଖିଲ ଖିଲ ହୋଇ ହସି କହିଲା ‘‘ତୁମେ ବାହାରେ କ’ଣ କରୁଛ? ଭିତରକୁ ଆସ, ଦେଖ କେତେ ସୁନ୍ଦର ସେ ଚିତ୍ରକର ଓ କେତେ ମଧୁର ସେ ଗୀତିକାର।’’ ବନ୍ଧୁଗଣ, ରାବିୟା ଠିକ୍‌ କହୁଛି। ଗୀତିକାର ଯୋଗୁ ହିଁ ଗୀତ ମଧୁର ହୋଇଥାଏ ଓ ଚିତ୍ରକର ଯୋଗୁଁ ହିଁ ଚିତ୍ର ସୁନ୍ଦର ହୋଇଥାଏ। ଯଦି ଆମର ଗୀତ ଆଜି ଅମଧୁର ଶୁଭୁଛି ଓ ଚିତ୍ର ଅସୁନ୍ଦର ଦିଶୁଛି ତେବେ ଏଥିପାଇଁ ଗୀତିକାର ଓ ଚିତ୍ରକରମାନେ ହିଁ ଦାୟୀ। ଅର୍ଥାତ୍‌ ଆମେ ହିଁ ଦାୟୀ।

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦ ୬୭୫୬୭

ସମ୍ବନ୍ଧିତ ଖବର